ଜ୍ଞାନ ପ୍ରବାହ (୧୪)

🌹🌹🌹🌹🌹🌹🌹🌹🌹         

   🌺🌺ଜ୍ଞାନ ପ୍ରବାହ (୧୪)  🌺🌺

🌼🌼🌼🌼🌼🌼🌼🌼🌼

ଡାକ୍ତର ସୁଧାଂଶୁ ଶେଖର ମିଶ୍ର,ପାଟଣାଗଡ 

🌸🌸🌸🌸🌸🌸🌸🌸🌸  

  ଅଶ୍ୱମେଧ ଯଜ୍ଞର ଅର୍ଥ ଅତି ସୂଷ୍ମ । ଏହି ଯଜ୍ଞ ସମୟରେ ଅଶ୍ୱକୁ ମୁକ୍ତ ଭାବରେ ବିଚରଣ କରିବାକୁ ଦିଆଯାଏ । ଅଶ୍ୱ ହେଉଛି ବାସନାର ପ୍ରତୀକ । ଏହାକୁ ସହଜରେ ବାନ୍ଧିି ହୁଏ ନାହିଁ । ଆତ୍ମିକ ସ୍ମୃତିରେ ସ୍ଥିିତ ହେଲେ ଏହା ଅଙ୍କୁଶିତ ହୁଏ । କୌଣସି ବିଷୟରେ ବାସନା ଯେପରି ମଜ୍ଜି ନ ଯାଏ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଇନ୍ଦ୍ରିୟ, ଶରୀର, ମନୋଗତ ଓ ବୁଦ୍ଧିଗତ ବାସନାର ବିନାଶ ହେଉଛି ଅଶ୍ୱମେଧ ଯଜ୍ଞ । ଆଚାର ଶୁଦ୍ଧି ଦ୍ୱାରା ବିଚାର ଶୁଦ୍ଧ ହୁଏ । ଆଚାର ଶୁଦ୍ଧ ହେଲେ ମନୁଷ୍ୟ କଳିଯୁଗୀୟ ଆସୁରୀ ସ୍ବଭାବ ସଂସ୍କାର ପ୍ରଭାବରୁ ମୁକ୍ତ ରହି ପାରିବ । ସତ୍ୟପୂର୍ଣ୍ଣ ଶୁଦ୍ଧ ବ୍ୟବହାର ନ କରି କେବଳ ପ୍ରତି ପୁର୍ଣ୍ଣମୀରେ ସତ୍ୟନାରାୟଣ ପୂଜା କଲେ କି ଲାଭ? ଅସତ୍ୟ ଭାଷୀର ପୂଜା ସତ୍ୟନାରାୟଣ ଅସ୍ବୀକାର କରନ୍ତି ।


ଧର୍ମର ମର୍ଯ୍ୟାଦାକୁ ଠିକ ଠିକ ପାଳନ କଲେ ଜ୍ଞାନ ସ୍ବତଃ ପ୍ରକଟିତ ହୁଏ । ଧର୍ମାରୁଢ଼ ରହିଲେ ଜ୍ଞାନ ଗଙ୍ଗାର ଅବତରଣ ହୁଏ । ସତ୍ୟ, ତପ, ପବିତ୍ରତା ଓ ଦୟା ଏହି ଚାରୋଟି ହେଉଛି ଧର୍ମର ମୁଖ୍ୟ ଅଂଶ । ଏହି ଚାରି ଅଂଶର ଯୋଗଫଳ ହେଉଛି ‘ଧର୍ମ’ । ଏହି ଚାରି ଅଙ୍ଗ ଉପରେ ଯେତେବେଳେ ଧର୍ମ ଆଧାରିତ ଥିଲା ସେତେବେଳେ ସତ୍ୟଯୁଗ ଥିଲା । ତିନି ଅଙ୍ଗ ଉପରେ ଆଧାରିିତ ହେବାରୁ  ତ୍ରେତା, ଦୁଇ ଅଙ୍ଗର ଆଧାରରେ ଦ୍ୱାପର ଏବଂ ଯେତେବେଳେ ଏକ ଅଙ୍ଗ ଉପରେ ଧର୍ମ ଆଧାରିତ ହେଲା ସେତେବେଳେ କଳିଯୁଗ ଆସିଲା ।


ସତ୍ୟ:- ସତ୍ୟ ହିଁ ପରମାତ୍ମା । ସତ୍ୟ ଏବଂ ପରମାତ୍ମା ଅଭିନ୍ନ । ତେଣୁ ପରମାତ୍ମାଙ୍କୁ ସତ୍ୟ ସ୍ବରୂପ କୁହାଯାଏ । ଯେଉଁଠି ସତ୍ୟ ସେଇଠି ପରମାତ୍ମାଙ୍କ ଅସ୍ତିତ୍ୱ ଉପଲବ୍ଧି କରି ହୁଏ । ଅସତ୍ୟ ଭାଷଣ ସଞ୍ଚିତ ପୁଣ୍ୟଫଳକୁ କ୍ଷୟ କରେ । ସତ୍ୟତା ଶକ୍ତି ଦ୍ୱାରା ନର ନାରାୟଣ ହୋଇପାରେ । 


ତପ:- ଯେତେ ବାଧା ବିଘ୍ନ ଆସୁ ପଛେ ଇନ୍ଦ୍ରିୟ ସଂଯମ ପୂର୍ବକ ସତତ ଈଶ୍ୱରୀୟ ସ୍ମୃତିରେ ବୁଦ୍ଧିକୁ ବ୍ୟସ୍ତ ରଖିବା ଉଚିତ । ଇନ୍ଦ୍ରିୟଗୁଡିକର ସ୍ବାମୀ ଆତ୍ମା ଅଟେ । ଇନ୍ଦ୍ରିୟ ଯାହା ଭୋଗ କରିବାକୁ ଚାହେଁ ସେସବୁ ତାକୁ ଦେବା ଅର୍ଥ ଆତ୍ମା ତା’ର ଭୃତ୍ୟ ବନିବା ।ପରମାର୍ଥ ପାଇଁ ଦୁଃଖ ସହିବା ହେଉଛି ‘ତପ’ ।


ପବିତ୍ରତା:- କଳିଯୁଗରେ ପବିତ୍ରତା କାହିଁ? ବାହ୍ୟତଃ ସମସ୍ତେ ପବିତ୍ର ବୋଲି ଜଣା ପଡନ୍ତି କିନ୍ତୁ ଅନ୍ତରରେ ସମସ୍ତେ ମଳିନ ହୋଇଗଲେଣି । ବସ୍ତ୍ର ଉପରେ ଲାଗଗିଥିବା ଦାଗ ତ ସହଜରେ ପରିଷ୍କାର ହୋଇଯାଏ କିନ୍ତୁ ଆତ୍ମାରେ ଯେଉଁ କୁସଂସ୍କାରର ଛାପ ଥରେ ପଡିଯାଏ ତାହା ସହଜରେ ଲିଭେ ନାହିଁ । ଜୀବାତ୍ମା ଶରୀର ତ୍ୟାଗ କରେ; କିନ୍ତୁ ସାଥିରେ ସଂସ୍କାରକୁ ନେଇଯାଏ । ପୂର୍ବଜନ୍ମର ସଂସ୍କାର ସହିତ ଆତ୍ମା ପୁନର୍ଜନ୍ମ ନିଏ । ଲୋକେ ଯେପରି ଅନ୍ନ, ବସ୍ତ୍ର, ଆଚାର ବ୍ୟବହାର ଆଦିକୁ ବେଶୀ ଧ୍ୟାନ ଦିଅନ୍ତି ସେପରି ମୃତ୍ୟୁ ପରେ ଯାହା ସାଙ୍ଗରେ ଯିବ ସେହି ସଂସ୍କାରକୁ ଦେଖନ୍ତି ନାହିଁ । ସଂସ୍କାର ଶୁଦ୍ଧ ହେଲେ ମନ ସ୍ବଚ୍ଛ ହୁଏ ଓ ପବିତ୍ର କର୍ମ ପାଇଁ ପ୍ରେରିତ କରେ । ସାଂସାରିକ ସମସ୍ତ କର୍ମ କରି ମଧ୍ୟ ମାଆ ଯେପରି ତା’ର ସନ୍ତାନର ଲାଳନ ପାଳନ କରେ, ସେହିପରି କର୍ତ୍ତବ୍ଯ କର୍ମ ସମ୍ପାଦନ ପୂର୍ବକ ଈଶ୍ୱରଙ୍କ ସହିତ ସମ୍ବନ୍ଧ ରହିବା ଉଚିତ । ମନ ଯେପରି ନିମ୍ନଗାମୀ ନ ହୁଏ ସେଥିପ୍ରତି ସତର୍କ ରଖିବା ବିଧେୟ ।


ଦୟା:-  ଏହା ଧର୍ମର ଚତୁର୍ଥ ଅଙ୍ଗ ଅଟେ । ଶ୍ରୁତି କହେ ଯେ କେବଳ ନିଜ ପାଇଁ ଅନ୍ନ ପ୍ରସ୍ତୁତ କରେ, ସେ ଅନ୍ନ ଖାଏ, ନାହିଁ ପାପକୁ  ଖାଏ ।


ଧର୍ମର ଏହି ଚାରି ଅଙ୍ଗ ମଧ୍ୟରେ ସତ୍ୟ ସର୍ବଶ୍ରେଷ୍ଠ ଓ ସର୍ବୋପରି ଅଟେ । ଏହି ପରିପ୍ରେକ୍ଷୀରେ ମହାଭାରତ ବର୍ଣ୍ଣିତ ସତ୍ୟଦେବ ଉପାଖ୍ୟାନ ପ୍ରଣିଧାନ ଯୋଗ୍ୟ । ଦିନେ ସତ୍ୟଦେବ ପ୍ରାତଃ କାଳରେ ଶଯ୍ୟା ତ୍ୟାଗ ବେଳେ ଘରୁ ଜଣେ ସୁନ୍ଦରୀ ସ୍ତ୍ରୀକୁ ବାହାରି ଯାଉଥିବାର ଦେଖିଲେ । ରାଜାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ରାଜା ତାର ପରିଚୟ ଜିଜ୍ଞାସା କଲେ । ସ୍ତ୍ରୀ ଲୋକ ଜଣକ କହିଲେ ଯେ ସେ ହେଉଛନ୍ତି ‘ଲକ୍ଷ୍ମୀ’ ମୁଁ ଏବେ ତୋର ଘର ତ୍ୟାଗ କରି ଚାଲିଯାଉଛି । ରାଜା ତାଙ୍କୁ ଯିବାକୁ ଦେଲେ । କିଛି ସମୟ ପରେ ଏକ ସୁନ୍ଦର ପୁରୁଷ ଘର ଭିତରୁ ବାହାରିଲା । ସେ ନିଜକୁ  ‘ଦାନ’ ବୋଲି ରାଜାଙ୍କୁ ପରିଚୟ ଦେଲେ ।  ସେ କହିଲେ, “ଲକ୍ଷ୍ମୀ ତୋତେ ତ୍ୟାଗ କରିଥିବାରୁ ତୁ ଦାନ ଦେବାକୁ ସମର୍ଥ ନୁହେଁ । ତେଣୁ ମୁଁ ମଧ୍ୟ ତ୍ୟାଗ କରି ଚାଲି ଯାଉଛି” । ରାଜା ତାକୁ ବାରଣ କଲେ ନାହିଁ । ତୃତୀୟ କ୍ରମରେ ଆଉ ଜଣେ ପୁରୁଷ ବାହାରକୁ ଯିବାପାଇଁ ଉଦ୍ୟତ ହୁଅନ୍ତେ ରାଜା ତା’ର ପରିଚୟ ଜିଜ୍ଞାସା କଲେ । ସେ ନିଜକୁ ସଦାଚାର ବୋଲି ପରିଚୟ ଦେଇ କହିଲେ, “ଯେଉଁଠି ଲକ୍ଷ୍ମୀ ଓ ଦାନ ରହିବେ ନାହିଁ ମୁଁ ସେଇଠି ଥାଇ କ’ଣ କରିବି? ତେଣୁ ଯାଉଛି” । ରାଜା ତାଙ୍କୁ ମଧ୍ୟ ଯିବା ପାଇଁ ଅନୁମତି ଦେଲେ । ଚତୁର୍ଥରେ ଆଉ ଏକ ପୁରୁଷକୁ ଘର ଛାଡି ଚାଲିଯାଉଥିବାର ସେ ଦେଖିଲେ । ସେ ଥିଲେ “ଯଶ” । ସେ ଘର ଛାଡିବାର କାରଣ ସ୍ବରୂପ କହିଲେ, “ଯେଉଁଠି ଲକ୍ଷ୍ମୀ, ଦାନ ଏବଂ ସଦାଚାର ନାହିଁ ସେଇଠି ମୋର ଅସ୍ତିତ୍ୱ ସମ୍ଭବ ନୁହେଁ” । ରାଜା ଚୁପଚାପ ତାଙ୍କୁ ଯିବାକୁ ଦେଲେ । କିଛି ସମୟ ପରେ ଅନ୍ୟ ଏକ ସୁନ୍ଦର ଯୁବକ  ଘରୁ ବାହାରି ଯିବାକୁ ଲାଗିଲେ । ରାଜା ତାଙ୍କୁ ମଧ୍ୟ ତାର ପରିଚୟ ଓ ଯିବାର କାରଣ ପଚାରିଲେ । ସେ କହିଲେ, “ମୁଁ ହେଉଛି ‘ସତ୍ୟ’ । ଯେବେ ତୋ ପାଖରେ ଲକ୍ଷ୍ମୀ, ଦାନ, ସଦାଚାର ଏବଂ ଯଶ ରହିଲେ ନାହିଁ ମୁଁ ଏକୁଟିଆ କିପରି କରିବି? ତେଣୁ ସେମାନଙ୍କ ଅନୁଗମନ କରୁଛି” ।


ରାଜା ସତ୍ୟ ଦେବ ‘ସତ୍ୟ’କୁ ଯିବା ପାଇଁ ଅନୁମତି ଦେଲେ ନାହିଁ । ସେ କହିଲେ, “ମୁଁ ତ ଆପଣଙ୍କୁ କେବେ ତ୍ୟାଗ କରି ନାହିଁ,  ତେବେ ଆପଣ ମୋତେ ଛାଡି କାହିଁକି ଯାଉଛନ୍ତି? ଆପଣଙ୍କୁ ପାଖରେ ରଖିବି ବୋଲି ଲକ୍ଷ୍ମୀ, ଯଶ ଆଦିର ତ୍ୟାଗ କଲି । ଆପଣଙ୍କୁ ଯିବା ପାଇଁ ଆଦୌ ଅନୁମତି ଦେଇ ପାରିବି ନାହିଁ । ଆପଣ ମୋତେ ଛାଡି ଚାଲିଗଲେ ମୋର ସର୍ବସ୍ବ ଲୁଣ୍ଠିତ ହୋଇଯିବ । ତେଣୁ ମୋର  ପ୍ରାର୍ଥନା, ଆପଣ ମୋତେ ତ୍ୟାଗ କରନ୍ତୁ ନାହିଁ” । ରାଜାଙ୍କ ପ୍ରାର୍ଥନା  ସେ ସ୍ବୀକାର କଲେ ଓ ତାଙ୍କ ପାଖରେ ରହିଲେ । ସତ୍ୟ ତ୍ୟାଗ ନ କରିବାରୁ ଲକ୍ଷ୍ମୀ, ଦାନ, ସଦାଚାର ଏବଂ ଯଶ ମଧ୍ୟ ରାଜାଙ୍କୁ ପାଖକୁ ପୁଣି  ଫେରି ଆସିଲେ ।


ଯେଉଁଠି ସତ୍ୟ ଥାଏ ସେଠାକୁ ଲକ୍ଷ୍ମୀ, ଦାନ, ସଦାଚାର ଓ ଯଶକୁ  ଆସିବାକୁ ହିଁ ପଡେ । ସତ୍ୟ ବିନା ବାକି ସବୁ ବ୍ୟର୍ଥ । ଏଣୁ ସତ୍ୟହିଁ ସର୍ବସ୍ବ ।


ସାମାନ୍ୟ ମନୁଷ୍ୟ ଅତି ସୁଖରେ ଭଗବାନଙ୍କୁ ଭୁଲିଯାଏ । ଭଗବାନ (ପରମାତ୍ମା) ପ୍ରାଣୀମାନଙ୍କ ଅନେକ ଉପକାର କରନ୍ତି । ଏକ କଥା ଭୁଲିବା ଉଚିତ ନୁହେଁ । ମଣିଷ କୌଣସି ରୋଗରୁ ଆରୋଗ୍ୟ ହେଲେ ତା’ର ଶ୍ରେୟ ଡାକ୍ତର ଓ ଔଷଧକୁ ଦିଏ । ସେ ଭଗବାନ ରକ୍ଷାକଲେ ବୋଲି ସ୍ବୀକାର କରେ ନାହିଁ । ଅନେକ ସମୟରେ ଡାକ୍ତର ମାନେ ମଧ୍ୟ ନିରାଶ ପଡନ୍ତି ଓ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ କହନ୍ତି । ଜଣେ ବିଶିଷ୍ଟ ପାଶ୍ଚାତ୍ଯ ଡାକ୍ତର କହିଥିଲେ ଚେଷ୍ଟା କରିବା ହିଁ ଆମ କାମ । ଆରୋଗ୍ୟ ପ୍ରଦାନ ପରମାତ୍ମାଙ୍କ ହାତରେ । ଡାକ୍ତରମାନଙ୍କ ପାଖରେ ରକ୍ଷାଶକ୍ତି ନାହିଁ । ଅନ୍ୟଥା ସାଧାରଣ ଡାକ୍ତରଖାନା କଥା ଛାଡି ଦିଆଯାଉ, ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ବିଶେଷଜ୍ଞ ଡାକ୍ତରମାନଙ୍କ ସେବା ସମ୍ପନ୍ନ ଡାକ୍ତରଖାନାରେ କେବେ ରୋଗୀ ମରନ୍ତେ ନାହିଁ ।


ସକାଳେ, ଦ୍ୱିପ୍ରହରରେ ଓ ରାତ୍ରିରେ ଶୋଇବା ପୂର୍ବରୁ ଅନ୍ତତଃ ଏହି ତିନିଥର ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଏହାବ୍ୟତୀତ ସୁଖାବସାନେ, ଦୁଃଖାବସାନେ ଓ ଦେହାବସାନେ ମଧ୍ୟ ତାଙ୍କୁ ସ୍ମରଣ କରିବା ବିଧେୟ । ଦୁଃଖ ସମୟରେ ମଣିଷର ହିତାହିତ ଜ୍ଞାନ ଉପୁଜେ ଓ ସେ ଭଗବାନଙ୍କୁ ସ୍ମରଣ କରେ । ତେଣୁ ବିପତ୍ତିହିଁ ପ୍ରକୃତ ସମ୍ପତ୍ତି। ଯେଉଁ ଦୁଃଖରେ ପରମାତ୍ମା ସ୍ମୃତିକୁ ଆସନ୍ତି ତାହା ତ ସୁଖ ଅଟେ । ତାକୁ ଦୁଃଖ କିପରି କହିବା । ତେଣୁ କୁନ୍ତୀ ଜୀବନରେ ସର୍ବଦା ବିପଦ ଆସୁ ବୋଲି ବରଦାନ ମାଗିଥିଲେ ।


         ବିପ ଦଃ ସନ୍ତୁ ନ ଶାଶ୍ୱତ୍ତତ୍ର 

ତତ୍ର ଜଗତ୍ ଗୁରୋ


         ଭବତୋ ଦର୍ଶନଂ ଯତ୍ସ୍ୟାଦପୁ 

ନ ଉର୍ବ ଦର୍ଶନମ୍ ।

  (- ଭା ୧-୮-୨୫)


(ଅର୍ଥାତ୍ “ହେ ଜଗତ୍  ଗୁରୁ! ଆମ ଜୀବନରେ ପ୍ରତି ମୁହୂର୍ତ୍ତରେ ବିପଦ ଆସୁଥାଉ । କାରଣ ବିପଦ ସମୟରେ ହିଁ ନିଶ୍ଚିତ ଭାବରେ ଆପଣଙ୍କ ଦର୍ଶନ ମିଳିଥାଏ; ଯତ୍ ଦ୍ୱାରା ପୁଣି ଏ ଦୁଃଖମୟ ଦୁନିଆକୁ ଆଉ ଦର୍ଶନ କରିବାକୁ ପଡେ ନାହିଁ ।”)


ବିଦ୍ୟାମଦ, ଯୌବନ ମଦ, ଦ୍ରବ୍ୟ ମଦ ଓ ଅଧିକାର  ମଦ ପରମାତ୍ମା ବିସ୍ମୃତିର କାରଣ । ତେଣୁ ମଣିଷର ଦର୍ଶନ, ଚିନ୍ତନ ଓ ବର୍ଣ୍ଣନରେ ବିକୃତି ଆସିଥାଏ । ମଣିଷ ନିଜର ପାପ ଦେଖି ପାରେ ନାହିଁ, କିନ୍ତୁ ଅନ୍ୟମାନଙ୍କ ସାମାନ୍ୟ ଦୁଷ୍କୃତି ମଧ୍ୟ ତା’ ଆଖିରୁ ଏଡାଇ ଯାଏ ନାହିଁ । ତା ମନରେ ସେହି ବିଷୟରେ ଚିନ୍ତନ ଚାଲେ । ସେ ନିଜ ଦୋଷ ଶୁଣିବାକୁ କୁଣ୍ଠିତ ହୁଏ କିନ୍ତୁ ଅନ୍ୟର ଦୋଷ ବର୍ଣ୍ଣନା ତାକୁ ସୁଖକର ଲାଗେ । ସଂକଳ୍ପ ହେଉଛି ମନର ଭୋଜନ । ବିକୃତ ସଂକଳ୍ପ ମନକୁ ରୋଗାକ୍ରାନ୍ତ କରେ ଓ ସେ ଦୁଃଖୀ ହୁଏ । ତେଣୁ କାହାରି ପାପ କର୍ମ ଦେଖିବା, ଶୁଣିବା ଓ ବର୍ଣ୍ଣନ କରିବା ସର୍ବଥା ଅନୁଚିତ ।                             (କ୍ରମଶଃ)

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025,

ମୋବାଇଲ ନମ୍ବର-9437210296, 7609969796

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର