ଜ୍ଞାନ ନିର୍ଝର ( ୫) ---ମୌନର ମହତ୍ତ୍ବ

🌹🌹🌹🌹🌹🌹🌹🌹🌹🌹

    🌼 *ଜ୍ଞାନ ନିର୍ଝର ( ୫)* 🌼

🌸🌸🌸🌸🌸🌸🌸🌸🌸🌸

🌺🌺 *ମୌନର ମହତ୍ତ୍ବ* 🌺🌺

🌻🌻🌻🌻🌻🌻🌻🌻🌻🌻

*ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ* 

🌼🌼🌼🌼🌼🌼🌼🌼🌼🌼

ମୌନ ବିଷୟରେ ଅଧିକାଂଶ ଲୋକଙ୍କର ଭ୍ରମଧାରଣା ରହିଥିବା ଦେଖାଯାଏ । ସେମାନଙ୍କ ଅନୁସାରେ ମୌନର ଅର୍ଥ ହେଉଛି ବାଣୀର ବିରାମ । କିନ୍ତୁ ଏହା ମୌନର ଯଥାର୍ଥ ପରିଭାଷା ନୁହେଁ । ମୌନର ସମ୍ପର୍କ ମନ ସହିତ । ମନରେ ଯେପର୍ଯ୍ୟନ୍ତ ସଂକଳ୍ପ ବିକଳ୍ପର ଝଡ଼ ଚାଲିଥିବ ବାଣୀର ବିରାମ ଦେଲେ ମଧ୍ୟ ଆମେ ତାକୁ ପ୍ରକୃତ ମୌନର ସଂଜ୍ଞା ଦେଇ ପାରିବା ନାହିଁ । କାମକ୍ରୋଧାଦି ମନୋବିକାର ସମୂହ ମନରେ ନକାରାତ୍ମକ ସଂକଳ୍ପର ତୋଫାନ ସୃଷ୍ଟିକରେ ଓ ମନ ବାତ୍ୟା ପ୍ରଭାବିତ ବିକ୍ଷୁବ୍ଧ ସମୁଦ୍ରଭଳି ଆନ୍ଦୋଳିତ ହୁଏ । ଏଭଳି କ୍ଷେତ୍ରରେ ବାହ୍ୟ ମୌନତା ଅର୍ଥହୀନ । ସକାରାତ୍ମକ  ଚିନ୍ତନ, ଶୁଭ ଚିନ୍ତନ, ଈଶ୍ୱର ସ୍ମରଣ, ପ୍ରସନ୍ନତା, ସ୍ଥିରତା, ଏକାଗ୍ରତା ଆଦି ମାନସିକ ସ୍ଥିତିରେ ମୌନର ସାର୍ଥକତା ନିହିତ ।


ନିଃସଙ୍ଗତା ଓ ଏକାକିତ୍ୱ ମଣିଷର ମୌଳିକ ସ୍ବଭାବ । ସେ ଏ ସୃଷ୍ଟିରେ ଭୂମିଷ୍ଠ ହୁଏ ଏକାକୀ ଓ ଶରୀର ତ୍ୟାଗ କରେ ମଧ୍ୟ ଏକାକୀ । ଦିନଚର୍ଯ୍ୟାର କେତେକ କାମ ଏକାକୀ କରିବାକୁ ହୁଏ । ତେଣୁ ମୌନ ଦ୍ୱାରା ମନର ମଳିନତା ପରିଷ୍କାର ପୂର୍ବକ ନିଜ ବାସ୍ତବିକ ସ୍ବରୂପର ଅନୁଭବ କରିବା ଉଚିତ୍ । ଏହାଦ୍ୱାରା ପ୍ରକୃତ ସୁଖଶାନ୍ତି ପ୍ରାପ୍ତ ହୁଏ । ପ୍ରତ୍ୟେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଜୀବନଶୈଳୀ ଅନୁଶୀଳନ କଲେ ଜଣାଯାଏ ଯେ ସେମାନେ ମୌନ ଓ ଏକାନ୍ତ ଅଭ୍ୟାସ ଦ୍ୱାରା ସଫଳତାର ଶୀର୍ଷତମ ସ୍ତରରେ ଉପନୀତ ହୋଇଛନ୍ତି । ମୌନ ଓ ଏକାନ୍ତ ମନକୁ ଉଦ୍ଧ୍ୱର୍ମୁଖୀ କରାଏ । ମନର ଏହିପରି ଉଚ୍ଚ ଅବସ୍ଥାରେ ପରମାତ୍ମାଙ୍କଠାରୁ ଦିବ୍ୟବୁଦ୍ଧି ପ୍ରାପ୍ତହୁଏ । ପରିଣାମ ସ୍ବରୂପ ବ୍ୟକ୍ତି ଶକ୍ତିଶାଳୀ ହୋଇ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଉଦ୍ୟମ ଅବ୍ୟାହତ ରଖେ ।


ମୌନ ସହିତ ଏକାନ୍ତ ଏବଂ ବାଣୀର ଘନିଷ୍ଠ ସମ୍ପର୍କ ରହିଛି । ଏକାନ୍ତର ଅର୍ଥ ବ୍ୟାପକ । ସ୍ଥୂଳ ଦୃଷ୍ଟିରେ ଏକାନ୍ତର ଅଭିପ୍ରାୟ ହେଉଛି କୋଳାହଳ ଶୂନ୍ୟତା, ପ୍ରକୃତିର ନୈସର୍ଗିକ ବାତାବରଣ, ମନ ଓ ଇନ୍ଦ୍ରିୟ ଉତ୍ତେଜନାକାରୀ ବ୍ୟକ୍ତି, ବସ୍ତୁ, ପଦାର୍ଥ, ପରିସ୍ଥିତି ଆଦିର ସମ୍ପୂର୍ଣ୍ଣ ଅଭାବ । ଏହିପରି ସ୍ଥାନରେ ନିବାସକୁ ଏକାନ୍ତ ବାସ କୁହାଯାଏ । ଆଧ୍ୟାତ୍ମିକ ଦୃଷ୍ଟିରେ ଏକାନ୍ତର ଅର୍ଥ ଆହୁରି ବ୍ୟାପକ । ସଂପ୍ରତି ଏ ସଂସାରରେ ସର୍ବତ୍ର କୋଳାହଳ; ପରିବେଶ ଓ ପ୍ରକୃତି ପରିବର୍ତ୍ତନଶୀଳ । ମନୁଷ୍ୟର ପ୍ରକୃତି ଅନୁସାରେ ପରିବେଶ ଓ ପ୍ରକୃତି ମଧ୍ୟ ବଦଳେ । ତେଣୁ ଏ ସଂସାର ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପଦାର୍ଥ, ପରିସ୍ଥିତି ଆଦି ସହିତ ସମ୍ପର୍କ ଥିବା ପର୍ଯ୍ୟନ୍ତ ଏକାନ୍ତ ସମ୍ଭବ ନୁହେଁ । ନିର୍ଜନ ଓ ଶାନ୍ତ ସ୍ଥାନରେ ବସବାସ କରି ମଧ୍ୟ ସଂକଳ୍ପ-ବିକଳ୍ପଦ୍ୱାରା ମନ ବିକ୍ଷୁବ୍ଧ ହେଉଥିବ ତେବେ ତାହା ଏକାନ୍ତ ବାସ ନୁହେଁ । ଏକାନ୍ତ ପାଇଁ ମନକୁ ଶରୀର ଓ ସଂସାରଠାରୁ ପୃଥକ କରିବାକୁ ପଡିବ । ମନ ଯେତେବେଳେ ଏକ ପରମାତ୍ମା ସହିତ ଅନ୍ତ ହୋଇଯାଏ ସେହି ଅବସ୍ଥାକୁ  ପ୍ରକୃତ ଅର୍ଥରେ ଏକାନ୍ତ କୁହାଯାଇପାରେ । ଏକାନ୍ତ, ମୌନ ଏବଂ ବାଣୀ ମଧ୍ୟରେ ପରସ୍ପର ଅନ୍ୟୋନାଶ୍ରୟ ସମ୍ବନ୍ଧ ରହିଛି । ଅନ୍ଧକାର ନ ଥିଲେ ଆଲୋକର ମହତ୍ତ୍ବ ବୁଝି ହୁଅନ୍ତା ନାହିଁ । ସେହିପରି ବାଣୀର ମହତ୍ତ୍ବ ପ୍ରତିପାଦନ ପାଇଁ ମୌନର ବିଶେଷ ଆବଶ୍ୟକତା ରହିଛି । ଏ ଉଭୟ ଜୀବନକୁ ମହତ୍ତର କରି ଗଢ଼ି ତୋଳନ୍ତି । ମୌନ ଏବଂ ଏକାନ୍ତ ଯଦି ଜୀବନର ପାଠଶାଳା ହୁଏ ତେବେ ବାଣୀ ଏହାର ରଙ୍ଗଶାଳା ସଦୃଶ । ମୌନ ଆତ୍ମାର ଶୃଙ୍ଗାର ଓ ଜୀବନର ଦିବ୍ୟ ଆଭା ଅଟେ ।


ଅଜ୍ଞାନ ମଣିଷ ଭାବେ, ଯାହା ତାକୁ ଦର୍ଶନ ହୁଏ ନାହିଁ ତାହା ଅସତ୍ୟ । ସତ୍ୟପ୍ରତି ଆଖି ବନ୍ଦ କରିଦେଲେ ତା’ର ଅଭାବ ହୁଏ ନାହିଁ । ସମ୍ମୁଖରେ ଆକ୍ରମଣଦ୍ୟୋତ ବାଘକୁ ଦେଖି ଯଦି କେହି ଆଖି ବନ୍ଦ କରିଦିଏ ବାଘ ସେଠାରୁ ଅନ୍ତର୍ହିତ ହେବ ନାହିଁ । ଆଜି ଅଧିକାଂଶ ମନୁଷ୍ୟର ଅବସ୍ଥା ଏହିପରି । ପ୍ରତ୍ୟେକେ ନିଜ ନିଜ ମନର ଅବସ୍ଥା ଜାଣନ୍ତି । କିନ୍ତୁ ଜ୍ଞାନନେତ୍ର ଉନ୍ମୁଳନ କରି ତାହା ଦେଖିବାକୁ ଚାହାନ୍ତି ନାହିଁ । ସେମାନେ ବାସ୍ତବିକତାକୁ ଏଡାଇ ଯିବାର ପ୍ରଚେଷ୍ଟା କରନ୍ତି । କେହି ମଦ୍ୟପାନ କରି, କେହି ବିଳାସ ବ୍ୟସନ ମଧ୍ୟରେ ଓ ଅନ୍ୟକେହି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖି  ନିଜ ନିଜ ମନକୁ ଅନ୍ୟତ୍ର ବ୍ୟସ୍ତ ରଖି ବାସ୍ତବିକତା ପ୍ରତି ଆଖି ବୁଜି ଦିଅନ୍ତି । ଏହି ପରିପ୍ରେକ୍ଷୀରେ ବିରାଡି ଓ କପୋତର ଦୃଷ୍ଟାନ୍ତ ପ୍ରାସଙ୍ଗିକ ମନେ ହୁଏ । ଆମ ମଧ୍ୟରୁ ଅନେକେ ଏକଥା ଦେଖିଥିବେ ଯେ ଯେତେବେଳେ ବିରାଡି କୌଣସି କୋପତ ଉପରେ ଝାମ୍ପେ ସେତେବେଳେ କୋପତଟି ଆଖିବନ୍ଦ କରିଦିଏ । ସେ ଭାବେ ଯେ ବିରାଡି ତ ଦିଶୁନାହିଁ ତାକୁ ମାରିବ କିପରି? କିନ୍ତୁ ପରିଣାମ କ’ଣ ହୁଏ ପ୍ରତ୍ୟକ୍ଷଦର୍ଶୀ ଜାଣନ୍ତି । ଆମ ମନ ହେଉଛି ଏହି ବିରାଡି ସଦୃଶ । ମନୋବିକାର ସମୂହରୁ ରକ୍ଷା ପାଇବା ପାଇଁ ହେଲେ ଏକାନ୍ତ ଓ ମୌନ ଉପଚାର ଆବଶ୍ୟକ । ଏହାଦ୍ୱାରା ମନକୁ ନିରୀକ୍ଷଣ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳେ ଏବଂ ବ୍ୟକ୍ତି ନିଜର ବାସ୍ତବିକ ସ୍ବରୂପକୁ ପ୍ରତ୍ୟକ୍ଷ ଦର୍ଶନ କରେ । ଯେପର୍ଯ୍ୟନ୍ତ ମନୁଷ୍ୟ ନିଜର ବସ୍ତୁ ସ୍ଥିତିକୁ ଉପଯୁକ୍ତ ଭାବରେ ପ୍ରତ୍ୟକ୍ଷ କରିପାରେ ନାହିଁ ସେପର୍ଯ୍ୟନ୍ତ ସ୍ବଉପଚାର ସମ୍ଭବ ନୁହେଁ ।


ଅନୁଭବରୁ ଜଣାଯାଏ ଯେ ଜଣେ ଯେତେବେଳେ ସ୍ବୀୟ ବିଚାର ଅବଲୋକନ ପାଇଁ ଶାନ୍ତ ଓ ମୌନ ହୋଇବସେ ସେତେବେଳେ ତା’ ମନରେ ସଂକଳ୍ପ-ବିକଳ୍ପର ଝଡ ସୃଷ୍ଟି ହେବାକୁ ଲାଗେ । ଅବଚେତନ ମନରେ ସଞ୍ଚିତ ଅନେକ ସୁଖଦ ଓ ଦୁଃଖଦ ଘଟଣାବଳୀର ସ୍ମୃତି, ଅନୁଭବ, ଅତୃପ୍ତ କାମନା-ବାସନାଗୁଡ଼ିକର ତରଙ୍ଗ ଚେତନ ମନରେ ପ୍ରକଟ ହେବାକୁ ଲାଗେ । ଏହି ଅବସ୍ଥାରେ ମନୁଷ୍ୟ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହୁଏ । ତା’ର ବାହ୍ୟ ବ୍ୟକ୍ତିତ୍ୱ ଓ ଆନ୍ତରିକ ସ୍ବରୂପ ମଧ୍ୟରେ ସେ କୌଣସି ସମାନତା ଦେଖିପାରେ ନାହିଁ । ବାହ୍ୟ ରୂପରେ ଜଣେ ସମ୍ଭ୍ରାନ୍ତ ଓ ସମ୍ମାନିତ ବ୍ୟକ୍ତି ଯେତେବେଳେ ଅନ୍ତରାବଲୋକନ ବେଳେ ନିଜର କୁତ୍ସିତ ରୂପ ଦର୍ଶନ କରନ୍ତି ସେତେବେଳେ ତାଙ୍କର ଦର୍ପ, ଅହଂକାର ଓ ମିଥ୍ୟା ଅଭିମାନ ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇ ତାଙ୍କ ମନରେ ନିଜପ୍ରତି ହୀନ ଭାବ ସୃଷ୍ଟି ହୁଏ । ସାଧାରଣତଃ ମନୁଷ୍ୟ ତା’ର ଦୈନନ୍ଦିନ କାର୍ଯ୍ୟ ବ୍ୟବହାରରେ ସମ୍ବନ୍ଧ ସମ୍ପର୍କରେ ଆସୁଥିବା ସ୍ବଜନ ମିତ୍ର ସମ୍ବନ୍ଧୀୟମାନଙ୍କଠାରୁ ନିଜ ବିଷୟରେ ଯେତିକି ପ୍ରଶଂସାତ୍ମକ ଧାରଣା ପ୍ରାପ୍ତ ହୋଇଥାଏ କେବଳ ସେ ସେତିକି ପ୍ରଦର୍ଶନ କରେ ଓ ଅନ୍ୟ ସମସ୍ତ ନକାରାତ୍ମକ ଗୁଣାବଳୀକୁ ପ୍ରଦର୍ଶିତ ହେବାକୁ ଦିଏ ନାହିଁ । ଅନ୍ତରାବଲୋକନ ପ୍ରକ୍ରିୟାରେ ଏହି ଲୁକ୍କାୟିତ ସ୍ବରୂପ ପ୍ରକଟ ହୁଏ ଏବଂ ନିଜର ଏହି ବାସ୍ତବିକ କୁତ୍ସିତ ରୂପ ସନ୍ଦର୍ଶନରେ ଆତ୍ମଗ୍ଲାନି ଓ ଦୁଃଖ ବଶତଃ ସେ ତା’ର ପୁରୁଷାର୍ଥ ମାର୍ଗରୁ ତତ୍କ୍ଷଣାତ୍ ଓହରିଯାଏ । ସେ ନିଜର ସମସ୍ତ ଦୋଷ ଦୁର୍ବଳତା ପାଇଁ ଅନ୍ୟମାନଙ୍କୁ ଦାୟୀକରି ନିଜକୁ ଏକ ନିର୍ମଳ ଭାବମୂର୍ତ୍ତି ରୂପେ ପ୍ରଦର୍ଶନ କରେ ।


ସଫଳ ବ୍ୟକ୍ତିତ୍ୱର ନିର୍ମାଣ ପାଇଁ ମୌନର ମହତ୍ତ୍ବ ଗୁରୁତ୍ୱପୂର୍ଣ୍ଣ । ମୌନର ଅର୍ଥ ହେଉଛି ଉଭୟ ବାହ୍ୟ ଓ ଅନ୍ତରର ବ୍ୟର୍ଥ ବାର୍ତ୍ତଳାପ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ । କାରଣ ମନ ବୁଦ୍ଧି ଆମ କଥାବାର୍ତ୍ତା ଗୁଡ଼ିକର ପ୍ରେରକ । ପୂର୍ବ ସଞ୍ଚିତ ଓ ନିୟମିତ ପ୍ରତି ମୁହୂର୍ତ୍ତରେ ସଞୟ ହେଉଥିବା ଅନେକାନେକ ସଂସ୍କାର ଏଥିପାଇଁ ଦାୟୀ । ବ୍ୟର୍ଥ ବାର୍ତ୍ତଳାପ କରୁଥିବା ବ୍ୟକ୍ତି କେବଳ ନିଜର ଅହିତ ଓ ସମୟ ନଷ୍ଟ କରିବା ସହିତ ଅନ୍ୟର ବୁଦ୍ଧିରେ ମଧ୍ୟ ବ୍ୟର୍ଥ ସଂସ୍କାରର ଆବର୍ଜନା ନିକ୍ଷେପ କରେ । ଆମେ ଯଦି ଦିନ ତମାମ ହେଉଥିବା ଆମର କଥାବାର୍ତ୍ତା ଗୁଡ଼ିକୁ ଗୋଟିଗୋଟି କରି ବିଶ୍ଳେଷଣ କରିବା ତେବେ ସେଥିରେ ୯ଠ ପ୍ରତିଶତରୁ ମଧ୍ୟ ଉର୍ଦ୍ଧ୍ବ ବ୍ୟର୍ଥ ବିଷୟ ଥିବା ଜାଣି ପାରିବା । ସେଗୁଡ଼ିକରେ ଏମିତି ଅନେକ କଥା ଥିବ ଯାହା ନ କହିଥିଲେ ମଧ୍ୟ ଚଳିଥାନ୍ତା । ଏକଥା ମନେ ରଖିବା ଉଚିତ ଯେ ଯେଉଁ କଥା କହିବା ଦ୍ୱାରା କାହାରି ଲାଭ ହେଉନାହିଁ । ସେଥିରେ କ୍ଷତି ନିଶ୍ଚିତ ଅଛି । ତେଣୁ ପ୍ରତ୍ୟେକ ଶବ୍ଦ ଉଚ୍ଚାରଣ ପୂର୍ବରୁ ମାପ ତଉଲ କରି କହିବା ଉଚିତ । ଯେତିକି ଦରକାର ଓ ଯେଉଁଠାରେ କହିବା ନିତାନ୍ତ ଆବଶ୍ୟକ କେବଳ ସେତିକି କଥା କହିବା ଉଚିତ । ଯଦି କେହି ଆମ ସମ୍ମୁଖରେ ବ୍ୟର୍ଥ କଥାବାର୍ତ୍ତା ହେଉଛି ତେବେ ତାହା ବୁଦ୍ଧିରେ ସ୍ବୀକାର ନ କରି ତାକୁ ସମର୍ଥରେ ପରିବର୍ତ୍ତନ କରିବାକୁ ପ୍ରୟାସ କରିବା ଉଚିତ । କାରଣ ଆମ ବୁଦ୍ଧି ଗ୍ରହଣ କରିଥିବା ଗୋଟିଏ ବ୍ୟର୍ଥ କଥା ଅନେକ ବ୍ୟର୍ଥ କଥାଗୁଡ଼ିକୁ ଜନ୍ମ ଦେବ । ସାଧାରଣତଃ ବ୍ୟକ୍ତି ନିଜେ କହିଥିବା ବ୍ୟର୍ଥ କଥାକୁ ପ୍ରମାଣ କରିବା ପାଇଁ ଅନେକ ଯୁକ୍ତି କରିଥାଏ । ଅନେକ ସମୟରେ ଆମେ ଉଚ୍ଚାରଣ କରିଥିବା ଅନାବଶ୍ୟକ ଓ ବ୍ୟର୍ଥ ଶବ୍ଦାବଳୀ ପାଇଁ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେଣୁ ମୌନ ରହିବା ଦ୍ୱାରା ସମାଜରେ ଅନେକାଂଶରେ ସୁଖ ଶାନ୍ତି ବଜାୟ ରହିପାରିବା ।

🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌷🌷🌷🌷🌷🌷🌷🌷🌷🌷

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର