ଜ୍ଞାନ ନିର୍ଝର (୩୮) ----ବ୍ୟବହାରିକ ଜୀବନରେ ସନ୍ତୁଳନ

🌹🌹🌹🌹🌹🌹🌹🌹🌹

🌼 *ଜ୍ଞାନ ନିର୍ଝର (୩୮)* 🌼

🌷🌷🌷🌷🌷🌷🌷🌷🌷

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

 🌺🌺🌺🌺🌺🌺🌺🌺🌺

 *ବ୍ୟବହାରିକ ଜୀବନରେ* *ସନ୍ତୁଳନ*


🌻🌻🌻🌻🌻🌻🌻🌻🌻

ଅନେକ ଲୋକ ସାମାନ୍ୟ କଥାରେ କ୍ରୋଧିତ ହୋଇ ନିଜ କାମକୁ ବିଗାଡି ଦିଅନ୍ତି । ଏପରି ବ୍ୟକ୍ତିଙ୍କୁ ଲୋକେ କ୍ରୋଧୀ ମନେ କରି ଉପେକ୍ଷା କରନ୍ତି । ବାଞ୍ଛିତ ପରିଣାମର ଅଭାବରେ କେହି କେହି ଚିଡ୍ଚିଡା ଭାବ ପ୍ରକାଶ କରି ଅବାଞ୍ଛିତ ଭୁଲ କରିବସନ୍ତି । ଅନ୍ୟର ସଫଳତା ଦେଖି କେତେକ ଲୋକ ଈର୍ଷ୍ୟା ବଶତଃ ଆତ୍ମଦାହ ଅନୁଭବ କରନ୍ତି । ଅନେକେ ମାନସିକ ଖିନ୍ନତା ବା ଚିନ୍ତା ଗ୍ରସ୍ତ ହୋଇ ନିରାଶା ପୂର୍ଣ୍ଣ ଜୀବନ ଯାପନ କରୁଥିବା ଦେଖାଯାଏ । କେବଳ ସାଧାରଣ ଲୋକ ନୁହନ୍ତି, ସମାଜରେ ପ୍ରତିଷ୍ଠା ଓ ଗୌରବ ଅର୍ଜନ କରିଥିବା ବ୍ୟକ୍ତିଗଣ ମଧ୍ୟ ଦୁର୍ଦ୍ଧାନ୍ତ ଶତ୍ରୁ କ୍ରୋଧର ଶିକାର ହୋଇ ଭୟଙ୍କର ଭୁଲ କରି ବସନ୍ତି । ଏହାର ପରିଣାମ ସ୍ବରୂପ ରାଷ୍ଟ୍ରୀୟ କାରାଗାର, ବାଳ ସୁଧାର ଗୃହ, ପାଗଳଖାନାରେ ପ୍ରାୟତଃ କ୍ଷଣିକ ଆବେଗ ବଶତଃ ଆବେଶିତ ହୋଇ ହତ୍ୟା ଆଦି ଜଘନ୍ୟ କର୍ମ ହେତୁ ଜୀବନବ୍ୟାପୀ ନିଜ ସ୍ୱତନ୍ତ୍ରତା ହରାଇ ପଶ୍ଚାତ୍ତାପ ଅନଳରେ ଦଗ୍ଧିଭୂତ ଦେଉଥାନ୍ତି । ସାମାନ୍ୟ ଧୈର୍ଯ୍ୟ ଅଭାବରେ ଅନେକ ବର୍ଷର ଚିର ପ୍ରତୀକ୍ଷିତ ଲକ୍ଷ୍ୟର ଦ୍ୱାର ଦେଶରେ ଉପନୀତ ହୋଇ ମଧ୍ୟ ଏହି କ୍ରୋଧ ରୂପକ ଶତ୍ରୁ ଦ୍ୱାରା ଆକ୍ରାନ୍ତ ହେତୁ ନିଜର ସବୁକିଛି ହରାଇ ବସନ୍ତି । କ୍ରୋଧ କଳା ମେଘ ଭଳି ବ୍ୟକ୍ତିର ଚରିତ୍ର ତମସାବୃତ୍ତ କରିଦିଏ । ଭସ୍ମାସୁର ପରି କ୍ରୋଧ ନିଜ ଜୀବନକୁ ପୋଡି ଜାଳି ପାଉଁଶ କରିଦିଏ । ମାଦକ ଦ୍ରବ୍ୟ ଅପ୍ରତ୍ୟକ୍ଷ ରୂପରେ ଜୀବନକୁ ପ୍ରଭାବିତ କରେ । କିନ୍ତୁ କ୍ରୋଧର ପ୍ରଭାବ ଜୀବନକୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରେ । ସ୍ନେହ, ସହଯୋଗ ଓ ସମ୍ମାନ ଅଭାବରେ ଘର ଯୁଦ୍ଧ କ୍ଷେତ୍ର ବନିଯାଏ । କ୍ରୋଧାଭିଭୂତ ବ୍ୟକ୍ତିର ମୁଖମଣ୍ଡଳ ରକ୍ତାଭ ହୋଇପଡେ । ତାକୁ ସାମାନ୍ୟ ହେବା ପାଇଁ ଅନେକ ଦିନ ଲାଗିଯାଏ । ଦୀର୍ଘ ଦିନ ପର୍ଯ୍ୟନ୍ତ ସେ ଈର୍ଷା, ପଶ୍ଚାତାପ, ଗ୍ଳାନି, ଚିନ୍ତା ଏବଂ ମାନସିକ ଖିନ୍ନତା ରୂପେ ଜୀବନ ବ୍ୟତୀତ କରନ୍ତି । କ୍ରୋଧ ତାଙ୍କର ସୃଜନାତ୍ମକତା, ଦିବ୍ୟ କଳ୍ପନାଶକ୍ତି, ସ୍ମୃତି ଏବଂ ଦିବ୍ୟ ବୁଦ୍ଧିକୁ ପଙ୍ଗୁ କରିଦିଏ ।


ଏପରି ମନୋଦଶାରୁ ମୁକୁଳିବା ପାଇଁ ନିଜର ଇଚ୍ଛାଶକ୍ତିକୁ ଜାଗ୍ରତ କରିବାକୁ ହେବ । ଜ୍ଞାନ-ଅନ୍ଧକାର ଅପସୃତ ହୋଇ ଜୀବନରେ ପ୍ରେମ, କ୍ଷମା ଏବଂ କରୁଣା ରୂପୀ ସତ୍ୟମ୍, ଶିବମ୍ ଓ ସୁନ୍ଦରମ୍ ଭାବର ସୃଜନ ହେବ । ଅତୀତର ଅସଫଳତା ପାଇଁ ଚିନ୍ତିତ ହେବା ଉଚିତ ନୁହେଁ । ଆଉ ଥରେ ପୁଣି ନୂଆ ଭାବରେ ନିଜର ବିକ୍ଷିପ୍ତ ମାନସିକ ଶକ୍ତି ସମୂହକୁ ପୁର୍ନସଂଗଠିତ କରିବାକୁ ହେବ । ପ୍ରତ୍ୟେକଙ୍କ ନିକଟରେ ସାଗର ସମାନ ଅମାପ ଗଭୀର ଓ ଆକାଶ ସମାନ ବିଶାଳ ମାନସିକ ଶକ୍ତି ବିଦ୍ୟମାନ । କେବଳ ତାକୁ ଆଉ ଥରେ ବ୍ୟବସ୍ଥିତ କରିବା ଆବଶ୍ୟକ ।ଏହି ପୁରୁଷାର୍ଥ ଅବ୍ୟାହତ ରହିଲେ ଅତି କମଦିନ ମଧ୍ୟରେ ଜଣେ ଆଶ୍ଚର୍ଯ୍ୟ ଜନକ ସଫଳତା ପ୍ରାପ୍ତ କରିପାରିବ । ଏଥିପାଇଁ ବ୍ୟବହାରିକ ଜୀବନରେ ସନ୍ତୁଳନର କଳାରେ ଦକ୍ଷତା ହାସଲ କରିବା ନିତାନ୍ତ ଜରୁରୀ ।


ଶକ୍ତି ସମୂହ ସର୍ବଦା ନିରପେକ୍ଷ ଅଟନ୍ତି । ସେଗୁଡିକର ପ୍ରୟୋଗ ନିଶ୍ଚିତ ଭାବରେ ପରିଣାମ ଦାୟକ ଅଟେ । ଜଣେ କ୍ରୋଧାଭିଭୁତ ହୋଇ ନିଜ ହାତରେ କାହା ଗାଲରେ ଚଟକଣ-ମାରି ପାରନ୍ତି କିମ୍ବା ପ୍ରେମ ଓ ସହାନୁଭୂତି ବଶତଃ ସେହି ହାତରେ କାହାକୁ ଆଉଁସି ପାରନ୍ତି । ପରିଣାମ ଉଭୟ ସୁଖଦ ବା ଦୁଃଖଦ ହୋଇପାରେ    ଯାହାକି ଜୀବନର ସଫଳତାକୁ ପ୍ରଭାବିତ କରିଥାଏ । ଏଥିପାଇଁ ବିବେକ ବୁଦ୍ଧିକୁ ବିକଶିତ କରିବା ଆବଶ୍ୟକ । ଏହିପରି ଅନେକ ମାନସିକ ଶକ୍ତି ଓ ଗୁଣ ଅଛି । ଏଗୁଡିକୁ ବ୍ୟବସ୍ଥିତ କରିପାରିଲେ ମନୁଷ୍ୟର ଉଦ୍ଧେଶ୍ୟ ପୂରଣ ହୋଇପାରିବ । ସ୍ୱାଭିମାନ, ମିତବ୍ୟୟିତା, ଦୃଢ଼ସଂକଳ୍ପବାନ, ଶାନ୍ତି, ଧୈର୍ଯ୍ୟବାନ ଆଦି ସକାରାତ୍ମକ ମାନସିକ ଶକ୍ତି ବା ଗୁଣ ଆହରଣ କରିବା ବା‚ନୀୟ ଅଟେ । ଏହାର ପରିଣାମ ସୁଖଦ ହୁଏ। ଅନ୍ୟପକ୍ଷରେଅହଂକାର,କୃପଣ,ଏକଜିଦିଆ,ଅଳସୁଆ ଆଦି ନକାରାତ୍ମକ ଗୁଣ ବର୍ଜନୀୟ । କାରଣ ଏହାର ପରିଣାମ ଦୁଃଖମୟ ଅଟେ ।


ଆମ ଦୈନନ୍ଦିନ ଜୀବନରେ ଆନ୍ତରିକ ଓ ବାହ୍ୟ ପରିସ୍ଥିତି ଗୁଡିକରେ ଖୁବ୍ ତୀବ୍ର ପରିବର୍ତ୍ତନ ହେଉଥାଏ । ଉଦାହରଣ ସ୍ୱରୂପ, ପାରିବାରିକ ସମ୍ବନ୍ଧ ଓ ଉତ୍ତର ଦାୟିତ୍ୱ ମଧ୍ୟରେ ସାମଞ୍ଜସ୍ୟ କଳା ରହିବା ଆବଶ୍ୟକ । ଏହା ସହିତ ସାମାଜିକ ଏବଂ କାର୍ଯ୍ୟକ୍ଷେତ୍ରରେ ନିଜ ନିଜ ଭୂମିକା ଅନୁରୂପ ଉତ୍ତର ଦାୟିତ୍ୱ ମଧ୍ୟ ସାମଞ୍ଜସ୍ୟ ସହିତ ପାଳନ କରିବା ଉଚିତ । ଏତଦ୍ବ୍ୟତୀତ ଏହି ସମସ୍ତ ଦାୟିତ୍ୱ ମଧ୍ୟରେ ସ୍ୱୀୟ ଆଦର୍ଶ ବ୍ୟକ୍ତିତ୍ୱକୁ ମଧ୍ୟ ସନ୍ତୁଳିତ ରଖିବାକୁ ପଡିବ । ଏଥିପାଇଁ ସନ୍ତୁଳନ ଶକ୍ତି ଆହରଣ କରିବା ଅନିବାର୍ଯ୍ୟ ଅଟେ । ଏହି ସମସ୍ତ ବିଷୟରେ ପରିସ୍ଥିତି ଚାପରେ ଯଦି କେହି ସାମାନ୍ୟ ଅସନ୍ତୁଳିତ ହୋଇପଡେ, ତେବେ ସେହି ଅନୁପାତରେ ତାଙ୍କୁ ସଫଳତା ବା ଅସଫଳତା ପ୍ରାପ୍ତ ହୋଇଥାଏ । ଜୀବନରେ ସନ୍ତୁଳନ କଳା ଏକ ଅଭ୍ୟାସ ଅଟେ । ଏହି ଅଭ୍ୟାସରେ ଅଭ୍ୟସ୍ତ ବ୍ୟକ୍ତିର ଜୀବନରେ ଅନାକାଂକ୍ଷିତ ଖୁସି, ପ୍ରଫୁଲ୍ଲତା ଏବଂ ଅନିର୍ବଚନୀୟ ଆନନ୍ଦ ପ୍ରାପ୍ତ ହୋଇଥାଏ । ସଫଳତା ପୂର୍ବକ ଜୀବନ ଅତିବାହିତ କରିବା ଏବଂ ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ସନ୍ତୁଳନ କଳା ଏକ ଅଧାର ସ୍ତମ୍ଭ ଅଟେ ।


ଆବଶ୍ୟକତାରୁ ଅଧିକ ଇଚ୍ଛା ନ ରଖିବା ହିଁ ସନ୍ତୁଳନ । ଖାଦ୍ୟ ପ୍ରସ୍ତୁତ ବେଳେ ଯେଉଁ ଦ୍ରବ୍ୟର ଯେତିକି ଦରକାର ସେତିକି ବ୍ୟବହାର କରାଯାଏ । ଆବଶ୍ୟକତା ଠାରୁ କୌଣସି ଦ୍ରବ୍ୟର ଅଧିକ ଉପଯୋଗ ଖାଦ୍ୟର ସ୍ବାଦ ଉପରେ ପ୍ରଭାବ ପକାଏ । ତେଣୁ ପ୍ରତ୍ୟେକ ଦ୍ରବ୍ୟ ମଧ୍ୟରେ ଏକ ସନ୍ତୁଳନ ହେବା ଆବଶ୍ୟକ । ଠିକ୍ ସେପରି କୌଣସି ଲକ୍ଷ୍ୟ ପ୍ରାପ୍ତି ମାର୍ଗରେ ଅନେକ ପରିସ୍ଥିତି ଓ ପ୍ରତିବନ୍ଧକ ମଧ୍ୟରେ, ଶ୍ରେଷ୍ଠ ଓ ସକାରାତ୍ମକ ଚିନ୍ତା ଏବଂ କର୍ମ ମଧ୍ୟରେ ଅପେକ୍ଷିତ ସନ୍ତୁଳନ ସଫଳତା ପାଇଁ ସହାୟକ ସିଦ୍ଧ ହୋଇଥାଏ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତିମାନଙ୍କ ଜୀବନରେ ଏହି ସନ୍ତୁଳନ ଶକ୍ତିର ଭୂମିକା ଦେଖିବାକୁ ମିଳିଥାଏ । ସେମାନଙ୍କ ସଫଳତା ପଛରେ ତାଙ୍କର ସମସ୍ତ ଆନ୍ତରିକ ଗୁଣ ଏବଂ ଶକ୍ତି ମଧ୍ୟରେ ଏକ ଉତ୍ତମ ସାମଞ୍ଜସ୍ୟ ରହିଥିଲା । ସଂକଳ୍ପରେ ଦୃଢ଼ତା, କର୍ମରେ କର୍ମଠତା, ଅପରାଜିତ ଆତ୍ମବିଶ୍ୱାସ, ଗୌରବପୂର୍ଣ୍ଣ ମୃଦୁ ସ୍ୱଭାବଯୁକ୍ତ ବ୍ୟକ୍ତିତ୍ୱ, ସମସ୍ତ ନୈତିକ ଏବଂ ମାନବୀୟ ଗୁଣରେ ପରିପୂର୍ଣ୍ଣ ଅନ୍ତର୍ମନ, ସମସ୍ତ ଦିବ୍ୟ ଏବଂ ଶ୍ରେଷ୍ଠ ଆକାଂକ୍ଷାରେ ପୂର୍ଣ୍ଣ ରଚନାତ୍ମକ ଭାବ ଏବଂ ବିଚାର, ଇଚ୍ଛାଶକ୍ତି ଏବଂ କର୍ମଯୋଗୀ ଜୀବନରେ ସମ୍ପୂର୍ଣ୍ଣ ଆଦର୍ଶ ଆଦି ମଧ୍ୟରେ ଅଦ୍ଭୁତ ସନ୍ତୁଳନ  ସେମାନଙ୍କ ଜୀବନରେ ଦେଖିବାକୁ ମିଳିଥାଏ । ମହାନ ଓ ଉତ୍ତମ ଉଦ୍ଦେଶ୍ୟ, ଅତୁଟ ଶ୍ରଦ୍ଧା ଓ ନିଶ୍ଚୟ, ପ୍ରବଳ ଆତ୍ମବିଶ୍ୱାସ, ଦୃଢ଼ ଇଚ୍ଛାଶକ୍ତି, ଆଶାପୂର୍ଣ୍ଣ ବିଚାର, ସତତ ଏବଂ କେବେ ପରାଜିତ ନ ହେବାର ପ୍ରଯତ୍ନ - ଏହିସବୁ ଗୁଣ ହେଉଛି ସଫଳତାର ମୂଳ କାରକ ତତ୍ତ୍ବ । ଯଦି କେହି ଏହି ବିଶେଷତା ସହିତ ନିଜ ଲକ୍ଷ୍ୟ ଦିଗରେ ଅଗ୍ରସର ହୁଅନ୍ତି ଯେତେ ବାଧା ବିଘ୍ନ ଓ ସାଧନର ଅଭାବ ପଡ଼ିଲେ ମଧ୍ୟ ତାଙ୍କ ଜୀବନର ମହାନ ସନ୍ତୁଳନ କେବେ ମଧ୍ୟ ହଲଚଲ ହୁଏ ନାହିଁ ।


ଯେତେବେ କୌଣସି ବ୍ୟକ୍ତି ଆମକୁ କ୍ରୋଧବଶତଃ ଅପମାନ ପୂର୍ଣ୍ଣ କଟୁ ବଚନ କହନ୍ତି ସେତେବେଳେ ସଂଯମିତ  ହେବା ଅତି ଆବଶ୍ୟକ ହୋଇପଡେ । ଏହି ସମୟକୁ ଏକ ପରୀକ୍ଷା ବୋଲି ଭାବିବାକୁ ହେବ । କାରଣ ଏପରି ପରିସ୍ଥିତିରେ ହିଁ ଆମର ପରଖିବା ଓ ନିର୍ଣ୍ଣୟ ଶକ୍ତିର ଆବଶ୍ୟକତା ପଡେ । ସାଗର ପରି ଆତ୍ମସାତ ପୂର୍ବକ ଧୈର୍ଯ୍ୟ ଓ ମଧୁରତା ସହ ବ୍ୟବହାର କରିବାକୁ ପଡିବ । ଯଦି ଆମେ ଏପରି କରିପାରିବା ତେବେ ଆମେ ଅତ୍ୟନ୍ତ ଲୋକପ୍ରିୟ ଓ ବ୍ୟବହାର କୁଶଳ ବ୍ୟକ୍ତି ରୂପେ ପରିଗଣିତ ହେବା ।


ଉତ୍ସାହ, ଦୃଢ଼ ଇଚ୍ଛା ଶକ୍ତି, କଠୋର ପରିଶ୍ରମ ଓ ନିରଳସ ପୁରୁଷାର୍ଥ ସତ୍ତ୍ବେ ମଧ୍ୟ କେତେକ ବ୍ୟକ୍ତି ସଠିକ୍ ଯୋଜନା ଅଭାବରେ ଅସଫଳ ହୋଇଥାନ୍ତି । ସେମାନେ ଅସଫଳତାର ପୁର୍ନମୂଲ୍ୟାଙ୍କନ ନକରି ଧୈର୍ଯ୍ୟହରା ହୋଇପଡି କାର୍ଯ୍ୟ କ୍ଷେତ୍ରରୁ ପଳାୟନ କରନ୍ତି । ତେଣୁ ସଫଳ ବ୍ୟକ୍ତି ତାହାଙ୍କୁ କୁହାଯାଏ ଯିଏ ଯୋଗ୍ୟତା ଓ ସାମର୍ଥ୍ୟ ମଧ୍ୟରେ ଏବଂ ଯୋଜନା ଓ ପୁରୁଷାର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାନ୍ତି । ଏହି ପରିପ୍ରେକ୍ଷିରେ ନୂଆ  ନୂଆ ମୋଟର ଗାଡି ଚଳାଇବା ଶିଖୁଥିବା ବ୍ୟକ୍ତିର ଉଦାହରଣ ଦିଆଯାଇ ପାରେ । ପ୍ରଶିକ୍ଷଣ ପୂର୍ବରୁ ପ୍ରଶିକ୍ଷଣ ମୋଟର ଗାଡି ର ବଭିନ୍ନ ଅଂଶର ବ୍ୟବହାର ବିଷୟରେ ତଥ୍ୟାତ୍ମକ ଶିକ୍ଷା ଦେଇଥାନ୍ତି । ତଥାପି ମଧ୍ୟ ଶିକ୍ଷାର ପ୍ରାରମ୍ଭିକ ସମୟରେ ଶିକ୍ଷାର୍ଥୀ ମୋଟର ଗାଡିର ବିଭିନ୍ନ ଉପକରଣ (ଯଥା:- କ୍ଳଚ, ବ୍ରେକ୍,ଗିୟର ଓ ଷ୍ଟିଅରିଂ ) ମଧ୍ୟରେ ସନ୍ତୁଳିତ ରକ୍ଷା କରିବାରେ ଅସମର୍ଥ ହୋଇଥାନ୍ତି । ଦୁର୍ଘଟଣାର ଆଶଙ୍କା ହେତୁ ତାଙ୍କ ମନରେ ଭୟ ସୃଷ୍ଟି ହୁଏ । ନିରନ୍ତର ଅଭ୍ୟାସ ପରେ ଧିରେ ଧିରେ ତାଙ୍କର ଭୟ ଦୂର ହୁଏ ଓ ସେ ଗାଡି ଚଳାଇବାରେ ଦକ୍ଷତା ହାସଲ କରନ୍ତି । ଏହିପରି ବ୍ୟବହାରିକ ଜୀବନରେ ଲକ୍ଷସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବିଭିନ୍ନ ମାନସିକ ଓ ଶାରୀରିକ ଶକ୍ତି ମଧ୍ୟରେ ପରିସ୍ଥିତି ଅନୁସାରେ ସାମଞ୍ଜସ୍ୟ ସ୍ଥାପନ କରିବାର ଅଭ୍ୟାସ ଦ୍ୱାରା ହିଁ ବ୍ୟକ୍ତିର ସନ୍ତୁଳନ କଳା ବିକଶିତ ହୋଇଥାଏ ।

🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,