ଜ୍ଞାନ ନିର୍ଝର (୨୨) -----ଚେତନାର କ୍ରିୟାଶୀଳତା

 🌻🌻🌻🌻🌻🌻🌻🌻🌻

  🌺 *ଜ୍ଞାନ ନିର୍ଝର (୨୨)* 🌺

💐💐💐💐💐💐💐💐💐

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  

🌷🌷🌷🌷🌷🌷🌷🌷🌷

🌼 *ଚେତନାର କ୍ରିୟାଶୀଳତା* 🌼


🌸🌸🌸🌸🌸🌸🌸🌸🌸

 ଚେତନାର କ୍ରିୟାଶୀଳତା ଅତ୍ୟନ୍ତ ବିଲକ୍ଷଣ ଅଟେ । ଏହା ଯେମିତି ଚାହେଁ ସେମିତି ଆକାର ଗ୍ରହଣ କରି ପାରେ । ଏହା ଯେତେବେଳେ ବସ୍ତୁ ସହିତ ତାଦାତ୍ମ୍ୟ ସ୍ଥାପିତ କରେ, ଯେଉଁଠାରେ ବି ସ୍ବକୁ କେନ୍ଦ୍ରିତ କରେ ଓ ଅହଂ ରୂପ ‘ମୁଁ’ରେ ‘ସ୍ବ’କୁ ପ୍ରତ୍ୟାରୋପିତ କରିଦିଏ ତଦନୁରୂପ ତା’ର ସ୍ବରୂପର ପରିବର୍ତ୍ତନ ହୋଇଥାଏ । ଅର୍ଥାତ ‘ମୁଁ’ର ବିଭିନ୍ନ ସ୍ବରୂପ ନିର୍ଦ୍ଧାରଣ ଚେତନାର ବିଭିନ୍ନ ବିଷୟ ବସ୍ତୁ ସହିତ ଥିବା ସଂପୃକ୍ତି ଓ ସମ୍ବନ୍ଧ ଅନୁରୂପ ହୋଇଥାଏ । ଏହି  ପରିଚୟରେ ‘ମୁଁ’ ଓ  ଏହି “ଅହଂ” ମହତ୍ତ୍ବପୂର୍ଣ୍ଣ ହୁଏ ନାହିଁ, ପରନ୍ତୁ ଚେତନା ସହିତ ସଂପୃକ୍ତ ବା ସମ୍ବନ୍ଧିତ କ୍ରିୟା ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଯେଉଁ ବିଷୟ ଉପରେ ତାହା କେନ୍ଦ୍ରୀଭୂତ ହୁଏ ତଦନୁରୂପ ‘ମୁଁ’ର ରୂପ ଓ ଆକାର ଗ୍ରହଣ କରିନିଏ । ଯେତେବେଳେ ଚେତନା ଦେହ ସହିତ ତାଦାତ୍ମ୍ୟ ରଖେ ସେତେବେଳେ ସେ ନିଜର ମୌଳିକ ଦେହୀ (ଆତ୍ମସତ୍ତା) ସ୍ବରୂପ ବିସ୍ମୃତ ହୋଇ ନିଜକୁ ଦେହ ମନେ କରେ ଓ ଇନ୍ଦ୍ରିୟ ସମୂହରେ ଅଧୀନ ହୋଇଯାଏ । ଯଦି ଚେତନା ଅନ୍ତର୍ମୁଖୀ ହୋଇ ନିଜର ଆତ୍ମ ସତ୍ତା ସହିତ ଏକାଗ୍ରତା ପୂର୍ବକ ଯୁକ୍ତ ହୋଇଯାଏ ସେତେବେଳେ ସେ ନିଜକୁ (‘ସ୍ବ’କୁ) ଜ୍ଞାନ ସ୍ବରୂପ ଶୁଦ୍ଧ ଓ ଅଲୌକିକ ବା ଦିବ୍ୟଗୁଣାବଳୀରେ ସମ୍ପନ୍ନ ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ରୂପରେ ଅନୁଭବ କରେ । ଏହି ଅବସ୍ଥାରେ ସ୍ଥିତ ଚେତନା ନିଜ ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ, ଘଟଣା, ପରିସ୍ଥିତି ଆଦି ପ୍ରତି ଅନାସକ୍ତ ରହି ତା’ ଉପରେ ନ୍ୟସ୍ତ ଉଭୟ  ଲୌକିକ ଓ ଅଲୌକିକ ଦାୟିତ୍ୱ ଆନନ୍ଦ ପୂର୍ବକ ନିର୍ବାହ କରିଥାଏ । ଚେତନାର ଏହି  ଉଚ୍ଚତମ ସ୍ଥିତି ନିରନ୍ତର, ନିରବଚ୍ଛିନ୍ନ ଓ ବିଧି ସମ୍ପନ୍ନ ଯୋଗ ଅଭ୍ୟାସ ଦ୍ୱାରା ପ୍ରାପ୍ତ ହୋଇଥାଏ ।


ଚେତନା ଶକ୍ତି ହିଁ ଜଗତର କ୍ରିୟାଶୀଳ ଗତିଶୀଳତାର ମୂଳ ଆଧାର ଅଟେ । ଅର୍ଥାତ ଜଗତର ସୃଜନ, ସଞ୍ଚାଳନ ଓ ବିନାଶ କ୍ରିୟାରେ ମୂଳତଃ ଏହି ଚେତନାର ଶକ୍ତିହିଁ ସକ୍ରିୟ ଥାଏ । ସମସ୍ତ ଶକ୍ତିର ମୂଳରେ ଏହି ଶକ୍ତି ନିହିତ । ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ମଧ୍ୟ ଏହି ସିଦ୍ଧାନ୍ତ ପ୍ରମାଣିତ । ଇହ ଲୋକ (ଜଡ ଜଗତ), ସୂକ୍ଷ୍ମ ଲୋକ ଓ ପରଲୋକ (ମୂଳ ଜଗତ ବା ପରମଧାମ ଯାହା ଆତ୍ମାର ମୂଳ ବାସ ସ୍ଥାନ) ସବୁଠାରେ ଚେତନାର ଶକ୍ତି ଭିନ୍ନ ଭିନ୍ନ ରୂପରେ ସକ୍ରିୟ ଥାଏ । ଏହାର ଉଚ୍ଚତମ ସ୍ବରୂପରେ ‘ସ୍ବ’କୁ  ସ୍ଥିତ କରିବା ଦ୍ୱାରା ବ୍ୟକ୍ତି କାମ କ୍ରୋଧାଦି ସମସ୍ତ ମନୋବିକାରରୁ ମୁକ୍ତ ହୋଇ ଇନ୍ଦ୍ରିୟ ସକଳକୁ ସ୍ବଇଛା ଅନୁସାରେ ପରିଚାଳିତ କରିବାକୁ ସକ୍ଷମ ହୁଏ । ମନୁଷ୍ୟ ଚେତନା ପଶୁଚେତନା ବା ନିମ୍ନ ଚେତନାରୁ ଉଦ୍ଧ୍ୱର୍କୁ ଉଠି ସମ୍ପୂର୍ଣ୍ଣ ଆତ୍ମଚେତନା ସ୍ଥିତି ପର୍ଯ୍ୟନ୍ତ ପହଞ୍ଚି ପାରେ । ଏହାହିଁ ଆଧ୍ୟାତ୍ମିକ ଚେତନାର ବିକାଶ । ଅନ୍ୟ ଅର୍ଥରେ ଏହାକୁ  ମାନବ ଦିବ୍ୟିକରଣ ପ୍ରକ୍ରିୟା ମଧ୍ୟ କୁହାଯାଇପାରେ ।


ମାନବୀୟ ଚେତନାରେ ଚେତନାର ଅନେକ ବାହ୍ୟ ଓ ଆନ୍ତରିକ ସ୍ତର ବିଦ୍ୟମାନ । ଚେତନା ବର୍ହିମୁଖୀ ହେଲେ ବ୍ୟକ୍ତି ସ୍ବୀୟ ଆନ୍ତରିକ ସ୍ବରୂପର ଅନୁଭବ କରି ପାରେ ନାହିଁ । ଏହା ହେଉଛି ଚେତନାର ଆତ୍ମ ବିସ୍ମୃ୍ତି ଅବସ୍ଥା । ଏହି ଅବସ୍ଥାରେ ବ୍ୟକ୍ତି ସମ୍ପୂର୍ଣ୍ଣ ଦେହାଭିମାନୀ ହୁଏ । ଅର୍ଥାତ୍ ବ୍ୟକ୍ତି ଦେହର ସମ୍ବନ୍ଧ ଓ ଦେହ ସହିତ ସମ୍ବନ୍ଧିତ ବାହ୍ୟ, ମାନସିକ, ଭୌତିକ ତଥା କାମନାତ୍ମକ ପରିଚୟ ଯୁକ୍ତ ‘ମୁଁ’ ସହିତ ଏକରୂପ ହୋଇଯାଏ । ଅଜ୍ଞାନତାରୁ ସୃଷ୍ଟ ଏହି ସୀମିତ ପରିଚୟର ପ୍ରଭାବରୁ  ମୁକ୍ତ ହେବା ପାଇଁ ଚେତନାକୁ ଅନ୍ତର୍ମୁଖୀ କରାଇବାର ଅଭ୍ୟାସ  କରାଇବାକୁ ହେବ । ଅନ୍ତର୍ମୁଖୀ ହେବାର ଏହି ଅଭ୍ୟାସର ନାମ ହେଉଛି ଯୋଗ । ନିରନ୍ତର ଯୋଗାଭ୍ୟାସ ଦ୍ୱାରା ବ୍ୟକ୍ତି ସ୍ବୀୟ ଆନ୍ତରିକ ଅଲୌକିକ ସତ୍ତା ଓ ତାର ଶକ୍ତି ସମୂହ ପ୍ରତି ଜାଗ୍ରତ ହୋଇପାରେ ।


ଅତ୍ୟଧିକ ଶାରୀରିକ କ୍ରିୟାକଳାପରେ ତଲ୍ଲୀନତା ଅଲୌକିକ ସତ୍ତା ଓ ଶକ୍ତି ମଧ୍ୟରେ ଏକ ପ୍ରାଚୀର ବା କଳା ପରଦା ରୂପେ ଉଭା ହୋଇ ଆନ୍ତରିକ ଚେତନାର ପ୍ରକୃତ ସ୍ବରୂପକୁ ଢ଼ାଙ୍କି ଦିଏ । ନିମ୍ନତର ଦୈହିକ ଚେତନା (ମାନସିକ  ଓ ଭୌତିକ) ଯେତେବେଳେ ଅନ୍ତର୍ମୁଖୀ  ହୁଏ ସେତେବେଳେ ଏହି ଅଜ୍ଞାନତାର ପ୍ରାଚୀର ବା ପରଦା ଅପସାରିତ ହୋଇ ଜ୍ଞାନାଲୋକ ସମ୍ପନ୍ନ ଅଲୌକିକ ଚେତନାରେ ରୂପାନ୍ତରିତ ହୋଇଯାଏ । ସେତେବେଳେ ଏହା ଉଚ୍ଚତର ସୂକ୍ଷ୍ମଲୋକରେ ବିଚରଣ କରିପାରେ ଓ ପରମାତ୍ମା ସତ୍ତା ସହିତ ନିଜକୁ ଯୁକ୍ତ କରିପାରେ । ଏହିପରି ଚେତନା ସମ୍ପନ୍ନ ଆତ୍ମା ଈଶ୍ୱରୀୟ ଶକ୍ତି ଦ୍ୱାରା ନିମ୍ନ ସ୍ବରୂପରୁ ଦିବ୍ୟ ସ୍ବରୂପରେ ରୂପାନ୍ତରିତ ହୋଇ ଇହ ଜନ୍ମରେ ମଧ୍ୟ ଶାନ୍ତି, ଆନନ୍ଦ ଓ ନିର୍ବିକାରୀ ଜୀବନ ଯାପନ କରିବାକୁ ସକ୍ଷମ ହୁଏ ।


ଚେତନାର ଅସ୍ତିତ୍ୱ ଓ ଏହାର ଆନ୍ତରିକ କ୍ରିୟା ଶକ୍ତିକୁ ବୁଝିବା ପାଇଁ ଏହାକୁ ମୂଳତଃ ଦୁଇ ଭାଗରେ ବିଭକ୍ତ  କରାଯାଇ ପାରେ । ପ୍ରଥମ ସ୍ବରୂପ ହେଉଛି ଅସ୍ତିତ୍ୱ ଗତ । ସତ୍ତାର ସମସ୍ତ ସ୍ବରୂପରେ ଚେତନାହିଁ ମୌଳିକ ଶକ୍ତି ରୂପେ କାର୍ଯ୍ୟ  କରିଥାଏ । ଏହା ସତ୍ତା ରୂପେ ପ୍ରକଟ ହେବାକୁ ଚାହେଁ ଓ ସେହି ସତ୍ତାରେ ଯୁକ୍ତ ହୋଇ ତାର “ଅହଂତ୍ୱ” ବା “ ମୁଁତ୍ୱ” ପ୍ରକଟ ହୋଇଯାଏ । ତା’ର ‘ଅହଂ’ ବା ‘ମୁଁ’ର ଏହି ବ୍ୟକ୍ତିତ୍ୱ  ସକାରାତ୍ମକ ଓ ନକାରାତ୍ମକ ସ୍ବରୂପର ଅନେକ  ଭିନ୍ନ  ଭିନ୍ନ ରୂପ ସମ୍ପନ୍ନ ହୋଇପାରେ । ଯଦି ଏହା ଆଧ୍ୟାତ୍ମିକ ଜାଗୃତିରେ ବିକସିତ ହେବାକୁ ଚାହେଁ, ତେବେ ଅନ୍ତର୍ମୁଖୀ ହୋଇ ତାର ମୂଳ ଜ୍ଞାନ ସ୍ବରୂପ ଚେତନାକୁ ବିକସିତ କରିବା ପାଇଁ ପୁରୁଷାର୍ଥ ପ୍ରାରମ୍ଭ କରିଦିଏ । ପରିଣାମ ସ୍ବରୂପ ଏହା ଆତ୍ମ  ଚେତନାର ମୌଳିକ ଆକାର ଗ୍ରହଣ କରି ପୂର୍ବର ଅଜ୍ଞାନମୟ ଆବରଣ ଯୁକ୍ତ  ପରିଚୟକୁ ତ୍ୟାଗ କରେ । ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ଏହା ଯେ ସମ୍ପ୍ରତି  ବୈଜ୍ଞାନିକଗଣ ଯେଉଁ ଚେତନା କଥା କହନ୍ତି ତାହା ପୂର୍ଣ୍ଣ ଆଧ୍ୟାତ୍ମିକ ବିଚାର ସମ୍ପନ୍ନ  ଚେତନା ନୁହେଁ । ଏହା ହେଉଛି ଜଡ ଜଗତରେ ଘଟୁଥିବା ଭୌତିକ ଓ ରାସାୟନିକ କ୍ରିୟା ପ୍ରତିକ୍ରିୟା କରୁଥିବା ତଥା ଶରୀର ମଧ୍ୟରେ ହେଉଥିବା ଜୈବିକ ଓ ରାସାୟନିକ ପରିବର୍ତ୍ତନର ସଂଯୁକ୍ତ ପ୍ରକ୍ରିୟାରୁ ଉତ୍ପନ୍ନ ହେଉଥିବା ଜୀବନଧାରା ସମ୍ପନ୍ନ ଜଡ ଚେତନା । ସେମାନଙ୍କ ଅନୁସାରେ ଏହି ଜଟିଳ ଜୈବିକ ଭୌତିକ ରାସାୟନିକ ପ୍ରତିକ୍ରିୟା ଦ୍ୱାରା କ୍ରିୟାଶୀଳ ଜୀବନର ପ୍ରତିଫଳନ ହିଁ ଚେତନା ଶକ୍ତି । ଅନ୍ୟ ଅର୍ଥରେ ଚେତନା ହେଉଛି ଶକ୍ତି ପ୍ରବାହର ଜଡ ସ୍ବରୂପ । କିନ୍ତୁ ଏଠାରେ ଯେଉଁ ଚେତନା ବିଷୟରେ ଆଲୋଚନା କରାଯାଉଛି ତାହା ହେଉଛି ସୃଷ୍ଟି ଓ ଜୀବଜଗତରେ ସମସ୍ତ ଶକ୍ତି ଏବଂ କ୍ରିୟା-ପ୍ରତିକ୍ରିୟାର ମୂଳରେ ଥିବା ଚୈତନ୍ୟ ଶକ୍ତି ।


ଚେତନାର ଦ୍ୱିତୀୟ ସ୍ବରୂପ ହେଉଛି ବସ୍ତୁ ସମ୍ବନ୍ଧରେ ହେଉଥିବା ସୂଚନା, ଜ୍ଞାନ ତଥା ତାହା ଉପରେ କ୍ରିୟାଶୀଳ ଶକ୍ତି । ଉକ୍ତ  ବସ୍ତୁର ସଂରଚନାର ତାତ୍ତ୍ବିକ ବା ଉପାଦାନ ତତ୍ତ୍ବ ବିଷୟରେ ଓ ଏହାର ସମସ୍ତ ସୂକ୍ଷ୍ମ ଦିଗଗୁଡିକୁ ଜାଣିବା । ଅର୍ଥାତ ଏହାର ସୈଦ୍ଧାନ୍ତିକ ଓ ବ୍ୟବହାରିକ ବିଷୟରେ ପୂର୍ଣ୍ଣ ଜ୍ଞାନ ଆହରଣ କରିବା । ଏହି ସ୍ତରରେ ଚେତନାର ସୃଜନାତ୍ମକ ଶକ୍ତି ସୁପ୍ତ ଥାଏ । ତେଣୁ ଏହାକୁ ନିମ୍ନସ୍ତରୀୟ ଚେତନା କୁହାଯାଏ । ଏହାକୁ ଉଚ୍ଚ ସ୍ତରୀୟ ବା ସତ୍ୟ ଆତ୍ମିକ ଚେତନାରେ ରୂପାନ୍ତରଣ ପାଇଁ ସୃଜନାତ୍ମକ ଶକ୍ତିର (ଜ୍ଞାନ ଓ ସଂକଳ୍ପ ଶକ୍ତି) ବିକାଶ କରିବା ଆବଶ୍ୟକ । ଏଥି ପାଇଁ ଆତ୍ମିକ ଚେତନାକୁ ପରମ ଚେତନା (ପରମାତ୍ମା) ସହିତ ଯୁକ୍ତ କରିବାକୁ ପଡିବ । ଏହି ମିଳନ ପ୍ରକ୍ରିୟାର ନାମ ହେଉଛି ରାଜଯୋଗ ବା ଶ୍ରେଷ୍ଠ ଯୋଗ ।

🌺🌺🌺🌺🌺🌺🌺🌺🌺

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌻🌻🌻🌻🌻🌻🌻🌻🌻

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର