ଜ୍ଞାନ ପ୍ରବାହ (୧୫)
🌹🌹🌹🌹🌹🌹🌹🌹🌹
🌸🌸ଜ୍ଞାନ ପ୍ରବାହ (୧୫) 🌸🌸
🌷🌷🌷🌷🌷🌷🌷🌷🌷
ଡାକ୍ତର ସୁଧାଂଶୁ ଶେଖର ମିଶ୍ର ,ପାଟଣାଗଡ
🌼🌼🌼🌼🌼🌼🌼🌼🌼
ରାଜା ପରିକ୍ଷିତ ଦିଗବିଜୟ ଯାତ୍ରାବେଳେ ଦିନେ ଏକ ଆଶ୍ଚର୍ଯ୍ୟ ଘଟଣାର ସମ୍ମୁଖୀନ ହେଲେ । ସରସ୍ବତୀ ନଦୀ ତଟରେ ସେ ଭ୍ରମଣ କରୁଥାନ୍ତି । ସେଠାରେ ସେ ଦେଖିଲେ ଯେ ଗୋଟିଏ ବଳଦ ଏକ ପାଦରେ ଛିଡା ହୋଇଛି ଏବଂ ଜଣେ କଳାକୃତି ପୁରୁଷ ତାକୁ ଯଷ୍ଟି ଦ୍ୱାରା ପ୍ରହାର କରୁଛି । ସେ ବଳଦକୁ ପଚାରିଲେ “ତୋର ତିନି ପାଦ କିଏ କାଟି ଦେଲା”? ବଳଦ କହିଲା, “ରାଜନ୍, ମୁଁ ଏପର୍ଯ୍ୟନ୍ତ ନିର୍ଣ୍ଣୟ କରି ପାରିନି ଯେ ମୋର ପାଦ କିଏ କାଟିଲା ଏବଂ କିଏ ମୋତେ ଦୁଃଖ ଦେଉଛି । କେହି କେହି କହୁଛନ୍ତି କାଳ ହେଉଛି ଦୁଃଖର କାରଣ । ଅନ୍ୟ କେହି କେହି କହୁଛନ୍ତି କର୍ମ ହିଁ ମନୁଷ୍ୟକୁ ଦୁଃଖ ଦେଇଥାଏ । ଆଉ କେତେକ ଦୁଃଖର କାରଣ ସ୍ବଭାବ ବୋଲି କହିଥାନ୍ତି । ତେଣୁ ହେ ରାଜନ୍! ମୋର ଦୁଃଖର କାରଣ ଆପଣ ସ୍ବୟଂ ନିର୍ଣ୍ଣୟ କରନ୍ତୁ” । ରାଜା ବୁଝିଗଲେ ଯେ ବଳଦ ହେଉଛି ଧର୍ମର ସ୍ବରୂପ ଓ ବଳଦକୁ କଷ୍ଟ ଦେଇଥିବା କ୍ରୁର ବ୍ୟକ୍ତିଟି କଳି ଅଟେ । କଳି ଧର୍ମନିଷ୍ଠ ବ୍ୟକ୍ତିମାନଙ୍କୁ କଷ୍ଟ ଦିଏ । ରାଜା କଳିକୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ହେଲେ । କଳି ଭୟଭୀତ ହୋଇ ତାଙ୍କର ଶରଣାପନ୍ନ ହେଲା । ସେ ରାଜାଙ୍କ ଚରଣ ସ୍ପର୍ଶ କଲା । ତେଣୁ ତାଙ୍କର ମତି ଭ୍ରଷ୍ଟ ହେଲା ।
ଯେଉଁ ମାନବର ସ୍ବଭାବ ଏବଂ ଚରିତ୍ର ବିଷୟରେ ଆମେ ଅନଭିଜ୍ଞ ତାକୁ କେବେ ହେଲେ ସ୍ପର୍ଶ କରିବା ଉଚିତ ନୁହେଁ । କାରଣ ସ୍ପର୍ଶ ଦ୍ୱାରା ସେହି ବ୍ୟକ୍ତିର କିଛି ନା କିଛି ପରମାଣୁ ଆମ ଦେହକୁ ଚାଲି ଆସେ । ପୁଣ୍ୟବାନ ବ୍ୟକ୍ତିର ପରମାଣୁ ପବିତ୍ର ଅଟେ ଏବଂ ପାପୀ ବ୍ୟକ୍ତିର ପରମାଣୁ ଆମ ଦେହକୁ ଚାଲି ଆସେ । ପୁଣ୍ୟବାନ ବ୍ୟକ୍ତିର ପରମାଣୁ ପବିତ୍ର ଅଟେ ଏବଂ ପାପୀ ବ୍ୟକ୍ତିର ପରମାଣୁ ଅପବିତ୍ର ଅଟେ । ଯେପରି ବ୍ୟକ୍ତିକୁ ସ୍ପର୍ଶ କରିବା ସେପରି ବ୍ୟକ୍ତିର ପରମାଣୁ ଆମ ଶରୀରରେ ପ୍ରବିଷ୍ଟ ହୋଇଯିବ । କଳି ଯେତେବେଳେ ପରିକ୍ଷିତଙ୍କୁ ସ୍ପର୍ଶ କଲା ତତ୍କ୍ଷଣାତ ତାଙ୍କ ବୁଦ୍ଧିରେ ବିକାର ଆସିଗଲା । ରାଜା ଜାଣିଥିଲେ ଯେ ଏହି କଳି ଅପବିତ୍ର ଅଟେ । ତେଣୁ ଦଣ୍ଡନୀୟ । ଦୁଷ୍ଟମାନଙ୍କୁ ଦଣ୍ଡଦେବା ରାଜ ଧର୍ମ ତଥାପି ସୁଦ୍ଧା ସେ କଳି ପ୍ରତି ଦୟାଭାବ ଦେଖାଇଲେ । ସେ କଳିକୁ କହିଲେ ମୁଁ ତୋତେ ମାରିବି ନାହିଁ, କିନ୍ତୁ ତୁ ମୋ ରାଜ୍ୟ ସୀମା ଛାଡି ଚାଲି ଯା । ମୋ ରାଜ୍ୟରେ ତୋ ପାଇଁ ସ୍ଥାନ ନାହିଁ । କଳି ରାଜାଙ୍କୁ ପ୍ରାର୍ଥନା ପୂର୍ବକ କହିଲା, “ଏବେ ମୁଁ କୁଆଡେ ଯିବି । ମୋତେ କୌଣସି ପ୍ରକାରେ କିଛି ଅଶ୍ରୟ ଦିଅନ୍ତୁ” । ରାଜା ଦୟାବଶତଃ ଚାରିଟି ସ୍ଥାନରେ ରହିବା ପାଇଁ ତାକୁ ଅନୁମତି ପ୍ରଦାନ କଲେ । ସେଗୁଡିକ ହେଲା, ଦ୍ୟୁତ, ମଦ୍ୟ, ସ୍ତ୍ରୀ ସଙ୍ଗ ଏବଂ ହିଂସା । ଏହି ଚାରି ସ୍ଥାନରେ କ୍ରମଶଃ ଅସତ୍ୟ, ମଦ, ଆସକ୍ତି ଓ ନିର୍ଦ୍ଦୟତା- ଏ ଚାରି ଅଧର୍ମ ବାସ କରନ୍ତି ।
ଜୁଆରୁ ପ୍ରାପ୍ତ ଧନ ଯେଉଁ ଘରକୁ ଆସେ, ତା ସହିତ କଳି ମଧ୍ୟ ଆସିଯାଏ । ଏପରି ଧନ ଦାନ ଯୋଗ୍ୟ ନୁହେଁ । ଅନୀତିରୁ ପ୍ରାପ୍ତ ଧନ ଦ୍ୱାରା ଜୀବନରେ କେବେହେଲେ ଶୁଦ୍ଧତା ଆସେ ନାହିଁ । ଅଧର୍ମରୁ ପ୍ରାପ୍ତ ଧନ ଈଶ୍ୱରୀୟ ସେବାର ଲଗାଇବା ଅନୁଚିତ । ଅନ୍ୟଥା ଏହାର କୁପରିଣାମ ଭୋଗ କରିବାକୁ ପଡେ । ଯେଉଁଠି ଶାସ୍ତ୍ର ନିଷିଦ୍ଧ ଭୋଜ୍ୟ ପଦାର୍ଥ ଭୋଜନ କରାହୁଏ ଓ ହିଂସା କାର୍ଯ୍ୟ ହୁଏ, ସେଠାକୁ କଳି ନିର୍ବିଘ୍ନରେ ପ୍ରବେଶ କରିପାରେ । ଚାରିଟି ସ୍ଥାନ ପାଇଲା ପରେ ମଧ୍ୟ କଳି ସନ୍ତୁଷ୍ଟ ହେଲା ନାହିଁ । ସେ ଆଉ ଗୋଟିଏ ଭଳ ସ୍ଥାନ ପାଇଁ ପ୍ରାର୍ଥନା କଲା । ରାଜା ତାକୁ ସୁବର୍ଣ୍ଣରେ ବାସ କରିବାକୁ ଅନୁମତି ଦେଲେ । ଅଶୁଦ୍ଧ ସାଧନ ଦ୍ୱାରା ଯଦି ସୁବର୍ଣ୍ଣ ଘରକୁ ଆସେ ତେବେ ତା ସହିତ ଅବଶ୍ୟ କଳି ପ୍ରବିଷ୍ଟ ହୁଏ । ଅନୀତି ଓ ଅନ୍ୟାୟରୁ ପ୍ରାପ୍ତ ଧନରେ କଳି ଥାଏ । ଅନୀତି ଦ୍ୱାରା ଧନ ଅର୍ଜନ କରୁଥିବା ବ୍ୟକ୍ତିକୁ କଳି ଦୁଃଖ ଦିଏ ଏବଂ ସେହି ଉତ୍ତର ପୁରୁଷକୁ ମଧ୍ୟ ଦୁଃଖି କରାଏ ।
ଅସତ୍ୟ, ମଦ, କାଳ, ବୈର ଏବଂ ରଜୋଗୁଣ ଏହି ପାଞ୍ଚ ଯେଉଁଠି ନ ଥିବେ ସେଠାରେ ଆଜି ମଧ୍ୟ ସତ୍ୟଯୁଗ ବିରାଜମାନ । ଯେଉଁ ଘରେ ନିତ୍ୟ ସତ୍ୟ ସ୍ବରୂପ ପରମାତ୍ମାଙ୍କ ସ୍ମରଣ ହୁଏ, ଯେଉଁ ଘରେ ଈଶ୍ୱରୀୟ ଆଚାରର ପାଳନା ହୁଏ ସେହି ଘରେ କେବେହେଲେ କଳି ପ୍ରବେଶ କରି ପାରେ ନାହିଁ । ରାଜା ବଳଦର ତିନି ପାଦ ପୁଣି ଲଗାଇ ଦେଲେ ଅର୍ଥାତ ସେ ଧର୍ମର ସ୍ଥାପନ କଲେ । କଳି ଭାବିଲା, ରାଜା ପଞ୍ଚମ ସ୍ଥାନ ରୂପେ ସୁବର୍ଣ୍ଣରେ ରହିବାକୁ ମୋତେ ଅନୁମତି ଦେଇଛନ୍ତି । ତେଣୁ ଯେତେବେଳେ ଚାହିଁବି ସେତେବେଳେ ନିର୍ବିଘ୍ନରେ ରାଜାଙ୍କ ଘରେ ପ୍ରବେଶ କରି ପାରିବି । କଳି ଏପରି ଏକ ସୁଯୋଗ ଅପେକ୍ଷାରେ ଥାଏ ।
ଦିନେ ରାଜା ପରିକ୍ଷିତ ନିଜ ଉଆସ ମଧ୍ୟରେ ଏକ ବାକ୍ସରେ ବନ୍ଦ ଥିବା ସୁବର୍ଣ୍ଣ ମୁକୁଟ ଦେଖି କୌତୁହଳ ବଶତଃ ଶିରରେ ଧାରଣ କଲେ । ଏହି ମୁକୁଟ ଜରାସନ୍ଧର ଥିଲା । ଜରାସନ୍ଧକୁ ହତ୍ୟା କଲାପରେ ଭୀମ ବିଜୟର ପ୍ରତୀକ ସ୍ବରୂପ ଏହାକୁ ଆଣି ରଖିଥିଲେ । ଜରାସନ୍ଧଙ୍କ ପୁତ୍ର ସହଦେବ ଉତ୍ତରାଧିକାରୀ ସତ୍ତ୍ବରେ ଏହା ଫେରସ୍ତ ଦେବାକୁ ନିବେଦନ କରିଥିଲେ । କିନ୍ତୁ ତାଙ୍କ ପ୍ରାର୍ଥନା ଅଗ୍ରାହ୍ୟ ହୋଇଥିଲା । ଏହି ମୁକୁଟ ଧାରଣା କରିବା କ୍ଷଣି କଳି ତାଙ୍କ ବୁଦ୍ଧିରେ ପ୍ରବେଶ କଲା । ପରିଣାମ ସ୍ବରୂପ ବଣକୁ ମୃଗୟା ପାଇଁ ଯିବାକୁ ତାଙ୍କ ଇଚ୍ଛା ହେଲା ଓ ଏହି ମୁକୁଟ ପିନ୍ଧି ସେ ବଣକୁ ଯିବା ପାଇଁ ବାହାରିଲେ । ଜୀବନରେ ପ୍ରଥମ ଥରପାଇଁ ସେ ଜୀବହତ୍ୟା ପାଇଁ ପ୍ରବୃତ୍ତ ହେଲେ । କଳିର ପ୍ରଭାବ ହେତୁ ଏହି ହତ୍ୟାଜନିତ କୌଣସି ଗ୍ଳାନିବୋଧ ତାଙ୍କର ନଥିଲା । ତେଣୁ ଉତ୍ସାହିତ ହୋଇ ଅନେକ ଜୀବ ହତ୍ୟା କରି ପକାଇଲେ । କ୍ରମେ ସେ କ୍ଳାନ୍ତ ଶ୍ରାନ୍ତ ଓ ତୃଷାର୍ତ୍ତ ହୋଇ ପଡିଲେ । ଶ୍ରମ ଅପନୋଦନ ଓ ତୃଷା ନିବାରଣ ପାଇଁ ସେ ନିକଟବର୍ତ୍ତୀ ଶମିକ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ । ୠଷି ସେତେବେଳେ ସମାଧିସ୍ଥ ଥାଆନ୍ତି । ତେଣୁ ସେ ରାଜାଙ୍କ ଆଗମନ ଜାଣି ପାରିଲେ ନାହିଁ । ଋଷିଙ୍କ ତରଫରୁ କୌଣସି ଆଦର ଅଭ୍ୟର୍ଥନା ନ ପାଇ କଳି ବଶୀଭୂତ ରାଜାଙ୍କ ମନରେ କ୍ରୋଧ ଜାତ ହେଲା ଓ ସେ ସମାଧିସ୍ଥ ଶମୀକଙ୍କ ଗଳାରେ ଏକ ମୃତ ସର୍ପ ଆଣି ହାର ଭଳି ଓହଳାଇ ଦେଇ ଚାଲିଗଲେ । ଶମିକଙ୍କ ପୁତ୍ର ଶୃଙ୍ଗୀ ଯେତେବେଳେ ରାଜାଙ୍କ ଏପରି ଜଘନ୍ୟ କାର୍ଯ୍ୟ ବିଷୟରେ ଅବଗତ ହେଲେ ସେତେବେଳେ ସେ ରାଗିଯାଇ ଅଭିଶାପ ଦେଲେ ଯେ ଆଜିଠାରୁ ସାତ ଦିନ ମଧ୍ୟରେ ପରିକ୍ଷିତ ତକ୍ଷକ ନାଗର ଦଂଶନରେ ମୃତ୍ୟୁ ବରଣ କରିବେ । ରାଜା ଯେତେବେଳେ ଘରକୁ ଫେରି ଆସି ଶିରରୁ ମୁକୁଟ ଓହ୍ଲାଇଛନ୍ତି ତୁରନ୍ତ ତାଙ୍କୁ ସ୍ବକୃତ ପାପ କର୍ମର ଅନୁଭବ ହୋଇଛି । ପରେ ଶୃଙ୍ଗୀଙ୍କ ଶାପ ବୃତ୍ତାନ୍ତ ଶୁଣି ଭାବିଲେ ଯେ ଏହା ତାଙ୍କ ପାପ କର୍ମର ଉଚିତ ଦଣ୍ଡ । ସେ ଗୃହତ୍ୟାଗ କରି ଗଙ୍ଗାନଦୀ ତଟକୁ ଚାଲି ଆସିଲେ । ପ୍ରାୟଶ୍ଚିତ ସ୍ବରୂପ ଅନ୍ନଜଳ ତ୍ୟାଗ କଲେ । ଏହି କଥାନକ ମଧ୍ୟରେ ଥିବା ଆଧ୍ୟାତ୍ମିକ ରହସ୍ୟ ପ୍ରଣିଧାନ ଯୋଗ୍ୟ ।
ଅନ୍ୟକୁ ଯିଏ ଅପମାନିତ କରେ ସେ ନିଜର ହିଁ ଅପମାନ କରେ । ଅନ୍ୟକୁ ଛଳନା କରୁଥିବା ବ୍ୟକ୍ତି ନିଜକୁ ନିଜେ ଛଳନା କରେ । ରାଜା ଶମିକ ଋଷିଙ୍କୁ ଅପମାନ କରିବା ପାଇଁ ତାଙ୍କ ଗଳାରେ ମୃତ ସର୍ପ ସିନା ଓହଳାଇ ଦେଲେ; କିନ୍ତୁ ଏପରି କରି ସେ ନିଜ ଗଳାରେ ଜୀବିତ ସର୍ପକୁ ହିଁ ଓହଳାଇଲେ । ସର୍ପ କାଳର ସ୍ବରୂପ ଅଟେ । ସମସ୍ତ ଇନ୍ଦ୍ରିୟ ବୃତ୍ତିଗୁଡିକୁ ଅନ୍ତର୍ମୁଖ କରି ଈଶ୍ୱରୀୟ ସ୍ମୃତିରେ ମନକୁ ଏକାଗ୍ର କରିବା ଜ୍ଞାନୀ ବ୍ୟକ୍ତିଙ୍କ ପ୍ରତୀକ ହେଉଛନ୍ତି ଋଷି ଶମୀକ । ଏପରି ଜ୍ଞାନୀ ଜୀବର ଗଳାରେ ସର୍ପ ଓହଳାଇବାର ଅର୍ଥ ହେଲା କାଳ ରୂପି ସର୍ପକୁ ଆମନ୍ତ୍ରଣ କରିବା । ଜିତେନ୍ଦ୍ରିୟ ଯୋଗୀ ଆତ୍ମାଙ୍କୁ କାଳ ପ୍ରଭାବିତ କରିପାରେ ନାହିଁ । ରାଜାର ଅର୍ଥ ହେଉଛି ରଜୋଗୁଣ ଯୁକ୍ତ ଭୋଗ ପ୍ରଧାନ ବିଳାସୀ ଜୀବ । ଏପରି ଜୀବକୁ କାଳ ରୂପୀ ସର୍ପ ଦଂଶନ କରେ । ଯେତେବେଳେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ କିଛି ନା କିଛି ଅଶୁଭ କର୍ମ ନିଶ୍ଚୟ ହୋଇଯାଏ । ଯଦି ଏପରି କୌଣସି ପାପକର୍ମ ହୋଇଗଲା ତେବେ ନିଜକୁ ନିଜେ ଦଣ୍ଡ ଦେବା ଉଚିତ । ଭୋଜନ କରିବା ପୂର୍ବରୁ ଚିନ୍ତା କରିବା ଉଚିତ ଯେ ଆଜି ମୋ ହାତରେ କୌଣସି ପାପ କର୍ମ ତ ହୋଇ ନାହିଁ? ଯଦି କୌଣସି ଦିନ ପାପ କର୍ମ ହୋଇଥାଏ ସେ ଦିନ ଅନଶନ କରିବା ଉଚିତ । ତେବେ ଆଉ କେବେ ପାପ ହେବ ନାହିଁ ।
ଈଶ୍ୱରୀୟ ପ୍ରେରଣା କ୍ରମେ ଶୁକଦେବ ପରିକ୍ଷିତଙ୍କୁ ଜ୍ଞାନ ପ୍ରଦାନ କରିବାକୁ ଆସିଲେ । ତାଙ୍କ ପ୍ରତି ଯେଉଁ ବିଶେଷଣ ସବୁ ପ୍ରୟୋଗ କରାଯାଇଛି ତାହା ହେଲା- “ଅନପେକ୍ଷଃ, ନିଜଳାଭିତୁଷ୍ଟୋ, ଅବଧୂତ ବେଶଃ” । ସେ ଦେହ ଅଭିମାନରୁ ମୁକ୍ତ, ଆତ୍ମଜ୍ଞାନୀ ଓ ନିରନ୍ତର ପରମାତ୍ମା ସ୍ମୃତି ଯୁକ୍ତ । କୌଣସି ଦୈହିକ ବୃତ୍ତି ତାଙ୍କ ବୁଦ୍ଧିକୁ କେବେହେଲେ ସ୍ପର୍ଶ କରି ନ ଥିଲା । ପରମାତ୍ମା ମିଳନ ପାଇଁ ତୀବ୍ର ଅଭୀପ୍ସା ଜାଗ୍ରତ ହେଲେ ଏହିପରି ପରମାତ୍ମା ନିଷ୍ଠ ଓ ନିଷ୍କାମ ଗୁରୁ ମିଳନ୍ତି । ପରିକ୍ଷିିତ ଏଭଳି ସୁଯୋଗ୍ୟ ଗୁରୁଙ୍କୁ ପାଇ ଭାବ ବିଭୋର ହୋଇଗଲେ । ସେ ଭାବିଲେ ମୋର ମୁକ୍ତି ପାଇଁ ହିଁ ପରମାତ୍ମା ଏହାଙ୍କୁ ପ୍ରେରଣ କରିଛନ୍ତି । ସେ ଶୁକଦେବଙ୍କ ଚରଣରେ ସାଷ୍ଟାଙ୍କ ପ୍ରଣିପାତ ହୋଇ ନିଜର ପାପ ବୃତ୍ତାନ୍ତ ଶୁଣାଇଲେ । ଆସନ୍ନ ମରଣ ବେଳେ କ’ଣ କରିବା ଉଚିତ? ମନୁଷ୍ୟମାତ୍ରଙ୍କ କର୍ତ୍ତବ୍ଯ କ’ଣ? ଏସବୁ ବିଷୟରେ ତାଙ୍କୁ ଜିଜ୍ଞାସା କରିବାକୁ ଲାଗିଲେ । ଏ ଦୁନିଆରେ ଖୁବ୍ କମ ଲୋକ ନିଜ ପାପ କର୍ମ ସ୍ବୀକାର କରନ୍ତି । ପ୍ରାୟ ସମସ୍ତେ ପାପକୁ ଲୁଚାନ୍ତି ଓ ସାମାନ୍ୟ କିଛି ଭଲ କାମ କରିଥିଲେ ତାକୁ ବିସ୍ତାର କରି ଶୁଣାନ୍ତି । ପାପ କର୍ମ ଲୁଚାଇବା ଓ ପୁଣ୍ୟ କର୍ମ ପ୍ରକଟ କରିବା ଉଚିତ ନୁହେଁ । ଉପଯୁକ୍ତ ଲୋକଙ୍କ ସମ୍ମୁଖରେ ନିଜ ପାପ କର୍ମ ସ୍ବୀକାର କରିବା ଦ୍ୱାରା ଏପରି କୁଅଭ୍ୟାସରୁ ମୁକ୍ତି ମିଳେ ।
ପରିକ୍ଷିତଙ୍କ ପଶ୍ଚାତ୍ତାପ ଓ ଭଗବତ୍ ପ୍ରୀତି ଦେଖି ଶୁକଦେବ ପ୍ରସନ୍ନ ହେଲେ ଓ କହିଲେ, “ହେ ରାଜନ୍? ଯେଉଁ ସମୟ ବିତିଯାଇଛି, ତାକୁ ସ୍ମରଣ କରିବା ଅନାବଶ୍ୟକ । ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତାକର ନାହିଁ । କେବଳ ବର୍ତ୍ତମାନକୁ ସୁଧାରିବା ପାଇଁ ଲାଗିଯାଅ । ସାତ ଦିନ ବାକି ଅଛି । ପରମ ପ୍ରିୟ ପରମାତ୍ମାଙ୍କ ସତତ ଚିନ୍ତନରେ ମନକୁ ବ୍ୟସ୍ତ ରଖ” ।
ଲୌକିକ ରସ ଭୋଗ କରୁଥିବା ଭୋଗୀକୁ ପ୍ରେମ ରସ ମିଳେ ନାହିଁ; ଭକ୍ତି ରସ ମଧ୍ୟ ମିଳେ ନାହିଁ । ଯିଏ କାମକୁ ତ୍ୟାଗ କରିଛି; ସେହିଁ ପ୍ରକୃତ ରସିକ । ଏ ସଂସାରର ବିଷୟ ରସ ବଡ ତିକ୍ତ ଓ କଟୁ ସ୍ବାଦ ଯୁକ୍ତ । ପ୍ରେମ ରସ ହିଁ ମଧୁର ।
🌹🌹🌹🌹🌹🌹🌹🌹🌹
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-
9437210296, 7609969796
🌹🌹🌹🌹🌹🌹🌹🌹🌹
Comments
Post a Comment