ଜ୍ଞାନ ପ୍ରବାହ (୧୩)
🌹🌹🌹🌹🌹🌹🌹🌹🌹
🌸🌸 *ଜ୍ଞାନ ପ୍ରବାହ (୧୩)* 🌸🌸
🌼🌼🌼🌼🌼🌼🌼🌼🌼
ଡାକ୍ତର ସୁଧାଂଶୁ ଶେଖର ମିଶ୍ର ,ପାଟଣାଗଡ
🌺🌺🌺🌺🌺🌺🌺🌺🌺
ଦେହ ଅଭିମାନ ହିଁ ସକଳ ଦୁଃଖର କାରଣ । ଆତ୍ମା ଶରୀରଠାରୁ ପୃଥକ ଏହାତ ସମସ୍ତେ ଜାଣନ୍ତି; ପରନ୍ତୁ ଏହାର ଅନୁଭବ ସମସ୍ତଙ୍କୁ ହୁଏ ନାହିଁ । ଦୈହିକ ସ୍ମୃତି ନଷ୍ଟ ନ ହେବା ପର୍ଯ୍ୟନ୍ତ ପରମାତ୍ମା ସ୍ମୃତି ମନ ଓ ବୁଦ୍ଧିରେ ସ୍ଥିର ରହେ ନାହିଁ । ସର୍ବଦା ଏକଥା ମନେ ରଖିବାକୁ ହେବ ଯେ ଶରୀର ହେଉଛି ରଥ ଓ ପଞ୍ଚେନ୍ଦ୍ରିୟ ପାଞ୍ଚ ଘୋଡା ସ୍ବରୂପ । ଇନ୍ଦ୍ରିୟରୂପୀ ଘୋଡାମାନଙ୍କ ଲଗାମ ଭଗବାନଙ୍କୁ ସମର୍ପଣ କରିଦେବା ଉଚିତ । ଭଗବାନଙ୍କ ପ୍ରତି ଶରୀର ଅନ୍ତଃକରଣ ଏବଂ ଆତ୍ମା ସମର୍ପିତ ହୋଇଯିବା ଉଚିତ । ନିତ୍ୟ ଏହି ସ୍ମୃତି ରଖିବା ଉଚିତ ଯେ ମୋର ଶରୀର ରୂପୀ ରଥରେ ପ୍ରଭୁ ସ୍ବୟଂ ବିରାଜମାନ କରି ଇନ୍ଦ୍ରିୟ ରୂପୀ ଘୋଡାମାନଙ୍କ ଲଗାମ ସମ୍ଭାଳିଛନ୍ତି ।
ମହାଭାରତ ମନୋ ସଂଗ୍ରାମର ଦ୍ୟୋତକ । ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଅସ୍ତ୍ର ଧାରଣ ନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ଭୀଷ୍ମଙ୍କ ତୀର ବୃଷ୍ଟିରେ ଅର୍ଜୁନ ମୂର୍ଚ୍ଛିତ ହୋଇ ପଡିଲେ । ତଥାପି ବି ତାଙ୍କର ତୀର ବୃଷ୍ଟି ଅବ୍ୟାହତ ରହିଲା । ମୂର୍ଚ୍ଛିତ ପ୍ରତି ତୀର ନିକ୍ଷେପ କରିବା ଯୁଦ୍ଧ ନିୟମ ବିରୁଦ୍ଧ । ଭୀଷ୍ମଙ୍କ ଏତାଦୃଶ ବିରୁଦ୍ଧାଚରଣ ହେତୁ ଶ୍ରୀକୃଷ୍ଣ ପୂର୍ବ ପ୍ରତିଜ୍ଞା ଭଙ୍ଗ କରି ସୁଦର୍ଶନ ଚକ୍ର ହସ୍ତରେ ରଥରୁ ଡେଇଁ ପଡିଲେ । ସେ ଭାବିଲେ, ଏ ଭୀଷ୍ମ ଦୁର୍ଯୋଧନ ଅନ୍ନରେ ପ୍ରତିପାଳିତ ହୋଇ କୁସଂସ୍କାର ଗ୍ରସ୍ତ ହୋଇ ପଡିଲାଣି । ଏହାର ବିନାଶ କରିବାକୁ ହେବ । ଏହି କଥା ମାଧ୍ୟମରେ ଥିବା ଆଧ୍ୟାତ୍ମିକ ରହସ୍ୟ ବିଷୟରେ ବିଚାର କରାଯାଉ ।
ଭୀଷ୍ମର ଅର୍ଥ ଭୟଙ୍କର । ଭୟଙ୍କର କିଏ? ମନୁଷ୍ୟର ମନ ହେଉଛି ସବୁଠାରୁ ବଡ ଭୟଙ୍କର । ଏଠାରେ ଭୀଷ୍ମ ମନର ପ୍ରତୀକ । ଅର୍ଜୁନ, ଜୀବାତ୍ମା ଓ ଶ୍ରୀକୃଷ୍ଣ, ପରମାତ୍ମାଙ୍କ ଦ୍ୟୋତକ । ମନ ଯେତେବେଳେ ଆବେଗଯୁକ୍ତ ହୁଏ ସଂକଳ୍ପ ବିକଳ୍ପ ବହୁତ ହଲଚର ସୃଷ୍ଟି କରେ । ଏହା ଭୀଷ୍ମଙ୍କ ଅର୍ଜୁନ ପ୍ରତି ନିରବଚ୍ଛିନ୍ନ ତୀର ବୃଷ୍ଟିର ରହସ୍ୟ । ସଂକଳ୍ପ ବିକଳ୍ପ ରୂପୀ ଶରାଘାତରେ ଜୀବାତ୍ମା ରୂପୀ ଅର୍ଜୁନ କ୍ଷତାକ୍ତ ହୋଇ ମୂର୍ଚ୍ଛିତ ହୋଇ ପଡେ । ଏହି ସମୟରେ ମନକୁ ଈଶ୍ୱରୀୟବାଣୀ କେବଳ ଅଙ୍କୁଶିତ କରି ପାରେ । ଆତ୍ମାର ଭୂତ ଭବିଷ୍ୟତ ଓ ବର୍ତ୍ତମାନ ଜ୍ଞାନ ହେଉଛି ସୁଦର୍ଶନ (ସୂର୍ଦଶନ) ଚକ୍ର । ପୃଥିବୀ ପାପଭାରରେ ଅତିଷ୍ଠ ହୋଇ ସକଳ ପ୍ରାଣୀ ଯେତେବେଳେ ଅଜ୍ଞାନ ନିଦ୍ରାରେ ମୂର୍ଚ୍ଛିତ ହୋଇ ପଡନ୍ତି, ସେତେବେଳେ ପରମାତ୍ମା ଆଉ ନୀରବ ଦ୍ରଷ୍ଟା ହୋଇ ରହିପାରନ୍ତି ନାହିଁ । ଅଧର୍ମର ବିନାଶ ଓ ଧର୍ମର ପୁନଃସ୍ଥାପନ ପାଇଁ ତାଙ୍କୁ ଭୂପୃଷ୍ଠରେ ଅବତୀର୍ଣ୍ଣ ହେବାକୁ ପଡେ । ପରମାତ୍ମା ସାନ୍ନିଧ୍ୟ ପ୍ରାପ୍ତ ଆତ୍ମାମାନଙ୍କ ଜ୍ଞାନ ନେତ୍ର ଉନ୍ମୀଳିତ ହୁଏ ଓ ସେମାନେ ସ୍ବ-ଦର୍ଶନ କରି ଅଚେତରୁ ସଚେତ ହୁଅନ୍ତି । ସ୍ବ-ଦର୍ଶନ ଚକ୍ର ଦ୍ୱାରା ହିଁ ମନରୁ ଉତ୍ପନ୍ନ ହେଉଥିବା ସଂକଳ୍ପ- ବିକଳ୍ପ ରୂପୀ ତୀର ସମୂହ ନଷ୍ଟ ହୁଏ । ଅର୍ଥାତ ମନ ସଂକଳ୍ପ ବିକଳ୍ପ କରିବା ତ୍ୟାଗ କଲେ ଆତ୍ମ ରୂପରେ ତଦାକାର ହୋଇଯାଏ । ସେତେବେଳେ ଯାଇ ଜୀବନରେ ଶାନ୍ତି ସମ୍ଭବ ହୁଏ ।
ଭୀଷ୍ମଙ୍କ ଉତ୍ତରାୟଣରେ ଦେହତ୍ୟାଗର ଅର୍ଥ ହେଉଛି ଜ୍ଞାନର ଉତ୍ତରାବସ୍ଥା ବା ପରିପକ୍ୱ ଦଶାରେ ମୃତ୍ୟୁ । ଦକ୍ଷିଣାୟନରେ ଦେହ ତ୍ୟାଗ କଲେ ପ୍ରାଣୀ ନରକ ଲୋକ ଯାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ଅଛି । ନରକ ଲୋକର ଅର୍ଥ ଅନ୍ଧକାର । ଯିଏ ପରମାତ୍ମା ସ୍ବରୂପ ସହିତ ଅନଭିଜ୍ଞ, ଯିଏ ପରମାତ୍ମାନୁଭୁତି କରି ନାହିଁ ଏବଂ ସେହି ଅପରିପକ୍ୱ ଅବସ୍ଥାରେ ହିଁ ମୃତ୍ୟୁ ଲାଭ କରେ ତା’ର ମୃତ୍ୟୁକୁ ଦକ୍ଷିଣାୟନ କୁହାଯାଏ । ମାନବ ଜୀବନର ଅନ୍ତିମ ପରୀକ୍ଷା ତା’ର ମୃତ୍ୟୁ ଅଟେ । ଯା’ର ଜୀବନ ଯେତେ ସୁନ୍ଦର, ତା’ର ମୃତ୍ୟୁ ମଧ୍ୟ ସେତିକି ମଙ୍ଗଳମୟ ।
*ଯବ୍ ତୁମ ଆୟେ ଜଗ୍ ମେ ତୋ
ୱହହଁସା, ତୁମ ରୋଏ ।*
*ଏସି କରନି କର ଚଲୋ,
ତୁମ ହଁସୋ, ଜଗ ରୋଏ ।*
ଯାହାର ମୃତ୍ୟୁ ଆନନ୍ଦ ଦାୟକ ନୁହେଁ, ତା’ର ଜୀବନ ବ୍ୟର୍ଥ ଥିଲା । ମୃତ୍ୟୁ ସେତେବେଳେ ସୁଧୁରେ ଯେତେବେଳେ ମାନବ ପ୍ରତ୍ୟେକ କ୍ଷଣକୁ ସୁଧାରିଚାଲେ । ଯିଏ ପ୍ରତିକ୍ଷଣର ମୂଲ୍ୟକୁ ଉପଲବ୍ଧି କରିପାରେ ତା’ର ମୃତ୍ୟୁ ପୀଡା ରହିତ ହୁଏ । ନଷ୍ଟ ହୋଇଯାଇଥିବା ଧନ, ପୁରୁଷାର୍ଥ ଦ୍ୱାରା ପ୍ରାପ୍ତ କରିବା ସମ୍ଭବ । କିନ୍ତୁ ନଷ୍ଟ ହୋଇଯାଇଥିବା ଅତୀତ ଆଉ ଥରେ ଫେରି ଆସେ ନାହିଁ । ପ୍ରତିକ୍ଷଣକୁ ଯିଏ ସଦୁପଯୋଗ କରେ ତା’ର ମୃତ୍ୟୁ ମାଙ୍ଗଳିକ ହୁଏ । “ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି” ।
ଟୋପାଏ ଟୋପାଏ ଜଳ ବିନ୍ଦୁ ମିଶି ସିନ୍ଧୁ ସୃଷ୍ଟି ହୁଏ । ସେହିପରି ପ୍ରତିକ୍ଷଣର ସଦୁପଯୋଗ ଦ୍ୱାରା ଅନୁଭବର ଭଣ୍ଡାର ବଢ଼ି ଚାଲେ । କଣ କଣର ସଞ୍ଚୟ ଦ୍ୱାରା ବ୍ୟକ୍ତି ଧନବାନ ହୁଏ । ପ୍ରତିକ୍ଷଣରେ ଉପଲବ୍ଧ ଜ୍ଞାନର ଅନୁଭବରୁ ଜଣେ ଜ୍ଞାନବାନ ହୁଏ । କଣର ଦୁରୁପଯୋଗ ଦାରିଦ୍ର୍ୟର ପଥ ପ୍ରଶସ୍ତ କରେ । ସେହିପରି ଯିଏ ସମୟର ବ୍ୟର୍ଥ ଅପଚୟ କରିଛି ତା’ର ଜୀବନ ଓ ମୃତ୍ୟୁ ଉଭୟ ଦୁର୍ଗତି ପ୍ରାପ୍ତ ହୁଏ । ପ୍ରତି ମୁହୂର୍ତ୍ତ ଯିଏ ଈଶ୍ୱରୀୟ ଚିନ୍ତନରେ ସଫଳ କରିଛି ତା’ର ଜୀବନ ସୁଖମୟ ହୁଏ ଓ ଅନ୍ତ ସମୟରେ ମୃତ୍ୟୁ ମଧ୍ୟ ଆନନ୍ଦ ଦାୟକ ହୁଏ । ସଂଯମ ଜୀବନ ଯାପନ ପୂର୍ବକ ସତତ ପ୍ରଭୁ ଚିନ୍ତନର ଅଭ୍ୟାସ ମୃତ୍ୟୁକୁ ସୁଧାରେ । ଜୀବନର ଅନ୍ତିମ କ୍ଷଣ ଅତୀବ କଠିଣ । ସେହି ସମୟରେ ଈଶ୍ୱରୀୟ ସ୍ମୃତି ରହେ ନାହିଁ । “ଜନ୍ମ ଜନ୍ମ ମୁନି ଜତନ କରାହିଁ, ଅନ୍ତ ରାମ କହି ଆବତ ନାହିଁ” । ସମଗ୍ର ଜୀବନ ଯାର ପରମାତ୍ମା ସ୍ମୃତିରେ ଅତିବାହିତ ହୋଇଥିବ ସେ ହିଁ ଅନ୍ତ ସମୟରେ ସ୍ମୃତିରେ ରହିବ । ସାରା ଜୀବନ ଭଗବତ୍ ସ୍ମରଣରେ ବିତିଥିଲେ ଅନ୍ତିମ ସମୟରେ କଦାଚିତ ଯଦି ସେହି ବ୍ୟକ୍ତି ଭଗବାନଙ୍କୁ ଭୁଲିଯାଏ, ତେବେ ସୁଦ୍ଧା ସେ ଈଶ୍ୱରୀୟ ସ୍ମୃତି ଗୋଚର ରହେ । ସତ୍ କର୍ମ କେବେ ବ୍ୟର୍ଥ ହୁଏ ନାହିଁ । ନିଜ ଘରେ ରହି ପାରିବାରିକ ଓ ସାମାଜିକ ଦାୟିତ୍ୱ ନିର୍ବାହ ପୂର୍ବକ ଶରୀର ଓ ଆତ୍ମାକୁ କୌଣସି ପ୍ରକାର କଷ୍ଟ ନ ଦେଇ ସ୍ବଭାବିକ ଭାବରେ ପରମାତ୍ମାଙ୍କ ଧ୍ୟାନ (ସ୍ମରଣ) ସର୍ବଶ୍ରେଷ୍ଠ ସତ୍କର୍ମ । ଧ୍ୟାନ, ଧାରଣା, ମୂର୍ତ୍ତି ପୂଜା, ତୀର୍ଥଯାତ୍ରା ଆଦି ମାଧ୍ୟମରେ କରାଯାଇଥିଗବା ଉପାସନା ଯଥାକ୍ରମେ ମଧ୍ୟମ, ଅଧମ ଓ ଅତ୍ୟନ୍ତ ଅଧମ ଶ୍ରେଣୀର ଅଟେ । ସେଥିପାଇଁ କୁହାଯାଇଛି,
*ଉତ୍ତମା ସହଜାବସ୍ଥା,
ମାଧ୍ୟମା ଧ୍ୟାନ ଧାରଣା ।
*
*ଅଧମା ମୂର୍ତ୍ତି ପୂଜା ଚ,
ତୀର୍ଥଯାତ୍ରା ଽଧମା ଽଧମା ।*
ଏଠାରେ ତୀର୍ଥ ଯାତ୍ରାକୁ ଅତ୍ୟନ୍ତ ଅଧମ ଶ୍ରେଣୀର ଧାର୍ମିକ କର୍ମ ବୋଲି କୁହାଯାଇଛି । କାରଣ ତୀର୍ଥଯାତ୍ରାରେ ଅନ୍ୟ ଚିନ୍ତାଗୁଡିକ ପାଇଁ ପରମାତ୍ମା ନିୟମିତ ଧ୍ୟାନ ଗୋଚର ହୋଇ ପାରନ୍ତି ନାହିଁ । ଏହି ସମୟରେ ନିୟମିତ ସତ୍କର୍ମ ହୋଇପାରେ ନାହିଁ । ଏଣୁ ତୀର୍ଥଯାତ୍ରା ଅପେକ୍ଷା ପରମାତ୍ମାଙ୍କ ଧ୍ୟାନ ବା ସ୍ମରଣ ସର୍ବଶ୍ରେଷ୍ଠ । ଦେବୀ ଭଗବତରେ ବର୍ଣ୍ଣନା ଅଛି ଯେ ଘର ଅପେକ୍ଷା ଯଦି ଅଧିକ ସତ୍କର୍ମ ତୀର୍ଥଯାତ୍ରାରେ ହୋଇ ନ ପାରିବ ତେବେ ତାହା ବ୍ୟର୍ଥ ।
ଆତ୍ମ ପ୍ରଶଂସା ମୃତ୍ୟୁ ତୁଲ୍ୟ । ନିଜ ହାତରେ କୌଣସି ପୁଣ୍ୟ କର୍ମ ହୋଇଥିଲେ ତାହା ଭୁଲି ଯିବା ଉଚିତ । ଯାହା ପାପ କର୍ମ ହୋଇଛି ତାକୁ ମନେ ରଖି ନିଜକୁ ପରିବର୍ତ୍ତନ କରିବା ବିଧେୟ । ଏହା ହେଉଛି ସୁଖୀ ହେବାର ମାର୍ଗ । କିନ୍ତୁ ମନୁଷ୍ୟ ପୁଣ୍ୟ କର୍ମ ବେଶୀ ମନେ ରଖେ । ପାପକର୍ମକୁ ଭୁଲିଯାଏ । ସେଥିପାଇଁ ଦୁଃଖୀ ହୁଏ । ଯିଏ ଅନ୍ୟର ଦୋଷଗୁଣ ନ ଦେଖି କେବଳ ନିଜ ଦୋଷ ଦେଖେ ସେହିଁ ବୈଷ୍ଣବ ।
ପ୍ରତ୍ୟେକ ଜୀବ ମୃତ୍ୟୁର ଅଧିନ । ତେଣୁ ଏଥିପାଇଁ ବ୍ୟର୍ଥ ଚିନ୍ତା ଅନାବଶ୍ୟକ । ମୃତ୍ୟୁ କବଳିତ ବ୍ୟକ୍ତି ଫେରି ଆସେ ନାହିଁ । ମୃତ୍ୟୁ ପୂର୍ବରୁ ଏ କଥା ଚିନ୍ତା କରିବା ଉଚିତ।
🌺🌺🌺🌺🌺🌺🌺🌺🌺
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର:-
9437210296,7609969796
🌹🌹🌹🌹🌹🌹🌹🌹🌹
Comments
Post a Comment