ଜ୍ଞାନ ନିର୍ଝର (୪୩) ---ସଂକଳ୍ପ ଶକ୍ତି

🌸🌸🌸🌸🌸🌸🌸🌸🌸

 💮 *ଜ୍ଞାନ ନିର୍ଝର (୪୩)* 💮

🌷🌷🌷🌷🌷🌷🌷🌷🌷

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌺🌺🌺🌺🌺🌺🌺🌺🌺

🌼  *ସଂକଳ୍ପ ଶକ୍ତି* 🌼

🌻🌻🌻🌻🌻🌻🌻🌻🌻

ଆମେ ସ୍ଥୂଳତଃ ସଂସାରକୁ ଯେପରି ଦେଖୁ ବାସ୍ତବରେ ତାହା ନୁହେଁ । ଏହା ଶକ୍ତିର ସ୍ଥୂଳ ରୂପ ଅଟେ । ବିଜ୍ଞାନ ଅନୁସାରେ ସଂସାର ହେଉଛି ଶକ୍ତି ସ୍ୱରୂପ । ସମ୍ପୂର୍ଣ୍ଣ ଦୁନିଆର ସୂକ୍ଷ୍ମ ପ୍ରକମ୍ପନଗୁଡିକୁ ଦେଖିପାରୁଥିବା କୌଣସି ଯନ୍ତ୍ରରେ ଯଦି ଦେଖାଯାଏ ତେବେ ପ୍ରକାଶ ତରଙ୍ଗ ବ୍ୟତୀତ ଆଉ କିଛି ଦେଖାଯିବ ନାହିଁ । ସେତେବେଳେ ଆମକୁ ଏ ସଂସାର ସ୍ୱପ୍ନବତ୍ ମନେ ହେବ । ଯେଉଁ ପ୍ରକମ୍ପନ ସମୁହରେ ଏହି ସଂସାର ନିର୍ମିତ ତା’ଠାରୁ ମଧ୍ୟ ଅତି ସୂକ୍ଷ୍ମ ପ୍ରକାଶ ତରଙ୍ଗଗୁଡ଼ିକ ଦ୍ୱାରା ସୂକ୍ଷ୍ମଲୋକର ପ୍ରକୃତି ଗଠିତ । ଏହି ଭୌତିକ ସଂସାରରେ କୌଣସି ନିର୍ମାଣ ପାଇଁ ଯେଉଁ କ୍ରିୟାଶକ୍ତିର ଆବଶ୍ୟକତା ପଡେ ତାହା ଅତି ସ୍ଥୂଳ ପରମାଣୁ ସମୂହ ସମ୍ପନ୍ନ ପ୍ରକୃତିର ସଂସାର ଅଟେ । ସୂକ୍ଷ୍ମ ଲୋକର ପ୍ରକୃତି ଓ ତତ୍ତ୍ବ ଏତେ ସୂକ୍ଷ୍ମ ଯେ ସେଠାରେ କେବଳ ସଂକଳ୍ପ ଶକ୍ତି ଦ୍ୱାରା ସବୁକିଛି ନିର୍ମାଣ ହୋଇଯାଏ । ଆମର ମନସ୍ତତ୍ତ୍ବ ସେହି ଅତି ସୂକ୍ଷ୍ମ ତତ୍ତ୍ବ ବା ତରଙ୍ଗ ଦ୍ୱାରା ପ୍ରଭାବିତ ହୋଇଥାଏ । ସେଥିପାଇଁ ଯଦି କେହି ସେହି ଜଗତରେ ପ୍ରବେଶ କରି ସ୍ୱୀୟ ସଂକଳ୍ପ ଶକ୍ତିର ପ୍ରୟୋଗ ଏହି ଭୌତିକ ସଂସାରରେ କରେ ତେବେ ତାର ପ୍ରଭାବ ଅତ୍ୟଧିକ ଶକ୍ତିଶାଳୀ ହୋଇଥାଏ । କିନ୍ତୁ ସେହି ମାନସିକ ଶକ୍ତିକୁ ଆମେ ଏଠାରେ ହିଁ ବିକଶିତ କରିପାରିବା । କାରଣ ସେହି ସୂକ୍ଷ୍ମ ତରଙ୍ଗ ବା ପ୍ରକୃତିର ସଂସାର ଏଠାରେ ମଧ୍ୟ ବ୍ୟାପ୍ତ ଅଛି । ଏହି ତରଙ୍ଗ ବିଜ୍ଞାନ ତାର ମାଧ୍ୟମରେ ସ୍ୱୀୟ ଚୈତନ୍ୟ ପ୍ରଭାବ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରିଥାଏ ।


ମାନସ ଜଗତର ପ୍ରକୃତିରେ ଉତ୍ପନ୍ନ କମ୍ପନ ଦ୍ୱାରା ମନୁଷ୍ୟ ଚେତନା ଉପରେ ଯେଉଁ ପ୍ରଭାବ ବା ପରିବର୍ତ୍ତନ ହୁଏ ତାକୁ ସଂକଳ୍ପ ବା ବିଚାର କୁହାଯାଏ । ସୂକ୍ଷ୍ମ ଲୋକର ପ୍ରକୃତି ମଧ୍ୟ ସ୍ୱୀୟ ଅର୍ନ୍ତଭାଗଗୁଡିକରେ କ୍ରମଶଃ ସ୍ଥୂଳରୁ ସୂକ୍ଷ୍ମ ଭାବରେ ବିଦ୍ୟମାନ ଥାଏ । ଏହାଦ୍ୱାରା ଭିନ୍ନ ଭିନ୍ନ ପ୍ରକାରାର ପ୍ରଭାବ ପରିଦୃଷ୍ଟ ହୋଇଥାଏ । ମାନସ ଶରୀର ବିଚାର ସମୂହକୁ ବ୍ୟକ୍ତ କରିବାର ମାଧ୍ୟମ ଅଟେ । ମନୁଷ୍ୟ ଯେପରି ସଂକଳ୍ପ କରେ ସେପରି ବନିଯାଏ । ଆମ ମଧ୍ୟରୁ ଖୁବ୍ କ୍ୱଚିତ ଲୋକେ ସଂକଳ୍ପ (ବିଚାର)ର ପ୍ରଭାବ ବିଷୟରେ ଜାଣନ୍ତି । ବିଚାର ଏକ କ୍ରିୟା ଶକ୍ତି । ତରଙ୍ଗ ରୂପରେ ଏହାର ପ୍ରଭାବ ବେଶୀ ହୋଇଥାଏ । କୌଣସି କାମ ସମ୍ପାଦନ ମୂଳରେ ସଂକଳ୍ପ ଶକ୍ତି ଥାଏ । ଯେପରି ମୋଟର ଚଳାଇବା ପାଇଁ ବିଦ୍ୟୁତ ଶକ୍ତି ଆବଶ୍ୟକ ହୋଇଥାଏ ସେହିପରି କର୍ମରୂପୀ ମୋଟରକୁ କ୍ରିୟାନ୍ୱିତ କରିବା ପାଇଁ ବିଚାର ରୂପୀ ବିଦ୍ୟୁତର ଆବଶ୍ୟକତା ପଡେ ।


ଭିନ୍ନ ଭିନ୍ନ ବିଚାରର (ସଂକଳ୍ପ) ତରଙ୍ଗର ପ୍ରଭାବ ଏବଂ ସେଗୁଡ଼ିକର ଆକାର-ପ୍ରକାର ମଧ୍ୟ ପୃଥକ ହୋଇଥାଏ । ସେଗୁଡ଼ିକର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ । ପ୍ରତି ସେକେଣ୍ଡ ଅନୁପାତ ଓ କମ୍ପନର ଦୈର୍ଘ୍ୟ ସେହି ବିଚାରର ପ୍ରକାର ଉପରେ ନିର୍ଭର କରିଥାଏ । ସ୍ପଷ୍ଟ ବୁଝିବା ପାଇଁ ଲୋଭର ଉଦାହରଣ ନିଆଯାଉ । ଲୋଭର କେତେକ ବିଚାର ଏପରି ଅଟେ ଯେ ଥରେ ପ୍ରକମ୍ପନ ଆରମ୍ଭ ହୋଇଗଲେ ଆପେ ଆପେ ସେଗୁଡ଼ିକର ପୁନରାବୃତ୍ତି ହୋଇ ଚାଲେ । ଏଥିପାଇଁ ପ୍ରୟାସ କରିବାକୁ ପଡେ ନାହିଁ । ତାହା ମନୁଷ୍ୟର ମାନସିକ ଅଭ୍ୟାସର ରୂପ ଧାରଣ କରି ନିଏ ଯାହାଠାରୁ ମୁକୁଳିବା ମୁସ୍କିଲ ହୋଇଯାଏ ।  ବାରମ୍ବାର ପୁନରାବୃତ୍ତି ହେଉଥିବା ଅଭ୍ୟାସ ଆମ ସଚେତନ ମନରେ ତତ୍ ସମ୍ବନ୍ଧିତ ପ୍ରକମ୍ପନ ଗ୍ରନ୍ଥି ବା ସଂସ୍କାର ରୂପରେ ସ୍ଥାପିତ ହେବାକୁ ଲାଗେ । ଏହି କାରଣରୁ ସଂପୃକ୍ତ ବ୍ୟକ୍ତିର ବିଚାର ଅନୁରୂପ ତାର କର୍ମର ସ୍ୱଭାବ ବନିଯାଏ ଓ ତଦନୁରୂପ ତାର ଚରିତ୍ର ଗଠନ ହୁଏ ।


ଅନନ୍ତ ଆକାଶ ପରି ଅତି ସୂକ୍ଷ୍ମ ପ୍ରକାଶ ଓ ଇଥର ଠାରୁ ମଧ୍ୟ ଅତ୍ୟଧିକ ସୂକ୍ଷ୍ମ ତତ୍ତ୍ବ ଅର୍ଦ୍ଧଚେତନ ଅବସ୍ଥାରେ ଆମର ଚତୁର୍ଦ୍ଦିଗରେ ପରିବ୍ୟାପ୍ତ । ଏହାକୁ ମନସ ତତ୍ତ୍ବ କୁହାଯାଏ । ଯେତେବେଳେ କୌଣସି ବ୍ୟକ୍ତି ସଂକଳ୍ପ କରେ, ତତ୍କ୍ଷଣାତ୍ ତତ୍ ସମ୍ବନ୍ଧିତ ପ୍ରକମ୍ପନ ସମଗ୍ର ବ୍ରହ୍ମାଣ୍ଡରେ ପ୍ରସାରିତ ହୋଇଯାଏ । ଏହାର ତୀବ୍ରତା ସେହି ବ୍ୟକ୍ତିର ମାନସିକ କେନ୍ଦ୍ର ଉପରେ ସର୍ବାଧିକ ହୋଇଥାଏ । ଏହି ପ୍ରକ୍ରିୟାକୁ ପୁଷ୍କରିଣୀର ସ୍ଥିର ଜଳରେ ଏକ ଟେକା ଫୋପାଡିବା ଦ୍ୱାରା ଉତ୍ପନ୍ନ ହେଉଥିବା ଲହଡି ସହିତ ତୁଳନା କରାଯାଇପାରେ । ଜଳର ଯେଉଁ ଅଂଶରେ ଟେକା ପଡେ ତାହା ହେଉଛି କେନ୍ଦ୍ର । ଏଠାରୁ ତୀବ୍ରତା ସହ ତରଙ୍ଗ ଉତ୍ପନ୍ନ ହୋଇ ତାର ଚତୁଃପାଶ୍ୱର୍ର ପରିଧି ଅଭିମୁଖେ ପ୍ରବାହିତ ହୋଇ କ୍ରମଶଃ କ୍ଷୀଣ ହୋଇଥାଏ । ସେହିପରି ବିଚାରର ପ୍ରକମ୍ପନ ବାୟୁମଣ୍ଡଳରେ ପ୍ରବାହିତ ହୋଇ କ୍ରମଶଃ କ୍ଷୀଣ ହୋଇଯାଏ । ସେହିପରି ବିଚାରର ପ୍ରକମ୍ପନ ବାୟୁମଣ୍ଡଳରେ ପ୍ରବାହିତ ହୋଇ ଅନ୍ୟମାନଙ୍କ ମାନସ ଶରୀରରେ ପ୍ରବେଶ କରିଯାଏ । ସେହି ବିଚାର ବା ସଂକଳ୍ପ ଅନୁକୂଳ ସଂସ୍କାର ଥିବା ବ୍ୟକ୍ତିମାନେ ଏହାଦ୍ୱାରା ବିଶେଷ ପ୍ରଭାବିତ ହୁଅନ୍ତି । ଆମ ମନରେ ଉତ୍ପନ୍ନ ହେଉଥିବା ଏହି ସଂକଳ୍ପ ଏକ ବା ଅନେକ ପ୍ରକାରର ମିଶ୍ରଣ ବି ହୋଇପାରେ । ମିଶ୍ରିତ ଭାବ ଓ ବିଚାର ପ୍ରଭାବ ଭିନ୍ନ ଭିନ୍ନ ମାନସିକ ସ୍ତରକୁ ପ୍ରଭାବିତ କରିଥାଏ । ଉଚ୍ଚ ବିଚାରରେ ଉତ୍ପନ୍ନ ତରଙ୍ଗ ମନୋବୃତ୍ତିର ଶକ୍ତିକୁ ଦିବ୍ୟ ଓ ତେଜସ୍ୱୀ ବନାଇ ଦିଏ । ସାଧାରଣ ଓ ମିଶ୍ରିତ ବିଚାରର ପ୍ରଭାବ ଆମର ନିମ୍ନ ତଥା ସାଧାରଣ ଭାବନା ଓ କାମନା ସମ୍ପନ୍ନ ମନୋବୃତ୍ତିକୁ ପ୍ରଭାବିତ କରିଥାଏ । ଉଚ୍ଚ, ମଧ୍ୟମ ଓ ନିମ୍ନ ଏହି ତିନି ପ୍ରକାରର ବିଚାରର ପ୍ରଭାବ ଅନ୍ୟମାନଙ୍କୁ ସେହି କ୍ରମରେ ପ୍ରଭାବିତ କରିଥାଏ ।


ବିଚାର ପ୍ରକମ୍ପନ ସହିତ କେବଳ ଭାବ ଯାଏ । ବିଷୟବସ୍ତୁ ନୁହେଁ । ଉଦାହରଣ ସ୍ୱରୂପ ଜଣେ ଭକ୍ତି ବିଭୋର ହୋଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ଏହି ବିଚାର ତରଙ୍ଗ ଯେତେବେଳେ କୌଣସି କୃଷ୍ଣ ଭକ୍ତଙ୍କୁ ସ୍ପର୍ଶ କରିବ ତେବେ ତାଙ୍କ ଭକ୍ତି ଭାବ ଗାୟତ୍ରୀଙ୍କ ପ୍ରତି ନହୋଇ କୃଷ୍ଣଙ୍କ ପ୍ରତି ଆହୁରି ବୃଦ୍ଧି ପାଇବ । ଏହା ଯେତେବେଳେ କୌଣସି ନାସ୍ତିକ ବ୍ୟକ୍ତିଙ୍କ ମାନସିକ ଅବସ୍ଥାକୁ ସ୍ପର୍ଶ କରିବ ତେବେ ତାଙ୍କ ମନରେ ଉଚ୍ଚ ଆଦର୍ଶମୟ ବିଚାର ସମୂହ ସୃଷ୍ଟି କରିବ । ଠିକ୍ ସେହି ପ୍ରକାର କ୍ରୋଧ, ଇର୍ଷା ବା ସ୍ୱାର୍ଥ ଆଦି ନକାରାତ୍ମକ ପ୍ରକମ୍ପନ ମଧ୍ୟ ତଦନୁକୂଳ ସମସ୍ତ ମନୋବୃତ୍ତି ସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ଏହି ଭାବ ତରଙ୍ଗ ସୃଷ୍ଟି କରିବ । ଏହି ତରଙ୍ଗର ପ୍ରଭାବ ଅନାୟାସ ଯଦି କୌଣସି ବ୍ୟକ୍ତି ମଧ୍ୟରେ ବୃଦ୍ଧି ପାଇଯାଏ ତେବେ ସେ ଅନ୍ୟର ସାଧାରଣ ଭୁଲରେ ମଧ୍ୟ କ୍ରୋଧାଭିଭୂତ ହୋଇ ହତ୍ୟା କରିଦେଇପାରନ୍ତି । ପରେ ଯେତେବେଳେ ସେ ଶାନ୍ତ ହୋଇଯିବେ ତାଙ୍କ ଭିତରେ ପଶ୍ଚାତାପ ଆସିପାରେ । ସେ ନିଜକୁ ନିଜେ ଭାବିବାକୁ ଲାଗିବେ ବା ଅନ୍ୟ କାହା ଆଗରେ ପ୍ରକାଶ କରିବେ ଯେ ସେ ଏ ହତ୍ୟା କରିବାକୁ ଭାବି ନଥିଲେ । କେଜାଣି କେମିତି ଏଭଳି ଜଘନ୍ୟ କାର୍ଯ୍ୟ କରିଦେଲି । ଏହି ପ୍ରକାର ବିଚାର ତରଙ୍ଗର ପ୍ରଭାବ ସକାରାତ୍ମକ ତଥା ନକାରାତ୍ମକ ଉଭୟ ଦିଗରେ ପଡିଥାଏ ।


ଆଗରୁ କୁହାଯାଇଛି ଆମ ଚତୁର୍ଦ୍ଦିଗରେ ଥିବା ବ୍ରହ୍ମାଣ୍ଡରେ ଏକ ସୂକ୍ଷ୍ମ ଅର୍ଦ୍ଧଚେତନ ପ୍ରକୃତି ପରିବ୍ୟାପ୍ତ । ଆମର ବିଚାର ପ୍ରକମ୍ପନର ଆଉ ଏକ ପ୍ରଭାବ ହେଉଛି ଆକୃତି ନିର୍ମାଣ । ଆମେ ଯେତେବେଳେ କୌଣସି ସଂକଳ୍ପ କରୁ ତହିଁରୁ ଉତ୍ପନ୍ନ ପ୍ରକମ୍ପନ ଏହି ସୂକ୍ଷ୍ମ ଅର୍ଦ୍ଧଚେତନ ପ୍ରକୃତିରେ ତଦନୁରୂପ ଆକୃତି ନିର୍ମାଣ କରେ । ଏହି ଆକୃତି ଚେତନଶୀଳ । ତେଣୁ ନିଜ ଭାବ ବା ବିଚାର ଅନୁକୂଳ ତୀବ୍ରତା ପୂର୍ବକ କାମ କରିବାର ସାମର୍ଥ୍ୟ ଏଥିରେ ଥାଏ । ଉଦାହରଣ ସ୍ୱରୂପ ସହସ୍ରାଧିକ ମାଇଲ ଦୂରରେ ଥିବା କୌଣସି ବ୍ୟକ୍ତି ପାଇଁ ଯଦି ଜଣେ ଘୃଣାର ଭାବ ରଖେ ତେବେ ତାଙ୍କଠାରୁ ଉତ୍ପନ୍ନ କୃତ୍ରିମ ସଜୀବ ଆକୃତି ଏହି ସଂସାରରେ କେବଳ ସେହି ବ୍ୟକ୍ତିଙ୍କୁ ଅନ୍ୱେଷଣ କରି ତାର ମନୋବୃତ୍ତି ବା ବିଚିର ଅନୁସାରେ କ୍ଷତି ପହଞ୍ଚାଇବ । ସେହିପରି ଯଦି ଆମେ କରୁଣା, ପ୍ରେମ, ସ୍ନେହ ଆଦି କୌଣସି ମହାନ ସଂକଳ୍ପ କାହା ପାଇଁ କରିବା ତେବେ ତତ୍କ୍ଷଣାତ ଆମର ଦେବ ସ୍ୱରୂପ ଆକୃତି ସଂପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ତାଙ୍କର କଲ୍ୟାଣ କରିବ । ମା’ର ନିଜ ସନ୍ତାନ ପ୍ରତି ସ୍ନେହ । ମୁନିଋଷିମାନଙ୍କର ବରଦାନ ବା ଅଭିଶାପ ମଧ୍ୟ ଆକୃତି ରୂପରେ ଲକ୍ଷିତ ସ୍ଥାନରେ ପହଞ୍ଚି ସଂକଳ୍ପିତ କାର୍ଯ୍ୟ ସମ୍ପାଦନା କରିଥାଏ, ଏହି ଆକୃତିରେ ସ୍ୱଜ୍ଞାନ ତଥା ସୁଖ-ଦୁଃଖର ବୋଧ ରହେ ନାହିଁ । ଏହା ବିଚାର ଓ ମନୋଭାବ ଦ୍ୱାରା ପ୍ରଭାବିତ ହୋଇ ସୁନ୍ଦର ରୂପ ବା କୁତ୍ସିତ ରୂପ ଧାରଣ କରିଥାଏ ।


ବିଚାରର ଗୁଣ ଓ ଧର୍ମ ଆଧାରରେ ଆକୃତିର ରଙ୍ଗ ନିର୍ମାଣ ହୋଇଥାଏ । ପ୍ରେମ ଭାବର ରଙ୍ଗ ଗୋଲାପୀ । ଭକ୍ତି ଭାବର ରଙ୍ଗ ହଳଦିଆ । ଯେତିକି ସ୍ପଷ୍ଟ, ପବିତ୍ର ଏବଂ ନିର୍ମଳ ଭାବ ବା ବିଚାର ହେବ ସେତିକି ସୁନ୍ଦର ଓ ସ୍ପଷ୍ଟ ଆକୃତିର ନିର୍ମାଣ ହେବ । ଏହି ଆକୃତିର ସମୟାବଧି ସେହି ବିଚାରର ଦୃଢ଼ତା ଓ ତୀବ୍ରତା ଉପରେ ନିର୍ଭର କରେ । ଏହାର ଆୟୁଷ କିଛି କ୍ଷଣ, ମାସାଧିକ ଓ ବର୍ଷାଧିକ ହୋଇପାରେ । ଯଦି, କିଛି କ୍ଷଣ ମଧ୍ୟରେ ହିଁ ସୂକ୍ଷ୍ମ ପ୍ରକୃତିରେ ମିଳାଇ ଯାଏ ।


ପ୍ରତ୍ୟେକଙ୍କ ଚତୁଃପାଶ୍ୱର୍ରେ ଏକ ଆଭା ମଣ୍ଡଳ ଥାଏ । ଯେତେବେଳେ ଜଣେ କାହାରି ବିଷୟରେ ସକାରାତ୍ମକ ଓ ନକାରାତ୍ମକ ବିଚାର କରେ ତାହା ଆକୃତି ରୂପରେ ସମ୍ବନ୍ଧିତ ବ୍ୟକ୍ତିର ଆଭା ମଣ୍ଡଳ ବା ଓରା ନିକଟରେ ପହଞ୍ଚିଯାଏ । ଯଦି ସେହି ବ୍ୟକ୍ତି ଖାଲି ବସିଥାଏ ତେବେ ସେହି କ୍ଷଣି ତାର ଆଭାମଣ୍ଡଳରେ ପ୍ରବେଶ କରି ଅନୁରୂପ ପ୍ରକମ୍ପନ ସୃଷ୍ଟି କରିଥାଏ । ଯଦି ସେହି ବ୍ୟକ୍ତି ସମାନ ବିଚାର ଭାବ ବା ବିଚାରରେ ବସିଥାଏ ତେବେ ଏହି ପ୍ରକମ୍ପନର ତୀବ୍ରତା ଖୁବ ବଢ଼ିଯାଏ । ଯଦି ବ୍ୟକ୍ତି କୌଣସି କାର୍ଯ୍ୟରେ ବ୍ୟସ୍ତ ଥାଏ ତେବେ ସେହି ବିଚାର ଆକୃତି ତାର କର୍ମ ସମାପ୍ତି ପର୍ଯ୍ୟନ୍ତ ପ୍ରତୀକ୍ଷା କରେ । ଏହି ପ୍ରକାର ଭଲ ବା ମନ୍ଦ ଭାବଯୁକ୍ତ ବିଚାରର ପ୍ରଭାବ ସଂପୃକ୍ତ ବ୍ୟକ୍ତି ଉପରେ ସେତେବେଳେ ପଡ଼େ, ଯେତେବେଳେ ତାର ଆଭାମଣ୍ଡଳ ଆକୃତି ଅନୁକୂଳ ଥାଏ । ଅନ୍ୟପକ୍ଷରେ କୌଣସି ମନ୍ଦ ବିଚାର ଯଦି ଜଣେ ପବିତ୍ର ଓ ମହାନ ବ୍ୟକ୍ତିଙ୍କୁ ପ୍ରେରଣ କରାଯାଏ ତେବେ ସେହି ଆକୃତି ନିଜ ଅନୁକୂଳ ହୋଇନଥିବାରୁ ତାଙ୍କ ନିର୍ମଳ ଆଭାମଣ୍ଡଳରେ ଧକ୍କା ଖାଇ ପ୍ରେରକଙ୍କ ନିକଟକୁ ଫେରିଯାଏ । ଏହାଦ୍ୱାରା ପ୍ରେରକଙ୍କ ଭୟଙ୍କର କ୍ଷତି ହୋଇଥାଏ । ଯଦି ଏପରି ବିଚାର ନିଜ ପାଇଁ କରାଯାଏ ତେବେ ସେହି ଆକୃତି ତାଙ୍କ ଚତୁଃପାଶ୍ୱର୍ରେ ଘୂରୁ ଥାଏ ଓ  ଅନୁକୂଳ ସମୟ ଦେଖି ଅନୁରୂପ କମ୍ପନ ସୃଷ୍ଟି କରେ । ସେଥିପାଇଁ କୁହାଯାଏ ଯେ ରିକ୍ତ ମନ ଶୈତାନର ଘର, ବ୍ୟକ୍ତି ନିଜେ ନିଜର ଶତ୍ରୁ ଓ ମିତ୍ର ।

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର