ଜ୍ଞାନ ନିର୍ଝର (୩୬)----ଯେପରି ବୃତ୍ତି ସେପରି ଦୃଷ୍ଟି

 💐💐💐💐💐💐💐💐💐

   🌼     *ଜ୍ଞାନ ନିର୍ଝର (୩୬)* 🌼

🌹🌹🌹🌹🌹🌹🌹🌹🌹

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌺🌺🌺🌺🌺🌺🌺🌺🌺

 *ଯେପରି ବୃତ୍ତି ସେପରି ଦୃଷ୍ଟି* 

🌷🌷🌷🌷🌷🌷🌷🌷🌷

ଜଣେ ଅନ୍ଧ ବ୍ୟକ୍ତି ଧ୍ୱନି ଓ ସ୍ପର୍ଶ ଦ୍ୱାରା କୌଣସି ବସ୍ତୁକୁ ଚିହ୍ନିବାକୁ ପ୍ରୟାସ କରେ । କୌଣସି ବସ୍ତୁକୁ ସମ୍ପୂର୍ଣ୍ଣ ଜାଣିବା ପାଇଁ ଏହି ଆଧାର ଦ୍ୱୟ (ଧ୍ୱନି ଓ ସ୍ପର୍ଶ) ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ପ୍ରତ୍ୟକ୍ଷ ଦର୍ଶନ ଆବଶ୍ୟକ । ସୀମିତ ସୂଚନା ଆଧାରରେ କୌଣସି ବିଷୟ ପ୍ରତି ସର୍ବାଙ୍ଗୀନ ଦୃଷ୍ଟିକୋଣ ସମ୍ଭବ ନୁହେଁ ।


ବିଚାର ଓ ଭାବ ଅନୁସାରେ ବ୍ୟକ୍ତିର ଦୃଷ୍ଟିକୋଣ ନିର୍ମାଣ ହୋଇଥାଏ । ଯିଏ ଯେଉଁ ବୃତ୍ତି ସେ ନିଜ ଅନୁରୂପ ଜଗତକୁ ଦେଖିଥାଏ । ଉଦାତ୍ତ ଓ ମହାନ ବୃତ୍ତି ସମ୍ପନ୍ନ ବ୍ୟକ୍ତି ପାଇଁ ଏ ଜଗତ ସତ୍ୟମ୍, ଶିବମ୍ ଓ ସୁନ୍ଦରମ୍ ଅଟେ । ପ୍ରାଚୀନ କାଳରେ ଏହି ଦୃଷ୍ଟିକୋଣ ଆଧାରରେ ଋଷିଗଣ ଏକ ସ୍ୱସ୍ଥ ଓ ଉପଯୋଗୀ ସମାଜ ଗଠନ ପାଇଁ ବର୍ଣ୍ଣ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ବିକଶିତ ପ୍ରାକୃତିକ ଗୁଣ ଓ କ୍ଷମତାକୁ ସାମାଜିକ ଜୀବନରେ ବିନିଯୋଗ କରିବା ଥିଲା ଏହି ବ୍ୟବସ୍ଥାର ଆଧାର । ପକ୍ଷପାତ ଓ ଭେଦଭାବ ପୂର୍ଣ୍ଣ ସମାଜ ଗଠନ ପାଇଁ ଏହି ବର୍ଣ୍ଣ ବ୍ୟବସ୍ଥାର ନିର୍ମାଣ ହୋଇ ନ ଥିଲା । ଗୁଣ ଓ କର୍ମକୁ ଆଧାର କରି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର- ଏହି ଯେଉଁ ଚାରୋଟି ବର୍ଣ୍ଣ ବ୍ୟବସ୍ଥାର ନିର୍ମାଣ ହୋଇଥିଲା ଏଥିରେ କୌଣସି ନିମ୍ନତା ଓ ଉଚ୍ଚତାର ବିଚାର ଓ ଭାବ ନ ଥିଲା । ଯେଉଁମାନେ ସହଜାତ ଅନ୍ତର୍ମୁଖୀ ପ୍ରବୃତ୍ତି ହେତୁ ଶିକ୍ଷାଦାନକୁ ନିଜ କର୍ମ ରୂପେ ଚୟନ କରୁଥିଲେ ସେମାନଙ୍କୁ ବ୍ରାହ୍ମଣ କୁହାଯାଉଥିଲା । ନିଜର ଶୌର୍ଯ୍ୟ, ସାହସ ଓ ନିର୍ଭୟତା ଜନିତ ବର୍ହିମୁଖୀ ପ୍ରବୃତ୍ତି ସମ୍ପନ୍ନ ବ୍ୟକ୍ତିଙ୍କ ହାତରେ ସମାଜର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ହେଉଥିଲା । ସେମାନେ କ୍ଷତ୍ରିୟ ବର୍ଣ୍ଣ ଅନ୍ତର୍ଭୁକ୍ତ ହେଉଥିଲେ । କିନ୍ତୁ କାଳକ୍ରମେ କେତେକ ନ୍ୟସ୍ତ ସ୍ୱାର୍ଥ ସମ୍ପନ୍ନ ବ୍ୟକ୍ତି ରୁଢ଼ି କ୍ରିୟା କାଣ୍ଡ ଆଧାରରେ ଏହି ସୁନ୍ଦର ଦୃଷ୍ଟିକୋଣ ବିଶିଷ୍ଟ ବର୍ଣ୍ଣ ବ୍ୟବସ୍ଥାକୁ ନିମ୍ନ କୋଟିରେ ପରିବର୍ତ୍ତନ କରି ଲୋକମାନଙ୍କ ମଧ୍ୟରେ ଏକ ମିଥ୍ୟା ଦୃଷ୍ଟିକୋଣର ନିର୍ମାଣ କରିବାରେ ସଫଳ ହୋଇଗଲେ । ଏହାର ଭୟଙ୍କର ପରିଣାମରୁ ଆଜି ପର୍ଯ୍ୟନ୍ତ ମନୁଷ୍ୟ ସମାଜ ମୁକ୍ତ ହୋଇ ପାରି ନାହିଁ । ଦୋଷପୂର୍ଣ୍ଣ ଦୃଷ୍ଟି କୋଣର ଏହି ପ୍ରବୃତ୍ତି ଦେଶ ଓ ସମାଜର ଅନେକ କ୍ଷେତ୍ରରେ ପରିବ୍ୟାପ୍ତ । ଯେପରିକି ଛୁଆଁ-ଅଛୁଆଁ, ବିକଶିତ- ଅବିକଶିତ, ନୀଚ ଜାତି-ଉଚ୍ଚ ଜାତି, ବ୍ରାହ୍ମଣ-ଶୂଦ୍ର, ହିନ୍ଦୁ-ମୁସଲମାନ, କ୍ରିଷ୍ଟିୟାନ, ଗୋରା-କଳା ଇତ୍ୟାଦି । ଭୌଗଳିକ ସ୍ଥିତି ଆଧାରରେ ମଧ୍ୟ ମନୁଷ୍ୟ ସମାଜ ବହୁଧା ବିଭକ୍ତ । ଯିଏ ଯେଉଁ ଦେଶର ଅଧିବାସୀ ସେହି ଦେଶର ନାମାନୁସାରେ ତାର ପରିଚୟ ହେଉଛି । ସମ୍ପ୍ରତି ଯେତେ ସବୁ ସଂଘର୍ଷ, ମତଭେଦ ଓ ଆତଙ୍କବାଦୀ କାର୍ଯ୍ୟକଳାପ ହେଉଛି ସେହିସବୁ ଏହି ନପୁଂସକ ଦୃଷ୍ଟିକୋଣର ବର୍ଣ୍ଣଶଂକର ଉତ୍ପତ୍ତି ।


ସମସ୍ତ ଜଗତ ଏହି ଅର୍ଦ୍ଧ ବିକ୍ଷିପ୍ତ ଚିନ୍ତାଧାରାରେ ତ୍ରସ୍ତ ଓ ଭୟଗ୍ରସ୍ତ ଅଟେ । ଭୋଗ ଓ ଶକ୍ତି ପ୍ରାପ୍ତିର ପ୍ରତିଯୋଗିତାରେ ମଣିଷ ଭସ୍ମାସୁର ପରି ନିଜର ସୁନ୍ଦର ସଂସ୍କୃତି ଓ ସଭ୍ୟତାକୁ ସ୍ୱୟଂ ଭସ୍ମ କରିବାରେ ଲାଗିଛି ।


ଆମର ପୂର୍ବପୁରୁଷ ସଂସାରକୁ ଅଦ୍ଭୁତ ସୌନ୍ଦର୍ଯ୍ୟ ବୋଧରେ ଅଳଂକୃତ ଓ ସୁନ୍ଦର ଭାବରେ ଓତପ୍ରୋତ ସୁନ୍ଦର ମଙ୍ଗଳମୟ ଦୃଷ୍ଟିକୋଣ ପ୍ରଦାନ କରି ଉଦାତ୍ତ କଣ୍ଠରେ ଗାଇ ଥିଲେ, “ବସୁଧୈବ କୁଟୁମ୍ବକମ୍’’ (ଏହି ପୃଥିବୀ ତୁମର ପରିବାର), ‘ସର୍ବ ଭୁତ ହିତେ ରତା’ (ସମସ୍ତ ପ୍ରାଣୀଙ୍କ କଲ୍ୟାଣ ହେଉ), ସର୍ବେ ଭବନ୍ତୁ ସୁଖିନଃ (ସମସ୍ତେ ସୁଖୀ ହୁଅନ୍ତୁ) ଇତ୍ୟାଦି । ସେମାନଙ୍କର ଏହି ବିଶ୍ୱ କଲ୍ୟାଣକାରୀ ଅର୍ନ୍ତଦୃଷ୍ଟି ହେତୁ ଆମ ଭାରତବର୍ଷ ଏକଦା ବିଶ୍ୱଗୁରୁ ପଦରେ ଅଳଙ୍କୃତ ଥିଲା । ଜାତି, ସମାଜ ଓ ରାଷ୍ଟ୍ରରୁ ଉପରକୁ ଉଠି ସେମାନେ ଏକ ଶାଶ୍ୱତ, ସନାତନ ଓ ରହସ୍ୟମୟ ସତ୍ୟକୁ ଅନୁଭବ କରିଥିଲେ । ତାହା ହେଉଛି ବ୍ୟକ୍ତି ଶରୀର ନୁହେଁ, ସେ ହେଉଛି ଏକ ଆତ୍ମା ଓ ପ୍ରତ୍ୟେକ ଆତ୍ମା ଏକ ପରମାତ୍ମାଙ୍କ ସନ୍ତାନ । ତେଣୁ ପରସ୍ପର ଭାଇ-ଭାଇ ଅଟନ୍ତି । ଏହି ଦୃଷ୍ଟିକୋଣ ଆଧାରରେ କୁହାଗଲା “ହିନ୍ଦୁ-ମୁସ୍ଲିମ, ଶିଖ୍-ଇସାଇ, ଆପସ ମେଁ ସବ୍ ଭାଇ-ଭାଇ ।’’ ଆମର ବାସ୍ତବିକ ସ୍ୱରୂପ ପ୍ରକାଶ ଅଟେ । ତେଣୁ ସେହି ପ୍ରକାଶର ବିଶେଷତାକୁ ସର୍ବଦା ସ୍ମରଣ ରଖିବା ଉଚିତ । ସେହି ବିଶେଷତା କ’ଣ ଆସନ୍ତୁ ଜାଣିବା ।


(କ)କୌଣସି ଅନ୍ଧକାର ପ୍ରକୋଷ୍ଠର ଦୁଇ ଦ୍ୱାରରୁ ଯଦି ଦୁଇ ଜଣ ବ୍ୟକ୍ତି ଏକ ସହିତ ଦୁଇଟି ଜ୍ୱଳନ୍ତ ମହମବତୀ ନେଇ ପ୍ରବେଶ କରନ୍ତି ତେବେ କ’ଣ ଉଭୟ ମହମବତୀର ପ୍ରକାର ମଧ୍ୟରେ ପରସ୍ପର ସଂଘର୍ଷ ହୁଏ? ନା, ବରଂ ଉଭୟ ପ୍ରକାଶ ମିଶି ପ୍ରକାଶର ଗୁଣବତ୍ତାରେ ଆହୁରି ସମ୍ବର୍ଦ୍ଧନ କରନ୍ତି ।


(ଖ) ପ୍ରକାଶ ସର୍ବଦା ଶୁଦ୍ଧ ଥାଏ । ଏହା ଅପରିଷ୍କାର ଓ ଅଶୁଦ୍ଧ ବସ୍ତୁକୁ ସ୍ପର୍ଶ କରି ଯେତେବେଳେ ପ୍ରତ୍ୟାବର୍ତ୍ତନ କରେ ସେତେବେଳେ ତହିଁରେ ଥିବା ଅଶୁଦ୍ଧତାକୁ ସାଙ୍ଗରେ ଆଣି ନଥାଏ । ତା’ର ପରିପୂର୍ଣ୍ଣ ଶୁଦ୍ଧତା ଅକ୍ଷୁର୍ଣ୍ଣ ରହେ ।


(ଗ) ପ୍ରକାଶ ସର୍ବଦା ଭାରହୀନ ବା ହାଲୁକା ରହେ ।


ଉପରୋକ୍ତ ତିନୋଟି ତଥ୍ୟ ବା ଜ୍ଞାନକୁ ମନୁଷ୍ୟ ଅନୁଭବ  କରି ଯଦି ବ୍ୟବହାରିକ ଜୀବନରେ ପ୍ରୟୋଗ କରନ୍ତା ତେବେ ଏହି ସଂସାରରୁ ସମସ୍ତ ପ୍ରକାର ପାପାଚାର ଦୂର ହୋଇ ଏକ ସୁଖମୟ ସମାଜର ସ୍ଥାପନା ହୋଇପାରନ୍ତା । ସୂକ୍ଷ୍ମ ଭାବରେ ବିଚାର କଲେ ଆମେ ଜାଣିପାରିବା ଯେ ସମସ୍ତ ପାପର ମୂଳ ହେଉଛି ଦୈହିକ ଦୃଷ୍ଟିକୋଣ । ଯଦି ଆମର ଆତ୍ମିକ ଦୃଷ୍ଟିକୋଣ ଜାଗ୍ରତ ହୋଇଯାଏ ତେବେ ଆମେ ଅନୁଭବ କରିପାରିବା ଯେ ଆମେ ପ୍ରତ୍ୟେକେ ଜ୍ୟୋତି ସ୍ୱରୂପ ଆତ୍ମା ଅଟୁ । ଜ୍ଞାନ ଯୋଗର ନିରନ୍ତର ଅଭ୍ୟାସ ଦ୍ୱାରା ପ୍ରକାଶ ସ୍ବରୂପ ଆତ୍ମାର ଅନୁଭବ ହୋଇଥାଏ ।


ଆତ୍ମା ସ୍ୱରୂପ ଅନୁଭବ କରିଥିବା ବା ଆତ୍ମିକ ସ୍ଥିତିରେ ସ୍ଥିତ ବ୍ୟକ୍ତିର ଦୃଷ୍ଟିକୋଣ ସର୍ବଦା ସକାରାତ୍ମକ ବ୍ୟାପକ ହୋଇଥାଏ । ଅନ୍ୟ ପକ୍ଷରେ ଦେହାଭିମାନୀ ବ୍ୟକ୍ତିମାନଙ୍କଠାରେ ଦୋହରା ଦୃଷ୍ଟିକୋଣ ଦେଖିବାକୁ ମିଳେ । ସେମାନଙ୍କ ବିଚାର ଓ ଆଚରଣରେ ସାମଞ୍ଜସ୍ୟ ନ ଥାଏ । ସେମାନଙ୍କ ମନରେ ଉତ୍ତମ ବିଚାର ଆସେ କିନ୍ତୁ ବ୍ୟବହାରିକ କ୍ଷେତ୍ରରେ ସେମାନେ ମନ୍ଦ କର୍ମରେ ଲିପ୍ତ ରହନ୍ତି । ଅନେକ ସମୟରେ ସେମାନେ ନିଜ ଭୁଲ ବୁଝି କ୍ଷମା ଯାଚନା ମଧ୍ୟ କରିଥାନ୍ତି । ସେମାନଙ୍କ ବିଚାରରେ ସେମାନେ କ୍ରୋଧୀ ନୁହନ୍ତି । କିନ୍ତୁ ଭୁଲରେ ତାଙ୍କ ମୁହଁରୁ ଅପଶବ୍ଦ ବାହାରି ଯାଇଥିଲା ବା ଉଚ୍ଚସ୍ବରରେ ବାର୍ତ୍ତାଳାପ କରିବା ସେମାନଙ୍କର ଅଭ୍ୟାସ । ମନ୍ଦ କର୍ମ କରି ମଧ୍ୟ ସେମାନେ ନିଜକୁ ମନ୍ଦ ବ୍ୟକ୍ତି ବୋଲି ଭାବନ୍ତି ନାହିଁ । ପରିଣାମ ସ୍ବରୂପ ଏପରି ବ୍ୟକ୍ତି ନିଜର ଭୁଲକୁ ସ୍ବୟଂର ଚାରିତ୍ରିକ ଦୋଷ ବୋଲି ଅନୁଭବ କରିପାରନ୍ତି ନାହିଁ ଏବଂ ନିଜକୁ ଭଲ ବା ଠିକ୍ ଭାବିବାର ଭୁଲ କରନ୍ତି । ଏହି କାରଣରୁ ସେମାନଙ୍କ ବ୍ୟକ୍ତିତ୍ୱର ପରିବର୍ତ୍ତନ ଅସମ୍ଭବ ହୋଇପଡେ । ପରିବର୍ତ୍ତନ ସେତେବେଳେ ସମ୍ଭବ ହୁଏ ଯେତେବେଳେ ଜଣେ ନିଜର ଭୁଲକୁ ଅନୁଭବ କରିପାରେ । ଏଥିପାଇଁ ସ୍ବୟଂ ପ୍ରତି ତାକୁ ପୁନର୍ମୁଲ୍ୟାଙ୍କନ କରିବାକୁ ପଡିବ । ତାକୁ ସ୍ବୀକାର କରିବାକୁ ପଡିବ ଯେ ଭୁଲ ବୁଝାମଣା ବଶତଃ ତା’ର ଏପରି ଅଭ୍ୟାସ ନିର୍ମାଣ ହୋଇଛି । ଏହି ମୁକ୍ତିର ପ୍ରୟାସ କଷ୍ଟସାଧ୍ୟ । ନିରନ୍ତର ଆତ୍ମିକ ସ୍ବରୂପର ଅଭ୍ୟାସ ଦ୍ୱାରା ଧୀରେ ଧୀରେ ବ୍ୟକ୍ତି ଏହି ଦୋହରା ଦୃଷ୍ଟିକୋଣ ହେତୁ ନିର୍ମିତ ଚାରିତ୍ରିକ ଦୋଷରୁ ମୁକ୍ତ ହୋଇପାରେ ।


ଦୃଷ୍ଟିକୋଣ ଆନ୍ତରିକ ବୃତ୍ତିଗୁଡ଼ିକର ପ୍ରେକ୍ଷଣ ଅଟେ । ଏହି ହେତୁ ଯଦି ବୃତ୍ତିଗୁଡିକ ପୂର୍ବାଗ୍ରହ ଦ୍ୱାରା ଗ୍ରସିତ ହୁଅନ୍ତି ତେବେ ଦୃଷ୍ଟିକୋଣ ଦୋଷପୂର୍ଣ୍ଣ ଓ ପକ୍ଷପାତ ପୂର୍ଣ୍ଣ ହୋଇଯାଏ । ଦୃଷ୍ଟିକୋଣ ସଠିକ ଓ ଶୁଦ୍ଧ ବି ହୋଇପାରେ ଏବଂ ଅଶୁଦ୍ଧ, ଦୋଷପୂର୍ଣ୍ଣ ଓ ତ୍ରୁଟିପୂର୍ଣ୍ଣ ମଧ୍ୟ । ସକାରାତ୍ମକ ଦୃଷ୍ଟିକୋଣ ଏହାର ଭୌତିକ ପକ୍ଷ ଏବଂ ଶୁଦ୍ଧ ଦୃଷ୍ଟିକୋଣ ଏହାର ଆଧ୍ୟାତ୍ମିକ ପକ୍ଷ ଅଟେ । ଯେପର୍ଯ୍ୟନ୍ତ ସକାରାତ୍ମକ ଓ ଶୁଦ୍ଧ ଦୃଷ୍ଟିକୋଣର ସମନ୍ୱୟ ହେବ ନାହିଁ ସେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫଳତା ବାଧିତ ହେଉଥିବ । ଯେପର୍ଯ୍ୟନ୍ତ ଦୃଷ୍ଟି ନୈତିକ ରୂପରେ ଶୁଦ୍ଧ ଓ ଆଧ୍ୟାତ୍ମିକ ରୂପରେ ଆତ୍ମିକ ହୁଏ ନାହିଁ ସେ ପର୍ଯ୍ୟନ୍ତ ଆମର ଦୃଷ୍ଟିକୋଣ ସର୍ବାଙ୍ଗୀଣ; ଉଦାତ୍ତ, ସତ୍ୟ ଓ ସଫଳତା ମୂର୍ତ୍ତ ଜୀବନ ଦୃଷ୍ଟିକୋଣ ସମ୍ପନ୍ନ ହୋଇପାରେ ନାହିଁ ।

🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌻🌻🌻🌻🌻🌻🌻🌻🌻

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,