ଜ୍ଞାନ ନିର୍ଝର (୨୮)---ପ୍ରଗତିର ମହତ୍ତ୍ବପୂର୍ଣ୍ଣ କାରକ- ସାହସ ଓ ଧୈଯ୍ୟ
🌻🌻🌻🌻🌻🌻🌻🌻🌻
*ଜ୍ଞାନ ନିର୍ଝର (୨୮)*
🌹🌹🌹🌹🌹🌹🌹🌹🌹
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌺🌺🌺🌺🌺🌺🌺🌺🌺
*ପ୍ରଗତିର ମହତ୍ତ୍ବପୂର୍ଣ୍ଣ କାରକ- ସାହସ ଓ ଧୈଯ୍ୟ*
🌸🌸🌸🌸🌸🌸🌸🌸🌸
ଜୀବନ ଏକ ପ୍ରବହମାନ ତଟିନୀ ସ୍ବରୂପ । ପର୍ବତ ଶିଖରରୁ ତଟିନୀ ଯେତେବେଳେ ସ୍ଥଳଭାଗ ଅଭିମୁଖେ ପ୍ରବାହିତ ହୁଏ ଅନେକ ବିହଙ୍ଗମ ଦୃଶ୍ୟ ନିର୍ମାଣ କରିଥାଏ । କେଉଁଠି କୁଳୁକୁଳୁ ନାଦରେ ସଙ୍ଗୀତର ମୁର୍ଚ୍ଛନା ସୃଷ୍ଟି କରେ ତ କେଉଁଠି ଘର୍ଘର ରାବରେ ମନରେ ଭୀତି ସଂଚାର କରେ । ସମତଳ ଅଞ୍ଚଳରେ ପହଞ୍ଚିଲା ପରେ ସବୁ ସ୍ଥିର ହୋଇଯାଏ । ପାର୍ବତ୍ୟ ଅଞ୍ଚଳର ପ୍ରସ୍ତର ବେଷ୍ଟିତ ଅଙ୍କା ବଙ୍କା ରାସ୍ତାରେ ହିଁ ତଟିନୀର ମନୋରମ ଦୃଶ୍ୟ ଦୃଶ୍ୟମାନ ହୋଇଥାଏ । ସେହିପରି ଜୀବନ ପ୍ରବାହକୁ ମନୋରଞ୍ଜନ କରିବା ପାଇଁ ଧୈର୍ଯ୍ୟ ଓ ସାହସ ଅନିବାର୍ଯ୍ୟ ଅଟେ ।
କୌଣସି ଯୋଜନା କ୍ରିୟାନ୍ୱୟନ ସମୟରେ ଅନେକ ବାଧାବିଘ୍ନ ଦେଇ ଗତି କରିବାକୁ ପଡେ । ଏଥିରେ ବିଚଳିତ ନ ହୋଇ ଆଗକୁ ଦୃଢ଼ତା ପୂର୍ବକ ଅଗ୍ରସର ହେବାକୁ ‘ସାହସ’ କୁହାଯାଏ । ଅନେକ ସମୟରେ ପରିସ୍ଥିତି ଏପରି ବିକଟ ହୋଇ ଉଠେ ଯେ ବ୍ୟକ୍ତି ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ମଝିରେ ପରିତ୍ୟାଗ କରିଦିଏ । ସେ ଭାବେ ଯେ ସଂପୃକ୍ତ କାର୍ଯ୍ୟ ତାର ସାମର୍ଥ୍ୟ ବାହାରେ । ସେ ଆଉ ଅଧିକ ପରିଶ୍ରମ କରିବାକୁ ସମର୍ଥ ନୁହେଁ । ନିଜ ସାମର୍ଥ ଉପରେ ସନ୍ଦେହ ଉତ୍ପନ୍ନ ହେଲେ ବ୍ୟକ୍ତି ନିରାଶ ହୋଇ ପଡେ ଓ କାର୍ଯ୍ୟକୁ ଖଣ୍ଡିଆ ଛାଡି ଦେଇ ପଳାୟନରେ । ଜୀବନରେ ସଂଘର୍ଷ କ୍ଷମତା ହ୍ରାସ ପାଇଲେ ବ୍ୟକ୍ତି ସାହସହୀନ ହୋଇ ଅସଫଳତା ରୂପକ ଅନ୍ଧକାର ଗଭୀର ଗର୍ତ୍ତରେ ପତିତ ହୁଏ । ବାରମ୍ବାର ଅସଫଳତା ସତ୍ତ୍ବେ ମଧ୍ୟ ଯିଏ ପରାଜୟ ସ୍ବୀକାର ପାଇଁ ପ୍ରସ୍ତୁତ ନୁହେଁ ଯାହାଙ୍କ ମଧ୍ୟରେ ପ୍ରବଳ ଆତ୍ମ ବିଶ୍ୱାସ ପରିପୂର୍ଣ୍ଣ, ଯାହାଙ୍କ ନିଜ ଶାରୀରିକ ଓ ମାନସିକ କ୍ଷମତା ପ୍ରତି ତିଳେ ମାତ୍ର ଅବିଶ୍ୱାସ ନ ଥାଏ ସଫଳତା ନିଶ୍ଚୟ ତାଙ୍କ ପଦ ଚୁମ୍ବନ କରିଥାଏ । ମନୁଷ୍ୟ ମଧ୍ୟରେ ଥିବା ସମସ୍ତ ଗୁଣଗୁଡିକର ମୂଳ ହେଉଛି ସାହସ ।
ଶ୍ରଦ୍ଧା ବିଶ୍ୱାସ ଏବଂ ଜ୍ଞାନର ଆଲୋକ ଅନ୍ତଃକରଣରେ ପ୍ରସାରିତ ନ ହେବା ପର୍ଯ୍ୟନ୍ତ ବ୍ୟକ୍ତି ଧୈର୍ଯ୍ୟ ଓ ସଂଯମର ଅଧିକାରୀ ହୋଇପାରେ ନାହିଁ । ଅସଂଯମ ପ୍ରବୃତ୍ତିକୁ ସମ୍ପୂର୍ଣ୍ଣ ତ୍ୟାଗ ନ କରିବା ପର୍ଯ୍ୟନ୍ତ ବ୍ୟକ୍ତି ଆଧ୍ୟାତ୍ମିକ ଜୀବନ ପ୍ରାପ୍ତ କରି ପାରେ ନାହିଁ । ଏହି ପ୍ରସଙ୍ଗରେ ନିମ୍ନ ପ୍ରଦତ୍ତ କାହାଣୀ ପ୍ରଣିଧାନ ଯୋଗ୍ୟ ।
ଜଣେ ସନ୍ଥଙ୍କ ଆଶ୍ରମରେ ଅନେକ ବର୍ଷ ରହି ଶିକ୍ଷା ସମାପ୍ତ କଲାପରେ ଏକ ଶିକ୍ଷ୍ୟ ଅନ୍ତିମ ଦୀକ୍ଷା ପାଇବା ପାଇଁ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡୁଥିଲେ । ଦିନେ ସନ୍ଥ ତାଙ୍କୁ ପରୀକ୍ଷା କରିବା ପାଇଁ ଡାକିଲେ । ସେ ଏକ ବନ୍ଦ ସିନ୍ଧୁକ ସେହି ଶିଷ୍ୟଙ୍କୁ ପ୍ରଦାନ କରି ଅନ୍ୟ ଏକ ଆଶ୍ରମରେ ରହୁଥିବା ଜଣେ ସନ୍ଥଙ୍କ ନିକଟରେ ତାହା ପହଞ୍ଚାଇ ଦେବା ପାଇଁ କହିଲେ । ଶିଷ୍ୟ ଜଣକ ସିନ୍ଧୁକଟି ଧରି ସେହି ଆଶ୍ରମ ଅଭିମୁଖେ ଗମନ କଲା । କିଛି ବାଟ ଗଲାପରେ ସିନ୍ଧୁକ ମଧ୍ୟରେ ଥିବା ଦ୍ରବ୍ୟ ବିଷୟରେ ଜାଣିବା ପାଇଁ ତା ମନରେ କୌତୁହଳ ସୃଷ୍ଟି ହେଲା । ସେ ନିଜ ମନ ଉପରେ ନିୟନ୍ତ୍ରଣ ରଖି ନ ପାରି ସିନ୍ଧୁକଟି ଖୋଲି ଦେଲା । ସିନ୍ଧୁକ ମଧ୍ୟରୁ ଏକ ଠେକୁଆ ଶାବକ ବାହାରି କୁଦା ମାରି ଜଙ୍ଗଲ ମଧ୍ୟକୁ ଚାଲିଗଲା । ଖାଲି ସିନ୍ଧୁକ ସହିତ ଶିଷ୍ୟଟି ସେହି ସନ୍ଥଙ୍କ ନିକଟରେ ପହଞ୍ଚିଲା । ସିନ୍ଧୁକକୁ ଖାଲି ଥିବା ଦେଖି ତାକୁ ସନ୍ଥ କହିଲେ, “ବତ୍ସ! ଦୁଃଖର ସହିତ ମୋତେ କହିବାକୁ ପଡୁଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତିମ ଦୀକ୍ଷାର ପାତ୍ରତା ତୁମେ ହାସଲ କରିପାରି ନାହଁ । ନିରାଶ ହୋଇ ସେ ନିଜ ଆଶ୍ରମକୁ ଫେରିଗଲା । ଗୁରୁଦେବ ତାକୁ କହିଲେ, “ବତ୍ସ! ଧର୍ମର ଅନ୍ତିମ ଦୀକ୍ଷାର ପାତ୍ରତା ତୁମେ ସେତେବେଳେ ପ୍ରାପ୍ତ ହେବ ଯେତେବେଳେ ତୁମେ ଅସଂଯମତା ଉପରେ ପୂର୍ଣ୍ଣ ବିଜୟ ଲାଭ କରିବ । ଯାଅ ଏହି ସାଧନାରେ ଲାଗି ପଡ ଓ ସମ୍ପୂର୍ଣ୍ଣ ସଂଯମ ଶକ୍ତି ଆହରଣ କଲାପରେ ମୋ ପାଖକୁ ଆସିବ ।
କର୍ତ୍ତବ୍ଯ ମନୁଷ୍ୟ ହାତରେ । କିନ୍ତୁ ଅନେକ ସଂଯୋଗର ପରିଣାମ ହେଉଛି ଫଳ । ସେଥିପାଇଁ ଭିନ୍ନ ଭିନ୍ନ କର୍ମର ଭିନ୍ନ ଭିନ୍ନ ଫଳ ଭିନ୍ନ ଭିନ୍ନ ସମୟରେ ମିଳିଥାଏ । ମନୁଷ୍ୟ ଅତ୍ୟନ୍ତ ଧୈର୍ଯ୍ୟ ପୂର୍ବକ ସେଗୁଡିକର ପ୍ରତୀକ୍ଷା କରିବା ଉଚିତ । ସଂପ୍ରତି ବୈଜ୍ଞାନିକ ଯୁଗରେ ମନୁଷ୍ୟର କାର୍ଯ୍ୟ କରିବା ଗତି ଅତି ତୀବ୍ର । ଏହାର ବହୁତ ଭଲ ପରିଣାମ ମଧ୍ୟ ହୋଇଥାଏ । କିନ୍ତୁ ଏହାର ଏକ ନକାରାତ୍ମକ ପରିଣାମ ହେଉଛି ଅଧୈର୍ଯ୍ୟ ଚିତ୍ତ ବା ଚଞ୍ଚଳତା । କାର୍ଯ୍ୟରେ ତିବ୍ରତା ସହ ଫଳ ପ୍ରାପ୍ତି ପର୍ଯ୍ୟନ୍ତ ଧୈର୍ଯ୍ୟତାର ସନ୍ତୁଳନ କର୍ମର ସଫଳତା ପାଇଁ ଅତ୍ୟନ୍ତ ଆବଶ୍ୟକ । ଏଠାରେ ଏକଥା ମନେ ରଖିବା ଆବଶ୍ୟକ ଯେ କର୍ମ ଜଗତରେ ପ୍ରତ୍ୟେକ କର୍ମର ଫଳ ନିଶ୍ଚିତ ଅଟେ । ତେଣୁ ଧୈର୍ଯ୍ୟହରା ହୋଇ ଚଞ୍ଚଳତା ବଶତଃ ଶିଘ୍ରାତିଶୀଘ୍ର ଫଳ କାମନା ଦ୍ୱାରା ଚିତ୍ତକୁ ଅଶାନ୍ତ କରିବା ବୁଦ୍ଧିମାନୀ ହେବ ନାହିଁ । ପ୍ରକୃତିଠାରୁ ଆମେ ଧୈର୍ଯ୍ୟର ପାଠ ଶିଖିବା ଉଚିତ । ବିଭିନ୍ନ ଫଳ ଗଛକୁ ଫଳ ଦେବା ପାଇଁ ଭିନ୍ନ ଭିନ୍ନ ସମୟ ଦରକାର ହୁଏ । ସେଥିପାଇଁ ଧୈର୍ଯ୍ୟ ଉକ୍ତ ଫଳଗଛଗୁଡିକୁ ଉଚିତ ରକ୍ଷଣା ବେକ୍ଷଣ ସହ ଫଳପ୍ରାପ୍ତି ପାର୍ଯ୍ୟନ୍ତ ପ୍ରତୀକ୍ଷା କରିବାକୁ ପଡିବ । ରୋଗ ଚିକିତ୍ସା ସମୟରେ ଡାକ୍ତର ଦେଇଥିବା ଔଷଧ ମଧ୍ୟ କାମ କରିବା ପାଇଁ କିଛି ସମୟ ନିଏ । ଆମେ ପ୍ରତ୍ୟେହ ଗ୍ରହଣ କରୁଥିବା ଭୋଜନ ମଧ୍ୟ ପରିପାକ ହୋଇ ଶକ୍ତିରେ ରୂପାନ୍ତରିତ ହେବାକୁ କିଛି ସମୟ ନିଏ । ଧୈର୍ଯ୍ୟ ହରା ହେବା ଅର୍ଥ ମନର ଶାନ୍ତିକୁ ନଷ୍ଟ କରିବା । ମାନସିକ ଅଶାନ୍ତି ବ୍ୟକ୍ତିର ଜୀବନକୁ ବ୍ୟର୍ଥତାରେ ପରିଣତ କରିଦିଏ ।
ଏ ସବୁକୁ ବିଚାର କରି ଧୈର୍ଯ୍ୟ ପୂର୍ବକ କର୍ମର ଫଳକୁ ପରିପକ୍ୱ ହେବା ପାଇଁ ପ୍ରତୀକ୍ଷା କରିବା ଉଚିତ । ଅଧୈର୍ଯ୍ୟର ବଶୀଭୂତ ହୋଇ କଞ୍ଚା ଫଳ ତୋଳି ଖାଇବା ଦ୍ୱାରା ଉଦରପୀଡା ଭୋଗିବାକୁ ପଡିଥାଏ । ଧୈଯ୍ୟହିଁ ପ୍ରତ୍ୟେକ କ୍ଷତର ମଲମ । ଜୀବନର ଲକ୍ଷ୍ୟର ଦ୍ୱାର ଖୋଲିବା ପାଇଁ ଧୈର୍ଯ୍ୟ ହେଉଛି ଏକମାତ୍ର ଚାବି । ଯେଉଁ ବ୍ୟକ୍ତି ସ୍ବଭାବରେ ଧୈର୍ଯ୍ୟବାନ ସେ ଘୋର ବିପତ୍ତି ସମୟରେ ମଧ୍ୟ ଅଧୀର ହୁଏ ନାହିଁ । ସଂକଟ ସମୟରେ ଧୈର୍ଯ୍ୟ ଧାରଣ କରିବା ଅର୍ଥ ଅଧା ଯୁଦ୍ଧ ଜିତିବା ସେଙ୍ଗ ସମାନ । ଧୈର୍ଯ୍ୟ ଧାରଣ ବିନା ସଂକଟରୁ ଉଦ୍ଧାର ପାଇବା ପାଇଁ ଅନ୍ୟ ପନ୍ଥା ନାହିଁ । ଧୈର୍ଯ୍ୟକୁ ସଜ୍ଜନ ମାନଙ୍କର ଶ୍ରେଷ୍ଠଧନ ବୋଲି କୁହାଯାଏ । ଧୈର୍ଯ୍ୟବାନ ବ୍ୟକ୍ତି ଯାହା ଇଚ୍ଛାକରେ ତାହା ପ୍ରାପ୍ତ କରିପାରେ । ମହାତ୍ମାଗାନ୍ଧୀଙ୍କ ମତରେ ସାହସ ଏବଂ ଧୈର୍ଯ୍ୟ ଏପରି ଗୁଣ ଅଟେ ଯାହାକି କଠିଣ ପରିସ୍ଥିତି ଉପୁଜିଲେ ଖୁବ କାମରେ ଆସେ ।
🌺🌺🌺🌺🌺🌺🌺🌺🌺
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
🌸🌸🌸🌸🌸🌸🌸🌸🌸
Comments
Post a Comment