(୪)ଦୀପାବଳୀ”- ଏକ ପ୍ରାଚୀନ ପରମ୍ପରାର ସ୍ମରଣୋସôବ ବ୍ରହ୍ମାକୁମାର---- ଡ଼ା: ସୁଧାଂଶୁ ଶେଖର ମିଶ୍ର

🌸🌸🌸🌸🌸🌸🌸🌸🌸
 *ଭାରତୀୟ ପର୍ବ ପର୍ବାଣୀ (୪)* 
🌻🌻🌻🌻🌻🌻🌻🌻🌻
“ *ଦୀପାବଳୀ”- ଏକ ପ୍ରାଚୀନ ପରମ୍ପରାର ସ୍ମରଣୋତ୍ସବ* "
🌷🌷🌷🌷🌷🌷🌷🌷🌷
 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 
🌹🌹🌹🌹🌹🌹🌹🌹🌹
        ଭାରତୀୟ ସଂସ୍କୃତି ଅତୀବ ପ୍ରଚୀନ, ମହାନ ଓ ବୈଭବଶାଳୀ  । ତେଣୁ ଆମେ ବାର ମାସରେ ତେର ପର୍ବ ପାଳନ କରୁଁ  । ପ୍ରତ୍ୟେକ ପର୍ବ ପ୍ରାଚୀନ ଐତିହାସିକ ଘଟଣାର ଦିବ୍ୟ, ଅଲୌକିକ ସ୍ମୃତିକୁ ବହନ କରେ  । ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଋତୁ ଓ ତିଥିର ଆଗମନରେ ଏ ସବୁର ପୁନରାବୃତ୍ତି ମନୁଷ୍ୟ ମନରେ ଭବିଷ୍ୟତ ଆଶା ଓ ବିଶ୍ୱାସକୁ ଦୃଢ଼ କରେ  । ଏଥିପାଇଁ ଆମ ଦେଶରେ ପ୍ରାଚୀନ ପରମ୍ପରା ଅନୁସାରେ ବିଭିନ୍ନ ପର୍ବପର୍ବାଣୀ ପାଳନର ପ୍ରଚଳନ ରହିଛି  । ବର୍ତ୍ତମାନ ସମୟରେ ଆମେ ଭାରତବାସୀ ଆମର ଧର୍ମ, କର୍ମ, ଗୌରବମୟ ଇତିହାସ ଓ ଅଲୌକିକ ପରମ୍ପରାର ବିଶେଷ ରହସ୍ୟକୁ ଭୁଲିଯାଇଛୁ  । 

             ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ତିଥିରେ ଦୀପାବଳୀ ପାଳନ କରାଯାଏ  । ଏହି ନିର୍ଦ୍ଦିଷ୍ଟ ତିଥି ପୂର୍ବରୁ ସମସ୍ତେ ନିଜର ଘର, ଦ୍ୱାର, ଦୋକାନ, ଅନୁଷ୍ଠାନ ସଫାସୁତୁରା କରି ଲିପାପୋଛା କରନ୍ତି  । ଶ୍ରୀଲକ୍ଷ୍ମୀଙ୍କର ପୂଜନ ପାଇଁ ଆୟୋଜନ କରନ୍ତି  । ଘରକୁ ଫୁଲ, ତୋରଣ ଦ୍ୱାରା ସଜ୍ଜିତ କରାଯାଏ ଓ ସର୍ବତ୍ର ଦୀପ ପ୍ରଜ୍ଜଳିତ କରି ଆଲୋକିତ କରାଯାଏ  । ଘରର କୋଣ ଅନୁକୋଣ ସବୁ ସ୍ଥାନରେ ଦୀପ ପ୍ରଜ୍ଜଳିତ ହେବାରୁ ଆଲୋକମୟ ହୋଇପଡେ  । ଘରର ଅଦରକାରୀ ପୁରୁୁଣା ଜିନିଷ ସବୁକୁ ବାହାର କରି ଫୋପାଡି ଦିଆଯାଏ  । ବ୍ୟବସାୟୀମାନେ ପୁରୁଣା ହିସାବ-କିତାବ ସମାପ୍ତ କରି ନୂଆଁ ଖାତା ଆରମ୍ଭ କରନ୍ତି  । ଘରର ସମସ୍ତ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରି ଶ୍ରୀଲକ୍ଷ୍ମୀଙ୍କର ଆହ୍ୱାନ ଓ ପୂଜନରେ ନିଜକୁ ନିୟୋଜିତ କରି ଦୀପାବଳୀ ତିଥିରେ ରାତ୍ରୀ ସାରା ଜାଗ୍ରତ ରହନ୍ତି  । ବାଣ-ଫୋଟକା ଫୁଟାଇବା ସହ ବନ୍ଧୁବର୍ଗଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ ପୂର୍ବକ ଆନନ୍ଦ ପ୍ରକାଶ କରନ୍ତି  । 

             ଦୀପାବଳୀ ରାତିରେ ବିଶେଷତଃ ଶ୍ରୀ ଲକ୍ଷ୍ମୀ ତଥା ଶ୍ରୀ ଶ୍ୟାମା ଅର୍ଥାତ୍ ମା କାଳୀଙ୍କର ପୂଜନ କରାଯାଏ  । ଲକ୍ଷ୍ମୀ ହେଉଛନ୍ତି ଧନର ଅଧିଷ୍ଟାତ୍ରୀ  । ଏଣୁ ତାଙ୍କୁ ଭକ୍ତି ପ୍ରଦର୍ଶନ କରାଯାଏ  । ପ୍ରକୃତରେ ଶ୍ରୀ ଲକ୍ଷ୍ମୀ କିଏ ? ତାଙ୍କର ପ୍ରକୃତ ପରିଚୟ କ’ଣ ? ସେ ଧନଦାତ୍ରୀ ରୂପରେ କାହିଁକି ପୂଜିତା ହୁଅନ୍ତି ? କେଉଁ ସମୟରୁ ଏ ପରମ୍ପରା ପ୍ରଚଳିତ ହୋଇଛି ? ଏ ସ୍ମୃତିର ତାତ୍ପର୍ଯ୍ୟ କ’ଣ ? କେବଳ ଗୃହର ପରିଚ୍ଛନ୍ନତା ଓ ନୂତନ ବସ୍ତ୍ର ଧାରଣ ଦ୍ୱାରା ଶ୍ରୀ ଲକ୍ଷ୍ମୀ ପ୍ରସନ୍ନତା ପୂର୍ବକ ଆଗମନ କରିଥାନ୍ତି କି? - ଏପରି ଅନେକ ପ୍ରଶ୍ନ ସ୍ୱତଃ ମନରେ ଉଙ୍କିମାରେ  । ବିଶ୍ୱାସ ଅନୁସାରେ ଦୀପାବଳୀ ପରି ଅନ୍ୟାନ୍ୟ ପର୍ବ ପାଳନ କରୁଥିଲେହେଁ ଆମେ ତା’ର ପ୍ରକୃତ ଆଧ୍ୟାତ୍ମିକ ରହସ୍ୟ ଜାଣିନାହୁଁ  । ଏହି ବିସ୍ମୃତି ହିଁ ବିକୃତ ପରମ୍ପରାର ସ୍ରଷ୍ଟା  । ଅନ୍ୟଥା ଆମ ଦେଶରେ ଗୋଟିଏ ରାତିରେ ଲକ୍ଷ ଲକ୍ଷ ଟଙ୍କା ବାଣରେ ଅପବ୍ୟୟ କରାଯାଆନ୍ତା ନାହିଁ  । ଏଥିରୁ ନିର୍ଗତ ବିଷାକ୍ତ ଧୂଆଁ ପରିବେଶ ପ୍ରଦୂଷିତ କରନ୍ତା ନାହିଁ  ।
             ପ୍ରତ୍ୟେକ ପର୍ବ-ପର୍ବାଣି ପାଳନ ପଛରେ ଏକ ଏକ ଐତିହାସିକ ବୃତ୍ତାନ୍ତ ନିହିତ  । ତଦନୁରୂପ ଦୀପାବଳୀ ପାଳନ ପଛରେ ମଧ୍ୟ ଐତିହାସିକ ଓ ଅଧ୍ୟାତ୍ମିକ ରହସ୍ୟ ରହିଛି  । ସମୟକ୍ରମେ ଏହା ସହିତ ସମ୍ପର୍କିତ ବିଭିନ୍ନ କିମ୍ବଦନ୍ତୀ ଓ ଐତିହାସିକ ଘଟଣା ସଂପୃକ୍ତ ହୋଇଥିଲା  । ସାଗର ମନ୍ଥନରୁ ଚଉଦଟି ରତ୍ନ ସହିତ ଲକ୍ଷ୍ମୀଙ୍କ ଆବିର୍ଭାବ, ମହାକାଳୀଙ୍କ ଶିବଙ୍କ ସହିତ ସମାବେଶ, ଶ୍ରୀକୃଷ୍ଣ କର୍ତ୍ତୃକ ନାରକାସୁର ବଧ, ଶ୍ରୀରାମଙ୍କ ସିଂହାସନ ଆରୋହଣ ଉତ୍ସବ, ବର୍ଦ୍ଧମାନ ମହାବୀର, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଓ ସ୍ୱାମୀ ରାମତୀର୍ଥଙ୍କ ଦେହାନ୍ତୋତ୍ସବ, ସ୍ୱର୍ଣ୍ଣ ମନ୍ଦିରର ମୂଳଦୁଆ ଇତ୍ୟାଦି, - ଏକ ଏକ ରହସ୍ୟମୟ ଓ ଐତିହାସିକ ଘଟଣା  । ଏସବୁ ସତ୍ତ୍ବେ ସାଧାରଣତଃ ଏହି ଦିନ ଅନେକ ଦୀପ ପ୍ରଜ୍ଜଳିତ କରି ଘରେ ଘରେ, ପୁରେ ପୁରେ ଶ୍ରୀ ଲକ୍ଷ୍ମୀଙ୍କର  ଆହ୍ୱାନ କରାଯାଏ  । ହିନ୍ଦୁ ବିଶ୍ୱାସରେ ଲକ୍ଷ୍ମୀଙ୍କ ଆଗମନରେ ଧନ, ଧାନ୍ୟ, ସୁଖ, ସମ୍ପତ୍ତିରେ ପରିପୂର୍ଣ୍ଣ ହୁଏ  । ଦୀପାବଳୀ ଅର୍ଥାତ୍ ପ୍ରଜ୍ଜଳିତ ଦୀପର ସମାହାର, କୋଣ ଅନୁକୋଣ ଚାରିଆଡ଼େ ଆଲୋକମୟ କରିବା ଓ ଅନ୍ଧକାରକୁ ସମ୍ପୂର୍ଣ୍ଣରୂପେ ଦୂରୀଭୂତ କରିବା  । ତେବେ ଏହା ବିଚାରଣୀୟ ଯେ ଅସଂଖ୍ୟ ତେଲ କିମ୍ବା ଘିଅ ଦୀପ ଜଳାଇ କିମ୍ବା ବିଦ୍ୟୁତାଲୋକ ସାଜସଜ୍ଜାରେ ଘରକୁ ଆଲୋକିତ କରିବା ଏବଂ ବର୍ଷକୁ ଥରେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା କ’ଣ ଲକ୍ଷ୍ମୀଙ୍କର ଏ ଧରାପୃଷ୍ଠରେ ଆଗମନ ବା ଅବତରଣ ପାଇଁ ଯଥେଷ୍ଟ ? ତେବେ ଏହା ପଛରେ କି ଆଧ୍ୟାତ୍ମିକତା ଲୁଚିରହିଛି ତାକୁ ଜାଣିବା ଆବଶ୍ୟକ ମନେହୁଏ  । ଶ୍ରୀଲକ୍ଷ୍ମୀଙ୍କର ଏ ଧରାପୃଷ୍ଠରେ ଅବସ୍ଥାନ କେବେ ଓ କିପରି ହୋଇଥିଲା ? ଏହି ଘଟଣା ସହିତ ଦୀପାବଳୀର ସଂପର୍କ କ’ଣ ? ବର୍ତ୍ତମାନ ଏହା ଆଲୋଚନାର ପରିସରଭୂକ୍ତ ଅଟେ  ।
          ଏକଦା ଭାରତରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା  । ସେତେବେଳେ ଦେଶରେ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତା ପରିପୂର୍ଣ୍ଣ ଥିବାରୁ ଏ ଦେଶ ଏକ ସ୍ୱର୍ଗ ଥିଲା  । ସୃଷ୍ଟିର ଏହି ସ୍ୱର୍ଣ୍ଣିମ କାଳକୁ ସତ୍ୟଯୁଗ ବା ସ୍ୱର୍ଗ ଭାବରେ ବର୍ଣ୍ଣନା କରାଯାଇଛି  । କୁହାଯାଏ ଭାରତ ହିଁ ଦିନେ ସ୍ୱର୍ଗ ଥିଲା  । ସେତେବେଳେ ଏଠାରେ ଦେବୀ ଦେବତାମାନେ ଅବସ୍ଥାନ କରୁଥିଲେ  । ସେହି ସମୟ ପାଇଁ ଆଜି ମଧ୍ୟ ଲୋକ ମୁଖରେ ଏକଥା ଶୁଣିବାକୁ ମିଳେ ଯେ “ଭାରତ୍ ସୋନେ କି ଚିଡିଆ ଥି”  । ସ୍ୱର୍ଣ୍ଣପକ୍ଷୀ; ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତା ପୂର୍ଣ୍ଣ ରାଜ୍ୟର ଦ୍ୟୋତକ  । ସେଥିପାଇଁ ଭାରତରେ ଦେବୀ ଦେବତାଙ୍କ ମୂର୍ତ୍ତି ମନ୍ଦିରରେ କିମ୍ବା ଘରେ ଘରେ ପୂଜା କରିବାର ପରମ୍ପରା ପ୍ରଚଳିତ ହୋଇଛି  । ଦେବୀ ଦେବତାଙ୍କ ମୂର୍ତ୍ତି ସମ୍ମୁଖରେ ହାତଯୋଡ଼ି ଆମେ କହୁଁ ଯେ “ବିଷୟ ବିକାର ମିଟାଓ, ପାପ ହରୋ ଦେବା”  । ସାଂସାରିକ ବିକାର ଦୂର କରି ପାପ ହରଣ କର  । କିପରି ବଷୟ ବିକାର ଦୂର ହେବ ?  ଆମେ ନିଜକୁ ଭୁଲି ଯାଇଛୁ  । ଏହି ବିସ୍ମୃତିହିଁ ଅଜ୍ଞାନତା  । ଏହାହିଁ ମହା ଅନ୍ଧକାରର ଦ୍ୟୋତକ  । ପ୍ରକୃତ ଜ୍ଞାନ ବିନା ଏହାର ଦୂରୀକରଣ ଅସମ୍ଭବ  । ପ୍ରକୃତ ଜ୍ଞାନର ଅଭାବରେ ବିଭିନ୍ନ ଧର୍ମବିଶ୍ୱାସ ଓ ମତବାଦର ସୃଷ୍ଟି  । ମଣିଷ ନିଜ ନିଜର ସୀମିତ ଜ୍ଞାନ ଓ ବୁଦ୍ଧି ଦ୍ୱାରା ଅଜ୍ଞାନ ଅନ୍ଧକାରକୁ ଦୂର କରିବାକୁ ଚେଷ୍ଟା କରୁଛି  । ତଥାପି ମଧ୍ୟ ଏହା ଆହୁରି ଆହୁରି ଘନୀଭୂତ ହେବାକୁ ଲାଗିଛି  । ତେବେ କିପରି ଆମେ ଏହି ଅଜ୍ଞାନ ଅନ୍ଧକାରରୁ ମୁକ୍ତ ହୋଇ ପାରିବା  । ଏଥିପାଇଁ ଆମକୁ ନିଜର ପ୍ରାଚୀନ ଗୌରବମୟ ଇତିହାସକୁ ସ୍ମରଣ କରିବାକୁ ହେବ  । ଆମେ ହିଁ ଦିନେ ବିଷୟ ବିକାର ରହିତ ପବିତ୍ର ଆତ୍ମା ଥିଲୁ  । ମନ୍ଦିରରେ ଯେଉଁ ଦେବତା ସମକ୍ଷରେ ଛିଡା ହୋଇ ଆମେ ପ୍ରାର୍ଥନା କରୁଛୁ, ଆମେ ହିଁ ଦିନେ ସେହିପରି ଦିବ୍ୟ ଓ ମହାନ ଥିଲୁଁ  । ଏକଥା ଯେବେ ବୁଝି ପାରିବା ସେଦିନ ଆମ ମଧ୍ୟରୁ ଅଜ୍ଞାନ ଅନ୍ଧକାର ଦୂର ହୋଇଯିବ  । ଆମର ଆତ୍ମାରୂପୀ  ଦୀପର ଜ୍ଞାନ ଜ୍ୟୋତି ପ୍ରଜ୍ଜଳିତ ହେଲେ ଦୀପାବଳୀ ପାଳନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ  ।
            ‘ତମସୋ ମାଂ ଜ୍ୟୋତିର୍ଗମୟ’  । ଆମେ ଭଗବାନଙ୍କ ପାଖରେ ହାତଯୋଡ଼ି ଏହିପରି ପ୍ରାର୍ଥନା କରୁଁ; “ହେ ଭଗବାନ ମୋତେ ଅନ୍ଧକାରରୁ ପ୍ରକାଶକୁ ନେଇଚାଲ”  । ଭଗବାନ କିଏ ଓ କିପରି ଆମକୁ ନେଇଯିବେ ? ଆମେ ସମସ୍ତେ ମନୁଷ୍ୟ ଆତ୍ମା ଜନ୍ମ ମରଣ ଚକ୍ରରେ ଆସି ସବୁ ବିସ୍ମୃତ ପ୍ରାୟ  । କେବଳ ପରମପିତା ପରମାତ୍ମା ସୃଷ୍ଟିର ଜନ୍ମ ମରଣ ଚକ୍ରରୁ ଉର୍ଦ୍ଧ୍ୱରେ ଥିବା ଯୋଗୁଁ ସେ ସର୍ବଜ୍ଞ  । ପରମପିତା ଅର୍ଥାତ୍ ସବୁ ଆତ୍ମାର ପିତା, ପରମାତ୍ମା ଅର୍ଥାତ ଶ୍ରେଷ୍ଠ ଆତ୍ମା  । ସେ ସବୁ ଗୁଣର ଭଣ୍ଡାର, ସର୍ବଜ୍ଞ, ତ୍ରିକାଳଦର୍ଶୀ  । ତାଙ୍କ ବ୍ୟତୀତ ଏହି ଲୁପ୍ତ ପ୍ରାୟ ମାନବର ଇତିହାସର ଆଦିକାଳ କଥା କେହି ମଧ୍ୟ ବର୍ଣ୍ଣନା କରିବାକୁ ସମର୍ଥ ନୁହନ୍ତି  ।
କାର୍ତ୍ତିକ ଅମାବାସ୍ୟା ତିଥିରେ ଦୀପାବଳୀ ପାଳନ କରାଯାଏ  । ସାରା ରାତି ଜାଗ୍ରତ ରହି ଦୀପ ଜଳାଇ ଅମା-ଅନ୍ଧକାରକୁ ପ୍ରକାଶମୟ କରିବାର ପ୍ରୟାସ କରାଯାଏ  । ସକାଳ ପାହିଲେ ଶୁକ୍ଲପକ୍ଷ ଆରମ୍ଭ  । ଅନ୍ଧକାର ହେଉଛି ଅପବିତ୍ରତା, ଅଜ୍ଞାନ ଓ ପାପର ସୂଚକ, ସେଭଳି ପ୍ରକାଶ - ପବିତ୍ରତା, ସଦଜ୍ଞାନ, ଆନନ୍ଦଉଲ୍ଲାସ ଓ ସୁଖ ସମୃଦ୍ଧିକୁ ସୂଚିତ କରେ  । ଦୀପାବଳୀର ତାତ୍ପର୍ଯ୍ୟ ହେଲା - ଅନ୍ଧକାର ଉପରେ ପ୍ରକାଶର ରାଜତ୍ୱ  । ପ୍ରକାଶର ଉପସ୍ଥିତିରେ ଅନ୍ଧକାରର ଅସ୍ତିତ୍ୱ ଅସମ୍ଭବ  । ଅମାବାସ୍ୟା ଅନ୍ଧକାରର ଅନ୍ତିମ ଓ ଚରମ କ୍ଷଣ  । ତା’ପରେ ପ୍ରକାଶର (ଶୁକ୍ଲପକ୍ଷ) ଆରମ୍ଭ  । ଏହାହିଁ ଆଧ୍ୟାତ୍ମିକ ଭାଷାରେ “ବ୍ରହ୍ମାଙ୍କ ଦିନ”  । ଏହି  ସମୟରେ ଦେବତା ମାନେ ହିଁ ଭାରତ ଭୂମିରେ ରାଜତ୍ୱ କରନ୍ତି  । ସେହି ସମୟକୁ ହିଁ ଦୈବୀ ରାଜ୍ୟ ଅର୍ଥାତ୍ ସ୍ୱର୍ଗ ଅଥବା ‘ବୈକୁଣ୍ଠ’ ନାମରେ ସ୍ମରଣ କରାଯାଏ  । “ବୈକୁଣ୍ଠ” ଅର୍ଥାତ୍ ଆକଣ୍ଠ ବୈଭବ ଭୋଗ କରିବାକୁ ବୁଝାଏ  । ଅନ୍ୟ ପକ୍ଷରେ କହିବାକୁ ଗଲେ ଯେଉଁଠି ମାନବ ମନରେ କୁଣ୍ଠାର ସ୍ଥାନ ନ ଥାଏ ତାହାହିଁ ବୈକୁଣ୍ଠ  । ତେଣୁ କୁହାଯାଏ, “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରଷ୍ପର ସ୍ନେହ ଯହିଁ ଥାଏ ନିରନ୍ତର”  । ଅଜ୍ଞାନର ଅମାଅନ୍ଧକାର ମଧ୍ୟରେ ସମସ୍ତ ମନୁଷ୍ୟ ଆତ୍ମା ପଥଭ୍ରଷ୍ଟ ହୋଇ ଧର୍ମ ନାମରେ ଅଧର୍ମର ମାର୍ଗ ଅନୁସରଣ କରି ଦୁଃଖୀ ହେଉଛନ୍ତି  । ଏପରି ସମୟରେ ଦିବ୍ୟ ଜ୍ୟୋତି ସ୍ୱରୂପ ପରମାତ୍ମ ଧରାପୃଷ୍ଠରେ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଦିବ୍ୟ ଅବତରଣ କରି ସେପରି ଏକ ଦିବ୍ୟ ଦୈବୀ ସୃଷ୍ଟି ବା “ସତଯୁଗ” ବା “କୃତ” ଯୁଗର ସ୍ଥାପନ କାର୍ଯ୍ୟ କରୁଛନ୍ତି  । ‘ସତ’ ପ୍ରକାଶର ଦ୍ୟୋତକ ଏବଂ ‘କୃତ’ର ଅର୍ଥ ଶ୍ରେଷ୍ଠ କର୍ମ ଓ ଏଥିରୁ ପ୍ରାପ୍ତ ସୁଖ  । ଅଜ୍ଞାନ ଅନ୍ଧକାର ଅର୍ଥାତ୍ ଆତ୍ମାର ସତ୍-ଜ୍ଞାନର ଅଭାବ  । ପରମାତ୍ମା ଅବତରଣ କରି ସତ୍-ଜ୍ଞାନ ପ୍ରଦାନ କରି ଆତ୍ମାର ଜ୍ଞାନ ପ୍ରଦୀପକୁ ଜାଗ୍ରତ କରିବାର ଦିବ୍ୟ କର୍ତ୍ତବ୍ଯ ସମ୍ପାଦନ କରନ୍ତି  । ଅସତ୍ୟ ଉପରେ ସତ୍ୟର, ଦୁଃଖ ଉପରେ ସୁଖର, ଅପବିତ୍ରତା ଉପରେ ପବିତ୍ରତା, ଅଧର୍ମ ଉପରେ ଧର୍ମର ବିଜୟ ହିଁ ଦୀପାବଳୀର ପ୍ରକୃତ ରହସ୍ୟ  । ପରମାତ୍ମା ହିଁ ଆମକୁ ଏହି ଆଧ୍ୟାତ୍ମିକ ରହସ୍ୟ ଦେଉଛନ୍ତି  ।
                ଏହି ପରିପ୍ରେକ୍ଷୀରେ ଏହା ବିଚାରଣୀୟ ଯେ ଦଶହରା ପରେ ହିଁ ଦୀପାବଳୀ ଆସେ  । ଦଶହରାରେ ଯେପରି ଦୁର୍ଗାଙ୍କର ପୂଜା ହୁଏ; ଦୀପାବଳୀ ଦିନ ସେହିପରି ଶ୍ୟାମା ଅର୍ଥାତ୍ କାଳୀଙ୍କର ପୂଜନ କରାଯାଏ  । ଏହା ଆସୁରୀ ଶକ୍ତି ଉପରେ ଦୈବୀ ଶକ୍ତିର ବିଜୟ ଗାଥାକୁ ସୂଚିତ କରେ  । ପ୍ରଚଳିତ ମାନ୍ୟତା ଅନୁସାରେ ରାବଣର ଅବସାନ ପରେ ରାମଙ୍କର ଅଭିଷେକ ଉତ୍ସବ ରୂପରେ ଦୀପାବଳୀ ପାଳିତ ହୁଏ  । ଆଉ ଏକ ପୌରାଣିକ ଆଖ୍ୟାନ ଅନୁସାରେ ମହିଷାସୁରର ବଧ ପରେ ରକ୍ତବୀର୍ଯ୍ୟ ତା’ର ସମ୍ପୂର୍ଣ୍ଣ ବଳ ସହିତ ଦୁର୍ଗାଙ୍କର ଉପରେ ଆକ୍ରମଣ କଲା  । ମା’ ଦୁର୍ଗା ସେତେବେଳେ ମହାକାଳୀ ରୂପରେ ରକ୍ତବୀର୍ଯ୍ୟର ଶେଷ ରକ୍ତବିନ୍ଧୁ ସୁଦ୍ଧା ପୃଥିବୀ ପୃଷ୍ଠରେ ନିପତିତ ହେବାକୁ ନ ଦେଇ ତାକୁ ନିଃଶେଷ କରିଥିଲେ  । କୁହାଯାଏ ଯେ ମହାକାଳୀ ନିର୍ବସ୍ତ୍ର ହୋଇ ମହିଷାସୁର ଓ ରକ୍ତବିର୍ଯ୍ୟକୁ ସମୂଳେ ଧ୍ୱଂସ କରିଥିଲେ  । ମା’ ଦୁର୍ଗା ବସ୍ତ୍ରହୀନ ନ ହେବା ପର୍ଯ୍ୟନ୍ତ ମହିଷାସୁର ତଥା ରକ୍ତବୀର୍ଯ୍ୟର ମୃତ୍ୟୁ ଅସମ୍ଭବ ଥିଲା  । ଏହି ବସ୍ତ୍ରହୀନତାକୁ ସ୍ଥୂଳ ରୂପରେ ମହାକାଳୀଙ୍କ ନଗ୍ନ ରୂପ ଦର୍ଶଯାଇ ଥାଏ  । ଏହାର ରହସ୍ୟ କ’ଣ ? ଏହା ମଧ୍ୟରେ ଯେଉଁ ଆଧ୍ୟାତ୍ମିକ ରହସ୍ୟ ରହିଛି ତାହା ବୁଝି ନିଜର ଦୈନନ୍ଦିନ ଜୀବନରେ ସେ ସବୁ ଶ୍ରେଷ୍ଠ କର୍ମର ଦିବ୍ୟ ବିଧିକୁ ପ୍ରୟୋଗ କରିବା ପରେ ହିଁ ଏ ପୃଥିବୀରୁ ମହିଷାସୁର ଓ ରକ୍ତବୀର୍ଯ୍ୟ ପରି ଆସୁରୀ ଶକ୍ତିର ବିନାଶ ହୋଇ ପାରିବ  । ଏସବୁ ବିକୃତ ରୂପଧାରୀ ଅସୁର ବାସ୍ତବରେ ବ୍ୟକ୍ତି ବାଚକ ନୁହନ୍ତି  । ନିରପେକ୍ଷ ଭାବରେ ବିଚାର କଲେ ଏଥିରୁ ନିଷ୍କର୍ଷ ମିଳେ ଯେ ଏସବୁ ଆସୁରୀ ଗୁଣ ପ୍ରବୃତ୍ତି ଓ ଚରିତ୍ରର ପ୍ରତୀକ  । ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ବିଶେଷ ମଧ୍ୟରେ ଅର୍ଥାତ୍ ପ୍ରତ୍ୟେକ ଆତ୍ମାରେ ଏପରି ସଂସ୍କାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଭରି ରହିଛି  । ପରମପିତା ପରମାତ୍ମା ବର୍ତ୍ତମାନ ଆମକୁ ଅନ୍ଧକାରର ଗହ୍ଵର ଭିତରୁ ଉଦ୍ଧାର କରିବା ପାଇଁ ଦିବ୍ୟ ଜ୍ଞାନାଲୋକ ପ୍ରଦାନ କରୁଛନ୍ତି  । ଦିବ୍ୟକର୍ମ, ଦିବ୍ୟଗୁଣ ଧାରଣର ପ୍ରକ୍ରିୟା ଶିକ୍ଷା ଦେଉଛନ୍ତି  । ସେ ଆମକୁ ସମସ୍ତ କିମ୍ବଦନ୍ତୀର ଆଧ୍ୟାତ୍ମିକ ଦିବ୍ୟ ରହସ୍ୟ ବିଷୟରେ ଅବଗତ କରାଇ ବର୍ତ୍ତମାନ ନିଜକୁ ଦିବ୍ୟ-ଶ୍ରେଷ୍ଠ କରି ଗଢ଼ିବାରେ ପ୍ରେରଣା ଦେଉଛନ୍ତି  । ଆଜି ଆମେ ନିଜର ସ୍ଥୂଳ ନାମ ରୁପରେ ଛନ୍ଦି ହୋଇ ପଡିଛୁ  । ତେବେ ଆମ ଭିତରୁ ବିକାର, ଅବଗୁଣ ଓ ଅଜ୍ଞାନତା ରୂପୀ ମହିଷାସୁର ଓ ରକ୍ତବୀର୍ଯ୍ୟ ପରି ଆସୁରୀ ସତ୍ତାକୁ ସମୂଳେ ନଷ୍ଟ କରିବାକୁ ହେଲେ ଆମକୁ ଦେହ ଅଭିମାନ ରୂପକ ବସ୍ତ୍ରକୁ ଉତାରିବାକୁ ପଡିବ  । ଏଥିପାଇଁ ଘର ଦୁନିଆଁ ଚ୍ଛାଡି ବା ନିଜର ପରିବାର ତ୍ୟାଗ କରି ଯିବାର ପ୍ରୟୋଜନ ନାହିଁ  । କେବଳ ଦୁନିଆ ପ୍ରତି ଥିବା ଆସକ୍ତି ତ୍ୟାଗକରି ଆତ୍ମ ଅଭିମାନୀ ହେବାକୁ ପଡିବ  । ଏହାହିଁ ପରମାତ୍ମାଙ୍କ ଦିବ୍ୟ ଶିକ୍ଷା  । ସମସ୍ତ ଦୁର୍ଗୁଣକୁ ସମାପ୍ତ କରି ଦୁର୍ଗମ ଜୀବନକୁ ସୁଗମ କରିବାର ଶକ୍ତିର ପ୍ରତୀକ ହେଲେ ଦୁର୍ଗା  । ସମସ୍ତ ଆସୁରୀ ବୃତ୍ତିକୁ ମହାକାଳ ରୂପ ଧାରଣ କରି ଧ୍ୱଂସ କରିବାର ନାମ ମହାକାଳୀ  । କାଳ ଅର୍ଥାତ୍ ସଂହାରକାରିଣୀ ଦୈବୀ-ଶକ୍ତିର ପ୍ରତୀକ  । ଶିବଙ୍କ ସହିତ ଶକ୍ତି ଯୁକ୍ତ ଥାଆନ୍ତି ବୋଲି କୁହାଯାଏ  । ତେଣୁ ପରମାତ୍ମା ଶିବ ଅବତରଣ ହେଲେ ଶକ୍ତିଙ୍କ ମଧ୍ୟ ଆର୍ବିଭାବ ହୁଏ  । ଏହାହିଁ ମାତୃଶକ୍ତିର ଦ୍ୟୋତକ  । ପରମାତ୍ମା ଏହି ମାତୃଶକ୍ତିକୁ ଅଗ୍ରଣୀ କରି କଳିଯୁଗୀୟ ଆସୁରୀ ସଂସ୍କାରର ବିନାଶୀ ଓ ସତଯୁଗୀ ଦୈବୀ ସଂସ୍କାରର ବିକାଶର ଶ୍ରେଷ୍ଠ କର୍ତ୍ତବ୍ଯ କରାଉଛନ୍ତି  ।
ଦୀପାବଳୀ ରାତ୍ରୀରେ ଦୀପମାଳା ଦ୍ୱାରା ଘର-ପ୍ରାଙ୍ଗଣକୁ ସଜ୍ଜିତ କରାଯାଏ  । ଦୀପମାଳା ଅର୍ଥାତ୍ ଅନେକ ଦୀପର ସମାହାର  । ମାଳାରେ ଅନେକ ଫୁଲ ଗୋଟିଏ ସୂତାରେ ପାଖାପାଖି ଗୁନ୍ଥା ହୋଇଥାଏ  । ଦୀପାବଳୀରେ ଦୀପ ଗୁଡ଼ିକ ଗୁନ୍ଥିବା କିପରି ? ଆମେ ସମସ୍ତେ ମନୁଷ୍ୟ ଆତ୍ମା  । ପରମପିତା ପରମାତ୍ମାଙ୍କର ଦିବ୍ୟ ଜ୍ଞ୍ୟାନାଲୋକରେ ଆତ୍ମା ରୁପୀ ଦୀପର ଜ୍ଞାନରୁପୀ ଜ୍ୟୋତି ପୁନଃ ପ୍ରଜ୍ଜ୍ୱଳିତ ହୋଇ ଉଠେ  । ପରମାତ୍ମାଙ୍କର ଦିବ୍ୟ ଜ୍ଞାନର ଶିକ୍ଷା ପ୍ରାପ୍ତ କରି ଲକ୍ଷ ଲକ୍ଷ ମନୁଷ୍ୟ ଆତ୍ମା ନିଜ ଜୀବନରୁ ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରି ନିଜ ଜୀବନକୁ ଦେବତୁଲ୍ୟ ଗଢ଼ିବା ପାଇଁ ଆଗଭର ହୁଅନ୍ତି  । ପରମପିତାଙ୍କର ଦୈବୀ ସ୍ୱରାଜ୍ୟ ସ୍ଥାପନାର ବିଶେଷ ଦିବ୍ୟ କର୍ମରେ ନିଜକୁ ଉତ୍ସର୍ଗ କରି ଦିବ୍ୟ ଭାଗ୍ୟ ପ୍ରାପ୍ତିର ଅଧିକାରୀ ହେବାକୁ ସାହାଯ୍ୟ କରନ୍ତି  । ଆମେ ସବୁ ଆତ୍ମା, ଜାତି, ଧର୍ମ, କୁଳ, ବର୍ଣ୍ଣ, ଦେଶ ନିର୍ବିଶେଷରେ ସେଇ ପରମପିତା ପରମାତ୍ମାଙ୍କର ଦିବ୍ୟ ସନ୍ତାନ  । ସେହି ସୂତ୍ରରେ ଆମେ ସବୁ ଭାଇଭାଇ  । ଆତ୍ମାର କୌଣସି ଲିଙ୍ଗ ଭେଦ ନାହିଁ  । ପରମାତ୍ମାଙ୍କର ସହ ଦିବ୍ୟ ସମ୍ବନ୍ଧରେ ଗୁନ୍ଥି ହୋଇ ଆମେ ସମସ୍ତେ ନିଜର ତଥା ନିଜ ସମ୍ବନ୍ଧ ସମ୍ପର୍କରେ ଆସୁଥିବା ଅନେକ ବ୍ୟକ୍ତିର ଆତ୍ମ-ଜ୍ଞାନରୁପୀ ଜ୍ୟୋତି ପ୍ରଜ୍ଜ୍ୱଳିତ କରି ପାରିଲେ ଦୀପାବଳୀର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ  । କେବଳ ମାଟିର ଦୀପ ନୁହେଁ ଆତ୍ମା ରୁପୀ ଚୈତନ୍ୟ ଦୀପ ଗୁଡ଼ିକ ପ୍ରଜ୍ଜଳିତ କରି ପରମାତ୍ମାଙ୍କର ଦିବ୍ୟ କର୍ତ୍ତବ୍ୟରେ ସହଯୋଗୀ ହୋଇ ଶ୍ରେଷ୍ଠ ଭାଗ୍ୟ ପ୍ରାପ୍ତ କରି ଅନ୍ୟ ପାଇଁ ମଧ୍ୟ ଶ୍ରେଷ୍ଠ ଭାଗ୍ୟ ପ୍ରାପ୍ତ କରିବାର ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରିବାକୁ ହେବ  । ପରମାତ୍ମାଙ୍କର ପ୍ରଦର୍ଶିତ ମାର୍ଗ ଅନୁସରଣ କରି ସହଜ ଯୋଗ ଏବଂ ଦିବ୍ୟଗୁଣ ଧାରଣ ପୂର୍ବକ ନିଜକୁ ଦେବାତ୍ମା ରୂପରେ ପ୍ରସ୍ତୁତ କରିବାକୁ ହେବ  । ଏହିପରି ଅନେକ ଆତ୍ମାରୂପୀ ଦୀପ ଜ୍ଞାନଲୋକରେ ଉଦ୍ଭାସିତ ହୋଇ ଦିବ୍ୟ ଜୀବନ ନିର୍ମାଣରେ ବ୍ରତୀ ହେଲେ ଏ ଭୂମଣ୍ଡଳ ହିଁ ସ୍ୱର୍ଗରେ ପରିଣତ ହେବ  । ତା’ପରେ ପ୍ରକୃତ ଦୀପମାଳାରେ ସୁଶୋଭିତ ପୃଥିବୀ ପୃଷ୍ଠରେ ଦୈବୀ ସ୍ୱରାଜ ସ୍ଥାପିତ ହେବ  । ଆତ୍ମାର ଅଜ୍ଞାନ ରୂପୀ ମଳିନତା ଦୂର ହୋଇଗଲେ ଆତ୍ମା ପବିତ୍ର, ଶୁଦ୍ଧ, ଦିବ୍ୟ, ମହାନ ହୋଇଯିବ  । ମାନବ ସମାଜର ପରିବର୍ତ୍ତନର ଜଡ ପ୍ରକୃତି ମଧ୍ୟ ପରିବର୍ତ୍ତିତ ହୋଇ ପବିତ୍ର ସତ୍ୱପ୍ରଧାନ, ସୁଖଦାୟୀ ହେବ  । ଏପରି ଦିବ୍ୟ ଅଲୌକିକ ଦୀପାବଳୀ ଅର୍ଥାତ୍ ଦୀପମାଳା ମଧ୍ୟରେ ଏହି ଭୂପୃଷ୍ଠରେ ଚୈତନ୍ୟ ଲକ୍ଷ୍ମୀଙ୍କର ଆବିର୍ଭାବ ହୋଇ ପାରିବ  ।
🌺🌺🌺🌺🌺🌺🌺🌺🌺
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796  
🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର