ସହଜ ରାଜଯୋଗ(2)- )Bhumika)-ଡ଼ା. ସୁଧାଂଶୁ ଶେଖର ମିଶ୍ର

ସହଜ ରାଜଯୋଗ(2)

(ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)

ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର,  
 ରାଜଯୋଗର ଅର୍ଥ ଓ ମହତ୍ତ୍ବ 

ବିଂଶ ଶତାବ୍ଦୀର ମାନବ ସମାଜକୁ ବିଜ୍ଞାନ ଭୌତିକ ସୁଖ ଓ ସ୍ବାଚ୍ଛନ୍ଦ୍ୟ ପ୍ରଦାନ କରିଛି ସତ କିନ୍ତୁ ମାନସିକ ଶାନ୍ତି ଦେଇ ପାରିନାହିଁ । ସଂପ୍ରତି ସମାଜର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ବୟସ, ପ୍ରତ୍ୟେକ ସ୍ଥିତି ଏବଂ ପ୍ରତ୍ୟେକ ବୃତ୍ତିର  ବ୍ୟକ୍ତି ଅଶାନ୍ତ, ବ୍ୟାକୁଳ ଓ ଅସ୍ଥିର । ସେ ନିଜେ ମଧ୍ୟ ଜାଣିପାରୁ ନାହିଁ ଯେ କେଉଁ ଏକ ଅଜ୍ଞାତ ଭୟ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ସ୍ବାଭାବିକ ଖୁସି ଓ ଆନନ୍ଦ ହରାଇ ବସିଛି । ମାନବ ସମାଜରୁ ସ୍ବଭାବିକ ପ୍ରସନ୍ନତା ଲୁପ୍ତ ହୋଇଯାଇଛି । ଏହାର କୁପରିଣାମ ସ୍ବରୂପ ଅଧିକାଂଶ ଲୋକ ମନୋଦୈହିକ ରୋଗଗୁଡ଼ିକ ଦ୍ୱାରା ପୀଡିତ ହେଉଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଅନେକେ ଅକାଳ ମୃତ୍ୟୁ ବରଣ କରୁଛନ୍ତି ।
ଏସବୁ କାହିଁକି ହେଉଛି? ଏହାର ମୂଳ କାରଣ କ’ଣ? ମନୋବିଜ୍ଞାନ କହେ ଏସବୁର ମୂଳ କାରଣ ହେଉଛି ମାନସିକ ବିକ୍ଷେପ ବା ମନର ଚଞ୍ଚଳତା । ଏ ମନଟା କ’ଣ? ଏ ମନ ହେଉଛି ବିଚାର ସମୂହର ଉତ୍ସ । ଏହା ସୁପରସୋନିକ ବାୟୁ ଯାନଠାରୁ ମଧ୍ୟ ଲକ୍ଷାଧିକ ଗୁଣ ତୀବ୍ର ବେଗରେ ଉଡିପାରେ । ଆଖି ପିଛୁଳାକେ ସମଗ୍ର ବିଶ୍ୱ ଭ୍ରମଣ କରିପାରେ । ଏହା କେଉଁଠି ଚୋରି କରାଏ, କେଉଁଠି ମିଛ କହିବାକୁ ପ୍ରେରିତ କରେ ତ କେଉଁଠି ପ୍ରତାରଣା ଓ ଜାଲସାଜି କରାଏ । ଅନ୍ୟର ସୁଖ-ସ୍ବାଚ୍ଛନ୍ଦ୍ୟର ସାଧନ ଓ ସମ୍ପତ୍ତି ଦେଖି ମଣିଷ ମଧ୍ୟରେ ଯେଉଁ ଈର୍ଷା ଭାବ ଜାଗ୍ରତ ହୁଏ ତା’ର ପ୍ରେରକ ଏହି ମନ ହିଁ ଅଟେ ।
ବର୍ତ୍ତମାନ ପ୍ରଶ୍ନ ଉଠେ ଯେ ଏହି ମନ କ’ଣ ଆବାହମାନ କାଳରୁ ଏପରି ଅଟେ? ଆଦୌ ନୁହେଁ । କଳ୍ପର ପ୍ରାରମ୍ଭରେ ଏହା ଏପରି ଚଞଳ ଓ ବିବ୍ରତ ନଥିଲା । ସେ ସମୟରେ ସମାଜରେ ଆଜି ପରି ଅଶାନ୍ତି, ଭୟ, କଳହ, କ୍ଳେଶ, ଭ୍ରଷ୍ଟାଚାର, ଚୋରୀ, ମିଥ୍ୟାଚାର, ଆତଙ୍କ ଆଦି ନକାରାତ୍ମକ ପ୍ରବୃତ୍ତି ନ ଥିଲା । ତେବେ ଆଜି ମନର ସ୍ଥିତିରେ କାହିଁକି ଏ ପରିବର୍ତ୍ତନ ହୋଇଛି? ଉତ୍ତର ସୁସ୍ପଷ୍ଟ । ବିଂଶ ଶତାବ୍ଦୀର ଭୌତିକବାଦୀ ସଭ୍ୟତା ଏବଂ ଏହାର ସାଧନ ସମୂହ ମନର ସ୍ଥିତିକୁ ପ୍ରଭାବିତ କରିଛି । ଭୌତିକ ସୁଖ-ସାଧନ, ବିଭିନ୍ନ ବୈଜ୍ଞାନିକ ଉପକରଣ ଓ ବିଳାସ-ବ୍ୟସନ ସାମଗ୍ରୀ ପ୍ରତି ମନ ଆକର୍ଷିତ ହୋଇ ଚଞ୍ଚଳ ଓ ବିବ୍ରତ ହୋଇଛି । ଯେଉଁ ଅନୁପାତରେ ଆର୍ଥିକ ବିକାଶ, ଯାନ୍ତ୍ରିକ ବିକାଶ,  ଔଦ୍ୟୋଗିକ ବିକାଶ ଓ ଯାତାୟତ ବିକାଶ ବଢିଛି ସେହି ଅନୁପାତରେ ଭୌତିକ ବାଦୀ ସାଧନ ଓ ସଂକୃତି ମଧ୍ୟ ବଢି  ଚାଲିଲା । ଏହା ସହିତ ତାଳ ଦେଇ ମନ ମଧ୍ୟ ଚଞ୍ଚଳ  ହେବାକୁ ଲାଗିଲା ଏବଂ ସମସ୍ତ ଅଶାନ୍ତି ଓ ଦୁଃଖର ମୂଳ କାରଣ ହୋଇଗଲା ।
ମନ ପ୍ରବଳ ହେବାରୁ ବୁଦ୍ଧି ସହିତ ତା’ର ସଂଘର୍ଷ ବୃଦ୍ଧି ପାଇଲା । ଆତ୍ମାର ତିନି ପ୍ରମୁଖ ଅଙ୍ଗ ହେଉଛି -ମନ,ବୁଦ୍ଧି ଏବଂ ସଂସ୍କାର । ମନ ହେଉଛି ଇଚ୍ଛା ସମୂହର ଗଣ୍ଠିଲି । ଏହି ଇଚ୍ଛାଗୁଡିକ ହେଉଛି ଅନନ୍ତ । ସେହି ଇଚ୍ଛାଗୁଡିକ ଉପରେ ବୁଦ୍ଧି ଅଙ୍କୁଶ ଲଗାଏ,ଭଲ-ମନ୍ଦର ନିର୍ଣ୍ଣୟ କରି ମନକୁ ନିୟନ୍ତ୍ରଣ ଓ ଆୟତ୍ତ କରେ । ଯେତେବେଳେ ମନ ଅପେକ୍ଷା ବୁଦ୍ଧି ପ୍ରବଳ ହୋଇଥାଏ ସେତେବେଳେ ସତ୍କାର୍ଯ୍ୟ ଏବଂ ମାନବ ସମାଜ କଲ୍ୟାଣ ସମ୍ବନ୍ଧିତ ଅନେକ କାର୍ଯ୍ୟ ହୋଇଥାଏ, ଯେତେବେଳେ ମନ ପ୍ରବଳ  ହୁଏ ସେତେବେଳେ ସ୍ବାର୍ଥ ପ୍ରଣୋଦିତ ଏବଂ ମନ୍ଦ କର୍ମ କରାଯାଏ । ଏହି କାର୍ଯ୍ୟ ସମୂହର ଛାପ ପରମାଣୁ ରୂପରେ ଆତ୍ମାରେ ସଂଯୋଗ ହୁଏ । ଏହା ସଂସ୍କାର ନାମରେ ନାମିତ ହୋଇଥାଏ । ସାଧାରଣତଃ ଅନେକ ସମୟରେ ଏହା ଦେଖିବାକୁ ମିଳିଥାଏ । ଯେ ଭଲ କାମ କରି ଜଣେ ଅନେକ ପ୍ରକାର ଦୁଃଖ କଷ୍ଟ ପାଉଛି । ଅନ୍ୟ ପକ୍ଷରେ ଜଣେ ଖରାପ କାମ କରି ମଧ୍ୟ ଅୟସରେ କାଳାତିପାତ କରୁଛି । ଏହି ସମ୍ପର୍କରେ କୁହାଯାଇଥାଏ ଯେ ଏହା ତା’ର କର୍ମ ଫଳ ଅର୍ଥାତ୍ ପୂର୍ବ ଜନ୍ମରେ କରିଥିବା ପାପ ବା ପୁଣ୍ୟ କର୍ମର ପରିଣାମ । ଯେପର୍ଯ୍ୟନ୍ତ ସେହି ପୂର୍ବାର୍ଜିତ କର୍ମଫଳ ବା ସଂସ୍କାର ସମ୍ପୂର୍ଣ୍ଣ ଭାବରେ ପରିମାର୍ଜିତ ହୋଇ ନଥାଏ ସେ ପର୍ଯ୍ୟନ୍ତ ଆତ୍ମାକୁ ପ୍ରାରବ୍ଧ (ପୂର୍ବାର୍ଜିତ  କର୍ମଫଳ) ଭୋଗିବାକୁ ପଡିଥାଏ । ତେଣୁ ମାନବାତ୍ମାର ସୁଖ-ବା ଦୁଃଖ ଭୋଗରେ ପରମାତ୍ମାଙ୍କ ହାତ ନାହିଁ । ମଣିଷ ଇହ ବା ପରଜନ୍ମର କର୍ମଫଳ ଅନୁସାରେ ସୁଖ ବା ଦୁଃଖ ଭୋଗିଥାଏ ।
ମନ ଓ ବୁଦ୍ଧି ଦ୍ୱାରା ପ୍ରଭାବିତ ହୋଇ ଆତ୍ମା କରୁଥିବା କର୍ମର ପରିଣାମ ଆଧାରରେ ଜଣେ ମାନବ ବା ଦାନବ ହୋଇଥାଏ । ମନ ହେଉଛି ଦାନବର ଜନକ । ଅନ୍ୟପକ୍ଷରେ ବୁଦ୍ଧି ମାନବର ଜନକ । ଉଭୟ ଆତ୍ମାର ହିଁ ଶକ୍ତି । ଏହି ଉଭୟ ଶକ୍ତି ମାନବ ମଧ୍ୟରେ ସ୍ବଭାବିକ ଭାବରେ ବିଦ୍ୟମାନ । ପ୍ରାକୃତିକ ରୂପରେ ଉଭୟ ସନ୍ତୁଳିତ ସ୍ଥିତିରେ ଥାଆନ୍ତି । ଏହି ସନ୍ତୁଳିତ ଅବସ୍ଥାର ନାମ ମନୁଷ୍ୟ । ଯେତେବେଳେ କୌଣସି ମନୁଷ୍ୟ ନିଜ ସମସ୍ତ କାର୍ଯ୍ୟକୁ ବୁଦ୍ଧିଗମ୍ୟ ବନାଏ ଓ ନିଜ ମଧ୍ୟରେ ଥିବା ମାନବୋଚିତ ଗୁଣଗୁଡିକ ବିକାଶ କରେ ସେତେବେଳେ ସେ ସାଧାରଣ ମାନବ ସ୍ତରରୁ ଉନ୍ନୀତ ହୋଇଥାଏ । ଯଦି ବିକାଶର ଏହି ପ୍ରବୃତ୍ତି କ୍ରମଶଃ ବୃଦ୍ଧି ପାଉଥାଏ ତେବେ ସେ ପର୍ଯ୍ୟାୟକ୍ରମେ ମହାମାନବ, ମହାତ୍ମା ଓ ଦେବାତ୍ମାରେ ରୂପାନ୍ତରିତ ହେବାକୁ ଲାଗେ । ଯୀଶୁ ଖ୍ରୀଷ୍ଟ, ମହାତ୍ମାଗାନ୍ଧୀ, ରାମ ଆଦି ଏହି ସମସ୍ତେ ମାନବୋଚିତ ଗୁଣଗୁଡିକର ପରାକାଷ୍ଠା ଥିଲେ । ଏହାର ବିପରୀତରେ ମନ ଯଦି ପ୍ରବଳ ହୁଏ, ବୁଦ୍ଧି କ୍ଷୀଣ ହେବାକୁ ଲାଗେ । ନିର୍ଣ୍ଣୟ ଶକ୍ତି ଧୀରେ ଧୀରେ ହ୍ରାସ ହେବାକୁ ଲାଗେ । ଚଞ୍ଚଳ ମନ ସେହି ବ୍ୟକ୍ତିକୁ ସ୍ବାର୍ଥୀ ବନାଇବାକୁ ଲାଗେ । ସ୍ବାର୍ଥାନ୍ଧ ବ୍ୟକ୍ତି ନିଜକୁ କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ପ୍ରବୃତ୍ତିରେ ମଗ୍ନ ରଖେ । ଅନ୍ୟର ଦୁଃଖ କଷ୍ଟ ଦେଖି ତାକୁ ଆନନ୍ଦ ଲାଗେ । ଏହିପରି ମନୁଷ୍ୟ ଦାନବ ଅଟେ ।
ଭୌତିକ ଭୋଗ ସାମଗ୍ରୀ ଦୁଃଖର କାରଣ ନୁହେଁ । ଏଗୁଡିକ ପ୍ରତି ଆକର୍ଷଣ ଓ ଆସକ୍ତି ହିଁ ଦୁଃଖକାରକ । ଭୋଗ ଲିପ୍ସାର କର୍ତ୍ତା କିଏ? ମନ । ମନୁଷ୍ୟ ନିଜ କାର୍ଯ୍ୟ କ୍ଷମତା ବୃଦ୍ଧି ପାଇଁ, ନିଜକୁ ସୁରକ୍ଷିତ ରଖିବା ପାଇଁ, ଯାତାୟତକୁ ତ୍ୱରାନ୍ୱିତ ଓ ଆରାମପ୍ରଦ କରିବା ପାଇଁ, ନିଜକୁ ଶୀତର ପ୍ରକୋପ କିମ୍ବା ଗ୍ରୀଷ୍ମର ଉଉତ୍ତାପରୁ ରକ୍ଷା କରିବା ପାଇଁ ତଥା ନିଜ ସୁଖ, ସୁବିଧା, ଆବଶ୍ୟକତାକୁ ଆଖି ଆଗରେ ରଖି ବହୁ ବିଧ ବୈଜ୍ଞାନିକ ଉପକରଣ ଗୁଡିକର ରଚନା କରିଛି । କିନ୍ତୁ ସେଗୁଡିକର ଉପଯୋଗ କେବଳ ସାଧନ ରୂପରେ ହେବା ଉଚିତ, ସାଧ୍ୟ ରୂପରେ ନୁହେଁ । କିନ୍ତୁ ସାଧନ ଯେତେବେଳେ ସାଧ୍ୟ ରୂପରେ ବ୍ୟବହୃତ ହୁଏ ସେତେବେଳେ ଏହା ଦୁଃଖର କାରଣ ହୁଏ । ଯଦି କୌଣସି କାରଣ ବଶତଃ ସାଧନ ଉପଲବ୍ଧ ନ ହୁଏ ମନ ଛଟ-ପଟହୁଏ । ବ୍ୟାକୁଳ ହୁଏ ଓ ଶେଷରେ ବିଷାଦଗ୍ରସ୍ତ ହୋଇ ପଡେ । ତେଣୁ  ସାଧନ ଗୁଡିକର ଉପଯୋଗ ଅନାସକ୍ତ ଭାବରେ କରିବା ଉଚିତ । ସାଧନଗୁଡିକ ପ୍ରତି ଆନ୍ତରିକ ନିର୍ଲିପ୍ତତା ଭାବ  ଭାବ ବିକସିତ ହେଲେ ଏ ଗୁଡିକର ଉପଲବ୍ଧି ଓ ଅଭାବ ଉଭୟ ସ୍ଥିତିରେ ସମାନ ମନୋଭାବ ରହିବ । ଏହି ସମତାର ନାମ ହିଁ ତ ଯୋଗ । ଯେଉଁଠି ସମତା ଥାଏ ସେଇଠି ଦୁଃଖ ନ ଥାଏ ।  ଏହି ପରିପ୍ରେକ୍ଷୀରେ ରାଜା ଜନକଙ୍କ ଦୃଷ୍ଟାନ୍ତ ଉଲ୍ଲେଖନୀୟ । ସେ ରାଜା ହୋଇ ମଧ୍ୟ ଯୋଗୀ ଥିଲେ; ଦେହାଭିମାନରୁ ମୁକ୍ତ ଥିଲେ । ଉପଲବ୍ଧି ଓ ଅଭାବ ଏହି ଉଭୟ ସ୍ଥିତି ତାଙ୍କ ପାଇଁ ସମାନ ଥିଲା । ଏହା ହେଉଛି ଯଥାର୍ଥ ବୈରାଗ୍ୟ । ଏହିପରି ବୈରାଗ୍ୟ ଯୁକ୍ତ ବ୍ୟକ୍ତି ହିଁ ପ୍ରକୃତ ଯୋଗୀ । ବୁଦ୍ଧଦେବ କହୁଥିଲେ, କାମନାର ବିନାଶରେ ଦୁଃଖର ବିନାଶ । କାମନାର ବିନାଶ ସେତେବେଳେ ସମ୍ଭବ ଯେତେବେଳେ ଜଣେ ନିଜ ମନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରିବ ।
କାମନାର ତ୍ୟାଗ ହିଁ ପ୍ରକୃତି ତ୍ୟାଗ । ଯେଉଁମାନେ ଭାବନ୍ତି ଯେ ଗୃହତ୍ୟାଗ, ବସ୍ତ୍ର ଆଭୂଷଣ ତ୍ୟାଗ, ଖାଦ୍ୟ ପେୟ ତ୍ୟାଗ ତଥା ସମାଜ ତ୍ୟାଗ ହେଉଛି ତ୍ୟାଗର ଅର୍ଥ, ସେମାନେ ଭ୍ରମରେ ଅଛନ୍ତି । ଏହି ଭ୍ରମ ସେମାନଙ୍କୁ ବାଟ ବଣା କରେ । ଏହି ପରିପ୍ରେକ୍ଷୀରେ ଏକ କାହାଣୀର ଅବତାରଣା ଏଠାରେ ପ୍ରାସଙ୍ଗିକ ମନେ ହୁଏ ।  ଜଣେ ସାଧୁ ଲୋକାଳୟରୁ ଦୂରରେ ନଗ୍ନାବସ୍ଥାରେ ଏକ କୁଡିଆରେ ରହୁଥିଲେ । ସେ ଘରଦ୍ୱାର, ସମାଜ, ବସ୍ତ୍ର ଭୋଜନ ସବୁ ତ୍ୟାଗ କରି ଦେଇଥିଲେ । ଅଧିକାଂଶ ସମୟ ଧୁନି ଜାଳି ବସି ରହୁଥିଲେ । ଗୋଟିଏ କମଣ୍ଡଳ ଓ ଗୋଟିଏ ଚିମୁଟା ହିଁ ସର୍ବସ୍ବ । ସେ ନିଜ ତ୍ୟାଗ ପାଇଁ ବଡ ଗର୍ବ କରୁଥିଲେ । ଦିନେ ମହାଦେବ ଶଙ୍କର ପାର୍ବତୀଙ୍କ ସହିତ ସେ ବାଟ ଦେଇ ଯାଉଥିଲେ । ସେ ଭାବିଲେ ଏ ବାବାର ପରୀକ୍ଷା କରିବା । ସେ ସାଧାରଣ ମନୁଷ୍ୟର ରୂପ ଧାରଣ କରି ବାବାଙ୍କ କମଣ୍ଡଳ ଧରି ପଳାୟନ କଲେ । ବାବା ଦେଖିଲେ ଯେ ତାଙ୍କର କମଣ୍ଡଳ ଧରି ଲୋକଟି ପଳାଉଛି, ସେ ଧୂନି ପାଖରୁ ଉଠି ଚିମୁଟା ଧରି ତାକୁ ପିଟିବାକୁ ଲାଗିଲେ । ସାଧାରଣ ଧାତୁ ନିର୍ମିତ ପାତ୍ର ପ୍ରତି ତାଙ୍କର ଗଭୀର ଆସକ୍ତି ହିଁ ଉକ୍ତ ସାଧୁବାବାଙ୍କ ଏହି ଉଗ୍ରତା ଓ ହିଂସା ଆଚରଣର କାରଣ ଥିଲା । ତେଣୁ ବାହ୍ୟ ତ୍ୟାଗ, ତ୍ୟାଗ ନୁହେଁ, ଭଣ୍ଡାମୀ ମାତ୍ର । ସମ୍ପୂର୍ଣ୍ଣ ଅନାସକ୍ତ ଭାବହିଁ ପ୍ରକୃତ ତ୍ୟାଗ । ଗୀତାର ଉପଦେଶ ହେଉଛି, ନିଃସ୍ବାର୍ଥ ଭାବରେ କର୍ମ କରି ଚାଲ,ଦୁଃଖ ଆସିବ ନାହିଁ । ଏହା ସେତେବେଳେ ସମ୍ଭବ ଯେତେବେଳେ ଆନ୍ତରିକ ବୈରାଗ୍ୟ ଉତ୍ପନ୍ନ ହେବ ।
ଉପରୋକ୍ତ ଆଲୋଚନାର ନିଷ୍କର୍ଷ ହେଉଛି ସମସ୍ତ ସମସ୍ୟାର ମୂଳ ହେଉଛି ମନ । ସୁଖ ଓ ଶାନ୍ତି ପାଇଁ ଏହା ଉପରେ ନିୟନ୍ତ୍ରଣ ଆବଶ୍ୟକ । କିନ୍ତୁ କିପରି? ଏଥିପାଇଁ ବ୍ୟକ୍ତିର ଆଧ୍ୟାତ୍ମିକ ଚେତନାର ବିକାଶ ଖୁବ୍ ଜରୁରୀ । ଏହାହିଁ ଏକମାତ୍ର ରାସ୍ତା । ଅନ୍ୟ ବିକଳ୍ପ ନାହିଁ । ଯେପର୍ଯ୍ୟନ୍ତ ଆମକୁ ଆମ ବାସ୍ତବିକ ସ୍ବରୂପର ଜ୍ଞାନ ହେବ ନାହିଁ ଯେ ମୁଁ କିଏ, କାହିଁକି ଏ ସଂସାରକୁ ଆସିଛି, କେଉଁଠାରୁ ଆସିଛି, କେଉଁଠିକି ଯିବି, ମୋର ଅସଲ ପରିଚୟ କ’ଣ, ସେ ପର୍ଯ୍ୟନ୍ତ ମନ ଉପରେ ନିୟନ୍ତ୍ରଣ ସମ୍ଭବ ନୁହେଁ । ମନ ନିୟନ୍ତ୍ରିତ ନ ହେଲେ ଆନ୍ତରିକ ବୈରାଗ୍ୟ ଆସିବ ନାହିଁ । ଏଥିପାଇଁ ରାଜଯୋଗ ହେଉଛି ଏକମାତ୍ର ଆଧାର । ରାଜଯୋଗରେ ଉଭୟ ମନୋବିଜ୍ଞାନ ଓ ଅଧ୍ୟାତ୍ମ ବିଜ୍ଞାନର ସମନ୍ୱୟ ଘଟିଛି ।
ବର୍ତ୍ତମାନ ଯୋଗ ବିଷୟରେ ଜାଣିବା ଆବଶ୍ୟକ । ଯୋଗର ଅର୍ଥ ହେଉଛି ସଂଯୋଗ ବା ଯୋଡ । ଅନ୍ୟ ଅର୍ଥରେ ଦୁଇଟି ସତ୍ତା, ବସ୍ତୁ ଓ ତତ୍ତ୍ବର ମିଳନ, ସଂଯୋଗ କିମ୍ବା ଯୋଡ । ରାଜଯୋଗରେ ଦୁଇଟି ତତ୍ତ୍ବର ମିଳନ ହୁଏ ।  ତାହା ହେଉଛି ଆତ୍ମା ଓ ପରମାତ୍ମା । ଆତ୍ମା ଓ ପରମାତ୍ମାର ସଂଯୋଗକୁ ହିଁ ଯୋଗ କୁହାଯାଇ ପାରେ । ପତଞ୍ଜଳି ଚିତ୍ତର ବୃବୃତ୍ତିଗୁଡିକୁ ରୋଧ କରିବାକୁ ଯୋଗ ବୋଲି କହନ୍ତି । ଏହାର ପରୋକ୍ଷ ତାତ୍ପର୍ଯ୍ୟ ଆତ୍ମା ଓ ପରମାତ୍ମାଙ୍କ ମିଳନ ବା ସଂଯୋଗ । ଏହି ଦେହକୁ ଭୁଲି ସ୍ବୟଂକୁ ଆତ୍ମା ନିଶ୍ଚୟ କରି ପରମାତ୍ମାଙ୍କୁ ସ୍ମରଣ କରିବା ହିଁ ଯୋଗ ଅଟେ । ଆତ୍ମା ମୌଳିକ ରୂପରେ ଏହି ଗୁଣଗୁଡିକର ମହା ସମୁଦ୍ର । ଉଭୟେ ସମଗୁଣ ବିଶିଷ୍ଟ । ତେଣୁ ବିକଳ୍ପ ରହିତ ଶୁଦ୍ଧ ଆତ୍ମା ସ୍ବତଃ ପରମାତ୍ମାଙ୍କ ସହିତ ଯୋଡି ହୋଇଯାଏ ।
ଏହି ସଂଯୋଗ କିପରି ହେବ; କେଉଁ ବିଧିରେ ହେବ ଏବଂ କେଉଁ ମାର୍ଗ ଅବଲମ୍ବନ କଲେ ହେବ? ଏହି ପ୍ରଶ୍ନ ଗୁଡିକ ମନରେ ଏଥିପାଇଁ ଉଠେ ଯେ ସଂପ୍ରତି ଅନେକ ଯୋଗ ଗୁରୁ ଅନେକ ଆଶ୍ରମ ଖୋଲି ନାନାବିଧ ଯୋଗ କଥା କହୁଛନ୍ତି । କେହି ସ୍ପର୍ଶ ମାତ୍ରକେ କୁଣ୍ଡଳିନୀ ଜାଗ୍ରତ ହେବା କଥା କହେ ତ କେତେକ ସଂଭୋଗ ଦ୍ୱାରା ସମାଧିର ପ୍ରଲୋଭନ ଦିଅନ୍ତି । କେହି କେହି ବିଭୁତି ଓ ମଧୁ (ମହୁ) ବର୍ଷଣ କରି ଚମତ୍କାର ଦେଖାନ୍ତି ତ ଅନ୍ୟ କେହି ଟ୍ରାନ୍ସଡେଣ୍ଟାଲ ବିଧି ସମ୍ପନ୍ନ ଯୋଗ କଥା କହନ୍ତି । ଗୁରୁମାନଙ୍କ ମଧ୍ୟରେ ଚମକ୍ରାର ପ୍ରଦର୍ଶନର ପ୍ରତିସ୍ପର୍ଦ୍ଧା ଚାଲିଛି । ଆଶୁ ଫଳ ଲାଭ ଓ ଭୌତିକ ସୁଖ ପ୍ରାପ୍ତି ପାଇଁ ମଣିଷ ଏମାନଙ୍କ ପ୍ରତି ଆକର୍ଷିତ ହୋଇ ଜୀବନର ମୂଳ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଏ । ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ବଲବ  ଯେପରି ଅତ୍ୟଧିକ ଆଲୋକ ହେତୁ ଆଖିକୁ ଝଲସାଇ ଦିଏ ଓ କିଛି କ୍ଷଣ ପରେ ଚତୁର୍ଦ୍ଧିଗ ଅନ୍ଧକାର ଦେଖାଯାଏ ସେହିପରି ଏ ଚମକ୍ରାର କିଛି କ୍ଷଣ ପାଇଁ ସୁଖକାରୀ ମନେ ହେଉଥିଲେ ମଧ୍ୟ ଏହା ଜୀବନର ଲକ୍ଷ୍ୟ ପଥକୁ ଅବରୁଦ୍ଧ କରିଦିଏ ଓ ଅଜ୍ଞାନ ଅନ୍ଧକାରରେ ମଣିଷ ଲକ୍ଷ୍ୟହୀନ ଭାବରେ ଇତଃସ୍ତତ ଘୁରି ବୁଲେ । ଅନ୍ୟ ପକ୍ଷରେ ରାଜଯୋଗ ଏହି ଚମତ୍କାର  ମାୟା ଜାଲରୁ ମୁକ୍ତ କରେ ଓ ଜୀବନର ଲକ୍ଷ୍ୟ ପଥକୁ ନିର୍ଦ୍ଦେଶ କରେ । ବିଷୟାବିଷ ଜ୍ୱାଳାରେ ତାପିତ ଆତ୍ମାକୁ ପରମାତ୍ମାଙ୍କ ଅମୃତ ସ୍ପର୍ଶର ଆବଶ୍ୟକତା ରହିଛି ।
ଯୋଗ ଗୁରୁମାନେ ଧ୍ୟାନ କରିବା କଥା କହନ୍ତି । କିନ୍ତୁ ଜଣେ କିପରି ଓ କାହିଁକି ଧ୍ୟାନ କରିବ ତତ୍ ସମ୍ପର୍କୀୟ ଯଥାର୍ଥ ଆଧାର ଭୂତ ଜ୍ଞାନ ଦିଅନ୍ତି ନାହିଁ । ଆତ୍ମା ଏକ ଚୈତନ୍ୟ ସତ୍ତା ହୋଇଥିବାରୁ ଯେ ପର୍ଯ୍ୟନ୍ତ ଏହା ଯଥାର୍ଥ ଜ୍ଞାନ ପାଏ ନାହିଁ ସେ ପର୍ଯ୍ୟନ୍ତ ସନ୍ତୁଷ୍ଟ ହୁଏ ନାହିଁ । ସେ ଜାଣିବାକୁ ବ୍ୟାକୁଳ ହେଉଥାଏ ଯେ ମୁଁ କିଏ? ଆତ୍ମା କ’ଣ? ଏହା କେଉଁଠି ରହେ, ତା’ର ସ୍ବରୂପ କ’ଣ? ସେ ଏହି ଭୂପୃଷ୍ଠକୁ କାହିଁକି ଆସିଥାଏ? ପରମାତ୍ମା କିଏ, କେଉଁଠି ରହନ୍ତି? ତାଙ୍କର ଲକ୍ଷଣ କ’ଣ? ଆତ୍ମା ଓ ପରମାତ୍ମା ମଧ୍ୟରେ ସମ୍ପର୍କ କ’ଣ? ଆତ୍ମା ଓ ପରମାତ୍ମା ମଧ୍ୟରେ କ’ଣ ସାମ୍ୟତା ଅଛି? ରାଜଯୋଗର ଆଧାର କ’ଣ? ବିଧି କ’ଣ? ବିଭିନ୍ନ ଅବସ୍ଥା କ’ଣ? ଦିବ୍ୟଗୁଣ କ’ଣ; ଏଗୁଡ଼ିକୁ ଧାରଣ କରିବା ଦ୍ୱାରା କି ପ୍ରକାର ଦେବତ୍ୱର ସ୍ଥିତି ପ୍ରାପ୍ତ ହୋଇଥାଏ? ରାଜଯୋଗ ଦ୍ୱାରା କିପରି ବିକାରଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରାଯାଇପାରେ? କର୍ମ କ’ଣ? ମନ, ବୁଦ୍ଧି ଓ ସଂସ୍କାର ଆତ୍ମାର ଏହି ତିନି ଶକ୍ତି ସହିତ କର୍ମର କି ସମ୍ବନ୍ଧ ରହିଛି? ପୁନର୍ଜନ୍ମ ଓ କର୍ମର ଗୁହ୍ୟ ଗତି କ’ଣ? ଦିବ୍ୟଗୁଣଗୁଡିକର ଧାରଣା କରି କିପରି ଈଶ୍ୱରୀୟ ସେବା କରାଯାଇପାରେ?
ଉପରୋକ୍ତ ସମସ୍ତ ଜ୍ଞାନ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ଆଧାରଭୂତ ଅଟେ । ରାଜଯୋଗ ମାର୍ଗରେ ଚାଲିବାକୁ ଇଚ୍ଛୁକ ବ୍ୟକ୍ତି ପାଇଁ ଉପରୋକ୍ତ ସମସ୍ତ ପ୍ରଶ୍ନ ଗୁଡିକର ଯଥାର୍ଥ ଓ ସ୍ପଷ୍ଟ ଉତ୍ତର ଜାଣିବା, ବୁଝିବା ଓ ଅନୁଭବ କରିବା ଏକାନ୍ତ ଆବଶ୍ୟକ । କିନ୍ତୁ ବିଡମ୍ବନା ଏହି ଯେ କୌଣସି ଧର୍ମଶାସ୍ତ୍ର ଏବଂ ଧର୍ମଗୁରୁଙ୍କ ପାଖରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ନାହିଁ । ତେଣୁ ମନୁଷ୍ୟ ସମାଜ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଓ ମତ ଦ୍ୱାରା ବହୁଧା ବିଭକ୍ତ । ଏହିପରି ଏକ ଧାର୍ମିକ ଓ ଆଧ୍ୟାତ୍ମିକ ସଂକଟ କାଳରେ ଯେତେବେଳେ ମଣିଷ ସମାଜ ତ୍ରାହି ତ୍ରାହି ଚିତ୍କାର କରୁଥାନ୍ତି, ସେତେବେଳେ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରଣ କରି ଉପରୋକ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତି । ପରମାତ୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରାଜଯୋଗ ଅଭ୍ୟାସ କରୁଥିବା ବିଦ୍ୟାର୍ଥୀମାନଙ୍କୁ ନେଇ ପ୍ରଜାପିତା ବ୍ରହ୍ମା ବିଶ୍ୱ ନବ ନିର୍ମାଣ ପାଇଁ ‘ରାଜସୂୟ ଅଶ୍ୱମେଧ ରୁଦ୍ର ଗୀତା ଜ୍ଞାନ ଯଜ୍ଞର’’ ସ୍ଥାପନା କରନ୍ତି । ଏହାର ଆନୁଷ୍ଠାନିକ ନାମ ହେଉଛି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ । ଏହି ଅନୁଷ୍ଠାନ ସମଗ୍ର ବିଶ୍ୱରେ ସାକ୍ଷାତ ପରମାତ୍ମାଙ୍କ ପ୍ରଦତ୍ତ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ପ୍ରଚାର ଓ ପ୍ରସାରର ଦାୟିତ୍ୱ ବହନ କରିଛି । ବିଶେଷ ଜ୍ଞାନ ଆହରଣ କରିବା ପାଇଁ ନିକଟସ୍ଥ ସେବା କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ଅନୁରୋଧ। 
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର