*ଜ୍ଞାନ ନିର୍ଝର (୧୭ ମନର ସଂରଚନା
🌻🌻🌻🌻🌻🌻🌻🌻🌻
🌼 *ଜ୍ଞାନ ନିର୍ଝର (୧୭)* 🌼
🌹🌹🌹🌹🌹🌹🌹🌹🌹
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌸🌸🌸🌸🌸🌸🌸🌸🌸
*ମନର ସଂରଚନା*
🌺🌺🌺🌺🌺🌺🌺🌺🌺
ଆତ୍ମା ଯେଉଁ ଶକ୍ତି ବଳରେ ସ୍ବୀୟ ଭାବ ଅଭିବ୍ୟକ୍ତ କରେ ତା’ର ନାମ ହେଉଛି ମନ । ମନରେ ସର୍ବ ପ୍ରଥମେ ବିଚାର ଉତ୍ପନ୍ନ ହୁଏ । ବୁଦ୍ଧିର କାମ ହେଉଛି ନିର୍ଣ୍ଣୟ କରିବା । ଏହା ଆତ୍ମାର ନିର୍ଣ୍ଣୟ ଶକ୍ତି । ମାନସିକ ସ୍ଥିତି, ମାନସିକ ଦଶା, ସାହଚର୍ଯ୍ୟ ସ୍ମୃତି ଏବଂ ପୂର୍ବାନୁମାନ ବା କଳ୍ପନା ଦ୍ୱାରା ବୁଦ୍ଧି ପ୍ରଭାବିତ ହୋଇଥାଏ । ଯଥାର୍ଥ ଓ ସୁଗମ ନିର୍ଣ୍ଣୟ ଶକ୍ତି ବୃଦ୍ଧି ପାଇଁ ମନ ଓ ମସ୍ତିଷ୍କ ମଧ୍ୟରେ ପ୍ରଭେଦ ଓ କ୍ରିୟା ବିଧି ବିଷୟରେ ଜାଣିବା ଅପରିହାର୍ଯ୍ୟ ।
ପୂର୍ବରୁ କୁହାଯାଇଛି ମନ ହେଉଛି ବିଚାର ଉକରିବାର ସୂକ୍ଷ୍ମଶକ୍ତିର ନାମ । ଅନ୍ୟ ପକ୍ଷରେ ମସ୍ତିଷ୍କ ହେଉଛି ଶରୀରର ଏକ ଭୌତିକ ଅଙ୍ଗ । ମନ ଓ ମସ୍ତିଷ୍କ ମଧ୍ୟରେ ଏହା ହେଉଛି ମୌଳିକ ପ୍ରଭେଦ । ମସ୍ତିଷ୍କକୁ କମ୍ପ୍ୟୁଟର ସହିତ ତୁଳନା କରାଯାଇପାରେ । ଦୈନନ୍ଦିନ ଜୀବନରେ ମନୁଷ୍ୟ ଅନେକ ଦୃଶ୍ୟ, ଘଟଣା, ପରିସ୍ଥିତି ଆଦିର ସମ୍ମୁଖୀନ ହୁଏ । ଏସବୁ ମସ୍ତିଷ୍କରେ ସଂଗୃହୀତ ହୋଇ ସଂରକ୍ଷିତ ଥାଏ । ପରବର୍ତ୍ତୀ ସମୟରେ ତତ୍ ସମ୍ବନ୍ଧିତ ବ୍ୟକ୍ତି ବା ଘଟଣାର ସମ୍ମୁଖୀନ ହେଲେ ପୂର୍ବରୁ ସଂଗୃହୀତ ଓ ସଞ୍ଚିତ ସୂଚନା ସ୍ମୃତି ପଟଳରେ ଅଙ୍କିତ ହୁଏ । ଏହି ମସ୍ତିଷ୍କ ରୂପୀ କମ୍ପ୍ୟୁଟରର ଚାଳକ ହେଉଛି ମନ । ମନ ଯେତେବେଳେ ଶାନ୍ତ ଓ ଶୀତଳ ଥାଏ ସେତେବେଳେ ମସ୍ତିଷ୍କରୁ ଆଲ୍ଫା ( Alfa) କିରଣ ନିର୍ଗତ ହୁଏ । ଏହା ଫଳରେ ଯଥାର୍ଥ ନିର୍ଣ୍ଣୟ ନେବାକୁ ବୁଦ୍ଧି ସକ୍ଷମ ହୁଏ । ମନ ଅଶାନ୍ତ ଓ ଚାପଗ୍ରସ୍ତ ହେଲେ ନିର୍ଣ୍ଣୟ ମଧ୍ୟ ଯଥାର୍ଥ ହୋଇନଥାଏ । ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ମନକୁ ନିରନ୍ତର ଶାନ୍ତ, ସହଜ ଓ ସ୍ବଭାବିକ ରଖିବାର ବିଧି ବତାଏ । ଏହା ରାଜଯୋଗ ନାମରେ ନାମିତ । ବିଧିପୂର୍ବକ ରାଜଯୋଗ ଅଭ୍ୟାସ କଲେ ଆତ୍ମାନୁଭୂତି ହୁଏ ଯଦ୍ଦ୍ବାରା ପରମାତ୍ମାନୁଭୂତି ମାର୍ଗ ପ୍ରଶସ୍ତ ହୋଇଥାଏ ।
ଇଡ୍ , ଇଗୋ ଓ ସୁପର ଇଗୋ ହେଉଛି ମନର ତିନୋଟି ଅବସ୍ଥା । ମନ ମଧ୍ୟରେ ଉଠୁଥିବା ବିଚାରର ଅବସ୍ଥା ହେଉଛି ‘ଇଡ୍’ । ବିଚାର ନକାରାତ୍ମକ ବା ସକାରାତ୍ମକ ହୋଇପାରେ । ଏହି ଦ୍ୱନ୍ଦ୍ୱାତ୍ମକ ବିଚାର ହେଉଛି ‘ଇଗୋ’ । ଶ୍ରେଷ୍ଠ ବୈଚାରିକ ଅବସ୍ଥାକୁ ସୁପର ଇଗୋ’ କୁହାଯାଏ । ଏହା ମନୁଷ୍ୟକୁ ଶ୍ରେଷ୍ଠ କର୍ମ ପ୍ରତି ଅଭିପ୍ରେରିତ କରିଥାଏ । ଉପରୋକ୍ତ
ତିନୋଟି ମଧ୍ୟରୁ ଯେଉଁଟି ଶକ୍ତିଶାଳୀ ହୁଏ ତାହା ମସ୍ତିଷ୍କ ପ୍ରକ୍ରିୟାକୁ ପ୍ରଭାବିତ କରେ ଓ ମନୁଷ୍ୟଦ୍ୱାରା ତଦନୁରୂପ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
*ଚେତନା (ଆତ୍ମା)ର ତିନୋଟି ଅବସ୍ଥା*
*ଜାଗ୍ରତ* : ଏହି ଅବସ୍ଥାରେ କର୍ମେନ୍ଦ୍ରିୟ ସମୂହ ଓ ପ୍ରକୃତି ସହିତ ମନର ସମ୍ବନ୍ଧ ସ୍ଥାପିତ ହୋଇଥାଏ ଓ ଅନୁଭବ ହୁଏ ।
*ସୁଷୁପ୍ତି* : ଏହି ଅବସ୍ଥାରେ ଅପୂର୍ଣ୍ଣ ଇଛା ସଂକଳିତ ହୋଇ ରହିଥାଏ ଯେଉଁଗୁଡ଼ିକ ସ୍ବପ୍ନ ମାଧ୍ୟମରେ ପ୍ରକଟ ହୁଏ । ଏଗୁଡ଼ିକ ଯଦି ସ୍ବପ୍ନ ମାଧ୍ୟମରେ ପ୍ରକଟ ହୋଇପାରେ ନାହିଁ ତେବେ ମନୋଦୈହିକ ରୋଗ ରୂପରେ ପ୍ରକଟ ହୋଇଥାଏ ।
*ପରମ ଜାଗ୍ରତ* : ଯେଉଁ ଅପୂର୍ଣ୍ଣ ଇଚ୍ଛାଗୁଡ଼ିକ ମନୋଦୈହିକ ରୋଗ ରୂପରେ ପ୍ରକଟ ହୋଇପାରେନାହିଁ ସେଗୁଡ଼ିକ କୌଣସି ସମୟରେ ମଧ୍ୟ ଇହ ବା ପର ଜନ୍ମରେ ପ୍ରକଟ ହୋଇଥାଏ । ଏହାକୁ ସଂସ୍କାର କୁହାଯାଏ । ଏହା ମନୁଷ୍ୟର କର୍ମକୁ ପ୍ରଭାବିତ କରେ । କର୍ମ ଉପରେ ପଡ଼ୁଥିବା ସଂସ୍କାରର ସକାରାତ୍ମକ ପରିବର୍ତ୍ତନ ପାଇଁ ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା ଆବଶ୍ୟକ ।
*ଅଧିଗମ* : ଏହା ହେଉଛି ଶିଖିବା ପ୍ରକ୍ରିୟା । କୌଣସି କାର୍ଯ୍ୟ ପ୍ରଥମେ କଠିଣ ଲାଗେ । ବାରମ୍ବାର କଲେ ତାହା ସହଜ ହୋଇଥାଏ ଓ ପରବର୍ତ୍ତୀ ସମୟରେ ତାହା ଅଭ୍ୟାସରେ ପରିଣତ ହୋଇଯାଏ । ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବା ପାଇଁ ବ୍ୟକ୍ତି ଉଦ୍ୟମ ଅବ୍ୟାହତ ରଖିଲେ ଦିନେ ନା ଦିନେ ସଫଳତା ତା’ର ପଦ ଚୁମ୍ବନ କରେ । ଏଥିରୁ ସେ କିଛି ଜ୍ଞାନ ଅର୍ଜନ କରେ । ଏହା ହେଉଛି ଅଧିଗମ ବା ଶିଖିବା ପ୍ରକ୍ରିୟା । ଶିକ୍ଷଣ ପ୍ରକ୍ରିୟା ଅଧିଗମ ଯେତିକି ସୁଗମ ହୁଏ, ସଫଳତା ସେତିକି ସହଜ ଓ ସ୍ବାଭାବିକ ହୋଇଥାଏ । ଅଧିଗମ ପ୍ରକ୍ରିୟା ନିମ୍ନ ପ୍ରକାରେ ପ୍ରସ୍ତୁତ କରାଯାଇ ପାରେ ।
*୧. ଅଭିପ୍ରେରଣା (ବାହ୍ୟ ଓ ଆନ୍ତରିକ)-* ସମ୍ବେଦନଶୀଳତା- ଅନୁଭବ- ମସ୍ତିଷ୍କ କୋଶିକାର ଅନୁଭବ- ଇନ୍ଦ୍ରିୟସମୂହର ଚୈତନ୍ୟ- ସଂକଳ୍ପ- ଭାବନା ସମୂହ- ଅନୁଭବ ଓ ଅଙ୍କନ (ଅଙ୍କିତ କରିବା) ।
*୨. ମନ- ସଂକଳ୍ପ- ଭାବନା ସମୂହ- ପ୍ରତିବିମ୍ବ ।*
ସଂକଳ୍ପ (ବିଚାର)ର ପ୍ରକାର: ମନୁଷ୍ୟ ମନରେ ଉତ୍ପନ୍ନ ହୋଉଥିବା ସଂକଳ୍ପ ସମୂହକୁ ତିନି ଭାଗରେ ବିଭକ୍ତ କରାଯାଇପାରେ । ଯଥା:- (୧) ଆବଶ୍ୟକ ସଂକଳ୍ପ (୨) ସକାରାତ୍ମକ ସଂକଳ୍ପ (୩) ନକାରାତ୍ମକ ସଂକଳ୍ପ ।
( *କ) ଆବଶ୍ୟକ ସଂକଳ୍ପ: :* ଦୈନନ୍ଦିନ ଜୀବନ ଯାପନ ପାଇଁ ଆବଶ୍ୟକ ହେଉଥିବା ବସ୍ତୁ ଓ ବୈଭବ ସମ୍ବନ୍ଧିତ ସଂକଳ୍ପ ।
*(ଖ) ସକାରାତ୍ମକ ସଂକଳ୍ପ :* ପ୍ରବୃଦ୍ଧ ସଂକଳ୍ପ, ସାହିତ୍ୟିକ ସଂକଳ୍ପ, ଶୁଭ ସଂକଳ୍ପ, ନିର୍ବିକାରୀ ସଂକଳ୍ପ, ଶକ୍ତିଶାଳୀ ସଂକଳ୍ପ, ଏକାଗ୍ର ସଂକଳ୍ପ, ଦୈବୀ ସଂକଳ୍ପ, ଏକତା ସଂକଳ୍ପ ଇତ୍ୟାଦି ଏହାର ଅର୍ନ୍ତଭୁକ୍ତ ।
*(ଗ) ନକାରାତ୍ମକ ସଂକଳ୍ପ* : ଆସୁରୀ ସଂକଳ୍ପ, ବିକାରୀ ସଂକଳ୍ପ, ଦୁର୍ବଳ ସଂକଳ୍ପ, ବ୍ୟର୍ଥ ସଂକଳ୍ପ, ଆକସ୍ମିକ ସଂକଳ୍ପ, ନିକୃଷ୍ଟ ସଂକଳ୍ପ, ମନକୁ ଅସ୍ଥିର କରୁଥିବା ସଂକଳ୍ପ ଇତ୍ୟାଦି ଏହାର ଅର୍ନ୍ତଭୁକ୍ତ ।
ମନ ଉପରେ ନକାରାତ୍ମକ ସଂକଳ୍ପର ପ୍ରଭାବ:
ବ୍ୟକ୍ତିର ନକାରାତ୍ମକ ସଂକଳ୍ପର ପ୍ରଭାବ ଶରୀର ସହିତ ସମାଜ ଉପରେ ମଧ୍ୟ ପଡ଼ିଥାଏ । ନକାରାତ୍ମକ ସଂକଳ୍ପ ଦ୍ୱାରା ମସ୍ତିଷ୍କ ଓ କେନ୍ଦ୍ରିୟ ନାଡ଼ି ସଂସ୍ଥାନ ପ୍ରଭାବିତ ହେଉଥିବାରୁ ଇଣ୍ଡୋଫେନ, ପିଟ୍ୟୁଟାରୀ ଓ ଥାଇରାଇଡ଼ ଗ୍ରନ୍ଥି ସମୁହ ତଥା ସିମ୍ପେଥେଟିକ ଓ ପାରା ସମ୍ପେଥେଟିକ ତନ୍ତ୍ରିକା ଆକ୍ରାନ୍ତ ହୋଇଥାଏ । ସମାଜ ସହିତ ବ୍ୟକ୍ତିର ବ୍ୟକ୍ତିତ୍ୱ, ପର୍ଯ୍ୟାବରଣ ଓ ବାତାବରଣ ଜଡ଼ିତ । ନକାରାତ୍ମକ ସଂକଳ୍ପ ସମାଜରେ ବିଦ୍ୱେଷ, ଅପରାଧ, ହିଂସା, ଅନୈତିକତା, ଦଙ୍ଗାହଙ୍ଗାମା, ଭ୍ରଷ୍ଟାଚାର, ବୈମନସ୍ୟତା, ନାରୀ ନିର୍ଯ୍ୟାତନା ଆଦିର ଜନକ । ଆଜି ଚିକିତ୍ସା ବିଜ୍ଞାନୀମାନଙ୍କ ଗବେଷଣାରୁ ଜଣାଯାଏ ଯେ ଶତକଡ଼ା ୯ଠ ଭାଗ ରୋଗ ମନୋଦୈହିକ ଅଟେ । ବ୍ୟକ୍ତିତ୍ୱ ବିକାଶ ପାଇଁ ଶାରୀରିକ, ମାନସିକ, ଭାବନାତ୍ମକ ଓ ବୌଦ୍ଧିକ ସ୍ବାସ୍ଥ୍ୟ ଏକାନ୍ତ ଆବଶ୍ୟକ । ନକାରାତ୍ମକ ସଂକଳ୍ପ ଶରୀର ସହିତ ମନ, ଭାବନା ଓ ବୁଦ୍ଧିକୁ ମଧ୍ୟ ରୁଗ୍ଣ କରିଦିଏ । ମନୁଷ୍ୟର ପାର୍ଥିବ ଭୋଗ ବିଳାସ ଲିପ୍ସା ବାୟୁ, ଧ୍ୱନି ଓ ଜଳ ପ୍ରଦୂଷଣର ମୁଖ୍ୟ କାରଣ । ନକାରାତ୍ମକ ସଂକଳ୍ପ ହେତୁ ଆଜି ବାତାବରଣ ମଧ୍ୟ ଅଶାନ୍ତ, ଚାପଗ୍ରସ୍ତ ଓ ଅଶୁଦ୍ଧ ହୋଇଯାଇଛି । ଏହି ସବୁର ପରିଣାମ ସ୍ବରୂପ ମଣିଷ ଉଭୟ ଶାରୀରିକ ଓ ମାନସିକ ରୋଗଗ୍ରସ୍ତ । ହୃଦ୍ ସ୍ପନ୍ଦନ ବୃଦ୍ଧି, ଉଚ୍ଚରକ୍ତଚାପ, କୋଷ୍ଠବଦ୍ଧତା, ଅଜୀର୍ଣ୍ଣ, ମଧୁମେହ, ଅମ୍ଳ ହାକୁଟି ଆସିବା, ରୋଗ ପ୍ରତିରୋଧ ଶକ୍ତିର ହ୍ରାସ ଆଦି ଶାରୀରିକ ରୋଗର ଅର୍ନ୍ତଭୁକ୍ତ । ମାନସିକ ରୋଗ ମଧ୍ୟରେ ମାନସିକ ଚାପ, ହୀନ ଭାବନା, ଭୟ, ଚିନ୍ତା, ଅଶାନ୍ତି, ଅପବିତ୍ରତା, ସଂଶୟ, ଦ୍ୱନ୍ଦ୍ୱ ଈର୍ଷା, ଭବିଷ୍ୟତକୁ ନେଇ ଆଶଙ୍କା ଆଦି ପ୍ରମୁଖ ।
ସତତ ସକାରାତ୍ମକ ସଂକଳ୍ପ ଉତ୍ପନ୍ନ କରିବାର ଅଭ୍ୟାସ କଲେ କ୍ରମଶଃ ନକାରାତ୍ମକ ସଂକଳ୍ପ ସମୂହ ସମୂଳେ ନଷ୍ଟ ହୁଅନ୍ତି ଓ ବ୍ୟକ୍ତି ଚେତନାର ଉଚ୍ଚତମ ସୋପାନ ଅଭିମୁଖେ ଅଗ୍ରସର ହୁଏ । ଏହାହିଁ ଆଧ୍ୟାତ୍ମିକ ଉତ୍ତରଣ ବା ଆଧ୍ୟାତ୍ମିକ ଚେତନାର ବିକାଶ ।
🙏🙏🙏🙏🙏🙏🙏🙏🙏
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
🙏🙏🙏🙏🙏🙏🙏🙏🙏
Comments
Post a Comment