ଜ୍ଞାନ ନିର୍ଝର (୩୨) ---ଦୃଷ୍ଟିକୋଣ

 🌸🌸🌸🌸🌸🌸🌸🌸🌸  

 *ଜ୍ଞାନ ନିର୍ଝର (୩୨)* 

💐💐💐💐💐💐💐💐💐

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*     

🌻🌻🌻🌻🌻🌻🌻🌻🌻  

    🌼 *ଦୃଷ୍ଟିକୋଣ*  🌼

🌺🌺🌺🌺🌺🌺🌺🌺🌺

କୌଣସି ବିଷୟ, ବସ୍ତୁ ଓ ବ୍ୟକ୍ତି ପ୍ରତି ବିଭିନ୍ନ ଲୋକଙ୍କ ଦୃଷ୍ଟିକୋଣ ଭିନ୍ନ ଭିନ୍ନ ହୋଇଥାଏ । ଏହାର କାରଣ କ’ଣ? ଦୃଷ୍ଟିକୋଣର ଅର୍ଥ କ’ଣ? କାହାର ଦୃଷ୍ଟିକୋଣ କିପରି ହେବ ତାହା ନିର୍ଭର କରେ ବିଷୟ, ବସ୍ତୁ ଓ ବ୍ୟକ୍ତି ବିଷୟରେ ଆହରିତ ସୂଚନା, ଅନୁଭବ ଜନିତ ମନୋସ୍ଥିତି ଏବଂ ବୈଚାରିକ ବିଶ୍ଳେଷଣାତ୍ମକ ପ୍ରକି୍ରୟା ଉପରେ ମନରେ ଉତ୍ପନ୍ନ ହେଉଥିବା ନିର୍ଣ୍ଣୟାତ୍ମକ ଭାବ । ଅନ୍ୟ ଅର୍ଥରେ ଦୃଷ୍ଟିକୋଣ ହେଉଛି କୌଣସି ବ୍ୟକ୍ତିର ବୈଚାରିକ ବିଶ୍ଳେଷଣାତ୍ମକ ପୃଷ୍ଠଭୂମି ଉପରେ ଆଧାରିତ ସୂକ୍ଷ୍ମ ଅବ୍ୟକ୍ତ ଭାବ ପ୍ରକାଶ । ପୃଷ୍ଠଭୂମିର ଆକାର ଅନୁସାରେ ଦୃଷ୍ଟିକୋଣ ନିର୍ମାଣ ହୋଇଥାଏ । କୌଣସି ବିଷୟ, ବସ୍ତୁ ବ୍ୟକ୍ତି ଭାବ କିମ୍ବା ବିଚାର ପ୍ରତି ଯେତିକି ସ୍ପଷ୍ଟ ଦୃଷ୍ଟିକୋଣ ହୋଇଥାଏ ସେତିକି ଅନୁପାତରେ ସେହି କ୍ଷେତ୍ରରେ ବ୍ୟକ୍ତିର ସଫଳତା ସମ୍ଭବ ହୋଇଥାଏ । ସକାରାତ୍ମକ ଦୃଷ୍ଟିକୋଣ ସଫଳତା ପ୍ରଦାନ କରିଥାଏ । ସେହିପରି ବିଫଳତା ପାଇଁ ନକାରାତ୍ମକ ଦୃଷ୍ଟିକୋଣ ଦାୟୀ ହୋଇଥାଏ ।


ବିଚାର ଦ୍ୱାରା ଦୃଷ୍ଟିକୋଣ ପ୍ରଭାବିତ ହୁଏ । ଦୃଷ୍ଟିକୋଣ ସର୍ବଦା ବ୍ୟବହାରିକ ହେବା ଉଚିତ । ବ୍ୟବହାରିକ ବିହୀନ ସୈଦ୍ଧାନ୍ତିକ ଦୃଷ୍ଟିକୋଣ କେବଳ ଏକ ବିଚାର ହୋଇ ରହିଯାଏ । ଏହା ସତ୍ୟ ଯେ ବିଚାର ହିଁ କର୍ମରେ ରୂପାନ୍ତରିତ ହୋଇଥାଏ । କିନ୍ତୁ ଏହା ଜରୁରୀ ନୁହେଁ ଯେ ବିଚାର କର୍ମରେ ପରିଣତ ହେବ; କର୍ମ ନ ହୋଇପାରେ ମଧ୍ୟ । ଏଥିପାଇଁ ଦୃଷ୍ଟିକୋଣ ଯଦି ବ୍ୟବହାରରେ ପରିବର୍ତ୍ତେ ହୋଇଯାଏ ତେବେ ଏହାଦ୍ୱାରା ଲାଭ ହୋଇପାରେ; କ୍ଷତି ମଧ୍ୟ ।


କୌଣସି ବସ୍ତୁର ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ତା’ର ଆନ୍ତରିକ ଗୁଣ ବେଶୀ ମହତ୍ତ୍ବପୂର୍ଣ୍ଣ । ସୁବର୍ଣ୍ଣ ବା ରତ୍ନର ମୂଲ୍ୟାଙ୍କନ ତା’ର ଆନ୍ତରିକ ଗୁଣ ଅନୁସାରେ ହୁଏ । କୌଣସି ଫଳ ବାହ୍ୟତଃ ଯେତେ ବି ବଡ ଓ ଆକର୍ଷକ ଦିଶୁଥାଉ ନା କାହିଁକି ତାହା ଯଦି ରସାଳ, ସୁସ୍ବାଦୁ ଓ ସୁମିଷ୍ଟ ହୋଇ ନଥାଏ ତେବେ ତା’ର ଚାହିଦା ନଥାଏ । ସେହିପରି କୌଣସି ଦେଶ ସେତେବେଳେ ବିଶ୍ୱ ପ୍ରସିଦ୍ଧ ଓ ମହାନ ରୂପରେ ସଚରାଚର ଗୃହୀତ ହୁଏ ଯେତେବେଳେ ତା’ର ନାଗରିକ ନୈତିକ ଓ ଆଧ୍ୟାତ୍ମିକ ଦୃଷ୍ଟିରେ ଚରିତ୍ରବାନ ହୋଇଥାନ୍ତି । ସଫଳତାର ଏକମାତ୍ର ମାପଦଣ୍ଡ ହେଉଛି ସଚ୍ଚରିତ୍ରତା । ଚକ୍ ଚକ୍ କରୁଥିବା ସମସ୍ତ ପଦାର୍ଥ ସୁବର୍ଣ୍ଣ ହୋଇ ନପାରେ ।


ସଫଳତା ଓ ଦିବ୍ୟତା ପାଇଁ ପରିଶ୍ରମ ଓ ଚରିତ୍ର ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ଏକାନ୍ତ ଆବଶ୍ୟକ । ମନୁଷ୍ୟ ସମସ୍ତ ବାହ୍ୟ ମୂଲ୍ୟବାନ ସାଧନ ସମୂହଠାରୁ ମଧ୍ୟ ଅଧିକ ମୂଲ୍ୟବାନ । କିନ୍ତୁ ବିଡମ୍ବନା ଏହି ଯେ ସଂପ୍ରତି ମାନବୀୟ ଦୃଷ୍ଟିକୋଣ ଚରିତ୍ରବାନ ମନୁଷ୍ୟ ଅପେକ୍ଷା ଧନ ସମ୍ପତ୍ତି , ସଂସାଧାନ ଓ ଭୌତିକ ସୁଖ ସୁବିଧା ପ୍ରତି ଅଧିକ ମହତ୍ତ୍ବ ଦେଉଛି । ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ମନୁଷ୍ୟ ହିଁ ସମ୍ପତ୍ତିର ସୃଜନ କର୍ତ୍ତା ସହିତ ବିନାଶ କର୍ତ୍ତା ମଧ୍ୟ ଅଟେ । ବ୍ୟବସାୟରେ ସଫଳତା ପାଇଁ କାର୍ଯ୍ୟକୁଶଳତା, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ, ଉତ୍ପାଦନ କ୍ଷମତାର ବୃଦ୍ଧି ଓ ଉଚ୍ଚକୋଟୀର ଉତ୍ପାଦନ ପାଇଁ ସୁଚାରୁ ପ୍ରବନ୍ଧନର ଆବଶ୍ୟକତା ହୋଇଥାଏ । ଏସବୁ ସତ୍ତ୍ବେ ମଧ୍ୟ ନୈତିକ ମୂଲ୍ୟ ଓ ସକାରାତ୍ମକ ଦୃଷ୍ଟିକୋଣର ଅଭାବ ଥାଏ ତେବେ ସଫଳତା ପ୍ରାପ୍ତି ସହଜସାଧ୍ୟ ନୁହେଁ ।


ସଂପ୍ରଦି ମାନବ ସମାଜ ମଧ୍ୟରେ ଦୁର୍ନୀତି ବା ମୂଲ୍ୟହୀନତା ଏତେ ପରିମାଣରେ ପରିବ୍ୟାପ୍ତ ଯେ ତାହା ମାନବ ଜୀବନରେ ଏକ ଅଭ୍ୟାସଗତ ପ୍ରକ୍ରିୟା ହୋଇଯାଇଛି । ମୂଲ୍ୟହୀନ ବିଚାର ଜନିତ ପରିଣାମ ସ୍ବରୂପ ଜୀବନର ସମସ୍ତ ଦିଗର ବ୍ୟାଖ୍ୟା ଦୋଷ ପୂର୍ଣ୍ଣ ଦୃଷ୍ଟିକୋଣରେ ପରିବର୍ତ୍ତେ ହୋଇଯାଇଛି । ସଫଳତା ପାଇବା ପାଇଁ ମନୁଷ୍ୟ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟର ଉପେକ୍ଷା କରିବାକୁ ମଧ୍ୟ ପଶ୍ଚାତଉପଦ ହେଉ ନାହିଁ । ଅନ୍ୟ ପକ୍ଷରେ ସକାରାତ୍ମକ ଦୃଷ୍ଟିକୋଣ ମଧ୍ୟ ଯେ ପର୍ଯ୍ୟନ୍ତ ବ୍ୟବହାରିକ ରୂପରେ ମନୁଷ୍ୟ ସମାଜରେ ଅଭ୍ୟାସଗତ ନ ହୁଏ ସେପର୍ଯ୍ୟନ୍ତ କୌଣସି ପ୍ରକାର ଲାଭ ସମ୍ଭବ ହେବ ନାହିଁ ।


କୌଣସି ଗଗନଶ୍ଚୁମ୍ବୀ ସ୍ତମ୍ଭ ବା ବହୁତଳ ବିଶିଷ୍ଟ ଅଟ୍ଟାଳିକାକୁ ସୁଦୃଢ଼ କରିବା ପାଇଁ ଖୁବ୍ ଗଭୀର ନିହର ଆବଶ୍ୟକତା ହୋଇଥାଏ । ସେହିପରି ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତି ପାଇଁ ଏକ ମଜବୁତ ଓ ଆଧାରଭୂତ ଦୃଷ୍ଟିକୋଣ ନିର୍ମାଣ କରିବା ଅତ୍ୟନ୍ତ ଅନିବାର୍ଯ୍ୟ ଅଟେ । ଏକ ଉଚ୍ଚ ଓ ଆଦର୍ଶ ପଦାଧିକାରୀ ବା ଏକ ପ୍ରତିଷ୍ଠା ସମ୍ପନ୍ନ ଉଦ୍ୟୋଗପତି ବା ଦୋକାନୀ ବା ମାଲିକ ଅଥବା ପରିବାରର ଦାୟିତ୍ୱ ବହନ କରିଥିବା ଗୃହ ସ୍ବାମୀ ହେବା ପାଇଁ ନିଜର ଦୃଷ୍ଟିକୋଣକୁ ବିଶେଷ ମହତ୍ତ୍ବ ଦେବାକୁ ହେବ ।


ଜୀବନ ଯାତ୍ରାରେ ସୁଗମତା ପୂର୍ବକ ଗତିକରି ଈପ୍ସିତ ଲକ୍ଷ୍ୟ ପର୍ଯ୍ୟନ୍ତ ସଫଳତା ପୂର୍ବକ ପହଞ୍ଚିବା ପାଇଁ ଦୃଷ୍ଟିକୋଣର ବିଶେଷ ଭୂମିକା ରହିଛି । ମନୁଷ୍ୟର ସମସ୍ତ ସଫଳତା ତାର ସେହି ଆନ୍ତରିକ ପ୍ରକାଶ ଉପରେ ନିର୍ଭର କରେ । ଜଣେ କେବଳ ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଆଣି ମଧ୍ୟ ନିଜ ଭବ୍ୟ ଜୀବନର ପ୍ରାରମ୍ଭ କରିପାରିବ । ଗୋଟିଏ ବୃକ୍ଷ ଯେତିକି ଯେତିକି ଉପରକୁ ଉଠେ ସେତିକି ସେତିକି ତାର ମୂଳ ମାଟି ତଳକୁ ଯାଏ । ଅନ୍ୟଥା ତା’ର ସ୍ଥିତି ଅସମ୍ଭବ । ସେହିପରି ସଫଳତାର ସର୍ବୋଚ୍ଚ ସୀମାରେ ଉପନୀତ ହେବା ପାଇଁ ସୁସ୍ଥ ଓ ସମ୍ୟକ ଦୃଷ୍ଟିକୋଣ ଆବଶ୍ୟକ । ଯିଏ ଲକ୍ଷ୍ୟ ପ୍ରାପ୍ତି ମାର୍ଗରେ ପ୍ରତ୍ୟେକ ଅସଫଳତା ଜନିତ କାରଣ ଗୁଡ଼ିକର ପୂର୍ଣ୍ଣ ମୂଲ୍ୟାଙ୍କନ ପୂର୍ବକ ସାହସ, ଧୈର୍ଯ୍ୟ ଓ ଉତ୍ସାହ ସହିତ ପୁନଃ ଲକ୍ଷ୍ୟ ହାସଲ ପାଇଁ ପୁରୁଷାର୍ଥ ରତ ହୋଇଯାଏ ତାକୁ ସକାରାତ୍ମକ ଦୃଷ୍ଟିକୋଣ ସମ୍ପନ୍ନ ବ୍ୟକ୍ତି କୁହାଯାଏ ।


ସାଧାରଣତଃ ବ୍ୟକ୍ତି ନିଜ ଦୋଷ ଗୁଡ଼ିକ ପ୍ରତି ଉପେକ୍ଷା ଦୃଷ୍ଟି ରଖେ; କିନ୍ତୁ ଅନ୍ୟମାନଙ୍କର ଛୋଟ ଛୋଟ ଦୋଷ ତ୍ରୁଟିଗୁଡ଼ିକୁ ଶକ୍ତିଶାଳୀ ଦୃଷ୍ଟିରେ ଦେଖେ । ତା’ର ଏହି ଶକ୍ତିଶାଳୀ ଦୋଷ ଦୃଷ୍ଟିରୁ କେହି ରକ୍ଷା ପାଇପାରେ ନାହିଁ । ଏପରି ବ୍ୟକ୍ତି ଅନ୍ୟର ସାମାନ୍ୟ ଦୋଷକୁ ମଧ୍ୟ ବୃହତ୍ ରୂପ ଦେଇ ଜନସାଧାରଣରେ ନିଃସଂକୋଚରେ ବର୍ଣ୍ଣନା କରିଥାଏ । ସଂପ୍ରତି ସମାଜରେ ଦେଖା ଦେଉଥିବା ଅଧିକାଂଶ ସମସ୍ୟାର କାରଣ ମନୁଷ୍ୟର ଏହି ବଦଭ୍ୟାସ । ମଣିଷ ଯଦି ଅନ୍ୟର ଦୋଷ ଦେଖିବା ଗୁଣକୁ ତ୍ୟାଗ କରିଦେବ ତେବେ ଏ ସଂସାରର ୯୦ ପ୍ରତିଶତ ସମସ୍ୟାର ସମାଧାନ ହୋଇପାରିବ । ତେଣୁ ଏକ ଭକ୍ତି ପ୍ରସିଦ୍ଧ ଅଛି ଯେ “ଜଣେ ଯଦି ଅନ୍ୟ ଆଡକୁ ଏକ ଅଙ୍ଗୁଠି ନିର୍ଦ୍ଦେଶ କରେ ତେବେ ତା’ ଆଡକୁ ତା’ର ତିନି ଆଙ୍ଗୁଠି ଇଶାରା କରିଥାଏ । ଅବଗୁଣୀ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଦେବୋପମ ମହାପୁରୁଷଙ୍କଠାରେ ମଧ୍ୟ ଦୋଷ ଖୋଜି ବାହାର କରିଥାଏ । ବ୍ୟକ୍ତି ଯେଉଁ ଜିନିଷର ଅନ୍ୱେଷଣ କରେ ତାହା ତାକୁ ପ୍ରାୟ ମିଳିଯାଏ । ଚରିତ୍ରଗତ ବିଶେଷତା ତଥା ଦୋଷ ଉଭୟ ଗୁଣ ପ୍ରତ୍ୟେକଙ୍କଠାରେ ଅଳ୍ପ ବହୁତ ଥାଏ । କିନ୍ତୁ ମହତ୍ତ୍ବପୂର୍ଣ୍ଣ କଥା ହେଲା ଆମେ ଅନ୍ୟଠାରେ କ’ଣ ଦେଖିବାକୁ ଚାହୁଁଛୁ ତାହା ନିର୍ଭର କରେ ଆମର ସକାରାତ୍ମକ ବା ନକାରାତ୍ମକ ଦୃଷ୍ଟିକୋଣ ଉପରେ ।


ଜଣେ ଯେତେବେଳେ ନିଜକୁ ଅସୁସ୍ଥ ମନେ କରେ ସେତେବେଳେ ତାର ମନର ଅବସ୍ଥା ଠିକ୍ ରହେ ନାହିଁ । ସେ ମନେ କରେ ଯେ ତା’ର ଅବସ୍ଥା ଠିକ୍ ନାହିଁ । ଏହା ଏକ ମନସ୍ତାତ୍ତ୍ବିକ ପ୍ରକ୍ରିୟା । ଏହି ବ୍ୟକ୍ତି ଯଦି ତା’ର ମନର ସଂକଳ୍ପକୁ ପରିବର୍ତ୍ତନ କରି ଭାବିବ ଯେ ସେ ଭଲ ଅନୁଭବ କରୁଛି ତା’ ହେଲେ ସୁସ୍ଥ ହୋଇଯିବ । ସେହିପରି ପ୍ରତ୍ୟେକ ଅସଫଳତାକୁ ସଫଳତା ପାଇଁ ଏକ ସୋପାନ ସଦୃଶ ବ୍ୟବହାର କରିବା ଉଚିତ । ଅସଫଳତାରେ ହତାଶ ନ ହୋଇ ଯଦି ବ୍ୟକ୍ତି ପୁନଃ ସକାରାତ୍ମକ ଦୃଷ୍ଟିକୋଣ ସହିତ ଉତ୍ସାହ ପୂର୍ବକ ଉଦ୍ୟମ କରିବ ତେବେ ଦିନେ ନା ଦିନେ ଅବଶ୍ୟ ସଫଳତା ତା’ର ପଦ ଚୁମ୍ବନ କରିବ ।

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

❤️❤️❤️❤️❤️❤️❤️❤️❤️

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର