ଜ୍ଞାନ ନିର୍ଝର (୧୯)---- ଆତ୍ମାବଲୋକନ

🌹🌹🌹🌹🌹🌹🌹🌹🌹

 *ଜ୍ଞାନ ନିର୍ଝର (୧୯)* 

🌹🌹🌹🌹🌹🌹🌹🌹🌹

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

🌼  *ଆତ୍ମାବଲୋକନ🌼*   

🌷🌷🌷🌷🌷🌷🌷🌷🌷

ଅବଲୋକନ (ଅବ+ଲୋକ+ଅନ) ର ଆଭିଧାନିକ ଅର୍ଥ ହେଉଛି ଦେଖିବା, ଦର୍ଶନ, ଦୃଷ୍ଟି, ପର୍ଯ୍ୟବେଷଣ, ଅନୁସନ୍ଧାନ, ମନୋଯୋଗ ପୂର୍ବକ ଦେଖିବା, ନିରୀକ୍ଷଣ ଇତ୍ୟାଦି । ଗୋଟିଏ ବାକ୍ୟ କହିଲେ, ଦେଖିବା ଓ ଜାଣିବାର ଆନ୍ତରିକ ସାମର୍ଥ୍ୟ ହେଉଛି ଅବଲୋକନ । ପ୍ରତ୍ୟେକ ଆତ୍ମା ଏହି ବିଲକ୍ଷଣ ଶକ୍ତିର ଅଧିକାରୀ । ଏହି ଅବଲୋକନ ଶକ୍ତି ବଳରେ ହିଁ ବୈଜ୍ଞାନିକଗଣ ପ୍ରକୃତିର ସୂକ୍ଷ୍ମତମ ରହସ୍ୟଗୁଡ଼ିକୁ ଉନ୍ମାଚନ କରିବା ପାଇଁ ସକ୍ଷମ ହୋଇପାରିଛନ୍ତି । ଅବଲୋକନ ଶକ୍ତିର ବିକାଶ ଦ୍ୱାରା ବ୍ୟକ୍ତି ଅନ୍ତର୍ଜଗତର ସତ୍ୟ ପ୍ରତ୍ୟକ୍ଷ କରିପାରେ । ଆତ୍ମା ସନ୍ଦର୍ଭରେ ଅବଲୋକନ ଶବ୍ଦର ଯଥାର୍ଥ ଅର୍ଥ ବୁଝିବା ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ । ଏଠାରେ ଆତ୍ମାବଲୋକନର ଅର୍ଥ ଅନ୍ତର୍ଦୃଷ୍ଟି ଅର୍ଥାତ୍ ଅନ୍ତର୍ମୁଖୀ ହୋଇ ଧ୍ୟାନ ପୂର୍ବକ ଅନ୍ତରାତ୍ମା ବିଷୟରେ ଜାଣିବାର ଆନ୍ତରିକ ପ୍ରୟାସ । ଏହି ପ୍ରକ୍ରିୟାରେ ବିଚାର ଓ ଭାବର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସ୍ପଷ୍ଟତା ପୂର୍ବକ ବୁଝିବା ନିହାତି ଆବଶ୍ୟକ ।


ବିଚାର ଓ ଭାବର ଆଧାର ହେଉଛି ମନ । ଏହା ହେଉଛି ଆତ୍ମାର ବିଚାର ଓ ଭାବ ପ୍ରକଟ କରିବାର ଏକ ସୂକ୍ଷ୍ମ କାରଣ । ଚେତନାର ଶୁଦ୍ଧ ଓ ଜାଗ୍ରତ ସ୍ଥିତିରେ ଏହା ଆତ୍ମାର ଅଧିନରେ ରହି ବିଚାର ଭାବ ପ୍ରକଟ କରେ । ମନ ବିଚାର କର୍ତ୍ତା, ସ୍ବୟଂ ବିଚାର ନୁହେଁ । ଆତ୍ମା ସ୍ବୟଂ ମନ ଓ ବୁଦ୍ଧି ନୁହେଁ । ବାସ୍ତବ ସ୍ବରୂପରେ ଆତ୍ମା ହେଉଛି ମାଲିକ (ସ୍ବାମୀ) ଏବଂ ମନ ଓ ବୁଦ୍ଧି ଏହାର ଅଧୀନସ୍ଥ କର୍ମଚାରୀ ମାତ୍ର । ବିଚାର ବା ବିଚାର କ୍ରିୟା ‘ସ୍ବ’ ଆତ୍ମାଠାରୁ ଅତି ସୂକ୍ଷ୍ମ ସ୍ତରରେ ଭିନ୍ନ ଅଟେ । ବିଚାର ସ୍ବରୂପ ଭିନ୍ନ ଭିନ୍ନ ହୋଇପାରେ । ଏହାର ସମ୍ବନ୍ଧ ଉଭୟ ଭୌତିକ ଓ ଅଭୌତିକ (ଅନ୍ତର୍ଜଗତ) ସହିତ ହୋଇପାରେ । କିନ୍ତୁ ଆତ୍ମା ସତ୍ତା ନିଜ ମୂଳ ସ୍ବରୂପରେ ବିଚାର ସମୂହଠାରୁ ପୃଥକ ଅଟେ । କାରଣ ମନ ଓ ବୁଦ୍ଧିର ବିନା ସହାୟତାରେ ଆତ୍ମା ‘ସ୍ବ’ ସ୍ଥିତିର ଅନୁଭବ କରିପାରେ । ଅଦ୍ୱୈତ ସ୍ଥିତିରେ ଆତ୍ମାନୁଭୂତି ହୋଇଥାଏ । ଅର୍ଥାତ୍ ଯେତେବେଳେ ସଂକଳ୍ପ-ବିକଲ୍ପର (ବିଚାର) କୋଳାହଳ ସମାପ୍ତ ହୋଇଯାଏ ସେତେବେଳେ ଆତ୍ମା ତା’ର ଯଥାର୍ଥ ସ୍ବରୂପ ଅନୁଭବ କରିପାରେ । ଆତ୍ମାନୁଭୂତିର ଏହି ସ୍ଥିତି ପ୍ରାପ୍ତ ପାଇଁ ପ୍ରାରମ୍ଭିକ ସ୍ତରରେ ଶ୍ରେଷ୍ଠ ବିଚାର ପ୍ରକ୍ରିୟା ସହାୟକ ହୋଇପାରେ । ପରବର୍ତ୍ତୀ ପର୍ଯ୍ୟାୟରେ ଭାବକ୍ରିୟା ଉପଯୋଗୀ ହୁଏ । କିନ୍ତୁ ଅନ୍ତିମ ଚରଣରେ ବିଚାର ଓ ଭାବ ଉଭୟ କ୍ରିୟାର କୌଣସି ଆବଶ୍ୟକତା ନଥାଏ । ଏହି ସ୍ଥିତିରେ ପହଞ୍ଚିବା ପାଇଁ ଧ୍ୟାନ ଏକ ଶ୍ରେଷ୍ଠ ମାଧ୍ୟମ । ଧ୍ୟାନର ଅର୍ଥ ହେଉଛି ଉଭୟ ବାହ୍ୟ ଓ ଅନ୍ତର୍ଜଗତର କ୍ରିୟା-ପ୍ରତିିକ୍ରିୟା (ଘଟଣା)ଗୁିଡ଼କୁ ସଜଗତାପୂର୍ବକ ଦେଖିବା ଓ ଜାଣିବା ‘ସ୍ବ’ ସ୍ବରୂପର ଅନୁଭବ କରିବାର ସରଳତମ ଉପାୟ ହେଉଛି ଧ୍ୟାନ । ବିଚାର ହେଉଛି ‘ସ୍ବ’ଠାରୁ ପୃଥକ ସଂସାରକୁ ଜାଣିବାର  ଉପାୟ । ଧ୍ୟାନର ଅର୍ଥ ନକାରାତ୍ମକ ପ୍ରତିକ୍ରିୟା ବିହୀନ ଜୀବନ କ୍ରିୟା ବା ଯୋଗଯୁକ୍ତ ଜୀବନ ।


ଉପର୍ଯୁକ୍ତ ପରିପ୍ରେକ୍ଷୀରେ ବିଚାର କଲେ ଧ୍ୟାନ କୌଣସି କର୍ମ ନୁହେଁ । ଏହା ହେଉଛି ଆତ୍ମାର ସ୍ବରୂପ ଓ ସ୍ବଭାବ । ତେଣୁ ଏହା ସଦା ସର୍ବଦା ଅବିନାଶୀ ରୂପରେ ସେଠାରେ ବିଦ୍ୟମାନ ଥାଏ । ଭୌତିକ ଜଗତ ଓ ଅନ୍ତର୍ଜଗତରେ ହେଉଥିବା ପ୍ରତ୍ୟେକ କର୍ମରେ ଆତ୍ମା ଅପରୋକ୍ଷ ଭାବରେ ଉପସ୍ଥିତ ରହେ । ଆତ୍ମାର ଏହି ବିଲକ୍ଷଣ ସାମର୍ଥ୍ୟକୁ ବୁଝି ତତ୍ ପ୍ରତି ଜାଗ୍ରତ ରହିପାରିଲେ ବ୍ୟକ୍ତି ମଧ୍ୟରେ ଅଲୌକିକ ଶକ୍ତିର ସ୍ପୁରଣ ହାଇ ତା’ର ଜୀବନରେ ଆମୂଳ ପରିବର୍ତ୍ତନ ଆଣିଥାଏ ଏବଂ ଆତ୍ମା ସର୍ବଗୁଣ ସମ୍ପନ୍ନ ଓ ସର୍ବକଳା ସମ୍ପୂର୍ଣ୍ଣ ହେବାର ମାର୍ଗ ପ୍ରଶସ୍ତ ହୋଇଥାଏ ।


ଆତ୍ମା ବ୍ୟକ୍ତିର ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ କର୍ମର ସାକ୍ଷୀ ଦ୍ରଷ୍ଟା । ସମସ୍ତ ପ୍ରୟାସ ସତ୍ତ୍ବେ ମଧ୍ୟ ମନୁଷ୍ୟ ଏହି ଅଦୃଷ୍ଟ ଆତ୍ମ ସତ୍ତାର ଦୃଷ୍ଟିରୁ ଖସିଯାଇ କୌଣସି କର୍ମ କରିବାକୁ ସକ୍ଷମ ହୋଇପାରେ ନାହିଁ । ଯିଏ ସଂସାରର ପ୍ରତ୍ୟେକ ଦୃଶ୍ୟର ଦ୍ରଷ୍ଟା ଓ ଜ୍ଞାତା, ସିଏ ଯେ ସଂସାରଠାରୁ ପୃଥକ ସତ୍ତାର ଏଥିରେ କୌଣସି ସନ୍ଦେହ ନାହିଁ । ତଥାପି ଆଶ୍ଚର୍ଯ୍ୟର ବିଷୟ ଏହି ଯେ ମନୁଷ୍ୟ ଏହି ଆତ୍ମା ସତ୍ତାକୁ ବୁଝିପାରେ ନାହିଁ । ବ୍ୟକ୍ତି ସ୍ବୟଂ ଆତ୍ମା । ଶରୀର ତା’ର ବ୍ୟକ୍ତି ପରିପ୍ରକାଶ ଓ କର୍ମ କରିବାର ଏକ ମାଧ୍ୟମ ମାତ୍ର । ସେ ସ୍ବୟଂ ଶରୀର ନୁହେଁ । ଆତ୍ମା ହିଁ ଆଖି ଦ୍ୱାରା ଦେଖେ, କାନ ଦ୍ୱାରା ଶୁଣେ  ଓ ଅଙ୍ଗ ପ୍ରତ୍ୟଙ୍ଗ ଦ୍ୱାରା ବିଭିନ୍ନ କର୍ମ କରେ । ମୋର ଆଖି, ମୋର କାନ, ମୋର ହାତ ଆଦି ‘ମୋର’ କହୁଥିବା ‘ମୁଁ’ଟି ଯେ ସ୍ବୟଂ ଆତ୍ମା-ମଣିଷ ଏହି ସତ୍ୟକୁ ପତ୍ୟକ୍ଷ କରିପାରେ ନାହିଁ କାହିଁକି? ଏହାର କାରଣ ହେଉଛି ବାରମ୍ବାର ଆବାଗମନ ଚକ୍ର (ଜନ୍ମ-ମୃତୁୃଚକ୍ର)ରେ ଆସି ବ୍ୟକ୍ତି ସ୍ବୟଂକୁ ଭୁଲି ସଂସାରର ଦୃଶ୍ୟ-ଅଦୃଶ୍ୟ କର୍ମରେ ଜଡିତ ହୋଇ ତତ୍ର ସହିତ ତା’ର ତାଦାତ୍ମ୍ୟ (ଏକି ରୂପତା) ସ୍ଥାପିତ ହୋଇଯାଏ ଅର୍ଥାତ୍ ଦୃଶ୍ୟରୁ ଉଦ୍ଧ୍ୱର୍କୁ ଉଠି ଦ୍ରଷ୍ଟାକୁ ଦେଖିବାର ଦୃଷ୍ଟିଶକ୍ତି ତା’ର ନଥାଏ । ଏହି ଅଦୃଶ୍ୟ ଦ୍ରଷ୍ଟାକୁ ସ୍ଥୂଳ ଦୃଷ୍ଟିରେ ଦେଖିବା  ସମ୍ଭବ ନୁହେଁ । ଏଥିପାଇଁ ଆବଶ୍ୟକ ଅନ୍ତର୍ଦୃଷ୍ଟି । ଅନ୍ତର୍ଦୃଷ୍ଟିରେ ଦେଖିବାକୁ ଆତ୍ମାବଲୋକନ କୁହାଯାଏ । ଏହି କ୍ରିୟାରେ ଦେଖିବାର କ୍ଷମତା ଦୃଶ୍ୟରୁ ହଟି ଦ୍ରଷ୍ଟା ବା ସ୍ବୟଂ ପ୍ରତି ନିବଦ୍ଧ ହୋଇଯାଏ । ଏହାଦ୍ୱାରା ବ୍ୟକ୍ତି ସ୍ବୟଂ ଯଥାର୍ଥ ରୂପରେ ଦେଖିପାରେ ଓ ଜାଣିପାରେ । ଉଭୟ ସ୍ଥିତିରେ ଦେଖିବା ଓ ଜାଣିବା କ୍ରିୟା-ଶକ୍ତିର ଉପଯୋଗ ହେଉଥିଲେ ମଧ୍ୟ ପ୍ରଥମ ଅବସ୍ଥାରେ ଏହା ବ୍ୟକ୍ତିଗତ, ଭାଗବତ, ବିଚାରଗତ ଓ ପଦାର୍ଥ ଗତ ହୋଇଥାଏ ଓ ଦ୍ୱିତୀୟ ଅବସ୍ଥାରେ ଆତ୍ମଗତ ହୋଇଥାଏ । ଚେତନାର ପ୍ରତ୍ୟେକ ଅବସ୍ଥାରେ ଆତ୍ମାର ଦେଖିବା ଓ ଜାଣିବାର ସ୍ବଭାବ ଅବିନାଶୀ ହୋଇଥିବା ହେତୁ ସତତ କ୍ରିୟାଶୀଳ ରହେ । ପ୍ରଶ୍ନ ଉଠିପାରେ ଗଭୀର ସୁଷୁପ୍ତି ଅବସ୍ଥାରେ ଏହି ଦେଖିବା ଓ ଜାଣିବାର କ୍ରିୟା କିପରି ବିଦ୍ୟମାନ ଥାଏ? ଯଦିଓ ସୁଷୁପ୍ତି ଅବସ୍ଥାରେ ମନ ପରଦାରେ (ସ୍ମୃତିରେ) କୌଣସି ଦୃଶ୍ୟ ପ୍ରତିବିମ୍ବିତ ହୁଏ ନାହିଁ, ତଥାପି ଆତ୍ମା ମନର ସେହି ଶୂନ୍ୟତାକୁ ଦେଖିଥାଏ ଯାହାକି ଜାଗ୍ରତ ଅବସ୍ଥାରେ ସ୍ବତଃ ସ୍ମୃତିରେ ଉଦ୍ଭାସିତ ହୋଇଥାଏ ।


ବାହ୍ୟ ଓ ଆନ୍ତରିକ ରୂପରେ ବିଷୟ ବସ୍ତୁ ଓ ପରିସ୍ଥିତିର ପରିବର୍ତ୍ତନ ହେଉଥିଲେ ମଧ୍ୟ ସାକ୍ଷୀ ସ୍ବରୂପ ଆତ୍ମାର ଦେଖିବା ଓ ଜାଣିବା କ୍ଷମତା ଅକ୍ଷୁର୍ଣ୍ଣ ରହେ । କାରଣ ଆତ୍ମା ଅଜର, ଅମର, ଅବିନାଶୀ ଓ ନିତ୍ୟ । ସଂସାର ଅଳୀକ । ଆତ୍ମା ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ବରୂପ । ଏହା ପ୍ରକାଶ, ଜ୍ଞାନ, ଆନନ୍ଦ, ଶାନ୍ତି, ସୁଖ, ପ୍ରେମ ଓ ଶକ୍ତିର ଚୈତନ୍ୟ ସୂକ୍ଷ୍ମାତିସୂକ୍ଷ୍ମ କଣିକା । ଏହାକୁ ଜପ-ତପ, କର୍ମ-କାଣ୍ଡ, ସାଧନା-ଆରାଧନା, ପୂଜା-ପାଠ ଆଦି ଦ୍ୱାରା ଅନୁଭବ କରି ହୁଏ ନାହିଁ । କାରଣ ଏହା ସେସବୁର ଦ୍ରଷ୍ଟା ହୋଇଥିବାରୁ ସେସବୁଠାରୁ ପୃଥକ ଅଟେ । ସମସ୍ତ ପ୍ରକାର ସ୍ଥୂଳ ଓ ସୂକ୍ଷ୍ମ କର୍ମ କଥା ଭାବ ଓ ବିଚାର କ୍ରିୟାରୁ ମୁକ୍ତ ହୋଇ ଏକାଗ୍ରତା ପୂର୍ବକ ଆତ୍ମାର ମୌଳିକ ସ୍ବରୂପଗୁଡ଼ିକୁ ଗଭୀର ଭାବରେ ଚିନ୍ତନ କଲେ କ୍ରମଶଃ ଏହା ଅନୁଭବ ହୋଇଥାଏ । ଏଥିପାଇଁ କର୍ମ ତ୍ୟାଗର ଆବଶ୍ୟକତା ନାହିଁ । ଆତ୍ମ-ସ୍ମୃତି ପୂର୍ବକ କର୍ମ କରିବା ସମ୍ଭବ । ଏହାକୁ କର୍ମଯୋଗ କୁହାଯାଏ ଅର୍ଥାତ୍ ଯୋଗଯୁକ୍ତ ହୋଇ କର୍ମ କରିବା । ଏପରିସ୍ଥିତିରେ ଆତ୍ମା କ୍ରିୟା ଓ ଦୃଶ୍ୟରୁ ପୃଥକ ଥାଏ । ଯେତେବେଳେ ଦେଖିବା, ଜାଣିବା ଓ ବିଚାର କରିବା ପାଇଁ କୌଣସି ବିଷୟ ବସ୍ତୁ ରହେ ନାହିଁ ସେତେବେଳେ ଦୃଷ୍ଟି ଅନ୍ତର୍ମୁଖୀ ହୋଇଯାଏ ଓ ଆତ୍ମା ତାର ମୌଳିକ ସ୍ବରୂପରେ ଅନୁଭବ କରିହୁଏ । ଏହା ହେଉଛି ଆତ୍ମାବଲୋକନ ।

🌸🌸🌸🌸🌸🌸🌸🌸🌸

  ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796


🌺🌺🌺🌺🌺🌺🌺🌺🌺

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର