🌹🌹🌹🌹🌹🌹🌹🌹🌹
*ଭାରତୀୟ ପର୍ବ ପର୍ବାଣୀ (୩)*
🌺🌺🌺🌺🌺🌺🌺🌺🌺
*ଗଣେଶଙ୍କ ଆଧ୍ୟାତ୍ମିକ ରହସ୍ୟ*
🌷🌷🌷🌷🌷🌷🌷🌷🌷
(ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ଈଶ୍ୱରୀୟ ଜ୍ଞାନ ଆଧାରରେ ପ୍ରସ୍ତୁତ)
🌸🌸🌸🌸🌸🌸🌸🌸🌸
*ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼*
🌹🌹🌹🌹🌹🌹🌹🌹🌹
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ଭାରତର ସମସ୍ତ ଶିକ୍ଷାୟତନ ତଥା ସାର୍ବଜନିକ ସ୍ଥାନରେ ଗଣେଶଙ୍କ ପୂଜା ଅର୍ଚ୍ଚନା କରାଯାଏ । କୌଣସି ଶୁଭ କର୍ମ ଆରମ୍ଭ ପୂର୍ବରୁ ତାଙ୍କର ବିଧିବଦ୍ଧ ପୂଜା ଅର୍ଚ୍ଚନା ହେଉଛି ପ୍ରାଚୀନ ପରମ୍ପରା । ପୌରାଣିକ କଥା ଅନୁସାରେ ଗଣେଶ ଅଗ୍ରପୂଜ୍ୟ ଅଟନ୍ତି । ସେ ହେଉଛନ୍ତି ବିଘ୍ନ ବିନାଶକ । ତାଙ୍କର ବିଚିତ୍ର ଶରୀରାକୃତି ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରେ । ଏହାର ଆଧ୍ୟ୍ୟାତ୍ମିକ ରହସ୍ୟ କ’ଣ ?
ଭାରତୀୟ ସ୍ଥାପତ୍ୟ କଳାରେ ପରମ ପିତା ପରମାତ୍ମାଙ୍କ ବିଭିନ୍ନ ଗୁଣାବଳୀକୁ ବିଭିନ୍ନ ପ୍ରତୀକ ହିସାବରେ ଅଭିବ୍ୟକ୍ତ କରି ମୂର୍ତ୍ତିମନ୍ତ କରାଯାଇଛି । କାଦୁଅରୁ ମଧ୍ୟ ମୋତି ଖୋଜି ବାହାର କରିବା ବା ସାରତତ୍ତ୍ବ ଗ୍ରହଣ କରି ପାରୁଥିବା ଅସାଧାରଣ ଶକ୍ତି ସମ୍ପନ୍ନ ହଂସକୁ ସରସ୍ୱତୀଙ୍କ ବାହନ ରୂପରେ ଚିତ୍ରିତ କରାଯାଇଛି । ଯିଏ ପରମାତ୍ମାଙ୍କ ଠାରୁ ସଦ୍ ବିବେକ ପ୍ରାପ୍ତ ହୋଇ ସଂସାର ରୂପୀ କାଦୁଅରୁ କେବଳ ଜ୍ଞାନର ମୋତିକୁ ହିଁ ଗ୍ରହଣ କରେ ସେ ହଂସ ସ୍ୱରୂପ । ପବିତ୍ର ସିଦ୍ଧ ତପସ୍ୱୀମାନଙ୍କୁ ପରମହଂସ ଉପାଧିରେ ଭୂଷିତ କରାଯାଇଥାଏ । କାଦୁଅରୁ ଉତ୍ପନ୍ନ ହୋଇଥିଲେ ମଧ୍ୟ ପଦ୍ମଫୁଲ ସେଥିରୁ ନିର୍ଲିପ୍ତ ରହି ସୁଗନ୍ଧି ଆହରଣ କରେ । ଶ୍ରୀଲକ୍ଷ୍ମୀଙ୍କୁ ପଦ୍ମଫୁଲ ଉପରେ ଆସୀନ ଦେଖାଇବା ଅର୍ଥ ହେଲା ସମସ୍ତ ଧନ ସମ୍ପତ୍ତି ଓ ବୈଭବରେ ପରିପୂର୍ଣ୍ଣ ହୋଇ ମଧ୍ୟ ସେଥିରେ ଅନାସକ୍ତ ରହିବା । ପଦ୍ମଫୁଲ ଏହି ଅନାସକ୍ତ ଭାବର ପ୍ରତୀକ । ଏହି ଦୃଷ୍ଟିକୋଣରୁ ଗଣେଶଙ୍କ ବିଚିତ୍ର ଶରୀରାକୃତିର ପ୍ରତୀକାତ୍ମକ ଭାବ ଗ୍ରହଣ କରିବା ଉଚିତ।
ଗଣେଶଙ୍କୁ ଅତ୍ୟନ୍ତ ବୁଦ୍ଧିମାନ ଓ ବିଦ୍ୟାଦାତା ରୂପେ ଗ୍ରହଣ କରାଯାଏ । ଏଥିପାଇଁ ତାଙ୍କର ମସ୍ତକକୁ ହାତୀ ମୁଣ୍ଡ ପରି ଦର୍ଶାଯାଇଛି । ହାତୀ ସମସ୍ତ ପଶୁପକ୍ଷୀ ତଥା ମନୁଷ୍ୟଠାରୁ ବୁଦ୍ଧିମାନ ଏବଂ ତାର ସ୍ମୃତି ଶକ୍ତି ଅତ୍ୟନ୍ତ ପ୍ରଖର । ତେଣୁ ହାତୀ ମୁଣ୍ଡ ବିଶାଳ ବୁଦ୍ଧିର ପ୍ରତୀକ । ଯେଉଁମାନଙ୍କ ବୁଦ୍ଧି ଅତ୍ୟନ୍ତ ପ୍ରଖର ସେମାନଙ୍କୁ ହାତୀ ସହିତ ତୁଳନା କାରଯାଏ । ହାତୀ ଅତ୍ୟନ୍ତ ବିଶ୍ୱସ୍ତ ଅଟେ । ଯେଉଁ ବ୍ୟକ୍ତି ପରମାତ୍ମାଙ୍କଠାରୁ ଜ୍ଞାନ ଆହରଣ କରି ତାଙ୍କ ପ୍ରତି ଶ୍ରଦ୍ଧାବାନ ଓ ବିଶ୍ୱସ୍ତ ରହେ ତଥା ତାଙ୍କ ସ୍ମୃତିରେ ସର୍ବଦା ତଲ୍ଲୀନ ରହେ ସେହି ଜ୍ଞାନବାନ ଓ ଯୋଗଯୁକ୍ତ ବ୍ୟକ୍ତିଙ୍କୁ ପରମାତ୍ମା ନିଜ ପୁତ୍ର ରୂପରେ ସ୍ୱୀକାର କରି ଗଣପତି ପଦରେ ବିଭୂଷିତ କରନ୍ତି ।
ହାତୀର ଶୁଣ୍ଡ ତା’ର ଶକ୍ତିର ପ୍ରତୀକ । ଶୁଣ୍ଡ ଦ୍ୱାରା ସେ ବିଶାଳ ବୃକ୍ଷକୁ ମଧ୍ୟ ଉପାଡି ପାରେ ତଥା ସୂକ୍ଷ୍ମାତିସୁକ୍ଷ୍ମ ପଦାର୍ଥକୁ ମଧ୍ୟ ଉଠାଇ ପାରେ । ହାତୀ ଶୁଣ୍ଡ ଜ୍ଞାନବାନ ବ୍ୟକ୍ତିର ପ୍ରତୀକ । ଜ୍ଞାନବାନ ବ୍ୟକ୍ତିର ପ୍ରଖର ଆଧ୍ୟାତ୍ମିକ ଶକ୍ତି ହିିଁ ଗଣେଶ ବା ହାତୀ ଶୁଣ୍ଡ ସହିତ ତୁଳନୀୟ । ସେ କାମ କ୍ରୋଧାଦି ସ୍ଥୂଳ ବିକାର ବା ଆସୁରିକ ସଂସ୍କାରକୁ ଯେପରି ଭାବରେ ମୂଳରୁ ଉତ୍ପାଟନ କରି ବାହାର କରିବାକୁ ସକ୍ଷମ ସେହିପରି ପ୍ରତ୍ୟେକ କଥାର ସୂକ୍ଷ୍ମାତିସୂକ୍ଷ୍ମ ଅର୍ଥକୁ ଧାରଣ କରି ଅନ୍ୟମାନଙ୍କୁ ସ୍ନେହ ସମ୍ମାନ ପ୍ରଦାନ କରିବାରେ ମଧ୍ୟ ଅତ୍ୟନ୍ତ କୁଶଳୀ।ଜ୍ଞାନେନ୍ଦ୍ରିୟ ମଧ୍ୟରେ କର୍ଣ୍ଣ ପ୍ରଧାନ । ସେଥିପାଇଁ ଶାସ୍ତ୍ର ପୁରାଣାଦି କଥା ଶ୍ରବଣ ଉପରେ ଗୁରୁତ୍ୱ ଦିଆଯାଏ । ଗୁରୁମନ୍ତ୍ରକୁ କର୍ଣ୍ଣମନ୍ତ୍ର କୁହାଯାଏ । ବିଶାଳବୁଦ୍ଧି ସମ୍ପନ୍ନ ହେବା ପାଇଁ ଶ୍ରବଣ ଶକ୍ତିର ବିସ୍ତାର ଆବଶ୍ୟକ । ଏଥିପାଇଁ ବୋଧ ହୁଏ ହାତୀର ବା ଗଣେଶଙ୍କ କାନ କୁଲା ପରି ବୃହଦାକାର ଦେଖାଯାଏ । କର୍ଣ୍ଣର ବିଶାଳତା ବିସ୍ତୃତ ଭାବରେ ଈଶ୍ୱରୀୟ ଜ୍ଞାନ ଶ୍ରବଣ ପୂର୍ବକ ମନନ ଦ୍ୱାରା ବୁଦ୍ଧିରେ ଧାରଣ କରିବାକୁ ସୂଚିତ କରେ । ଏହା ବ୍ୟତୀତ ଗଣେଶଙ୍କ ପରି ବିଶାଳ ବୁଦ୍ଧି ସମ୍ପନ୍ନ ହେବା ସମ୍ଭବ ନୁହେଁ ।
ହାତୀର ଆଖି ଛୋଟ ହେଲେ ମଧ୍ୟ ଛୋଟ ଛୋଟ ପଦାର୍ଥକୁ ସେ ବଡ ଆକାରରେ ଦେଖିପାରେ । ସେଥିପାଇଁ ଗଣେଶଙ୍କ ଆଖିକୁ ମଧ୍ୟ ହାତୀ ଆଖିପରି ଚିତ୍ରିତ କରାଯାଏ । ଜ୍ଞାନୀ ବ୍ୟକ୍ତି ନିଜ ଠାରୁ ଛୋଟ ବ୍ୟକ୍ତିଠାରେ ମଧ୍ୟ ମହାନତା ଦେଖି ତାକୁ ଯଥାଯୋଗ୍ୟ ଆଦର ସମ୍ମାନ କରନ୍ତି । ତେଣୁ ଜ୍ଞାନୀର ନେତ୍ରକୁ ହାତୀର ନେତ୍ର ସହିତ ତୁଳନା କରାଯାଏ ।
ସାଧାରଣତଃ ହାତୀର ଦୁଇଟି ବର୍ହିଦନ୍ତ ଥିଲେ ମଧ୍ୟ ଗଣେଶଙ୍କ ଗୋଟିଏ ଦନ୍ତ ପ୍ରଦର୍ଶିତ କରାଯାଏ । ଏହାର କାରଣ କଣ? ଏହି ଦନ୍ତ ସାଧାରଣତଃ ହାତୀର ଆତ୍ମରକ୍ଷା ପାଇଁ ଅଭିପ୍ରେତ । ଭଲ ରାସ୍ତାରେ ଚାଲିଲେ ବା କୌଣସି ମହାନ ଲକ୍ଷ୍ୟ ପାଇଁ ପ୍ରୟାସୀ ହେଲେ ବିଭିନ୍ନ ଲୋକ ବିଭିନ୍ନ ସମୟରେ ଅନେକ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିଥାନ୍ତି । କାରଣ ଆଜିର ଦୁନିଆରେ ଅଧିକାଂଶ ବ୍ୟକ୍ତି ଆସୁରୀ ସଂସ୍କାର ଦ୍ୱାରା ଗ୍ରସିତ । କିନ୍ତୁ ଆମକୁ କୌଣସି ବାଧାବିଘ୍ନ ପ୍ରତି ଭୃକ୍ଷେପ ନ କରି ନିଜ ଲକ୍ଷ୍ୟ ପଥରେ ଅଟଳ ଅଚଳ ଭାବରେ ଆଗେଇ ଯିବା ପାଇଁ ଏକ ବଳିଷ୍ଠ ନୀତିର ଆବଶ୍ୟକତା ରହିଛି । ନୀତି ନିପୁଣତା ଏକ କୁଶଳୀ ବ୍ୟକ୍ତିତ୍ୱର ପରିଚାୟକ । ଏହି ନୀତି ଏପରି ହେବା ଉଚିତ ଯେ,ଯାହା ମନର ସମସ୍ତ କୁଟିଳତାକୁ ଦୂର କରି ବ୍ୟକ୍ତିକୁ ଦୂରଦର୍ଶି କରିବାରେ ସହାୟକ ହେବ । ଏହିପରି ବ୍ୟକ୍ତିହିଁ ଏକ ଦନ୍ତ ବିଶିଷ୍ଠ ବିଘ୍ନ ବିନାଶକ ଗଣପତି ରୂପେ ସର୍ବଜନାଦୃତ ହୋଇଥାନ୍ତି ।
ଗଣେଶଙ୍କ ବିଚିତ୍ର ଶରୀରାକୃତି ମଧ୍ୟରେ ମୁଖମଣ୍ଡଳ ବ୍ୟତୀତ ତାଙ୍କର ପୃଥୁଳ ଉଦର ଅନ୍ୟତମ ।ଉଦର ସହିତ ହଜମ ଶକ୍ତିର ସମ୍ବନ୍ଧ ଯୋଡାଯାଏ । କିନ୍ତୁ ଏଠାରେ କୌଣସି ସ୍ଥୂଳ ଖାଦ୍ୟ ପଦାର୍ଥ ହଜମ କରିବା ପ୍ରସଙ୍ଗ ଆସୁ ନାହିଁ । କେତେକ ଲୋକ ଅଛନ୍ତି କୌଣସି ଭଲ ବା ମନ୍ଦ କଥା ମନରେ ରଖିପାରନ୍ତି ନାହିଁ । ଅନ୍ୟ ମାନଙ୍କ ଆଗରେ ଉଦ୍ଗାର କରି ଦିଅନ୍ତି । ସେପରି ବ୍ୟକ୍ତିଙ୍କୁ ସାଧାରଣତଃ କୁହାଯାଏ ଯେ “ସେ କୌଣସି କଥା ହଜମ କରି ପାରନ୍ତି ନାହିଁ ।” ଅନ୍ୟ କେତେକଙ୍କ ପାଇଁ କୁହାଯାଏ, “ତାଙ୍କ ପେଟର ଆଦି ଅନ୍ତ ପାଇବା ମୁସ୍କିଲ ।” ଏପରି ବ୍ୟକ୍ତି ଜ୍ଞାନବାନ ଅଟନ୍ତି । ତାଙ୍କ ସାମନାରେ ଯାହାବି ନିନ୍ଦା,ସ୍ତୁତି,ଜୟ,ପରାଜୟ, ଭଲମନ୍ଦ ପରିସ୍ଥିତି ଆସୁ ତାକୁ ସେ ଆତ୍ମସ୍ଥ କରି ଦିଅନ୍ତି । ତାଙ୍କ ମନ କୌଣସି ପ୍ରକାରେ ବିଚଳିତ ହୁଏନାହିଁ । ଏହିପରି ବ୍ୟକ୍ତି ଲମ୍ବୋଦର ଗଣେଶଙ୍କ ସହିତ ତୁଳନୀୟ।
ଗଣେଶଙ୍କ ବସିବା ମୁଦ୍ରାର ମଧ୍ୟ ଏକ ଆଧ୍ୟାତ୍ମିକ ଅର୍ଥ ଅଛି । ତାଙ୍କ ଦକ୍ଷିଣ ପାଦ ବସିବା ଆସନରୁ ତଳକୁ ଲମ୍ବି ଭୂମି ସ୍ପର୍ଶ କରୁଥାଏ ଓ ବାମ ପାଦ ଆସନ ଉପରେ ଦକ୍ଷିଣ ଜାନୁର ନିମ୍ନ ଭାଗରେ ଚାପି ହୋଇ ରହିଥାଏ । ଦକ୍ଷିଣ ପାଦ ପୃଥିବୀକୁ ସ୍ପର୍ଶ କରିବା ଅର୍ଥ ଜଗତର ଅସ୍ତିତ୍ୱକୁ ସୂଚିତ କରେ । ଏହା ପ୍ରମାଣ କରେ ଯେ ଜଗତ ମିଥ୍ୟା ନୁହେଁ, ସତ୍ୟ ଅଟେ ଏବଂ ଏହା ସହିତ ଆମ ଜୀବନର ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ଜଗତ ସ୍ୱପ୍ନ ମାତ୍ର ନୁହେଁ । ଏଠାରେ ରହି ବିଭିନ୍ନ ସମସ୍ୟାର ସମାଧାନ ପୂର୍ବକ ଆମକୁ ଆଗେଇ ଯିବାକୁ ହେବ । ଜଗତକୁ ସ୍ୱପ୍ନ ମାତ୍ର ଭାବି ଆଖି ବନ୍ଦ କରି ନୀରବ ନିଶ୍ଚଳ ନିଷ୍କ୍ରିୟ ରହିବା ଅଜ୍ଞାନତାର ପରିଚାୟକ । ଗୋଟିଏ ଗୋଡ ତଳକୁ ଓ ଅନ୍ୟ ଗୋଡ ଉପରେ ରହିବା ଅନ୍ୟ ଏକ ଆଧ୍ୟାତ୍ମିକ ଭାବକୁ ମଧ୍ୟ ସୂଚିତ କରେ । ତାହା ହେଲା , ଯେ କୌଣସି ପରିସ୍ଥିତିରେ ମଧ୍ୟ ସର୍ବଦା ସତର୍କ ଓ ପ୍ରସ୍ତୁତ ରହିବା । ଗୋଟିଏ ଗୋଡ କାର୍ଯ୍ୟକ୍ଷେତ୍ରକୁ ଓହ୍ଲାଇ ଆସି ପ୍ରସ୍ତୁତ ଅଛି , କେବଳ ଅନ୍ୟ ଗୋଡଟିକୁ ସିଧା କରି ଛିଡା ହେବା କଥା । ଯେଉଁ ବ୍ୟକ୍ତି ନିଜ ମନକୁ ସଂସାରରୁ ଅପସାରିତ କରି ଆତ୍ମସ୍ଥ ଥାଆନ୍ତି , ଆବଶ୍ୟକ ପଡିଲେ ନିମିତ୍ତ ଭାବରେ କର୍ମକ୍ଷେତ୍ରକୁ ଓହ୍ଲାଇ ଆସନ୍ତି ଓ କର୍ମର ପରିସମାପ୍ତି ପରେ କ୍ଷଣକରେ ଆତ୍ମସ୍ଥ ହୋଇ ଯାଆନ୍ତି , ସେହିପରି ଜ୍ଞାନନିଷ୍ଠ ବ୍ୟକ୍ତିଙ୍କ ସ୍ଥିତିର ପରିଚାୟକ ହେଉଛି ଗଣେଶଙ୍କ ଏହି ଏକପାଦାସନ ମୁଦ୍ରା ।
ପୃଥୁଳକାୟ ଗଣେଶଙ୍କ ବାହନ ଏକ ଖର୍ବକାୟ ମୁଷିକା , ଏକ ବିଚିତ୍ର ପରିକଳ୍ପନା ! କିନ୍ତୁ ଏହାର ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଭାବ ରହିଛି । ମୂଷାର ସ୍ୱଭାବ ହେଲା କୌଣସି ଜିନିଷକୁ ଟିକି ଟକି କରି କାଟି ପକାଇବା । ସେ କାଟିବା ପୂର୍ବରୁ ସେହି ଜିନିଷର ମୂଲ୍ୟାଙ୍କନ କରେ ନାହିଁ । ଏହା ସହିତ ଏକ କୁତର୍କୀ ବ୍ୟକ୍ତିର ତୁଳନା କରାଯାଇ ପାରେ । କୁତର୍କୀ ବ୍ୟକ୍ତି କୌଣସି କଥାରେ ନିଜର ବିବେକ ବୁଦ୍ଧିର ପ୍ରୟୋଗ କରେ ନାହିଁ । ଯେତେ ବଡ ମହତ୍ତ୍ବପୂର୍ଣ୍ଣ ଓ ଉପଯୋଗୀ କଥା ହୋଇ ଥାଉନା କାହିଁକି କୁତର୍କ ଦ୍ୱାରା ସେ ତାକୁ ଟୁକୁରା ଟୁକୁରା କରି କାଟି ପକାଏ । ତଦ୍ଦ୍ବାରା ତା’ର ନିଜର ବା ଅନ୍ୟ କାହାରି ଲାଭ ହୁଏ ନାହିଁ । ଜ୍ଞାନବାନ ବ୍ୟକ୍ତି ଏହିପରି କୁତର୍କୀ ପ୍ରବୃତ୍ତିର ଅଧୀନ ହୁଅନ୍ତି ନାହିଁ । ତର୍କକୁ ସେ ନିଜର ଅଧୀନରେ ରଖି ନିଜ ତଥା ଅନ୍ୟର ମଙ୍ଗଳ ପାଇଁ ପ୍ରୟୋଗ କରନ୍ତି । ଏହିପରି କୁବିବେକୀ ଓ କୁତର୍କୀ ପ୍ରବୃତ୍ତି ରୂପକ ମୂଷାକୁ ଯିଏ ବଶୀଭୂତ କରି ବାହନ ରୂପରେ ପ୍ରୟୋଗ କରି ପାରେ , ସେହି ଜ୍ଞାନୀ ବ୍ୟକ୍ତିହିଁ ବିଘ୍ନ ବିନାଶନ ଗଣପତି ପଦବାଚ୍ୟ । ଗଣେଶଙ୍କ ମୂଷିକ ବାହନ ଅବିବେକ ଉପରେ ବିବେକର ବିଜୟକୁ ସୂଚିତ କରେ । ମୂଷାକୁ ସଂଶୟର ପ୍ରତୀକ ରୂପରେ ମଧ୍ୟ ନିଆଯାଇ ପାରେ । ମୂଷା ଘର ମଧ୍ୟରେ ଗାତ ଖୋଳି ଚଟାଣକୁ ଦୁର୍ବଳ କରି ଦିଏ । ସଂଶୟ ବୁଦ୍ଧି ମଧ୍ୟ ବ୍ୟକ୍ତିର ବିବେକ ଓ ଜ୍ଞାନ ଶକ୍ତିକୁ କ୍ଷୀଣ କରି ଦିଏ । ତେଣୁ ସଂଶୟ ପ୍ରବୃତ୍ତିକୁ ବଶୀଭୂତ କରିବା ଏକାନ୍ତ ଆବଶ୍ୟକ । ଏହାହିଁ ଗଣେଶଙ୍କ ମୂଷିକ ବାହନର ରହସ୍ୟ ।
ଗଣେଶଙ୍କୁ ଚର୍ତୁଭୁଜଧାରୀ ହିସାବରେ ଚିତିତ୍ର କରାଯାଏ । ତାଙ୍କ ତିନୋଟି ହାତରେ ଯଥାକ୍ରମେ କୁରାଢ଼ି, ପାଶ , ମୋଦକ ଥାଏ ଓ ଚତୁର୍ଥ ହାତଟି ବରଦ ମୁଦ୍ରାରେ ପ୍ରଦର୍ଶିତ ହୋଇଥାଏ । ଗୀତାରେ ଜ୍ଞାନକୁ ଖଡ୍ଗ ସହିତ ତୁଳନା କରାଯାଇଛି । କୁରାଢ଼ିର ମଧ୍ୟ ଛେଦନ କ୍ଷମତା ଅଛି । ତେଣୁ ଆଧ୍ୟାତ୍ମିକ ଦୃଷ୍ଟିରେ କୁରାଢ଼ିକୁ ଏଠାରେ ଜ୍ଞାନର ପ୍ରତୀକ ରୂପରେ ଗ୍ରହଣ କରାଯାଇପାରେ । କାରଣ ଜ୍ଞାନ ଦ୍ୱାରା ହିଁ ମୋହ,ମମତା ତଥା ଆସୁରିକ ସଂସାର ରୂପୀ ବନ୍ଧନକୁ ଛେଦନ କରାଯାଇପାରେ । ପାଶ ବନ୍ଧନର ପ୍ରତୀକ । ବନ୍ଧନ ଦୁଇ ପ୍ରକାର । ମୋହ ଓ ମମତାର ବନ୍ଧନ ମନୁଷ୍ୟକୁ ଦୁଃଖୀ କରାଏ । ଏଥିପାଇଁ ଏହାକୁ ଜ୍ଞାନର କୁରାଢ଼ିରେ ସମୂଳେ ଛେଦନ କରିବା ଆବଶ୍ୟକ । ଅନ୍ୟ ପକ୍ଷରେ ଈଶ୍ୱରୀୟ ମର୍ଯ୍ୟାଦା ରୂପୀ ବନ୍ଧନ ମନୁଷ୍ୟକୁ ମୁକ୍ତି ଓ ଜୀବନ୍ମୁକ୍ତି ପ୍ରଦାନ କରେ । ଗଣେଶଙ୍କ ପାଶ ଏହି ଦିବ୍ୟ ବନ୍ଧନର ପ୍ରତୀକ । ମୋଦକ ବା ଲଡୁ ସଫଳତା ଓ ଖୁସିର ପ୍ରତୀକ । କୈାଣସି କାର୍ଯ୍ୟରେ ସଫଳତା ପ୍ରାପ୍ତ ହେଲେ ଲୋକେ ଖୁସିରେ ମିଠାଇ (ଲଡୁ) ବାଣ୍ଟନ୍ତି । କିନ୍ତୁ ଏହି ଲଡୁ ତିଆରି ହୁଏ କିପରି? ସାଧାରଣତଃ ବୁଟ ଡାଲିରୁ ପ୍ରସ୍ତୁତ ବେସନରୁ ଲଡୁ ତିଆରି ହୁଏ । ଏଥିପାଇଁ ବୁଟ ଡାଲିକୁ ପେଶିବାକୁ ପଡେ । ତା’ପରେ ତାକୁ ବୁତୁରାଇ ତେଲରେ ବୁନ୍ଦି ଛଣାଯାଏ ଓ ଶେଷରେ ଚିନି ରସରେ ସିକ୍ତ କରି ଲଡୁ ତିଆରି କରାଯାଏ । ବିନା ପରିଶ୍ରମରେ କୈାଣସି କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହୋଇପାରେ ନାହିଁ । ନିରଳସ ପରିଶ୍ରମ କରି ଜ୍ଞାନୀ ବ୍ୟକ୍ତି ସ୍ୱୀୟ ବୁଦ୍ଧି ଓ ପ୍ରଚେଷ୍ଟା ଦ୍ୱାରା କୈାଣସି ମହାନ କାର୍ଯ୍ୟକୁ ନିର୍ବିଘ୍ନ ଭାବରେ ସମାପନ କରି ସଫଳତା ପାଏ । ଏହା ଦ୍ୱାରା ସ୍ୱୟଂ ଖୁସି ପାଇବା ସଙ୍ଗେ ଅନ୍ୟକୁ ମଧ୍ୟ ଖୁସି ବାଣ୍ଟେ । ସଫଳତାକୁ ହାତ ମୁଠାରେ ପାଇ ମଧ୍ୟ ସେ ଅନ୍ୟମାନଙ୍କ ସ୍ତୁତି ବା ମହିମା ଗାନରେ ଅହଙ୍କାର ବଶତଃ ଉନ୍ମତ୍ତ ହୋଇପଡେ ନାହିଁ। ଏହାହିଁ ଗଣେଶଙ୍କ ହାତରେ ଲଡୁ ପ୍ରଦର୍ଶନର ରହସ୍ୟ । ବରଦ ମୁଦ୍ରାରେ ପ୍ରଦର୍ଶିତ ହସ୍ତର ରହସ୍ୟ ହେଲା, ଅନ୍ୟମାନଙ୍କୁ ନିର୍ଭୟତା ଓ ଶାନ୍ତିର ବରଦାନ ଦେବାର ସାମର୍ଥ୍ୟର ସୂଚକ । ଯେତେବେଳେ ପୂର୍ବ ବର୍ଣ୍ଣିତ ତିନି ହାତର ଲକ୍ଷଣରେ ଜ୍ଞାନି ବ୍ୟକ୍ତି ସମୃଦ୍ଧ ହୋଇଯାଏ ସେତେବେଳେ ସେ ଅନ୍ୟମାନଙ୍କୁ ନିର୍ଭୟତା ଓ ଶାନ୍ତି ପ୍ରଦାନ କରିବାରେ ସମର୍ଥ ହୁଏ । ଏହା ଜ୍ଞାନ, ନିଷ୍ଠା ଓ ସ୍ଥିତିର ପରିଚାୟକ ।
ଉପରେ ବର୍ଣ୍ଣିତ ଗଣେଶଙ୍କ ଯେଉଁ ଯେଉଁ ଲକ୍ଷଣ ଗୁଡିକର ଉଲ୍ଲେଖ କରାଗଲା ସେଗୁଡିକ ସୂକ୍ଷ୍ମ ବିବେଚନା କଲେ ଜଣଯାଏ ଯେ ସେ ସ୍ୱୟଂ ଜ୍ଞାନ ଓ ସର୍ବଗୁଣ ସମ୍ପନ୍ନ ଶ୍ରେଷ୍ଠ ମାନବର ପ୍ରତୀକ ଅଟନ୍ତି । ଗଣେଶ ଶିବଙ୍କ ବରପ୍ରାପ୍ତ ପୁତ୍ର ଅଟନ୍ତି । ଏଥିରୁ ଏହା ସ୍ପଷ୍ଟ ହୁଏ,ଯେଉଁମାନେ ପରମାତ୍ମାଙ୍କୁ ନିଜର ଆତ୍ମିକ ପିତା ରୂପେ ଚିହ୍ନି ତାଙ୍କଠାରୁ ଈଶ୍ୱରୀୟ ଜ୍ଞାନ ଆହରଣ ପୂର୍ବକ ନିଜ ଜୀବନରେ ପୂର୍ଣ୍ଣତଃ ବ୍ୟବହାର କରନ୍ତି ଓ ସିଦ୍ଧି ପ୍ରାପ୍ତି ପର୍ଯ୍ୟନ୍ତ ଏକ ନିଷ୍ଠା ଭାବରେ ପୁରୁଷାର୍ଥରତ ରହନ୍ତି ସେମାନଙ୍କ ପ୍ରତୀକ ହେଉଛନ୍ତି ବିଘ୍ନ ବିନାଶକ ଗଣେଶ। ଗଣପତି ବା ଗଣେଶ ହେଉଛନ୍ତି ସମସ୍ତ ଗଣମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ । ଗଣ ଅର୍ଥ ପ୍ରଜା । ଯେଉଁମାନେ ଈଶ୍ୱରୀୟ ଅବତରଣ ସମୟରେ ପରମାତ୍ମାଙ୍କ ପ୍ରଜା ରଚନା କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି ସେମାନଙ୍କ ପ୍ରତୀକ ସ୍ୱରୂପ ହେଉଛନ୍ତି ଗଣପତି । ସେହି ଦୃଷ୍ଟିରୁ ବିଶ୍ୱ ନବ ନିର୍ମାଣରେ ପରମାତ୍ମାଙ୍କ ମାଧ୍ୟମ ପ୍ରଜାପିତା ବ୍ରହ୍ମା ମଧ୍ୟ ଗଣପତି ଶବ୍ଦର ପର୍ଯ୍ୟାୟବାଚୀ । କାରଣ ସେ ହେଉଛନ୍ତି ପରମାତ୍ମା ଶିବଙ୍କ ପ୍ରଥମ ମାନସ ସନ୍ତାନ । ପ୍ରଜାପିତା ବ୍ରହ୍ମା ହିଁ ପ୍ରଥମେ ପରମାତ୍ମା ଶିବଙ୍କଠାରୁ ଈଶ୍ୱରୀୟ ଜ୍ଞାନ ଆହରଣ କରି ନିଜ ଜୀବନରେ ପ୍ରୟୋଗ କରିଥିଲେ ଓ ମାନବ ସମାଜକୁ ଈଶ୍ୱରୀୟ ମାର୍ଗରେ ପରିଚାଳିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଜୀବନ କାହାଣୀ ପଢିଲେ ଜଣାଯାଏ, ସେ ଅତି ଦକ୍ଷତାର ସହିତ ଈଶ୍ୱରୀୟ ନିର୍ଦ୍ଦେଶ ପାଳନ କରି ନୂତନ ସୃଷ୍ଟି ସ୍ଥାପନାରେ ଉତ୍ପନ୍ନ ବିଘ୍ନ ଗୁଡିକର ସମ୍ମୁଖୀନ ହୋଇ ସେ ଗୁଡିକୁ ଅନାୟାସରେ ସମାଧାନ କରିପାରିଥିଲେ । ତେଣୁ ସେ ହିଁ ଯଥାର୍ଥରେ ବିଘ୍ନବିନାଶକ ଗଣପତିଙ୍କ ଜୀବନ୍ତ ସ୍ୱରୁପ ଅଟନ୍ତି । ତାଙ୍କୁ ଆଦର୍ଶ ରୂପେ ସ୍ୱୀକାର କରି ଅନୁସରଣ କଲେ ଆମେ ମଧ୍ୟ ବିଘ୍ନ ବିନାଶକ ହୋଇ ପାରିବା । ଏହା ହିଁ ଗଣପତି ରହସ୍ୟ ।
“ଓମ୍ ଶାନ୍ତି”
🙏🙏🙏🙏🙏🙏🙏🙏🙏
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🙏🙏🙏🙏🙏🙏🙏🙏🙏
Comments
Post a Comment