ଜ୍ଞାନ ନିର୍ଝର (୨୩ )----ଚେତନାର ବିଭିନ୍ନ ଅବସ୍ଥା
🌷🌷🌷🌷🌷🌷🌷🌷🌷
🌻 *ଜ୍ଞାନ ନିର୍ଝର (୨୩)* 🌻
💐💐💐💐💐💐💐💐💐
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌺🌺🌺🌺🌺🌺🌺🌺🌺
🌼 *ଚେତନାର ବିଭିନ୍ନ ଅବସ୍ଥା* 🌼
🌸🌸🌸🌸🌸🌸🌸🌸🌸
ସୂକ୍ଷ୍ମ ରୂପରେ ଚେତନାର ଅନେକ ଅବସ୍ଥା ଥିଲେ ମଧ୍ୟ ଏହାକୁ ମୁଖ୍ୟତଃ ଚାରି ଭାଗରେ ବିଭିକ୍ତ କରାଯାଇ ପାରେ । ସେ ଗୁଡିକ ହେଉଛି; ୧-ନିଦ୍ରା (ସୂକ୍ଷ୍ମ ଓ ସୁଷୁପ୍ତି), ୨-ଅର୍ଦ୍ଧ ଜାଗ୍ରତ (ସମ୍ମୋହିତ ବା ସଂସାରୀ ବା ସାପେକ୍ଷ ଜାଗୃତ ଚେତନା), ୩-ଜାଗ୍ରତ (ପୁରୁଷାର୍ଥୀ ବା ଆଧ୍ୟାତ୍ମିକ ଚେତନା) ଓ ୪-ସମ୍ପୂର୍ଣ୍ଣ ଜାଗୃତ (କର୍ମାତୀତ ଚେତନା)
*୧.ନିଦ୍ରା*
ଏହା ହେଉଛି ଚେତନାର ନିଷ୍କ୍ରିୟ ଅବସ୍ଥା । ଏହି ଅବସ୍ଥାରେ ବ୍ୟକ୍ତି ସ୍ବପ୍ନ ଓ ସୁଷୁପ୍ତି ଅବସ୍ଥା ଦେଇ ଗତି କରେ । ଅର୍ଦ୍ଧ ଜାଗୃତ ଓ ସୁଷୁପ୍ତିର ମଧ୍ୟବର୍ତ୍ତୀ ସ୍ଥିତି ହେଉଛି ସ୍ବପ୍ନା ବସ୍ଥା । ଏହି ଅବସ୍ଥାରେ ଅର୍ଦ୍ଧ ଜାଗୃତ ଅବସ୍ଥାରେ ଦେଖିଥିବା ବା କରିଥିବା କର୍ମର ଅନୁଭୂତି ମନରେ ପ୍ରତିବିମ୍ବିତ ହୋଇଥାଏ । ଏହି ସମୟରେ ବିବେକ ଓ ବୁଦ୍ଧି ନିଷ୍କ୍ରିୟ ରହନ୍ତି । ମନ ପରଦାରେ ଉଦ୍ଭାସିତ ଦୃଶ୍ୟାବଳୀ ମଧ୍ୟରେ କୌଣସି ସଂଗତି ରହେ ନାହିଁ । ଏହି ସ୍ପପ୍ନାବସ୍ଥାରେ ଇନ୍ଦ୍ରିୟ ସମ୍ବେଦନା ସମୂହର ଅନୁଭବ ତଥା କ୍ରିୟାବଳୀ ପ୍ରକଟ ଓ ଅପ୍ରକଟ ରୂପରେ କ୍ରିୟାନ୍ୱିତ ହେଉଥାଏ । କେବଳ ସ୍ମୃତି ଆଧାରରେ ଏହି ପ୍ରଭାବଗୁଡିକର କୌଣସି ଗହନ ଆକଳନ ସମ୍ଭବ ନୁହେଁ ।
ସୁଷୁପ୍ତି ଅବସ୍ଥାରେ ସମସ୍ତ ଅନୁଭୂତି ବିଲୀନ ହୋଇଯାଏ । ଅର୍ଥାତ ମନରେ ବିଚାର ଓ ଭାବସମୂହ ଦ୍ୱାରା ଉତ୍ପନ୍ନ କୌଣସି ପ୍ରକାର ପ୍ରତିଛବି ପ୍ରତିବିମ୍ବିତ ହୋଇ ନ ଥାଏ । ସବୁକିଛି ଜଡବତ୍ ହୋଇଯାଏ । ଏପରି ଅବସ୍ଥାରେ ବ୍ୟକ୍ତିକୁ ନିଜର ଅସ୍ତିତ୍ୱର ବୋଧ ମଧ୍ୟ ହୁଏ ନାହିଁ ଯଦିଓ ଆତ୍ମା ଶରୀରରେ ବିଦ୍ୟମାନ ଥାଏ । ନିଦ୍ରାବସ୍ଥାରେ ହିଁ ଜୀବନର ଅଧା ସମୟ ବିତିଯାଏ ।
*୨ ଅର୍ଦ୍ଧ ଜାଗୃତ ଚେତନା*
ଚେତନାର ଏହି ଅବସ୍ଥାରେ ବ୍ୟକ୍ତି ଦେହ ଓ ଦେହ ସହିତ ସମ୍ପର୍କିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି, ଘଟଣା ଆଦି ପ୍ରତି ଜାଗ୍ରତ ଥାଏ । କିନ୍ତୁ ଦେହର କର୍ତ୍ତା ଆତ୍ମା ବା ସ୍ବୟଂ ପ୍ରତି ସେ ସଚେତନ ନ ଥାଏ । ଅର୍ଥାତ ସେ ନିଜକୁ ଆତ୍ମା ପରିବର୍ତ୍ତେ ଶରୀର ବୋଲି ମନେ କରେ । ଏହା ହେଉଛି ଆତ୍ମ-ବିସ୍ମୃତି ଅବସ୍ଥା । ଅନ୍ୟ ଅର୍ଥରେ ଏହି ଅବସ୍ଥାକୁ ଜାଗରୂକ ନିଦ୍ରା ମଧ୍ୟ କୁହାଯାଇ ପାରେ । କାରଣ ଏହି ଅବସ୍ଥାରେ ବ୍ୟକ୍ତି ସମସ୍ତ ସାଂସାରିକ କାର୍ଯ୍ୟ କରିବା ସହିତ କାମକ୍ରୋଧାଦି ବିକାରର ବଶୀଭୂତ ହୋଇ ଅନେକ ଅନୈତିକ ଓ ଦୁଃଖକାରକ କର୍ମ ମଧ୍ୟ କରିଥାଏ । ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିଂସ୍ରକ ଓ ଆତଙ୍କ ବାଦୀ କାର୍ଯ୍ୟକଳାପ, ଭ୍ରଷ୍ଟାଚାର, ପାରିବାରିକ ବିବାଦ, ସାଂପ୍ରଦାୟିକ ବିଦ୍ୱେଷ, ବ୍ୟଭିଚାର, ବଳତ୍କାର, ଜାତିବାଦ ଆଦି ମନୁଷ୍ୟର ଅର୍ଦ୍ଧ ଜାଗୃତ ଚେତନା ବା ସମ୍ମୋହିତ ଅବସ୍ଥାରେ କରୁଥିବା କର୍ମର ପରିଣାମ ମାତ୍ର । ଏହି ଅବସ୍ଥାରେ ବିବେକ ଆଂଶିକ ଭାବରେ କାର୍ଯ୍ୟ କରେ । ଅଧିକାଂଶ ଲୋକେ ନିଦରୁ ଜାଗିବା ସ୍ଥିତିକୁ ଜାଗ୍ରତ ଅବସ୍ଥା ମନେ କରନ୍ତି । ଏହା ଠିକ ନୁହେଁ । କାରଣ ଏହି ଚେଇଁ ଥିବା ଅବସ୍ଥାରେ ମଧ୍ୟ ନିଜର ଆତ୍ମ ସ୍ବରୂପକୁ ଦେଖି ପାରନ୍ତି ନାହିଁ । ବିସ୍ମୃତିର ଗହନ ଅନ୍ଧକାରରେ ସେମାନେ ମୁର୍ଚ୍ଛିତ ଅବସ୍ଥାରେ ଥାଆନ୍ତି । ସେମାନଙ୍କ ମନରେ ବ୍ୟର୍ଥ ଭାବ ଓ ବିଚାର ରୂପୀ ସ୍ବପ୍ନ ଉଦ୍ଭାସିତ ଦେଉଥାଏ ।
ଅର୍ଦ୍ଧ ଜାଗ୍ରତ ଚେତନାର ଅର୍ଥରୁ ଏହା ଜଣା ପଡେ ଯେ ମାନବୀୟ ଚେତନାର ଗୋଟିଏ ଭାଗ ଜାଗ୍ରତ ଓ ଅନ୍ୟ ଭାଗ ସୁପ୍ତ । ଏହା ମନୁଷ୍ୟର ଏକ ବିଚିତ୍ର ଅବସ୍ଥା । କାରଣ ଏହା ତାକୁ ଏହି ରହସ୍ୟ ଓ ଭ୍ରମରେ ରଖେ ଯେ ସେ ଜାଗ୍ରତ ଅଟେ । ଏହି ଅବସ୍ଥାରେ ନିଜର ବାସ୍ତବିକ ଆତ୍ମିକ ସ୍ବରୂପର ସ୍ମୃତି ବ୍ୟତୀତ ଅନ୍ୟ ସମସ୍ତ ବାହ୍ୟ ଓ ଅର୍ନ୍ତଜଗତରେ ଘଟୁଥିବା ଘଟଣାର ଜ୍ଞାନ ଥାଏ । କିନ୍ତୁ ଏହି ଜାଗୃତି ସ୍ବ-କେନ୍ଦ୍ରିତ ନ ହୋଇ ପରକେନ୍ଦ୍ରିତ ହୋଇ ଥାଏ । କୌଣସି ଦୁର୍ଘଟଣା ହେତୁ ଯେତେବେଳେ ଜଣେ ଆହତ ହୁଏ ସେତେବେଳେ ଶରୀରର ବିଭିନ୍ନ ଅଂଶରେ ସେ ପୀଡା ଅନୁଭବ କରେ । ଦୁର୍ଘଟଣା ଜନିତ ପରିସ୍ଥିତି ସମ୍ବନ୍ଧରେ ସେ ଅବଗତ ଥାଏ । କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ଯେ ତା ମଧ୍ୟରେ ବିରାଜିତ ଆତ୍ମ ଚେତନା (ଯାହାକି ସେ ସ୍ବୟଂ ଅଟେ) ବୋଧ ନ ଥାଏ । ଏଥିରୁ ଜଣା ଯାଏ ଯେ ମନୁଷ୍ୟର ସମସ୍ତ ଆଧାର-ବୋଧ କେନ୍ଦ୍ର ସ୍ବୟଂଠାରୁ ପୃଥକ କୌଣସି ବାହ୍ୟ ବିଷୟ, ବସ୍ତୁ, ପରିସ୍ଥିତି ଓ ଘଟଣା ସହିତ ସମ୍ବନ୍ଧିତ । ଏହିପରି ବାହ୍ୟ କାରଣ ହେତୁ ମନୁଷ୍ୟ ନିଦ୍ରାମୁକ୍ତ ସ୍ଥିତିରେ (ପ୍ରକୃତରେ ଜାଗ୍ରତ ଅବସ୍ଥା ନୁହେଁ) ଥାଏ । ଯେତେବେଳେ ବାହ୍ୟ ପ୍ରଭାବ ଆସିବା ବନ୍ଦ ହୋଇଯାଏ ସେତେବେଳେ ସେ ନିଦ୍ରାଭିଭୂତ ହୋଇ ପଡେ । ଏହି ଉଭୟ ଅବସ୍ଥାରେ ଚେତନା ବା ଆତ୍ମା ଜାଗ୍ରତ ନ ଥାଏ ଯଦିଓ ସେ ଶରୀରରେ ବିଦ୍ୟମାନ ଥାଏ । ଆତ୍ମାର ବିଦ୍ୟମାନତା ହିଁ ଆମର ପ୍ରାଣବାନ ହେବାର ପ୍ରମାଣ । କାରଣ ଆତ୍ମାର ଗୋଟିଏ ଗୁଣ ହେଉଛି ଚୈତନ୍ୟ ହେବା, କିନ୍ତୁ ଅର୍ଦ୍ଧଚେତନା ଅବସ୍ଥାରେ ଆତ୍ମା ନିଜ ବିଷୟରେ ସଚେତନ ନ ଥାଏ ।
*୩ ଆତ୍ମ-ଜାଗ୍ରତ ଚେତନା*
ବ୍ୟବହାରିକ ଜୀବନରେ ଆତ୍ମଜ୍ଞାନର ନିରନ୍ତର ଅଭ୍ୟାସ ଦ୍ୱାରା ଆତ୍ମବୋଧ ଅବସ୍ଥା ହେଉଛି ଆତ୍ମ-ଜାଗ୍ରତ ଚେତନା । ଏହି ଅବସ୍ଥାରେ ଆନ୍ତରିକ ସ୍ଥିତିର ଅନେକ ସ୍ତର ଥାଏ । ସମ୍ପୂର୍ଣ୍ଣ ଆତ୍ମଜାଗ୍ରତ ଚେତନା ଓ ଅର୍ଦ୍ଧଜାଗ୍ରତ ଚେତନାର ଏହି ମଧ୍ୟବର୍ତ୍ତୀ ଭାଗ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ । ଏହି ଅବସ୍ଥାରେ ହିଁ ପୁରୁଷୁାର୍ଥର ସମସ୍ତ ସମ୍ଭାବନା ପ୍ରକଟ ହୋଇଥାଏ । ଉଚ୍ଚତମରୁ ନିମ୍ନତମ ସ୍ଥିତି ମଧ୍ୟରେ ଏହା ହେଉଛି ଈଶ୍ୱରୀୟ ସ୍ମତିର ଯାତ୍ରା । ଉଚ୍ଚତମ ଆତ୍ମ ଜାଗୃତିର ଉଚ୍ଚତମ ଅବସ୍ଥାରେ ବ୍ୟକ୍ତି ଇହ ଜଗତରେ ଥାଇ ମଧ୍ୟ ଜ୍ଞାନଯୁକ୍ତ ଏକ ଅଲୌକିକ ସଂସାର ମଧ୍ୟରେ ଥାଏ । ପାରସ୍ପରିକ ସମ୍ବନ୍ଧରେ ଭାବ ଓ ବିଚାରର ସ୍ବରୂପ ପୂର୍ବାପେକ୍ଷା ଅଧିକ ଭଲ, ସୁଖଦ ଓ ସ୍ପଷ୍ଟ ହୋଇଥାଏ । ଆତ୍ମଜାଗ୍ରତ ଚେତନା ଅବସ୍ଥାର ସ୍ତର ପୁରୁଷାର୍ଥ ଅନୁସାରେ ଉଚ୍ଚ, ମଧ୍ୟମ ବା ନୀଚ ହୋଇପାରେ । ଏହି ଅବସ୍ଥାର ସ୍ତର ଅନୁରୂପ ସ୍ମୃତିର ସ୍ଥିତି ନିର୍ଭର କରେ । ଏହି ସ୍ଥିତିର ଅବରୋହ-ଆରୋହ ସହିତ ବୋଧ ବା ଜ୍ଞାନର ସ୍ତର ମଧ୍ୟ ତଳ-ଉପର ଦେଉଥାଏ ।
୪ ସମ୍ପୂର୍ଣ୍ଣ ଆତ୍ମ ଜାଗ୍ରତ ଚେତନା
ଏହି ଅବସ୍ଥା ହେଉଛି ଆତ୍ମାର ପୂର୍ଣ୍ଣ ଜାଗ୍ରତ ଅବସ୍ଥା । ଏହା ଶକ୍ତିଶାଳୀ ଅବସ୍ଥା ହୋଇଥିବାରୁ ସ୍ମୃତିର ସ୍ଥିତିରେ ହଲରେ ସୃଷ୍ଟି ହୁଏ ନାହିଁ । ଏହି ସ୍ଥିତିରେ ବ୍ୟକ୍ତି ଆତ୍ମାର ବାସ୍ତବ ସ୍ବରୂପକୁ ସ୍ପଷ୍ଟ ଭାବରେ ଦର୍ଶନ କରି ପାରେ । ପୁରୁଷାର୍ଥ ମଧ୍ୟରେ ବେଳେବେଳେ ଅଚାନକ ଏହି ଅବସ୍ଥାର ଅନୁଭବ ହୋଇ ଥାଏ । ଏହା ଏକ ଅସ୍ଥାୟୀ ଅବସ୍ଥା । ଏହି ଅବସ୍ଥାର ସ୍ଥାୟୀ ଅନୁଭବ ପାଇଁ ଦୀର୍ଘକାଳର ଅଭ୍ୟାସ ଆବଶ୍ୟକ । ଏହାକୁ କର୍ମାତୀତ ଅବସ୍ଥା ମଧ୍ୟ କୁହାଯାଏ ପାରେ । ଏହି ଅବସ୍ଥାରେ ଅଜ୍ଞାନ ଓ ବିସ୍ମୃତିର ଲେଶମାତ୍ର ଅନ୍ଧକାର ମଧ୍ୟ ଜୀବନରେ ଅବଶେଷ ରହେ ନାହିଁ । ଗୀତାରେ ସ୍ଥିତ ପ୍ରଜ୍ଞ ଓ ଯୋଗୀର ଯେଉଁ ସବୁ ଲକ୍ଷଣ ବର୍ଣ୍ଣନା କରାଯାଇଛି ଏହି ଅବସ୍ଥା ପ୍ରାପ୍ତ ପରେ ହିଁ ସେଗୁଡିକ ସମ୍ପୂର୍ଣ୍ଣ ଭାବରେ ପ୍ରକଟିତ ହୋଇଥାନ୍ତି । ପରିଣାମ ସ୍ବରୂପ କାର୍ଯ୍ୟ ଓ କାର୍ଯ୍ୟ ସମ୍ପାଦନ କର୍ତ୍ତା ଆତ୍ମା ଉଭୟ ଦିଗରେ ଜାଗ୍ରତ ହୋଇ କର୍ମ କରିଥାଏ । କୌଣସି ବାହ୍ୟ ବା ଆନ୍ତରିକ ପ୍ରଭାବର ବଶବର୍ତ୍ତୀ ହୋଇ ସେ ସ୍ବୀୟ ଆତ୍ମସ୍ମୃତି ବିସ୍ମୃତ ହୁଏ ନାହିଁ । ଆତ୍ମଜ୍ଞାନର ପୂର୍ଣ୍ଣ ଜାଗୃତିର ପ୍ରକାଶରେ ଆତ୍ମା ସର୍ବଦା ପ୍ରକାଶମାନ ଥାଏ
ଅନେକ ସମୟରେ, ପୁରୁଷାର୍ଥୀ ମଧ୍ୟରେ ସମ୍ପୂର୍ଣ୍ଣ ଆତ୍ମଜାଗ୍ରତ ଚେତନା ଅବସ୍ଥାରେ ଉପନୀତ ହୋଇଥିବା ଭ୍ରମ ସୃଷ୍ଟି ହୋଇଥାଏ । ପୁରୁଷାର୍ଥ କରୁ କରୁ ଅଚାନକ ଏହାର ସାକ୍ଷାତକାର ହୋଇଥାଏ ।କିନ୍ତୁ ଏହାର ପ୍ରଭାବ କ୍ଷଣସ୍ଥାୟୀ।ଏହିପରି କ୍ଷେତ୍ରରେ ନିଜର ମନୋସ୍ଥିତିକୁ ସୂକ୍ଷ୍ଭତା ପୂର୍ବକ ଯାଞ୍ଚ କରିବା ଆବଶ୍ୟକ। ସମ୍ପୂର୍ଣ୍ଣ ଆତ୍ମଜାଗ୍ରତ ଚେତନାରେ ଉପନୀତ ବ୍ୟକ୍ତିର ମନ ସମସ୍ତ ପ୍ରକାର ଦ୍ବନ୍ଦରୁ ମୁକ୍ତ ଥାଏ। ଦୀର୍ଘ ସମୟ ପାଇଁ ନିରନ୍ତର ଓ ନିରବଚ୍ଛିନ୍ନ ସାଧନା ଦ୍ବାରା ହିଁ ଏହି ଅବସ୍ଥା ପ୍ରାପ୍ତ ହୋଇଥାଏ ।
🙏🙏🙏🙏🙏🙏🙏🙏🙏
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
🙏🙏🙏🙏🙏🙏🙏🙏🙏
Comments
Post a Comment