ଜ୍ଞାନ ନିର୍ଝର (୩୪) ---ମାନବୀୟ ସଂସ୍କାରରେ ବିକୃତି
🌻🌻🌻🌻🌻🌻🌻🌻🌻
🌼 *ଜ୍ଞାନ ନିର୍ଝର (୩୪)* 🌼
🌸🌸💐💐💐💐💐🌸🌸
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
💐💐💐💐💐💐💐💐💐
*ମାନବୀୟ ସଂସ୍କାରରେ ବିକୃତି*
🌹🌹🌹🌹🌹🌹🌹🌹🌹
ସାଧାରଣତଃ ଏହା ଦେଖାଯାଏ ଯେ ବାଲ୍ୟାବସ୍ଥାରେ ପୂର୍ବଜନ୍ମର ସଂସ୍କାର ଅତ୍ୟଧିକ ପ୍ରବଳ ହୋଇଥାଏ । ଏହି ସଂସ୍କାର ଦ୍ୱାରା ପ୍ରଭାବିତ ହୋଇ ଶିଶୁର କର୍ମ ପ୍ରଭାବିତ ହୋଇଥାଏ । ଅଧ୍ୟୟନରୁ ଜଣାଯାଏ ଯେ ବାଲ୍ୟାବସ୍ଥାରେ ଯେଉଁ ଶିଶୁ ସଂସ୍କାର ଅତ୍ୟନ୍ତ ଶାନ୍ତ ଥାଏ, ପରବର୍ତ୍ତୀ ସମୟରେ ଅଶାନ୍ତ, କ୍ରୋଧିତ, ହିଂସ୍ରକ ହୋଇଯାଏ । ଅନ୍ୟ ପକ୍ଷରେ ଯେଉଁ ଶିଶୁ ବାଲ୍ୟାବସ୍ଥାରେ ଉଦ୍ଦଣ୍ଡ, ଉଗ୍ର, ହଠ ସ୍ବଭାବର ଥାଏ ବୟସାନୁକ୍ରମେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଏ କାରଣ ସଂସ୍କାର କର୍ମକୁ କ୍ରିୟାନ୍ୱିତ କରିବାରେ ମୁଖ୍ୟ ସହାୟକ ହୋଇଥାଏ । ଆଧ୍ୟାତ୍ମିକ ଶିକ୍ଷାର ଧ୍ୟେୟ ହେଉଛି ସଂସ୍କାର ପରିବର୍ତ୍ତନ । ଏଥିପାଇଁ ବାଲ୍ୟାବସ୍ଥାରୁ ବାନପ୍ରସ୍ଥ ଏବଂ ସନ୍ୟାସ ଅବସ୍ଥା ପର୍ଯ୍ୟନ୍ତ କ୍ରମାନ୍ୱୟରେ ସଂସ୍କାର ପରିବର୍ତ୍ତନ ହେଉଥାଏ । କେତେକ ଯୌବନାବସ୍ଥାରେ ଅତ୍ୟନ୍ତ ଧାର୍ମିକ, ଶାନ୍ତ, ସତ୍ତ୍ବଗୁଣୀ ଥାଆନ୍ତି; କିନ୍ତୁ ପ୍ରୌଢ଼ାବସ୍ଥାରେ ଉପନୀତ ହେଲାବେଳକୁ ସେମାନଙ୍କ ସଂସ୍କାର ପରିବର୍ତ୍ତନ ହୋଇଯାଇଥାଏ । ଯାହା ପରିଣାମ ସ୍ବରୂପ ସେମାନେ ତମୋଗୁଣୀ, କ୍ରୋଧୀ,ନିରାଶ ଓ ହତାଶ ଜୀବନ ଯାପନ କରନ୍ତି । ଏହି ସଂସ୍କାରଗୁଡ଼ିକ ଦ୍ୱାରା ବଶୀଭୂତ ହୋଇ ଜ୍ଞାନୀଆତ୍ମାଗଣ ମଧ୍ୟ ଅଜ୍ଞାନ କର୍ମ କରୁଥିବା ଦେଖାଯାଏ ।
ସଂସ୍କାର ଆତ୍ମାର ଏକ ଅବିଭାଜ୍ୟ ତତ୍ତ୍ବ ଓ ଅଙ୍ଗ ଅଟେ ଯାହାକି ଆତ୍ମାର ଶକ୍ତିକୁ ସିଧା ସଳଖ ପ୍ରଭାବିତ କରିଥାଏ । ବାଲ୍ୟାବସ୍ଥାର ୪-୫ବର୍ଷ ବୟସ ପର୍ଯ୍ୟନ୍ତ ପୂର୍ବଜନ୍ମର ସଂସ୍କାର ଅତ୍ୟଧିକ କ୍ରିୟାନ୍ୱିତ ରହୁଥିବାରୁ ତାହା ଶିଶୁର କର୍ମକୁ ପ୍ରଭାବିତ କରିଥାଏ । କେତେକ ଶିଶୁ ୭-୮ ବର୍ଷ ବୟସ ପର୍ଯ୍ୟନ୍ତ ମା’ର ପଣତ କାନି ଛାଡନ୍ତି ନାହିଁ । ମା’ ପାଖରୁ ଟିକିଏ ଦୁରେଇ ଗଲେ ସେମାନେ ଅସ୍ଥିର ହୋଇ ପଡନ୍ତି । ପୂର୍ବଜନ୍ମରେ ଏହି ଶିଶୁ ମାନଙ୍କ ମଧ୍ୟରେ ଯେଉଁ ମୋହର ସଂସ୍କାର ଥିଲା ତାହା ଇହ ଜନ୍ମରେ ସେମାନଙ୍କୁ ପ୍ରଭାବିତ କରୁଥିବାରୁ ସେମାନଙ୍କ ଏଭଳି ଆଚରଣ ଦେଖିବାକୁ ମିଳେ । ବୟୋବୃଦ୍ଧି ତଥା ଶରୀରର ବିକାଶ ସହିତ ଉଭୟ ପୁରୁଣା ଓ ନୁଆ ସଂସ୍କାରର ପ୍ରଭାବ ନିରନ୍ତର କର୍ମ ଉପରେ ପଡୁଥାଏ ।
ଶିଶୁଟି ଯେତେବେଳେ ନିଜ ଘରର ସୀମିତ ପରିସରରୁ ବାହାରି ଆଖପାଖରେ ଥିବା ପଡୋଶୀ, ମିତ୍ର-ସମ୍ବନ୍ଧୀଙ୍କ ସମ୍ପର୍କରେ ଆସେ ତଦ୍ଦ୍ଵାରା ସେମାନଙ୍କ ସଙ୍ଗ ଜନିତ ନୂଆ ନୂଆ ସଂସ୍କାର ତା’ର ଆତ୍ମାରେ ମୁଦ୍ରିତ ହେଉଥାଏ । ପୁରୁଣା ସଂସ୍କାର ଧୀରେ ଧୀରେ ଶିଥିଳ ହେବାକୁ ଲାଗେ । ବର୍ତ୍ତମାନ କର୍ମର ପ୍ରସ୍ତୁତିକରଣ ଭିନ୍ନଭିନ୍ନ ହେଉଥିବାରୁ ଏହାକୁ ଦେଖି ସେହି ବାଳକ/ବାଳିକା ବିଷୟରେ ଲୋକେ କହନ୍ତି ଯେ ଏହି ପିଲାଟିର ବା ଝିଅଟିର ବହୁତ ପରିବର୍ତ୍ତନ ହୋଇଯାଇଛି । ସେ ଶୈଶବାସ୍ଥାରେ ଯେମିତି ଥିଲା ଆଜି ସେମିତି ନାହିଁ । ବାସ୍ତବରେ ଦେହରେ ବିକାଶ ସହିତ ସଂସ୍କାର ପରିବର୍ତ୍ତନର ପରିଣାମ ହେଉଛି ବର୍ତ୍ତମାନ ବାଳକ ବା ବାଳିକାର ସ୍ବଭାବ ଓ କର୍ମରେ ପରିବର୍ତ୍ତନ ।
ପ୍ରତ୍ୟେକ ପିତା-ମାତାଙ୍କୁ ନିଜ ସନ୍ତାନ-ସନ୍ତତିମାନଙ୍କ ସଂସ୍କାର ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବା ଅତ୍ୟନ୍ତ ଆବଶ୍ୟକ । ପୁଅ-ଝିଅମାନଙ୍କ କେଉଁ କେଉଁ ସଂସ୍କାର ଆବିର୍ଭାବ ହେଉଛି ଓ କେଉଁ କେଉଁ ସଂସ୍କାର ବିଲୁପ୍ତ ହୋଇଛି ସେଥିପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ । ବ୍ରାହ୍ମଣ ସମାଜରେ ପୁଅ ପିଲାଙ୍କ ପାଇଁ ଯଜ୍ଞୋପବୀତ ଧାରଣ ସଂସ୍କାର ବିଧି ରହିଛି । ଏହା ପଛରେ ଥିବା ଆଧ୍ୟାତ୍ମିକ କାରଣ ହେଉଛି ଯେ ବାଳକଟି ଗୃହସ୍ଥ ବାତାବରଣରୁ ମୁକ୍ତ ହୋଇ ମୋହ ତ୍ୟାଗ ପୂର୍ବକ ଗୁରୁ ଆଶ୍ରମ ଯାଇ ବିଦ୍ୟାଧ୍ୟୟନ କରିବ । ଗୁରୁ ଗୃହରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ସହ ସତୋଗୁଣୀ ସଂସ୍କାର ଧାରଣ କରିବାକୁ ପଡୁଥିଲା । ଏହାଦ୍ୱାରା ବିଦ୍ୟାର୍ଥୀ ମଧ୍ୟରେ ଏକ ଦିବ୍ୟ ସଂସ୍କାର ଜାଗ୍ରତ ହେଉଥିଲା ଯାହାର ପ୍ରଭାବ ତାକୁ ଜୀବନର ଅନ୍ତିମ । ପର୍ଯ୍ୟନ୍ତ ଶ୍ରେଷ୍ଠ କର୍ମ କରିବା ପାଇଁ ପ୍ରେରଣା ଦେଉଥିଲା । କିନ୍ତୁ ବର୍ତ୍ତମାନ କେବଳ ଅନେକ ସଂସ୍କାର ବିଧି-କେବଳ ପରମ୍ପରା ହୋଇ ରହିଯାଇଛି । ଏବେ ସେ କାଳ ପରି ଗୁରୁକୁଳ ନାହିଁ କି ଗୁରୁ ନାହାନ୍ତି । ମାତା- ପିତାଙ୍କ ଆଚରଣ ମଧ୍ୟ ଶ୍ରେଷ୍ଠ ରହୁ ନାହିଁ । ତେଣୁ ପୁଅ-ଝିଅଙ୍କ ସଂସ୍କାର ପରିବର୍ତ୍ତନ ପାଇଁ ମାତାପିତାମାନଙ୍କୁ ଅତ୍ୟଧିକ ଧ୍ୟାନ ଦେବା ଆବଶ୍ୟକ ମନେ ହୁଏ ।
ତଥାକଥିତ ଆଧୁନିକ ମାତା-ମାତା ନିଜ ନିଜ ପୁଅ-ଝିଅଙ୍କ ମଧ୍ୟରେ ବର୍ତ୍ତମାନ କିଭଳି ସଂସ୍କାର ଭରୁଛନ୍ତି ସେ ବିଷୟରେ ଏକ ଦୃଷ୍ଟାନ୍ତ ଦେବା ଆବଶ୍ୟକ ମନେ ହେଉଛି । କୌଣସି ପ୍ରତିବେଶୀ ବା ମିତ୍ର-ସମ୍ବନ୍ଧିଙ୍କ ଘରକୁ ବୁଲିବା ପାଇଁ ଯାଇଥିବା ମାତା-ପିତାମାନେ ପୁଅ ବା ଝିଅକୁ ଗୀତ ଗାଇ ଶୁଣାଇବାକୁ କହନ୍ତି । କିନ୍ତୁ କେଉଁ ଗୀତ ସେମାନଙ୍କୁ ଶିଖାଇବା ଉଚିତ ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । କେତେକ ନିଜ ପୁଅକୁ ଆଖି ମାରିବା କଳା ଶିଖାନ୍ତି ଏବଂ ବଡ ଗର୍ବରେ ଅନ୍ୟକୁ ଆଖି ମାରିବା ପାଇଁ କହନ୍ତି । କେହି କେହି ପିଲାମାନଙ୍କୁ ପଚାରନ୍ତି, “ପୁଅ, କହିଲୁ ମା’ କାହାର? ବାପା କାହାର?”ନିଜ ଝିଅକୁ ମଧ୍ୟ କେତେକ ମାତା-ପିତା ପଚାରନ୍ତି- “ଝିଅ କହିଲୁ ତୁ କାହାର? ମା’ର ନା ବାପା’ର?” ଆଧୁନିକତା ନାମରେ କରୁଥିବା ମାତା-ପିତାଙ୍କ ଏଭଳି ଆଚରଣ କୋମଳ ମତି ବାଳକ-ବାଳିକାମାନଙ୍କ ମଧ୍ୟରେ ତମୋଗୁଣୀ ଓ ମୋହ ସଂସ୍କାରର ବୀଜ ବପନ କରେ ଓ ପରବର୍ତ୍ତୀ ସମୟରେ ଏହା ଏକ ବିଶାଳ ଦ୍ରୁମରେ ପରିଣତ ହୋଇଯାଏ । ମାନବ ସମାଜରେ ଦିନକୁ ଦିନ ବ୍ୟାପୁଥିବା ତମୋଗୁଣ ଜନିତ ସଂସ୍କାରର କାରଣଗୁଡ଼ିକ ମଧ୍ୟରୁ ଏହା ହେଉଛି କେତେକ ଦୃଷ୍ଟାନ୍ତ ମାତ୍ର । ତେଣୁ ଶିକ୍ଷାର ଆଧାର ଯଦି ଆଧ୍ୟାତ୍ମ ହୁଅନ୍ତା ତେବେ ସଂସ୍କାର ଶୁଦ୍ଧ ଓ ପବିତ୍ର ହେବା କଠିଣ ନୁହେଁ । ଦୃଷ୍ଟିକୋଣର ସାମାନ୍ୟ ପରିବର୍ତ୍ତନ ପୂର୍ବକ ଆମେ ଉପରୋକ୍ତ ଆଚରଣକୁ ଆଧ୍ୟାତ୍ମଯୁକ୍ତ କରିପାରିବା । ପିଲାମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ସମ୍ବନ୍ଧୀୟ ଗୀତ ଶିଖାଇବା, ମର୍ଯ୍ୟାଦା ଯୁକ୍ତ ଚାଲି ଚଳନ ପାଇଁ ପ୍ରେରିତ କରିବା ତଥା ଦୈହିକ ସମ୍ବନ୍ଧ ସହିତ ମୋହଗ୍ରସ୍ତ ନ କରାଇ ଆତ୍ମିକ ଓ ପାରଲୌକିକ ସମ୍ବନ୍ଧ ବିଷୟରେ ଆଲୋକପାତ କରାଇବା ହେଉଛି ଆଧ୍ୟାତ୍ମିକ ଶିକ୍ଷାର ଅନ୍ତର୍ଭୁକ୍ତ ।
ପିଲାମାନଙ୍କୁ ବିରକ୍ତ ହେବା ବା ଗାଳିଦେବା ଦ୍ୱାରା ସେମାନଙ୍କର ସଂସ୍କାର ପରିବର୍ତ୍ତନ ହୁଏ ନାହିଁ । ଏହାଦ୍ୱାରା ସେମାନେ ବିଦ୍ରୋହୀ ହୋଇ ଯାଆନ୍ତି ଓ ସେମାନଙ୍କ ସଂସ୍କାର ଆହୁରି ଦୂଷିତ ହୋଇଯାଏ । ସଂସ୍କାର ଦୁଷିତ ହେଲେ କର୍ମ ମଧ୍ୟ ଦୁଷିତ ହୋଇଯାଏ । ଏହାଦ୍ୱାରା ବାଳକର କର୍ମଭୂମି ପରିବର୍ତ୍ତନ ହୋଇଯାଏ । ଏପରି ସ୍ଥିତିରେ ତାକୁ ତାର ମହିମା ପରିବର୍ତ୍ତେ ଉର୍ସନା ଓ କଟୁ ଆଲୋଚନା ଶୁଣିବାକୁ ପଡିଥାଏ ଯଦ୍ୱାରା ତାର ଦେହ ଅଭିମାନ ଜାଗ୍ରତ ହୋଇ ଉଠି ଓ ସେ ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡି ଯାଏ ।
ପିଲାମାନଙ୍କୁ ପ୍ରତିଦିନ ସେତିକି ପରିମାଣରେ ଶିକ୍ଷାଦେବା ଉଚିତ ଯେତିକି ସେମାନେ ସହଜରେ ଗ୍ରହଣ କରିପାରିବେ । କେତେକ ପିତା-ମାତା ପିଲାମାନଙ୍କ ପ୍ରତି କଥାରେ ହସ୍ତକ୍ଷେପ କରନ୍ତି । ଏମିତି କରନା, ଏମିତି କର । ବେଳେବେଳେ ଶିକ୍ଷା ମଧ୍ୟ ସୁଧାର ପରିବର୍ତ୍ତେ ବିଦ୍ରୋହ ସ୍ଥିତି ଉତ୍ପନ୍ନ କରିଥାଏ । ତେଣୁ ପରଖିବା ଶକ୍ତିର ପ୍ରୟୋଗ କରି ସମୟାନୁସାର ଶିକ୍ଷା ଦେବା ପୂର୍ବକ ସଂସ୍କାର ପରିବର୍ତ୍ତନ କରିବା ଉଚିତ । ପ୍ରତିଦିନ ଦିଆଯାଇଥିବା ଶିକ୍ଷା ବୁଝାଇବା ପର୍ଯ୍ୟାୟ ନୁହେଁ । ଏହା ସହିତ ବାଳକର କାର୍ଯ୍ୟକଳାପ, ତାର ସାଙ୍ଗ ସାଥିର ପ୍ରଭାବ, ତାର ରୁଚି ଆଦିର ମଧ୍ୟ ମନୋବୈଜ୍ଞାନିକ ଅଧ୍ୟୟନ କରିବା ଅନିବାର୍ଯ୍ୟ ଅଟେ ।
ସଂସ୍କାର ପରିବର୍ତ୍ତନରେ ମାଆ’ର ସବୁଠାରୁ ବେଶୀ ଭୂମିକା ରହିଛି । ସନ୍ତାନ-ସନ୍ତତି ସହିତ ମାଆର ସମ୍ବନ୍ଧ ଅତୁଟ ଅଟେ । ସେ ତାଙ୍କର ପ୍ରଥମ ଶିକ୍ଷିକା ମଧ୍ୟ ଅଟେ । ସଂପ୍ରତି ଆଧୁନିକ ସମାଜର ମାଆମାନେ ସେମାନଙ୍କ ସନ୍ତାନ-ସନ୍ତତିମାନଙ୍କୁ ଦେଉଥିବା ସଂସ୍କାର ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ସେମାନଙ୍କର ନିଜ ପିଲାଛୁଆ ମାନଙ୍କ ସଂସ୍କାର ପ୍ରତି ସାମାନ୍ୟ ମଧ୍ୟ ଚିନ୍ତାନାହିଁ । ପିଲାମାନଙ୍କୁ ମୋବାଇଲ, ଟିଭି ଆଦି ନିର୍ବିବାଦରେ ବ୍ୟବହାର କରିବାକୁ ଦିଆଯାଉଛି । ମନୋରଞ୍ଜନ ନାମରେ ଗଦାଗଦା କମିକ୍ସ ବହି କିଣି ଦିଆଯାଉଛି । ସବୁଠାରୁ ବଡ ଆଶ୍ଚର୍ଯ୍ୟ ବିଷୟଯେ ଆଧୁନିକତା ନାମରେ ପଶ୍ଚାତ୍ତ୍ୟ ସଂସ୍କୃତି ଅନୁକରଣ କରି ପରିଧାନ ଚୟନ କରିଥାନ୍ତି । ଆତ୍ମାର ଶୃଙ୍ଗାର ଅପେକ୍ଷା ଦେହର ଶୃଙ୍ଗାର ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ।
ବାହ୍ୟ ବାତାବରଣ ଓ ପରିବେଶ ମଧ୍ୟ ସଂସ୍କାରକୁ ଦୁଷିତ କରିବାରେ ସହାୟକ ହୋଇଥାଏ । ସନ୍ତାନ-ସନ୍ତତି ଯେତେବେଳେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚତର ଶ୍ରେଣୀରେ ପ୍ରବେଶ କରନ୍ତି ସେତେବେଳେ ପିତାମାତା ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ପ୍ରବେଶ ପରେ ସେମାନଙ୍କର ମାନସିକତା ଚାଲିଚଳଣ ଓ ଆଚରଣରେ ଅଭୁତପୂର୍ବ ପରିବର୍ତ୍ତନ ଦେଖାଯାଇଥାଏ । ସେଠାରେ ସେମାନଙ୍କୁ ନୁଆ ସାଙ୍ଗ ଓ ମିତ୍ର ଲାଭ ହୋଇଥାଏ । ସମ୍ପନ୍ନ ପରିବାରରୁ ଆସିଥିବା ବିଦ୍ୟାର୍ଥୀଗଣ ଆର୍ଥିକ ରୂପରେ ଦୁର୍ବଳ ବିଦ୍ୟାର୍ଥୀମାନଙ୍କୁ ନିଜ ଅର୍ଥ ବଳରେ ଖୁଆଇ-ପିଆଇ ନିଜ ଅଧୀନରେ ରଖନ୍ତି । ଏହାଦ୍ୱାରା ସଂପୃକ୍ତ ବିଦ୍ୟାର୍ଥୀ କ୍ରମଶଃ କୁ-ସଂସ୍କାରଗ୍ରସ୍ତ ହୋଇପଡେ । ଏହିପରି ଏକ ଉତ୍ତମ ସୁସଂସ୍କୃତ ପିଲାର ଦିବ୍ୟ ସଂସ୍କାରର ହତ୍ୟାର କାରଣ ସଙ୍ଗ ଦୋଷ ହୋଇଥାଏ ।
ଚଳଚ୍ଚିତ୍ରର ପ୍ରଭାବ ହେତୁ ଆଜିର ଯୁବା ପିଢ଼ି ପାଶ୍ଚାତ୍ଯ ସଂସ୍କୃତି ତଥା ମାଦକ ଦ୍ରବ୍ୟ ସେବନ ପ୍ରତି ଆକୃଷ୍ଟ ହେଉଛନ୍ତି ସଂସ୍କାରକୁ ଦୁଷିତ ଓ ବିକୃତ କରିବାର ଆଉ ଏକ ମୁଖ୍ୟ ସ୍ରୋତ ହେଉଛି କୁ- ସଙ୍ଗତି । ମାତା, ପିତା, ଗୁରୁ ଓ ସମାଜ ଯଦି ପିଲାମାନଙ୍କ ଭବିଷ୍ୟକୁ ସୁଖମୟ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଯୁଦ୍ଧକାଳୀନ ଭିତ୍ତିରେ ସଂସ୍କାର ପରିବର୍ତ୍ତନର କାର୍ଯ୍ୟକୁ ଆଗେଇ ନେବାକୁ ପଡିବ । ସେମାନଙ୍କୁ ପିଲାମାନଙ୍କ ସୂକ୍ଷ୍ମ ଅଧ୍ୟୟନ ପୂର୍ବକ ସେମାନଙ୍କ ମଧ୍ୟରେ ସତ୍ତ୍ବଗୁଣୀ ସଂସ୍କାର ରୋପଣ କରିବାକୁ ହେବ । କେବଳ ଆଧ୍ୟାତ୍ମିକ ଶିକ୍ଷା ଓ ଆଧ୍ୟାତ୍ମିକ ଜୀବନ ଯାପନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ସହଜରେ ପରିବର୍ତ୍ତନ ଅଣାଯାଇ ପାରିବ । କେବଳ ଧୈର୍ଯ୍ୟ ଓ ନିରନ୍ତର ପ୍ରଚେଷ୍ଟାର ଆବଶ୍ୟକ ରହିଛି ।
🌺🌺🌺🌺🌺🌺🌺🌺🌺
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
🌷🌷🌷🌷🌷🌷🌷🌷🌷
Comments
Post a Comment