ଜ୍ଞାନ ପ୍ରବାହ (୧୨)

🌹🌹🌹🌹🌹🌹   🌹 🌹🌹

🌸🌸 *ଜ୍ଞାନ ପ୍ରବାହ (୧୨)* 🌸🌸

🌼🌼🌼🌼🌼🌼🌼🌼🌼

ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

🌺🌺🌺🌺🌺🌺🌺🌺🌺

କହିବା, କରିବା ଓ ଆଚରଣରେ ସମତା ରହିଲେ ଶବ୍ଦରେ  ଶକ୍ତି ଆସେ । ଏହି ପରିପ୍ରେକ୍ଷୀରେ ସନ୍ଥ ଏକନାଥଙ୍କ ସମୟର ଏକ ସତ୍ୟ ଘଟଣା ପ୍ରଣିଧାନ ଯୋଗ୍ୟ । ଥରେ ଜଣେ ମାତା ନିଜ ପୁତ୍ରକୁ ଧରି ତାଙ୍କ ନିକଟରେ ପହଞ୍ଚି ନିବେଦନ କଲେ, ମହାରାଜ, ମୋର ପୁଅ ଗୁଡ଼ ଯେପରି ଛାଡିଦେବ ସେହିପରି ଆଶିର୍ବାଦ କରନ୍ତୁ । ସନ୍ଥଜୀ ସେତେବେଳେ ଆଶୀର୍ବାଦ କଲେ ନାହିଁ । କିଛି ଦିନ  ପରେ ପୁଅକୁ ଧରି ଆସିବାକୁ କହିଲେ । ତା’ର କାରଣ ହେଲା ସେ ସ୍ବୟଂ ଗୁଡ଼ ଖାଉଥିଲେ । ସେହି ଦିନଠୁଁ ସେ ଗୁଡ଼ ଖାଇବା ଛାଡି ଦେଲେ ଓ ଭଗବାନଙ୍କୁ ପ୍ରାର୍ଥନା କଲେ, “ହେ ପ୍ରଭୁ, ଆଜିଠାରୁ ମୁଁ ଗୁଡ଼ ଖାଇବା ଛାଡି ଦେଉଛି । କୃପା କର, ଯେପରି ମୋର ବାଣୀରେ ଶକ୍ତି ଆସିବ ।” କିଛି ଦିନ ଉତ୍ତାରେ ସେହି ବୃଦ୍ଧା ଜଣକ ପୁତ୍ର ସହିତ ଆଶ୍ରମରେ ପହଞ୍ଚିଲେ । ସେହି ସମୟରେ ସେ ବାଳକକୁ ଗୁଡ଼ ଛାଡିବା ପାଇଁ ଉପଦେଶ ଦେଇ ଆଶୀର୍ବାଦ ଦେଲେ ।


ଶତ୍ରୁତା, ମୈତ୍ରୀ ଓ ପ୍ରେମ ଦ୍ୱାରା ଶାନ୍ତ ହୁଏ । ମହାଭାରତ ଯୁଦ୍ଧର ଅନ୍ତିମ ପଯ୍ୟାୟରେ ଅର୍ଜୁନ ଓ ଅଶ୍ୱତ୍ଥାମାର ଯୁଦ୍ଧ ଲାଗିଥିଲା । ଅର୍ଜୁନ ପ୍ରତିଜ୍ଞା କରିଛନ୍ତି ଯେ ଅଶ୍ୱତ୍ଥାମାକୁ ବଧ କରି ପୁତ୍ର ହତ୍ୟାର ପ୍ରତିଶୋଧ ନେବେ । ଶେଷ ମୁହୂର୍ତ୍ତରେ ତାଙ୍କ ବିଚାର ବଦଳି ଗଲା । ଗୁରୁ ପୁତ୍ରକୁ ମାରିବା ପାଇଁ ତାଙ୍କ ହାତ ଉଠିଲା ନାହିଁ । ତେଣୁ ତାକୁ ବାନ୍ଧି କରି ସେ ଦୌପଦୀଙ୍କ ନିକଟକୁ ନେଇ ଆସିଲେ । ଦୌପଦୀ ଅଗଣାରେ ବସି  ପୁତ୍ର ଶୋକରେ ମଗ୍ନ ଥିଲେ । ବନ୍ଦୀ ଅଶ୍ୱତ୍ଥାମାକୁ ଦେଖି ଦୌଡି ଆସିଲେ । ତାଙ୍କୁ ବନ୍ଦନା କଲେ ଓ କହିଲେ ମୋ ଦୁଆରେ ବ୍ରାହ୍ମଣର ଅପମାନ  କର ନାହିଁ ପାଞ୍ଚ ପୁତ୍ରର ହତ୍ୟାକାରୀ ଅଶ୍ୱତ୍ଥାମାକୁ ସମ୍ମୁଖରେ ଦେଖି ମଧ୍ୟ ତାଙ୍କ ମଧ୍ୟରେ କ୍ରୋଧ ଜାତ ହେଲା ନାହିଁ । ଅଶ୍ୱତ୍ଥାମା ଭାବୁଛନ୍ତି ବାସ୍ତବିକ “ଦୌପଦୀ ! ଲୋକେ ତୁମର ଯେତିକି ପ୍ରଶଂସା କରନ୍ତି ତାହା ବହୁତ କମ ଅଟେ, ତୁମେ ଶତ୍ରୁତାର ପ୍ରତିଶୋଧ ପ୍ରେମ ଦ୍ୱାରା ନେଇଛ ।”


ଯା’ର ସ୍ବଭାବ ଅତ୍ୟନ୍ତ ସୁନ୍ଦର ସେହିଁ ଭଗବାନଙ୍କ ଅତି ପ୍ରିୟ ଅଟେ । ସ୍ବଭାବ ସୁନ୍ଦର କେତେବେଳେ ହୁଏ? ଯେତେବେଳେ ଅପକାରୀ ପ୍ରତି ମଧ୍ୟ ଉପକାର କରିବା ଭାବନା ଜାଗ୍ରତ ହୁଏ ସେତେବେଳେ ବ୍ୟକ୍ତିର ସ୍ବଭାବ ସୁନ୍ଦର ହୋଇଥାଏ । ଦୌପଦୀ କହୁଛନ୍ତି, ଅଶ୍ୱତ୍ଥାମାଙ୍କୁ ଛାଡି ଦିଅ, ମାର ନାହିଁ । ସେ ଗୁରୁପୁତ୍ର ଅଟନ୍ତି । ଯେଉଁ ବିଦ୍ୟା ଗୁରୁ ଦ୍ରୋଣାଚାର୍ଯ୍ୟ ନିଜ ପୁଅକୁ ଦେଇ ନାହାନ୍ତି ତାହା ତୁମକୁ ଦେଇଛନ୍ତି । ସେସବୁ କ’ଣ ଭୁଲି ଗଲ?” ଦ୍ରୌପଦୀ ଦୟାର ପ୍ରତୀକ । “ଦୟା” ରୂପୀ ଦୌପଦୀଙ୍କ ସହିତ ଯେତେବେଳେ ହୃଦୟ ବିବାହ ନ କରିଛି ସେପର୍ଯ୍ୟନ୍ତ ଭଗବାନ ତା’ର ସାରଥି (ମାର୍ଗ ଦର୍ଶନ) ହୁଅନ୍ତି ନାହିଁ । ଅର୍ଜୁନ ଜୀବାତ୍ମା ଗୁଡାକେଶ ଏବଂ ପରମାତ୍ମା ହୃଷୀକେଶ ଅଟନ୍ତି । ଇନ୍ଦିୟ ରୂପୀ ଘୋଡାମାନଙ୍କ ଲଗାମ ପରମାତ୍ମାଙ୍କ ହାତରେ ଛାଡି ଦେଲେ କଲ୍ୟାଣ ହୁଏ । ଇନ୍ଦ୍ରିୟ ସମୂହକୁ ଭଗବାନଙ୍କ ସ୍ମୃତି ଓ ସେବାରେ ବିନିଯୋଗ କଲେ ସେଗୁଡିକ ଆୟତ୍ତରେ ରହନ୍ତି । ପରମାତ୍ମା କେବେ ହେଲେ ମଧ୍ୟ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୁଅନ୍ତି ନାହିଁ । ତେଣୁ ସେ ହୃଷିକେଶ । ଯୁଧିଷ୍ଠିର ଧର୍ମର ପ୍ରତୀକ । ଭୀମ ବଳର ପ୍ରତୀକ । ସହଦେବ ଓ ନକୁଳ ଯଥାକ୍ରମେ ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ । ଏହି ଚାରିଗୁଣ ଯୁକ୍ତ ଜୀବ ହେଉଛି ଅର୍ଜୁନ । ଏହି ଗୁଣଗୁଡିକ ସେତେବେଳେ ଶୋଭନୀୟ ହୁଏ ଯେତେବେଳେ ଦୟା ରୂପୀ ଦ୍ରୌପଦୀ ତା’ର ପତ୍ନୀ ହୁଏ । ଦ୍ରୌପଦୀ କେବେ ଓ କିପରି ପ୍ରାପ୍ତ ହୁଅନ୍ତି? ଜୀବାତ୍ମା ଯେତେବେଳେ ଧର୍ମକୁ ମହତ୍ତ୍ବ ଦେଇଥାଏ, ସେତେବେଳେ ଦୟାରୂପୀ  ଦ୍ରୌପଦୀ ବରଣ କରନ୍ତି । ଏପରି ବ୍ୟକ୍ତିକୁ ପରମାତ୍ମା ସାରଥି ରୂପେ ମିଳନ୍ତି ।


ଆଜିକାଲି ଲୋକେ  ଧର୍ମକୁ ବଡ ମାନୁ ନାହାନ୍ତି । ସେମାନଙ୍କ ପାଇଁ ଧନ ବଡ । ଏଥିପାଇଁ ସେମାନେ ସଂଯମ ଓ ସଦାଚାର ଭୁଲିଯାଉଛନ୍ତି । ମାନବ ଜୀବନରେ ଧର୍ମ ମୁଖ୍ୟ, ଧନ ନୁହେଁ । ଧର୍ମର ମର୍ଯ୍ୟାଦା ମଧ୍ୟରେ ରହି ଧନ ଉପାର୍ଜନ କରିବା ଉଚିତ ।  କୌଣସି କର୍ମ କରିବା ପୂର୍ବରୁ ନିଜକୁ ନିଜେ ପଚାରିବା ଉଚିତ ଯେ ଏହାଦ୍ୱାରା କୌଣସି ପାପ ତ  ନାହିଁ? ଆମେ ଯଦି ଅର୍ଜୁନ ପରି ଜୀବନ ବିତାଇବା ତେବେ ଭଗବାନ ସାରଥି ରୂପରେ ମିଳିବେ । ଦ୍ରୌପଦୀ ଅଶ୍ୱତ୍ଥାମାର ଜୀବନ ରକ୍ଷା କଲେ ଏବଂ ଅର୍ଜୁନଙ୍କୁ କହିଲେ । “ଏହାଙ୍କୁ ଯଦି ମାରି ଦିଆଯିବ ତେବେ ସୁଦ୍ଧା ମୋର ପାଞ୍ଚ ପୁତ୍ର ପୁର୍ନଜୀବିତ ହେବେ ନାହିଁ । ପରନ୍ତୁ ଏହାଙ୍କ ନିଧନରେ ତାଙ୍କ ମାତା ଗୌତମୀଙ୍କୁ ଅତି ଦୁଃଖ ହେବ । ମୁଁ ବର୍ତ୍ତମାନ ସଧବା ଅଟେ । ଅଶ୍ୱତ୍ଥାମାର ମାତା ବିଧବା ଅଟନ୍ତି । ସେ ପତିଙ୍କ ନିଧନ ପରେ ପୁତ୍ରର ଆଶ୍ୱାସନାରେ ବଞ୍ଚି ରହିବେ । ସେ ଯେତେବେଳେ ପୁତ୍ର ଶୋକରେ ରୋଦନ କରିବେ ମୁଁ ସହ୍ୟ କରି ପାରିବି ନାହିଁ । କାହାରି ଆଶୀର୍ବାଦ ନ ମିଳୁ ପଛେ; କିନ୍ତୁ କାହାରି ଅଭିଶାପ ପ୍ରାପ୍ତ ହେବା ଠିକ ନୁହେଁ । ଏମିତି କୌଣସି କର୍ମ କରିବା ଅନୁଚିତ ଯଦ୍ୱାରା କାହାକୁ ଦୁଃଖ ପହଞ୍ଚିବ ।


ସାମାନ୍ୟ ମନୁଷ୍ୟ ଅତି ସୁଖରେ ଭଗବାନଙ୍କୁ ଭୁଲିଯାଏ । ଭଗବାନ (ପରମାତ୍ମା) ପ୍ରାଣୀମାନଙ୍କ ଅନେକ ଉପକାର କରନ୍ତି । ଏକ କଥା ଭୁଲିବା ଉଚିତ ନୁହେଁ । ମଣିଷ କୌଣସି ରୋଗରୁ ଆରୋଗ୍ୟ ହେଲେ ତା’ର ଶ୍ରେୟ ଡାକ୍ତର ଓ ଔଷଧକୁ ଦିଏ । ସେ ଭଗବାନ ରକ୍ଷା କଲେ ବୋଲି ସ୍ବୀକାର କରେ ନାହିଁ । ଅନେକ ସମୟରେ ଡାକ୍ତରମାନେ ମଧ୍ୟ ନିରାଶ ପଡନ୍ତି ଓ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ କହନ୍ତି । ଜଣେ ବିଶିଷ୍ଟ ପାଶ୍ଚାତ୍ଯ ଡାକ୍ତର କହିଥିଲେ, We try God cure ଅର୍ଥାତ ଚେଷ୍ଟା କରିବା ହିଁ ଆମ କାମ । ଆରୋଗ୍ୟ ପ୍ରଦାନ ପରମାତ୍ମାଙ୍କ ହାତରେ । ଡାକ୍ତରମାନଙ୍କ ପାଖରେ ରକ୍ଷାଶକ୍ତି ନାହିଁ । ଅନ୍ୟଥା ସାଧାରଣ ଡାକ୍ତରଖାନା କଥା ଛାଡି ଦିଆଯାଉ, ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ବିଶେଷଜ୍ଞ ଡାକ୍ତରମାନଙ୍କ ସେବା ସମ୍ପନ୍ନ ଡାକ୍ତରଖାନାରେ କେବେ ରୋଗୀ ମରନ୍ତେ ନାହିଁ ।


ସକାଳେ, ଦ୍ୱିପ୍ରହରରେ ଓ ରାତ୍ରିରେ ଶୋଇବା ପୂର୍ବରୁ ଅନ୍ତତଃ ଏହି ତିନିଥର ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଏହା ବ୍ୟତୀତ ସୁଖାବସାନେ, ଦୁଃଖାବସାନେ ଓ ଦେହାବସାନେ ମଧ୍ୟ ତାଙ୍କୁ ସ୍ମରଣ କରିବା ବିଧେୟ । ଦୁଃଖ ସମୟରେ ମଣିଷର ହିତାହିତ ଜ୍ଞାନ ଉପୁଜେ ଓ ସେ ଭଗବାନଙ୍କୁ ସ୍ମରଣ କରେ । ତେଣୁ ବିପତ୍ତି ହିଁ ପ୍ରକୃତ ସମ୍ପତ୍ତି। ଯେଉଁ ଦୁଃଖରେ ପରମାତ୍ମା ସ୍ମୃତିକୁ ଆସନ୍ତି ତାହା ତ ସୁଖ ଅଟେ । ତାକୁ ଦୁଃଖ କିପରି କହିବା । ତେଣୁ କୁନ୍ତୀ ଜୀବନରେ ସର୍ବଦା ବିପଦ ଆସୁ ବୋଲି ବରଦାନ ମାଗିଥିଲେ ।


ବିପଦଃ ସନ୍ତୁ ନ ଶାଶ୍ୱତ୍ତତ୍ର 

ତତ୍ର ଜଗତ୍ ଗୁରୋ

ଭବତୋ ଦର୍ଶନଂ ଯତ୍ସ୍ୟା ଦପୁ

ନ ଉର୍ବ ଦର୍ଶନମ୍ ।

ାା ଭା ୧-୮-୨୫ ।ା


(ଅର୍ଥାତ୍ “ହେ ଜଗତ୍ ଗୁରୁ! ଆମ ଜୀବନରେ ପ୍ରତି ମୁହୂର୍ତ୍ତରେ ବିପଦ ଆସୁଥାଉ । କାରଣ ବିପଦ ସମୟରେ ହିଁ ନିଶ୍ଚିତ ଭାବରେ ଆପଣଙ୍କ ଦର୍ଶନ ମିଳିଥାଏ; ଯଦ୍ୱାରା ପୁଣି ଏ ଦୁଃଖମୟ ଦୁନିଆକୁ ଆଉ ଦର୍ଶନ କରିବାକୁ ପଡେ ନାହିଁ ।”)


ବିଦ୍ୟା ମଦ, ଯୌବନ ମଦ, ଦ୍ରବ୍ୟ ମଦ ଓ ଅଧିକାର  ମଦ ପରମାତ୍ମା ବିସ୍ମୃତିର କାରଣ । ତେଣୁ ମଣିଷର ଦର୍ଶନ, ଚିନ୍ତନ ଓ ବର୍ଣ୍ଣନରେ ବିକୃତି ଆସିଥାଏ । ମଣିଷ ନିଜର ପାପ ଦେଖି ପାରେ ନାହିଁ, କିନ୍ତୁ ଅନ୍ୟମାନଙ୍କ ସାମାନ୍ୟ ଦୁଷ୍କୃତି ମଧ୍ୟ ତା’ ଆଖିରୁ ଏଡାଇ ଯାଏ ନାହିଁ । ତା ମନରେ ସେହି ବିଷୟରେ ଚିନ୍ତନ ଚାଲେ । ସେ ନିଜ ଦୋଷ ଶୁଣିବାକୁ କୁଣ୍ଠିତ ହୁଏ କିନ୍ତୁ ଅନ୍ୟର ଦୋଷ ବର୍ଣ୍ଣନା ତାକୁ ସୁଖକର ଲାଗେ । ସଂକଳ୍ପ ହେଉଛି ମନର ଭୋଜନ । ବିକୃତ ସଂକଳ୍ପ ମନକୁ ରୋଗାକ୍ରାନ୍ତ କରେ ଓ ସେ ଦୁଃଖୀ ହୁଏ । ତେଣୁ କାହାରି ପାପ କର୍ମ ଦେଖିବା, ଶୁଣିବା ଓ ବର୍ଣ୍ଣନ କରିବା ସର୍ବଥା ଅନୁଚିତ । (କ୍ରମଶଃ)

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର:- 

9437210296,7609969796

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର