(୩)ବିଜୟା ଦଶମୀ - ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣ --- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର

🌹🌸🌹🌺🌹🌷🌹🌻🌹
 *ଭାରତୀୟ ପର୍ବ ପର୍ବାଣୀ (୩)* 
 🌻🌻🌻🌻🌻🌻🌻🌻🌻
*ବିଜୟା ଦଶମୀ - ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣ* 
🌸🌸🌸🌸🌸🌸🌸🌸🌸
 *ଡ଼ା: ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 
🌺🌺🌺🌺🌺🌺🌺🌺🌺
                କେଉଁ ଆବହମାନ କାଳରୁ ପୁରାଣପାଠ, ପୂଜା ମହୋତ୍ସବ ଆଦି ଆମ ଭାରତର ପୁରପଲ୍ଲୀ, ଗଳିକନ୍ଦିରେ ପାରମ୍ପାରିକ ରୀତିରେ ପାଳନ କରାଯାଇ ଆସୁଛି  । ଏହା କେବଳ ଉତ୍ସବ ପାଳନ ମଧ୍ୟରେ ସୀମିତ ରହି ଯାଇଛି  । ଏହି ସବୁ ପଛରେ ଯେ ଏକ ମହାନ୍ ଆଧ୍ୟାତ୍ମିକ ସତ୍ୟ ଲୁକ୍କାୟିତ ହୋଇ ରହିଛି, ଏହି କଥା ଅନେକେ ଜାଣନ୍ତି ନାହିଁ  । ଏଥିପାଇଁ ଆମର ଆଧ୍ୟାତ୍ମିକ ଉନ୍ନତି ହୋଇ ପାରୁ ନାହିଁ  । ଫଳତଃ ସମଗ୍ର ମାନବ ସମାଜ କଳହ, କ୍ଲେଶ ଓ ଅଶାନ୍ତିରେ ପୀଡ଼ିତ  । ଆମେ କେବଳ ପରମ୍ପରା ଓ ପୂର୍ବାଗ୍ରହର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହିଯାଇଛୁ  । ଆମର ଦୃଷ୍ଟି ସୁଦୂରପ୍ରସାରୀ ହେଉ ନାହିଁ  । ଆମର ଦୃଷ୍ଟିକୋଣର ପରିବର୍ତ୍ତନ ହୋଇପାରୁ ନାହିଁ  । ବ୍ୟବହାରିକ ଜୀବନରେ ଆମେ ଆମ ଆଧ୍ୟାତ୍ମିକତାକୁ ସଂଯୋଗ କରି ପାରୁ ନାହିଁ  । ଏଥିପାଇଁ ଆମେ କ୍ରମଶଃ ଆଧ୍ୟାତ୍ମିକ ଦୃଷ୍ଟିରୁ ଅବନତି କରି ଚାଲିଛୁ  । ପୂଜା ଉପାସନାର ଉଦ୍ଦେଶ୍ୟ କେବଳ ଭୌତିକ ସୁଖ-ସାଧନ ପ୍ରାପ୍ତି ପର୍ଯ୍ୟନ୍ତ ସୀମିତ ହୋଇ ରହିଛି  । ଆମେ ଆମର ମହାନ ପ୍ରଚୀନ ଦେବୀ-ଦେବତା ସଂସ୍କୃତିକୁ ଭୁଲି ଯାଇଛୁ  । ଏହା ଫଳରେ ପାଶ୍ଚତ୍ୟ ଦର୍ଶନ ଓ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଆମେ କ୍ରମେ ଭୌତିକ ବାଦୀ ହୋଇ ପଡ଼ିଛୁ  । ଆଧ୍ୟାତ୍ମିକ ଜ୍ଞାନକୁ ଆମେ ବ୍ୟବହାରିକ ଜୀବନରେ ବିନିଯୋଗ କରିପାରୁନାହୁଁ  । ଫଳରେ ଆମର ଆଧ୍ୟାତ୍ମିକ ଶକ୍ତିର ବିକାଶ ହେଉନାହିଁ  ।  ଆଧ୍ୟାତ୍ମିକ ଜ୍ଞାନ ଦେହାତୀତ ଆତ୍ମା ବିଷୟରେ ଧାରଣା ଦିଏ  । ଆମର ଦୃଷ୍ଟି ଦୃଶ୍ୟମାନ ପଦାର୍ଥ ଓ ବ୍ୟକ୍ତିର ଉଦ୍ଧ୍ୱର୍କୁ ଗତି କରିପାରୁ ନାହିଁ  । ଆମେ କେବଳ ବ୍ୟକ୍ତି ବିଶେଷର ବାହ୍ୟ ଶରୀରକୁ ଦେଖୁଛୁ  । କିନ୍ତୁ ଶରୀର ମଧ୍ୟରେ ନିବାସ କରୁଥିବା ଚୈତନ୍ୟ ସତ୍ତା ଆତ୍ମାର ଅସ୍ତିତ୍ୱକୁ ଆମେ ଅନୁଭବ କରିପାରୁନାହୁଁ  । ଶରୀରକୁ ଚେତନା ପ୍ରଦାନ କରୁଥିବା ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଚୈତନ୍ୟ ସତ୍ତା ଆତ୍ମାର ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରି ଏହାର ଉନ୍ନତି ଓ ବିକାଶ ଦ୍ୱାରା ହିଁ ବ୍ୟକ୍ତିର ଆଧ୍ୟାତ୍ମକି ଉନ୍ନତି ସମ୍ଭବ  । 

ସଂପ୍ରତି ଦୁର୍ଗାପୂଜା ବା ଦଶହରା ଉତ୍ସବ ପାଲନ ପରିପ୍ରେକ୍ଷୀରେ ଏହା ପଛରେ ଥିବା ଆଧ୍ୟାତ୍ମିକ ରହସ୍ୟକୁ ଉନ୍ମୋଚନ କରିବା ପ୍ରାସଙ୍ଗିକ ମନେହୁଏ  । ପ୍ରତ୍ୟେକ ସହର, ଗଳିକନ୍ଦରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ମହା ଆଡ଼ମ୍ବରରେ ଦୁର୍ଗାପୂଜା ଉତ୍ସବ ପାଳିତ ହୁଏ  । ଆଶ୍ୱିିନ ମାସ, ଶୁକ୍ଲପକ୍ଷ, ଦଶମୀ ତିଥିରେ ଦଶଶିର ରାବଣର ବିଶାଳ ପୁତ୍ତଳିକାକୁ ଦାହ କରାଯାଏ  । ଦଶଶିର ରାବଣ ଓ ଦଶଭୂଜା ଦୁର୍ଗାଙ୍କର ଯେଉଁ ବିଚିତ୍ର ରୂପ ପରିକଳ୍ପନା କରି ପ୍ରତିମୂର୍ତ୍ତି ନିର୍ମିତ ହୁଏ, ଏହା ଆସିଲା କେଉଁଠୁ ? ଏହା କ’ଣ କେବଳ କୌଣସି ଉଦ୍ଭଟ ମାନସର ଏକ କଳ୍ପନା ବିଳାସ ମାତ୍ର !  ଚରିତ୍ର ଅଛି, ତେଣୁ ଚିତ୍ର ମଧ୍ୟ ରହିଛି  । ଆମେ ଘରେ ଆମର ପୂର୍ବଜ ମାନଙ୍କର ଚିତ୍ରପଟ ରଖିଥାଉଁ। ଆଜି ସେମାନେ ନାହାନ୍ତି  । ଚରିତ୍ର ନାହିଁ  । କେବଳ ଚିତ୍ର ମାତ୍ର ହିଁ ରହିଯାଇଛି  । ଆମେ ଯେଉଁ ଦେବୀ-ଦେବତାଙ୍କର ପୂଜା କରୁଛୁ; ସେମାନେ ସବୁ ଆମର ପୂର୍ବଜ । ତାଙ୍କର ଚୈତନ୍ୟ ଚରିତ୍ର ସିନା ନାହିଁ; କିନ୍ତୁ ଜନ୍ମ ଜନ୍ମାନ୍ତର ଧରି ଆମ ସ୍ମୃତିପଟରେ ସେମାନଙ୍କର ଚିତ୍ର ରହି ଯାଇଛି  । ସେହି ଦେବୀ-ଦେବତାଙ୍କର ଆତ୍ମା ପୁନର୍ଜନ୍ମ ନେଇ ଆମ ମଧ୍ୟରେ ବିଦ୍ୟମାନ  । ବିକାରର ବଶବର୍ତ୍ତୀ ହୋଇ ଆମେ ଆଜି ପୂଜ୍ୟରୁ ପୂଜାରୀ ସାଜିଛୁ  । ଆତ୍ମିକ ଜ୍ଞାନର ଅଭାବରୁ ଆମେ ଆଜି ଆମର ଆଦି ଓ ଅନାଦି ସ୍ୱରୂପକୁ ଭୁଲି ଯାଇଛୁ  । 
ଦଶହରା ପର୍ବ ବା ବିଜୟା ଦଶମୀ ଦିନ ରାବଣ ପୋଡ଼ି ଏକ ପୌରାଣିକ ଘଟଣାର ପ୍ରତୀକ ସ୍ୱରୂପ ପାଳନ କରାଯାଏ  । ପୌରାଣିକ ଆଖ୍ୟାନ ଅନୁସାରେ ଏହି ଦିନ ରାମଚନ୍ଦ୍ର ଦଶଶିର ରାବଣର ବଧ କରିଥିଲେ  । ରାବଣର ଦାସତ୍ୱରୁ ସମସ୍ତ ଦେବଗଣଙ୍କୁ ମୁକ୍ତ କରି ପୃଥିବୀରୁ ପାପଭାରକୁ ଲାଘବ କରିବା ଶ୍ରୀରାମ ଜନ୍ମର ଆଭିମୁଖ୍ୟ ଥିଲା  । ଏହି ଆଖ୍ୟାନର ଐତିହାସିକ ଯଥାର୍ଥତା ଏକ ଭିନ୍ନ ବିଷୟବସ୍ତୁ। କିନ୍ତୁ; ଏହା ମଧ୍ୟରେ ଥିବା ଆଧ୍ୟାତ୍ମିକ ରହସ୍ୟ ଆମ ଜୀବନ ସହିତ ଓତପ୍ରୋତ ଜଡ଼ିତ  । ରାବଣ ସୀତାଙ୍କୁ ଅପହୃତ କରି ନେଇଥିଲା  । ଏଠାରେ ରାବଣ ଦେହ ଅଭିମାନରୁ ଉତ୍ପନ୍ନ ବିକାର ସମୂହର ପ୍ରତୀକ  । ସୀତା ଆତ୍ମାର ପର୍ଯ୍ୟାୟବାଚୀ  । ରାମ ଏକ ବ୍ୟକ୍ତିର ଚାରିତ୍ରିକ ଚିତ୍ରଣ  । ସୀତା ରାବଣ ଦ୍ୱାରା ଅପହୃତା ହେଲା ପରେ ରାମ ଶୋକାଭିଭୁତ ହୋଇ ବଣ, ଗିରି କନ୍ଦରରେ ବୁଲି ତାଙ୍କର ଅନ୍ୱେଷଣ କରିଛନ୍ତି  । ରାମ ନିଜକୁ ଭୁଲିଯାଇ ଏକ ସାଧାରଣ ମାନବ ପରି ବ୍ୟବହାର କରୁଥିଲେ  । ଆତ୍ମାରୂପୀ ସୀତା ବିକାର ରୂପୀ ରାବଣ ଦ୍ୱାରା ଅପହୃତା ହେବାରୁ ବ୍ୟକ୍ତି ଦୁଃଖି ହୁଏ  । ଆତ୍ମାର ସ୍ୱରୂପ ହେଲା ଦିବ୍ୟ ଅଲୌକିକ ଜ୍ୟୋତିର୍ବିନ୍ଦୁ  । ଆତ୍ମାର ସ୍ୱଧର୍ମ ହେଲା ପବିତ୍ରତା, ଶାନ୍ତି, ଆନନ୍ଦ, ପ୍ରେମ, ସୁଖ ଓ ଶାନ୍ତି  । ଧର୍ମ ଅର୍ଥାତ୍ ଧାରଣା  । ଆତ୍ମା ଆଦି ଓ ଅନାଦି ସ୍ୱରୂପରେ ଏ ସବୁ ଗୁଣ-ଧର୍ମରେ ସମ୍ପୂର୍ଣ୍ଣ ଥାଏ  । ଆବାଗମନ ଚକ୍ରରେ ଆସି ଆତ୍ମା ତା’ର ସ୍ୱରୂପ, ସ୍ୱଧର୍ମ, ସ୍ୱଦେଶ, ସ୍ୱମାନ ସବୁକିଛି ବିସ୍ମୃତ ହୋଇ ଯାଇଛି  । ଦେହ ଅଭିମାନ ବଶତଃ ବ୍ୟକ୍ତି ତା’ର ମୂଳ ସ୍ୱରୂପ ସହିତ ସମସ୍ତ ବିଶେଷତ୍ୱ ଭୂଲି ଯାଏ ଓ ଦୁଃଖ ଶୋକରେ ପୀଡ଼ିତ ହୁଏ  । ଏହି ଆତ୍ମବିସ୍ମୃତି ହିଁ ରାବଣ ଦ୍ୱାରା ସୀତାଙ୍କ ଅପହରଣ କଥାନକର ଆଧ୍ୟାତ୍ମିକ ରହସ୍ୟ  । ରାମଚନ୍ଦ୍ର ବଣରେ ବୁଲି ସୀତାଙ୍କୁ ଖୋଜିଲା ଭଳି ମଣିଷ ସୁଖ-ଶାନ୍ତି ପ୍ରାପ୍ତି ପାଇଁ ବିଭିନ୍ନ ଉପାୟ ଅନୁସରଣ କରୁଛି  । ପ୍ରକୃତ ସୁଖ-ଶାନ୍ତିର ଅନ୍ୱେଷଣ ପାଇଁ କେହି କେହି ଗିରି କନ୍ଦରରେ ବସି ଯୋଗ ସାଧନାରେ ତତ୍ପର ଓ ଅନ୍ୟ କେହି ମନ୍ଦିର, ମସଜିଦ୍, ଗୁରୁଦ୍ୱାର ବା ଚର୍ଚ୍ଚରେ ଈଶ୍ୱର ପ୍ରାପ୍ତିପାଇଁ ଉପାସନା କରନ୍ତି  । କେତେକ ଅଧମ ଶ୍ରେଣୀର ବ୍ୟକ୍ତି ବେଶ୍ୟାଳୟ ବା ମଦିରାଳୟରେ ମଧ୍ୟ କ୍ଷଣିକ ସୁଖ-ଶାନ୍ତି ଖୋଜିବାରେ ବ୍ୟସ୍ତ ରହନ୍ତି  ।
ଆତ୍ମା ଆଜି ରାବଣ ରୂପୀ ବିକାରର ବନ୍ଦିନୀ ହୋଇ ସେ ନିଜର ଆଦି ଓ ଅନାଦି ସ୍ୱରୂପକୁ ଭୁଲି ଯାଇଛି  । “ସୂକ୍ଷ୍ମ ଦିବ୍ୟ ଜ୍ୟୋର୍ତିବିନ୍ଦୁ” ଏହା ହେଲା ଆତ୍ମାର ଅନାଦି ସ୍ୱରୂପ  । ଦେବୀ, ଦେବତା ସ୍ୱରୂପ; ଏହା ହେଲା ଆତ୍ମାର ଆଦି ସ୍ୱରୁପ  । ଆମେ ସମସ୍ତେ ଭୂତପୂର୍ବ ଦେବୀ-ଦେବତାଗଣ ରାବଣର ଆସୁରୀ ମାୟାରେ ଏକଥା ସମ୍ପୂର୍ଣ୍ଣ ଭୁଲି ଯାଇଛୁ ଯେ ଦିନେ ଏହି ଭୂଲୋକ ହିଁ ସ୍ୱର୍ଗ ଥିଲା  । ଆମେ ସମସ୍ତେ ସ୍ୱର୍ଗ ରାଜ୍ୟର ଅଧିକାରୀ  । ଏହାହିଁ ଥିଲା ସୃଷ୍ଟିର ଆଦିକାଳ  । ସୃଷ୍ଟିର ଆଦିକାଳରେ ଆତ୍ମା ନିଜର ମୂଳ ସ୍ୱରୂପର ସ୍ମୃତିରେ ଥାଏ  । କିନ୍ତୁ ବାରମ୍ବାର ଜନ୍ମ-ମରଣ ଚକ୍ରରେ ଆସି ସେ କ୍ରମଶଃ ଏହି କ୍ଷଣସ୍ଥାୟୀ ଶରୀର ପ୍ରତି ଆସକ୍ତ ହୋଇଯାଏ  । ଫଳତଃ କାମ, କ୍ରୋଧ, ଲୋଭ, ମୋହ ଆଦି ବିକାର ଗ୍ରସ୍ତ ହୋଇ ସ୍ୱୀ ଦୈବୀଗୁଣ ଓ ଦୈବୀଶକ୍ତି ହରାଇ ବସେ  । ପୂଜ୍ୟରୁ ପୂଜାରୀ ହୋଇଯାଏ  । ଆତ୍ମାରୂପୀ ସୀତା ଆଜି ବିକାର ରୂପୀ ରାବଣ ଦ୍ୱାରା ଅପହୃତା ହୋଇ ଶୋକ ବାଟିକାରେ ବନ୍ଦିନୀ  । ଆସୁରୀ ଗୁଣ ଦ୍ୱାରା ପ୍ରତାଡ଼ିତ ହୋଇ ସେ ପରମାତ୍ମା ରାମଙ୍କ ପ୍ରତୀକ୍ଷାରେ ଅତ୍ୟନ୍ତ ଦୁଃଖରେ ଜୀବନ ଯାପନ କରୁଛି  ।
                 ରାବଣର ଦଶମୁଣ୍ଡ ଓ କୋଡିଏ ହାତ କଥା ରାମାୟଣରେ ବର୍ଣ୍ଣିତ ହୋଇଛି  । ଏହିପରି ଏକ ଅଦ୍ଭୂତକାୟ ବ୍ୟକ୍ତିର ଐତିହାସିକ ଅସ୍ତିତ୍ୱ ନିଷ୍ପକ୍ଷ ପାଠକ ବା ଜିଜ୍ଞାସୁମାନଙ୍କ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରେ  । କିନ୍ତୁ ଏହାକୁ ସମସ୍ତ ଆସୁରୀ ଶକ୍ତିର ତଥା ପ୍ରବୃତ୍ତିର ପ୍ରତୀକ ମାତ୍ର ରୂପେ ଗ୍ରହଣ କଲେ, କାହାରି କିଛି ଆପତ୍ତି ରହିବା କଥା ନୁହେଁ  । କାରଣ ବାଦ ଥିଲେହିଁ ବିବାଦ ଉପୁଜେ  । ପ୍ରତିବର୍ଷ ରାବଣ ପୋଡି ପାଳନ କରାଯିବା ଅର୍ଥ ଏ ପର୍ଯ୍ୟନ୍ତ ଆମ ଅନ୍ତଃକରଣରେ ରାବଣ ସତତ ବଞ୍ଚି ରହିଛି  । କୌଣସି ଭ୍ରଷ୍ଟ ନେତାର କୁଶ ପୁତ୍ତଳିକା ଦାହକଲେ ଯେପରି ତା’ର କୌଣସି ଶାରିରୀକ କ୍ଷତି ହୁଏ ନାହିଁ ବା ନୈତିକ ସ୍ତରେରେ କୌଣସି ପରିବର୍ତ୍ତନ ହୁଏ ନାହିଁ; ଠିକ୍ ସେହିପରି ସର୍ବବ୍ୟାପି ସର୍ବଗ୍ରାସୀ ରାବଣର ବିଶାଳକାୟ ପୁତ୍ତଳିକା ଦାହ କରୁଥିଲେ ମଧ୍ୟ ରାବଣତ୍ୱର ବିନାଶ ହୋଇପାରୁନାହିଁ  । ଆମର ଅଜାଣତରେ ସେ ତା’ର ଆସୁରୀ ସାମ୍ରାଜ୍ୟ ବିସ୍ତାର କରି ଚାଲିଛି  । ଆଜି ମଧ୍ୟ ସୀତା ରାବଣର ଶୋକ ବାଟିକାରେ ନିର୍ଯ୍ୟାତିତ ଜୀବନ ଯାପନ କରୁଛି  । ସାମାଜିକ ଦୃଷ୍ଟିରୁ ବିଚାର କଲେ ମଧ୍ୟ ଦିନକୁ ଦିନ ସମାଜରେ ବୃଦ୍ଧି ପାଉଥିବା ଭ୍ରଷ୍ଟାଚାର ରାବଣତ୍ୱର ବିସ୍ତାରକୁ ସୂଚିତ କରେ  । ନାରୀ ନିର୍ଯ୍ୟାତନା ଓ ନାରୀ ଧର୍ଷଣ ଦିନକୁ ଦିନ ବୃଦ୍ଧି ପାଉଛି  । ମଣିଷର ଅନ୍ତଃକରଣରୁ ରାବଣତ୍ୱର ବିନାଶ ହେଉନାହିଁ  । ଅଥଚ ଆମେ ଅନେକ ଶ୍ରମ ଓ ଅର୍ଥ ବିନିମୟରେ ବିଶାଳକାୟ ରାବଣର ପୁତ୍ତଳିକାକୁ ଦାହ କରି ରାବଣ ବଧର ସ୍ମୃତିକୁ ପାଳନ କରୁଛୁ  । କିନ୍ତୁ ଆମ ଭିତରେ ହିଁ ରାବଣ ବିଦ୍ୟମାନ ଥିବା କଥା ଅନୁଭବ କରିପାୁର ନାହୁଁ  ।
            ରାବଣ ଶବ୍ଦର ଆଧ୍ୟାତ୍ମିକ ପରିଭାଷା ହେଲା; ଯିଏ କନ୍ଦାଏ  । ଆତ୍ମା ବିକାରଗ୍ରସ୍ତ ହେଲେ ଦୁଃଖ କଷ୍ଟ ପାଏ  । ତ୍ରାହି ତ୍ରାହି କରି ରୋଦନ କରେ  । ରାବଣର ଭାଇ କୁମ୍ଭକର୍ଣ୍ଣ ଓ ପୁତ୍ର ମେଘନାଦ ତା’ର ବିଶେଷ ସହଯୋଗୀ ଥିଲେ  । କୁମ୍ଭକର୍ଣ୍ଣ ଆଳସ୍ୟର ପ୍ରତୀକ ଓ ମେଘନାଦ କଟୁବଚନର ପ୍ରତୀକ  । ସମଗ୍ର ସଂସାର ଏକ ମହାଦ୍ୱୀପ ଏବଂ ମନୁଷ୍ୟର ମନ ହିଁ ରାବଣର ରାଜଧାନୀ ଲଙ୍କାପୁରୀ ଅଟେ  । ଏହି ମନ ହିଁ ରାବଣର କ୍ରୀଡ଼ାଭୂମି ସ୍ୱରୂପ  । ଏଠାରେ ଅଧିଷ୍ଠିତ ହୋଇ ସେ ମନୁଷ୍ୟର ସମସ୍ତ ଇନ୍ଦ୍ରିୟମାନଙ୍କୁ ନିଜର ଇଚ୍ଛାରେ ପରିଚାଳିତ କରେ  । ରାବଣର ଦଶ ଶିର ଦଶ ବିକାରର ପ୍ରତୀକ  । କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ଏହି ପାଞ୍ଚ ସ୍ଥୂଳ ବିକାର ଏବଂ ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ ଓ ଅସତ୍ୟ ଏହି ସୂକ୍ଷ୍ମ ପାଞ୍ଚ ବିକାର ଏହିପରି ଦଶ ବିକାର ରାବଣର ଦଶଟି ମୁଣ୍ଡକୁ ସୂଚିତ କରେ  । ଦଶଟି ମୁଁହରେ ସେ ସମଗ୍ର ସଂସାରକୁ ଗ୍ରାସ କରିଛି  । ଆମ ଭିତରେ ରାମତ୍ୱର ବିକାଶ ନ ହେବା ପର୍ଯ୍ୟନ୍ତ ରାବଣତ୍ୱର ବିନାଶ ହେବା ସମ୍ଭବ ନୁହେଁ  । ପରମପିତା ପରମାତ୍ମାଙ୍କ ଅବତରଣ ବ୍ୟତୀତ ଆତ୍ମାର ରାମତ୍ୱର ବିକାଶ ସମ୍ଭବ ନୁହେଁ  । ଏକ ପରମାତ୍ମା ହିଁ ରାବଣର ଶୋକ ବାଟିକାର ସୀତାଙ୍କୁ ଉଦ୍ଧାର କରିବାକୁ ସମର୍ଥ  । ଗୋଟି ଗୋଟି କରି ରାବଣର ଶିରଗୁଡ଼ିକୁ ବାରମ୍ବାର ଛେଦନ କଲେ ସୁଦ୍ଧା ତାହା ପୁନଶ୍ଚ ତା’ କନ୍ଧରେ ଆସି ଲାଗି ଯାଉଥିଲା  । ରାମଚନ୍ଦ୍ର ବ୍ରହ୍ମାସ୍ତ୍ର ସାହାଯ୍ୟରେ ରାବଣର ନାଭିକେନ୍ଦ୍ରକୁ ଆଘାତ କରି ତାକୁ ହତ୍ୟା କରିଥିଲେ  । ଅନ୍ୟଥା ଯେତେ ଥର ଶିର ଛେଦନ କଲେ ସୁଦ୍ଧା ମୁଣ୍ଡ ଗୁଡ଼ିକ ପୁନଶ୍ଚ ଆସି କାନ୍ଧରେ ଲାଗି ଯାଉଥିଲା  । ବାସ୍ତବିକ କ୍ଷେତ୍ରରେ ଏହା ଅସମ୍ଭବ ମନେହୁଏ  । ତେଣୁ ନିଶ୍ଚିତ ଏହା ଏକ ଆଧ୍ୟାତ୍ମିକ ରହସ୍ୟକୁ ହିଁ ଇଙ୍ଗିତ କରୁଛି  । ଆମର ଦେହ ଅଭିମାନ ହେଉଛି ସମସ୍ତ ବିକାରର ଉତ୍ପତ୍ତିର କାରଣ। ଏହାହିଁ ରାବଣର ନାଭିକେନ୍ଦ୍ରର ସୂଚକ  । ବ୍ରହ୍ମା ମୁଖ କମଳ ନିସୃତ ଈଶ୍ୱରୀୟ ଜ୍ଞାନ ଅର୍ଥାତ୍ ବ୍ରହ୍ମଜ୍ଞାନ  ହିଁ ବ୍ରହ୍ମାସ୍ତ୍ର   ।ଦେହ ଅଭିମାନର କାରଣ ହେଲା ଅଜ୍ଞାନତା  । ତେଣୁ ଈଶ୍ୱରୀୟ ଜ୍ଞାନ ଦ୍ୱାରା ହିଁ ଏହି ଅଜ୍ଞାନତା ଦୂରୀଭୂତ ହେବ ଓ ଆମେ ଦେହ ଅଭିମାନରୁ ମୁକ୍ତି ଅର୍ଥାତ୍ ଅଜ୍ଞାନତାର ମାୟା ମୋହରୁ ମୁକ୍ତି ପାଇ ପାରିବା  । ସମସ୍ତ ପ୍ରକାରର ମୋହ କ୍ଷୟ ଅର୍ଥାତ୍ ମୋକ୍ଷ ପ୍ରାପ୍ତି ହୋଇ ପାରିବ  । ଦେହ ଅଭିମାନରୁ ମୁକ୍ତ ହୋଇ ଆତ୍ମସ୍ମ ସ୍ମୃତି ଅର୍ଥାତ୍ ପ୍ରତ୍ୟକ୍ଷରେ ରାବଣତ୍ୱର ବିନାଶ ସମ୍ଭବ ହେବ  । ବର୍ତ୍ତମାନ ସେହି ଧର୍ମଗ୍ଲାନିର ସମୟ ଉପସ୍ଥିତ  । ପରମପିତା ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ସାକାର ଶରୀର ମାଧ୍ୟମରେ ଦିବ୍ୟ ଏବଂ ଅଲୌକିକ ଅବତରଣ କରି ଦେଉଥିବା ଈଶ୍ୱରୀୟ ଜ୍ଞାନ ‘ବ୍ରହ୍ମଜ୍ଞାନ’ ନାମରେ କଥିତ  । ତାହା ସେ ଆତ୍ମାର କଲ୍ୟାଣ ଅର୍ଥରେ ବିତରଣ କରୁଛନ୍ତି  । ବର୍ତ୍ତମାନ ରାବଣ ରାଜ୍ୟର ଅବସାନ ଅବଶ୍ୟମ୍ଭାବୀ  ।
            ରାବଣ ବଧ ପ୍ରସଙ୍ଗର ଏକ ବିଶିଷ୍ଟ ଘଟଣାର ଅବତାରଣା ଏଠାରେ ପ୍ରାସଙ୍ଗିକ ମନେହୁଏ  । ବାରମ୍ବାର ଯୁଦ୍ଧ କରିବା ସତ୍ତ୍ବେ ମଧ୍ୟ ରାବଣ ନିହତ ନ ହେବାରୁ ରାମ ଦୁର୍ଗାଙ୍କଉପାସନା କଲେ  । ଦୁର୍ଗା ଶକ୍ତିର ପ୍ରତୀକ  । ଦୁର୍ଗାଙ୍କ ଦଶଭୂଜ ଦଶ ଶକ୍ତିକୁ ସୂଚିତ କରେ  । ଦଶ-ଶିର ଯୁକ୍ତ ରାବଣର ବଧ ପାଇଁ ଦୁର୍ଗାଙ୍କ ଦଶ-ଶକ୍ତି ଆବଶ୍ୟକ  । ଅନ୍ୟଥା ରାବଣ ରୂପୀ ଦଶ ବିକାର ଉପରେ ବିଜୟ ପ୍ରାପ୍ତ କରିବା ଏତେ ସହଜ କଥା ନୁହେଁ  । ଦୁର୍ଗାଙ୍କ ଦଶ ପ୍ରହରଣ ସ୍ଥାନ, କାଳ, ପାତ୍ର ଓ ସମୟ ଭେଦରେ ଜ୍ଞାନର ପ୍ରୟୋଗ ବିଧିକୁ ନିର୍ଦ୍ଦେଶ କରେ  । ଗୀତାରେ ମଧ୍ୟ ଅସ୍ତ୍ର ଶସ୍ତ୍ର ସହିତ ଜ୍ଞାନକୁ ତୁଳନା କରାଯାଇଛି  । ତେଣୁ ଏହି ପ୍ରସଙ୍ଗରେ ଦୁର୍ଗା କୌଣସି ସଜ୍ଞା ବାଚକ ନାମ ନୁହେଁ, ଏହା ଗୁଣ ବାଚକ ନାମ ଅଟେ  । ଦୁର୍ଗାଙ୍କ ଭଳି ଦଶଭୂଜଧାରୀ ଅର୍ଥାତ୍ ଅପରିମିତ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ନ ହେବା ପର୍ଯ୍ୟନ୍ତ ମନୁଷ୍ୟ ଆତ୍ମା ପ୍ରବଳ ପ୍ରତାପୀ ରାବଣ ଭଳି ମାୟାବୀ ରାକ୍ଷସୀ ତତ୍ତ୍ବ ଉପରେ ବିଜୟୀ ହୋଇପାରେ ନାହିଁ  । କେବଳ ଶକ୍ତି ସମ୍ପନ୍ନ ହେଲେ ହେବ ନାହିଁ, ଜ୍ଞାନରୂପୀ ଆୟୁଧ ମଧ୍ୟ ଦରକାର  । ଅନ୍ୟଥା ମହିଷାସୁର, ରକ୍ତବୀର୍ଯ୍ୟ ଓ ରାବଣ ପରି ଆସୁରୀ ଶକ୍ତିକୁ ସବଂଶେ ବିନାଶ କରିବା ସମ୍ଭବ ନୁହେଁ  ।
          ବର୍ତ୍ତମାନ ଦୁର୍ଗାଙ୍କର ଦଶଶକ୍ତି ଓ ଦଶ ପ୍ରହରଣ ବିଷୟରେ ଆଲୋଚନା କରାଯାଉ  । ଦୁର୍ଗାଙ୍କର ଦଶ ଶକ୍ତି ମଧ୍ୟରୁ ପ୍ରଥମଟି ହେଲା ‘ପବିତ୍ରତା’  । ଏହାକୁ ସର୍ବପ୍ରଥମେ ଧାରଣ କରିବାକୁ ହେବ  । ପବିତ୍ରତାର ଅଭାବରେ ଈଶ୍ୱରୀୟ ଜ୍ଞାନ ଆହରଣ ଓ ଧାରଣ କରିହୁଏ ନାହିଁ  । ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ବ୍ରତ ଆଚରଣ ପୂର୍ବକ ମାନସିକ ସ୍ତରରେ କାମୋପଭୋଗ ବାସନାକୁ ସର୍ବଥା ତ୍ୟାଗ କରିବାହିଁ ପବିତ୍ରତା ଅଟେ। ଦ୍ୱିତୀୟ ଶକ୍ତି ହେଲା ‘ସତ୍ୟତା’  । ଅସତ୍ୟକୁ ସତ୍ୟ ମାନି ନେଇଥିବାରୁ ମାନବ ଦୁଃଖ ଭୋଗ କରେ  । ଦେହ ଓ ଦେହ ସହିତ ସମ୍ପର୍କିତ ବିଷୟବସ୍ତୁ ଅନିତ୍ୟ ହୋଇଥିବାରୁ ଏହା ଅସତ୍ୟ  । ଆମେ  ନିଜକୁ ଦେହ ମାନିନେଇଥିବାରୁ ହିଁ ସତ୍ୟ ସ୍ୱରୂପ ପରମାତ୍ମାଙ୍କୁ ଚିହ୍ନିବାରେ ବା ଜାଣିବାରେ ଭୁଲ କରୁ  । ପରମାତ୍ମା ଏକ ଦେଶୀୟ ହୋଇଥିଲେ ମଧ୍ୟ ତାଙ୍କୁ ଆମେ ସର୍ବବ୍ୟାପକ କହୁଁ  । ଜ୍ଞାନ ଓ କର୍ମ ଅଙ୍ଗାଙ୍ଗୀ ଭାବେ ଜଡିତ  । ସତ୍ୟଜ୍ଞାନ ଅଭାବରେ ଆମର ପ୍ରତିଟି କର୍ମ, ବିକର୍ମରେ ପରିଣତ ହୁଏ  । ଆମେ କର୍ମର ଗୁହ୍ୟଗତିକୁ ଜାଣି ନ ପାରି ସେଥିରେ ଆସକ୍ତ ହୋଇପଡୁ  । ତେଣୁ ଆମକୁ ତୃତୀୟରେ ‘ସଙ୍କୋଚନ ଓ ପ୍ରସାରଣ’ ଶକ୍ତି ଆହରଣ କରିବାକୁ ପଡ଼ିବ  । ଏହା ବୁଝିବା ପାଇଁ କଇଁଛର ଉଦାହରଣ ନିଆ ଯାଇପାରେ  । କଇଁଛ ତା’ର ଇଚ୍ଛା ଓ ଆବଶ୍ୟକତା ଅନୁସାର ନିଜର ଅଙ୍ଗ ପ୍ରତ୍ୟଙ୍ଗକୁ ପ୍ରସାରିତ ବା ଅପସାରିତ କରିପାରେ  । ଏହି ଶକ୍ତି ବଳରେ ଆମେ ସଂସାରିକ କର୍ମ ମଧ୍ୟରେ ଥାଇ ମଧ୍ୟ ଆବଶ୍ୟକ ଅନୁସାରେ ଇନ୍ଦ୍ରିୟମାନଙ୍କୁ ନିଜର ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ଲଗାଇ ପାରିବା ବା ଅନ୍ୟ ସମୟରେ ସେମାନଙ୍କୁ କର୍ମରୁ ଅପସାରିତ କରାଇ ଆତ୍ମିକ ସ୍ଥିତି ଧାରଣ କରିପାରିବା  । ଏହାଦ୍ୱାରା ରାବଣର ସୂକ୍ଷ୍ମ ମାୟାବୀ ଶକ୍ତି ଆମକୁ ପରାଜିତ କରି ପାରିବ ନାହିଁ  । ଚତୁର୍ଥ ଶକ୍ତି ହେଉଛି - ‘ଏକତ୍ରୀକରଣ’। ସଂସାରର ବ୍ୟକ୍ତି, ବସ୍ତୁ ଓ ବୈଭବରେ ମନୁଷ୍ୟ ତା’ର ସଂକଳ୍ପକୁ ଏତେ ବିସ୍ତାରିତ କରି ଦେଇଥାଏ ଯେ, ହଠାତ୍ ସେଠାରୁ ସେଗୁଡ଼ିକୁ ଅପସାରଣ କରିବା ତା’ପାଇଁ ସମ୍ଭବ ହୁଏ ନାହିଁ  । ଏହାହିଁ ମଣିଷ ମନରେ ମୃତ୍ୟୁଭୟ ସୃଷ୍ଟିକରେ  । ତେଣୁ ଏହି ଶକ୍ତି ତାକୁ ଯେକୌଣସି ମୁହୂର୍ତ୍ତରେ ମୃତ୍ୟୁର ଆହ୍ୱାନକୁ ସ୍ୱୀକାର କରି ପରଲୋକ ଯାତ୍ରା ପାଇଁ ସମର୍ଥ କରେ  । ଦୁନିଆଁକୁ ସେ ପ୍ରତୀକ୍ଷାଳୟ ଭାବି ପରବର୍ତ୍ତୀ ଜନ୍ମ ପାଇଁ ପ୍ରସ୍ତୁତି କରୁଥାଏ  । ପଞ୍ଚମରେ ‘ସହନ ଶକ୍ତି ବା ତିତିକ୍ଷା’  । ଏ ସଂସାରରେ ପ୍ରତି ମୁହୂର୍ତ୍ତରେ ଆମକୁ ବିରୁଦ୍ଧ ଶକ୍ତିର ସମ୍ମୁଖୀନ ହେବାକୁ ପଡ଼େ  । ଏଥିରେ ବିଚଳିତ ହୋଇ ପଡ଼ିଲେ ଆମର ଜୀବନ ଦୁର୍ବିସହ ହୁଏ  । ଏଠାରେ ବୃକ୍ଷର ଉଦାହରଣ ନିଆଯାଇ ପାରେ  । ବୃକ୍ଷକୁ ଟେକା ଫୋପାଡ଼ିଲେ ମଧ୍ୟ ଆମେ ପ୍ରତି ବଦଳରେ ତା’ଠାରୁ ମିଠା ଫଳ ପାଉ  । ‘ସହନ ଶକ୍ତି’ ଧାରଣ କଲେ ଆମେ ଅପକାରୀ ପ୍ରତି ମଧ୍ୟ ଉପକରୀ ହୋଇ ତା’ର ହୃଦୟ ପରିବର୍ତ୍ତନ 
କରିପାରିବା  । ଷଷ୍ଠ କ୍ରମରେ ‘ଅନ୍ତର୍କରଣୀୟ ଶକ୍ତି’ ବ୍ୟକ୍ତିକୁ ସାଗର ପରି ବିଶାଳ ବୁଦ୍ଧି ସମ୍ପନ୍ନ କରିଦିଏ  । ଏହା ଫଳରେ ସେ ଅନ୍ୟର ଅବଗୁଣକୁ ଅଗ୍ରାହ୍ୟ କରେ ଓ ତା’ର ସମସ୍ତ ସୁଗୁଣ ଧାରଣ କରେ   । ସପ୍ତମ ଓ ଅଷ୍ଟମ ଶକ୍ତି ହେଲା ‘ପରୀକ୍ଷଣ’ ଓ ‘ନିର୍ଣ୍ଣାୟକ ଶକ୍ତି’  । ମଣିଷ ଯେତେବେଳେ ଦୁନିଆଁର ସତ୍ୟ-ଅସତ୍ୟ ପରଖିପାରେ ସେତେବେଳେ ସେ ଉଚିତ୍ ନିର୍ଣ୍ଣୟ କରି ପାରେ  । ଏହା ଜଣକର ଭାଗ୍ୟକୁ ବଦଳାଇ ଦେଇପାରେ  । ନବମ ଶକ୍ତି ହେଉଛି ‘ସମ୍ମୁଖୀନତା’  । ସଂସାରରେ ସୁଖଦୁଃଖ, ଜୀବନ-ମୃତ୍ୟୁ, ଲାଭ-କ୍ଷତି, ମାନ-ଅପମାନ ସବୁ କ୍ଷଣସ୍ଥାୟୀ  । ଏହି ଶକ୍ତି ଏହିପରି ପରିସ୍ଥିତିରେ ସମତାପୂର୍ବକ ଜୀବନଯାପନର ସାମର୍ଥ୍ୟ ପ୍ରଦାନ କରେ  । ଏହି ଶକ୍ତି ଅଭାବରେ ହିଁ ବ୍ୟକ୍ତି ସଂସାରକୁ ଭୟକରି କର୍ମ ସନ୍ୟାସ କରେ  । ଏଥିପାଇଁ ସେ ଈଶ୍ୱରୀୟ କାର୍ଯ୍ୟରେ ସହଯୋଗ କରିପାରେ ନାହିଁ  । ତେଣୁ ଦଶମ ଶକ୍ତି ‘ସହଯୋଗ ଶକ୍ତି’ ଧାରଣ ଦ୍ୱାରା ମାନବ ପରମାତ୍ମାଙ୍କର ଦ୍ୱାରା ରାବଣୀ ଶକ୍ତିର ବିନାଶ ଓ ଦୈବୀ ଶକ୍ତିର ସ୍ଥାପନା କାର୍ଯ୍ୟରେ ତାଙ୍କୁ ସହଯୋଗ କରିପାରିବ  । ଏହି ଦଶଟି ଶକ୍ତି ଧାରଣକରି ଆତ୍ମା ସମସ୍ତ ଦୁର୍ଗତିକୁ ଅକ୍ଲେଶରେ ନାଶ କରି ପାରୁଥିବାରୁ ଦୁର୍ଗା ନାମରେ ପ୍ରଖ୍ୟାତ ହୁଏ  । କାରଣ ଦୁର୍ଗା ସ୍ୱରୂପ ନ ହେବା ପର୍ଯ୍ୟନ୍ତ ରାବଣ ବା ମହିଷାସୁର ଭଳି ଆସୁରୀ ଶକ୍ତିକୁ ବିନାଶ କରିବା ସମ୍ଭବ ନୁହେଁ  ।
            ଦୁର୍ଗାଙ୍କ ଦଶଟି ହାତରେ ଦଶ ପ୍ରହରଣ ଦେଖାଯାଇ ଥାଏ  । ସେଗୁଡ଼ିକ ହେଲା : ୧.- ଶଙ୍ଖ, ୨.- ଚକ୍ର, ୩.- ଗଦା, ୪.- ପଦ୍ମ, ୫- ତ୍ରିଶୂଳ, ୬.- ଖଡ୍ଗ, ୭.- ଢ଼ାଳ, ୮.- ବଜ୍ର, ୯.- ପାଶ, ୧୦.- ବରଦାନୀ ମୁଦ୍ରା  । କେବଳ ବାହୁର ଶକ୍ତି ଥିଲେ ଜଣେ ଯୁଦ୍ଧରେ ବିଜୟୀ ହୁଏ ନାହିଁ  । ସ୍ଥାନ, କାଳ, ପାତ୍ର ଓ ସମୟ ଭେଦରେ ବିଭିନ୍ନ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ବିଧି ଉପରେ ଜ୍ଞାନ ବାଞ୍ଛନୀୟ  । ଦୁର୍ଗାଙ୍କ ଶଙ୍ଖ ଧ୍ୱନୀ ମହିଷାସୁରର ମନକୁ ବିମୋହିତ କରିଥିଲା  । ଅର୍ଥାତ୍ ମଧୁର ବାଣୀ ଦ୍ୱାରା ହିଁ ଦୁଷ୍ଟ ମାନଙ୍କ ହୃଦୟକୁ ଜୟ କରାଯାଇ ପାରିବ  । ତେଣୁ ଶଙ୍ଖ ହେଉଛି ମଧୁର ବାଣୀର ପ୍ରତୀକ  । ‘ସ୍ୱଦର୍ଶନ’ ଏକ ଏପରି ଆଧ୍ୟାତ୍ମିକ ଅସ୍ତ୍ର ଯାହାଦ୍ୱାରା ସଂଶୟ ରୂପୀ ଜାଲକୁ ସହଜରେ ଛିନ୍ନ କରିହୁଏ  । ଏହାଦ୍ୱାରା ଆତ୍ମା ତା’ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନିକାଳର ସଠିକ୍ ତଥ୍ୟ ଜାଣି ସେହି ଅନୁସାରେ ନିଜ ଜୀବନକୁ ପରିଚାଳିତ କରିପାରେ  । ବୃତ୍ତାକାରରେ କାଳ ଗତି କରୁଥିବାରୁ ଏହାକୁ ଚକ୍ର ରୁପରେ ଚିତ୍ରିତ କରାଯାଇଛି  । “ଗଦା” ମାୟା ଉପରେ ବିଜୟ ପ୍ରାପ୍ତିର ସୂଚକ ଅଟେ  । “ପଦ୍ମ” ସଂସାର ମଧ୍ୟରେ ଥାଇ ଅଲିପ୍ତ ହେବାର ଜ୍ଞାନ କୌଶଳକୁ ସୂଚିତ କରେ  । “ତ୍ରିଶୂଳ” ସ୍ଥୂଳ, ସୂକ୍ଷ୍ମ ଓ ଅବ୍ୟକ୍ତ ତିନିଲୋକର ଜ୍ଞାନକୁ ଈଙ୍ଗିତ କରେ  । ଏହାଦ୍ୱାରା ମଣିଷ ଆତ୍ମା କର୍ମର ସମସ୍ତ ବନ୍ଧନକୁ ଛିନ୍ନ କରିପାରେ  । ଈଶ୍ୱରୀୟ ମହାବାକ୍ୟକୁ “ଖଡ୍ଗ” ସହିତ ତୁଳନା କରାଯାଇ ପାରେ  । କାରଣ ଏହାର ଅନୁସରଣ କଲେ ଆମେ ସମସ୍ତ ବିକାରରୁ ମୁକ୍ତ ହୋଇ ପାରିବା  । ଗୀତାରେ ମଧ୍ୟ ଜ୍ଞାନରୂପୀ - ଖଡ୍ଗ ଦ୍ୱାରା କାମରୂପୀ ଶତ୍ରୁକୁ ଜୟ କରିବା କଥା କୁହାଯାଇଛି  । ସୃଷ୍ଟିଚକ୍ରର ଯଥାର୍ଥ ଜ୍ଞାନ ହେଉଛି -“ଢ଼ାଳ” ସଦୃଶ  । ପ୍ରତିପକ୍ଷର ଅସ୍ତ୍ରଶସ୍ତ୍ରରୁ ଆତ୍ମରକ୍ଷା କରିବା ହେଉଛି ‘ଢ଼ାଳ’ର କାମ  । ଅନେକ ସମୟରେ ରାବଣୀ ଶକ୍ତିର ମିଥ୍ୟା ଜ୍ଞାନ ଈଶ୍ୱର ପ୍ରେମୀ ଆତ୍ମା ମାନଙ୍କୁ ଭ୍ରମିତ କରାଏ  । ଏପରି ସ୍ଥଳେ ସୃଷ୍ଟି ଚକ୍ରର ଯଥାର୍ଥ ଜ୍ଞାନ ହିଁ ସେମାନଙ୍କୁ ଅଧଃ ପତନରୁ ରକ୍ଷାକରେ  । “ବଜ୍ର” ନିର୍ମମତାର (ମମତାରହିତ) ପ୍ରତୀକ  । ଅତ୍ୟନ୍ତ ଜ୍ଞାନୀ ମଧ୍ୟ ବେଳେ ବେଳେ ମୋହ ମମତାରେ ପଡି ଲକ୍ଷ୍ୟ ଭ୍ରଷ୍ଟ ହୋଇପଡନ୍ତି  । ତେଣୁ ବଜ୍ର ଭଳି ଦୃଢ଼ ସଙ୍କଳ୍ପ ପୂର୍ବକ କର୍ତ୍ତବ୍ଯ ପଥରେ ଆଗେଇ ଯିବାକୁ ହେବ  । “ପାଶ” ହେଉଛି ବନ୍ଧନର ପର୍ଯ୍ୟାୟବାଚୀ ଶଦ୍ଦ  । ବିଷୟ ଭୋଗ କାମନା ହିଁ ମଣିଷକୁ ବନ୍ଧନରେ ପକାଏ  । ତେଣୁ କାମନା-ବାସନାକୁ ପାଶ ବଦ୍ଧ ନକରିବା ପର୍ଯ୍ୟନ୍ତ କର୍ମ ବନ୍ଧନରୁ ମୁକ୍ତ ହେବା ସମ୍ଭବ ନୁହେଁ  । “ବରଦାନୀ ମୁଦ୍ରା” ହେଉଛି ଦୈବୀ ଶକ୍ତିର ପରିଚାୟକ  । ଦେବୀ ଦେବତାମାନେ ହିଁ ବରଦାନ ଦେବାକୁ ସକ୍ଷମ ଅଟନ୍ତି  । ବରଦାନ ଅର୍ଥତ୍ ଅନ୍ୟମାନଙ୍କୁ ଶ୍ରେଷ୍ଠ ମାର୍ଗରେ ପରିଚାଳିତ କରାଇବାର ଶକ୍ତି  । ଏହା ବ୍ୟତୀତ ସିଂହ ହେଉଛି ଦୁର୍ଗାଙ୍କର ବାହନ  । ସିଂହ ସମସ୍ତ ପାଶବିକ ପ୍ରବୃତ୍ତି ଓ ଶକ୍ତିର ପ୍ରତୀକ  । ଦୁର୍ଗାଙ୍କ ଭଳି ଦଶ ଶକ୍ତିର ଅଧିକାରୀ ହେବା ପରେ ସିଂହ ରୁପୀ ପାଶବିକ ଶକ୍ତିକୁ ବାହନ ରୁପରେ ବ୍ୟବହାର କରିବା ସମ୍ଭବ  । ସିଂହ ଉପରେ ଆରୁଢ଼ ହେବା ଅର୍ଥାତ୍ ଦୁର୍ଦ୍ଦମନୀୟ ପାଶବିକ ଶକ୍ତିକୁ ଦମନ କରିବା  ।
                 ବିଜୟାଦଶମୀକୁ ଦଶହରା ପର୍ବ ରୁପେ ପାଳନ କରାଯାଏ  । “ଦଶହରା” ଶବ୍ଦରେ ‘ଦଶ’ର ତତ୍ପର୍ଯ୍ୟ ରାବଣ ଓ ‘ହରା’ ପରାଜିତ ଅର୍ଥରେ ଗ୍ରହଣ କରାଯାଇପାରେ  । ତେଣୁ ରାବଣର ପରାଜିତ ଦିବସକୁ “ଦଶହରା” ନାମରେ ପାଳନ କରାଯାଏ  । “ବିଜୟାଦଶମୀ” ଅର୍ଥାତ ଦଶଶିର ରାବଣ ଉପରେ ରାମଙ୍କ ବିଜୟ ଦିବସ  । ଅନ୍ୟ ଅର୍ଥରେ ଆସୁରୀ ଶକ୍ତି ଉପରେ ଈଶ୍ୱରୀୟ ଶକ୍ତିର ବିଜୟ ଦିବସ  । ପ୍ରକୃତରେ ଦେଖିବାକୁ ଗଲେ ସମଗ୍ର ପୃଥିବୀଟି ହେଉଛି ରାବଣର ରାଜ୍ୟ  । ଏହି ରାବଣ ରାଜ୍ୟକୁ ବିନାଶ କରି ରାମରାଜ୍ୟ ଅର୍ଥାତ୍ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତାରେ ପରିପୂର୍ଣ୍ଣ ସ୍ୱର୍ଗିୟ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ପରମାତ୍ମା ରାମଙ୍କର ଅବତରଣ ହୋଇ ସାରିଛି  । ପରମାତ୍ମା ଅଶରୀରୀ ହୋଇଥିବାରୁ ପରକାୟା ପ୍ରବେଶ ରୀତିରେ ସେ ପ୍ରଜାପିତା ବ୍ରହ୍ମାଙ୍କର ସାକାର ଶରୀର ମାଧ୍ୟମରେ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ଶିକ୍ଷା ଦେଉଛନ୍ତି  । ଯେଉଁମାନେ ଏହି ଜ୍ଞାନ ଯୋଗର ଅଭ୍ୟାସ କରୁଛନ୍ତି, ସେମାନେ ଦୁର୍ଗାଙ୍କ ପରି ଦଶଶକ୍ତି ପ୍ରାପ୍ତ ହୋଇ ଦଶ ବିକାର ଉପରେ ବିଜୟ ଲାଭ ପୁର୍ବକ ସମ୍ପୂର୍ଣ୍ଣ ନିର୍ବିକାରୀ ଦେବୀ ଦେବତା ତୁଲ୍ୟ ଜୀବନ ଯାପନ କରିବାକୁ ସମର୍ଥ ହେଉଛନ୍ତି  । ତେଣୁ ପରମାତ୍ମା ମିଳନର ଏହି ମାହେନ୍ଦ୍ର ବେଳାରେ ଈଶ୍ୱରୀୟ ଶକ୍ତି ଆହରଣ କରି ବିକାର ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରି ନ ପାରିଲେ ବିଜୟା ଦଶମୀ ଉତ୍ସବ ପାଳନର ଉଦ୍ଦେଶ୍ୟ ସାଧିତ ହେବ ନାହିଁ  ।  !! ଓମ୍ ଶାନ୍ତି!!
💕💕💕💕💕💕💕💕💕
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    
🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର