-ଜ୍ଞାନ ନିର୍ଝର (୩୫) -- ଏବେ ନୁହେଁ ତ କେବେ ନୁହେଁ

🌺🌺🌺🌺🌺🌺🌺🌺🌺

    *ଜ୍ଞାନ ନିର୍ଝର (୩୫)* 

🌹🌹🌹🌹🌹🌹🌹🌹🌹

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

 🌸🌸🌸🌸🌸🌸🌸🌸🌸

 *ଏବେ ନୁହେଁ ତ କେବେ ନୁହେଁ* 

🌼🌼🌼🌼🌼🌼🌼🌼🌼

ସଫଳତାର ଚମର ଶିଖରେ ପହଞ୍ଚିବାର କ୍ରାନ୍ତିକାରୀ ସୂତ୍ର ହେଉଛି “ଯାହା ଆସନ୍ତା କାଲି କରିବାକୁ ଚାହୁଁଛ ତାହା ଆଜି କର ଓ ଯେଉଁ କର୍ମ ଆଜି ପାଇଁ ରଖିଛ ତାହା ବର୍ତ୍ତମାନ କର ।”ଉଭୟ ଭୌତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉପଲବ୍ଧି ପାଇଁ ଏହାଠାରୁ ଆଉ କୌଣସି ଶ୍ରେଷ୍ଠ ସୂତ୍ର ନାହିଁ । ଆମେ କୌଣସି କାର୍ଯ୍ୟର ସଂକଳ୍ପକୁ କାଲିକି କରିବି ବୋଲି ସ୍ଥଗିତ କରିଦେବା ଉଚିତ ନୁହେଁ, କାରଣ ମନୁଷ୍ୟ ଜୀବନ ଏକ  ଦୀର୍ଘ ସ୍ଥଗନ ଅଟେ । ଜଣେ ବ୍ୟକ୍ତିର ୨୦-୨୫ବର୍ଷ ପାଠ ପଢ଼ାରେ ବିତି ଯାଏ । ସେ ପ୍ରତିଦିନ ଚିନ୍ତାକରେ ଯେ ପାଠପଢ଼ି ଯେତେବେଳେ କୌଣସି ଯୋଗ୍ୟ ପଦ ପ୍ରାପ୍ତହେବ ତେବେ ଆରାମଦାୟକ ଜୀବନ ବିତାଇବ । କାଳାନ୍ତରେ ଯେତେବେଳେ ତାକୁ ତା’ର ଇପ୍ସିତ ପଦ ମିଳିଯାଏ ତେବେ ବିବାହ ଏବଂ ତଦୁପରାନ୍ତ ଭାବି ସନ୍ତାନ ସନ୍ତତିମାନଙ୍କ ସୁଖଦ ଭବିଷ୍ୟତ ବିଷୟରେ ଚିନ୍ତାକରେ ଓ ସେଥିପାଇଁ ଧନ ସଞ୍ଚୟରେ ଲାଗି ପଡେ । ତା’ର ଜୀବନ ପୁନଶ୍ଚ ୨୦-୨୫ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଯାଏ । ବର୍ତ୍ତମାନ ଏହା ବିଚାରଣୀୟ ଯେ ଜଣେ ବ୍ୟକ୍ତି ତାର ଜୀବନର ୪୦-୫୦ବର୍ଷ ବଞ୍ଚିବାର ପ୍ରତୀକ୍ଷାରେ ବିତାଇ ଦିଏ ।  ଏହି ଅବଧି ସେ ତା ମଧ୍ୟରେ ଜୀବନ ଯାପନ ପ୍ରତି ସ୍ଥଗିତ କରିବା ସଂସ୍କାର ବା ଅଭ୍ୟାସ ନିର୍ମାଣ କରି ଦେଇଥାଏ । ଏବେ ପ୍ରଶ୍ନ ଉଠୁଛି ଯେ କ’ଣ ସେ ତାର ସେହି ପୁରୁଣା ସ୍ଥଗିତ କରିବାର ଅଭ୍ୟାସରୁ ମୁକ୍ତ ହୋଇ ପ୍ରତି କ୍ଷଣ ବଞ୍ଚିବାର ଏକ ନୂଆ ଆନନ୍ଦ ଲାଭ କରି ପାରିବ?


ଅନେକ ଲୋକ ଇପ୍ସିତ କର୍ମକୁ “ଆଜି ଥାଉ, କାଲିକି କରିବି” ମନୋବୃତ୍ତି ହେତୁ ନିଜ ଉପରେ ଅନେକ କର୍ମର ବୋଝ ଲଦି ଦିଅନ୍ତି ଓ ଚାପଗ୍ରସ୍ତ ଜୀବନ ଯାପନ କରନ୍ତି । ଏହାର କାରଣ ସ୍ବରୂପ ସେମାନେ ନିଜ ଭିତରେ ଚିଡଚିଡାପଣ ଏବଂ ମାନସିକ ଖିନ୍ନତା ଅନୁଭବ କରିଥାନ୍ତି । ସେମାନଙ୍କର ଏହି ଟାଳଟୁଳ ଦୃଷ୍ଟିକୋଣ ସଫଳତା ପ୍ରାପ୍ତି ମାର୍ଗରେ ବାଧା ସୃଷ୍ଟି କରେ ।  ଜୀବନ ଭବିଷ୍ୟତ ନୁହେଁ ବର୍ତ୍ତମାନ ଅଟେ । ଏ ସୃଷ୍ଟିଚକ୍ର ଘଣ୍ଟା ଭଳି ଗତିଶୀଳ । ମଣିଷ ତାର ଜୀବନର ଗୋଟିଏ କ୍ଷଣ ଭୋଗ କରିସାରିଲା ପାରେ ପରବର୍ତ୍ତୀ କ୍ଷଣ ମିଳେ । ସେ ଗୋଟିଏ ଶ୍ୱାସକ୍ରିୟା ସମାପ୍ତ କଲାପରେ ଦ୍ୱିତୀୟ ଶ୍ୱାସ ପାଏ । ତେଣୁ ଯଦି ଆମର ଆଜି ଦିନଟା ଆନନ୍ଦମୟ ତେବେ ଆସନ୍ତା କାଲି ମଧ୍ୟ ତାହାର ପୁନରାବରତ୍ତୀ ହେବ । ଭବିଷ୍ୟତ ଅନିଶ୍ଚିତ ଭାବି ବର୍ତ୍ତମାନ କ୍ଷଣ   ଆଶଙ୍କାଗ୍ରସ୍ତ ମନରେ ସମୟ ବିତାଇବା ଅନୁଚିତ । ଭବିଷ୍ୟତ ପାଇଁ ସୁନିୟୋଜିତ ଯୋଜନା ପ୍ରସ୍ତୁତି ପୂର୍ବକ ବର୍ତ୍ତମାନ ସମ୍ପୂର୍ଣ୍ଣ ଆନନ୍ଦ ମନୋସ୍ଥିତିରେ ରହିବାର ଅଭ୍ୟାସ କରିବା ଆବଶ୍ୟକ ।


କେତେକ ଲୋକ ଅତୀତର କର୍ମପାଇଁ ବା ଅତୀତରେ ଆଳସ୍ୟ ବଶତଃ ନଷ୍ଟ କରିଥିବା ସମୟ ପାଇଁ ପଶ୍ଚାତ୍ତାପ କରିଥାନ୍ତି । ଏଥିରେ କି ଲାଭ? ଯାହା ଆମେ ଆଜି କରିବାକୁ ସମର୍ଥ ତାହା ତୁରନ୍ତ ସମାପ୍ତ କଲେ ଏପରି ପଶ୍ଚାତାପ କରିବାକୁ ପଡିବ ନାହିଁ । ତେଣୁ ଏବେ ନୁହେଁ ତ କେବେ ନୁହେଁ” ସୂତ୍ରକୁ ମନରେ ରଖି କର୍ମ କଲେ ଜଣେ ସହଜରେ ସଫଳତାର ଶିଖରକୁ ସ୍ପର୍ଶ କରିପାରିବ । ଉଭୟ ସାଂସାରିକ ଏବଂ ଆଧ୍ୟାତ୍ମିକ ଜଗତରେ ଏହାର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏହି ସୂତ୍ରର ମହତ୍ତ୍ବକୁ ହୃଦୟଙ୍ଗମ କରି ପୁରୁଷାର୍ଥ କଲେ ଉଭୟ ଜଗତରେ ସଫଳତା ଅବଶ୍ୟମ୍ଭାବୀ । କିନ୍ତୁ ଅନେକଙ୍କ ଜୀବନରେ ଏହା ହୁଏ ନାହିଁ । ତାର ଏକମାତ୍ର କାରଣ ହେଉଛି ସ୍ଥଗିତ କରିବା ସଂସ୍କାର ।


ବିଶ୍ୱବିଖ୍ୟାତ ଲେଖକ ମାର୍କ ଟ୍ୱେନଙ୍କ (ସେ ମୁଅଲକ୍ଳକିମେନ୍ସ) ନିଜ ଜୀବନରେ ଘଟିଥିବା ଏକ ଅନୁଭବ ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେ  ହୁଏ । ସେ ଏକ ଧାର୍ମିକ ସଭାରେ ଜଣେ ଧର୍ମଯାଜକଙ୍କ ପ୍ରବଚନ ଶୁଣୁଥିଲେ । ତାହା ତାଙ୍କୁ ପ୍ରଭାବିତ କରିଥିଲା । ସେ ଭାବିଲେ, “ମୋ ପ୍ୟାଣ୍ଟ ମୁଣାରେ ୧୦୦ ଡଲାର ଅଛି, ବର୍ତ୍ତମାନ ଏହାକୁ ଦାନ କରିଦେବି ।” କିନ୍ତୁ ୧୦ ମିନିଟ ଅତିବାହିତ ହେବା ପରେ ତାଙ୍କ ବିଚାର ବଦଳିଗଲା । ସେ ଭାବିଲେ ଯେ ୫୦ ଡଲାର ଦେବା ଠିକ ହେବ । ସେ ଏକ ଦ୍ୱନ୍ଦାତ୍ମକ ମନୋସ୍ଥିତି ଦେଇ ଗତି କରୁଥିଲେ । ତେଣୁ ସେ ଆଉ ପ୍ରବଚନ ଶୁଣୁ ନ ଥିଲେ । ଏପରି ଅଧଘଣ୍ଟା ବିତିଗଲା । ତାଙ୍କ ବିଚାର ୫୦ ଡଲାରୁ ୫ ଡଳାରକୁ ପରିବର୍ତ୍ତନ ହୋଇଗଲା । ପ୍ରବଚନ ସମାପ୍ତି ବେଳକୁ ତାହା ୧ଡଲାର ପର୍ଯ୍ୟନ୍ତ ଖସି ଆସିଲା । ଦାନପାତ୍ର ଯେତେବେଳେ ତାଙ୍କ ସାମନାକୁ ଆସିଲା ସେତେବେଳେ ସେ ୧ ଡଲାର ଦେବା ପରିବର୍ତ୍ତେ ସେଥିରୁ ଚୁପଚାପ ୧ ଡଲାର ଉଠାଇ ନେବା ପାଇଁ ଭାବିଲେ । ସେହି ସମୟରେ ତାଙ୍କ ମନରେ ସଂକଳ୍ପ ଆସୁଥିଲା ଯେ ଏହା କଲେ କିଏ ଦେଖିବ? କିଏ ଜାଣିବ? ଏଥିରୁ ଶିକ୍ଷାମିଳେ ଯେ ଶ୍ରେଷ୍ଠ ପୁରୁଷାର୍ଥ ପାଇଁ ଆସୁଥିବା ସଂକଳ୍ପକୁ ତୁରନ୍ତ କରିବା ଉଚିତ । ତାକୁ “କାଲିକି କରିବି” ଭାବି  ସ୍ଥଗିତ କରିବା ଅନୁଚିତ । କାରଣ ସେହି ସମୟରେ ଆତ୍ମ ପ୍ରେରଣା ଏବଂ ତାହାକୁ ସମ୍ପନ୍ନ କରିବାର ଶକ୍ତି ସେହି ସଂକଳ୍ପକୁ ସ୍ବତଃ ପ୍ରାପ୍ତ ହୋଇଥାଏ । ସଂକଳ୍ପ ଅତି ସୂକ୍ଷ୍ମ ଏବଂ ସମ୍ବେଦନଶୀଳ ହୋଇଥାଏ । ଯଦି ତାହା କର୍ମରେ ପରିଣତ ନ ହୁଏ ତେବେ ହୁଏତ ସେହି ସଂକଳ୍ପ ପରିବର୍ତ୍ତନ କହାଇଯାଇ ପାରେ ଅଥବା ତାର କ୍ରିୟାଶକ୍ତି କ୍ଷୀଣ ହୋଇଯାଇ ପାରେ ।


ପ୍ରାୟ ଦେଖାଯାଏ ଯେ ମନରେ ଶ୍ରେଷ୍ଠ କର୍ମ କରିବାର ବିଚାର ଆସିଲେ ଆମେ ସାଧାରଣତଃ ଏହା ଭାବିଥାଉଯେ ଏହା ଏକ ଶୁଭ ମୁହୂର୍ତ୍ତ ଦେଖି କରିବି । କିନ୍ତୁ କୌଣସି ବିକାରୀ ସଂକଳ୍ପ ଆସିଲେ ତାହା ତୁରନ୍ତ କରି ପକାଉ । କୌଣସି କାରଣରୁ ମନରେ କ୍ରୋଧ ଉତ୍ପନ୍ନ ହୁଏ, ତେବେ ଆମେ ସେହି କ୍ଷଣି ତାହା ପ୍ରକାଶ କରିଦେଉ । ଏଠାରେ ତାହାକୁ ଆସନ୍ତା କାଲି ପାଇଁ ସ୍ଥଗିତ କରିବାରେ ଆମେ ଅସମର୍ଥ ହୋଇପଡୁଁ । ଏହାର କାରଣ ଆମେ ପ୍ରାୟଃ ଶ୍ରେଷ୍ଠ ଓ ଶୁଭ କର୍ମ ବିଷୟରେ କମ ଭାବୁ ଓ ତାହାକୁ ସ୍ଥଗିତ ନ କରି ତୁରନ୍ତ କରିପକାଉ । ଯେତେବେଳେ ତ୍ୟାଗର କଥା ଉଠେ ସେତେବେଳେ ଆମେଭାବୁ ଏବେ ମୋର ବୟସ ହୋଇ ନାହିଁ । ଜୀବନର ଅନେକ ବର୍ଷ ଆଉ ବାକି ଅଛି । ଏଇଟା ଭୋଗ ବିଳାସର ସମୟ । ବାର୍ଦ୍ଧକ୍ୟ ଆସିଲେ ତ୍ୟାଗ, ତପସ୍ୟା ଆଦି କରିବି । ଜୀବନରେ ବୈରାଗ୍ୟର ଶୁଭ ସଂକଳ୍ପ ନ ଆସିବା ପାଇଁ ମନୁଷ୍ୟ ବିନାଶ ଓ ମୃତ୍ୟୁ ରେଖାକୁ ଖୁବ୍ ଦୀର୍ଘ ଆଙ୍କି ଦିଏ । କିନ୍ତୁ କେତେବେଳେ ଯେ ଅନ୍ତ ସମୟ ଉପସ୍ଥିତ ହୋଇଯାଏ ସେ ଜାଣିପାରେ ନାହିଁ । ମନୋବିଜ୍ଞାନ ଅନୁସାରେ ଯାହାବି ହତ୍ୟା, ଆତ୍ମହତ୍ୟା ଆଦି ଅପରାଧ ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ସଂକଳ୍ପ ତତକ୍ଷଣାତ୍ କର୍ମରେ ପରିଣତ ହୋଇଯାଏ । ଯଦି ତାହା ‘ଆସନ୍ତା କାଲି’ ପାଇଁ ସ୍ଥଗିତ କରି ଦିଆଯାଆନ୍ତା, ତେବେ ସେହି ପାପକୃତ୍ୟ ସମ୍ଭବ ହୁଅନ୍ତା ନାହିଁ ।


ଆମ ମଧ୍ୟରୁ ଅଧିକାଂଶ ଲୋକ ସର୍ବଦା ଅତୀତ କିମ୍ବା ଭବିଷ୍ୟତ ବିଷୟରେ ଭାବନ୍ତି । ବର୍ତ୍ତମାନ ବିଷୟରେ ସେମାନେ ଭାବନ୍ତି ନାହିଁ । କିନ୍ତୁ ଏହା ନିର୍ବିବାଦ ସତ୍ୟ ଯେ ଆମ ହାତରେ ଅତୀତ କିମ୍ବା ଭବିଷ୍ୟତ ନାହିଁ । କେବଳ ବର୍ତ୍ତମାନ ହିଁ ଆମ ହାତରେ ଅଛି । ଆସନ୍ତା କାଲି ଯାହା ଆସିବ ତାହା କେବଳ ବର୍ତ୍ତମାନର ଛାୟା ମାତ୍ର । ଅନ୍ୟ ଅର୍ଥରେ ତାହା ବର୍ତ୍ତମାନର ପରବର୍ତ୍ତୀ ପଦକ୍ଷେପ । ଯଦି ଜୀବନକୁ ପୂର୍ଣ୍ଣ ଜାଗରୁକ ବନାଇବାର ଅଛି ତେବେ ବର୍ତ୍ତମାନର ଏହି କ୍ଷଣ ହିଁ ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ । ଆଗାମୀ କ୍ଷଣ ଆସିବ କି ନାହିଁ ଏହାର କୌଣସି ନିଶ୍ଚିତତା ନାହିଁ । ବର୍ତ୍ତମାନ କ୍ଷଣକୁ ଆମେ ନିଜ ଆତ୍ମୋନ୍ନତିରେ ବିନିଯୋଗ କରିବା ବୁଦ୍ଧିମାନୀ ଅଟେ । ଏଠାରେ ଚିନ୍ତନ କରିବାର ବିଷୟ ଯେ ଏପରି କରିବାକୁ ଆମକୁ କିଏ ବାଧା ଦେଉଛି । ଆମେ କ’ଣ ପାଇଁ ବର୍ତ୍ତମାନର କାର୍ଯ୍ୟକୁ ଭବିଷ୍ୟତ ପାଇଁ ବାକିଆ ରଖୁଛୁ? ଆମେ ଚାହିଁଲେ କରିପାରିବା । ଆମ ଜୀବନ ବିସ୍ତାରିତ ସୂର୍ଯ୍ୟ କିରଣ ସଦୃଶ ହୁଗୁଳା ନ ହେଉ । ଆମର ପ୍ରତିକ୍ଷଣ ସ୍ବତଃସ୍ଫୁର୍ତ୍ତ , ପ୍ରେମପୂର୍ଣ୍ଣ ଓ ଏକନିଷ୍ଠ ପୁରୁଷାର୍ଥରେ ବ୍ୟତୀତ ହେବା ଉଚିତ ଯେପରି ଜଣେ ସର୍ବତ୍ର ବିଚ୍ଛୁରିତ ସୂର୍ଯ୍ୟକିରଣକୁ ଏକ ଲେନ୍ସ ମାଧ୍ୟମରେ ଏକତ୍ର କରି ତତକ୍ଷଣାତ୍   ଅଗ୍ନି ପ୍ରଜ୍ଜ୍ୱଳିତ କରିବାକୁ ସମର୍ଥ ହୋଇଥାଏ । ପ୍ରତିକ୍ଷଣର ପୁରୁଷାର୍ଥରେ ପ୍ରଶାନ୍ତ ମହାସାଗର ସମ ଗଭୀରତା ଓ ହିମାଳୟ ସମ ଉଚ୍ଚତା ହେବା ଉଚିତ । କିନ୍ତୁ ଆମେ ଏପରି ଜୀବନ ବ୍ୟତୀତ କରୁଛୁ ଯେପରି ଏକ ସମତଳ ଆଲକାତରାରେ ନିର୍ମିତ ପକ୍କା ରାସ୍ତା, ଯାହାର ଗଭୀରତା ନାହିଁକି ଉଚ୍ଚତା ନାହିଁ ।


ଜୀବନରେ ଯେତେବେଳେ ଶୁଭ ସଂକଳ୍ପଳ ଜାଗ୍ରତ ହୋଇଥାଏ ସେତେବେଳେ ଆମେ ଶୁଭ କରିବା ଭାବର ଶିଖରରେ ଥାଉଁ । କାରଣ ସେଥିରେ ଉଭୟ ପରମାତ୍ମା ଏବଂ ପ୍ରକୃତିର ପ୍ରେରଣାଥାଏ । ସେମାନଙ୍କ ବଳ ଆମ ସାଥିରେ ଥାଏ । ସେଥିରେ ଭାବିବା ପରି କୌଣସି କଥା ନାହିଁ । କେବଳ କର୍ମ କରିବାର ସଂକେତ ଥାଏ । ଦାନ କରିବା ଭାବ, ତ୍ୟାଗ କରିବା ଭାବ, ଯୋଗ କରିବା ଭାବ ଯେଉଁ ମୁହୂର୍ତ୍ତରେ ଆସେ ସେହି ମୁହୂର୍ତ୍ତରେ ତାହା କରି ପକାଇବା ଉଚିତ । କିଏ ଜାଣେ ଆଗାମୀ କ୍ଷଣ ଜୀବନରେ ଆସିବ କି ନାହିଁ । ଆଉ ମଧ୍ୟ ଏହା ଜରୁରୀ ନୁହେଁ ଯେ ଆଗାମୀ କ୍ଷଣ ଏପରି ଶକ୍ତିଶାଳୀ ଭାବ ମନ ମଧ୍ୟରେ ବଳବତ୍ତର ରହିବ । ତେଣୁ ଆମର ଦିନଚର୍ଯ୍ୟାରେ ଏକ ନିୟମ ବନାଇବା ଉଚିତ ଯେ ଯେତେବେଳେ ବି ଶ୍ରେଷ୍ଠ ସଂକଳ୍ପ ଆସିବ ସେହି କ୍ଷଣି ତାହା ପୂରଣ କରିବି ଓ ଯେତେବେଳେ ବି ଅଶୁଭ ବିଚାର ଆସିବ ତାକୁ ପରଦିନ ପାଇଁ ସ୍ଥଗିତ କରିବି । ଏହାଦ୍ୱାରା ଆମେ ସଫଳତା ଅନୁରୂପ ପୁରୁଷାର୍ଥ କରିବାକୁ ସକ୍ଷମ ହୋଇ ପାରିବା ।


ଯେପରି ଦୃଷ୍ଟି ସେପରି ସୃଷ୍ଟି । ଏହି ପରିପ୍ରେକ୍ଷୀରେ ଏକ କାହାଣୀ ପ୍ରଣିଧାନ ଯୋଗ୍ୟ । ଚାରୋଟି ଅନ୍ଧ ବ୍ୟକ୍ତିଙ୍କୁ ଗୋଟିଏ ହାତୀ ପାଖକୁ ନେଇ ତା’ ବିଷୟରେ ପଚରାଗଲା ଯେ ଏହା କ’ଣ? ସେମାନେ ହାତୀର ଭିନ୍ନ ଭିନ୍ନ ଅଂଶକୁ ସ୍ପର୍ଶ କରି ନିଜର ଦୃଷ୍ଟିକୋଣ ଉପସ୍ଥାପନ କଲେ । ଜଣେ ହାତୀର ପେଟ ଅଂଶକୁ ଛୁଇଁ କହିଲା, “ ଏହା ଏକ କାନ୍ଥ ଭଳି ଅଟେ ।”  ଦ୍ୱିତୀୟ ଜଣକ କହିଲା, “ହାତୀ ଖମ୍ବ ପରି ଅଟେ ।” ସେ ହାତୀର ଗୋଡକୁ ସ୍ପର୍ଶ କରିଥିଲା । ତୃତୀୟ ଜଣକ ହାତୀର ଶୁଣ୍ଢ ଛୁଇଁଥିଲା । ତେଣୁ ସେ କହିଲା ହାତୀ ଏକ ଅଜଗର ସର୍ପ ଭଳି ଅଟେ । ହାତୀ ଏକ ବୃହତ କୁଲାପରି । ହାତୀର କାନକୁ ସ୍ପର୍ଶ କରିଥିବା ଚତୁର୍ଥ ଅନ୍ଧ ଜଣକ କହିଲା । ଏହି କାହାଣୀର ନିଷ୍କର୍ଷ ହେଲା, ସୀମିତ ତଥ୍ୟ ସର୍ବାଙ୍ଗୀଣ ଦୃଷ୍ଟିକୋଣ ପ୍ରତି ଅତ୍ୟଧିକ ବାଧକ । ଏହି ପରି ସୀମିତ ଦୃଷ୍ଟିକୋଣ ମନୁଷ୍ୟର ଇପ୍ସିତ ସଫଳତା ପ୍ରାପ୍ତିକୁ କମ କରି ଦିଏ ।

💐💐💐💐💐💐💐💐💐

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

 🌻🌻🌻🌻🌻🌻🌻🌻🌻

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,