ଜ୍ଞାନ ନିର୍ଝର (୩୩) ---ପରଚିନ୍ତନ ପତନର ମୂଳ

🌷🌷🌷🌷🌷🌷🌷🌷🌷 

 *ଜ୍ଞାନ ନିର୍ଝର (୩୩)* 

🌺🌺🌺🌺🌺🌺🌺🌺🌺

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*      

💐🌹🌹🌹🌹🌹💐🌹🌹

 *ପରଚିନ୍ତନ ପତନର ମୂଳ* 

💐💐💐💐💐💐💐💐💐


ପରଚିନ୍ତନ ଅର୍ଥାତ ନିନ୍ଦା-ଚୁଗୁଲି । ପ୍ରାୟତଃ ଦେଖାଯାଏ ଯେ, ଅଧିକାଂଶ ଲୋକ ଅନ୍ୟର ନିନ୍ଦା କରିବାରେ ଅତ୍ୟଧିକ ରୁଚି ଦେଖାନ୍ତି । ଏହାର କାରଣ ହେଲା ଆମର ଅନ୍ତର୍ଦୃଷ୍ଟି ଗମ୍ଭୀରତା ପୂର୍ବକ ନିନ୍ଦା ଦ୍ୱାରା ହେଉଥିବା କ୍ଷତିକୁ ବିସ୍ତାର ପୂର୍ବକ ଦେଖିବାକୁ ଅତି ସମ୍ବେଦନଶୀଳ ନୁହେଁ । ନିନ୍ଦାର ଅର୍ଥ ନକାରାତ୍ମକ ବକ୍ତବ୍ୟ ଅର୍ଥାତ ଅବଗୁଣ ଓ ହାନିକାରକ ଦିଗ ଗୁଡ଼ିକର ଚର୍ଚ୍ଚା କରିବା । ନକାରାତ୍ମକ ବକ୍ତବ୍ୟକୁ ଅସିଦ୍ଧ କରିବା ଓ ସକାରାତ୍ମକ   ବକ୍ତବ୍ୟକୁ ସିଦ୍ଧ କରିବା କଠିଣ କାର୍ଯ୍ୟ ଅଟେ । ଯେକେହି ଅତି ସହଜରେ ନକାରାତ୍ମକ ବକ୍ତବ୍ୟ ଦେଇପାରିବ । ଏପରି ବକ୍ତବ୍ୟକାରୀ ସହଜରେ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିପାରନ୍ତି ଓ ଲୋକଙ୍କ ଦୃଷ୍ଟିରେ ମହାନ ଏବଂ ପ୍ରତିଭାଶାଳୀ ବ୍ୟକ୍ତି ରୂପେ ବିବେଚିତ ହୁଅନ୍ତି । ଏଥିପାଇଁ ନିନ୍ଦାରେ ସମସ୍ତେ ପାରଙ୍ଗମ ଅଟନ୍ତି ।


କୌଣସି ସକାରତ୍ମକ ପକ୍ଷ ପ୍ରମାଣ କରିବା ଅତ୍ୟନ୍ତ କଠିଣ କାର୍ଯ୍ୟ ଅଟେ । ପ୍ରମାଣକାରୀଙ୍କୁ ଏଥିପାଇଁ ସମଗ୍ର ଜୀବନ ନିରନ୍ତର ପୁରୁଷାର୍ଥ କରିବାକୁ ପଡ଼େ । ପରମାତ୍ମା ଆନନ୍ଦ ସ୍ବରୂପ । ଏହା ଏକ ଶାସ୍ତ୍ରୀୟ ବଚନ । କିନ୍ତୁ ଏହାକୁ ଜଣେ କିପରି ସିଦ୍ଧ କରିବ । ପରମାତ୍ମାଙ୍କ ଯଥାର୍ଥ ସ୍ବରୂପ ଅନୁଭବ କରିବା ପାଇଁ ଜଣକୁ ଅନ୍ନଶୁଦ୍ଧି ସଂସ୍କାର ପରିବର୍ତ୍ତନ, ବ୍ରହ୍ମଚର୍ଯ୍ୟଧାରଣ, ସତସଙ୍ଗ, ପରମାତ୍ମାଙ୍କ ଦିବ୍ୟ ସ୍ବରୂପର ନିରନ୍ତର ସ୍ମରଣ ଆଦି ପୁରୁଷାର୍ଥ ମଧ୍ୟ ଦେଇ ଗତି କରିବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ ଜଣେ ନିଜ ମଧ୍ୟରେ ଆନନ୍ଦ, ପ୍ରେମ, ପବିତ୍ରତା ଆଦି ଦିବ୍ୟଗୁଣର ଅନୁଭବ କରି ନ ପାରିଛି, ସେ ପରମାତ୍ମାଙ୍କ ଦିବ୍ୟ ସ୍ବରୂପ ମଧ୍ୟ ଅନୁଭବ କରି ପାରିବ ନାହିଁ । ପରମାତ୍ମାଙ୍କୁ ଅନୁଭବ କରିବା ପାଇଁ ଦିବ୍ୟବୁଦ୍ଧି, ସମ୍ବେଦନଶୀଳ ଚୈତନ୍ୟ ହୃଦୟ ଓ ଅନ୍ତରାଲୋକ (ଅନ୍ତର୍ଦୃଷ୍ଟି) ଆବଶ୍ୟକ । ଅନ୍ୟପକ୍ଷରେ ପରମାତ୍ମାଙ୍କ ଅସ୍ତିତ୍ୱକୁ ଅସ୍ବୀକାର କରିବା ପାଇଁ କୌଣସି ପ୍ରକାର ପୁରୁଷାର୍ଥ କରିବା ଅନିବାର୍ଯ୍ୟ ନୁହେଁ । ଏଥିପାଇଁ କେବଳ ସାମାନ୍ୟ ତର୍କ କୁଶଳତା ଆବଶ୍ୟକ ହୁଏ । ଏଠାରେ ବୁଦ୍ଧିର କାମ ନାହିଁ । ଅତି ବୁଦ୍ଧୁ ବା ମୂର୍ଖ ବ୍ୟକ୍ତି ମଧ୍ୟ ନାସ୍ତିକ ହୋଇପାରେ । ନିନ୍ଦାର ମନୋବିଜ୍ଞାନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ମନେ କରେ ସେ କାହାରିଠାରୁ କମ ନୁହେଁ ଓ ସେ ସମସ୍ତଙ୍କ ଠାରୁ ବୁଦ୍ଧିମାନ ଓ ଜ୍ଞାନୀ । ସେ ଚାହେଁ ତାର ଅହଂକାରକୁ ପ୍ରତିଷ୍ଠା ମିଳୁ ଯାହାକି ସିଦ୍ଧ କରିବା କଠିଣ କାମ ଅଟେ । କାରଣ ପ୍ରତ୍ୟେକ ବ୍ୟକ୍ତି ଯଦି ନିଜ ନିଜ ଅଂହକୁ (ମୁଁ ସବୁଠାରୁ ବଡ଼) ସିଦ୍ଧ କରିବା ପାଇଁ ଲାଗିଯିବେ ତେବେ ମାନବ ସମାଜ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧର ସୂତ୍ରପାତ ହୋଇଯିବ । ଏପରି ହେଲେ କିଏ ହାରିବ କିଏ ଜିତିବ ଏକଥା ଅନିଶ୍ଚିତ । ମଣିଷର ଅନ୍ତର୍ମନ ଏକଥା ଜାଣେ ଯେ ‘ମୁଁ ସମସ୍ତଙ୍କ ଠାରୁ ବଡ଼’ ଏହା ସିଦ୍ଧ କରିବା କଠିଣ, ଏଥିରେ ପରାଜୟ ନିଶ୍ଚିତ । କିନ୍ତୁ ଧୂର୍ତ୍ତ ବ୍ୟକ୍ତି ଜାଣେ ଯେ, “ମୋ ଠାରୁ କେହି ବଡ଼ ନାହିଁ” - ଏକଥା ସହଜରେ ପ୍ରମାଣ କରାଯାଇ ପାରିବ । ଏଥିପାଇଁ ସେ ଅନ୍ୟମାନଙ୍କ ନିନ୍ଦା କରିବାରେ ଲାଗିଯାଏ । ଏହିପରି ନିନ୍ଦାର ଏକ ନକରାତ୍ମକ ଦୃଷ୍ଟିକୋଣ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଯାଇଛି ।


ଅନ୍ୟର ନିନ୍ଦା କରିବା ହେଉଛି ଅପରୋକ୍ଷ ରୂପରେ ନିଜର ପ୍ରଶଂସା । ଯେତେବେଳେ ଜଣେ କହେ ଯେ ଅମୁକ ବ୍ୟକ୍ତି ଖରାପ୍, ସେତେବେଳେ ସେ ଅପରୋକ୍ଷ ଭାବରେ ଏହା କହିବାକୁ ଚାହେଁ ଯେ ସେ ତା’ଠାରୁ ଭଲ ଓ ଏହା ଦ୍ୱାରା ସେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଚେଷ୍ଟା କରେ । ଦୁନିଆର ସମସ୍ତ ଖରାପ ବ୍ୟକ୍ତିଙ୍କ ଜୀବନ ଅଧ୍ୟୟନ କଲେ ଜଣାଯାଏ ଯେ ସେମାନେ ଜଣେ ଜଣେ ଶ୍ରେଷ୍ଠ ନିନ୍ଦୁକ । ସେମାନେ ଅନ୍ୟର ଅବଗୁଣ ଗୁଡ଼ିକ ଏପରି କୁଶଳତା ପୂର୍ବକ ପ୍ରଚାର-ପ୍ରସାର କରନ୍ତି ଯେ ସଂପୃକ୍ତ ବ୍ୟକ୍ତି ଯେତେ ଭଲ ହୋଇଥାଉ ନା କାହିଁକି କିଛି ସମୟ ପାଇଁ ଜନ ସାଧାରଣରେ ବଦନାମ ହେଇଯାଏ । ନିନ୍ଦାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନିଜର ଅବଗୁଣଗୁଡିକୁ ଲୁଚାଇବା । ଯେତେବେଳେ ବ୍ୟକ୍ତି ଅନ୍ୟର ଖରାପ କଥାକୁ ଅତିରଞ୍ଜିତ କରି ପ୍ରଚାର କରେ ସେତେବେଳେ ତାର ଅପକୀର୍ତ୍ତୀ ସାମାନ୍ୟ ମନେ ହୁଏ । ଏଥିପାଇଁ ତାକୁ ଲାଗେ ଯେ ସେ ଅନ୍ୟଠାରୁ ଶ୍ରେଷ୍ଠ । ଏହା ହେଉଛି ନିନ୍ଦା-ରସ ।


ସଂପ୍ରତି ସଂଚାର ମାଧ୍ୟମ ଗୁଡିକ ନିନ୍ଦା-ରସ ପୂର୍ତ୍ତିର ଏକ ଏକ ଶ୍ରେଷ୍ଠ ସାଧନ । ଦୈନନ୍ଦିନ ଜୀବନରେ ଦେଖାଯାଏ ଯେ ସଞ୍ଚାର ମାଧ୍ୟମ ଗୁଡିକ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ଚାରିତ୍ରିକ ଅଧୋପତନ ସମ୍ବନ୍ଧୀୟ ଚାଞ୍ଚଲ୍ୟକର ସମ୍ବାଦ ଜୋରସୋରରେ ପ୍ରଚାର ପ୍ରସାର କରନ୍ତି । କାରଣ ଏଭଳି ଖବର ଲୋକେ ସବୁ କାମଧାମ ଛାଡି ଅତ୍ୟନ୍ତ ଧ୍ୟାନପୂର୍ବକ ଶୁଣନ୍ତି । କେତେକ ଲୋକମଧ୍ୟ ଏଭଳି ଖବରକୁ ଏଭଳି ମନୋରଞ୍ଜନ ଢ଼ଙ୍ଗରେ ଶୁଣାନ୍ତି ଯେ ଶୁଣିବା ଲୋକ ବଡ଼ ଆଗ୍ରହରେ ଏକାଗ୍ରତା ପୂର୍ବକ ଶୁଣନ୍ତି । କିନ୍ତୁ ଏଭଳି ନିନ୍ଦାରେ ରସ କାହିଁକି? ତଥାକଥିତ ସାଧୁ-ସନ୍ଥ, ମନ୍ତ୍ରୀ, ଉଚ୍ଚପଦାଧିକାରୀ ବା ସମାଜ ସୁଧାରକ ଭଳି ବିଶଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା କୌଣସି ଅପକର୍ମର ଖବର ରାତାରାତି ସର୍ବତ୍ର ପ୍ରସାରିତ ହୋଇଯାଏ । ଯେପରି କି ସଂସାରରେ ଏହା ଏକ ଅଦ୍ଭୂତପୂର୍ବ ଘଟଣା । ଲୋକେ ମଧ୍ୟ ଏହାକୁ ବଢ଼ାଇ ଚଢ଼ାଇ ଅନ୍ୟମାନଙ୍କ ସମ୍ମୁଖରେ ପରିବେଷଣ କରନ୍ତି । କାହିଁକି? କାହିଁକି ନା ସେମାନେ ନିଜର ଦୋଷ ଦୁର୍ବଳତାକୁ ଘୋଡାଇବାକୁ ପାଇଁ ଏଭଳି ଖବରର ଅପେକ୍ଷାରେ ଥାଆନ୍ତି । ସେମାନେ ଏଭଳି ଖବରର ପ୍ରଚାର କରି ଏକ ପ୍ରମାଦପୂର୍ଣ୍ଣ ଆତ୍ମ ସନ୍ତୁଷ୍ଟି ଅନୁଭବ କରନ୍ତି ଯେ, ଅନ୍ୟ ମାନଙ୍କଠାରୁ ସେ ଶ୍ରେଷ୍ଠ ଅଟନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଏହି ଯେ ନିନ୍ଦାରସ ପରିପୂର୍ଣ୍ଣ ଅତିରଞ୍ଜିତ ଖବରକୁ ଜନସାଧାରଣ ମଧ୍ୟ ଆଖି ବନ୍ଦ କରି ବିଶ୍ୱାସ କରନ୍ତି ।


ବର୍ତ୍ତମାନ ଅନ୍ୟ ପକ୍ଷ ବିଚାର କରିବା । ଯଦି ଜଣେ କହେ ଯେ ଅମୁକ ବ୍ୟକ୍ତି ଖୁବ୍ ଭଲ ପ୍ରବଚନ ଦିଅନ୍ତି, ତତକ୍ଷଣାତ୍ ଅନ୍ୟମାନେ ଏହି ଗୁଣକୁ ଅସ୍ବୀକାର କରି ଦିଅନ୍ତି । ସେମାନେ କହନ୍ତି, “ବେକାର କଥା, ଏଭଳି ପ୍ରବଚନ ଆମେ ବହୁତ ଦେଖିଛୁ । ୟା’ଠାରୁ ମଧ୍ୟ ଆହୁରି ବଡ଼ ବଡ଼ ବକ୍ତାଙ୍କ ଅଧୋପତନ ହେବା ଆମେ ଦେଖିଛୁ, ପ୍ରବଚନ ଓ ଆଚରଣ ମଧ୍ୟରେ ଖୁବ୍ ଅନ୍ତର ଅଛି । ଦେଖିବ, ଆଜି ନ ହେଲେ କାଲି ୟା’ର ଅସଲ ଚରିତ୍ର ଜଣାପଡିଯିବ ।” ଏହି ବକ୍ତବ୍ୟର ଅନ୍ତରାଳରେ ସେମାନଙ୍କ ମନସ୍ତାତ୍ତ୍ବିକ ସ୍ଥିତି ହେଉଛି ଯେ ଯଦି ସେମାନେ କାହାରି ଶ୍ରେଷ୍ଠତାକୁ ସ୍ବୀକାର କରିବେ ତେବେ ନିଜକୁ ସର୍ବଶ୍ରେଷ୍ଠ ପ୍ରତିପାଦନ କରି ପାରିବେ ନାହିଁ ।  ତେଣୁ ନିନ୍ଦା ମାର୍ଗରେ ଅଗ୍ରସର ହୁଅନ୍ତି । ଏହାର ବିପରୀତ ଯଦି ଜଣେ କହେ ଯେ ଅମୁକ ବ୍ୟକ୍ତି ଚୋର, ଭ୍ରଷ୍ଟାଚାରୀ, ଚରିତ୍ରହୀନ - ତେବେ ସଙ୍ଗେ ସଙ୍ଗେ ଅନ୍ୟମାନେ ଏହି କଥାକୁ ବିନା ଦ୍ୱିଧାରେ ସ୍ବୀକାର କରି ଥାଆନ୍ତି । ଅଧିକାଂଶ ଲୋକ ଏହା ମାନି ଚାଲନ୍ତି ଯେ ତା’ ବ୍ୟତୀତ ଅନ୍ୟ ସମସ୍ତେ ଖରାପ । ସକାରାତ୍ମକ ଦୃଷ୍ଟିକୋଣ ଅଭାବରେ ଜଣେ ଅନ୍ୟର ଭଲ ଗୁଣକୁ ନ ଦେଖି କେବଳ ତା’ର ଖରାପଗୁଣକୁ ହିଁ ଦେଖିଥାଏ । 


ଚରିତ୍ର ନିର୍ମାଣ ବଡ଼ କଷ୍ଟକର ବ୍ୟାପାର । କାହାରି ଜୀବନକୁ ମହିମା ମଣ୍ଡିତ କରିବା ମଧ୍ୟ ଅତ୍ୟଧିକ କଠିଣ ଅଟେ । କିନ୍ତୁ ତା’ର ମହିମା ଖଣ୍ଡିତ କରିବା, ତା’ବିରୁଦ୍ଧରେ ଅନର୍ଗଳ ଅପପ୍ରଚାର କରିବା ତଥା ଛୋଟ କଥାକୁ ଅତିରଞ୍ଜିତ କରି କହିବା ବଡ଼ ସହଜ କାର୍ଯ୍ୟ । ନିନ୍ଦା କରିବା ଦ୍ୱାରା ଯେତିକି ଅନ୍ୟର କ୍ଷତି ହୋଇଥାଏ ସେତିକି ନିଜ ଅନ୍ତରର ଶ୍ରେଷ୍ଠତାର ଅହଂକାର ପ୍ରତୀତ ହୁଏ । ଲୋକେ ଯଦି କେବେ କାହାରି ପ୍ରଶଂସା କରିଥାନ୍ତି ତେବେ ସେଥିରେ ଆନ୍ତରିକତା ନ ଥାଏ । ବେଳେ ବେଳେ ସେମାନଙ୍କୁ ନିଜସ୍ବାର୍ଥ ସିଦ୍ଧି ପାଇଁ ବା ଭୟ ବଶତଃ ପ୍ରଶଂସା କରିବାକୁ ପଡ଼ିଥାଏ । ନିନ୍ଦା ବ୍ୟକ୍ତିର ଚେତନାରେ ଏକ ଘନ ଅନ୍ଧକାରର ଆସ୍ତରଣ ପରସ୍ତକୁ ପରସ୍ତ ନିର୍ମାଣ କରିଚାଲେ । ନୂତନ ସ୍ବର୍ଣ୍ଣିମ ସୃଜନ ପାଇଁ ଉତ୍ସାହ ଓ ଉଲ୍ଲାସଜନକ ଜୀବନ - ରସ ସମାପ୍ତ କରିଦିଏ । ଏହି ନକାରତ୍ମକ ଦୃଷ୍ଟି କୋଣ ଧିରେ ଧିରେ ପ୍ରେମ ଓ କରୁଣାର ସମ୍ଭାବନାକୁ ସମାପ୍ତ କରିଦିଏ । ଘୃଣା ଓ ନିନ୍ଦା ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିର ଜୀବନ ଦୀନ-ହୀନ ଓ ଦରିଦ୍ର ହୋଇଯାଏ ।


ନିନ୍ଦା ଓ ଆଲୋଚନା ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଅଛି । ଆଲୋଚନା ହୁଏ କରୁଣାରୁ ; କିନ୍ତୁ ନିନ୍ଦା ହୋଇଥାଏ  ଘୃଣାରୁ । ଆଲୋଚନା କାହାରି ମଧ୍ୟରେ ନବ ଜାଗରଣର ପ୍ରାଣ ସଞ୍ଚାର କରେ । ଅନ୍ୟପକ୍ଷରେ ନିନ୍ଦା ଅନ୍ୟକୁ ସମାପ୍ତ କରିଦେବାର ମୂଳ ମନ୍ତ୍ର ବନିଯାଏ । ଆଲୋଚନାର ଅର୍ଥ ହେଉଛି ଜୀବନରେ ସତ୍ୟର ବିଭିନ୍ନ ଦିଗର ଅନ୍ୱେଷଣ । ବେଳେ ବେଳେ କଠୋର ହୋଇପାରେ । ଧୂଳି ଧୂସରିତ ହୀରାକୁ ପରିଷ୍କାର କରିଦେବା, ଶୁଦ୍ଧ କରିଦେବା ଏବଂ ତାକୁ ତା’ର ଗାରିମାରେ ପ୍ରତିଷ୍ଠିତ କରିଦେବା ହେଉଛି ଆଲୋଚନାର ବାସ୍ତବିକ ଲକ୍ଷ୍ୟ । ଆଲୋଚନାରେ ମୈତ୍ରୀ ପୂର୍ଣ୍ଣ ଭାବନା ଥାଏ ଯଦ୍ୱାରା ବ୍ୟକ୍ତି ମଧ୍ୟରେ ସର୍ବାଙ୍ଗୀନ ରୂପାନ୍ତରଣ ହୋଇଯାଏ । ନିନ୍ଦାର ଲକ୍ଷ୍ୟ ହେଉଛି ଅନ୍ୟର ଅହଂକାରକୁ ଧୂଳିସାତ୍ କରିଦେବା । ତାକୁ ପଦଦଳିତ କରିଦେବା କିମ୍ବା କୌଣସି ନା କୌଣସି ପ୍ରକାରେ ତା’ର ଆତ୍ମାକୁ କଷ୍ଟ ପ୍ରଦାନ କରିବା । ନିନ୍ଦା ଯେତିକି ମଧୁର ହୋଇଥାଉ ନା କାହିଁକି ଏହା ମଧୁରେ ମିଶ୍ରିତ ବିଷ ତୁଲ୍ୟ । ଜଣେ ଚୋରକୁ ବ୍ୟକ୍ତିଗତ ଆରୋପ କରିବା ତାକୁ ଚୋର ବୋଲି ପ୍ରଚାର କରିବା ହେଉଛି ନିନ୍ଦା । ଅନ୍ୟପକ୍ଷରେ ଚୋରୀ କାର୍ଯ୍ୟ ବିରୁଦ୍ଧରେ କହିବା ହେଉଛି ଆଲୋଚନା । ସେହିପରି ପାପୀ ବିରୁଦ୍ଧରେ ଶାବ୍ଦିକ ପ୍ରହାରକୁ ନିନ୍ଦା ଓ ପାପ ବିରୁଦ୍ଧରେ ମନ୍ତବ୍ୟକୁ ଆଲୋଚନା କୁହାଯାଏ ।


ନିନ୍ଦା ରୂପକ ବୃକ୍ଷରୁ ଜୀବନକୁ ବଞ୍ଚାଇବା ପାଇଁ ଶ୍ରେଷ୍ଠ ସଂକଳ୍ପ ରୂପକ ଅମୃତ-ବୃକ୍ଷର ରୋପଣ କରିବା ଉଚିତ୍ । ନିଜ ସକାରାତ୍ମକ ଦିବ୍ୟ ବିଚାର ଦ୍ୱାରା ସମସ୍ତଙ୍କ ଅନ୍ତରରେ ଉତ୍ସାହ ଓ ଉଲ୍ଳାସର ଆଶା ସଞ୍ଚାର କରିବା ବିଧେୟ । ସ୍ବୀୟ ଦୀପ୍ତିମାନ ତେଜସ୍ବୀ, ସ୍ବ-ପର ହିତାୟ ସଂକଳ୍ପ, ବଚନ ଏବଂ କର୍ମ ଦ୍ୱାରା ବିଶ୍ୱମାନବର ବିଶ୍ୱ ମଙ୍ଗଳ କାମନାରେ ଯତ୍ନଶୀଳ ହୋଇ ଆସନ୍ତୁ ଆମେ ଗାଇବା - “ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍ ।ା ଓମ୍ ଶାନ୍ତିଃ...ଶାନ୍ତିଃ...ଶାନ୍ତିଃ...ାା”

🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌻🌻🌻🌻🌻🌻🌻🌻🌻

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର