ଜ୍ଞାନ ନିର୍ଝର (୪୪) ------ଆଧ୍ୟାତ୍ମିକ କ୍ରାନ୍ତି

🌹🌹🌹🌹🌹🌹🌹🌹🌹

💮 *ଜ୍ଞାନ ନିର୍ଝର (୪୪)* 💮

🌹🌹🌹🌹🌹🌹🌹🌹🌹

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

 🌼 *ଆଧ୍ୟାତ୍ମିକ କ୍ରାନ୍ତି* 🌼

🌺🌺🌺🌺🌺🌺🌺🌺🌺

ବିଶ୍ୱ ଇତିହାସର ପୃଷ୍ଠା ଓଲଟାଇଲେ ଆମେ ଦେଖିବାକୁ ପାଇବା ଯେ ଯେତେବେଳେ ମାନବ ସମାଜ କୌଣସି ସଂକଟ ଓ ଅଶାନ୍ତିର ସମ୍ମୁଖୀନ ହୋଇଛି ସେତେବେଳେ କେହି ଜଣେ ମହାମାନବ ଅଗ୍ରଣୀ ଭୂମିକା ନିର୍ବାହ ପୂର୍ବକ ଜନ ସମୂହକୁ ପରିସ୍ଥିତିର ମୁକାବିଲା ପାଇଁ ନୂତନ ଦିଗ୍ଦର୍ଶନ ଦେଇ ଆସିଛନ୍ତି । ଆବଶ୍ୟକତା ଆବିଷ୍କାରର ଜନନୀ । ବୈଜ୍ଞାନିକ ଆବିଷ୍କାର ଗୁଡ଼ିକର ପୃଷ୍ଠଭୂମି ପର୍ଯ୍ୟାଲୋଚନା କଲେ ଉପର୍ଯ୍ୟୁକ୍ତ ଉକ୍ତିର ସତ୍ୟତା ପ୍ରମାଣିତ ହୁଏ । ମାନବ ସମାଜ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ସହିତ ସୁଖ, ଶାନ୍ତି ଓ ସମୃଦ୍ଧି ଆନୟନ ପାଇଁ କରାଯାଇଥିବା ବା କରାଯାଉଥିବା ପ୍ରୟାସକୁ ‘କ୍ରାନ୍ତି’ ବୋଲି ନାମିତ କରାଯାଇଥାଏ । ସଂସାରରେ ବିଭିନ୍ନ ସମୟରେ ଅନେକ କ୍ରାନ୍ତି ଦେଖା ଦେଇଛି । ଏହାଦ୍ୱାରା ମାନବ ସମାଜରେ ସାମୟିକ ପରିବର୍ତ୍ତନ ଆସିଥିଲେ ମଧ୍ୟ କ୍ରାନ୍ତିର ମୂଳ ଲକ୍ଷ୍ୟ ‘ଶାନ୍ତି’ ପ୍ରତିଷ୍ଠା ହୋଇ ପାରି ନାହିଁ । ପ୍ରଦତ୍ତ ଦୃଷ୍ଟାନ୍ତଗୁଡ଼ିକୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ ବୁଝି ହେବ । 



ସୋଭିଏତ ଋଷରେ ଶ୍ରମିକମାନଙ୍କ କଲ୍ୟାଣ କାମନା କରି ପ୍ରସିଦ୍ଧ ‘ଲୋହିତ କ୍ରାନ୍ତି’ର ସୂତ୍ରପାତ ହୋଇଥିଲା । ଏହାର ପରିଣାମସ୍ବରୂପ ସେଠାରେ ସାମ୍ୟବାଦୀ ସରକାର ପ୍ରତିଷ୍ଠା ହେଲା । ସାମ୍ୟବାଦର ଲକ୍ଷ୍ୟ ହେଲା ପୁଞ୍ଜିପତି ଓ ଶ୍ରମିକମାନଙ୍କ ମଧ୍ୟରେ ଥିବା ଅସମାନତାକୁ ଦୂର କରିବା । କିନ୍ତୁ ଏହାର ପରିଣାମ ସ୍ବରୂପ ବିଶ୍ୱ ଦୁଇଟି ଗୋଷ୍ଠୀରେ ବିଭାଜିତ ହୋଇଗଲା । ଏହାଦ୍ୱାରା ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରତିରକ୍ଷା ପାଇଁ ଅସ୍ତ୍ର ଶସ୍ତ୍ର ରଖିବାର ପ୍ରତିଯୋଗିତା ଚାଲିଲା । ରାଷ୍ଟ୍ରନାୟକମାନଙ୍କର ବିସ୍ତାରବାଦୀ ମନୋବୃତ୍ତି ସେମାନଙ୍କୁ ପଡ଼ୋଶୀ ଦେଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରବୃତ୍ତ କଲା । ଅନେକ ଛୋଟ ବଡ଼ ଯୁଦ୍ଧ ସହିତ ଦୁଇଟି ବିଶ୍ୱ ଯୁଦ୍ଧର କରୁଣ କାହାଣୀ ବିଶ୍ୱ ଇତିହାସ ଅଧ୍ୟୟନରୁ ଜାଣି ହୁଏ । 



ସୋଭିଏତ ଋଷକୁ ସାମ୍ୟବାଦର ଜନକ ବୋଲି କୁହାଯାଏ । ସାମ୍ୟବାଦ କ’ଣ ସେଠାରେ ସୁଖ-ଶାନ୍ତି-ସମୃଦ୍ଧି ଆଣିବାରେ ସକ୍ଷମ ହୋଇ ପାରିଲା କି? ହିଂସା, ଦ୍ୱେଷ, ଈର୍ଷା, ପରଶ୍ରୀକାତରତା, ଅସହିଷ୍ଣୁତା ଆଦି ନକାରାତ୍ମକ ବିଚାରଧାରାର ଆଧାରଶିଳା ଉପରେ ପ୍ରତିଷ୍ଠିତ ସାମ୍ୟବାଦୀ ସାମ୍ରାଜ୍ୟ ବିଶାଳ ସୋଭିଏତ୍ ଦେଶ ଛୋଟ ଛୋଟ ଦେଶରେ ବିଭାଜିତ ହୋଇଗଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ବାଦ-ବିବାଦର ଅବସାନ ହୋଇନାହିଁ ।



ୟୁରୋପରେ ଔଦ୍ୟୋଗିକ କ୍ରାନ୍ତିର ପରିଣାମ ସ୍ବରୂପ ଅନେକ କଳକାରଖାନା ସ୍ଥାପନ ହେଲା । ବୈଜ୍ଞାନିକ ଆବିଷ୍କାରର ଫଳରେ ନୂଆ ନୂଆ ସାମଗ୍ରୀଗୁଡ଼ିକ ଉତ୍ପାଦିତ ହେବାକୁ ଲାଗିଲା । ଦିନକୁ ଦିନ ମଣିଷ ଯନ୍ତ୍ର ଉପରେ ନିର୍ଭରଶୀଳ ହେବାରୁ ମାନବୀୟ ଶ୍ରମ ହ୍ରାସ ହେବାକୁ ଲାଗିଲା । ପରିଣାମ ସ୍ବରୂପ ମଣିଷ ଏକ ସଂବେଦନହୀନ ଯନ୍ତ୍ରରେ ପରିଣତ ହେଲା ଏବଂ ତା ମଧ୍ୟରେ ଥିବା ମାନବୀୟ ମୂଲ୍ୟଗୁଡ଼ିକ ଅନ୍ତର୍ହିତ ହେବାକୁ ଲାଗିଲା । ଜୀବନ ମାନବ ପାଇଁ ମୂଲ୍ୟହୀନ ହୋଇ ପଡ଼ିଛି ଓ ନିଜ ସମାଜର ଧ୍ୱଂସ ପାଇଁ ସେ ନାନା ପ୍ରକାର ବିନାଶକାରୀ ସାମଗ୍ରୀ ନିର୍ମାଣ କରିବାକୁ ଲାଗିଛି । 



ସୂଚନା ଓ ବୈଜ୍ଞାନିକ ଜ୍ଞାନ କୌଶଳ କ୍ଷେତ୍ରରେ କ୍ରାନ୍ତି ହେତୁ ସମ୍ପୂର୍ଣ୍ଣ ବିଶ୍ୱ ଏକ ବିଶାଳ ଜନପଦ ପରି ମନେ ହେଉଛି । ଆଜି ଆମେ ଏକ ବୈଶ୍ୱିକ ଗ୍ରାମରେ ନିବାସ କରୁଛେ । ତ୍ୱରିତ ସୂଚନା ଆଦାନ ପ୍ରଦାନ ଓ ଯାତାୟାତ ସୁବିଧା ହେତୁ ଆମେ ସମୟ ଓ ଧ୍ୱନିର ଗତି ସେଙ୍ଗ ତାଳ ଦେଇ ଆଗେଇ ଚାଲିଛୁ ।  ତଡ଼ିତ୍ ଗଣମାଧ୍ୟମ ଦ୍ୱାରା ଜୀବନ୍ତ ପ୍ରସାରଣ (Live telecast) ହେତୁ ଦୂର ଦୂରାନ୍ତର ଘଟଣା ଓ ସମ୍ବାଦ ଆମେ ପ୍ରତ୍ୟକ୍ଷ ଭାବରେ ଦର୍ଶନ ଓ ଶ୍ରବଣ କରି ପାରୁଛୁ । ସଂପ୍ରତି ତ୍ୱରିତ ସମ୍ବାଦ ଆହରଣ ଓ ପ୍ରସାରଣ ପାଇଁ ତଡ଼ିତ ଗଣ ମାଧ୍ୟମଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ମଣିଷ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଉଛି । ମଣିଷ କ୍ରମେ ସଂବେଦନହୀନ ଓ ଘଟଣା ନିରପେକ୍ଷ ହେବାକୁ ଲାଗିଛି । ତା’ମଧ୍ୟରେ କରୁଣା, ଉଦାରତା, ଭାବାତ୍ମକ ଅନୁଶାସନ, ଦୟା, କ୍ଷମା, ପରୋପକାର, ପ୍ରେମ ଆଦି ମାନବୀୟ ଗୁଣାବଳୀ ହ୍ରାସ ପାଉଛି । 



ଏହିପରି ସମାଜରେ ବିଭିନ୍ନ ବର୍ଗର ବ୍ୟକ୍ତି ନିଜ ନିଜ ଦୃଷ୍ଟିକୋଣ ଅନୁସାରେ କ୍ରାନ୍ତି ବା ପରିବର୍ତ୍ତନ ଆଣିବାକୁ ପ୍ରୟାସ କରି ଆସିଛନ୍ତି । କୌଣସି ଉଦ୍ୟମ କେବେ ବ୍ୟର୍ଥ ଯାଏନି । ପ୍ରତ୍ୟେକ କ୍ରାନ୍ତିକାରୀ ପ୍ରୟାସର ଫଳସ୍ବରୂପ ସମାଜର କିଛି ଲୋକ ଉଦବୁଦ୍ଧ ହୋଇଛନ୍ତି ଏବଂ କିଛି ବର୍ଗ ଲାଭାନ୍ୱିତ ହୋଇଛନ୍ତି । କିନ୍ତୁ ଯେଉଁ ସୁଖ-ଶାନ୍ତି-ଆନନ୍ଦ ପାଇଁ ମଣିଷ ବିଭିନ୍ନ କ୍ରାନ୍ତିର ଆୟୋଜନ କରିଆସିଛି ତାହା ଏଯାବତ୍ ସେ ପ୍ରାପ୍ତ କରିପାରି ନାହିଁ । ପୂର୍ବାପେକ୍ଷା ସେ ଆହୁରି ଦୁଃଖ ଓ ଅଶାନ୍ତିରେ କାଳାତିପାତ କରୁଛି । ଆଜି ମଣିଷ ପାଖରେ ଧନ ସମ୍ପତ୍ତି ଏବଂ ବିଳାସ ବ୍ୟସନ ପାଇଁ ସାମଗ୍ରୀର ଅଭାବ ନାହିଁ । ତଥାପି ମଣିଷ ନିଜ ମଧ୍ୟରେ ଏକ ଶୂନ୍ୟତା ଅନୁଭବ କରୁଛି । ଭୋଗ୍ୟ ସାମଗ୍ରୀଗୁଡ଼ିକର ପର୍ଯ୍ୟାପ୍ତ ପ୍ରାପ୍ତି ସତ୍ତ୍ବେ ତା’ ମନରେ ଶାନ୍ତି ଓ ସନ୍ତୋଷ ନାହିଁ । ଏ ଅଭାବବୋଧ କାହିଁକି? ବିଭିନ୍ନ ମହାତ୍ମା, ସାଧୁ-ସନ୍ଥ ଓ ଆଧ୍ୟାତ୍ମିକ ବ୍ୟକ୍ତିମାନଙ୍କ ଅନୁଭବଯୁକ୍ତ ବାଣୀ ସମୂହର ଅନୁଶୀଳନ କଲେ ଏ ପ୍ରଶ୍ନର ସ୍ପଷ୍ଟ ଉତ୍ତର ମିଳେ । ମଣିଷ ଆଜି ଆଧ୍ୟାତ୍ମିକ ଶକ୍ତିହୀନ ହୋଇ ପଡ଼ିଛି । ତା’ ନିଜ ଆତ୍ମା ମଧ୍ୟରେ ଶାନ୍ତି ବିରାଜିତ ସେ ଏହା ଜାଣି ପାରୁନାହିଁ । କାରଣ ସେ ଅର୍ନ୍ତଦୃଷ୍ଟିହୀନ । କସ୍ତୁରୀ ସୁରଭିରେ ଆକର୍ଷିତ ହୋଇ କସ୍ତୁରୀ ମୃଗ ଅରଣ୍ୟରେ ଇତସ୍ତତଃ ଘୂରି ବୁଲୁଥାଏ । ସ୍ବୟଂ ତା’ ନାଭିମଣ୍ଡଳରେ କସ୍ତୁରୀ ବିଦ୍ୟମାନ ଥିବା କଥା ସେ ଜାଣି ନ ଥାଏ । ଆଜି ମନୁଷ୍ୟର ସେହିପରି ମନୋଦଶା ଉପସ୍ଥିତ । 



ବିଭିନ୍ନ ସାଧୁ ସନ୍ଥ ମହାତ୍ମାଙ୍କ ପ୍ରୟାସ ସତ୍ତ୍ବେ ମଧ୍ୟ ଆଜି ମାନବ ସମାଜର ଆଧ୍ୟାତ୍ମିକ ବିକାଶ ହୋଇ ପାରୁ ନାହିଁ କାହିଁକି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମକୁ ପ୍ରଚଳିତ ଆଧ୍ୟାତ୍ମିକ ମାନ୍ୟତାର ସ୍ବରୂପ ଅନୁଧ୍ୟାନ କରିବାକୁ ପଡ଼ିବ । ସଂପ୍ରତି ସମାଜରେ ଦୁଇ ପ୍ରକାରର ଆଧ୍ୟାତ୍ମବାଦୀ ଗୋଷ୍ଠୀ ଦେଖିବାକୁ ମିଳନ୍ତି । ପ୍ରଥମ ଗୋଷ୍ଠୀ ଭକ୍ତି ଓ କର୍ମ-କାଣ୍ଡ ଆଧାରିତ ଦେବୀ-ଦେବତା, ଗୁରୁ-ବ୍ରାହ୍ମଣ, ସାଧୁ-ସନ୍ଥ ଆଦିଙ୍କ ପୂଜା ଆରାଧନା କରନ୍ତି । ଅପର ଗୋଷ୍ଠୀ ଶରୀର ଓ ସଂସାରକୁ ଦୁଃଖକାରକ ମନେ କରି ଘର-ଗୃହସ୍ଥ ତ୍ୟାଗ ପୂର୍ବକ ସନ୍ୟାସ ମାର୍ଗର ଅବଲମ୍ବନ କରନ୍ତି । ଏହି ଉଭୟ ଗୋଷ୍ଠୀର ସାଧନା କିଛି ଲୋକଙ୍କୁ ଅଳ୍ପ ସମୟ ପାଇଁ ବିଷୟ ବାସନାରୁ ନିବୃତ୍ତ କରି ଭଗବତ୍ ଅଭିମୁଖୀ କରାଇଛି ସତ, କିନ୍ତୁ ସାମଗ୍ରିକ ଭାବରେ ସମାଜର ହିତ ସାଧନ ପାଇଁ ସକ୍ଷମ ହୋଇପାରି ନାହିଁ । ମାନବୀୟ ଚରିତ୍ରର ସୂକ୍ଷ୍ମ ଅନୁଶୀଳନ କଲେ ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ । ପ୍ରଚଳିତ ଆଧ୍ୟାତ୍ମିକ ମାର୍ଗର ଅନୁସରଣ କରି ମଣିଷ ଆଜି ଯାହା କିଛି ଲାଭ କରିଛି ସେହି ମାର୍ଗରେ ଯଦି ତା’ର ଗତି ଅବ୍ୟାହତ ରହେ ତେବେ ସେ ଏହାଠାରୁ ଅଧିକ କିଛି ପାଇବ ବୋଲି ମନେ ହୁଏ ନାହିଁ । ଭୁଲ ମାର୍ଗର ଅବଲମ୍ବନ କରି ଜଣେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ବା କେମିତି? ଆମେ ଏକ ଶ୍ରେଷ୍ଠତମ ଯୁଗରୁ କ୍ରମେ କ୍ରମେ ନିକୃଷ୍ଟ ଯୁଗରେ ପହଞ୍ଚିଛେ । ଏଥରୁ ସ୍ପଷ୍ଟ ହୁଏ ଯେ ଆମେ ଏପର୍ଯ୍ୟନ୍ତ ଯେଉଁ ମାର୍ଗ ଅନୁସରଣ କରି ଆସିଛେ ତାହା ନିଶ୍ଚୟ ଭୁଲ ଥିଲା । ବର୍ତ୍ତମାନର କଳୁଷିତ ତମୋପ୍ରଧାନ ମାନବ ସମାଜକୁ ସତୋପ୍ରଧାନ ସମାଜରେ ପରିବର୍ତ୍ତନ କରିବା ପାଇଁ ଏକ ନୂତନ ପଥର ସନ୍ଧାନ କରିବାକୁ ପଡ଼ିବ । ପୂର୍ବାଗ୍ରହ ମୁକ୍ତ ହୋଇ ଆଧ୍ୟାତ୍ମିକତାର ଯଥାର୍ଥ ଅର୍ଥ ଖୋଜିବାକୁ ପଡ଼ିବ । 



ଉପର୍ଯୁକ୍ତ ପରିପ୍ରେକ୍ଷୀରେ ସନ୍ଥ ବିନୋବା ଭାବେଙ୍କ ଏକ ଲେଖା ପ୍ରଣିଧାନ ଯୋଗ୍ୟ । ସେ ଲେଖିଛନ୍ତି, “ହିମାଳୟ ଗିରି କନ୍ଦରରେ ତପସ୍ୟା କରିବା ମୋର ଜୀବନର ଧ୍ୟେୟ ଥିଲା । କିନ୍ତୁ ମହାତ୍ମାଗାନ୍ଧୀ ମୋତେ କହିଥିଲେ ଯେ ସମାଜର ସମସ୍ୟାଗୁଡ଼ିକ ପ୍ରତି ବିମୁଖ ହୋଇ ଲୋକଲୋଚନର ଅନ୍ତରାଳେ ଜୀବନ ବ୍ୟତୀତ କରିବା ନିରର୍ଥକ । ତେଣୁ ପ୍ରାପ୍ତ ଆଧ୍ୟାତ୍ମିକ ଜ୍ଞାନକୁ କର୍ମ ରଙ୍ଗମଞ୍ଚ ଉପରେ ପ୍ରୟୋଗ କର ଏବଂ ଜନ ସମୂହଙ୍କ ଦୁଃଖ ନିବାରଣ କର ।” ଗାନ୍ଧୀଜୀଙ୍କ ଏହି କଥା ତାଙ୍କ ମନର ସମସ୍ତ ପୂର୍ବାଗ୍ରହକୁ ନିବାରଣ କରି ଏକ ନୂତନ ମାର୍ଗ ଅବଲମ୍ବନ ପାଇଁ ପ୍ରେରିତ କରିଥିଲା । ସେ ବ୍ରହ୍ମଚର୍ଯ୍ୟ ଓ ଅଧ୍ୟାତ୍ମ ସହିତ ଲୋକସେବାକୁ ମଧ୍ୟ ସଂଯୁକ୍ତ କରିଦେଲେ । ତାଙ୍କର ପ୍ରତ୍ୟେକ ଆଧ୍ୟାତ୍ମିକ କ୍ରିୟାକଳାପ କେବଳ ଲୋକ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥିଲା । ଆଧ୍ୟାତ୍ମିକ ମତାବଲମ୍ବୀ ବ୍ୟକ୍ତିର ତନୁ, ମନ, ବଚନ, କର୍ମ, ଧନ, ସମୟ, ଶ୍ୱାସ ଓ ଶକ୍ତି କେବଳ ସମାଜର ହିତ ସାଧନ ପାଇଁ ନିରନ୍ତର ଉପଯୋଗ ହେଉଥାଏ । ବ୍ୟକ୍ତି ହେଉଛି ସମାଜର ଏକ ଅଙ୍ଗ । ସମାଜର ସାମଗ୍ରିକ ବିକାଶରେ ବ୍ୟକ୍ତିର ବିକାଶ ନିହିତ । ଯେପରି ସମଗ୍ର ଶରୀରର ଯତ୍ନ ବିନା କୌଣସି ଏକ ଅଙ୍ଗ ସୁସ୍ଥ ସବଳ ହୋଇ ପାରେ ନାହିଁ ସେହିପରି ସମାଜକୁ ସୁଦୃଢ଼ ନ କରିବା ପର୍ଯ୍ୟନ୍ତ ବ୍ୟକ୍ତିର ଉନ୍ନତି ସମ୍ଭବ ନୁହେଁ । 



ସଂକ୍ଷେପରେ କହିବାକୁ ଗଲେ ସଂପ୍ରତି ଏପରି ଏକ ଆଧ୍ୟାତ୍ମିକ କ୍ରାନ୍ତିର ଆବଶ୍ୟକତା ଦେଖାଦେଇଛି ଯଦ୍ୱାରା ପ୍ରତ୍ୟେକ ଗୃହସ୍ଥ ପବିତ୍ର ଜୀବନ ଯାପନ କରିବେ । ଜନ ସମୂହ ଅନ୍ଧ ବିଶ୍ୱାସ, ରୁଢ଼ିବାଦୀ ଓ କର୍ମକାଣ୍ଡର ବନ୍ଧନରୁ ମୁକ୍ତ ହେବେ । ସମାଜରେ କଲ୍ୟାଣକାରୀ ପରିବର୍ତ୍ତନ ଆସିବ । ପ୍ରତ୍ୟେକେ ମାନବୀୟ ଅଧିକାର ପ୍ରତି ସଚେତନ ହେବେ । ଜୀବନ ବୃକ୍ଷରେ ମୂଲ୍ୟ ରୂପକ ପୁଷ୍ପ ପ୍ରସ୍ଫୁଟିତ ହୋଇ ସୁଗନ୍ଧ ଦ୍ୱାରା ସମଗ୍ର ବିଶ୍ୱକୁ ସୁଗନ୍ଧିତ କରିବ । ଆବାଳ-ବୃଦ୍ଧ ବନିତା ମନୋବିକାରରୁ ପରିତ୍ରାଣ ପାଇବେ । ପ୍ରତ୍ୟେକ ବ୍ୟକ୍ତି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ବାସ୍ଥ୍ୟ ପ୍ରାପ୍ତ ହୋଇ ସଶକ୍ତ ହେବେ ଏବଂ ସମାଜ ଦେହ ଅଭିମାନ, ବର୍ଗ ଭେଦ, ଜାତି ଭେଦ, ଲିଙ୍ଗଭେଦ ଆଦି ବିଭିନ୍ନ ଭେଦ-ଭାବ ଜନିତ ସଂଘର୍ଷରୁ ମୁକ୍ତ ହେବ । ମାନବୀୟ ଚେତନା ମଧ୍ୟରେ ଆଧ୍ୟାତ୍ମିକ ଗୁଣାବଳୀ ସୁପ୍ତ ଥାଏ । ଆତ୍ମା-ସଚେତନାର ଅଭ୍ୟାସ ଦ୍ୱାରା ବ୍ୟକ୍ତିର ଆଧ୍ୟାତ୍ମିକ ଚେତନା ବିକାଶ ହୁଏ । ଏହା ହେଉଛି ଯଥାର୍ଥ ଆତ୍ମୋନ୍ନତିର ମାର୍ଗ । ଏହି ମାର୍ଗର ଅବଲମ୍ବନ ଦ୍ୱାରା ହିଁ ଆମେ ଏକ ସୁଖ-ଶାନ୍ତି, ପବିତ୍ର ଓ ସମୃଦ୍ଧ ସମାଜ ନିର୍ମାଣ ପାଇଁ ସମର୍ଥ ହୋଇ ପାରିବା । ଏହା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ।

🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796


🌷🌷🌷🌷🌷🌷🌷🌷🌷

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,