ଜ୍ଞାନ ନିର୍ଝର (୪୦) ---- ସଂଯମ

 🌹🌹🌹🌹🌹🌹🌹🌹🌹

     🌻 *ଜ୍ଞାନ ନିର୍ଝର (୪୦)* 🌻

🌹🌹🌹🌹🌹🌹🌹🌹🌹

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌷🌷🌷🌷🌷🌷🌷🌷🌷

        🌼 *ସଂଯମ* 🌼

🌻🌻🌻🌻🌻🌻🌻🌻🌻

ଚରିତ୍ରବାନ୍ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ନିର୍ମାଣ ପାଇଁ କଠୋର ଆତ୍ମ-ଅନୁଶାସନ ଆବଶ୍ୟକ । ଜୀବନରେ ସମୟ ପ୍ରତି ସମୟ ଉଠୁଥିବା ଆନ୍ତରିକ ଆବେଗ ସଂବେଗ ଉପରେ ଯଦି ଆମର ସଂଯମ ନାହିଁ, ତେବେ ସଫଳତା ପ୍ରାପ୍ତି ଅସମ୍ଭବ । ସଂଯମ ଅର୍ଥାତ୍ ସମ୍ୟକ ନିୟନ୍ତ୍ରଣ । ଆତ୍ମ ଅନୁଶାସନର ଶାଳୀନତା ହେଉଛି ସଂଯମ । ନକାରାତ୍ମକ ପରିସ୍ଥିତିରେ ମଧ୍ୟ ବ୍ୟକ୍ତିର ସକାରାତ୍ମକ ଚିନ୍ତନ ହେବା ଆବଶ୍ୟକ । ଯଦି ଜୀବନରେ କେହି ସଫଳତା ପ୍ରାପ୍ତ କରିବାକୁ ଚାହେଁ ତେବେ ତାକୁ ଦୃଢତା ପୂର୍ବକ ଆଗେଇ ଯିବାକୁ ହେବ । ସଫଳ ଜୀବନ ଅର୍ଥ ହେଉଛି କର୍ମ-ଗଙ୍ଗାର ଦିବ୍ୟ ସ୍ୱଚ୍ଛ ଓ ନିର୍ମଳ ଧାରାର ପ୍ରବାହ ଶାଶ୍ୱତ ପ୍ରେମ ଓ ଶାଶ୍ୱତ ନିୟମ ରୂପକ ଉଭୟ ତଟର ମର୍ଯ୍ୟାଦା ମଧ୍ୟରେ କଳ-କଳ, ଛଳ-ଛଳ ମଧୁର ନାଦ ଗୁଞ୍ଜନ କରି ପ୍ରବାହିତ ହେବା । କିନ୍ତୁ ଜୀବନରେ କର୍ମ ରୂପୀ ବିଶାଳ ସମରାଙ୍ଗନରେ ସେହି ମନୁଷ୍ୟ ପୂର୍ଣ୍ଣ ସଫଳତା ପ୍ରାପ୍ତ ହୋଇପାରେ ଯିଏ ଜିତେନ୍ଦ୍ରିୟ ଅଟେ, ଯିଏ ଯଥାର୍ଥ ବିବେକ ବୁଦ୍ଧିର ବିକାଶ ଦ୍ୱାରା ଜୀବନରେ ସ୍ୱୀୟ ସଂଯମର କେନ୍ଦ୍ର ସ୍ଥାପନ କରିପାରିଛି । ଯିଏ ଜୀବନରେ ତେଜସ୍ବିତାର ଶିଖର କିମ୍ବା ମହାନତାର ଲକ୍ଷ୍ୟ ପ୍ରାପ୍ତି କରିବାକୁ  ଇଚ୍ଛୁକ, ତାକୁ ନିଜ ଇନ୍ଦ୍ରିୟ ସମୂହକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ ।


ସଂଯମ ଓ ଈଶ୍ୱରୀୟ ନିୟମ ମାନବର ଶୋଭା ଅଟେ । ମନ ଓ ବୁଦ୍ଧିର ସଂଯମ ଦ୍ୱାରା କର୍ମେନ୍ଦ୍ରିୟଗୁଡ଼ିକ ଉପରେ ସ୍ୱତଃ ସଂଯମ ସ୍ଥାପିତ ହୋଇଯାଏ । ସ୍ୱୟଂର ସ୍ମୃତି ରହିବା ଦ୍ୱାରା ପ୍ରତ୍ୟେକ କର୍ମ ସଂଯମରେ ପରିଣତ ହୋଇଯାଏ । “ଯେଉଁ କର୍ମ ମୁଁ କରିବି, ମୋତେ ଦେଖି ସମସ୍ତେ କରିବେ,”- ଏହି ସ୍ମୃତି ଆମକୁ ସଂଯମ ପୂର୍ଣ୍ଣ କର୍ମ କରିବାକୁ ପ୍ରେରଣା ଦିଏ । ଜନ୍ମ-ଜନ୍ମାନ୍ତର ଇନ୍ଦ୍ରିୟ ସମୂହର ଆକର୍ଷଣ ଜନିତ ମାୟାବୀ ସଂସ୍କାର ଯୁକ୍ତ ଶିକ୍ଷଣ ପରିବେଶରେ ଆମର ଲାଳନ-ପାଳନ ହୋଇଆସିଛି । ଏହି ପୁରାତନ ଅଭ୍ୟାସ ରୂପକ ଆବରଣକୁ ଭାଙ୍ଗିବା ପାଇଁ ବିବେକ ପୂର୍ଣ୍ଣ ବିଚାରରେ ଆଲୋକ ତଥା ଅଭ୍ୟାସର ପ୍ରୟୋଗ ଶାଳାରେ ଉପବିଷ୍ଟ ପୂର୍ବକ ତହିଁରୁ ପ୍ରାପ୍ତ ଅନୁଭବ ଦ୍ୱାରା ହିଁ ଏଥିରୁ ସଫଳତା ମିଳିପାରେ । ଅଭ୍ୟାସ ମନୁଷ୍ୟର ସ୍ୱଭାବ ବନିଯାଏ । ଜନ୍ମ ଜନ୍ମାନ୍ତର ଅଭ୍ୟାସ ହେତୁ କର୍ମେନ୍ଦ୍ରିୟଗୁଡ଼ିକର ଆକର୍ଷଣ ଅତ୍ୟନ୍ତ ପ୍ରବଳ ହୋଇଯାଇଛି ଏହାହିଁ ଆମର ଲକ୍ଷ୍ୟଚ୍ୟୁତ ହେବାର କାରଣ । ଜିତେନ୍ଦ୍ରିୟ ହେବା ପାଇଁ ଆମକୁ ଅନ୍ତର୍ମୁଖୀ ହୋଇ ଇନ୍ଦ୍ରିୟଗୁଡ଼ିକର ଅର୍ନ୍ତ ପ୍ରକୃତି ବିଷୟରେ ଗଭୀର ଜ୍ଞାନ ଆହରଣ କରିବାକୁ ହେବ ।


ଇନ୍ଦ୍ରିୟ ସଂଯମର ଅର୍ଥ ଦମନ ନୁହେଁ । ସଂଯମର ଅର୍ଥ ହେଉଛି ଜାଗ୍ରତ,ସଚେତନ ଓ ସ୍ମୃତିସ୍ୱରୂପ ହେବା । ଅସଂଯମ ଅବସ୍ଥାର ନାମ ଦମନ । ଏହାକୁ ଏକ ଢାଙ୍କୁଣି ଦ୍ୱାରା ବନ୍ଦ ପାତ୍ର ମଧ୍ୟରେ ଜୋରରେ ଫୁଟୁଥିବା ଜଳ ସହିତ ତୁଳନା କରାଯାଇପାରେ । ଯେତେବେଳେ ଆବଶ୍ୟକରୁ ଅଧିକ ବାଷ୍ପ ସୃଷ୍ଟି  ହୁଏ, ସେତେବେଳେ ପାତ୍ରଟି  ବିସ୍ଫୋଟ ହେବା ସୁନିଶ୍ଚିତ । ବ୍ୟକ୍ତି କ୍ରୋଧକୁ ଦବାଇ ରଖେ ଅଥବା କିଛି କମ କରିବାକୁ ଚେଷ୍ଟା କରେ । ଏହି ଦମନ ଶକ୍ତି ଦିନେ ନା ଦିନେ ସୁରକ୍ଷା ଭାଲବକୁ ( Safety valve) ଭାଙ୍ଗି ଦିଏ ଓ ଏହି ବିସ୍ଫୋଟ ଭୟାବହ ପରିଣାମର କାରଣ ହୁଏ । ଏହି କ୍ରୋଧର ଶକ୍ତି କ୍ଷମାରେ ରୂପାନ୍ତରିତ ହୋଇପାରେ । ସେଥିପାଇଁ ଭାଗବତରେ କୁହାଯାଇଛି; “ଦଣ୍ଡିବା ଶକ୍ତି ଯାର ଥାଇ; ସେ ପୁଣି କ୍ଷମା ଆଚରଇ । ସାଧୁଙ୍କ ମଧ୍ୟେ ଶ୍ରେଷ୍ଟ ନର । ସୁଖ ଦୁଃଖରୁ ସେ ବାହାର । ସେହିପରି କାମ ପ୍ରେମରେ ଓ ବ୍ରହ୍ମଚର୍ଯ୍ୟରେ ରୂପାନ୍ତରିତ ହୋଇପାରେ । ବ୍ୟକ୍ତି ଯଦି କ୍ରୋଧ ଓ ଘୃଣାକୁ ତ୍ୟାଗ କରିପାରେ ନାହିଁ ତେବେ ତା’ର ଆନ୍ତରିକ ଶକ୍ତି କ୍ଷୟ ହୋଇଯାଏ । ତା’ଠାରେ କ୍ଷମା କରିବା ଶକ୍ତିର ସଞ୍ଚାର ହୋଇପାରେ ନାହିଁ । ଭୋଗକୁ ସହସ୍ର ଛିଦ୍ରଯୁକ୍ତ ଜଳପାତ୍ର ସହିତ ତୁଳନା କରାଯାଇପାରେ । ଏଥିରେ ଯେତେ ଜଳ ଢାଳିଲେ ମଧ୍ୟ କିଛି କ୍ଷଣପରେ ନିଃଶେଷ ହୋଇଯାଏ । ବ୍ୟକ୍ତି ଜୀବନରେ ଇନ୍ଦ୍ରିୟ ସମୁହ ଦ୍ୱାରା କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ରୂପରେ ଅପାର ଶକ୍ତି ସହସ୍ର ଛିଦ୍ର ମାଧ୍ୟମରେ ବାହାରି ନିଃଶେଷ ହୋଇଥାଏ । ତେଣୁ ଭୋଗ ଓ ଦମନ ଏହି ଦୁଇଟି ହେଉଛି ଜୀବନ ପାଇଁ ଘାତକ । ଇନ୍ଦ୍ରିୟ-ସଂଯମର ଅର୍ଥ ହେଉଛି ଇନ୍ଦ୍ରିୟଗୁଡ଼ିକର ଆକର୍ଷଣ ସହିତ ପରିଚିତ ହେବା । ଏହି ପରିଚୟ ଅର୍ଥାତ୍ ବୋଧ ବା ଜ୍ଞାନ ଆମକୁ ବିଜୟୀ କରାଏ, ସଂଯମ ଅର୍ଥାତ୍ କର୍ମେନ୍ଦ୍ରିୟଜିତ । କର୍ମେନ୍ଦ୍ରିୟ ଉପରେ ସେହି ବ୍ୟକ୍ତି ବିଜୟ ପ୍ରାପ୍ତ କରିପାରେ ଯିଏ ଇନ୍ଦ୍ରିୟ ସମୂହର ସମସ୍ତ ରହସ୍ୟଗୁଡ଼ିକୁ ଏବଂ ତା’ର ଅନ୍ତଃ ପ୍ରକୃତିକୁ ଜାଣିଥାଏ ।


ଯେତେବେଳେ ବ୍ୟକ୍ତି ମଧ୍ୟରେ କ୍ରୋଧ ପ୍ରଜ୍ଜ୍ୱଳିତ ହୁଏ ସେତେବେଳେ ତା’ ପ୍ରତି ସେ ଧ୍ୟାନ ଦିଏ ନାହିଁ । ସେ ଭଗବାନଙ୍କୁ ଧ୍ୟାନ କରେ ଏବଂ ଅନ୍ୟ ଆବଶ୍ୟକ କାମ ପ୍ରତି ଧ୍ୟାନ ଦିଏ । ଏହା ଅତି ଆବଶ୍ୟକ । ଏହା ସହିତ କ୍ରୋଧ ଉଦ୍ରେକ ହେଲେ ତା’ ପ୍ରତି ମଧ୍ୟ ସମପରିମାଣରେ ଧ୍ୟାନ ଦେବା ଆବଶ୍ୟକ । କିନ୍ତୁ ଦେଖାଯାଏ ଯେ ଆମେ ଏଥିପ୍ରତି ଖୁବ୍ କ୍ୱଚିତ ଓ ଆଦୌ ସଚେତନ ନୋହୁଁ । ଯେତେବେଳେ କ୍ରୋଧର ଲେଲିହାନ ଅଗ୍ନି ଶିଖା ଆମ ମଧ୍ୟରେ ଉଠେ, ସେତେବେଳେ ଆମର ସମସ୍ତ ବିଚାର ତା ସହିତ ପ୍ରବାହିତ ହୋଇଯାଏ ଏବଂ କ୍ରୋଧର ବିଚାର ସହିତ ଆମର ତାଦାତ୍ମ୍ୟ ହୋଇଯାଏ । ସେତେବେଳେ ଆମେ କ୍ରୋଧୀ ହୋଇଯାଉଁ । ଜଣେ ବୈଜ୍ଞାନିକ ପରୀକ୍ଷାଗାରରେ କୌଣସି ଦ୍ରବ୍ୟର ଅନୁସନ୍ଧାନ ସମୟରେ ନିଜକୁ ତା ସହିତ ତାଦାତ୍ମ୍ୟ କରେ ନାହିଁ । ସେ ଯଦି ନିଜକୁ ଦ୍ରବ୍ୟ ମନେ କରିବ ତେବେ କାହାର ଅନୁସନ୍ଧାନ କରିବ? ବିଜ୍ଞାନର ଆଧାର ହେଉଛି ପ୍ରୟୋଗ ଏବଂ ନିରୀକ୍ଷଣ । ସେହିପରି ଆଧ୍ୟାତ୍ମିକ ଜୀବନରେ ଜୀବନ ମୂଲ୍ୟରେ ପରିବର୍ତ୍ତନ ପାଇଁ ଧ୍ୟାନ ଅର୍ଥାତ୍ ନିରୀକ୍ଷଣ ଆବଶ୍ୟକ । ଯେଉଁ ଇନ୍ଦ୍ରିୟ ସହିତ ଆମର ତାଦାତ୍ମ୍ୟ ହୋଇଯାଏ ଆମେ ତାକୁ ଜାଣିପାରିବା ନାହିଁ । ତେଣୁ ଆମକୁ ଦୂରରେ ଛିଡା ହୋଇ ସାକ୍ଷୀ ଭାବରେ ଏହାକୁ ଦେଖିବାକୁ ହେବ । ଇନ୍ଦ୍ରିୟଗୁଡ଼ିକ ନିରନ୍ତର କାମ କରୁଥାନ୍ତି ଏବଂ ଆମେ ଏକ ମିଥ୍ୟା ତାଦାତ୍ମ୍ୟ ସେମାନଙ୍କ ସହିତ ଯୋଡି ନିଜକୁ ଏହାର କର୍ତ୍ତା ବୋଲି ମନେ କରୁଁ । ଉଦାହରଣ ସ୍ବରୂପ ଏକ ଚଷମା ଦ୍ୱାରା ଆପଣ ଏକ ଦୃଶ୍ୟ ଦେଖୁଛନ୍ତି । ଆପଣ କହନ୍ତି ଯେ ଏହା ମୋତେ ଦେଖାଯାଉଛି । ପ୍ରକୃତରେ ଚଷମା ଦ୍ୱାରା ଆଖିକୁ ଦୃଶ୍ୟ ହୁଏ । ଚଷମା ବାହାର କରିଦେଲେ ଆପଣଙ୍କୁ ସେହି ଦୃଶ୍ୟ ସ୍ପଷ୍ଟ ଦିଶିବ ନାହିଁ । ସେତେବେଳେ ଆପଣ କହିବେ ମୋତେ ଦିଶୁ ନାହିଁ । ଆପଣ ସେହି ଏକା ବ୍ୟକ୍ତି ଯାହାଙ୍କୁ ପ୍ରଥମେ ଦିଶୁଥିଲା; ଏବେ ଦିଶୁନାହିଁ । ଆଖି ବନ୍ଦ କରିଦେଲେ ସେହି ଆଖି ବା ଚଷମା ମାତ୍ର ଯନ୍ତ୍ର ପରି ଆପଣଙ୍କ ମଧ୍ୟରେ କାମ କରିଥାଏ । କହିବାର ତତ୍ପର୍ଯ୍ୟ ଏହା ଯେ ଇନ୍ଦ୍ରିୟ ସମୂହରୁ ପୃଥକ ଆପଣ ଏକ ଜ୍ୟୋତି ବିନ୍ଦୁ ଆତ୍ମା ଅଟନ୍ତି । ଏହି ଯନ୍ତ୍ରର ମୁଁ ଉପଯୋଗ କରେ । ଆମକୁ ଏହାର ଉପଭୋଗ ନୁହେଁ; ସମ୍ୟକ ଉପଯୋଗ କରିବା ଉଚିତ । ଇନ୍ଦ୍ରିୟଗୁଡ଼ିକରୁ ଆତ୍ମା (ମୁଁ) ର ତାଦାତ୍ମ୍ୟକୁ ପୃଥକ କରିବାକୁ ହେବ । ଯାହାସବୁ ଇନ୍ଦ୍ରିୟଗୁଡ଼ିକୁ ହେଉଛି, ତାହା ଆପଣଙ୍କୁ ନୁହେଁ । ଏହି କଥାକୁ ସତତ ସ୍ମରଣ ରଖିବା ଉଚିତ । ଇନ୍ଦ୍ରିୟଗୁଡ଼ିକ ଦ୍ୱାରା ହେଉଥିବା ପ୍ରତ୍ୟେକ କର୍ମକୁ ‘ମୁଁ’ କରୁଛି ନ ଭାବି, ଏହା ସମ୍ବନ୍ଧିତ ଇନ୍ଦ୍ରିୟ ଦ୍ୱାରା ହେଉଛି ବୋଲି ଭାବିବାକୁ ହେବ । ଉଦାହରଣ ସ୍ବରୂପ; ମୁଁ ଥକି ଯାଇଛି; ଏହା ନ ଭାବି ମୋର ପାଦ ଥକି ଯାଇଛି ଭାବନ୍ତୁ । ‘ମୁଁ’ ସମସ୍ତ ଇନ୍ଦ୍ରିୟର ମାଲିକ । ପାଦ ଶରୀରର ଏକ କ୍ଷୁଦ୍ର ଅଙ୍ଗ ମାତ୍ର । ଏହିପରି ଚିନ୍ତନ ଦ୍ୱାରା ଆତ୍ମା ଓ ଶରୀର ମଧ୍ୟରେ ଥିବା ତାଦାତ୍ମ୍ୟ ଛିନ୍ନ ହୋଇଯିବ । ଏହି ବୋଧ ଆତ୍ମାକୁ ଶରୀରର ମାଲିକ ବା ଜିତେନ୍ଦ୍ରିୟ ବନାଇ ଦିଏ ।

ପରମ ଶାନ୍ତି ଓ ଆନନ୍ଦ ପାଇଁ ଆହାର ସଂଯମ ଅନିବାର୍ଯ୍ୟ । ଏଠାରେ ଆହାରର ଅର୍ଥ କେବଳ  ଶରୀର ନିର୍ବାହ ପାଇଁ ଭୋଜନ ନୁହେଁ । ଆହାରର ଅର୍ଥ ବ୍ୟାପକ ଇନ୍ଦ୍ରିୟ ସମୂହ ମାଧ୍ୟମରେ ଯେଉଁ ସବୁ ବିଷୟ ଆତ୍ମସ୍ଥ କରାଯାଏ ସେସବୁ ମଧ୍ୟ ଆହାରର ପର୍ଯ୍ୟାୟଭୁକ୍ତ । ତେଣୁ ଆହାର ସଂଯମ ଉପରେ ଧ୍ୟାନ ଦେବା ଆବଶ୍ୟକ । ପୌଷ୍ଟିକ ଭୋଜନ ଯେପରି ଶରୀରର ପୁଷ୍ଟି ସାଧନ କରିଥାଏ, ସେହିଁପରି ଶୁଦ୍ଧ ସଂକଳ୍ପ ରୂପୀ ଆହାର ଆତ୍ମାକୁ ଶକ୍ତିଶାଳୀ କରେ । ଏହାଦ୍ୱାରା ବୁଦ୍ଧି ଦିବ୍ୟ ହୁଏ । ଶୁଦ୍ଧ ସଂକଳ୍ପ ଆତ୍ମାକୁ ଶାନ୍ତି ମାର୍ଗରେ ନେଇଯାଏ; ପରମାତ୍ମା ସ୍ମରଣରେ ବା ଅନ୍ୟ ଇପ୍ସିତ କାର୍ଯ୍ୟରେ ମନର ଏକାଗ୍ରତ ବଢ଼ାଏ; ମନର ଉତ୍ତେଜନା, ଉଦବେଳନ ଓ ଅଶାନ୍ତିକୁ ପ୍ରଶମିତ କରେ ଏବଂ ଶୁଭ ଓ ମଙ୍ଗଳମୟ ବିଚାରର ସୃଜନ କରେ । ଉଭୟ ସୁଖ ଓ ଦୁଃଖ ମନକୁ ଆନ୍ଦୋଳିତ କରେ । ବିଷୟ-ଭୋଗରେ ଲିପ୍ତ ବ୍ୟକ୍ତିର ମନ କଦାପି ଶାନ୍ତ ହୁଏ ନାହିଁ । ସେହିପରି ଆମିଷାଦି ତାମସିକ ଭୋଜନ ଓ ମଦ୍ୟ ଆଦି ମାଦକ ଦ୍ରବ୍ୟର ସେବନ ମଧ୍ୟ ମନକୁ ଉତ୍ତେଜିତ କରିଥାଏ । ତେଣୁ ଏସବୁ ସର୍ବଦା ବର୍ଜନୀୟ । ଯଦି ଜଣେ ହିଂସା ଓ କାମ-ବାସନା ଯୁକ୍ତ ଚଳଚିତ୍ର ଦେଖେ ତେବେ ସେ ଆଖି ଦ୍ୱାରା ଦୋଷପୂର୍ଣ୍ଣ ଆହାର ଗ୍ରହଣ କରିଥାଏ । ଏହା ଦ୍ୱାରା ରାତ୍ରିରେ ଶୋଇବା ବେଳେ ସ୍ୱପ୍ନ ମାଧ୍ୟମରେ ଏବଂ ଦିନବେଳେ ଉତ୍ତେଜିତ ବିଚାର ତରଙ୍ଗ ଉତ୍ପନ୍ନ 

ହୋଇ ମନକୁ ଚଞ୍ଚଳ କରିଥାଏ । କାନ ଦ୍ୱାରା ନକାରତ୍ମକ କଥା ଶୁଣିବା ମଧ୍ୟ ତ୍ରୁଟିଯୁକ୍ତ ଆହାର ଗ୍ରହଣ କରିବା ସେଙ୍ଗ ସମାନ । ଏହା ମଧ୍ୟ ମନକୁ ଅସ୍ଥିର କରିଥାଏ ।

ବ୍ୟର୍ଥ ସଂକଳ୍ପ ବା ବିଚାର ଆତ୍ମା ପାଇଁ ଅଶୁଦ୍ଧ ଭୋଜନ ଏଥିପାଇଁ ଏଥିରୁ ମୁକ୍ତହେବା ଆବଶ୍ୟକ । କାରଣ ଏହା ତୁଫାନ ସଦୃଶ ଜୀବନକୁ ଅସ୍ତବ୍ୟସ୍ତ କରିଦିଏ । ତେଣୁ ବିବେକ-ବୁଦ୍ଧି ଦ୍ୱାରା ମନରେ ଉତ୍ପନ୍ନ ହେଉଥିବା ବ୍ୟର୍ଥ ସଂକଳ୍ପଗୁଡ଼ିକୁ ଯାଜ୍ଞ କରି ଉପେକ୍ଷା କରିବା ଉଚିତ୍ । ଏହାଦ୍ୱାରା ଜୀବନୋପଯୋଗୀ ଶକ୍ତି ସମୂହର ସଞୟ ହୋଇଥାଏ । ମୁଖ ମାଧ୍ୟମରେ ଗ୍ରହଣ କରୁଥିବା ସ୍ଥୂଳ ଖାଦ୍ୟ ସେତିକି କ୍ଷତି ପହଞ୍ଚାଏ ନାହିଁ ଯେତିକି ବ୍ୟର୍ଥ ବିଚାର ରୂପୀ ସୂକ୍ଷ୍ମ ଆହାର । ପେଟରେ କୋଷ୍ଠ-କାଠିନ୍ୟ ହେଲେ ବିରେଚକ ଔଷଧ ମାଧ୍ୟମରେ ତାକୁ ନିଃସରଣ କରାଯାଇପାରିବ । କିନ୍ତୁ ମନରେ ମଳ ଜମାଟ ବାନ୍ଧିଲେ ତା’ ପାଇଁ କୌଣସି ଔଷଧ ନାହିଁ, କେବଳ ଆଧ୍ୟାତ୍ମିକ ବିଧି ଅନୁସରଣ କରି ମନକୁ ପରିଷ୍କାର କରାଯାଇ ପାରିବ । ଅନ୍ତଃକରଣରେ ବ୍ୟର୍ଥ ସଂକଳ୍ପର ପ୍ରବେଶକୁ ନିଷେଧ କରିବା ପାଇଁ ପ୍ରତ୍ୟେକ ଇନ୍ଦ୍ରିୟର ଦ୍ୱାର ଦେଶରେ ବିବେକ ରୂପୀ ପ୍ରହରୀକୁ ବସାଇବାକୁ ପଡ଼ିବ । ବିବେକ କେବଳ ସେହି ସଂକଳ୍ପଗୁଡ଼ିକୁ ଭିତରକୁ ଛାଡ଼ିବ ଯାହା ମନକୁ ସ୍ୱସ୍ଥ ଓ ଶକ୍ତିଶାଳୀ ରଖିବାରେ ସହାୟକ ଅଟେ । ଏହା ହେଉଛି ପ୍ରକୃତ ସଂଯମ । ସଂଯମିତ ବ୍ୟକ୍ତି ସହଜରେ ଇପ୍ସିତ ଲକ୍ଷ୍ୟର ରାଜମାର୍ଗରେ ଅଗ୍ରସର ହୋଇଥାଏ ।

🌺🌺🌺🌺🌺🌺🌺🌺🌺

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌸🌸🌸🌸🌸🌸🌸🌸🌸

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,