ସହନଶୀଳତା ଓ ଅହିଂସା

UNKNOWN

ସହନଶୀଳତା ହେଉଛି ଶାନ୍ତିପୂର୍ଣ୍ଣ ଜୀବନର ମୂଳମନ୍ତ୍ର । ଯେଉଁଠି ସହନଶୀଳତାର ଅଭାବ ଥାଏ, ସେଠି ପ୍ରକାଶ ପାଏ ହିଂସାଭାବ । ଏହି ହିଂସାଭାବ ହେଉଛି କ୍ରୋଧର ଏକ ରୂପ । ଯେତେବେଳେ ମଣିଷ କ୍ରୋଧ ଜର୍ଜରିତ ହୁଏ, ସେ ହିତାହିତ ଜ୍ଞାନ ହରାଇ ବସେ ଓ ସେହି ଅବସ୍ଥାରେ ସେ ଯେଉଁ କାର୍ଯ୍ୟ କରେ ତା’ର ପରିଣତି ହୁଏ ଭୟଙ୍କର । ସେଥିପାଇଁ ଭଗବତ୍ ଗୀତାରେ କୁହାଯାଇଛି କ୍ରୋଧରୁ ମୋହ ଭାବ, ମୋହରୁ ସ୍ମୃତିବିଭ୍ରମ, ସ୍ମୃତିବିଭ୍ରମରୁ ବୁଦ୍ଧିନାଶ ଓ ବୁଦ୍ଧିନାଶରୁ ଅଧଃପତନ ଘଟେ । ଏଣୁ କ୍ରୋଧମୁକ୍ତ ଜୀବନ ହିଁ ଶାନ୍ତିମୟ ଜୀବନ ଓ ଯେଉଁମାନେ କ୍ରୋଧଶୂନ୍ୟ ସେମାନେ ହିଁ ସ୍ଥିତପ୍ରଜ୍ଞ (ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ) । ଅକ୍ରୋଧ ହେଉଛି ଅହିଂସାର ଏକ ଅବିଚ୍ଛେଦ୍ୟ ରୂପ । କାୟ, ମନ ଓ ବାକ୍ୟରେ ଅନ୍ୟ ପ୍ରତି ହିଂସା ଆଚରଣ ନ କରିବା ହେଉଛି ଅହିଂସା । ଅହିଂସା ପାଳନ କରିବାକୁ ହେଲେ, ମନରେ ମଧ୍ୟ ଅନ୍ୟ ପ୍ରତି ହିଂସାଭାବ ରଖିବା ଉଚିତ ନୁହେଁ ଓ ବାକ୍ୟରେ ମଧ୍ୟ ଅନ୍ୟକୁ କ୍ଷତାକ୍ତ କରିବା ଉଚିତ ନୁହେଁ । ସହନଶୀଳ ହେଲେ କ୍ରୋଧ ଜନ୍ମ ନିଏ ନାହିଁ ଓ ଜୀବନ ଶାନ୍ତିମୟ ହୁଏ । ସମ୍ପୂର୍ଣ୍ଣ କ୍ରୋଧଶୂନ୍ୟ ଜୀବନ ଯାପନ ଅସମ୍ଭବ ମନେ ହେଲେ ହେଁ ଭାରତରେ ଏଭଳି କିଛି ସନ୍ଥ ଥିଲେ ଯେଉଁମାନେ ସହନଶୀଳତାକୁ ଜୀବନର ମୂଳମନ୍ତ୍ର ଭାବରେ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସନ୍ଥ କବୀର ଓ ଥିରୁବଲ୍ଲଭର ।

କବୀର ଥିଲେ ସ୍ଥିତପ୍ରଜ୍ଞ । ଥରେ ଜଣେ ଯୁବକ ସେ ବିବାହ କରିବା ଠିକ୍ ହେବ କି ନାହିଁ ସେ ବିଷୟରେ କିଛି ନିଷ୍ପି ନେଇପାରିଲା ନାହିଁ । ଉପଯୁକ୍ତ ପରାମର୍ଶ ପାଇଁ ସେ ପହôଲା ସନ୍ଥ କବୀରଙ୍କ ନିକଟରେ । ସେତେବେଳେ ସମୟ ଥାଏ ଦିନ ଦ୍ୱିପ୍ରହର । କବୀର ଯୁବକଟିକୁ ପାଖରେ ବସିବାକୁ କହିଲେ ଓ ତାଙ୍କ ପନôୀଙ୍କୁ ଲଣ୍ଠନଟିଏ ଆଣିବାକୁ କହିଲେ । କିଛି ସମୟ ପରେ କବିରଙ୍କ ପନôୀ ଲଣ୍ଠନଟଏ ଜାଳି ଆଣି ତାଙ୍କ ପାଖରେ ଥୋଇ ଦେଲେ । କବୀରଙ୍କ ଏତାଦୃଶ ବ୍ୟବହାରରେ ଯୁବକ ଜଣକ ବିସ୍ମିତ ହେଲେ । କିଛି ସମୟ ପରେ କବୀର ପନôୀଙ୍କୁ ଦୁଇ ଗ୍ଲାସ କ୍ଷୀର ଆଣିବାକୁ କହିଲେ । ପନôୀ ସେଙ୍ଗ ସେଙ୍ଗ ଆଦେଶ ପାଳନ କଲେ । କବୀର ଓ ଯୁବକ ଦୁହେଁ କ୍ଷୀର ପିଇବା ଆରମ୍ଭ କଲେ । କ୍ଷୀର ଲୁଣିଆ ଲାଗିବାରୁ ଯୁବକ ଜଣକ କ୍ଷୀର ପିଇ ପାରିଲେ ନାହିଁ । ମାତ୍ର କବୀର ଆନନ୍ଦ ମନରେ କ୍ଷୀରତକ ପିଇ ଦେଲେ । କ୍ଷୀର ଅତ୍ୟନ୍ତ ସୁସ୍ୱାଦୁ ଥିଲା କହି ସେ ନିଜ ପନôୀଙ୍କୁ ଧନ୍ୟବାଦ ଦେଲେ । ଯୁବକ ଜଣକ ଭାବିଲା, ବୋଧହୁଏ କବୀରଙ୍କ ମସ୍ତିଷ୍କ ଠିକ୍ ନାହିଁ । ଯଦି ସେ ପ୍ରକୃତିସ୍ଥ ଥାନ୍ତେ ଦିନବେଳେ ଲଣ୍ଠନ ଜାଳିବା ପାଇଁ କହି ନଥାନ୍ତେ କି ଲୁଣିଆ କ୍ଷୀରକୁ ମିଠା କ୍ଷୀର କହି ନ ଥାନ୍ତେ । ସେ ଚିନ୍ତା କଲା ଏଭଳି ଲୋକ ପାଖରୁ ଉଠି ଚାଲିଯାଉଥିଲା । କବୀର ପଚାରିଲେ, “ବାବୁ ତୁମେ କ’ଣ ପାଇଁ ଆସିଥିଲ କହିଲ ନାହିଁ?’’ ଯୁବକଟି ଉର ଦେଲା, “ମୁୁଁ ବିବାହ କରିବା ଠିକ୍ ହେବ କି ନାହିଁ ଏ ସମ୍ପର୍କରେ ଆପଣଙ୍କ ଆଦେଶ ଶୁଣିବା ପରେ ଓ ଲୁଣିଆ କ୍ଷୀରକୁ ଆପଣ ମିଠା କ୍ଷୀର କହିବା ପରେ ମୁଁ ଆପଣଙ୍କଠାରୁ ଆଉ ପରାମର୍ଶ ନେବାକୁ ଚାହୁଁ ନାହିଁ ।’’ କବୀର ଯୁବକଟିକୁ କହିଲେ, “ବାବୁ! ତୁମେ ଯେଉଁ ଦୁଇଟି ଘଟଣା ଉଲ୍ଲେଖ କଲ, ସେହିଥିରୁ ହିଁ ତୁମେ ଉଚିତ ପରାମର୍ଶ ପାଇପାରିବ?’’ ଯୁବକ ଜଣକ କିଛି ବୁଝି ନ ପାରିବାରୁ ସନ୍ଥ କବୀର କହିଲେ, “ତୁମେ ଦେଖିଲ, ମୋର ପନôୀ କିଛି ପ୍ରତିବାଦ ନ କରି ମୋର ଆଦେଶ ପାଳନ କଲେ । ସେ ପଚାରି ପାରିଥାନ୍ତେ, ‘ଦିନ ଦ୍ୱିପ୍ରହରରେ ଲଣ୍ଠନ କ’ଣ ହେବ?’ ମାତ୍ର ସେ ମୋର ଉଦ୍ଭଟ ଚିନ୍ତାଧାରାକୁ ସହି ନେଲେ ଓ ଲଣ୍ଠନଟି ଆଣିଲେ । ଠିକ୍ ସେପରି ସେ ଲୁଣିଆ କ୍ଷୀର ପିଇବାକୁ ଦେଲେ । ମୁଁ ଏଥିପାଇଁ ତାଙ୍କ ଉପରେ ରାଗି ପାରିଥାନ୍ତି । ମାତ୍ର ନ ରାଗି ତାଙ୍କର ତ୍ରୁଟିକୁ ସହି ନେଲି ।’’ ଏଣୁ ଯଦି ପରସ୍ପରକୁ ସହନ କରିବାର କ୍ଷମତା ତୁମ ଭିତରେ ଅଛି, ତା’ହେଲେ ତୁମେ ବିବାହ କରିପାର, ଅନ୍ୟଥା ବିବାହ କରନାହିଁ । ଜୀବନରେ ସହନଶୀଳତାର ମୂଲ୍ୟକୁ ସେଦିନ କବୀର ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ ।

ଥିରୁବଲ୍ଲଭର ଥିଲେ ତାମିଲନାଡୁର ଜଣେ ସନ୍ଥ । ବୃିରେ ସେ ଥିଲେ ତନ୍ତୀ । ପ୍ରତ୍ୟେକ ଦିନ ସେ ବୁଣୁ ଥିଲେ ମାତ୍ର ଖଣ୍ଡିଏ ଲୁଗା । ସେହି ଖଣ୍ଡିଏ ଲୁଗାକୁ ବିକ୍ରୟ କରି ଯେତିକି ଅର୍ଥ ପାଉଥିଲେ ସେ ସେହି ଅର୍ଥରେ ହିଁ ଚଳୁଥିଲେ । ଅଧିକ ଉପାର୍ଜନ କରିବା ପାଇଁ ତାଭ୍କ ମନରେ କୌଣସି ଲାଳସା ନ ଥିଲା । ସେ ଥିଲେ ଅତ୍ୟନ୍ତ ସଚ୍ଚୋଟ । ସେ କେବେ ବି ନିଜ ନୀତି ଓ ଆଦର୍ଶରୁ ବିଚୁ୍ୟତ ହେଉ ନ ଥିଲେ । ଦିନକର କଥା । ସେଦିନ ସେ ବୁଣିଥାନ୍ତି ଗୋଟିଏ ଶାଢ଼ି । ବୁଣି ସାରିବା ପରେ ସେ ଗ୍ରାହକ ଅପେକ୍ଷାରେ ରହିଥାନ୍ତି । କିଛି ସମୟ ପରେ ସେହି ଗାଁର ଜଣେ ଧନିକଙ୍କ ପୁତ୍ର ସେଠାରେ ପହôଲା । ତା’ ପାଖରେ ଥିଲା ପର୍ଯ୍ୟାପ୍ତ ଧନ । ଏଣୁ ଅହମିକା ଗ୍ରସ୍ତ ହୋଇ ସେ ସମସ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲ । ଥିରୁବଲ୍ଲଭର ବିକ୍ରୟ କରିବାକୁ ରଖିଥିବା ଶାଢ଼ିକୁ ସେ ନିଜ ହାତରେ ଏପଟ ସେପଟ କରି ଦେଖିବା ପରେ ପଚାରିଲା, “ଏହି ଶାଢ଼ିର ମୂଲ୍ୟ କେତେ?’’ ଅତ୍ୟନ୍ତ ନମ୍ର ଭାବରେ ଥିଲୁବଲ୍ଲଭର କହିଲେ, “ଚାରି ଟଙ୍କା ।’’ ଏହାପରେ ସେ ଯୁବକଟି ଶାଢ଼ିଟିକୁ ମଝିରୁ ଚିରିଦେଲା ଓ ଚିରା ଶାଢ଼ିର ଗୋଟିଏ ଖଣ୍ଡକୁ ଥିରୁବଲ୍ଲଭରଙ୍କୁ ଦେଖାଇ ପଚାରିଲା, “ବର୍ମାନ ଏହାର ମୂଲ୍ୟ କେତେ?’’ ଉଦ୍ଭ୍ରାନ୍ତ ଯୁବକର ଏହି ପ୍ରକାର ଆଚରଣରେ ଥିରୁବଲ୍ଲଭର ଆଦୌ ବିଚଳିତ ହୋଇ ନ ଥିଲେ । ଅତ୍ୟନ୍ତ ଶାନ୍ତ ମନରେ କହିଲେ, “ଦୁଇ ଟଙ୍କା ।’’ ଏହାପରେ ଯୁବକ ଜଣକ ସେହି ଚିରା ଶାଢ଼ିିକୁ ଆଉଥରେ ଚିରିଦେଇ ପୁଣି ଦି’ଖଣ୍ଡ କରିଦେଇ ପଚାରିଲା, “ଏବେ ଏହି ଶାଢ଼ିର ଦାମ୍ କେତେ?’’ ଥିରୁବଲ୍ଲଭର କହିଲେ, “ଯେହେତୁ ଶାଢ଼ିଟି ସମାନ ଚାରିଖଣ୍ଡ ହୋଇଗଲା, ଏହାର ଦାମ୍ ଏକ ଟଙ୍କା ।’’ ଥିରୁବଲ୍ଲଭରଙ୍କ ଅବିଚଳିତ ଆଚରଣ ଯୁବକଟି ମନରେ ଗଭୀର ରେଖାପାତ କଲା । ସେ ଜାଣିଥିଲା ଶାଢ଼ିଟି ଆଉ ବିକି୍ର ହୋଇପାରିବ ନାହିଁ ଓ ସେଦିନ ଥିରୁବଲ୍ଲଭଙ୍କୁ ଉପବାସ ରହିବାକୁ ପଡ଼ିବ । ତଥାପି ସେ କ୍ରୋଧ ପ୍ରକାଶ କରି ନ ଥିଲେ ଓ ତା’ର ଉଦ୍ଭ୍ରାନ୍ତ ଆଚରଣକୁ ସହି ନେଇଥିଲେ । ଯୁବକଟି ତା’ର ବ୍ୟବହାର ପାଇଁ ଲଜ୍ଜିତ ହେଲା ଓ କ୍ଷମା ପ୍ରାର୍ଥନା କଲା । ନିଜ ପକେଟରୁ ଚାରିଟଙ୍କା ବାହାର କରି ଥିରୁବଲ୍ଲଭରଙ୍କୁ ଦେଲା ଓ ଚିରା ଶାଢ଼ିକୁ ନେଇ ଘରକୁ ଗଲା । ସନ୍ଥ ଥିରୁବଲ୍ଲଭରଙ୍କ ଆଚରଣ ଥିଲା ଅହିଂସା ଓ ସହନଶୀଳତାର ଚରମ ନିଦର୍ଶନ ।

ମହାତ୍ମାଗାନ୍ଧି ଏହି ଅହିଂସାର ମର୍ମକୁ ଠିକ୍ ଭାବରେ ବୁଝିଥିଲେ । ସେ ‘ୟଙ୍ଗ୍ ଇଣ୍ଡିଆ’ରେ କହିଥିଲେ, ଅହିଂସା ଧର୍ମ କେବଳ ଋଷି ଓ ସନ୍ଥମାନଙ୍କ ପାଇଁ ଅଭିପ୍ରେତ ନୁହେଁ । ଏହା ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ଅହିଂସା ମାନବ ଜାତିର ଧର୍ମ । ପୁନଶ୍ଚ ସେ ହରିଜନ ପତ୍ରିକାରେ ଲେଖିଥିଲେ, “ଯଦି ଜଣେ ଅନ୍ୟମାନଙ୍କ ସହ ନିଜର ବ୍ୟକ୍ତିଗତ ସମ୍ପର୍କରେ ଅହିଂସାକୁ ପ୍ରୟୋଗ ନ କରି କେବଳ ଜୀବନର ଗମ୍ଭୀର ସମସ୍ୟାରେ ଏହାକୁ ପ୍ରୟୋଗ କରିବାକୁ ଆଶା କରେ, ସେ ମସ୍ତବଡ଼ ଭୁଲ୍ କରେ । ଦୟା ବା ବଦାନ୍ୟତା ପରି ଅହିଂସା ନିଜ ଘରୁ ହିଁ ଆରମ୍ଭ ହୁଏ । ପାରସ୍ପରିକ ସହନଶୀଳତା ହିଁ ଅହିଂସା । ଅହିଂସା ଜୀବନର ଧର୍ମ- ଏହା ଉପରେ ଦୃଢ଼ବିିଶ୍ୱାସ ରଖିବାକୁ ହେବ । ଯେଉଁମାନେ ତୁମ ପ୍ରତି ହିଂସା ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମକୁ ଏହା ପ୍ରୟୋଗ କରିବାକୁ ହେବ ।’’

Comments