ଜ୍ଞାନ ନିର୍ଝର (୩)**** ଧର୍ମର ଯଥାର୍ଥ ସ୍ବରୂପ

             ଜ୍ଞାନ ନିର୍ଝର (୩)

ଧର୍ମର ଯଥାର୍ଥ ସ୍ବରୂପ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର ,ପାଟଣାଗଡ

ଧର୍ମର ଅର୍ଥ ଧାରଣା । ବ୍ୟବହାରିକ ଜୀବନରେ ଉଚ୍ଚ ନୈତିକ ମୂଲ୍ୟର ଧାରଣା ଦ୍ୱାରା ମନୁଷ୍ୟର ଚାରିତ୍ରିକ ଉତ୍ଥାନ ହୁଏ । ଏହାଦ୍ୱାରା ସେ ଅନ୍ୟମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖେ, ଭଦ୍ର ଓ ନମ୍ର ବ୍ୟବହାର କରେ ତଥା ସ୍ବ କର୍ତ୍ତବ୍ଯ କର୍ମର ସୁସମ୍ପାଦନ କରେ । ଏହାହିଁ ତ ଧର୍ମ । ପ୍ରତ୍ୟେକ ସାମାଜିକ ମନୁଷ୍ୟ ପାଇଁ ଏହିପରି ଧର୍ମ ପରମ ଆବଶ୍ୟକ । ମନୁଷ୍ୟର ମୌଳିକ ସ୍ବଭାବ ଅଥବା ଗୁଣକୁ ମଧ୍ୟ ଧର୍ମ କୁହାଯାଏ । ଯାହାଦ୍ୱାରା ମନୁଷ୍ୟ ଜୀବନ ତଥା ସମାଜର ଉଚ୍ଚ ଧାରଣା ପ୍ରତିଷ୍ଠିତ ହୁଏ, ବ୍ୟକ୍ତି ତଥା ସମାଜର କଲ୍ୟାଣ ହୁଏ ଏବଂ ମନୁଷ୍ୟ କର୍ତ୍ତବ୍ଯନିଷ୍ଠ ହୋଇ ପାପ କର୍ମରୁ ନିବୃତ୍ତ ହେବା ପୂର୍ବକ ମୁକ୍ତି ଓ ସ୍ବର୍ଗଲାଭ କରିବାକୁ ସକ୍ଷମ ହୁଏ; ତାହା ଧର୍ମ ଅଟେ ।

‘ଧର୍ମ’ ଶବ୍ଦ କର୍ତ୍ତବ୍ଯ କର୍ମ (Duty)ର ମଧ୍ୟ ବାଚକ ଅଟେ । ମନୁଷ୍ୟର ଧର୍ମାନୁକୂଳ ଆଚରଣକୁ ‘କର୍ତ୍ତବ୍ଯ ’ କୁହାଯାଏ । ପ୍ରତ୍ୟେକେ ନିଜ ନିଜ କର୍ତ୍ତବ୍ଯ ପାଳନ କଲେ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଲାଭ ହୁଏ । ବ୍ୟକ୍ତିଗତ ଭାବରେ ପ୍ରାପ୍ତ ଲାଭ ପାଇଁ ‘ଅଧିକାର’ (Right) ଓ ସ୍ବୟଂ ସହିତ ଅନ୍ୟମାନଙ୍କ ଲାଭ ଜଡିତ ଥିଲେ ତାକୁ ‘କର୍ତ୍ତବ୍ଯ ’ (Duty) ଶବ୍ଦରେ ପରିଭାଷିତ କରାଯାଏ । ବ୍ୟକ୍ତି ଯେତେବେଳେ ଧର୍ମ ବିରୁଦ୍ଧ ଆଚରଣ କରେ ସେତେବେଳେ ଅନ୍ୟମାନେ ତାଙ୍କୁ ତାଙ୍କର କର୍ତ୍ତବ୍ଯ ବିଷୟରେ ସଚେତନ କରାଇଥାନ୍ତି । ଅନ୍ୟମାନଙ୍କ କର୍ମ ଦ୍ୱାରା ଯଦି ତାଙ୍କର ସ୍ବାର୍ଥ ଉପରେ ଆଞ୍ଚ ଆସେ ସେତେବେଳେ ସେ ନିଜ ଅଧିକାର ସାବ୍ୟସ୍ତ କରିବାକୁ ପ୍ରଯତ୍ନ କରନ୍ତି । ବ୍ୟକ୍ତି ସମୂହକୁ ନେଇ ସମାଜ । ପ୍ରତ୍ୟେକ ବ୍ୟକ୍ତିର ଆଚରଣ ସ୍ବଭାବିକ ଭାବରେ ଧର୍ମାନୁକୂଳ ହେଲେ ସମାଜର ଆଚରଣ ମଧ୍ୟ ତଦ୍ରୁପ ହୁଏ । ଏପରି କ୍ଷେତ୍ରରେ ଉଭୟ ବ୍ୟକ୍ତି ଓ ସମାଜର ଲାଭ ମଧ୍ୟରେ କୌଣସି ବିରୋଧ ହୁଏ ନାହିଁ । ତେଣୁ ସେଠାରେ ଅଧିକାର ଓ କର୍ତ୍ତବ୍ଯ ମଧ୍ୟରେ କୌଣସି ଭେଦର ଆବଶ୍ୟକତା ପଡେ ନାହିଁ ।

ସାଧାରଣତଃ ଆଧ୍ୟାତ୍ମିକ ଉନ୍ନତିର ବାଚକ ରୂପରେ ‘ଧର୍ମ’ ଶବ୍ଦର ବ୍ୟବହାର ହୁଏ । ଆଧ୍ୟାତ୍ମିକ ଉନ୍ନତିର ଅର୍ଥ ଇହ ଓ ପରକାଳରେ ସୁଖ-ଶାନ୍ତି ପ୍ରାପ୍ତ କରିବା । ସମୟାନୁକ୍ରମେ ମହାମନୀଷୀଗଣ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକ ଉନ୍ନତି ପାଇଁ ସ୍ବୀୟ ପୁରୁଷାର୍ଥ ଆଧାରରେ ପ୍ରାପ୍ତ ଅନୁଭବ ବିତରଣ କରି ଯାଇଛନ୍ତି । ଦେଶ, କାଳ, ପାତ୍ର ଓ ପରିସ୍ଥିତି ଅନୁସାରେ ସେମାନଙ୍କ ଅନୁଭବ ଲବ୍ଧ ସିଦ୍ଧାନ୍ତ ଭିନ୍ନ ଭିନ୍ନ ହୋଇପାରେ । ଏହି ପରମ୍ପରାରେ ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟିୟାନ, ମୁସଲିମ, ଶିଖ୍ ଇତ୍ୟାଦି ଧର୍ମ ସମ୍ପ୍ରଦାୟଗୁଡ଼ିକର ଉଦ୍ଭବ ହୋଇଛି । ବିଭିନ୍ନ ସମ୍ପ୍ରଦାୟର ଅନୁଯାୟୀଗଣଙ୍କୁ ଧାର୍ମିକ ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତରେ ଏହା ଧର୍ମର ଯଥାର୍ଥ ପରିଭାଷା ନୁହେଁ । ଏହା କେବଳ ମନୁଷ୍ୟ ସମାଜର ସାମାଜିକ ଓ ସାଂସ୍କୃତିକ ବିଭାଜନ ଅଟେ । ଏହାଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଉନ୍ନତି ହେବା ପରିବର୍ତ୍ତେ ବ୍ୟକ୍ତିଗତ ଓ ସାମାଜିକ ଅଧଃପତନ ହୋଇଛି । ଏହି ତଥାକଥିତ ଧର୍ମର ପ୍ରତିସ୍ପର୍ଦ୍ଧା ମୂଳକ ପ୍ରଚାର ପ୍ରସାର ଦ୍ୱାରା ମନୁଷ୍ୟ ମଧ୍ୟରେ ଘୃଣା, କଳହ, କ୍ଳେଶ ଓ ଅଶାନ୍ତି ଉତ୍ପନ୍ନ ହୋଇଛି । ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ନିକୃଷ୍ଟ ପ୍ରତିପାଦନ କରିବାର କୁପ୍ରଚେଷ୍ଟାର ପରିଣାମ ସ୍ବରୂପ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସ୍ରକ ଯୁଦ୍ଧ ହୋଇଥିବା କଥା ଇତିହାସରୁ ଜଣାପଡ଼େ । ଶରୀର ଆଧାରରେ ଧର୍ମର ବିଭାଜନ ହୋଇଥିବା ମଣିଷ ଦେହାଭିମାନୀ ହୋଇପଡ଼େ । ଦେହାଭିମାନରୁ କାମ କ୍ରୋଧାଦି ମନୋବିକାରଗୁଡ଼ିକ ଜନ୍ମ ନିଅନ୍ତି । ଧର୍ମ ନାମରେ ସାଂପ୍ରଦାୟିକ ହିଂସା ଓ ବିଦ୍ୱେଷର ଏହା ହେଉଛି ମୂଳ କାରଣ ।

ମାନବୀୟ ଚେତନାର ଉଦ୍ଧ୍ୱର୍ମୁଖୀ ବିକାଶ ଏବଂ ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଗୁଣର ବୃଦ୍ଧି କରିବା ହେଉଛି ଧର୍ମର ଉଦ୍ଧେଶ୍ୟ । ମନୁଷ୍ୟାତ୍ମାର ମୌଳିକ ଗୁଣ (ଶାନ୍ତି, ପବିତ୍ରତା, ଜ୍ଞାନ, ପ୍ରେମ, ଆନନ୍ଦ ଆଦି) ମଧ୍ୟ ଧର୍ମ ପଦବାଚ୍ୟ । ଯାହାଦ୍ୱାରା ମନୁଷ୍ୟ ଜୀବନ ତଥା ସମାଜର ଉଚ୍ଚ ଧାରଣା ପ୍ରତିଷ୍ଠା ହୁଏ ଏବଂ ଉଭୟର କଲ୍ୟାଣ ହୁଏ, ମନୁଷ୍ୟ ପାପ ରହିତ ହୋଇ କର୍ତ୍ତବ୍ୟନିଷ୍ଠ ହୁଏ ତଥା ମୁକ୍ତି ଓ ଜୀବନ୍ମୁକ୍ତି ଲାଭ କରେ ତାହାହିଁ ପ୍ରକୃତ ଧର୍ମ । ଏଥିପାଇଁ କେତେକ ବିଦ୍ୱାନ ‘ଧର୍ମ’ ଓ ଆଧ୍ୟାତ୍ମିକତାକୁ ସମାନାର୍ଥକ ବୋଲି କହିଥାନ୍ତି । କିନ୍ତୁ ସୂକ୍ଷ୍ମ ଅନୁଶୀଳନ କଲେ ଏହିପରି ମାନ୍ୟତା ଭ୍ରମାତ୍ମକ ଜଣାଯାଏ । ଧାର୍ମିକ ବ୍ୟକ୍ତି ଆଧ୍ୟାତ୍ମିକ ହୋଇପାରେ; କିନ୍ତୁ ଆଧ୍ୟାତ୍ମିକ ବ୍ୟକ୍ତି ଧାର୍ମିକ ହେବା ସେଙ୍ଗ ସେଙ୍ଗ ତା’ଠୁ ଅଧିକ କିଛି ହୁଏ । ସାଂପ୍ରତିକ ସମାଜରେ ଯାହାକୁ ‘ଧର୍ମ’ ବୋଲି କୁହାଯାଉଛି, ସେଥିରେ କର୍ମକାଣ୍ଡିୟ ରୀତିନୀତି ଏବଂ ପୌରାଣିକ କଥା ବସ୍ତୁଗୁଡ଼ିକର ବିଶେଷ ସ୍ଥାନ ରହିଛି । କିନ୍ତୁ ‘ଆଧ୍ୟାତ୍ମିକତା’ ଏ ଉଭୟଠାରୁ ସମ୍ପୂର୍ଣ୍ଣ ମୁକ୍ତ ଅଟେ । ଏହା କେବଳ ବିବେକ ସମ୍ମତ ଓ ଯୁକ୍ତିଯୁକ୍ତ ସିଦ୍ଧାନ୍ତ ଗ୍ରହଣ କରେ । ଆଜି ସମସ୍ତ ସାମ୍ପ୍ରଦାୟିକ ଧର୍ମ ଅନ୍ଧ ଶ୍ରଦ୍ଧା, ଅନ୍ଧ ବିଶ୍ୱାସ, ହାନିକାରକ ରୀତିନୀତି, ଅନ୍ତର୍ବିରୋଧୀ ଧାର୍ମିକ ସିଦ୍ଧାନ୍ତ, ଅବିଶ୍ୱାସନୀୟ କଥା, କିଛି ବ୍ୟକ୍ତିଙ୍କ ମହାନତା ବିଷୟରେ ଅତିଶୟୋକ୍ତି, ଅନ୍ୟ ଧର୍ମ ବିଷୟରେ ଘୃଣା ଓ ଦ୍ୱେଷଭାବ, ଗୁରୁ ପ୍ରତି ଅନୁଚିତ ଧାରଣା, ମୂର୍ତ୍ତି ପୂଜା, ତୀର୍ଥ ଯାତ୍ରା ଏବଂ ଆତ୍ମା ଓ ପରମାତ୍ମା ତଥା ସୃଷ୍ଟି ସମ୍ବନ୍ଧରେ ଭ୍ରମାତ୍ମକ ବିଚାର ଆଦି ଦ୍ୱାରା କଳୁଷିତ ହୋଇସାରିଛି ।

ସଂପ୍ରତି ବିଭିନ୍ନ ପତ୍ର ପତ୍ରିକାରେ ଧର୍ମ ସମ୍ବନ୍ଧରେ ନାନା ପ୍ରକାର ଲେଖା ପ୍ରକାଶ ପାଉଛି । ବିଭିନ୍ନ ଅନୁଷ୍ଠାନଦ୍ୱାରା ଧାର୍ମିକ ପ୍ରବଚନର ଆୟୋଜନ କରାଯାଉଛି । ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ମଧ୍ୟ ଧାର୍ମିକ ପ୍ରବଚନ ଓ ଆଲୋଚନା ଚକ୍ରର ପ୍ରସାରଣ କରୁଛନ୍ତି । ପ୍ରାଚୀନ କାଳରୁ ଏଯାବତ ଅନେକ ଧାର୍ମିକ ପୁସ୍ତକ ରଚିତ ହୋଇସାରିଛି । ଏହାଦ୍ୱାରା ମନୁଷ୍ୟର ବୌଦ୍ଧିକ ଜ୍ଞାନର ଅଭିବୃଦ୍ଧି ହୋଇଛି ସତ, କିନ୍ତୁ ଜନସାଧାରଣଙ୍କ ଆଧ୍ୟାତ୍ମିକ ଉନ୍ନତି ହେଉଥିବା ଜଣାପଡ଼ୁ ନାହିଁ । ଏହାର କାରଣ ହେଉଛି ଧାର୍ମିକ ତଥ୍ୟ ଓ ସିଦ୍ଧାନ୍ତ ବିଷୟରେ ପାରସ୍ପରିକ ମତ ଭିନ୍ନତା ଏବଂ ଆତ୍ମା, ପରମାତ୍ମା ଓ ସୃଷ୍ଟି ଚକ୍ର ସମ୍ବନ୍ଧରେ ସଠିକ ଜ୍ଞାନର ଅଭାବ । କର୍ମକାଣ୍ଡୀୟ ରୀତି ନୀତି ଓ ପୌରାଣିକ କଥାବସ୍ତୁର ସଂକୀର୍ଣ୍ଣ ପରିସୀମା ମଧ୍ୟରେ ଧର୍ମ ଆବଦ୍ଧ ହୋଇ ରହିଯାଇଛି । ମନୁଷ୍ୟ ମଧ୍ୟରେ ଅନ୍ଧ ଶ୍ରଦ୍ଧା ଓ ଅନ୍ଧ ବିଶ୍ୱାସ ବୃଦ୍ଧିର ଏହା ହେଉଛି ମୁଖ୍ୟ କାରଣ । ଆତ୍ମା ଓ ପରମାତ୍ମାଙ୍କ ବିଷୟରେ ସବିଶେଷ ବିବରଣୀକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ । ଏହା ବିନା ଧର୍ମର ଧାରଣା ସମ୍ଭବ ନୁହେଁ । ଧାରଣା ବିନା ଶକ୍ତି ପ୍ରାପ୍ତ ହୁଏ ନାହିଁ । ଦେହାଭିମାନରୁ ମୁକ୍ତ ହୋଇ ଆତ୍ମିକ ସ୍ଥିତିରେ ସ୍ଥିତ ହେବା ପାଇଁ ଶକ୍ତି ଆବଶ୍ୟକ । ବ୍ୟବହାରିକ ଜୀବନରେ ନିରନ୍ତର ଆଧ୍ୟାତ୍ମିକ ଜ୍ଞାନର ପ୍ରୟୋଗ ଦ୍ୱାରା ଆତ୍ମିକ ଶକ୍ତିର ସ୍ଫୁରଣ ହୁଏ । ନିରନ୍ତର ଆତ୍ମିକ ସ୍ଥିତିର ଧାରଣା ଧର୍ମର ପ୍ରମୁଖ ଅଙ୍ଗ ।

ଧର୍ମ ଅନେକ ନୁହେଁ, ଏହା ଏକ । ଧର୍ମର ପାଳନ ଦ୍ୱାରା ମନୁଷ୍ୟ ଚରିତ୍ରବାନ ହୁଏ ଓ ତା’ ଉପରେ ନ୍ୟସ୍ତ କର୍ତ୍ତବ୍ଯକୁ ସୁଚାରୁ ରୂପେ ସମ୍ପାଦନ କରିପାରେ । ଧର୍ମ ମନୁଷ୍ୟକୁ ଶୀତଳତା (ଶାନ୍ତି) ପ୍ରଦାନ କରେ ଏବଂ ତା’ମଧ୍ୟରେ ସେବା, ଧୈର୍ଯ୍ୟ, ତ୍ୟାଗ, ସହାନୁଭୂତି, ଆତ୍ମ କଲ୍ୟାଣ, ପରୋପକାର, ସଦବିଚାର, ପ୍ରସନ୍ନତା ଏବଂ ନିର୍ବିକାର ଜୀବନର ଭାବନା ଜାଗ୍ରତ କରେ । ମନୁଷ୍ୟକୁ ଅସତ ମାର୍ଗରୁ ନିବୃତ୍ତ କରିବା ପାଇଁ ଏହା ଏକ ଅଙ୍କୁଶର କାମ କରେ । ଏହା ମନୁଷ୍ୟର ବିଚାର ସମୂହର ଏପରି ଏକ ସୁଦୃଢ଼ ବନ୍ଧ ଯାହା ତାକୁ ମର୍ଯ୍ୟାଦା ମଧ୍ୟରେ ବାନ୍ଧି ରଖେ ଓ ତା’ର ଶକ୍ତିକୁ ରଚନାତ୍ମକ କାର୍ଯ୍ୟରେ ଲଗାଏ । ଧର୍ମ ମନୁଷ୍ୟକୁ ସର୍ବଗୁଣର ସାଗର ପରମାତ୍ମାଙ୍କ ସହିତ ଯୁକ୍ତ କରି ତା’ ମନରେ ଆତ୍ମୀୟତା ଓ ଭ୍ରାତୃତ୍ୱ ଭାବନା ଉତ୍ପନ୍ନ କରେ । ଈଶ୍ୱରୀୟ ପ୍ରେମରେ ରସାଣିତ ହେଲେ ମନୁଷ୍ୟର ହୃଦୟ ତନ୍ତ୍ରୀରୁ ସ୍ବତଃ ନିନାଦିତ ହୁଏ ଅଲୌକିକ ପ୍ରେମର ସଙ୍ଗୀତ- “ସର୍ବେ ଭବନ୍ତୁ ସୁଖିନଃ..... ।” ତା’ପାଇଁ ସମଗ୍ର ବସୁଧା ହୋଇଯାଏ ଏକ ପରିବାର । ତେଣୁ, ମନୁଷ୍ୟ ମନକୁ ସନ୍ତୁଳନ ଓ ସନ୍ତୋଷ ପ୍ରଦାନକାରୀ ହେଉଛି ଧର୍ମ ।

କର୍ମକାଣ୍ଡ, ଅନ୍ଧ ଶ୍ରଦ୍ଧା, ଅନ୍ଧବିଶ୍ୱାସ, ବିବେକ ବିରୋଧୀ ତର୍କ ବିହୀନ ସିଦ୍ଧାନ୍ତ, ଉପାସନା ପଦ୍ଧତି ଆଦି ଧର୍ମ ବର୍ହିଭୂତ ବିଷୟ । ସାଂପ୍ରତିକ ପରିସ୍ଥିତିରେ ଧର୍ମକୁ ଏକ ବିଦ୍ୟା ରୂପେ ଗ୍ରହଣ କରିବା ବିଧେୟ ଯାହା ବିବେକ ସମ୍ମତ ଓ ଦୈନନ୍ଦିନ ଜୀବନରେ ସୁଖଶାନ୍ତି ପ୍ରଦାୟକ ହୋଇଥିବ । କର୍ମ ସହିତ ଧର୍ମର ଅଙ୍ଗାଙ୍ଗୀ ସମ୍ପର୍କ ରହିଛି । ଏହି ଉଭୟକୁ ଭିନ୍ନ ବୋଲି ସ୍ବୀକାର କରିବା ହେତୁ ଆଜି ସଂସାରରେ ସର୍ବତ୍ର ଅଶାନ୍ତି କଳହ, କ୍ଳେଶ ଆଦି ଦେଖାଯାଏ । ଅଜ୍ଞାନତାର ବଶବର୍ତ୍ତୀ ହୋଇ ଲୋକେ ଧର୍ମକୁ ଧାର୍ମିକ ସ୍ଥାନରେ ଛାଡ଼ି ଦେଇ କର୍ମକ୍ଷେତ୍ରରେ ଅଧର୍ମ ଆଚରଣ କରନ୍ତି ।

ଧର୍ମର ଯଥାର୍ଥ ସ୍ବରୂପ ବିଷୟରେ ଆଲୋଚନା ପାଇଁ ଏ ଲେଖା ପର୍ଯ୍ୟାପ୍ତ ନୁହେଁ । ଏହା ଉପରେ ପ୍ରତ୍ୟେକ ସ୍ତରରେ ବ୍ୟାପକ ମନନ ଚିନ୍ତନର ଆବଶ୍ୟକତା ରହିଛି ।

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର