*ଜ୍ଞାନ ନିର୍ଝର (୨୧) -- ମୌନ ; ସଫଳ ଜୀବନର ଶ୍ରେଷ୍ଠ କଳା
🌷🌷🌷🌷🌷🌷🌷🌷🌷
🌼 *ଜ୍ଞାନ ନିର୍ଝର (୨୧)* 🌼
🌸🌸🌸🌸🌸🌸🌸🌸🌸
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌺🌺🌺🌺🌺🌺🌺🌺🌺
*ମୌନ ; ସଫଳ ଜୀବନର ଶ୍ରେଷ୍ଠ କଳା*
🌻🌻🌻🌻🌻🌻🌻🌻🌻
ମନ କାମନା ରହିତ ହେଲେ ବିଚାର ଶାନ୍ତିରେ ପରିପୂର୍ଣ୍ଣ ହୁଏ । ତୃଷ୍ଣା ଓ କାମନା ସମୂହରୁ ମୁକ୍ତି ନ ପାଇବା ପର୍ଯ୍ୟନ୍ତ ମୌନ ନିରର୍ଥକ । ଘଣ୍ଟା ଘଣ୍ଟା ଅର୍ଥହୀନ ବାର୍ତ୍ତାଳାପ ଅପେକ୍ଷା ମୌନ ଅବଲମ୍ବନ ପୂର୍ବକ ସଂକ୍ଷିପ୍ତ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିବା ଉଚିତ । ଦୁର୍ଗୁଣ, ଦୁର୍ବ୍ୟସନ, ଅହଂକାର, ସ୍ବାର୍ଥ ବୃତ୍ତି ଆଦି ମନର ମୌନତାକୁ ନଷ୍ଟ କରନ୍ତି । ଏଗୁଡ଼ିକର ସଂପୂର୍ଣ୍ଣ ନିରାକରଣ ଦ୍ୱାରା ମନ ଶାନ୍ତ, ନିର୍ମଳ ଏବଂ ନିଃସଂକଳ୍ପ ହୁଏ । ମନର ମୌନତା ବା ସ୍ଥିରତା ଆତ୍ମାନୁଭୂତି ପାଇଁ ପଥ ପ୍ରଶସ୍ତ କରେ । ଆତ୍ମା ସ୍ବରୂପରେ ଅନ୍ତର୍ଲୀନ ହେବା ସ୍ଥିତି ହିଁ ଯଥାର୍ଥ ମୌନାବସ୍ଥା ଅଟେ ।
ମୌନ ଆତ୍ମା ମଧ୍ୟରେ ସୁପ୍ତ ପ୍ରତିଭାର ଅଭିବ୍ୟକ୍ତି ଓ ଅଭିବୃଦ୍ଧି କରେ । ଏହା ପ୍ରତ୍ୟେକ ରହସ୍ୟ ମଧ୍ୟରେ ଲୁକ୍କାୟିତ ଚରମ ସତ୍ୟର ସାକ୍ଷାତକାର କରାଏ । ମହାପୁରୁଷମାନଙ୍କ ଜୀବନୀ ଅନୁଶୀଳନ କଲେ ଜଣାଯାଏ ଯେ ସେମାନଙ୍କ ଜୀବନର ସଫଳତା ପଛରେ ମୌନ ଓ ଏକାନ୍ତ ବାସ ହିଁ ଏକମାତ୍ର କାରଣ ଦେଖିବାକୁ ମିଳେ । ସେହି କାଳଜୟୀ ଯୁଗ ଜନ୍ମାଗଣ ମୌନର ଗଭୀରତା ମଧ୍ୟରୁ ଆବିର୍ଭାବ ହୋଇ ସେମାନଙ୍କ ଜୀବନ କାଳ ମଧ୍ୟରେ ଏକ ସ୍ବର୍ଣ୍ଣିମ ଇତିହାସ ରଚନା କରିଛନ୍ତି । ଧର୍ମ, ଅଧ୍ୟାତ୍ମ, ବିଜ୍ଞାନ, କଳା ଓ ଦିବ୍ୟ ସଂସ୍କୃତି ମୌନର ବିଶାଳ ଗର୍ଭରୁ ଆତ୍ମ ପ୍ରକାଶ କରିଛି । ନୂତନ ଏବଂ ଦିବ୍ୟ ଭାବ, ବିଚାର ଓ ଦର୍ଶନ ସମୂହର ଅବତରଣ ଓ ଆବିଷ୍କାର ଏକାନ୍ତ ଓ ଗଭୀର ମୌନ ଅବଲମ୍ବନ ଦ୍ୱାରା ସମ୍ଭବ ହୋଇଛି । ମୌନର ଗଭୀରତାରୁ ଉତ୍ପନ୍ନ ସେହି ବାଣୀ ସମୂହ ଆଜି ମଧ୍ୟ ଯଥାର୍ଥ ଓ ପ୍ରାସଙ୍ଗିକ ମନେ ହୁଏ । ଏହି ପରିପ୍ରେକ୍ଷୀରେ ବୁଦ୍ଧ, ମହାବୀର, ଯୀଶୁଖ୍ରୀଷ୍ଟ, ଭଗବାନ ଶ୍ରୀ ସତ୍ୟସାଇ, ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ଯୋଗୀ ଅରବିନ୍ଦ ଆଦିଙ୍କ ଉଦାହରଣ ଏହାର ଜ୍ୱଳନ୍ତ ପ୍ରମାଣ । ଏମାନେ ସମସ୍ତେ ନିଜ ଜୀବନର କିଛି କିଛି କାଳାଂଶ ଏକାନ୍ତ ବାସ ଓ ମୌନତାର ସାଧନା ଦ୍ୱାରା ସର୍ବୋତ୍ତମ ସତ୍ୟ ଓ ସର୍ବୋଚ୍ଚ ସତ୍ତାର ସାକ୍ଷାତକାର କରିଛନ୍ତି ।
ମୌନତାର ଭାଷା ଜାଣିଥିବା ବ୍ୟକ୍ତି ହିଁ ଶବ୍ଦ ପ୍ରୟୋଗର ବାସ୍ତବିକ ଅଧିକାରୀ । ଯଥାର୍ଥ ଶବ୍ଦ ପ୍ରୟୋଗର ବୋଧ ଶକ୍ତି ଅଭାବରେ ବ୍ୟକ୍ତି ଅନେକ ଅପଶବ୍ଦ ବ୍ୟବହାର କରେ । ଅନର୍ଥକ ଓ ଅତ୍ୟଧିକ ବାଣୀର ବ୍ୟବହାର ଖୁବ୍ କ୍ଷତିକାରକ । ଏହି ପରିପ୍ରେକ୍ଷୀରେ ମହାନ ବିଚାରକ ଆସ୍ଫାଳନ କହନ୍ତି, “ଯଦି ପୃଥିବୀର ଲୋକମାନେ ମୌନ ଅବଲମ୍ବନ କରନ୍ତି ତେବେ ସତୁରୀ ପ୍ରତିଶତ କଳହ ସମାପ୍ତ ହୋଇଯିବ ।’’ ସଂସାରରେ ଯେତେଗୁଡିଏ ସମସ୍ୟା, ଯୁଦ୍ଧ, ଉପଦ୍ରବ ହୋଇଛି ବା ହେଉଛି ତା’ର ମୂଳ କାରଣ ହେଉଛି ବାଣୀର ଅପବ୍ୟବହାର । ଅଭିବ୍ୟକ୍ତିର ସ୍ବତନ୍ତ୍ରତାର ଅର୍ଥ ଏହା ନୁହେଁ ଯେ ଜଣେ ଯାହା ଚାହିଁବ ତାହା କହିବ । ପ୍ରାୟ ଦେଖାଯାଏ ଯେ ଜଣେ ବ୍ୟକ୍ତି ନିଜ ବାଚାଳାମୀ ହେତୁ ଯାହା ଇଚ୍ଛା କହିଯାଏ ଓ ତାହା ଯେତେବେଳେ ସମସ୍ୟା ସୃଷ୍ଟି କରେ ସେତେବେଳେ ସେ ପଶ୍ଚାତାପ କରେ । କେହି ଆମକୁ କଟୁ ଶବ୍ଦ ଦ୍ୱାରା ଅପମାନିତ କଲେ ଆମେ ମର୍ମାହତ ହେଉ ଏବଂ ପ୍ରତିହିଂସା ପରାୟଣ ହୋଇ ଅପମାନକାରୀର ଦଣ୍ଡ ବିଧାନ ପାଇଁ ସଂକଳ୍ପବଦ୍ଧ ହେଉ । ଅପର ପକ୍ଷରେ ଆମେ ଅନ୍ୟମାନଙ୍କୁ ଅପମାନିତ କରିବାକୁ କୁଣ୍ଠିତ ହେଉ ନାହିଁ । ଏହା ଆମର ମୁର୍ଖତା ନୁହେଁ ତ ଆଉ କ’ଣ? ଦୁର୍ଯ୍ୟୋଧନ ପ୍ରତି ଦ୍ରୌପଦୀଙ୍କ କଟୁ ବଚନ ହେତୁ ପାଣ୍ଡବମାନଙ୍କୁ ରାଜ୍ୟହୀନ ଓ କୌରବ ରାଜ ସଭାରେ ଦ୍ରୌପଦୀଙ୍କୁ ଲାଞ୍ଛିତା ହେବାକୁ ପଡ଼ିଥିଲା । ଚାଣକ୍ୟଙ୍କୁ ଉପହାସ କରିବା ଦ୍ୱାରା ନନ୍ଦ ବଂଶର ବିନାଶ ହୋଇଥିଲା ।
ମୌନ ରହୁଥିବା ବ୍ୟକ୍ତି ମିଥ୍ୟା ଭାଷଣ କରିବା ପାଇଁ କୌଣସି ଅବସର ପାଆନ୍ତି ନାହିଁ । କଥାବାର୍ତ୍ତା ହେବା ସମୟରେ ବେଳେ ବେଳେ ଉଦ୍ଦେଶ୍ଯହୀନ ଭାବରେ ମିଥ୍ୟା କହି ହୋଇଯାଏ । ମୌନୀ କେବେ ମିଥ୍ୟା ବାଦୀ ହୁଏ ନାହିଁ । ସେ ଜନ କୋଳାହଳ ମଧ୍ୟରେ ନିର୍ଜନ ଗିରି କନ୍ଦରର ନିସ୍ତବ୍ଧତା ଅନୁଭବ କରିପାରେ । ତେଣୁ ତା’ ମନରେ ସର୍ବଦା ଦିବ୍ୟ ଓ ସୃଜନାତ୍ମକ ବିଚାର ସମୂହ ଉତ୍ପନ୍ନ ହେଉଥାଏ । ଏପରି ବ୍ୟକ୍ତି କେବେ କୌଣସି ସାଥି ଖୋଜେ ନାହିଁ କାରଣ ସେ କେବେ ନିଜକୁ ଏକୁଟିଆ ମନେ କରେ ନାହିଁ । ମୌନ ଓ ଏକାନ୍ତ ବାସ ହିଁ ମନୁଷ୍ୟକୁ ଆଧ୍ୟାତ୍ମିକ ଚେତନାର ଉଚ୍ଚତମ ସୋପାନରେ ପହଞ୍ଚାଏ ଓ ସେ ମହାନ୍ ହୋଇଯାଏ । ମୌନର ଅନନ୍ତ ସାଗରରେ ଅବଗାହନ କରିଥିବା ବ୍ୟକ୍ତିର ପ୍ରାଣ ଅନିର୍ବଚନୀୟ ଶାନ୍ତିର ସ୍ପର୍ଶରେ ପୁଲକିତ ଓ ଆତ୍ମା ଦିବ୍ୟ ଗୁଣ ଏବଂ ଶକ୍ତି ସମ୍ପନ୍ନ ହୋଇ ଉଠେ ।
ମୌନ ରହିବା ମଧ୍ୟ ଏକ କଳା ଓ ପ୍ରତିଭା । ନିରନ୍ତର ଅଭ୍ୟାସ ଦ୍ୱାରା ପ୍ରାପ୍ତ ଏହି କଳା ଓ ପ୍ରତିଭାର ଅଧିକାରୀ ବ୍ୟକ୍ତିର ଜୀବନ ମାଧୁର୍ଯ୍ୟରେ ପରିପୂର୍ଣ୍ଣ ଅଟେ । ବ୍ୟକ୍ତି ଗୋଟିଏ ଦିନରେ ଯେତିକି କଥା କହେ ସେହି ପରିମାଣରେ ଯଦି ସେ କୌଣସି ସକାରତ୍ମକ କର୍ମ କରନ୍ତା ତା’ର ଭାଗ୍ୟ ବଦଳି ଯାଆନ୍ତା । ଆବଶ୍ୟକତାରୁ ଅଧିକ କହିବା ନିରର୍ଥକ ଓ ଶବ୍ଦର ଅପଚୟ ମାତ୍ର । ଯେଉଁ ବାଣୀ ନ କହିଲେ ନ ଚଳେ କେବଳ ସେତିକି କହିବା ଉଚିତ । ବାକ୍ ସଂଯମ ଦ୍ୱାରା ଆମେ ୮୦ରୁ୯୦ ପ୍ରତିଶତ ନିରର୍ଥକ କଥା କହିବାରୁ ରକ୍ଷା ପାଇ ପାରିବା । ଯେଉଁମାନେ ମିତ ଭାଷଣ ଓ ଏକାନ୍ତ ପ୍ରିୟ ନୁହନ୍ତି ସେମାନେ ଅନ୍ୟମାନଙ୍କ ସମୟ ଏବଂ ପୁରୁଷାର୍ଥରେ ଅନାବାଶ୍ୟକ ହସ୍ତକ୍ଷେପ କରନ୍ତି । କଥିତ ଅଛି ଯେ ବନ୍ଧୁକରୁ ସୃଷ୍ଟି କ୍ଷତ ସମୟକ୍ରମେ ଶୁଖିଯାଏ କିନ୍ତୁ ବାଣୀ ଦ୍ୱାରା ଉତ୍ପନ୍ନ ହେଉଥିବା ସାମାନ୍ୟ କେତୋଟି ଶବ୍ଦ ପାରସ୍ପରିକ ସମ୍ବନ୍ଧ ଛିନ୍ନ କରି ଦିଏ, ପାରିବାରିକ କଳହ ସୃଷ୍ଟି କରେ, ଜନ ଆନ୍ଦୋଳନର ସୂତ୍ର ପାତ କରିପାରେ ଓ ଦେଶ ଦେଶ ମଧ୍ୟରେ ଯୁଦ୍ଧର କାରଣ ହୁଏ । ତେଣୁ ଆମେ ଶବ୍ଦ ଚୟନ ଓ ପ୍ରୟୋଗରେ ଯଥା ସମ୍ଭବ ସତର୍କତା ଅବଲମ୍ବନ କରିବା ଉଚିତ ଯେପରି ତାହା ଅନ୍ୟକୁ ମର୍ମାହତ କ୍ଷୁବ୍ଧ, ଦୁଃଖିତ ଓ କ୍ରୋଧିତ କରିବ ନାହିଁ । ବ୍ୟକ୍ତି ଦ୍ୱାରା ଉଚ୍ଚାରିତ ବାକ୍ୟ ଆଧାରରେ ତା’ର ବ୍ୟକ୍ତିତ୍ୱର ଆଭାସ ମିଳେ । ବାଣୀରେ ମଧୁରତା, ସନ୍ତୁଷ୍ଟତା, ସରଳତା, ନିରପେକ୍ଷତା, ଅବ୍ୟକ୍ତ ଭାବ, ସତ୍ୟତା ଓ ସଭ୍ୟତାର ସନ୍ତୁଳନ ରହିଲେ ତାହା ସଂସାରର ଶ୍ରେଷ୍ଠ ରତ୍ନ ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ବୋଲି ସ୍ବୀକୃତ ହଏ ।
ମୌନ ଯଦି ସକାରାତ୍ମକ ହୁଏ ତେବେ ଏହାଦ୍ୱାରା ଜୀବନ ମଧୁମୟ ହୋଇଯାଏ । କିନ୍ତୁ ଦେଖାଯାଏ ଯେ କେତେକ ନକାରାତ୍ମକ କାରଣ ହେତୁ ମଧ୍ୟ ମନୁଷ୍ୟ ଚୁପ୍ ରହେ । ସାଧାରଣତଃ ବ୍ୟକ୍ତି ଅନ୍ୟକୁ ଅପମାନ କରିବା ଉଦ୍ଦେଶ୍ୟରେ ତା’ସହିତ କଥା ହୁଏ ନାହିଁ । ଏହାଦ୍ୱାରା ନୀରବରେ ସେ ତା’ ମନରେ ଥିବା ଘୃଣା ଓ ତିକ୍ତ ଭାବକୁ ପ୍ରକାଶ କରେ । ଦୁଃଖୀ ଓ ଉଦାସୀ ବ୍ୟକ୍ତି କାହା ସହିତ କଥାବାର୍ତ୍ତା କରିବାକୁ ଇଚ୍ଛା କରେ ନାହିଁ । ଆଉ ମଧ୍ୟ ବ୍ୟକ୍ତି ଯେତେବେଳେ ଖୁବ୍ ରାଗିଯାଏ ସେତେବେଳେ ତା’ପାଟିରୁ କଥା ବାହାରେ ନାହିଁ । ଯେଉଁମାନେ ମୁର୍ଖ ଓ ଅଜ୍ଞାନ ସେମାନେ ନିଜ ଅଜ୍ଞାନତା ଲୁଚାଇବାକୁ ମୌନ ରହିବାକୁ ବାଧ୍ୟ ହୁଅନ୍ତି ।
ମନୋବିଜ୍ଞାନ ଅନୁସାରେ ପ୍ରତ୍ୟହ ମନୁଷ୍ୟ ମନରେ ଅସଂଖ୍ୟ ସଂସ୍କାରର ପ୍ରଭାବ ପଡୁଥାଏ । ସଂକଳ୍ପକୁ ମନର ଭୋଜନ କୁହାଯାଏ । ବ୍ୟର୍ଥ ସଂକଳ୍ପ ମନକୁ ଦୁର୍ବଳ କରେ । ତେଣୁ ଏଥିରୁ ନିବୃତ୍ତ ରହିବା ଆବଶ୍ୟକ । ଅନେକ ଜନ୍ମର ବ୍ୟର୍ଥ ସଂକଳ୍ପ ମନୁଷ୍ୟ ଆତ୍ମାରେ ଜମାଟ ବାନ୍ଧି ରହିଛି । ବୁଦ୍ଧି ବ୍ୟର୍ଥ ଆବର୍ଜନାରେ ଭାରାକ୍ରାନ୍ତ । ମନୋବୌଜ୍ଞାନିକଙ୍କ ମତରେ ଆମର ମସ୍ତିଷ୍କରେ ଛଅ ଶହ କୋଟିରୁ ଉର୍ଦ୍ଧ୍ଵ କୋଷ ମଧ୍ୟରେ କୋଟି କୋଟି ସଂସ୍କାର ଗଚ୍ଛିତ ରହି ପାରେ । ସଂସାରର ସମସ୍ତ ଜ୍ଞାନ ଜଣେ ବ୍ୟକ୍ତିର ବୁଦ୍ଧି ମଧ୍ୟରେ ସମାହିତ ହୋଇପାରେ । ମନୁଷ୍ୟ ଆତ୍ମାରେ ଜନ୍ମ ଜନ୍ମାନ୍ତରର ସଞ୍ଚିତ ସଂସ୍କାର ହେତୁ ତା’ର ଆତ୍ମିକ ଓ ଆଧ୍ୟାତ୍ମିକ ଚେତନା କ୍ଷୀଣ ହୋଇଯାଇଛି । ଅର୍ନ୍ତଦୃଷ୍ଟି ଅଭାବରୁ ସେ ଭୌତିକ ଜଗତର ଉଦ୍ଧ୍ୱର୍କୁ ଉଠି ପାରୁ ନାହିଁ । ମୌନର ଗହନ ସାଧନା ଦ୍ୱାରା ବ୍ୟକ୍ତିର ନିର୍ମଳ ଓ ଆଧ୍ୟାତ୍ମିକ ଚେତନା ଉର୍ଦ୍ଧ୍ୱାଭିମୁଖୀ ହୁଏ ।
ଦୀର୍ଘ ସମୟ ମୌନତାର ଅଭ୍ୟାସ ଦ୍ୱାରା ବାଣୀ ସାର୍ଥକ ହୁଏ । ପ୍ରଗଳ୍ଭ ବ୍ୟକ୍ତିଙ୍କ ଦ୍ୱାରା ଉଚ୍ଚାରିତ ବାଣୀ ନିରର୍ଥକ । ଏପରି ବ୍ୟକ୍ତିଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ କ୍ଷୁଣ୍ଣ ହୁଏ । ଆବଶ୍ୟକତାରୁ ଅଧିକ ଓ ନିରର୍ଥକ ବାର୍ତ୍ତାଳାପ କରୁଥିବା ବ୍ୟକ୍ତିଙ୍କୁ ଲୋକେ ବାଚାଳ କହନ୍ତି । ସାର୍ଥକ ଶବ୍ଦ ସଂଯୋଜନା ଏକ ବିଶିଷ୍ଟ ଗୁଣ । ଏହି ଗୁଣ ଅଭାବରେ ବ୍ୟକ୍ତି ସାରହୀନ, କର୍କଶ ଓ ଦୁଃଖକାରକ ଶବ୍ଦ ପ୍ରୟୋଗ କରେ । ସଂସାରରେ ସଂଘଟିତ ଅଧିକାଂଶ କଳହ ଓ ଯୁଦ୍ଧର ମୂଳ କାରଣ ବାଣୀର ଅପବ୍ୟବହାର । ତେଣୁ ବିଶ୍ୱ ଶାନ୍ତି ପାଇଁ ମୌନର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
🙏🙏🙏🙏🙏🌷🙏🙏🙏
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
🙏🙏🙏🙏🙏🙏🙏🙏🙏
Comments
Post a Comment