ଜ୍ଞାନ ନିର୍ଝର (୩୭) ---ସ୍ୱ ମୂଲ୍ୟାଙ୍କନ

🌹🌹🌹🌹🌹🌹🌹🌹🌹

🌻 *ଜ୍ଞାନ ନିର୍ଝର (୩୭)* 🌻

🌸🌸🌸🌸🌸🌸🌸🌸🌸

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

 🌸🌸🌸🌸🌸🌸🌸🌸🌸

 🌼   *ସ୍ୱ ମୂଲ୍ୟାଙ୍କନ* 🌼

🌺🌺🌺🌺🌺🌺🌺🌺🌺

ମନୁଷ୍ୟ ସ୍ବଭାବ ବଡ ବିଚିତ୍ର । ପାଖରେ ଥିବା ବସ୍ତୁର ସେ ଖାତିର କରେ ନାହିଁ । ହାତରୁ

ଯାହା ଖସିଯାଏ, ତାହା ପ୍ରତି ତା’ର ବଡ ଆକର୍ଷଣ ରହେ । ଯାହା ତାକୁ ପ୍ରାପ୍ତ ହୋଇଛି ସେଥିରେ ସେ ସନ୍ତୁଷ୍ଟ ନୁହେଁ, ଯାହା ତାହା ପାଖରେ ନାହିଁ ସେଥିପ୍ରତି ତା’ ମନ ଆକର୍ଷିତ ହେଉଥାଏ । ନିଜର ସୁଖ ତାକୁ ଦିଶେ ନାହିଁ । ଅନ୍ୟର ସୁଖ ଦେଖି ତା’ ମନରେ ଇର୍ଷା ଜାତ ହୁଏ । ଅନ୍ୟର ଦୁଃଖ କେହି ଦେଖନ୍ତି ନାହିଁ । ନିଜ ନିଜ ଦୁଃଖ ସମସ୍ତେ ଦେଖନ୍ତି । ଏହି ଚକ୍ରରେ ଜୀବନର ଶାନ୍ତି ନଷ୍ଟ ହୋଇଯାଏ । ଏକ ଶାଶ୍ୱତ ଅତୃପ୍ତି ଓ ଚିର ଅସନ୍ତୋଷ ମନରେ ବସା ବାନ୍ଧି ରହିଯାଏ । ଏହାହିଁ ସମସ୍ତ ଦୁଃଖର କାରଣ ଅଟେ । ମନରେ ଶାନ୍ତି ଓ ସନ୍ତୋଷ ପ୍ରାପ୍ତ କରିଥିବା ବ୍ୟକ୍ତି ହିଁ ପ୍ରକୃତ ଜୀବନ ବେତ୍ତା । ତା’ ପାଖରେ ଧନ-ସମ୍ପତ୍ତି ଓ ଭୋଗ୍ୟ ବସ୍ତୁ ଥାଉ ବା ନଥାଉ ସେହିଁ ଜୀବନ ସଂଗ୍ରାମର ବିଜେତା ଅଟେ । ମନର ଶାନ୍ତି ଯଦି ନ ରହେ ତେବେ ସମସ୍ତ ସୁଖ ଓ ବୈଭବ ଥାଇ ମଧ୍ୟ ମନୁଷ୍ୟ ଏକ ପରାଧିନ ବ୍ୟକ୍ତି ସଦୃଶ ଅସନ୍ତୁଷ୍ଟ ଓ ଅସୁଖୀ ଅଟେ । ଜୀବନର ସମସ୍ତ ଧର୍ମ, ଆତ୍ମଜ୍ଞାନ ଓ ନୀତିଶାସ୍ତ୍ରର ଏକମାତ୍ର ଧ୍ୟେୟ ହେଉଛି ମନର ଶାନ୍ତି ପ୍ରାପ୍ତି ପାଇଁ ମନୁଷ୍ୟକୁ ପ୍ରେରିତ କରିବା । ସେହି ଚାବି ଯାହାକୁ ମିଳି ଯାଇଛି ସେ ଆତ୍ମଜ୍ଞାନୀ ଓ ସାଧକ ଅଟେ ।


ଭଗବାନଙ୍କୁ କେହି ନିକୃଷ୍ଟ ବସ୍ତୁ ଅର୍ପଣ କରନ୍ତି ନାହିଁ । ତାଙ୍କୁ କେହି ଅପଶବ୍ଦ କହନ୍ତି ନାହିଁ । କିନ୍ତୁ ମନୁଷ୍ୟ ଏଥିପ୍ରତି ସଚେତନ ହୁଏ ନାହିଁ ଯେ ଜୀବନର ଅନ୍ତିମ କ୍ଷଣରେ ଯେତେବେଳେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିବାର ସମୟ ଆସିବ ସେତେବେଳେ ସେ କେଉଁ ସ୍ତରର ହେବା ଉଚିତ । ଅନ୍ତିମ ସମୟରେ ପଶ୍ଚାତ୍ତାପ କରିବା ଅପେକ୍ଷା ବର୍ତ୍ତମାନଠାରୁ ନିଜର ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟଗୁଡିକର ମୂଲ୍ୟାଙ୍କନ ପୂର୍ବକ ବ୍ୟବହାରିକ ଜୀବନରେ ଧାରଣ କରିବା ଉଚିତ । ଏହି ସାଧନା ଅବ୍ୟାହତ ରଖିଲେ ମନୁଷ୍ୟ ଏକ ଦିବ୍ୟ ରୂପ ସମ୍ପନ୍ନ ହୋଇ ନିଜକୁ ପ୍ରସନ୍ନତା ପୂର୍ବକ ଭଗବାନଙ୍କଠାରେ ସମର୍ପଣ ପାଇଁ ସମର୍ଥ ହୋଇପାରିବ । ଏଥିରେ ହିଁ ମାନବ ଜୀବନର ସାର୍ଥକତା ।


ମନୁଷ୍ୟ ଜନ୍ମ ହିଁ ଆମ ପାଇଁ ଭଗବାନଙ୍କ ଅମୂଲ୍ୟ ବରଦାନ । ସେଥିପାଇଁ ଆମେ ତାଙ୍କ ପ୍ରତି କୃତଜ୍ଞ ରହିବା ଉଚିତ । ତାଙ୍କ ପ୍ରତି ସର୍ବଦା ଧନ୍ୟବାଦ ଭାବ ପୋଷଣ କରିବା ଉଚିତ । ଆମ ପାଖରେ ଯେଉଁ ଅମୂଲ୍ୟ ସମ୍ପତ୍ତିର ଭଣ୍ଡାର ଅଛି ସେଥି ପ୍ରତି ଆମେ ସଚେତନ ନୋହୁଁ । ଆସନ୍ତୁ ଏହା ଉପରେ କିଛି ବିଚାର କରିବା । ଆମ ହାତ ବଦଳରେ ଯଦି ଆମକୁ କିଏ ଲକ୍ଷ୍ୟାଧିକ ଟଙ୍କା ଦେବାକୁ ପ୍ରସ୍ତାବ ଦେବ ତେବେ ଆମେ ଦେବା କି? କୌଣସି ଶିକ୍ଷିତ ବ୍ୟକ୍ତି ଯେତେ ଅଭାବରେ ଥିଲେ ବି କୌଣସି ମୂଲ୍ୟ ବିନିମୟରେ ନିଜର ଆଖି ବା ଅନ୍ୟ କୌଣସି ଅଙ୍ଗ ଦେବାକୁ ଚାହିଁବ ନାହିଁ । ତଥାପି ମଧ୍ୟ ବ୍ୟକ୍ତି ମଧ୍ୟରେ ଅସନ୍ତୁଷ୍ଟତା ଓ ଅଭାବ ବୋଧ ରହିଥାଏ । ସ୍ବଭାବିକ ଭାବରେ ତାକୁ ଯାହା ମିଳିଛି ବା ଯାହା ତା ପାଖରେ ଅଛି ସେଥିରେ ସେ ସନ୍ତୁଷ୍ଟ ହୁଏ ନାହିଁ । ଜଣକର ମୂଲ୍ୟାଙ୍କନ ବସ୍ତୁ ବା ଅର୍ଥ ଦ୍ୱାରା କରାଯାଇପାରେ ନାହିଁ । କାରଣ ପ୍ରତ୍ୟେକ ବ୍ୟକ୍ତି ଅମୂଲ୍ୟ । ତେଣୁ ନିଜକୁ ନିଜେ ଗୌରବାନ୍ୱିତ ମନେ କରିବା ଉଚିତ । ଜଣେ ଆର୍ଥିକ, ସାମାଜିକ ଆଦି କ୍ଷେତ୍ରରେ ଯେତେ ବି ନ୍ୟୁନ ଥାଉ ନା କାହିଁକି ସେ ମହାନ ଅଟେ । ଏହି କଥା ସେ ବୁଝିବା ଆବଶ୍ୟକ ଓ ଏଥିପାଇଁ ସେ ନିଜକୁ ଖୁବ ଭଲ ପାଇବା ଉଚିତ ।


ମନୁଷ୍ୟଠାରୁ ମଧ୍ୟ ଖୁବ ଶକ୍ତିଶାଳୀ ପ୍ରାଣୀ ସଂସାରରେ  ଅଛନ୍ତି । ତଥାପି ମଧ୍ୟ ମନୁଷ୍ୟକୁ ପ୍ରାଣୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ କୁହାଯାଏ । କାରଣ ଅନ୍ୟାନ୍ୟ ପ୍ରାଣୀ ଅପେକ୍ଷା ମନୁଷ୍ୟ ମାନସିକ ଓ ବୌଦ୍ଧିକ ଦୃଷ୍ଟିରୁ ଶ୍ରେଷ୍ଠ ଅଟେ । କେବଳ ମନୁଷ୍ୟକୁ ନିଜର ମୂଲ୍ୟାଙ୍କନ ପୂର୍ବକ ଦୃଷ୍ଟିକୋଣ ପରିବର୍ତ୍ତନ କରିବା ଆବଶ୍ୟକ । ଇହ ଜନ୍ମରେ ପ୍ରାରବ୍ଧବଶତଃ ତାକୁ ଯାହା ମିଳିଛି ସେଥିରେ ସେ ସନ୍ତୁଷ୍ଟ ରହି ଭଗବାନଙ୍କ ପ୍ରତି କୃତଜ୍ଞ ହେବା ଉଚିତ । ଏହାର ଅର୍ଥ ଏହା ନୁହେଁ ଯେ ଆମ ପାଖରେ ଯାହା ନାହିଁ ସେହି ଅଭାବ ପୂରଣ ପାଇଁ ଆମେ ପ୍ରୟାସ ନକରି ଆତ୍ମସନ୍ତୋଷ ଧାରଣ କରିବା । ସନ୍ତୁଷ୍ଟତା ଓ ସନ୍ତୋଷ କରିବା ଭିନ୍ନ କଥା । ସନ୍ତୋଷ କରିବା ଅର୍ଥ ସାନ୍ତ୍ୱନା ଦେବା । ଅନ୍ୟ ଅର୍ଥରେ ଯାହା ଆମ ପାଖରେ ନାହିଁ ତାହାର ପ୍ରାପ୍ତି ପାଇଁ କୌଣସି ଉଦ୍ୟମ ନ କରି ଭାଗ୍ୟବାଦୀ ହୋଇ ପଡିବା । ଅଭାବ ପୂରଣ ପାଇଁ ଯଥୋଚିତ ପ୍ରୟାସ ପୂର୍ବକ ଆବଶ୍ୟକତାରୁ ଅଧିକ ନ ଚାହିଁବା ହେଉଛି ସନ୍ତୁଷ୍ଟତା ।


ମନୁଷ୍ୟ ଭଗବାନଙ୍କୁ କ୍ଷଣ ଭଙ୍ଗୁର ଧନ-ସମ୍ପତ୍ତି, ବିଳାସ ସାମଗ୍ରୀ, ଯଶ-ଖ୍ୟାତି ଆଦି ପ୍ରାପ୍ତି ପାଇଁ ପ୍ରାର୍ଥନା କରେ । କାରଣ ମଣିଷ ନିଜ ମୂଲ୍ୟ ଆକଳନ କରିପାରେ ନାହିଁ । ଯିଏ ନିଜକୁ ଜାଣିନି ସେ ଭଗବାନଙ୍କୁ ବା ଜାଣିବ କିପରି? ଭଗବାନ (ପରମାତ୍ମା)ଙ୍କ ନିକଟରେ ଯେଉଁ ଅକଳନ ଅବିନାଶୀ ସମ୍ପତ୍ତି ଅଛି ତାହା ବିଷୟ ଭୋଗ ଲିପ୍ସୁ ମନୁଷ୍ୟର ଦୃଷ୍ଟିଗୋଚର ହୁଏ ନାହିଁ । ଜୀବନର ବହୁମୂଲ୍ୟ ସମ୍ପତ୍ତି ହେଉଛି, ଜ୍ଞାନ, ଶାନ୍ତି, ଖୁସି ଓ ଆନନ୍ଦ । ଭଗବାନ ଏହି ସମ୍ପତ୍ତିଗୁଡିକର ମହାସମୁଦ୍ର ଅଟନ୍ତି । ପରମାତ୍ମାଙ୍କ ସନ୍ତାନ ହିସାବରେ ମନୁଷ୍ୟାତ୍ମା ସମସ୍ତ ଈଶ୍ୱରୀୟ ସମ୍ପତ୍ତିର ସ୍ବଭାବିକ ଉତ୍ତରାଧିକାରୀ । ସେଥିରେ ଆମର ଜନ୍ମସିଦ୍ଧ ଅଧିକାର । କିନ୍ତୁ ଆମକୁ ପ୍ରାପ୍ତ ହୋଇଥିବା ସେହି ଅବିନାଶୀ ସମ୍ପତ୍ତିର ଭଣ୍ଡାର ଗୃହକୁ ଆମେ କେବେ ଖୋଲିବାକୁ ପ୍ରୟାସ କରି ନାହୁଁ । ଆମେ ଯେତେବେଳେ ବିଶ୍ୱ ସମ୍ରାଟ ପରମାତ୍ମାଙ୍କ ସ୍ବରୂପ ଓ ତାଙ୍କ ସହିତ ଆମର ସମ୍ବନ୍ଧକୁ ଭଲ ଭାବରେ ଅନୁଭବ କରିବା ସେତେବେଳେ ଆମ ମନରୁ ଦରିଦ୍ରତାର ଭାବ ଚାଲିଯିବ । ଧନ, ସମ୍ପତ୍ତି, ଯଶ ଓ ଖ୍ୟାତି ଅଯାଚିତ ଭାବରେ ପ୍ରାପ୍ତ ହେବ । ଯଦି କିଛି ମାଗିବାର ଅଛି ତେବେ ପରମାତ୍ମାଙ୍କ ନିରନ୍ତର ସ୍ମୃତି, ତାଙ୍କ ସହିତ ସମ୍ବନ୍ଧ ଓ ସାନ୍ନିଧ୍ୟ ମାଗିବା ଉଚିତ । ତୁଚ୍ଛ ଭୌତିକ ବିନାଶୀ ବସ୍ତୁ ମାଗି କି ଲାଭ? ସମସ୍ତ ଭୌତିକ ଓ ଦୈବୀ ସମ୍ପତ୍ତିର ଗନ୍ତାଘରର ଚାବି ହେଉଛନ୍ତି ପରମାତ୍ମା । ତାହା ପ୍ରାପ୍ତି ହେଲା ପରେ ସଂସାରର କୌଣସି ବସ୍ତୁ ଓ ବୈଭବର ଅଭାବ ରହିବ ନାହିଁ ।


ସଠିକ ସ୍ବ-ମୂଲ୍ୟାଙ୍କନ ଦ୍ୱାରା ଆମେ ଆଦର୍ଶ ଦୃଷ୍ଟିକୋଣ ନିର୍ମାଣ କରିପାରିବା । ଆମର ଭୋଗବାଦୀ ଦୃଷ୍ଟିକୋଣକୁ ସମାପ୍ତ କରି ଦେହାତୀତ ଶାଶ୍ୱତ ଆତ୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣ ସୃଷ୍ଟି ପୂର୍ବକ ଅଧୋଗତି ଲଭିଥିବା ସମସ୍ତ ମାନବୀୟ,  ବୈଶ୍ୱିକ, ଆଧ୍ୟାତ୍ମିକ ମୂଲ୍ୟଗୁଡିକୁ ପୁନଃ ସ୍ଥାପିତ କରିପାରିବା । ମୂଲ୍ୟାବଳୀର ବିକାଶ ଦ୍ୱାରା ହିଁ ମାନବ ମଧ୍ୟରେ ଚାରିତ୍ରିକ ଉତ୍ଥାନ ସମ୍ଭବ । ଏହି ପରିପ୍ରେକ୍ଷୀରେ ସ୍ବାମୀ ବିବେକାନନ୍ଦଙ୍କ ଜୀବନର ଏକ ପ୍ରସଙ୍ଗ ପ୍ରଣିଧାନ ଯୋଗ୍ୟ ।


ଚିକାଗୋ ଧର୍ମ ସମ୍ମିଳନୀରେ ଭାଷଣ ଦେବା ପରେ ସ୍ବାମୀ ବିବେକାନନ୍ଦଙ୍କ ଜ୍ଞାନ, ଚରିତ୍ର ଏବଂ ନାମ ଆମେରିକା ଜନସାଧାରଣଙ୍କ ମନରେ ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ କରିଥିଲା । କେତେକ ଧର୍ମାନ୍ଧ ପାଦ୍ରୀଙ୍କୁ ଏହା ସୁହାଇଲା ନାହିଁ । ସେମାନେ ବିବେକାନନ୍ଦଙ୍କ ଜ୍ୟୋର୍ତିମୟ ଚରିତ୍ରକୁ କଳଙ୍କିତ କରିବା ପାଇଁ ଯୋଜନା କଲେ । ଦିନେ ରାତି୍ର ୧୦ ଘ: ସମୟରେ ବିବେକାନନ୍ଦ ତାଙ୍କ ବେଦାନ୍ତ କେନ୍ଦ୍ରରୁ ପ୍ରବଚନ ସମାପ୍ତ କରି ନିଜ ବିଶ୍ରାମସ୍ଥଳୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥାନ୍ତି । ସେହି ନିର୍ଜନ ସଡକରେ ଚାଲୁଥିବା ବେଳେ ସେ କାହାରି କୋମଳ ହସ୍ତର ସ୍ପର୍ଶ ଅନୁଭବ କଲେ । ପଛକୁ ଚାହିଁ ଦେଖିଲେ ଏକ ନବଯୌବନା ସୁନ୍ଦରୀ କାମନା ଭରା ଚାହାଣିରେ ତାଙ୍କୁ ଚାହିଁ ରହିଛି । ସେ ଯୁବତୀର ମନୋଭାବ ବୁଝିପାରିଲେ । କିନ୍ତୁ ବିବେକାନନ୍ଦ ମାତୃତ୍ୱ ପ୍ରେମରେ ପରିପୂର୍ଣ୍ଣ ଶକ୍ତିଶାଳୀ ଦୃଷ୍ଟି ନିକ୍ଷେପ କରି ଯୁବତୀଙ୍କୁ ସମ୍ବୋଧନ କଲେ, “ଆହା! ଆଜି ମୋ ପାଇଁ ଏକ ସୁଖଦକ୍ଷଣ ଉପସ୍ଥିତ ହୋଇଛି । ମାଁ ଶାରଦାମଣିଙ୍କ ସ୍ମୃତି ଉଜ୍ଜୀବିତ ହୋଇଗଲା । ମାଁ ଶାରଦା ଦେବୀ ଅତି ପ୍ରେମ ପୂର୍ଣ୍ଣ ଭାବରେ ମୋତେ ଏପରି ସ୍ପର୍ଶ କରୁଥିଲେ । କୁହ ମାଁ, କ’ଣ କହିବାକୁ ଚାହୁଁଛ ନିଃସେଙ୍କାଚରେ ପ୍ରକାଶ କର ।’’ ଯୁବତୀ ଜଣକ ଲଜ୍ଜିତ ହୋଇଗଲେ । ତାଙ୍କ ମୁଖମଣ୍ଡଳରେ ଗ୍ଳାନି ଓ ପଶ୍ଚାତ୍ତାପର ଭାବ ଉଦ୍ରେକ ହେଲା । ସେ କହିଲେ, ହେ ମହାତ୍ମା! ମୁଁ ଆପଣଙ୍କୁ ପତିତ କରିବାକୁ ଆସିଥିଲି । ହେ ଦେବ! ମୋତେ କ୍ଷମା କରନ୍ତୁ ।’’ ପରେ ଜଣାପଡିଲା ଯେ ଏହା ପାଦ୍ରୀମାନଙ୍କ ଷଡଯନ୍ତ୍ର ଥିଲା ।

ସ୍ୱମୂଲ୍ୟାଙ୍କନ ଦ୍ୱାରା ହିଁ ଏହିପରି ଆଦର୍ଶ ଦୃଷ୍ଟିକୋଣ ନିର୍ମାଣ ସମ୍ଭବ । 

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

💐💐💐💐💐💐💐💐💐

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,