ଜ୍ଞାନ ନିର୍ଝର (୧)*** ଆଧ୍ୟାତ୍ମିକ ଚେତନାର ବିକାଶ

ଜ୍ଞାନ ନିର୍ଝର (୧)
ଆଧ୍ୟାତ୍ମିକ ଚେତନାର ବିକାଶ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର,ପାଟଣାଗଡ

ଅଭିଧାନରେ ଆଧ୍ୟାତ୍ମିକର ଅର୍ଥ ଆତ୍ମା ବା ବ୍ରହ୍ମ (ପରମାତ୍ମା) ସମ୍ବନ୍ଧୀୟ ବୋଲି କୁହାଯାଇଛି । ଆଧ୍ୟାତ୍ମିକ ଓ ଅଧ୍ୟାତ୍ମ ସମାନାର୍ଥକ ଏବଂ ଏହି ଶବ୍ଦ ଦ୍ୱୟ ବ୍ୟକ୍ତିର ବିଶେଷଣ ରୂପେ ବ୍ୟବହୃତ ହୁଅନ୍ତି । ଏହା ଜୀବାତ୍ମା, ମନ, ଉଚ୍ଚ ମାନସିକ ଶକ୍ତି ସମୂହ, ଆତ୍ମା, ଶୁଦ୍ଧତମ ବିଚାର ଓ ଭାବନା ସମୂହର ନାମ । ଅଧ୍ୟାତ୍ମ ଇନ୍ଦ୍ରିୟ ସମୂହରୁ ପ୍ରାପ୍ତ ଜ୍ଞାନ, ସୁଖ ଏବଂ ଅନୁଭବର ଉର୍ଦ୍ଧ୍ୱରେ। ଆତ୍ମିକ ଜ୍ଞାନ ଓ ଅନୁଭବ ଏହାର ଅନ୍ତର୍ଭୁକ୍ତ । ଚେତନାର ଆଭିଧାନିକ ଅର୍ଥ ହେଉଛି ସଂଜ୍ଞା (consciousness), ବୁଦ୍ଧି (inward perception), ଜୀବନ (animation) । ଚେତନାର ଗୁଣାତ୍ମକ ମାନ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ନିର୍ଭର କରେ । ଗୁଣ ଆଧାରରେ ମାନବୀୟ ଚେତନା ଦୈବୀ ବା ଆସୁରୀ ସଂସ୍କାର ସମ୍ପନ୍ନ ହୋଇଥାଏ । ତେଣୁ ସମଗ୍ର ମାନବ ସମାଜକୁ ମଧ୍ୟ ଦୈବୀ ଓ ଆସୁରୀ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ କରାଯାଇପାରେ । ଦୈବୀ ସମ୍ପ୍ରଦାୟର ବ୍ୟକ୍ତି ଆଧ୍ୟାତ୍ମିକ ଓ ଆସୁରୀ ସମ୍ପ୍ରଦାୟର ବ୍ୟକ୍ତି ଭୌତିକ ଚେତନାଯୁକ୍ତ । ଆତ୍ମା ବା ପରମାତ୍ମା ବିଷୟକ ବୌଦ୍ଧିକ ସଚେତନତା ହେଉଛି ଆଧ୍ୟାତ୍ମିକ ଚେତନା । ପଣ୍ଡିତ କୃଷ୍ଣଚନ୍ଦ୍ର କରଙ୍କ ତରୁଣ ଶବ୍ଦକୋଷରେ ଆତ୍ମା ବା ବ୍ରହ୍ମ ବିଷୟକ ଭାବ ବା ଭାବନାକୁ ଆଧ୍ୟାତ୍ମିକତା (ବିଶେଷ୍ୟ ପଦ) ବୋଲି ଅର୍ଥ କରାଯାଇଛି । ଆଧ୍ୟାତ୍ମିକ ସତ୍ତାର (ଆତ୍ମା ଓ ପରମାତ୍ମା) ଅଧ୍ୟୟନ, ମନନ, ଚିନ୍ତନ ଏବଂ ଧ୍ୟାନ ଆଧ୍ୟାତ୍ମିକତାର ଅନ୍ତର୍ଭୁକ୍ତ ।


ଆଧ୍ୟାତ୍ମିକତା ଭୌତିକତାର ସମ୍ପୂର୍ଣ୍ଣ ବିପରୀତ । ଆଧ୍ୟାତ୍ମିକତା ଦ୍ୱାରା ବ୍ୟକ୍ତି ଇନ୍ଦ୍ରିୟ ସମୂହର ବନ୍ଧନରୁ ମୁକ୍ତ ହୁଏ ଏବଂ ନିଜକୁ ଏକ ଚୈତନ୍ୟ ସତ୍ତା ଆତ୍ମା ରୂପେ ଅନୁଭବ କରେ । ଭୌତିକ ଚେତନା ଯୁକ୍ତ ବ୍ୟକ୍ତି କେବଳ ଇନ୍ଦ୍ରିୟଗମ୍ୟ ବିଷୟଗୁଡ଼ିକୁ ସତ୍ୟ ମଣନ୍ତି, ତାଙ୍କ ଅନୁସାରେ ଯାହା ଇନ୍ଦ୍ରିୟ ସମୂହର ଅଗମ୍ୟ ତାହା ଅସତ୍ୟ ଓ କାଳ୍ପନିକ । ଆଧ୍ୟାତ୍ମିକ ଶକ୍ତି ସଚ୍ଚରିତ୍ର, ସାଧୁତା, ସଚ୍ଚୋଟତା ଆଦି ମାନବୀୟ ଗୁଣଗୁଡ଼ିକର ବିକାଶ କରେ । ଭୌତିକତା ଏଗୁଡ଼ିକୁ  କ୍ଷୀଣ କରେ । ଭୌତିକ ଚେତନାରେ ପ୍ରଭାବିତ ବ୍ୟକ୍ତି ନିଜକୁ ଏକ ଦେହ ବୋଲି ମନେ କରେ । ତାଙ୍କ ପାଇଁ ଅଦୃଶ୍ୟ ଆତ୍ମା ଏକ କାଳ୍ପନିକ ସତ୍ତା ମାତ୍ର । ଦେହାଭିମାନ ମନୁଷ୍ୟ ମଧ୍ୟରେ ଅନେକ ଆନ୍ତରିକ ଦୋଷ ବା ମନୋବିକାର ସମୂହ ଉତ୍ପନ୍ନ କରାଏ । ଜୀବନ ଯାତ୍ରା ମାର୍ଗରେ ପ୍ରତ୍ୟେକଙ୍କୁ ଅନେକ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼େ । ଦେହାଭିମାନୀ ବ୍ୟକ୍ତି ଆଧ୍ୟାତ୍ମିକ ଶକ୍ତିହୀନ ହୋଇଥିବାରୁ ସେଗୁଡ଼ିକର ସମ୍ମୁଖୀନ ହେବାକୁ ଭୟ କରନ୍ତି । ଏଥିପାଇଁ ତାଙ୍କୁ କଠୋର ମାନସିକ ସଂଘର୍ଷ କରିବାକୁ ପଡ଼େ । ଏହା ତାଙ୍କ ପାଇଁ ଅନେକ ମନୋଦୈହିକ ବ୍ୟାଧିର କାରଣ ହୋଇଥାଏ । ଅପରପକ୍ଷେ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ଏପରି ପରିସ୍ଥିତିକୁ ସାମାନ୍ୟ ଖେଳ ମନେ କରି ନିର୍ଭୟତା ପୂର୍ବକ ଲକ୍ଷ୍ୟ ପଥରେ ଅନାୟାସରେ ଆଗେଇ ଚାଲନ୍ତି । କାରଣ ସେ ଆନ୍ତରିକ ସ୍ତରରେ ସଶକ୍ତ ହୋଇଥିବାରୁ ବାହ୍ୟ ସ୍ତରରେ ଆସୁଥିବା ବଡ଼ ବଡ଼ ସଂକଟଗୁଡ଼ିକୁ ମଧ୍ୟ ସହଜ ଓ ସ୍ବଭାବିକ ଭାବରେ ସମାଧାନ କରିବାକୁ ସକ୍ଷମ ହୁଅନ୍ତି । 


ଆତ୍ମା ଏକ ଆଧ୍ୟାତ୍ମିକ ସତ୍ତା ହୋଇଥିବାରୁ ଶାନ୍ତି, ପବିତ୍ରତା, ପ୍ରେମ, ଆନନ୍ଦ, ଶକ୍ତି ଆଦି ଆଧ୍ୟାତ୍ମିକ ଗୁଣାବଳୀ ସମ୍ପନ୍ନ ଅଟେ । ଏଗୁଡ଼ିକ ଆତ୍ମାର ମୌଳିକ ଗୁଣାବଳୀ । ଆଧ୍ୟାତ୍ମିକ ସଶକ୍ତିକରଣ ବା ଆଧ୍ୟାତ୍ମିକ ଚେତନାର ବିକାଶ ଦ୍ୱାରା ବ୍ୟକ୍ତି ଆତ୍ମାର ଏହି ମୌଳିକ ଗୁଣାବଳୀ ଗୁଡ଼ିକୁ ଅନୁଭବ କରି ପାରେ । ଏହା ହେଉଛି ଆତ୍ମା ସଚେତନତା ଓ ବ୍ୟକ୍ତିର ଯଥାର୍ଥ ସ୍ବରୂପ ବା ଆତ୍ମିକ ସ୍ବରୂପ । ବ୍ୟକ୍ତି ଯେତେବେଳେ ନିଜର ମୌଳିକ ସ୍ବରୂପରେ ସ୍ଥିତ ହୁଏ ସେତେବେଳେ ତା’ମଧ୍ୟରେ ସକାରାତ୍ମକ ଭାବର ଉଦୟ ହୁଏ ଓ ସେ ସତ୍ୟ ଓ ଅସତ୍ୟ ମଧ୍ୟରେ ଭେଦ ନିର୍ଣ୍ଣୟ କରିପାରେ । ଆଧ୍ୟାତ୍ମିକ ଶକ୍ତି ଅଭାବରେ ବ୍ୟକ୍ତି କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଆଳସ୍ୟ, ଈର୍ଷା, ଘୃଣା, ଭୟ, ନିଦ୍ରା ଆଦି ମନୋବିକାର ସମୂହ ଦ୍ୱାରା ପୀଡ଼ିତ ହୁଏ । ଏହି ନକାରାତ୍ମକ ଭାବ ସମୂହ ଦୁଃଖ, ଅଶାନ୍ତି, ଅପ୍ରସନ୍ନତା, ଅସନ୍ତୋଷ, ମାନସିକ ତଥା ମନୋଦୈହିକ ରୋଗଗୁଡ଼ିକର କାରଣ ଅଟନ୍ତି । ଆଧ୍ୟାତ୍ମିକତା ଦ୍ୱାରା ପରଖିବା ଶକ୍ତି ଓ ନିର୍ଣ୍ଣୟ ଶକ୍ତିର ବିକାଶ ହୁଏ ।

 

ଆଧ୍ୟାତ୍ମିକ ଚେତନାର ବିକାଶ ଦ୍ୱାରା ଆତ୍ମା ମଧ୍ୟରେ ସ୍ବଭାବିକ ଭାବରେ ଆଧ୍ୟାତ୍ମିକ ଗୁଣାବଳୀର ଉଦ୍ରେକ ହୁଏ ଓ ଆତ୍ମା ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ହୁଏ । ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି କ୍ଷୀଣ ହେଲେ ଭୌତିକତା ଦ୍ୱାରା ପ୍ରେରିତ ଇଚ୍ଛା ଉତ୍ପନ୍ନ ହୁଏ । ଏହାଦ୍ୱାରା ମାନସିକ ବିଷମତା ସୃଷ୍ଟି ହୁଏ । ଆଧ୍ୟାତ୍ମିକ ଶକ୍ତି ମନକୁ ସମତା ପ୍ରଦାନ କରେ । ତେଣୁ ବ୍ୟକ୍ତି ଆଧ୍ୟାତ୍ମିକ ମୂଲ୍ୟଗୁଡ଼ିକୁ ଧାରଣ କରିବାକୁ ଲାଗେ । ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ସଚ୍ଚୋଟ, ଚରିତ୍ରବାନ, ସଂପୂର୍ଣ୍ଣ, ଭ୍ରଷ୍ଟାଚାର ରହିତ, ସମରସ, ବିବେକବାନ ଓ ସାଧୁ ହୁଏ । ଆଧ୍ୟାତ୍ମିକତା ବ୍ୟକ୍ତିକୁ ନିର୍ଭୟ କରାଏ । ସେ ଯେକୌଣସି ପରିସ୍ଥିତିକୁ ସାହସର ସହିତ ମୁକାବିଲା କରି ପାରନ୍ତି । ସେ ସର୍ବଦା ନିଜକୁ ସୁରକ୍ଷିତ ମନେ କରନ୍ତି । ସ୍ପଷ୍ଟ ନୈତିକ ସିଦ୍ଧନ୍ତଗୁଡ଼ିକୁ ଅବଲମ୍ବନ କରି ସେ ତାଙ୍କ ଜୀବନ ଯାତ୍ରା ପଥରେ ସାହସ ଓ ଆତ୍ମସମ୍ମାନ ସହିତ ଆଗେଇ ଚାଲନ୍ତି । 


ଏହି ଭୌତିକବାଦୀ ଦୁନିଆରେ ଅନାୟାସରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୁଏ ନାହିଁ । କାରଣ ମନୋବିକାଶର ସମୂହ ଦ୍ୱାରା ପୀଡ଼ିତ ମନୁଷ୍ୟାତ୍ମା ଆଜି ଶକ୍ତିହୀନ ହୋଇପଡ଼ିଛି । ଆତ୍ମିକ ସ୍ଥିତିରେ ପରମାତ୍ମାଙ୍କ ସହିତ ନିରବଚ୍ଛିନ୍ନ ମନୋମିଳନ ଦ୍ୱାରା ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୋଇଥାଏ କାରଣ ସେ ସର୍ବଦା ପୂର୍ଣ୍ଣ, ବିକାର ରହିତ, ଅବିନଶ୍ୱର ଏବଂ ଅକ୍ଷୟ ଅଟନ୍ତି । ମନ ଯେଉଁଠି କେନ୍ଦ୍ରିତ ହୁଏ ତା’ର ସ୍ବରୂପ ଧାରଣ କରେ । ଭୌତିକ ପଦାର୍ଥ ସମୂହ ନକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ । ମନ ଯଦି ଭୌତିକ ସଂସାର ଓ ଶରୀର ସହିତ ଯୁକ୍ତ ହୁଏ ତେବେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇ ଆତ୍ମବଳକୁ କ୍ଷୀଣ କରି ଦିଏ । ପରମାତ୍ମା ସମସ୍ତ ଆଧ୍ୟାତ୍ମିକ ଶକ୍ତି, ଗୁଣ ଓ ମୂଲ୍ୟର ମହା ସମୁଦ୍ର । ତାଙ୍କଠାରେ ମନ କେନ୍ଦ୍ରିତ ହେଲେ ଆତ୍ମା ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି ସଞ୍ଚିତ ହୁଏ । ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ଏହା ହେଉଛି ସୁଗମ ଓ ସର୍ବୋତ୍ତମ ପନ୍ଥା । 

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796




Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର