ଜ୍ଞାନ ନିର୍ଝର (୨)**** ଆଧ୍ୟାତ୍ମିକ ଚେତନା ବିକାଶର ଉପାୟ
ଜ୍ଞାନ ନିର୍ଝର (୨)
ଆଧ୍ୟାତ୍ମିକ ଚେତନା ବିକାଶର ଉପାୟ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର,ପାଟଣାଗଡ
ମାନବୀୟ ଚେତନା ଦୁଇ ପ୍ରକାରର; ଆଧ୍ୟାତ୍ମିକ ଓ ଭୌତିକ । ଆଧ୍ୟାତ୍ମିକ ଚେତନାଯୁକ୍ତ ବ୍ୟକ୍ତି ସକାରାତ୍ମକ ମନୋବୃତ୍ତି ସମ୍ପନ୍ନ, ଆତ୍ମା ସଚେତନ, ଈଶ୍ୱର ପରାୟଣ ଓ ସାତ୍ତ୍ଵିକ ଅଟନ୍ତି । ଅପର ପକ୍ଷରେ ଭୌତିକ ଚେତନାଯୁକ୍ତ ବ୍ୟକ୍ତି ନକାରାତ୍ମକ ମନୋବୃତ୍ତି ସମ୍ପନ୍ନ, ଦେହ ସର୍ବସ୍ବ, ଭୋଗ ପରାୟଣ, ରାଜସିକ କିମ୍ବା ତାମସିକ ଗୁଣଯୁକ୍ତ ଅଟନ୍ତି ।
ସଂପ୍ରତି ଆମ ଦେଶରେ ଭ୍ରଷ୍ଟାଚାର ବିରୋଧରେ ସର୍ବତ୍ର ସତ୍ୟାଗ୍ରହ ଅଭିଯାନ ଚାଲିଛି । ଭ୍ରଷ୍ଟାଚାର ରୋକିବା ପାଇଁ କଡାକଡି ଆଇନ ପ୍ରଣୟନ ଉପରେ ଦାବୀ ହେଉଛି । ଏହା ଦ୍ୱାରା ହୁଏତ ଭ୍ରଷ୍ଟାଚାର କିଛି ପରିମାଣରେ ହ୍ରାସ ହୋଇପାରେ, କିନ୍ତୁ ସମ୍ପୂର୍ଣ୍ଣ ନିର୍ମୂଳ କରାଯାଇ ପାରିବ ନାହିଁ । ମଣିଷର ଲୋଭ ପ୍ରବୃତ୍ତି ହେଉଛି ଭ୍ରଷ୍ଟାଚାରର ମୂଳ କାରଣ । ଭୌତିକ ଚେତନା ମଣିଷ ମଧ୍ୟରେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ଆଦି ମନୋବିକାର ସୃଷ୍ଟି କରେ । ଏଗୁଡିକ ମନୁଷ୍ୟର ଆଚାର ଓ ବ୍ୟବହାରକୁ ଭ୍ରଷ୍ଟ କରେ । ଆଧ୍ୟାତ୍ମିକ ଚେତନା ମନୁଷ୍ୟ ମଧ୍ୟରେ ଦୈବୀଗୁଣାବଳୀର ବିକାଶ କରେ । ତେଣୁ ଭ୍ରଷ୍ଟାଚାରର ଉନ୍ମୁଳନ ପାଇଁ ଆଧ୍ୟାତ୍ମିକ ଚେତନାର ବିକାଶ ଏକାନ୍ତ ଅପରିହାର୍ଯ୍ୟ । ଏଥିପାଇଁ କ୍ରାନ୍ତିକାରୀ ପଦକ୍ଷେପ ନେବା ଆବଶ୍ୟକ । ଏହି ଭୌତିକ ସଂସାରରେ ଆତ୍ମା ଓ ପରମାତ୍ମା ହିଁ ଏକମାତ୍ର ସତ୍ୟ । ଏହା ବ୍ୟତୀତ ବାକି ସବୁ ଅସତ୍ୟ । ଯାହା ଚିରନ୍ତନ, ଅପରିବର୍ତ୍ତନୀୟ ତାହା ହିଁ ସତ୍ୟ । ଆତ୍ମା ଓ ପରମାତ୍ମା ଉଭୟେ ଅଜର, ଅମର, ଶାଶ୍ୱତ, ଅବିନାଶୀ ଓ ଅପରିବର୍ତ୍ତନୀୟ ଅଟନ୍ତି । ତେଣୁ ଏହି ଦୁଇଟି ସତ୍ୟ । ଏହି ସତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ହେଉଛି ପ୍ରକୃତ “ସତ୍ୟାଗ୍ରହ” । ଏହା ଆଧ୍ୟାତ୍ମିକ ଚେତନା ବିକାଶର ମାର୍ଗକୁ କୁସୁମିତ କରେ ।
“ସତ୍ୟାଗ୍ରହ” ପାଳନ ବେଳେ ଅନଶନକୁ ବିଶେଷ ଗୁରୁତ୍ୱ ଦିଆଯାଏ । “ଅଶନ”ର ଅର୍ଥ ଖାଦ୍ୟ ବା ଭୋଜନ । ଏହାର ତ୍ୟାଗକୁ ଅନଶନ କୁହାଯାଏ । ଏହାଦ୍ୱାରା ଆତ୍ମାଶୁଦ୍ଧି ହୁଏ ବୋଲି ସତ୍ୟାଗ୍ରହୀମାନେ ବିଶ୍ୱାସ କରନ୍ତି । ଅନ୍ନର ସୂକ୍ଷ୍ମ ପ୍ରଭାବ ମନ ଉପରେ ପଡେ । ତେଣୁ ଅନ୍ନତ୍ୟାଗ ଦ୍ୱାରା ମନର ସଂଯମ ଶକ୍ତି ବଢେ । କିନ୍ତୁ ଅନ୍ନମୟ କୋଷରେ ଗଢ଼ା ଏ ଶରୀର କେତେ ଦିନ ଅନ୍ନ ବିନା ବଞ୍ଚିପାରିବ? ଜନ୍ମ ଜନ୍ମାନ୍ତରରେ ଅସତ୍ କର୍ମର ପରିଣାମ ସ୍ବରୂପ ଆତ୍ମା ବିକାରରୂପୀ ମଳ ଦ୍ୱାରା ଅଶୁଦ୍ଧ ହୋଇଯାଇଛି । କେବଳ ସ୍ଥୂଳ ଭୋଜନ ତ୍ୟାଗ ଦ୍ୱାରା ଏହାର ସଂପୂର୍ଣ୍ଣ ଶୁଦ୍ଧିକରଣ ସମ୍ଭବ ନୁହେଁ । ଅସତ୍କର୍ମର ତ୍ୟାଗ ଓ ସତ୍କର୍ମର ଆଚରଣ ସହିତ ଦେହାଭିମାନ ତ୍ୟାଗ ପୂର୍ବକ ମନକୁ ସତତ ପରମାତ୍ମା ସ୍ମରଣରେ ନିଯୁକ୍ତ କରିବା ଦ୍ୱାରା ଆତ୍ମା କ୍ରମଶଃ ଶୁଦ୍ଧ ହୁଏ । ମନର ଭୋଜନ ହେଉଛି ସଂକଳ୍ପ । ଅଶୁଦ୍ଧ ସଂକଳ୍ପ ମନକୁ ଦୂଷିତ କରେ । ଶୁଦ୍ଧ ସଂକଳ୍ପ ମନକୁ ପବିତ୍ର ଓ ଶକ୍ତିଶାଳୀ କରେ । ଅଶୁଦ୍ଧ ସଂକଳ୍ପ ସହିତ ବିଷୟ ଭୋଗ ପ୍ରତି ଆସକ୍ତିର ତ୍ୟାଗ ହେଉଛି ପ୍ରକୃତ ଅନଶନ । ଶୋଷଣ ମୁକ୍ତ, ଭ୍ରଷ୍ଟାଚାର ରହିତ, ସୁଖମୟ ଓ ସମୃଦ୍ଧ ସଂସାର ନିର୍ମାଣ ପାଇଁ ସତ୍ୟାଗ୍ରହ ଓ ଅନଶନର ଯଥାର୍ଥ ଅର୍ଥବୋଧ ଏକାନ୍ତ ଆବଶ୍ୟକ ।
ଆଧ୍ୟାତ୍ମିକତାକୁ ପ୍ରକାଶ ଓ ଭୌତିକତାକୁ ଅନ୍ଧକାର ସହିତ ତୁଳନା କରାଯାଇପାରେ । ଯଥାର୍ଥ ଦୃଷ୍ଟିରେ ଅନ୍ଧକାରର କୌଣସି ଅସ୍ତିତ୍ୱ ନାହିଁ । ପ୍ରକାଶର ଅଭାବ ହେଉଛି ଅନ୍ଧକାର । ସେହିପରି ଆଧ୍ୟାତ୍ମିକତାର ଅଭାବ ହେଉଛି ଭୌତିକତା । ଶରୀର ଓ ସଂସାର ବିନାଶୀ ଓ ପରିବର୍ତ୍ତନଶୀଳ ହୋଇଥିବାରୁ ଅସତ୍ୟ । ମନୁଷ୍ୟ ଯେତେବେଳେ ସ୍ବୀୟ ଆତ୍ମିକ ଅସ୍ତିତ୍ୱକୁ ଭୁଲିଯାଏ ସେତେବେଳେ ତା’ ମଧ୍ୟରେ ସତ୍ୟତାର ଅଭାବ ହୁଏ । କାରଣ ଶରୀର ମଧ୍ୟରେ ଆତ୍ମା ହିଁ ଏକମାତ୍ର ଆଧ୍ୟାତ୍ମିକ ସତ୍ୟ
। ଏହା ସତ୍ୟ, ଚିରନ୍ତନ ଓ ଅପରିବର୍ତ୍ତନୀୟ । ଏହାର କେବେ ଅଭାବ ହୁଏ ନାହିଁ । କଳାମେଘ ଉହାଡରେ ସୂର୍ଯ୍ୟ ଲୁଚିଗଲା ପରି ଅଜ୍ଞାନାନ୍ଧକାର ଦ୍ୱାରା ଆତ୍ମା, ମନୁଷ୍ୟର ବୋଧଗମ୍ୟ ହୁଏ ନାହିଁ । ଏହାଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତି କ୍ଷୀଣ ହୋଇଯାଏ । ପରିଣାମ ସ୍ବରୂପ ସେ କାମ କ୍ରୋଧାଦି ଦ୍ୱାରା ପୀଡିତ ହୋଇ ଦୁଃଖି ହୁଏ । କେବଳ ଆଧ୍ୟାତ୍ମିକ ସଶକ୍ତିକରଣ ଦ୍ୱାରା ଏକ ସୁଖ, ଶାନ୍ତି, ପବିତ୍ର ଓ ସମୃଦ୍ଧ ସଂସାର ନିର୍ମାଣ ସମ୍ଭବ ।
ଉପର୍ଯୁ୍କ୍ତ ପରିପ୍ରେକ୍ଷୀରେ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଏହି ଆଧ୍ୟାତ୍ମିକ ଶକ୍ତି କ’ଣ ଏବଂ ଏହା କେଉଁ ପ୍ରକାରେ ପ୍ରାପ୍ତ କରାଯାଇ ପାରେ? ଆଧ୍ୟାତ୍ମିକ ଶକ୍ତିକୁ ନିମ୍ନ ପ୍ରକାରେ ନାମିତ କରାଯାଇ ପାରେ, ଯଥା : ବିବେକ ଶକ୍ତି, ଜ୍ଞାନ ଶକ୍ତି, ଯୋଗ ଶକ୍ତି, ଧର୍ମ ଶକ୍ତି ଇତ୍ୟାଦି । ଯଥାର୍ଥ ଜ୍ଞାନ ମନୁଷ୍ୟକୁ ସତ୍ୟର ଦର୍ଶନ କରାଏ । ସତ୍ୟଦର୍ଶୀ ବ୍ୟକ୍ତି ଭଲ-ମନ୍ଦର ଭେଦ ନିର୍ଣ୍ଣୟ କରିପାରେ । ଏହି ନିର୍ଣ୍ଣୟ କରିପାରିବାର ସାମର୍ଥ୍ୟକୁ ବିବେକ ଶକ୍ତି କୁହାଯାଏ । ତେଣୁ ଜ୍ଞାନ ହେଉଛି ବିବେକର ପର୍ଯ୍ୟାୟବାଚୀ ଶବ୍ଦ । ଜ୍ଞାନଦ୍ୱାରା ପରମାତ୍ମାଙ୍କ ଯଥାର୍ଥ ପରିଚୟ ମିଳେ । ଏହାଦ୍ୱାରା ସେ ପରମାତ୍ମାଙ୍କ ସହିତ ସହଜରେ ଯୋଗଯୁକ୍ତ ହୋଇପାରେ । ଯୋଗ ମଣିଷକୁ ଅଧର୍ମ ମାର୍ଗରୁ ନିବୃତ୍ତ କରି ଧର୍ମ ମାର୍ଗରେ ପରିଚାଳିତ କରେ । ପରମାତ୍ମା ହେଉଛନ୍ତି ସମସ୍ତ ଆଧ୍ୟାତ୍ମିକ ଶକ୍ତିର ମହାସାଗର । ତାଙ୍କ ସହିତ ମନ-ବୁଦ୍ଧିକୁ ଯୁକ୍ତ କଲେ ମଣିଷ ଜ୍ଞାନ, ଯୋଗ, ପବିତ୍ରତା ଲାଭ କରେ ଏବଂ ଧର୍ମ ମାର୍ଗରେ ଦୃଢ଼ତା ପୂର୍ବକ ଚାଲିପାରେ । କାରଣ ଆଧ୍ୟାତ୍ମିକ ଶକ୍ତି ବିନା ଧର୍ମ ବା ସତ୍ ମାର୍ଗରେ ଅଗ୍ରସର ହେବା ସମ୍ଭବ ନୁହେଁ ।
ଉପରୋକ୍ତ ଆଲୋଚନାରୁ ଏକଥା ସ୍ପଷ୍ଟ ହୁଏ ଯେ ଜ୍ଞାନ ହିଁ ହେଉଛି ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତିର ମୂଳକାରଣ । ଜ୍ଞାନ ମନୁଷ୍ୟକୁ ଶକ୍ତିମାନ ତଥା ବ୍ୟବହାର ଏବଂ କର୍ମକୁଶଳୀ କରେ । ଜ୍ଞାନ ପ୍ରକାଶ ଦ୍ୱାରା ଅଜ୍ଞାନ ତିମିର ତିରୋହିତ ହୋଇପାରେ । ଜ୍ଞାନ ଆମକୁ ଆତ୍ମା, ପରମାତ୍ମା ଓ ସୃଷ୍ଟିର ଯଥାର୍ଥ ପରିଚୟ ଦିଏ । କର୍ମର ସ୍ବରୂପ ଓ ପରିଣାମ ବିଷୟରେ ଜ୍ଞାନ ମନୁଷ୍ୟକୁ ଅସତକର୍ମରୁ ନିବୃତ୍ତ ଏବଂ ସତ୍ୟ କର୍ମରେ ପ୍ରବୃତ୍ତ କରେ । କେବଳ ଜାଣିବାର ନାମ ଜ୍ଞାନ ନୁହେଁ । କୌଣସି ବିଷୟରେ ପ୍ରାପ୍ତ ସୂଚନାକୁ ପ୍ରୟୋଗ କରିବାର ନାମ ଜ୍ଞାନ । ଉଦାହରଣ ସ୍ବରୂପ ଆମକୁ ସୂଚନା ମିଳିଲା ଯେ ଆମେ ଗନ୍ତବ୍ୟ ପଥର କିଛି ଆଗକୁ ବିପଦ ଅଛି । ଏକଥା ଜାଣିଲା ପରେ ମଧ୍ୟ ଯଦି ଆମେ ଅହଂକାର ବଶତଃ ଆଗକୁ ଗତି କରିବା ବା ସୂଚନାର ସତ୍ୟାସତ୍ୟ ପରୀକ୍ଷା ନକରି ଉପେକ୍ଷା କରିବା ତେବେ ଆମକୁ କ’ଣ ଜ୍ଞାନୀ କୁହାଯିବ? ସତ୍ୟ ଜ୍ଞାନ ମନୁଷ୍ୟକୁ ସଫଳତାର ସର୍ବୋଚ୍ଚ ଶିଖରରେ ପହଞ୍ଚାଏ ।
ପରମାତ୍ମାଙ୍କ ସମ୍ବନ୍ଧରେ ଯଥାର୍ଥ ଜ୍ଞାନର ଅଭାବ ହେତୁ ତାଙ୍କୁ କେନ୍ଦ୍ର କରି ଅନେକ ଧର୍ମ ସଂପ୍ରଦାୟ ଗଢ଼ି ଉଠିଛି । ସମସ୍ତେ ଏହ ସର୍ବୋଚ୍ଚ ସତ୍ତାର ଅସ୍ତିତ୍ୱକୁ ସ୍ବୀକାର କରୁଥିଲେ ମଧ୍ୟ ତାଙ୍କର ନାମ, ରୂପ, ଗୁଣ, ଧାମ ଓ ଧରାବତରଣର ସମୟ ଓ କର୍ତ୍ତବ୍ଯ ନେଇ ବିଭିନ୍ନ ମତ ପୋଷଣ କରୁଥିବାରୁ ସେମାନଙ୍କର ଅନୁଯାୟୀଗଣ କଠିନ ପୁରୁଷାର୍ଥ କରି ମଧ୍ୟ ଇପ୍ସିତ ଫଳ ପାଆନ୍ତି ନାହିଁ । ଏପରି ସ୍ଥଳେ ସାଧାରଣ ମନୁଷ୍ୟଙ୍କ କଥା କ’ଣ କହିବା? ଯଥାର୍ଥ ଜ୍ଞାନର ଅଭାବ ହେତୁ ମନୁଷ୍ୟ ମଧ୍ୟରେ ଅଧ୍ୟାତ୍ମିକ ଚେତନାର ବିକାଶ ହୋଇପାରେ ନାହିଁ । ପରିଣାମ ସ୍ବରୂପ ସେ ଦେହ ସର୍ବସ୍ବ ହୋଇ ବିଷୟ ଭୋଗକୁ ହିଁ ଜୀବନର ଏକମାତ୍ର ଧ୍ୟେୟ ମନେ କରେ । ପରମାତ୍ମା ଇନ୍ଦ୍ରିୟାତୀତ । ତାଙ୍କୁ ଯଥାର୍ଥ ଭାବରେ ଜାଣିବାକୁ ହେଲେ ଦେହାଭିମାନ (Bodyconsciousness) ତ୍ୟାଗ କରିବା ଆବଶ୍ୟକ । ପରମାତ୍ମାଙ୍କ ସହିତ କେବଳ ମନୋମିଳନ ହିଁ ସମ୍ଭବ । ତେଣୁ ଦେହର ବନ୍ଧନରୁ ଆତ୍ମା ମୁକ୍ତ ନହେଲା ପର୍ଯ୍ୟନ୍ତ ପରମାତ୍ମା ମିଳନ ସମ୍ଭବ ନୁହେଁ ।
ପରମାତ୍ମା ହେଉଛନ୍ତି ସକଳ ଆଧ୍ୟାତ୍ମିକ ଜ୍ଞାନର ଆଧାର । ବିଶୁଦ୍ଧ ଈଶ୍ୱରୀୟ ଜ୍ଞାନ ମନୁଷ୍ୟକୁ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରେ । କାଳକ୍ରମେ ଏହି ଜ୍ଞାନ ବିଲୁପ୍ତ ହୋଇଯାଇଛି । ଯଥାର୍ଥ ଈଶ୍ୱରୀୟ ଜ୍ଞାନ ବା ମତର ଅଭାବରେ ବ୍ୟକ୍ତି ଈଶ୍ୱରୀୟ ମାର୍ଗରୁ ଓହରିଯାଇ ମନୁଷ୍ୟ ପ୍ରତିଷ୍ଠିତ ମତ ବା ମାର୍ଗର ଅନୁସରଣ କରେ । ଏହା ଆତ୍ମ ବିସ୍ମୃତିର ମୂଳ କାରଣ । ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ଏକ ଆଧ୍ୟାତ୍ମିକ ସତ୍ତା ହୋଇଥିବାରୁ ତା’ ମଧ୍ୟରେ ଈଶ୍ୱରୀୟ ଜ୍ଞାନ ଓ ଗୁଣ ସନ୍ନିହିତ ଥାଏ । କିନ୍ତୁ ଆତ୍ମା ଜନ୍ମ-ମୃତ୍ୟୁ ଚକ୍ରରେ ଆବର୍ତ୍ତିତ ହୋଇ ସ୍ବ ସ୍ବରୂପ ବିସ୍ମୃତ ହୋଇଥାଏ । ଦେହାଭିମାନ ତ୍ୟାଗ ଓ ଆତ୍ମା ସଚେତନତାର ନିରନ୍ତର ଅଭ୍ୟାସ ଦ୍ୱାରା ବ୍ୟକ୍ତିର ସ୍ବ ସ୍ମୃତି ଜାଗ୍ରତ ହୁଏ । ଯଥାର୍ଥ ଜ୍ଞାନର ମନନ ଦ୍ୱାରା ମନର ମଳ ପରିଷ୍କାର ହୁଏ ଓ ଆଧ୍ୟାତ୍ମିକ ଶକ୍ତିର ସ୍ଫୁରଣ ହୁଏ । ମନନର ଅନ୍ତିମ ଅବସ୍ଥା ହେଉଛି ଯୋଗ । ତେଣୁ ମନନଶୀଳ ବ୍ୟକ୍ତିକୁ ମୁନି ବା ଯୋଗୀ କୁହାଯାଏ । ମନନ ଶକ୍ତିର ଉପଯୋଗ କରି ପ୍ରାଚୀନ ମୁନି ଋଷିଗଣ ଅନେକ ପୌରାଣିକ ଓ ଆଧ୍ୟାତ୍ମିକ ଗ୍ରନ୍ଥ ସମୂହ ରଚନା କରିଛନ୍ତି । ଗୁରୁ ପରମ୍ପରା କ୍ରମେ ସେମାନେ ଭିନ୍ନ ଭିନ୍ନ ମତ ଓ ପନ୍ଥର ଅନୁସରଣ କରିଥିବା ହେତୁ ସେମାନଙ୍କ ମଧ୍ୟରେ ମତ ଭିନ୍ନତା ଦେଖିବାକୁ ମିଳେ । ସେମାନଙ୍କ ରଚିତ ଗ୍ରନ୍ଥ ସମୂହରେ ଯେଉଁ ଜ୍ଞାନ ନିର୍ବିବାଦୀୟ, ସର୍ବଜନ ଗ୍ରାହ୍ୟ ଓ ଆଧ୍ୟାତ୍ମିକ ମୂଲ୍ୟ ଉପରେ ପର୍ଯ୍ୟବସିତ ତାହାକୁ ବିଶୁଦ୍ଧ ଈଶ୍ୱରୀୟ ଜ୍ଞାନ ବୋଲି ଗ୍ରହଣ କରାଯାଇ ପାରେ । ଅନ୍ୟ ଯେଉଁ ବିଷୟ କ୍ଳିଷ୍ଟ, ଦୁର୍ବୋଧ୍ୟ, ବିବାଦୀୟ ଓ ନିର୍ଦ୍ଦିଷ୍ଟ ଧାର୍ମିକ ସଂପ୍ରଦାୟ ପାଇଁ ଉଦ୍ଧିଷ୍ଟ ତାହା ସେମାନଙ୍କ ପାରମ୍ପାରିକ ବୌଦ୍ଧିକ ଚିନ୍ତନର ପରିଣାମ ଅଟେ ।
ଉପରୋକ୍ତ ପରିପ୍ରେକ୍ଷୀରେ କେତେକ ଆଧ୍ୟାତ୍ମିକ ଜ୍ଞାନ ବିନ୍ଦୁ ଉପରେ ଆଲୋଚନା ପ୍ରାସଙ୍ଗିକ ମନେ ହୁଏ । ଏଥିରୁ ଜଣେ ଜାଣି ପାରିବ ଯେ ଜ୍ଞାନ ଦ୍ୱାରା କିପରି ଶକ୍ତି ପ୍ରାପ୍ତ ହୁଏ । ନିମ୍ନରେ କେତେକ ଆଧ୍ୟାତ୍ମିକ ବିନ୍ଦୁ ଦୃଷ୍ଟାନ୍ତ ସ୍ବରୂପ ଉଲ୍ଲେଖ କରାଯାଇଛି ।
(୧) ମୋର ଶରୀର କହୁଥିବା ଅଦୃଶ୍ୟ ‘ମୁଁ’ ଟି ଶରୀରଠାରୁ ଭିନ୍ନ ଏକ ସତ୍ତା । ତେଣୁ ମୁଁ ଶରୀର ନୁହେଁ । ‘ମୁଁ’ ଏକ ଅଦୃଶ୍ୟ ସତ୍ତା ଯିଏ କି ଏ ଶରୀରକୁ ସକ୍ରିୟ କରେ ଓ ନିଜ ଇଚ୍ଛା ଅନୁସାରେ ଚଳାଏ । ‘ମୁଁ’ ଏ ଶରୀର ତ୍ୟାଗ କଲେ ଏହା ଅଦରକାରୀ ହୋଇଯାଏ ଓ କାଳକ୍ରମେ ପଚିସଢ଼ି ଦୁର୍ଗନ୍ଧ ଜାତ କରେ । ଏ ଶରୀରର ମୃତୁ୍ୟପରେ ମଧ୍ୟ ମୋର ଅସ୍ତିତ୍ୱ ଯଥାବତ୍ ରହେ । ଅନ୍ୟ ଶରୀର ଧାରଣ କରି ‘ମୁଁ’ ମୋର ପୂର୍ବ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରେ । ‘ମୁଁ’ ଏକ ଆଧ୍ୟାତ୍ମିକ ସତ୍ତା ଓ ଆତ୍ମା ନାମରେ କଥିତ ।
(୨) ଏ ସଂସାର ହେଉଛି ଏକ ରଙ୍ଗମଞ୍ଚ । ଏଠାରେ ପ୍ରତ୍ୟେକ ଶରୀରଧାରୀ ଜଣେ ଲେଖାଏଁ ଅଭିନୟକାରୀ । ପ୍ରତ୍ୟେକଙ୍କ ଅଭିନୟ ପୂର୍ବ ନିର୍ଦ୍ଦିଷ୍ଟ । ନିଜ ନିଜ ଅଭିନୟ ସମାପ୍ତ ହେଲେ ସେମାନେ ଫେରି ଯାଆନ୍ତି ନିଜ ମୂଳ ବାସସ୍ଥାନକୁ ।
(୩) ପ୍ରତ୍ୟେକ ଜୀବାତ୍ମା ହେଉଛନ୍ତି ସର୍ବୋଚ୍ଚ ସତ୍ତା ପରମାତ୍ମାଙ୍କ ଆତ୍ମିକ ସନ୍ତାନ । ତେଣୁ ଆମେ ପ୍ରତ୍ୟେକ ପରସ୍ପର ଭାଇ ଭାଇ । ପରମାତ୍ମା ସମସ୍ତ ଆଧ୍ୟାତ୍ମିକ ଜ୍ଞାନ ଗୁଣର ମହା ସାଗର । ତାଙ୍କୁ ଯଥାର୍ଥ ସ୍ବରୂପରେ ଜାଣି ନିରନ୍ତନ ସ୍ମରଣ କଲେ ତାଙ୍କ ନିକଟରେ ଥିବା ଜ୍ଞାନ ଓ ଗୁଣ ସ୍ବତଃ ପ୍ରାପ୍ତ ହୁଏ ।
ଏହିପରି ଆଧ୍ୟାତ୍ମିକ ଜ୍ଞାନର ଚିନ୍ତନ ଓ ମନନ ଦ୍ୱାରା ଆତ୍ମା ମଧ୍ୟରେ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଶକ୍ତି ଉତ୍ପନ୍ନ ହୁଏ ଓ କ୍ରମଶଃ ତା’ର ଆଧ୍ୟାତ୍ମିକ ଚେତନାର ବିକାଶ ହୁଏ । ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଆତ୍ମା ନିଜ ଇନ୍ଦ୍ରିୟ ସମୂହକୁ ନିୟନ୍ତ୍ରଣ କରିପାରେ; କର୍ତ୍ତବ୍ୟାକର୍ତ୍ତବ୍ଯ ବିବେଚନା କରି ଅକର୍ତ୍ତବ୍ୟକୁ ପରିହାର ପୂର୍ବକ କର୍ତ୍ତବ୍ଯ ମାର୍ଗରେ ଅଗ୍ରସର ହେବାକୁ ପ୍ରେରଣା ଏବଂ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବାପାଇଁ ବୋଧ ଶକ୍ତି ପାଏ । ଜ୍ଞାନକୁ ପ୍ରକାଶ ଓ ଶକ୍ତି ସହିତ ତୁଳନା କରାଯାଏ । Knowledge is light and might କାରଣ ଜ୍ଞାନ ପୁରୁଷାର୍ଥ ମାର୍ଗକୁ ଆଲୋକିତ ଏବଂ ଆଗତ ସମସ୍ତ ପ୍ରତିରୋଧଗୁଡ଼ିକୁ ପ୍ରତିହତ କରି ଈଶ୍ୱର ପ୍ରାପ୍ତି ପଥରେ ଅଗ୍ରସର ହେବାପାଇଁ ଶକ୍ତି ପ୍ରଦାନ କରେ । ଏହି ଜ୍ଞାନ କେବଳ ସର୍ବୋଚ୍ଚ ସତ୍ତା ପରମାତ୍ମାଙ୍କ ସହିତ ମନୋମିଳନ ଦ୍ୱାରା ହିଁ ପ୍ରାପ୍ତ ହୁଏ ।
ଆଧ୍ୟାତ୍ମିକ ଶକ୍ତିମାନଙ୍କ ମଧ୍ୟରୁ “ପବିତ୍ରତା” ହେଉଛି ଏକ ପ୍ରମୁଖ ଶକ୍ତି । ପବିତ୍ର ବ୍ୟକ୍ତିର ପ୍ରଭାବ ସହଜରେ ଅନ୍ୟମାନଙ୍କ ଉପରେ ପଡେ । ଅପବିତ୍ର ମନୁଷ୍ୟ ସର୍ବଦା ଦ୍ୱନ୍ଦାତ୍ମକ ସ୍ଥିତିରେ ରହେ । ଅପବିତ୍ର କର୍ମହେତୁ ତା’ ମନରେ ସର୍ବଦା ଭୟ ଓ ପୀଡା ରହେ । “ପାପଃ ଭୟସ୍ୟ କାରଣଂ” । ପବିତ୍ର ମନୁଷ୍ୟ ସଦା ନିର୍ଭୟ, ନିଶ୍ଚିନ୍ତ, ସ୍ଥିର ଓ ଏକାଗ୍ର ଚିତ୍ତ ଅଟନ୍ତି । କାମ-କ୍ରୋଧାଦି ମନୋବିକାର ସମୂହ ଦ୍ୱାରା ବାରମ୍ବାର ଅକ୍ରାନ୍ତ ହେବା ଦ୍ୱାରା ଅପବିତ୍ର ବ୍ୟକ୍ତିର ଆତ୍ମିକ ଶକ୍ତି କ୍ଷୀଣ ହୋଇଯାଏ । ତାଙ୍କର ବିବେକ ଶକ୍ତି ନଷ୍ଟ ହୋଇଯାଏ । ତେଣୁ ସେ ଉଚିତ୍ ନିର୍ଣ୍ଣୟ ନେବାରେ ଅସମର୍ଥ ହୁଅନ୍ତି । ଯେଉଁଠି ପବିତ୍ରତା ଥାଏ ସେଇଠି ସୁଖଶାନ୍ତି ପ୍ରେମ, ଆନନ୍ଦ ଆଦି ଆଧ୍ୟାତ୍ମିକ ଶକ୍ତିଗୁଡିକର ସ୍ବତଃ ସମାବେଶ ହୁଏ । ଏଥିପାଇଁ କୁହାଯାଏ, ପବିତ୍ରତା ହିଁ ସୁଖ-ଶାନ୍ତିର ଜନନୀ । ପବିତ୍ରତା ମଧ୍ୟରେ ଅଦ୍ଭୁତ ଶକ୍ତି ସମାହିତ ଥାଏ । ବ୍ୟବହାରିକ ଜୀବନରେ ଦେଖାଯାଏ ଯେ କ୍ରୋଧ ପ୍ରକାଶ କରି ଯେଉଁ କାମ ସହଜରେ ହାସଲ କରି ହୁଏ ନାହିଁ, ପ୍ରେମ ଓ ନମ୍ରତା ଦ୍ୱାରା ଅନାୟାସରେ ତାହା ହୋଇପାରେ । ପରମାତ୍ମା ପରମ ପବିତ୍ର ଓ ପ୍ରେମର ସାଗର ଅଟନ୍ତି । ତେଣୁ ତାଙ୍କୁ ସ୍ମରଣ କଲେ ବ୍ୟକ୍ତି ଶାନ୍ତି ଓ ଶକ୍ତି ପ୍ରାପ୍ତ ହୁଏ । ବ୍ୟକ୍ତି ଯାହାକୁ ପ୍ରେମ କରେ ତା’ ପାଇଁ ସବୁ କିଛି ତ୍ୟାଗ କରିବା ପାଇଁ ପଶ୍ଚାତପଦ ହୁଏ ନାହିଁ । ଅନ୍ୟ ପକ୍ଷରେ କ୍ରୋଧୀ ମନୁଷ୍ୟର ପାଖ କେହି ମାଡନ୍ତି ନାହିଁ । ପ୍ରେମର ଆକର୍ଷଣ ଶକ୍ତି ପ୍ରଖର । ବିନାଶ ଶକ୍ତି ଅପେକ୍ଷା ନିର୍ମାଣ ଶକ୍ତି ଅଧିକ ଅଟେ । କୌଣସି ନିର୍ମିତ ଗୃହ ଭାଙ୍ଗିବା ପାଇଁ କମ ଶକ୍ତି ଲାଗେ କିନ୍ତୁ ତାର ନିର୍ମାଣ ପାଇଁ ଅଧିକ ଶକ୍ତିର ଆବଶ୍ୟକତା ହୁଏ ।
ନକାରାତ୍ମକ ଶକ୍ତି ଉପରେ ସର୍ବଦା ସକାରାତ୍ମକ ଶକ୍ତି ବିଜୟ ପ୍ରାପ୍ତ କରିଥାଏ । ଏ ଉଭୟ ଶକ୍ତିର ସଂଘର୍ଷକୁ ପୌରାଣିକ ଗ୍ରନ୍ଥମାନଙ୍କରେ ଦେବାସୁର ସଂଗ୍ରାମ ରୂପେ ଚିତ୍ରଣ କରାଯାଇଛି । ଆସୁରୀ ଶକ୍ତି ଯେତେ ପ୍ରଚଣ୍ଡ ହେଉନା କାହିଁକି ସର୍ବଦା ଦୈବୀ ଶକ୍ତି ସମ୍ମୁଖରେ ପରାହତ ହୋଇଛି । କ୍ରୋଧ ଶକ୍ତି, ଶାନ୍ତି ଶକ୍ତି ଦ୍ୱାରା ନିଷ୍କ୍ରିୟ ହୋଇଯାଏ । କ୍ରୋଧ କରିବା ଖୁବ୍ ସହଜ; କିନ୍ତୁ ଶାନ୍ତିରେ ରହିବା ଆୟାସ ସାଧ୍ୟ । ଏଥିରୁ ଜଣାଯାଏ ଯେ ଶାନ୍ତି ପାଇଁ ଅଧିକ ଶକ୍ତି ଆବଶ୍ୟକ ହୁଏ । ଦୁର୍ବଳ ଓ ରୋଗୀ ବ୍ୟକ୍ତିକୁ ଶୀଘ୍ର କ୍ରୋଧ ଆସେ । ଏହା ବ୍ୟତୀତ ଲୋଭ, ମୋହ, ଅହଂକାର ଆଦି ମନୋବିକାରଗୁଡିକ ମଧ୍ୟ ଦୁର୍ବଳତାର ପରିଚାୟକ । ଦୁର୍ବଳ ବ୍ୟକ୍ତି ସହଜରେ କୌଣସି ନା କୌଣସି ମନୋବିକାର ଦ୍ୱାରା ବଶୀଭୂତ ହୋଇ ପଡନ୍ତି । ଅପର ପକ୍ଷରେ ସନ୍ତୋଷ, ଅନାସକ୍ତି, ନମ୍ରତା, ସାକ୍ଷୀଦ୍ରଷ୍ଟା ସ୍ଥିତି ଆଦି ଆଧ୍ୟାତ୍ମିକ ଗୁଣ ଶକ୍ତି ପ୍ରଦାୟକ । ଧର୍ମାଚରଣ ଦ୍ୱାରା ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୁଏ । ଧର୍ମ ମନୁଷ୍ୟକୁ ଅନୁଶାସିତ କରେ । ଧାର୍ମିକ ନିୟମଗୁଡିକ ପାଳନ କରିବା ଦ୍ୱାରା ମନ ଭୟମୁକ୍ତ ହୁଏ ଓ ଜୀବନ ସଂଯମିତ ହୁଏ । ଧାର୍ମିକ ମନୁଷ୍ୟର ଆହାର, ବିହାର, ବିଚାର, ଆଚାର ଶୁଦ୍ଧ ଓ ସାତ୍ତ୍ଵିକ ଥାଏ । ଅଧର୍ମୀ ବ୍ୟକ୍ତିମାନେ ମାଦକ ଦ୍ରବ୍ୟ ସେବନ, ମଦ୍ୟପାନ, ଅଶୁଦ୍ଧ ଭୋଜନ କରନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ ଧର୍ମରେ ମଧ୍ୟ ଶକ୍ତି ଅଛି ଯାହା ମନୁଷ୍ୟକୁ ସତ୍ ମାର୍ଗରେ ଦୃଢ଼ତା ପୂର୍ବକ ଅଗ୍ରସର ହେବାପାଇଁ ସହାୟକ ହୁଏ । କୁହାଯାଏ, “ଧର୍ମ ରକ୍ଷତି ଧାର୍ମିକଂ” । ଅର୍ଥାତ୍ ଯିଏ ଧର୍ମ ମାର୍ଗରେ ଚାଲେ ଧର୍ମ ତାକୁ ରକ୍ଷା କରେ ।
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
Comments
Post a Comment