(୩)ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (3)--- ମୂଲ୍ୟର ମୂଲ୍ୟାଙ୍କନ

🌸🌸🌸🌸🌸🌸🌸🌸🌸

 *ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (୩)* 

🌻🌻🌻🌻🌻🌻🌻🌻🌻

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ* 

🌹🌹🌹🌹🌹🌹🌹🌹🌹

 🌼 *ମୂଲ୍ୟର ମୂଲ୍ୟାଙ୍କନ* 🌼

🌹🌹🌹🌹🌹🌹🌹🌹🌹

ମନୁଷ୍ୟ ଦୈନନ୍ଦିନ ଜୀବନରେ ସେହି ବସ୍ତୁ ବା ପଦାର୍ଥଗୁଡ଼ିକୁ ମୂଲ୍ୟବାନ ମନେ କରେ ଯେଉଁ ଗୁଡ଼ିକ ଦ୍ୱାରା ତା’ର ମହତ୍ତ୍ବପୂର୍ଣ୍ଣ ଆବଶ୍ୟକତା ପୂର୍ଣ୍ଣ ହୁଏ । ସନ୍ତୁଷ୍ଟତା, ସଦ୍ଭାବନା, ସହାନୁଭୂତି, ସହନଶୀଳତା, ଧୈର୍ଯ୍ୟ, ନମ୍ରତା, ସଚ୍ଚୋଟତା ଆଦି ଗୁଣଗୁଡ଼ିକୁ ନୈତିକ ମୂଲ୍ୟ, ମାନବୀୟ ମୂଲ୍ୟ ବା ଆଧ୍ୟାତ୍ମିକ ମୂଲ୍ୟର ସଂଜ୍ଞା ଦିଆଯାଇ ପାରିବ । କାରଣ ଏଗୁଡ଼ିକ ଦ୍ୱାରା ମନୁଷ୍ୟ ଆଧ୍ୟାତ୍ମିକ ଉତ୍କର୍ଷ ଲାଭ କରେ । ଏଗୁଡ଼ିକ ତାକୁ ଆନନ୍ଦ ପ୍ରଦାନ କରେ ଓ ଏଗୁଡ଼ିକୁ ଅବଲମ୍ବନ କରି ସେ ସଫଳତାର ଶୀର୍ଷ ଦେଶରେ ପହଞ୍ଚି ପାରେ । ଉଦାହରଣ ସ୍ବରୂପ କୌଣସି ହିତୈଷୀ ବ୍ୟକ୍ତିର ପରାମର୍ଶ ବା ଉପଦେଶ ଦ୍ୱାରା ଯଦି କାହାରି ସମସ୍ୟାର ସମାଧାନ ହୋଇଯାଏ, ତା’ର ଦୁଃଖ ଦୂର ହୋଇଯାଏ, ତା’ର ଚିନ୍ତା ଅନ୍ତର୍ହିତ ହୋଇଯାଏ ଓ ସେ ସଫଳତା ଏବଂ ଖୁସି ପ୍ରାପ୍ତ ହୁଏ ତେବେ ଉକ୍ତ ବ୍ୟକ୍ତିର ପରାମର୍ଶ ବା ଉପଦେଶକୁ ‘ମୂଲ୍ୟବାନ’ ବୋଲି ଲୋକେ ଗ୍ରହଣ କରନ୍ତି । ସେହିପରି ଯେଉଁ ସଦ୍ଗୁଣଗୁଡ଼ିକ ବା ବିଶେଷତାଗୁଡ଼ିକ ଦ୍ୱାରା ମନୁଷ୍ୟକୁ ଉଚ୍ଚ ମାନସିକ ତଥା ଆଧ୍ୟାତ୍ମିକ ଅବସ୍ଥା ପ୍ରାପ୍ତ ହୁଏ; ସେଗୁଡ଼ିକୁ ମଧ୍ୟ ମୂଲ୍ୟ ବୋଲି କୁହାଯାଏ । ହୀରା ମୋତି ଜଡ଼ିତ ସ୍ବର୍ଣ୍ଣ ଆଭୂଷଣ ଧାରଣକାରୀର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ଯେପରି ପରିସ୍ଫୁଟ ହୋଇଥାଏ ସେହିପରି ସଦ୍ଗୁଣ ଧାରଣ ଦ୍ୱାରା ମନୁଷ୍ୟ ଜୀବନ ମୂଲ୍ୟବାନ, ମହାନ୍ ଓ ସୁନ୍ଦର ହୋଇଯାଏ ଏବଂ ସଂପୃକ୍ତ ବ୍ୟକ୍ତି ଆକର୍ଷଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇ ସର୍ବ ଜନାଦୃତ ହୁଅନ୍ତି । ଆଭୂଷଣରେ ବ୍ୟବହୃତ ଧାତୁର ଶୁଦ୍ଧତା ଆଧାରରେ ତା’ର ମୂଲ୍ୟାଙ୍କନ ହୁଏ । ସେହିପରି ବ୍ୟକ୍ତି ଧାରଣ କରିଥିବା ଗୁଣ ତା’ର ଆଚାର-ବ୍ୟବହାରକୁ କେତେ ଶୁଦ୍ଧ, ନିର୍ମଳ, ନିଷ୍କଳଙ୍କ ଓ ସୁନ୍ଦର କରି ପାରିଛି ତଥା ସେଗୁଡ଼ିକ ତା’ର ବ୍ୟକ୍ତିତ୍ୱରେ କେତେ ଅଲୌକିକତା ଭରି ଦେଇଛି ଏସବୁ ବିଚାର କରି ମୂଲ୍ୟର ମୂଲ୍ୟାଙ୍କନ କରାଯାଇଥାଏ ।


*ମୂଲ୍ୟ ସଂକଟ* 


ମୂଲ୍ୟଗୁଡ଼ିକର ମୂଲ୍ୟ ଜାଣି ନ ଥିବା ହେତୁ ମନୁଷ୍ୟ ତାହା ପାଳନ କରିବାରେ ଆଗ୍ରହ ପ୍ରକାଶ କରୁ ନାହିଁ । ଏହାର ପରିଣାମ ସ୍ବରୂପ ତା’ର ଆଚାର ବ୍ୟବହାର, ସ୍ବଭାବ ଓ ସଂସ୍କାରରେ ନକାରାତ୍ମକ ପ୍ରବୃତ୍ତି ଦେଖାଯାଉଛି । ଏହାର କୁପ୍ରଭାବ କେବଳ ଇହ ଜନ୍ମରେ ନୁହେଁ, ଅପିତୁ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ପଡ଼େ ।


ତେଣୁ ସେ ଚାହିଁଲେ ମଧ୍ୟ ଇହଜନ୍ମର କୌଣସି କୁଅଭ୍ୟାସକୁ ସହଜରେ ତ୍ୟାଗ କରି ପାରେ ନାହିଁ । ଜନ୍ମ ଜନ୍ମାନ୍ତରରୁ କରି ଆସିଥିବା କୁକର୍ମର ଫଳ ସ୍ବରୂପ ମଣିଷ ବାରମ୍ବାର ନକାରାତ୍ମକ କର୍ମରେ ପ୍ରବୃତ୍ତ ହୁଏ । ଚାରିତ୍ରିକ ଅଧଃପତନର ଏହାହିଁ କାରଣ । ବର୍ତ୍ତମାନ ଜନ୍ମର ଦୁଃଖ, ଅଶାନ୍ତି ଓ ଅସଫଳତା ପାଇଁ ପୂର୍ବ ଜନ୍ମର କୁକୃତ୍ୟ କିଛି ମାତ୍ରାରେ ଦାୟୀ । କର୍ମର ଏହି ଗୁହ୍ୟ ଗତି ହୃଦୟଙ୍ଗମ କରି ଯେଉଁମାନେ ଦୃଢ଼ତା ପୂର୍ବକ ମୂଲ୍ୟଗୁଡ଼ିକୁ ଧାରଣ କରନ୍ତି ସେମାନଙ୍କ ଇହ ଓ ପର ଉଭୟ ଜନ୍ମ ସୁଖ ଶାନ୍ତି ଓ ସମୃଦ୍ଧଶାଳୀ ହୁଏ । ଏହାର ବିପରୀତ ମୂଲ୍ୟଗୁଡ଼ିକୁ ଧାରଣ କରୁ ନଥିବା ବ୍ୟକ୍ତିର ସମାଜରେ କୌଣସି ମୂଲ୍ୟ ରହେ ନାହିଁ ଏବଂ ସେମାନେ ନିଜ ପାଇଁ ତଥା ସମାଜ ପାଇଁ ଅନର୍ଥକାରୀ ଅମଙ୍ଗଳକାରୀ ଓ ଉପଦ୍ରବକାରୀ ହୋଇ ମୂଲ୍ୟ ସଂକଟର କାରଣ ହୁଅନ୍ତି । ଯେଉଁମାନଙ୍କ ପାଖରେ ଯେଉଁ ମାତ୍ରାରେ ମୂଲ୍ୟ ଥାଏ ତଦନୁସାରେ ସେମାନଙ୍କର ମୂଲ୍ୟ ହୁଏ ଓ ସେମାନେ ସେତିକି ମହାନ୍ ରୂପେ ଗଣ୍ୟ ହୁଅନ୍ତି । ସାରାଂଶରେ କହିବାକୁ ଗଲେ ମୂଲ୍ୟ ଅଭାବରେ ଜୀବନ ଜିଇଁବା ଯୋଗ୍ୟ ହୁଏ ନାହିଁ ।


ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜ ବିନା ତା’ର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ନୁହେଁ । ବ୍ୟକ୍ତିରୁ ପରିବାର ଓ ପରିବାରରୁ ସମାଜ ଗଠନ ହୁଏ । ସ୍ନେହ, ପ୍ରେମ ଓ ମୈତ୍ରୀପୂର୍ଣ୍ଣ ସହାବସ୍ଥାନ ଦ୍ୱାରାହିଁ ମନୁଷ୍ୟ ପ୍ରକୃତ ସୁଖ, ଶାନ୍ତି ଏବଂ ଆନନ୍ଦ ଲାଭ କରେ । ବିପଦ ସମୟରେ ଯଦି ମିତ୍ର ସାହାଯ୍ୟ ନ କରେ ସେପରି ମିତ୍ରତାର କୌଣସି ମୂଲ୍ୟ ନାହିଁ । ବିଶ୍ୱାସନୀୟ, ସେବାଭାବ, ତ୍ୟାଗ, ସ୍ନେହ ଆଦି ମୂଲ୍ୟ ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୁଏ । ନାଗରିକମାନଙ୍କ ମଧ୍ୟରେ ଏକତା ଓ ନୈତିକତା ଆଧାରରେ କୌଣସି ରାଷ୍ଟ୍ରର ମହାନତା ନିରୂପିତ ହୁଏ । କୌଣସି ବ୍ୟକ୍ତି ଯଦି କେବଳ ନିଜ ସ୍ବାର୍ଥ ସିଦ୍ଧି ନିମନ୍ତେ ତତ୍ପର ରହେ ତେବେ ତା’ର ଜୀବନ ବ୍ୟର୍ଥ । ଭାରତୀୟ ଦାର୍ଶନିକଗଣ ପରୋପକାର ଦ୍ୱାରା ସ୍ବର୍ଗପ୍ରାପ୍ତି (ସୁଖ, ଶାନ୍ତି, ଆନନ୍ଦ ଆଦି) ପରପୀଡ଼ନ ଦ୍ୱାରା ନର୍କ (କଳହ, କ୍ଳେଶ, ଅଶାନ୍ତି ଆଦି) ପ୍ରାପ୍ତି ହୁଏ ବୋଲି କହନ୍ତି । ସଂପ୍ରତି ମୂଲ୍ୟ ସଂକଟର ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ନୈତିକ ମୂଲ୍ୟ ଧାରଣ ଦ୍ୱାରା ହିଁ ସୁଖମୟ ସଂସାରର ପୁନର୍ସ୍ଥାପନା ସମ୍ଭବ ।

💐💐💐💐💐💐💐💐💐

(ବି:ଦ୍ର: ଆସନ୍ତା ସଂଖ୍ୟାରେ ମୂଲ୍ୟ ଗୁଡ଼ିକର ବର୍ଗୀକରଣ ଯଥା: ବୈଶ୍ୱିକ ମୂଲ୍ୟ, ମାନବୀୟ ମୂଲ୍ୟ ଓ ଅଳ୍ପକାଳିକ ମୂଲ୍ୟ ବିଷୟରେ ଆଲୋଚନା କରାଯିବ)

❤️❤️❤️❤️❤️❤️❤️❤️❤️

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796


🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର