ଜ୍ଞାନ ପ୍ରବାହ (୮)

🌹🌹🌹🌹🌹🌹🌹🌹🌹

🌼🌼 *ଜ୍ଞାନ ପ୍ରବାହ (୮)* 🌼🌼

🌺🌺🌺🌺🌺🌺🌺🌺🌺

ଡାକ୍ତର ସୁଧାଂଶୁ ଶେଖର ମିଶ୍ର,ପାଟଣାଗଡ 

🌹🌹🌹🌹🌹🌹🌹🌹🌹

ପରମାତ୍ମା ପରମାର୍ଥ ରୂପ, ଜାଣିବା ଯୋଗ୍ୟ, ପରମ ସୁଖଦାୟୀ, ଆଧ୍ୟାତ୍ମିକ, ଆଧିଭୌତିକ ତଥା ଆଧିଭୌତିକ ତାପ ନାଶକାରୀ ଅଟନ୍ତି । ନିଷ୍କାମ ଓ ନିଷ୍ପପଟ ଭାବରେ ତାଙ୍କୁ ଭକ୍ତି ପୂର୍ବକ ସ୍ମରଣ କରିବା ଉଚିତ୍ । କାମନା ଯୁକ୍ତ ଭକ୍ତିରେ ପରମାତ୍ମା ପ୍ରସନ୍ନ ହୁଅନ୍ତି ନାହିଁ । କାମୀ ବ୍ୟକ୍ତି ଭଗବାନଙ୍କ ଅପେକ୍ଷା ସଂସାରକୁ ବେଶୀ ଭଲପାଏ । ଭକ୍ତିର ଫଳ ଭଗବାନ ହେବା ଉଚିତ୍; ସାଂସାରିକ ସୁଖ ନୁହେଁ । ପ୍ରକୃତ ଭକ୍ତ ନିଜ ପାଇଁ କିଛି ଭଗବାନଙ୍କୁ ମାଗେ ନାହିଁ । ସେ ତ ତା’ର ତନ, ମନ, ଧନ ସବୁକିଛି ତାଙ୍କୁ ସମର୍ପଣ କରିଦିଏ । ମାଗିବା ଦ୍ୱାରା ପ୍ରେମର ଧାରା ଛିନ୍ନ ହୁଏ । ଶୁଦ୍ଧ ପ୍ରେମରେ ନେବାର ନୁହେଁ ଦେବାର ଭାବନା ଥାଏ । ଭକ୍ତିର ଫଳ ସ୍ବରୂପ ପାର୍ଥିବ ବସ୍ତୁ କାମନା କଲେ ଭକ୍ତର ମନୋବାଞ୍ଛା ଭଗବାନ ପୂରଣ କରିଥାନ୍ତି; କିନ୍ତୁ ସେ ତା’ଠାରୁ ବହୁତ ଦୂରକୁ ଚାଲି ଯାଆନ୍ତି । ଗୀତାରେ କୁହାଯାଇଛି; “ଦେବାନ୍ ଦେବ ଯଜୋ ଯାନ୍ତି ମଭକ୍ତା ଯାନ୍ତି ମାମପି ।” (ଗୀ୭/୨୩) । ଅର୍ଥାତ୍ ସକାମୀ ଭକ୍ତ ଯେଉଁ ଯେଉଁ ଦେବତାମାନଙ୍କ ପୂଜା କରନ୍ତି, ସେହି ସମସ୍ତ ଦେବତାମାନଙ୍କ ଦ୍ୱାରା ମୁଁ ଇଚ୍ଛିତ ଭୋଗର ପୂର୍ତ୍ତି କରାଏଁ, କିନ୍ତୁ ମୋର ନିଷ୍କାମ ଭକ୍ତି କରୁଥିବା ଭକ୍ତ ମୋତେ ହିଁ ପ୍ରାପ୍ତ ହୁଏ ।

ମାଗିବା ଦ୍ୱାରା ପ୍ରକୃତ ମୈତ୍ରୀର ଗୌରବ କ୍ଷୁଣ୍ଣ ହୋଇଥାଏ । ପ୍ରକୃତ ମିତ୍ର କେବେ କିଛି ମାଗେନାହିଁ । କୃଷ୍ଣଙ୍କ ପ୍ରତି ସୁଦାମାର ଆନ୍ତରିକ ପ୍ରୀତି ଥିଲା । ତାଙ୍କ ପତ୍ନୀ କିଛି ମାଗିବା ପାଇଁ ତାଙ୍କୁ କୃଷ୍ଣଙ୍କ ନିକଟକୁ ପଠାଇଥିଲେ । ପ୍ରିୟ ମିତ୍ରଙ୍କ ଅତୁଳ ବୈଭବ ଦେଖି ମଧ୍ୟ ସୁଦାମା ସ୍ବ ଦାରିଦ୍ର୍ୟ ବିଷୟରେ ମୁହଁ ଖୋଲି ନଥିଲେ । ଦଶଦିନ କ୍ଷୁଧା ତୃଷା ସହ୍ୟକରି ମିତ୍ର ସହିତ ଦେଖା କରିବାକୁ ଦୀର୍ଘ ବାଟ ସେ ଧାଇଁ ଆସିଥିଲେ । ଦୀର୍ଘ ଦିନ ପରେ ବନ୍ଧୁ ଦର୍ଶନ ହେବ, ଖାଲି ହାତରେ କେମିତି ଯିବେ; ଏହି ଭାବନାର ବଶବର୍ତ୍ତୀ ହୋଇ ପାଖରେ ଥିବା ଭଜା ଚାଉଳ ଗଣ୍ଡାକ ନଖାଇ ପ୍ରିୟ ସଖାଙ୍କୁ ଦେବା ପାଇଁ ଯତ୍ନ ପୂର୍ବକ ସାଇତି ରଖିଥିଲେ । ଏହାହିଁ ପ୍ରକୃତ ପ୍ରେମର ନିଦର୍ଶନ । ସେହି ପ୍ରେମର ମୂଲ୍ୟ ନିର୍ଣ୍ଣୟ କରାଯାଇପାରେ ନାହିଁ । ମନୁଷ୍ୟ ଯେତେବେଳେ ଅକୁଣ୍ଠିତ ଭାବରେ ନିଜର ସର୍ବସ୍ବ ପରମାତ୍ମାଙ୍କୁ ସମର୍ପି ଦିଏ, ପ୍ରତିବଦଳରେ ପରମାତ୍ମା ମଧ୍ୟ ତାଙ୍କର ସର୍ବସ୍ବ ମନୁଷ୍ୟକୁ ପ୍ରଦାନ କରନ୍ତି । ପ୍ରଭୁ ପ୍ରେମୀ କିଛି ମାଗେନାହିଁ । ସେ ପ୍ରଭୁଙ୍କୁ ଏତିକି ମାତ୍ର ନିବେଦନ କରେ ଯେ, “ସଂସାର କୂପ ପତିତୋତ୍ତରଣାବଲମ୍ବଂ ଗେହଂଜୁଷାମପି ମନସୁ୍ୟଦିୟାତ୍ ସଦା ନଃ ।” ଅର୍ଥାତ୍, “ହେ ପ୍ରଭୁ, ସଂସାର ରୂପୀ କୂପ ମଧ୍ୟରେ ପତିତ ଜୀବମାନଙ୍କ ନିବୃତ୍ତିର ଅବଲମ୍ବନ ସ୍ବରୂପ ଆପଣଙ୍କ ଚରଣ କମଳରେ ଘର ଗୃହସ୍ଥରେ ଥାଇ ମଧ୍ୟ ଆମ ମନ ସବୁବେଳେ ସ୍ଥିର ରହୁ ।’’

ନିଷ୍କାମ ଭକ୍ତି ସର୍ବଶ୍ରେଷ୍ଠ । ଶ୍ରୀକୃଷ୍ଣଙ୍କ ପ୍ରତିଯୋଗୀମାନଙ୍କ ନିଷ୍କାମ ମମତା ଓ ପ୍ରେମ ନିଷ୍କାମ ଭକ୍ତିର ଦୃଷ୍ଟାନ୍ତ । ଭକ୍ତିର ଫଳ ଜ୍ଞାନ ଏବଂ ବୈରାଗ୍ୟ । ଜ୍ଞାନ ବିନା ଭକ୍ତି ଅନ୍ଧ ଓ ଭକ୍ତି ବିନା ଜ୍ଞାନ ପଙ୍ଗୁ ଅଟେ । ଅଭ୍ୟାସ ଓ ଆବଶ୍ୟକତା ଉପରେ ନିୟନ୍ତ୍ରଣ ରଖିପାରିଲେ ମନ ଈଶ୍ୱରୀୟ ଚିନ୍ତନରେ ଏକାଗ୍ର ହୋଇପାରେ । ଅନ୍ତଃକରଣ ଶୁଦ୍ଧ ନହେବା ପର୍ଯ୍ୟନ୍ତ ଈଶ୍ୱରୀୟ ସ୍ମୃତି ସ୍ଥିର ହୁଏନାହିଁ । ପରନିନ୍ଦା ଓ ଈର୍ଷା (ମତ୍ସର) ଅନ୍ତଃକରଣକୁ ଅଶୁଦ୍ଧ କରିଦିଏ । ଶ୍ରୀମଦ୍ ଭାଗବତ ପ୍ରଥମରୁ ସତର୍କ କରାଇ ଦେଇଛି; “ନିର୍ମତ୍ସରାଣାଂ ସତାଂ” ଅର୍ଥାତ୍ ଈର୍ଷା ରହିତ ହୋଇ କଥା ଶୁଣ । ତେବେ ଈଶ୍ୱର ତୁମ ହୃଦୟରେ ବାନ୍ଧିହୋଇଯିବେ । ମତ୍ସର (ଈର୍ଷା) ସବୁଠାରୁ ବଡ଼ ଶତ୍ରୁ । ଜ୍ଞାନୀ ଓ ଯୋଗୀ ଉଭୟଙ୍କୁ ଏହି ମତ୍ସର ବଡ଼ ହଇରାଣ କରେ । ଏହି ପରିପ୍ରେକ୍ଷୀରେ ନିମ୍ନରେ ପ୍ରଦତ୍ତ ଦୃଷ୍ଟାନ୍ତ ପ୍ରଣିଧାନ ଯୋଗ୍ୟ ।

ଗଙ୍ଗଦେବ ଜଣେ ପ୍ରସିଦ୍ଧ ହଠ ଯୋଗୀ ଥିଲେ । କଥିତ ଅଛି ଯେ ଯୋଗ ସାଧନାରୁ ପ୍ରାପ୍ତ ସିଦ୍ଧି ବଳରେ ସେ ୧୪ଠଠ ବର୍ଷ ବଞ୍ଚିଥିଲେ । ଷୋହଳ ବର୍ଷ ବୟସର ସନ୍ଥ ଜ୍ଞାନେଶ୍ୱରଙ୍କ କୀର୍ତ୍ତି ଶୁଣି ତାଙ୍କ ମତ୍ସର ଜାତ ହେଲା । ଏହି ବାଳକ କ’ଣ ମୋଠାରୁ ମଧ୍ୟ ଜ୍ଞାନୀ? ପ୍ରାପ୍ତ ସିଦ୍ଧିର ପ୍ରଦର୍ଶନ ପାଇଁ ସେ ବ୍ୟାଘ୍ର ପୃଷ୍ଠରେ ଆରୋହଣ କରି ଏବଂ ସର୍ପକୁ ଲଗାମ ରୂପେ ବ୍ୟବହାର ପୂର୍ବକ ଜ୍ଞାନେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ଆସିଲେ । ଜ୍ଞାନଦେବ ଏକଥା ଶୁଣି ଗଙ୍ଗଦେବଙ୍କ ମନୋଭାବ ଜାଣିପାରିଲେ । ସେତେବେଳେ ସେ ଏକ ପଥର ଚଟାଣ ଉପରେ ବସିଥିଲେ । ଅତିଥିଙ୍କ ଅଭ୍ୟର୍ଥନା ତ କରିବାକୁ ହେବ । ତେଣୁ ସେ ଚଟାଣକୁ ଚାଲିବାକୁ ଆଦେଶ ଦେଲେ । ଚଟାଣ ଚାଲୁଥିବା ଦେଖି ଗଙ୍ଗଦେବଙ୍କ ଅଭିମାନ ନଷ୍ଟ ହେଲା । ସେ ହୃଦୟଙ୍ଗମ କଲେ ଯେ ମୁଁ ତ କେବଳ ହିଂସ୍ର ପଶୁମାନଙ୍କୁ ବଶୀଭୂତ କରିଛି, କିନ୍ତୁ ଜ୍ଞାନେଶ୍ୱରଙ୍କ ପାଖରେ ଏପରି ଶକ୍ତି ଅଛି ଯଦ୍ଧ୍ୱାରା ସେ ଜଡ଼ ପଦାର୍ଥକୁ ମଧ୍ୟ ଚୈତନ୍ୟ ପ୍ରଦାନ କରି ପାରୁଛନ୍ତି । ଗଙ୍ଗଦେବ ଜ୍ଞାନେଶ୍ୱରଙ୍କ ଶିଷ୍ୟତ୍ୱ ସ୍ବୀକାର କଲେ । ଏଥିରୁ ସ୍ପଷ୍ଟ ଯେ ହଠ ଯୋଗଦ୍ୱାରା ମନକୁ ନିୟନ୍ତ୍ରିତ କରିବା ଅପେକ୍ଷା ପ୍ରେମ ଦ୍ୱାରା ମନକୁ ବଶୀଭୂତ କରିବା ସର୍ବୋତ୍ତମ ଅଟେ । ହଠ ଯୋଗ ମନକୁ ଏକାଗ୍ର କରିପାରେ, କିନ୍ତୁ ହୃଦୟକୁ ବିଶାଳ କରିପାରେନାହିଁ । ଏହି କାରଣ ହେତୁ ଗଙ୍ଗଦେବ ଜ୍ଞାନେଶ୍ୱରଙ୍କୁ ଈର୍ଷା କରୁଥିଲେ । ଈଶ୍ୱରଭକ୍ତି ହୃଦୟକୁ ବିଶାଳ କରେ । ମତ୍ସର (ଈର୍ଷା) କରୁଥିବା ଜୀବର ଇହ ପରମ ଉଭୟ ଲୋକ ବିଗିଡ଼ି ଯାଏ । ମନରୁ ମତ୍ସର ଅପସାରିତ ହେଲେ ମନମୋହନଙ୍କ ସ୍ବରୂପ (ପରମାତ୍ମା) ମନରେ ସୁଦୃଢ଼ ହୋଇଥାଏ । (କ୍ରମଶଃ)

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296,7609969796

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର