ଜ୍ଞାନ ପ୍ରବାହ (୪)

🌹🌹🌹🌹🌹🌹🌹🌹🌹

ଜ୍ଞାନ ପ୍ରବାହ (୪)

🌹🌹🌹🌹🌹🌹🌹🌹🌹

ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପାଟଣାଗଡ 

🌹🌹🌹🌹🌹🌹🌹🌹🌹

ଈଶ୍ୱରାନୁଭୂତି ପାଇଁ ଇଚ୍ଛୁକ ସାଧକ ଅନେକ ଗ୍ରନ୍ଥ ପଢ଼ିବା ନିଷେଧ । ଅନେକ ଗ୍ରନ୍ଥ ପଢ଼ିବା ହେତୁ ବୁଦ୍ଧିରେ ବିକ୍ଷେପ ଦେଖାଯାଏ । ଭାଗବତରେ ଜ୍ଞାନ, ଭକ୍ତି ଓ ବୈରାଗ୍ୟର ସମନ୍ୱୟ ହୋଇଛି । ଭାଗବତ କଥା ଶୁଣିଲା ପରେ ସ୍ବୀୟ ପାପ କର୍ମ ପାଇଁ ପଶ୍ଚାତାପ ଏବଂ ପରମାତ୍ମାଙ୍କ ପ୍ରତି ହୃଦୟରେ ପ୍ରେମ ଉତ୍ପନ୍ନ ହେବା ଉଚିତ୍ । ଏହା ହେଲେ କଥା ଶ୍ରବଣ ସାର୍ଥକ ହୁଏ । କଥା ଶୁଣିଲା ପରେ ଯଦି ସାଂସାରିକ ବିଷୟ ପ୍ରତି ବୈରାଗ୍ୟ ଓ ଈଶ୍ୱରୀୟ ପ୍ରୀତି ଜାଗ୍ରତ ହେଉନାହିଁ ତେବେ ତାହା ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ବା ଈଶ୍ୱରୀୟ ଜ୍ଞାନ) ନୁହେଁ । ଭାଗବତ ଜ୍ଞାନ ମନୁଷ୍ୟ ଜୀବନକୁ ସଂଶୋଧନ ଓ ପରିବର୍ତ୍ତନ କରେ । ଏହା ମନୁଷ୍ୟ ଜୀବନରେ କ୍ରାନ୍ତି ଆଣେ । ଜୀବନରେ ଜ୍ଞାନ, ଭକ୍ତି ଓ ବୈରାଗ୍ୟ ସମ ଭାବରେ ଆବଶ୍ୟକ । ପରମାତ୍ମା ପ୍ରେମରେ ଦେହ ଅଭିମାନ ବିସ୍ମୃତ ହେଲେ ପ୍ରେମ ସିଦ୍ଧ ହୁଏ । ପରମାତ୍ମା ପ୍ରେମର ସାଗର ଅଟନ୍ତି । ଆତ୍ମା ପ୍ରେମ ସ୍ବରୂପ ଅଟେ । ପରମାତ୍ମା ସ୍ମୃତି ଆତ୍ମାର ପ୍ରେମ ସ୍ବରୂପକୁ ପ୍ରକଟିତ କରେ ।

ମନୁଷ୍ୟ ବିକାର ଓ ବାସନାର ବନ୍ଧନରେ ପଡ଼ି ବନ୍ଦୀ ଜୀବନ ଯାପନ କରୁଛି । ପତ୍ନୀ, ପୁତ୍ର, ଧନ, ଘର ଆଦି ପ୍ରତି ଆସକ୍ତି ହେଉଛି ଏହାର କାରଣ । ଏଥିରୁ ମୁକ୍ତି ନ ମିଳିବା ପର୍ଯ୍ୟନ୍ତ ମୁକ୍ତି ଓ ଜୀବନ୍ମୁକ୍ତ ପ୍ରାପ୍ତି ସମ୍ଭବ ନୁହେଁ । ଯାହାର ମନ ପରମାତ୍ମା ରଙ୍ଗରେ ରଙ୍ଗିଯାଇଛି ସେ ତ ସର୍ବଦା ମୁକ୍ତ । ପରମାତ୍ମାଙ୍କ ସହିତ ତନ୍ମୟତା ଆସିଲେ ପରମାନନ୍ଦ ମିଳେ । ସାଂସାରିକ ମୋହ ତ୍ୟାଗ ବଡ଼ କଠିଣ ବ୍ୟାପାର । ବାସନା ଉପରେ ବିଜୟ ପ୍ରାପ୍ତି ନ ହେବା ପର୍ଯ୍ୟନ୍ତ ଶାନ୍ତି ମିଳେନାହିଁ । ମୃତ୍ୟୁ ପରେ ଆତ୍ମା ପୂର୍ବ ଜନ୍ମର ସଂସ୍କାର ନେଇ ପୁନର୍ଜନ୍ମ ନିଏ । ମଣିଷ ଶରୀର ଓ ପୋଷାକ ପ୍ରତି ଖୁବ୍ ଧ୍ୟାନ ରଖେ । କିନ୍ତୁ ମୃତୁ୍ୟ ପରେ ଯାହା ସାଙ୍ଗରେ ନେଇଯିବ ସେ ବିଷୟରେ ଚିନ୍ତା କରେନାହିଁ । ମୃତ୍ୟୁ ପରେ ମୃତବ୍ୟକ୍ତିର ଆଙ୍ଗୁଠିରେ ଥିବା ମୁଦ୍ରିକା ମଧ୍ୟ ପରିବାରର ଲୋକେ ବାହାର କରି ରଖନ୍ତି । ତେଣୁ ଇହ ଜନ୍ମରେ ସଂସ୍କାରକୁ ଦିବ୍ୟ ଓ ପବିତ୍ର କରିବା ପାଇଁ ପ୍ରଯତ୍ନ କରିବା ଆବଶ୍ୟକ । କାରଣ ଏହାହିଁ ଆତ୍ମା ସହିତ ଯିବ ।

ଆଚାର ଓ ବିଚାର ଶୁଦ୍ଧିକରଣ ଦ୍ୱାରା ମନ ଶୁଦ୍ଧ ହୁଏ । ଯେପର୍ଯ୍ୟନ୍ତ ମନର ଶୁଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ ଈଶ୍ୱରୀୟ ପ୍ରୀତି ହୁଏ ନାହିଁ । ବିବେକ ଦ୍ୱାରା ସଂସାରର ଅନ୍ତ ନ ହେଲା ପର୍ଯ୍ୟନ୍ତ ଏହାର ବିନାଶ ହୁଏନାହିଁ । ଜୀବନରେ ସଂଯମ ଏବଂ ସଦାଚାର ଯେପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ ଶାସ୍ତ୍ରାଧ୍ୟୟନ ଲବ୍ଧ ଜ୍ଞାନରେ କି ପ୍ରୟୋଜନ? ଜ୍ଞାନକୁ ବ୍ୟବହାରିକ ଜୀବନରେ ଉପଯୋଗ କରିବା ଉଚିତ୍ । ଜ୍ଞାନର ବ୍ୟବହାରିକ ପ୍ରୟୋଗ ହିଁ ମଣିଷକୁ ଜୀବନ୍ମୁକ୍ତ କରାଏ । ପ୍ରତ୍ୟହ ଏକାଧିକ ଥର ମୃତ୍ୟୁ କଥା ଚିନ୍ତାକଲେ ପାପ ହୁଏନାହିଁ । ସବୁବେଳେ ଚିନ୍ତା କରିବା ଉଚିତ୍ ଯେ ଏବେ ଯଦି ମୋର ମୃତ୍ୟୁ ହୋଇଯାଏ, ତେବେ ମୋ ସହିତ କ’ଣ ଯିବ? ମୋର କି ଗତି ହେବ?

ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ସମୟରେ ମାୟା ଅନେକ ବିଘ୍ନ ଉତ୍ପନ୍ନ କରାଏ । ମନ ଈଶ୍ୱରାଭିମୁଖୀ ହେଉ, ଏକଥା ମାୟାକୁ ପସନ୍ଦ ଲାଗେନାହିଁ । ମାୟାର କୌଣସି ଏକ ନିର୍ଦ୍ଧିଷ୍ଟ ରୂପ ନାହିଁ । ଏହା ଏକ ସର୍ବବ୍ୟାପକ ତତ୍ତ୍ବ। ଆତ୍ମା ଓ ପରମାତ୍ମା ମିଳନରେ ମାୟା ବିଘ୍ନ ସୃଷ୍ଟିକରେ । ମାୟା ମନକୁ ଚଞ୍ଚଳ କରାଏ । ସେ ମନୁଷ୍ୟକୁ ପାଠ ପଢ଼ାଏ ଯେ ସ୍ତ୍ରୀ-ବାଳକ ଏବଂ ଧନ-ସମ୍ପତ୍ତି ଆଦି ସୁଖର ସାଧନ ଅଟେ । ଈଶ୍ୱର (ପରମାତ୍ମା) ବିମୁଖ ଆତ୍ମା (ବ୍ୟକ୍ତି) ମାୟା ପାଖରେ ପରାଜିତ ହୁଏ । ପ୍ରୀତ ବୁଦ୍ଧି ବିଜୟନ୍ତି । ବିନାଶକାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତି । ନେତ୍ର ଓ ଶ୍ରୋତ୍ରକୁ ଯିଏ ପବିତ୍ର ରଖେ । ତା’ର ହୃଦୟ ସିଂହାସନରେ ହିଁ ପରମାତ୍ମା ବିରାଜମାନ କରନ୍ତି । ବାରମ୍ବାର ଈଶ୍ୱରୀୟ ଜ୍ଞାନ ଶ୍ରବଣ ଓ ମନନ କଲେ ପରମାତ୍ମା କର୍ଣ୍ଣ ଗୁହର ଦେଇ ହୃଦୟରେ ପ୍ରବେଶ କରନ୍ତି । ପାପ ମଧ୍ୟ କାନ ଦେଇ ମନକୁ ଆସେ । କାନକୁ ଜ୍ଞାନ ଶ୍ରବଣ କରାଇଲେ ମନରେ ପରମାତ୍ମା ସ୍ଥିର ହୋଇ ବିରାଜମାନ କରନ୍ତି । ଅର୍ଥାତ ଈଶ୍ୱରୀୟ ସ୍ମୃତି ଦୃଢ଼ ହୁଏ । ପ୍ରତ୍ୟେକ ସତ୍କର୍ମ ପୂର୍ବରୁ ଶାନ୍ତିପାଠ କରାଯାଏ । ତା’ର ମନ୍ତ୍ର ହେଲା- “ଓଁ ଭଦ୍ରଂ କର୍ଣ୍ଣଭିଃ ଶୃଣୁୟାମ ଦେବାଃ ।” ହେ ଦେବ, କର୍ଣ୍ଣ ଦ୍ୱାରା ଆମେ ଯେପରି କଲ୍ୟାଣକାରୀ ବାଣୀ ହିଁ ଶୁଣୁ । ଦୃଷ୍ଟି ଓ ଶ୍ରୁତି ଉଭୟ ପବିତ୍ର ହେବା ଆବଶ୍ୟକ । ତା’ପରେ ସତ୍କର୍ମର ଆରମ୍ଭ ହେବା ଉଚିତ୍ । କଥାରେ ଅଛି ଯେପରି ଦୃଷ୍ଟି ସେପରି ବୃତ୍ତି। ଯେପରି ବୃତ୍ତି ସେପରି କୃତୀ । ବିଶୁଦ୍ଧ ଇନ୍ଦ୍ରିୟ ଦ୍ୱାରା ହିଁ ପରମାତ୍ମାନୁଭୁତି ସମ୍ଭବ । ଇନ୍ଦି୍ରୟଶୁଦ୍ଧି ସହିତ ମନଶୁଦ୍ଧି ମଧ୍ୟ ଆବଶ୍ୟକ । ସମୟ ବିଗିଡ଼ି ନାହିଁ; ଆମ ମନ ହିଁ ବିଗିଡ଼ି ଯାଇଛି ।

ମନ ଶୁଦ୍ଧି ପାଇଁ ଆଧ୍ୟାତ୍ମିକ ଜ୍ଞାନର ମନନ ହିଁ ଏକମାତ୍ର ସାଧନ ଅଟେ । ମନୁଷ୍ୟ ପ୍ରତିକ୍ଷଣ ପ୍ରେମପାତ୍ର ପରିବର୍ତ୍ତନ କରେ । ତଥାପି ମଧ୍ୟ ତାକୁ ସନ୍ତୋଷ ଓ ଶାନ୍ତି ମିଳେନାହିଁ । ବାଲ୍ୟାବସ୍ଥାରେ ମାଆ ସହିତ ପ୍ରେମ ହୁଏ । ବଡ଼ ହେଲା ପରେ ମିତ୍ର ଜନଙ୍କୁ ପ୍ରେମକରେ । ବିବାହ ପରେ ପତ୍ନୀ ପ୍ରତି ପ୍ରେମ ପରିବର୍ତ୍ତିତ ହୁଏ । ତା’ପରେ ପୁତ୍ର ପ୍ରତି ପ୍ରେମ ବୃଦ୍ଧିପାଏ । ଧୀରେ ଧୀରେ ସନ୍ତାନ-

ସନ୍ତତିଙ୍କଠାରୁ ମଧ୍ୟ ପ୍ରେମ କମିବାକୁ ଲାଗେ । ଏପରି ସ୍ଥିତିରେ ଧନ ପ୍ରତି ମୋହ ବଢ଼େ । କିନ୍ତୁ ପରମାତ୍ମାଙ୍କୁ ପ୍ରେମର ପାତ୍ର କଲେ ପରିବର୍ତ୍ତନର ଆବଶ୍ୟକତା ହିଁ ନଥାଏ ।

ଜୀବ ମାତ୍ରକେ ରୋଗୀ ଅଟନ୍ତି । ଈଶ୍ୱର ବିୟୋଗ ହେଲା ସବୁଠାରୁ ବଡ଼ ରୋଗ । ଏଥିପାଇଁ ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ) ହେଉଛି ସବୁଠାରୁ ବଡ଼ ଔଷଧ । ରୋଗ ପରିଚର୍ଯ୍ୟା ପାଇଁ ଆହାର ବିହାର ଆଦିର ନିୟମ ପାଳନ ଆବଶ୍ୟକ । ଆଧ୍ୟାତ୍ମିକ ଜ୍ଞାନର ଅଭ୍ୟାସ ପାଇଁ ଏହା ଅତି ଆବଶ୍ୟକ । ସଂସାର ପ୍ରତି ମନରେ ବୈରାଗ୍ୟ ଭାବନା ଆସିବା ଉଚିତ । ବୈରାଗ୍ୟର ଅର୍ଥ କ’ଣ? ଉପଭୋଗ ପାଇଁ ଅନେକ ପଦାର୍ଥ ସୁଲଭ ଥାଇ ମଧ୍ୟ ମନ ତତ୍ ପ୍ରତି ଆକର୍ଷିତ ନ ହେବା ପ୍ରକୃତ ବୈରାଗ୍ୟ । ସଂସାରର ତ୍ୟାଗ ଅନାବଶ୍ୟକ । କେବଳ ଭୋଗ ଦୃଷ୍ଟିରେ ଦେଖିବା ବୃତ୍ତିକୁ ତ୍ୟାଗ କରିବା ଉଚିତ୍ । ସ୍ବୀୟ ବିକାରୀ ଦୃଷ୍ଟିର ପରିବର୍ତ୍ତନ ଆବଶ୍ୟକ । ଜଗତକୁ କାମ ଓ ଭୋଗ ଦୃଷ୍ଟିରେ ଦେଖନାହିଁ । ଯେପର୍ଯ୍ୟନ୍ତ ଦୃଷ୍ଟିର ଦୋଷ ଯାଇନାହିଁ ସେ ପର୍ଯ୍ୟନ୍ତ ଆମର ଦୃଷ୍ଟି ଦେବ ଦୃଷ୍ଟି ହେବନାହିଁ ।

ଭାଗବତ ଜ୍ଞାନର ବକ୍ତା ଅତି ନିସ୍ପୃହ ଓ ବୈରାଗ୍ୟ ଭାବ ସମ୍ପନ୍ନ ହେବା ପରମାବଶ୍ୟକ । ଉପଦେଶ କର୍ତ୍ତା ବ୍ରାହ୍ମଣ ଅର୍ଥାତ ଈଶ୍ୱର ବା ପରଂବ୍ରହ୍ମ ପରମାତ୍ମାଙ୍କୁ ଜାଣିବା ବାଲା ହୋଇଥିବା ଉଚିତ୍ । କୀର୍ତ୍ତି ମୋହରୁ ବର୍ତ୍ତିବା ବଡ଼ କଠିଣ ବ୍ୟାପାର । ଏହା ପ୍ରଭୁପ୍ରୀତି ପାଇଁ ବିଘ୍ନ କାରକ । ବକ୍ତା ଏଥିପ୍ରତି ସାବଧାନ ରହିବା ଉଚିତ୍ । ଜ୍ଞାନ ଶ୍ରବଣ ସମୟରେ ମନକୁ ସଂସାରରୁ ନିର୍ଲିପ୍ତ କରି ଶୁଣିବା ବିଧେୟ । ଘରଦ୍ୱାର କଥା ମନକୁ ବିକୃତ କରେ । ଉଭୟ ବକ୍ତା ଓ ଶ୍ରୋତା ଚକ୍ଷୁ, ମନ, ବାଣୀ, କର୍ମ ଏବଂ ପ୍ରତ୍ୟେକ ଇନ୍ଦ୍ରିୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍ । ମନକୁ ସ୍ଥିର କରିବା ପାଇଁ ଉର୍ଦ୍ଧ୍ୱରେତା ହେବା ନିହାତି ଜରୁରୀ । ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଜଣେ ଉର୍ଦ୍ଧ୍ୱ ରେତା ହୋଇପାରେ । କ୍ରୋଧ ପୁଣ୍ୟ କ୍ଷୟ କରେ । ଏଣୁ ଏହା ସର୍ବଥା ତ୍ୟାଗ କରିବା ଉଚିତ୍ ।

ଭାଗବତ ଜ୍ଞାନ କେବଳ ଶୁଣି (କିମ୍ବାପଢ଼ି) ଖୁସି ହେବା ବିଷୟ ନୁହେଁ । ଏହାକୁ ଜୀବନରେ ଆଚରଣ କରିବା  ଦ୍ୱାରା ଶ୍ରବଣ ସଫଳ ହୁଏ । ଶୁଣିଥିବା କଥା  ମନନ କର ଏବଂ ତାକୁ ବ୍ୟବହାରରେ କାର୍ଯ୍ୟାନ୍ୱିତ କର । କେବଳ ଜ୍ଞାନ ବ୍ୟର୍ଥ । ପରମାତ୍ମାଙ୍କ ଦିବ୍ୟ ସତ୍ ଗୁଣଗୁଡ଼ିକ ଜୀବନରେ ଆଚରଣ କର । ପୂର୍ବ ଜନ୍ମର ବିଚାର କରିବା ଅନୁଚିତ୍ । ବର୍ତ୍ତମାନ ଜନ୍ମ ସାର୍ଥକ କରିବାକୁ ପ୍ରଯତ୍ନ କର । ଭଗବାନଙ୍କ ସହିତ ବିବାହ (ସମ୍ବନ୍ଧ) କର ଏବଂ ଅନ୍ୟକୁ କରାଅ । ସଂଯମ ଓ ଆନ୍ତରିକ ତପସ୍ୟା ହିଁ ପ୍ରଭୁ ପ୍ରାପ୍ତିର ସାଧନ । ପରମାତ୍ମା ମିଳନ ହେଉଛି ଆତ୍ମାର ଧର୍ମ ।

(କ୍ରମଶଃ...)

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର:-

9437210296 (Whatsapp )

7609969796(Jio)

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର