ଜ୍ଞାନ-ପ୍ରବାହ (୨୯)

       ଜ୍ଞାନ-ପ୍ରବାହ (୨୯) 

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)

               ପୁରଞ୍ଜନ ପ୍ରସଙ୍ଗ    

କେବଳ ସାଧନା ଦ୍ୱାରା ଈଶ୍ୱର ଦର୍ଶନ ହୁଏ ନାହିଁ । ପରମାତ୍ମା କୃପା ସାଧ୍ୟ ଅଟନ୍ତି । ସାଧନା ସାଧ୍ୟ ନୁହେଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସାଧନା କରିବା ଅନାବଶ୍ୟକ । ସାଧନା ଅବଶ୍ୟ କରିବା ଉଚିତ; ସେହି ସାଧନା ପାଇଁ ଅଭିମାନ କରିବା ଅନୁଚିତ । ସାଧନା କରୁ କରୁ କ୍ଳାନ୍ତ ଶ୍ରାନ୍ତ ଆତ୍ମା ଦୀନ ଭାବରେ ଯେତେବେଳେ କ୍ରନ୍ଦନ କରେ ସେତେବେଳେ ପରମାତ୍ମା କୃପା କରନ୍ତି । ଉପନିଷଦରେ କୁହାଯାଇଛି;

ନାୟମାତ୍ମା ପ୍ରବଚନେନ ଲଭ୍ୟୋ

ନ ମେଧୟା ନ ବହୁନା ଶ୍ରୁତେନ ।

ଯମୈବୈଷ ବୃଣୁତେ ତେନ ଲଭ୍ୟସ୍ତସୈ୍ୟ

ଆତ୍ମା ବୃଣୁତେ ତନ ସ୍ବାମ୍ ।ା

ଏହି ଆତ୍ମା ବେଦାଭ୍ୟାସ ଦ୍ୱାରା ମିଳେ ନାହିଁ, ବୁଦ୍ଧି ଚାତୁର୍ଯ୍ୟ ଦ୍ୱାରା ମିଳେ ନାହିଁ; ଅନେକ ଶାସ୍ତ୍ର ଶ୍ରବଣ ଦ୍ୱାରା ମିଳେ ନାହିଁ । କିନ୍ତୁ ଯାହାର ସେ ବରଣ କରେ, ତାକୁ ଏହି ଆତ୍ମାର ପ୍ରାପ୍ତି ହୁଏ । ଆତ୍ମା ତାକୁ ନିଜ ସ୍ୱରୂପ ଦର୍ଶନ କରାଏ ।

ସାଧ୍ୟର ପ୍ରାପ୍ତି ହେଲା ପରେ କେତେକ ଲୋକ ସାଧନାର ଉପେକ୍ଷା କରନ୍ତି । ସାଧନାର ଉପେକ୍ଷା କରିବା ଦ୍ୱାରା ପୁନଶ୍ଚ ମାୟା ପ୍ରବିଷ୍ଟ ହୁଏ । ଈଶ୍ୱର ପ୍ରାପ୍ତି ହେବା ପଶ୍ଚାତ୍ ମଧ୍ୟ ସାଧନାର ତ୍ୟାଗ କରାଯିବା ଉଚିତ ନୁହେଁ । ସାଧନା ଏପରି ଅଭ୍ୟାସରେ ପଡିଯିବା ଉଚିତ ଯେ ତାହା ଯେମିତି ଚାହିଁଲେ ମଧ୍ୟ ଛାଡି ହେବ ନାହିଁ । ଜ୍ଞାନୀ ଭକ୍ତ ପାଇଁ ଭକ୍ତି ଏକ ବ୍ୟସନ ହୋଇଯିବା ଉଚିତ ।

ଯିଏ ଈଶ୍ୱରଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିଥାନ୍ତି, ଜଗତ ତାଙ୍କ ପଛରେ ଦୌଡ଼ିବାକୁ ଲାଗେ । ପରମାତ୍ମା ଯାହାଙ୍କୁ ନିଜର କରନ୍ତି, ତାଙ୍କର ଶତ୍ରୁ ମଧ୍ୟ ବନ୍ଦନା କରନ୍ତି । ନିଜଠାରୁ ବଡଙ୍କ ପ୍ରତି ସହନଶୀଳତା ଛୋଟମାନଙ୍କ ପ୍ରତି ଦୟା, ସମବୟସ୍କଙ୍କ ସହିତ ମୈତ୍ରୀ ଓ ସମସ୍ତ ଜୀବଙ୍କ ସହିତ ସମାନ ବ୍ୟବହାର କରିବା ଦ୍ୱାରା ପରମାତ୍ମା ପ୍ରସନ୍ନ ହୁଅନ୍ତି ।

ତିତିକ୍ଷୟା କରୁଣୟା ମୈତ୍ର୍ୟା ଚାଖିଳ ଜନ୍ତୁଷୁ

ସମତ୍ୱେନ ଚ ସର୍ବାତ୍ମା ଭଗବାନ୍ ସଂପ୍ରସୀଦତି ।ା

ସମ୍ପ୍ରସନ୍ନେ ଭଗବତି ପୁରୁଷଃ ପ୍ରାକୃତୈର୍ଗୁଣୈଃ ।

ବିମୁକ୍ତୋ ଜୀବନିର୍ମୁକ୍ତା ବ୍ରହ୍ମ ନିର୍ବାଣ ମୃଚ୍ଛତି ।ା

ାା ଭା: ୪/୧୧/୧୩-୧୪ ।ା

ତିତିକ୍ଷା ସହନଶୀଳତା, ସର୍ବ ଜନଙ୍କ ପ୍ରତି କରୁଣା ଓ ଜଗତର ପ୍ରତ୍ୟେକ ଜୀବ ସହିତ ମୈତ୍ରୀ - ଏହି ତିନିଗୁଣ ସହିତ ସଂପନ୍ନ ବ୍ୟକ୍ତି ସୁଖୀ ହୋଇଥାଏ ଏବଂ ତାଙ୍କ ପ୍ରତି ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି । ପ୍ରତ୍ୟେକ ପ୍ରାଣୀ ପ୍ରତି ସମଭାବ ରଖିବା ଦ୍ୱାରା ପ୍ରଭୁ ପ୍ରସନ୍ନ ହୁଅନ୍ତି ଏବଂ ପରମାତ୍ମା ପ୍ରସନ୍ନ ହେବା ଫଳରେ ପ୍ରାକୃତିକ ଗୁଣଗୁଡିକ ତଥା ଲିଙ୍ଗ ଶରୀରରୁ ମୁକ୍ତ ହୋଇ ପୁରୁଷ ସୁଖ ସ୍ୱରୂପ ବ୍ରହ୍ମଙ୍କୁ ପ୍ରାପ୍ତ କରିଥାଏ । ଅଧିକ ପ୍ରବଚନ ଶୁଣିବା ଦ୍ୱାରା ମଧ୍ୟ ପରମାତ୍ମା ପ୍ରାପ୍ତି ହୁଏ ନାହିଁ । ଧ୍ୟାନ ବିନା ଶାନ୍ତି ମିଳେ ନାହିଁ । ତେଣୁ ଏକାନ୍ତରେ ବସି ଧ୍ୟାନ କରିବା ଆବଶ୍ୟକ । ପରମାତ୍ମା ପରାୟଣ ବ୍ୟକ୍ତିଙ୍କ ମୃତ୍ୟୁ ଭୟ ନ ଥାଏ । ମନୁଷ୍ୟ ନିର୍ଭୟ ହୁଏ ନାହିଁ କାରଣ ସେ ଈଶ୍ୱରଙ୍କ ହୁଏ ନାହିଁ । ଯିଏ ଈଶ୍ୱରଙ୍କ ଶରଣାଗତ ସେ ନିଶ୍ଚିନ୍ତ ଓ ନିର୍ଭୟ ହୁଅନ୍ତି । କାରଣ ପରମାତ୍ମା ହେଉଛନ୍ତି କାଳର ମଧ୍ୟ କାଳ ।

ଅଟଳ ନିଶ୍ଚୟ ଦ୍ୱାରା କଠିନତମ କାର୍ଯ୍ୟ ମଧ୍ୟ ସିଦ୍ଧ ହୋଇଥାଏ, କିନ୍ତୁ ଏହି ନିଶ୍ଚୟ କିପରି ହେବା ଉଚିତ? “ଦେହ ବା ପତୟାମି କାର୍ଯ୍ୟ ବା ସାଧୟାମି ।’’ କାର୍ଯ୍ୟସିଦ୍ଧ କରିବି ଅନ୍ୟଥା ଦେହ ତ୍ୟାଗ କରିବି । ଅଟଳ ନିଶ୍ଚୟ ହେତୁ ଧ୍ରୁବ ଇହ ଜନ୍ମରେ ହିଁ ପରମାତ୍ମାଙ୍କ ଦର୍ଶନ ପାଇଥିଲେ । ଧ୍ରୁବଙ୍କ ଦୃଷ୍ଟାନ୍ତରୁ ଏହି ଶିକ୍ଷା ମିଳେ ଯେ ବାଲ୍ୟାବସ୍ଥାରୁ ହିଁ ଭଗବାନଙ୍କ ଭକ୍ତି କରିବା ଉଚିତ । ବୃଦ୍ଧାବସ୍ଥାରେ ପରମାତ୍ମାଙ୍କ ଧ୍ୟାନ କଲେ ବ୍ୟକ୍ତିର ପର ଜନ୍ମ ସୁଧୁରେ । ଇହଜନ୍ମରେ ଭଗବତ ପ୍ରାପ୍ତି ପାଇଁ ବାଲ୍ୟାବସ୍ଥାରୁ ହିଁ ଭକ୍ତି କରିବା ଆବଶ୍ୟକ । ବାଲ୍ୟାବସ୍ଥାରେ ଭଲ ସଂସ୍କାର ନଷ୍ଟ ହୁଏ ନାହିଁ । ସୁନୀତି ଭଳି ପ୍ରତ୍ୟେକ ମାତା ନିଜ ନିଜ ପୁତ୍ର/ପୁତ୍ରୀଙ୍କୁ ବାଲ୍ୟାବସ୍ଥାରୁ ହିଁ ଧାର୍ମିକ ସଂସ୍କାରରେ ସଂସ୍କାରିତ କରିବା ଉଚିତ ।

ପ୍ରାଚୀନ କାଳରେ ପୁରଞ୍ଜନ ନାମକ ଜଣେ ରାଜା ଥିଲେ । ଅବିଜ୍ଞାତ ନାମରେ ତାଙ୍କର ଜଣେ ମିତ୍ର ଥିଲେ । ସେ ପୁରଞ୍ଜନଙ୍କୁ ସୁଖୀ କରିବା ପାଇଁ ସର୍ବଦା ପ୍ରଯତ୍ନଶୀଳ ରହୁଥିଲେ । କିନ୍ତୁ ତାଙ୍କର ପ୍ରଯତ୍ନ ଯେପରି ରାଜା ଜାଣିପାରିବେ ନାହିଁ ସେଥିପ୍ରତି ସେ ସଜାଗ ଥିଲେ । ଈଶ୍ୱର ହେଉଛନ୍ତି ଅବିଜ୍ଞାତ । ଜୀବାତ୍ମା ରୂପୀ ପୁରଞ୍ଜନଙ୍କୁ ସୁଖୀ କରିବା ପାଇଁ ସେ ଅଜ୍ଞାତ ରୂପରେ ସହାୟତା କରନ୍ତି । କିନ୍ତୁ ପୁରଞ୍ଜନ ଏହା ଭାବେ ନାହିଁ ଯେ କାହାରି ସହାୟତା ହେତୁ ସେ ସୁଖୀ ରହୁଛି । ଶରୀର ରୂପୀ ଯାନରେ ଜୀବାତ୍ମା ହେଉଛି ଯାତ୍ରୀ ଏବଂ ପରମାତ୍ମା ଚାଳକ । ଆମର ଜୀବନ ଯାତ୍ରା କିପରି ସୁଖମୟ ହେବ ସେଥିପାଇଁ ପରମାତ୍ମା ଅହର୍ନିଶି ପ୍ରଯତ୍ନ କରୁଥାନ୍ତି । ସେ କେବେ ଶୁଅନ୍ତି ନାହିଁ । ଜୀବ ଶୋଇଯାଏ ଓ ତାକୁ ସହାୟତା କରୁଥିବା ପରମାତ୍ମାଙ୍କୁ ଭୁଲି ଯାଏ ।

ପୁରଞ୍ଜନ ଉପକାର କରୁଥିବା ଈଶ୍ୱରଙ୍କୁ ଭୁଲି ଭ୍ରମଣ କରୁ କରୁ ନବ ଦ୍ୱାର ବିଶିଷ୍ଟ ଏକ ନଗରୀରେ ପ୍ରବିଷ୍ଟ ହେଲା । ଏହି ନଗରୀ ହେଉଛି ମାନବ ଶରୀର । ସେଠାରେ ପହଞ୍ଚିଲା ପରେ ଏକ ସୁନ୍ଦରୀ ସହିତ ତାର ସାକ୍ଷାତ ହେଲା । ପୁରଞ୍ଜନ ତାର ପରିଚୟ ପଚାରିଲା । ସ୍ତ୍ରୀ ଜଣକ ନିଜ ପରିଚୟ ଜାଣି ନ ଥିଲା, କିନ୍ତୁ ପୁରଞ୍ଜନକୁ ସୁଖୀ ରଖିବାର ପ୍ରତିଶ୍ରୁତି ଦେଲା ।

ପଶୁ ଜାତି ଭେଦ ମାନନ୍ତି । ମଇଁଷିକୁ ଦେଖି ବଳଦର କାମ ବିକାର ଜାତ ହୁଏ ନାହିଁ । ଗୀତା ପଢ଼ୁଥିବା ଲୋକେ ମଧ୍ୟ ତାକୁ ବ୍ୟବହାରିକ ଜୀବନରେ ପାଳନ କରନ୍ତି ନାହିଁ । ଗୀତାରେ ବର୍ଣ୍ଣାଶ୍ରମର ବ୍ୟବସ୍ଥା ଦିଆଯାଇଛି । କିନ୍ତୁ ତଥା କଥିତ ଶିକ୍ଷିତ ବ୍ୟକ୍ତି ଏହି ବ୍ୟବସ୍ଥାକୁ ମାନନ୍ତି ନାହିଁ । ଯାହାର ଜୀବନରରେ ସଂଯମ ନାହିଁ, ସଦାଚାର ନାହିଁ, ଧର୍ମ ନିଷ୍ଠା ନାହିଁ, ପ୍ରଭୁପ୍ରେମ ନାହିଁ, ତାକୁ ଶିକ୍ଷିତ ମାନିବା ନା ଅଶିକ୍ଷିତ? ଆଜିକାଲି ନିଜକୁ ସଭ୍ୟ ଓ ଶିକ୍ଷିତ ମନେ କରୁଥିବା ଲୋକେ କହନ୍ତି ଜାତି ଯାହାବି ହେଉ ନା କାହିଁକି ସ୍ତ୍ରୀ ସୁନ୍ଦର ହେବା ଉଚିତ । କୁଳ-ଗୋତ୍ରର ବିବେଚନା ନ କରି ପୁରଞ୍ଜନ ସେହି ସ୍ତ୍ରୀକୁ ବିବାହ କଲା । ସେହି ସୁନ୍ଦରୀ ପ୍ରତି ସେ ଏତେ ଆସକ୍ତି ହୋଇଗଲା ଯେ ତା’ ଘରେ ଏଗାର ଶହ ପୁତ୍ରର ଜନ୍ମ ହେଲା । ସେହି ସ୍ତ୍ରୀର ନାମ ଥିଲା ପୁରଞ୍ଜନୀ । ତା’ଠାରୁ ଜନ୍ମିତ ପୁତ୍ରଗଣ ପରସ୍ପର ମଧ୍ୟରେ କଳହ କରୁଥିଲେ ।

ବୁଦ୍ଧି ହେଉଛି ପୁରଞ୍ଜନୀ । ଏଗାରଟି ଇନ୍ଦ୍ରିୟ ଦ୍ୱାରା ସୁଖ ଭୋଗର ଇଚ୍ଛା ହେଉଛି ଏଗାର ଶହ ସନ୍ତାନ । ଜଣକର ଶହେ ପୁତ୍ର ଲେଖାଏଁ । ଏହି ପୁତ୍ରମାନଙ୍କର ପାରସ୍ପରିକ କଳହର ଅର୍ଥ ସଂକଳ୍ପ-ବିକଳ୍ପର ସଂଘର୍ଷ । ଗୋଟିଏ ବିଚାର ଉତ୍ପନ୍ନ ହେଲା ମାତ୍ରେ ତାର ବିରୋଧରେ ଅନ୍ୟ ବିଚାର ଲାଗି ପଡେ । ଏଗାରଟି ଇନ୍ଦ୍ରିୟ ଦ୍ୱାରା ଏହି ଜୀବ ବନ୍ଦୀ ହୋଇଛି ।

ଅନେକ ବର୍ଷ ପର୍ଯ୍ୟନ୍ତ ପୁରଞ୍ଜନ ଏହିପରି ସୁଖ ଭୋଗ  କଲା । କାଳଦେବ ମୃତ୍ୟୁର ପୁତ୍ରୀ ହେଉଛି ଜରା । ତା’ ସହିତ ବିବାହ କରିବାକୁ କେହି ଚାହେଁ ନାହିଁ । ପୁରଞ୍ଜନର ଅନିଚ୍ଛା ସତ୍ତ୍ବେ ଜରା ତାଙ୍କୁ ବିବାହ କଲା । ଇନ୍ଦ୍ରିୟ ସୁଖ ଉପଭୋଗ କରୁଥିବା ବ୍ୟକ୍ତିଙ୍କୁ ଦିନେ ନା ଦିନେ ଜରା ଅର୍ଥାତ୍ ବୃଦ୍ଧାବସ୍ଥା ସହିତ ବିବାହ କରିବାକୁ ପଡିଥାଏ । ଭୋଗୀ ପାଇଁ ଯୌବନ ଚିରସ୍ଥାୟୀ ନୁହେଁ । ଯୋଗୀ କେବେ ହେଲେ ମଧ୍ୟ ଜରା ଦ୍ୱାରା ଆକ୍ରାନ୍ତ ହୁଏ ନାହିଁ ।

ଦିନେ ମୃତ୍ୟୁର ସେବକ ପ୍ରଜ୍ୱର ଆସିଲା । ମୃତ୍ୟୁକାଳୀନ ଜ୍ୱର ହେଉଛି ପ୍ରଜ୍ୱର । ପୁରଞ୍ଜନ ସ୍ତ୍ରୀ ପ୍ରତି ଅତିଶୟ ଆସକ୍ତ ଥିଲା । ତେଣୁ ଅନ୍ତ ସମୟରେ ସ୍ତ୍ରୀ ଚିନ୍ତନ କରି ଦେହ ତ୍ୟାଗ କଲା । ପରିଣାମ ସ୍ୱରୂପ ବିଦର୍ଭ ନଗରୀରେ ତାକୁ କନ୍ୟା ରୂପରେ ଜନ୍ମ ନେବାକୁ ପଡିଲା । କେହି ସର୍ବଦା ପୁରୁଷ ବା ସ୍ତ୍ରୀ ରୂପରେ ଜନ୍ମ ହୁଅନ୍ତି ନାହିଁ । ବାସନା ଅନୁସାରେ ଶରୀର ପରିବର୍ତ୍ତନ ହେଉଥାଏ । ପୁରଞ୍ଜନ କେବଳ ଯୌବନାବସ୍ଥାରେ ପାପ କରିଥିଲା । ବାଲ୍ୟାବସ୍ଥା ଓ ବୃଦ୍ଧାବସ୍ଥାରେ କରିଥିବା ସତକର୍ମ କାରଣରୁ ସେ ଏକ ବ୍ରାହ୍ମଣ ଘରେ କନ୍ୟା ରୂପରେ ଜନ୍ମ ନେଲା । ବାଲ୍ୟକାଳରୁ ମର୍ଯ୍ୟାଦା ପୂର୍ବକ ଜୀବନ ଯାପନ କରୁଥିବାରୁ ତାର ବିବାହ ଦ୍ରାବିଡ ଦେଶର ପାଣ୍ଡ୍ୟ ନାମକ ଜଣେ ଭକ୍ତ ରାଜା ସହିତ ହେଲା ।

କର୍ମ କରିବା ଦ୍ୱାରା ଚିତ୍ତ ଶୁଦ୍ଧି ହୁଏ । ତତ୍ ପଶ୍ଚାତ ଭକ୍ତି କରିବା ଉଚିତ । ଲୋକେ ଭାବନ୍ତି ଭକ୍ତି ମାର୍ଗ ସହଜ । କିନ୍ତୁ ଏହା ଅତିଶୟ କଠିଣ ମାର୍ଗ । ମର୍ଯ୍ୟାଦା ଧର୍ମର ପାଳନ ବିନା ଭକ୍ତିର ଉଦୟ ହୁଏ ନାହିଁ । ଚିତ୍ତ ଶୁଦ୍ଧି ହେଲା ପରେ ଭକ୍ତିର ଉଦୟ ହୁଏ । ଅନ୍ତ ସମୟରେ ପରମାତ୍ମା ଅନୁଭବ ପାଇଁ ଜ୍ଞାନର ଆବଶ୍ୟକ ହୁଏ । ଭକ୍ତ ପତି ସହିତ ବିବାହ ହେବାରୁ ଏକ କନ୍ୟା ଓ ସାତ ପୁତ୍ରର ଜନ୍ମ ହେଲା । କନ୍ୟା ହେଉଛି କଥା ଶ୍ରବଣ ଓ ସତ୍ସଙ୍ଗରେ ରୁଚିର ପ୍ରତୀକ । ସାତ ପୁତ୍ର ହେଉଛନ୍ତି ସାତ ପ୍ରକାର ଭକ୍ତି ଶ୍ରବଣ, କୀର୍ତ୍ତନ ସ୍ମରଣ,  ପାଦସେବନ, ଅର୍ଚ୍ଚନ, ବନ୍ଦନ ଓ ଦାସ୍ୟ । ଏହି ସାତ ପ୍ରକାର ଭକ୍ତି ମନୁଷ୍ୟ ନିଜ ପ୍ରଯତ୍ନରେ ପ୍ରାପ୍ତ ଓ ସିଦ୍ଧ କରିପାରେ । କିନ୍ତୁ ଅଷ୍ଟମ ପ୍ରକାର ସଖ୍ୟ ଭକ୍ତି ଏବଂ ନବମ ପ୍ରକାର ଆତ୍ମ ନିବେଦନ ଭକ୍ତି ପ୍ରଭୁ କୃପା ଦ୍ୱାରା ପ୍ରାପ୍ତ ଓ ସିଦ୍ଧ ହୋଇଥାଏ ।

ଶ୍ରବଣାଦି ସାତ ପ୍ରକାର ଭକ୍ତି ସିଦ୍ଧ କରିବା ପଶ୍ଚାତ ଏକଦା ପତିର ମୃତ୍ୟୁର ସମାଚାରରେ ଦୁଃଖି ହୋଇଥିବା ସେହି କନ୍ୟାକୁ ପରମାତ୍ମା ସଦ୍ ଗୁରୁ ରୂପେ ଆସି ବୋଧ ଦେଲେ । ସାତ ପ୍ରକାର ଭକ୍ତି ସିଦ୍ଧ ହେଲେ ପରମାତ୍ମା ସଖ୍ୟ ଓ ଆତ୍ମ ନିବେଦନ ପ୍ରଦାନ କରନ୍ତି । ଅର୍ଥାତ୍ ଯେଉଁ ମିତ୍ର ଅବିଜ୍ଞାତକୁ ଏହି ଜୀବ ମାୟାବଶତଃ ଭୁଲି ଯାଇଥିଲା, ସେ ସଦ୍ ଗୁରୁ ରୂପରେ ଆସିଲେ । ଏହାର ଅର୍ଥ ହେଲା ଅବିଜ୍ଞାତ ରୂପରେ ପରମାତ୍ମା ସେଠାକୁ ଯାଇ ବ୍ରହ୍ମ ବିଦ୍ୟାର ଉପଦେଶ ଦେଲେ ଯେ ତୁ ମୋତେ ତ୍ୟାଗ କରି ନବଦ୍ୱାର ଯୁକ୍ତ ନଗରୀରେ ରହିବାକୁ ଗଲୁ । ସେତେବେଳଠୁଁ ତୁ ଦୁଃଖି ହୋଇଆସୁଛୁ । ବର୍ତ୍ତମାନ ତୁ ନିଜର ସ୍ବରୂପକୁ ଚିହ୍ନ । ଲୌକିକ ରୂପରେ ମନୁଷ୍ୟ ଏପରି ମଜ୍ଜି ଯାଇଥାଏ ଯେ ସେ ନିଜ ଆତ୍ମ ସ୍ୱରୂପର ବିଚାର କରେ ନାହିଁ । ସ୍ତ୍ରୀ ଶରୀର ଧାରଣ କରିଥିବା ପୁରଞ୍ଜନର ଆତ୍ମା ଓ ପରମାତ୍ମାଙ୍କ ମିଳନ ହେଲା । ପୁରଞ୍ଜନର ପୂର୍ବ ସ୍ମୃତି ଫେରି ଆସିଲା । (କ୍ରମଶଃ)







Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର