ଜ୍ଞାନ ନିର୍ଝର (୨୬)* ----ଚରିତ୍ରର ବିକାଶ

🌹🌹🌹🌹🌹🌹🌹🌹🌹  

      *ଜ୍ଞାନ ନିର୍ଝର (୨୬)* 

🌷🌷🌷🌷🌷🌷🌷🌷🌷

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*    

🌺  🌺🌺🌺🌺🌺🌺🌺🌺  

 🌼 *ଚରିତ୍ରର ବିକାଶ* 🌼

🌻🌻🌻🌻🌻🌻🌻🌻🌻


 *ଚରିତ୍ରର ଅର୍ଥ* 


ମୂଲ୍ୟ ପ୍ରତି ଆସ୍ଥା ପ୍ରକଟ କରୁଥିବା ଭାବକୁ ଚରିତ୍ର କୁହାଯାଏ । ନୈତିକ ଶକ୍ତି ସମ୍ପନ୍ନ ଓ  ସତ୍ୟନିଷ୍ଠ ବ୍ୟକ୍ତିକୁ ଚରିତ୍ରବାନ କୁହାଯାଏ । ଅନ୍ୟ  ଅର୍ଥରେ ଚରିତ୍ରବାନର ଅର୍ଥ ଗୁଣବାନ । ନୈତିକତା କଷଟିରେ ମନୁଷ୍ୟର କାର୍ଯ୍ୟ ଓ ଚରିତ୍ରର ଯଥାର୍ଥ  ନିର୍ଦ୍ଧାରଣ  ହୋଇଥାଏ । ତେଣୁ ଚରିତ୍ର ହେଉଛି ସତ୍ୟତାର ପର୍ଯ୍ୟାୟବାଚୀ । ନୈତିକତାର ଯଥାର୍ଥ ବୋଧ, ନୀତି-ସମ୍ପନ୍ନ ନିର୍ଣ୍ଣୟ ଓ ନୈତିକ  ସିଦ୍ଧାନ୍ତ ଅନୁରୂପ  କାର୍ଯ୍ୟ ବ୍ୟବହାର ଦ୍ୱାରା ଚାରିତ୍ରିକ ବିକାଶ ହୋଇଥାଏ । ଚରିତ୍ରବାନ ବ୍ୟକ୍ତି ଅନ୍ୟର ଅବଗୁଣ  ନ ଦେଖି କେବଳ ଗୁଣ ଦେଖନ୍ତି । ତେଣୁ ସେ କାହାରି ନିନ୍ଦା କରନ୍ତି ନାହିଁ । ସେ ନିନ୍ଦୁକ ଓ ପ୍ରଶଂସକ ଉଭୟଙ୍କ ପ୍ରତି ସମଭାବ ରଖନ୍ତି ।  ଚରିତ୍ର ଅନୁସାରେ ବ୍ୟକ୍ତିର ଦୃଷ୍ଟିକୋଣ ନିର୍ମାଣ ହୋଇଥାଏ । ସାମାଜିକ ଜୀବନରେ ଅନେକ ସମୟରେ ନୈତିକ  ଦ୍ୱିଧା ଉତ୍ପନ୍ନ ହୋଇଥାଏ । ଏପରି ସ୍ଥିତିରେ ବ୍ୟକ୍ତି ତା’ର କର୍ତ୍ତବ୍ଯ ନିର୍ଦ୍ଧାରଣ କରି ପାରେ ନାହିଁ । ଏହି ନୈତିକ ଦ୍ୱିଧାକୁ ସମାପ୍ତ କରିବା ପାଇଁ ଯୋଗାଭ୍ୟାସ ଦ୍ୱାରା ଜାଗତିକ ମୂଲ୍ୟବୋଧ, ଅନ୍ତର୍ଦୃଷ୍ଟି, ଆନ୍ତରିକ ଶକ୍ତି ଓ ନୈତିକ ଶକ୍ତିର ବିକାଶ କରିବା ଅପରିହାର୍ଯ୍ୟ ।


 *ଜାଗତିକ ମୂଲ୍ୟବୋଧର ବିକାଶ* 


ସମାଜରେ ଘଟୁଥିବା ସାମାଜିକ ଅନ୍ୟାୟ, ହିଂସା, ଉଗ୍ରବାଦ, ବ୍ୟଭିଚାର ଓ ସାମାଜିକ, ରାଜନୈତିକ ତଥା ଧାର୍ମିକ କ୍ଷେତ୍ରରେ କାର୍ଯ୍ୟରତ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଭ୍ରଷ୍ଟ ଆଚରଣ ଦେଖି ଆଜି ଯୁବା ପିଢ଼ି ହତାଶା ଓ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ତେଣୁ ବିଦ୍ୟାଳୟ ସ୍ତରରୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ମୂଲ୍ୟବୋଧ ବିକଶିତ କରିବା ପାଇଁ ନୈତିକ ଆଲୋଚନା କରିବା ଉଚିତ । ଶିକ୍ଷାଦାନ ଭାଷଣାତ୍ମକ ନ ହୋଇ ଖେଳ, ସଙ୍ଗୀତ, କାହାଣୀ, ଆଲୋଚନା ତଥା ବକ୍ତୃତା ମାଧ୍ୟମରେ ହେଲେ ତାହା ଅଧିକ ପ୍ରଭାବଶାଳୀ ହୋଇଥାଏ । ଏହା ଦ୍ୱାରା ବିଦ୍ୟାର୍ଥୀଗଣ ସହଜରେ ମୂଲ୍ୟଗୁଡିକୁ  ଧାରଣ କରିପାରିବେ ଓ ନୈତିକ ସମସ୍ୟାକୁ ବୁଝିବାରେ ସମର୍ଥ ହେବେ ।


 *ନୈତିକ ଶକ୍ତିର ବିକାଶ* 


ପ୍ରାୟ ସମସ୍ତଙ୍କର ମୂଲ୍ୟଗୁଡିକ ସମ୍ବନ୍ଧରେ ଜ୍ଞାନ ଥାଏ । କେବଳ ଜାଣିବା ପର୍ଯ୍ୟାପ୍ତ ନୁହେଁ । ବ୍ୟବହାରିକ ଜୀବନରେ ମୂଲ୍ୟଗୁଡ଼ିକୁ ଧାରଣା କରିବା ସହଜ ହୋଇ ନ ଥାଏ । ସାମାଜିକ ଜୀବନରେ ବେଳେ ବେଳେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ଯେ ମଣିଷ ଦୁଇଟି ସତ୍ୟ  ମଧ୍ୟରୁ କେଉଁଟିକୁ ପ୍ରାଧାନ୍ୟ ଦେଇ ଗ୍ରହଣ କରିବ ତାହା ନିର୍ଣ୍ଣୟ କରି ପାରେ ନାହିଁ । ଳୋକ ନିନ୍ଦା, ପାରିବାରିକ ସଂକଟ, ସ୍ବଜନ ମିତ୍ରମାନଙ୍କ ଚାପ, ସାମାଜିକ ଚଳଣି, ଧାର୍ମିକ ପରମ୍ପରା, ଭୟ ଆଦି ନୈତିକ ସିଦ୍ଧାନ୍ତରେ ଅଟଳ ରହିବାରେ ବାଧକ ହୋଇଥାନ୍ତି । ଏପରି ପରିସ୍ଥିତିରେ ବ୍ୟକ୍ତି ସଠିକ ନିର୍ଣ୍ଣୟ ନେଇଥିଲେ ମଧ୍ୟ ସେଥିରୁ ଓହରି ଯିବା ପାଇଁ ବାଧ୍ୟ ହୋଇଥାଏ । ସେ ପରିସ୍ଥିତି ଉପରେ ସବୁ ଦୋଷ ଲଦି ଦିଏ । ଏହା ହେଉଛି ଇଚ୍ଛା ଶକ୍ତିର ଅଭାବ । ନୈତିକ ଶକ୍ତିର ବିକାଶ ପାଇଁ ଇଚ୍ଛା ଶକ୍ତି ଅପରିହାର୍ଯ୍ୟ । ଆତ୍ମ ବିଶ୍ୱାସହୀନତା, ଅନ୍ତର୍ଦୃଷ୍ଟିର ଅଭାବ, ଦୀର୍ଘସୂତ୍ରୀ ସଂସ୍କାର, ନକାରାତ୍ମକ ଚିନ୍ତନ ଆଦି ମଣିଷର ଇଚ୍ଛାଶକ୍ତିକୁ ଦୁର୍ବଳ କରିଦିଏ । ପରିଣାମ ସ୍ବରୂପ ତା’ର ନୈତିକ ଶକ୍ତିର ହ୍ରାସ ହୁଏ । ସୁଅରେ ଭାସି ଯିବା ସହଜ । ସୁଅର ବିପରୀତ ଦିଗରେ ଗତି କରିବା କଠିଣ । ବର୍ତ୍ତମାନର ଅନୈତିକତା ଗ୍ରସ୍ତ ସମାଜରେ ନୈତିକ ସିଦ୍ଧାନ୍ତରେ ଅଟଳ ରହିବା ଏକ ବଡ ସାଧନା । ଏଥିପାଇଁ ଆବଶ୍ୟକ ସାହସ, ଦୃତତା, ତ୍ୟାଗ ଭାବନା, ପ୍ରତିବଦ୍ଧତା ଓ ନିୟମିତତା । ଏଗୁଡିକ ଦ୍ୱାରା ଇଚ୍ଛାଶକ୍ତି ଦୃଢ଼ ହୋଇଥାଏ ଓ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜଣେ ନିଜ ନୈତିକ ସିଦ୍ଧାନ୍ତ ସହଜରେ ଧାରଣ କରିପାରେ । ସୁଦୃଢ ଚରିତ୍ରର ଏହା ହେଉଛି ଚାବିକାଠି ।


 *ନୈତିକ ଦ୍ୱିଧା* 


ସତ୍ୟ ଓ ଅସତ୍ୟ ମଧ୍ୟରୁ ସତ୍ୟ କେଉଁଟି ଜାଣି ତାକୁ ଚୟନ କରିବା ପାଇଁ ତର୍କ ଶକ୍ତିର ଆବଶ୍ୟକତା ହୁଏ । ଏହି ଶକ୍ତିି ବ୍ୟକ୍ତିର ଚୟନ ପ୍ରତିକ୍ରିୟାକୁ ସ୍ପଷ୍ଟ କରିଥାଏ । ବୈଶ୍ୱିକ, ମାନବୀୟ ଓ ନୈତିକ ମୂଲ୍ୟଗୁଡିକର ଧାରଣ ଦ୍ୱାରା ଜଣକର ତର୍କ ଶକ୍ତି ତୀକ୍ଷ୍ଣ ହୋଇପାରେ । ଉଚିତ ଚୟନ ଶକ୍ତି ଅଭାବରେ ଜଣେ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଦୁଃଖ, କଷ୍ଟ, ପ୍ରତାରଣା, ନିନ୍ଦା ଓ ବଦନାମ ପାଇଥାଏ । ବ୍ୟକ୍ତି ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୂଲ୍ୟ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ । କାରଣ ଏହା ଦ୍ୱାରା ତା’ ମଧ୍ୟରେ ମୂଲ୍ୟବୋଧର ବିକାଶ ଘଟେ ଓ ତାକୁ କୌଣସି କାର୍ଯ୍ୟର ପରିଣାମ ପ୍ରତି ସଚେତନ କରାଏ । ମୂଲ୍ୟବୋଧର ବିକାଶ ହେଲେ ବ୍ୟକ୍ତି ମଧ୍ୟରେ ଥିବା ସୂକ୍ଷ୍ମ ଶକ୍ତି ଶକ୍ତିଶାଳୀ ହୁଏ ଯଦ୍ଧ୍ୱାରା ସେ ନ୍ୟାୟ ଓ ନିଷ୍ଠାର ସହ ଜୀବନ ଯାପନ କରିବାର ସାମର୍ଥ୍ୟ ଲାଭ କରେ । ଏତଦ୍ବ୍ୟତୀତ ତା’ର ଆତ୍ମ ବିଶ୍ୱାସ ବୃଦ୍ଧି ହେବା ସହିତ ନୈତିକ ଚୟନ କରିବାର ଦ୍ୱିଧା ସମାପ୍ତ ହୁଏ । ସତ୍ୟ ଓ ଅସତ୍ୟ ମଧ୍ୟରେ ସତ୍ୟ ଚୟନର କୌଣସି ନୈତିକ ଦ୍ୱିଧାର ସମ୍ମୁଖୀନ ହେବାକୁ ପଡି ନ ଥାଏ । ଯେତେବେବେଳ ବ୍ୟକ୍ତି ଦୁଇଟି ବିକଳ୍ପ ସତ୍ୟର ସମ୍ମୁଖୀନ ହୁଏ ଏବଂ ସେଥିରୁ କୌଣସି ଗୋଟିଏକୁ ଚୟନ କରିବାକୁ ପଡେ ସେତେବେଳେ ନୈତିକ ଦ୍ୱିଧାର ସମସ୍ୟା ଉପୁଜେ । ଜଣେ ନିର୍ଦ୍ଧନ ପିତା ତା’ର ସନ୍ତାନକୁ ଶିକ୍ଷା ପାଇଁ ବିଦ୍ୟାଳୟ ପଠାଇବ କି ଘର ଚଳଣି ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ପାଇଁ ତାକୁ କାମରେ ଲଗାଇବ ଏ ଉଭୟ ମଧ୍ୟରୁ ଯେତେବେଳେ କୌଣସି ଗୋଟିଏ କଥା ପକ୍ଷରେ ସିଦ୍ଧାନ୍ତ ଗ୍ରହଣ କରିବାକୁ ପଡେ ସେତେବେଳେ ନୈତିକ ଦ୍ୱିଧା ଜାତ ହୁଏ । କାରଣ ତା’ ପାଇଁ ଉଭୟ କଥା ଠିକ । ଏଠାରେ ତା’ର ନୈତିକ ଶକ୍ତି ହିଁ ସଠିକ ନିର୍ଣ୍ଣୟ ନେବାର ସାହାଯ୍ୟ କରିଥାଏ । ଯାହା ପ୍ରଚଳନ କରିବାରେ ସାଧାରଣ ମନୁଷ୍ୟ ଅସମର୍ଥ, ତାକୁ ପ୍ରଚଳନ କରିବା ପାଇଁ ନୈତିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ସମର୍ଥ ହୋଇଥାଏ ନୈତିକତା । ନୈତିକତାର ହ୍ରାସ ହେତୁ ସାମାଜିକ ଅପରାଧ ବୃଦ୍ଧି ପାଉଛି ଓ ସେଥିପାଇଁ ନାନାପ୍ରକାର ଆଇନ ତିଆରି ହେଉଛି । ଆଇନର ପରିଭାଷା ନୈତିକତାର ବିପରୀତ । ଆଇନ ସ୍ବୀକୃତ ସିଦ୍ଧାନ୍ତକୁ ବଳ ପୂର୍ବକ ପ୍ରଚଳନ କରିଥାଏ । ନୈତିକତାରେ ବାଧ୍ୟବାଧକତା ନ ଥାଏ । ଜାଗତିକ ମୂଲ୍ୟ ବୋଧ ଉପରେ ଆଧାରିତ ସିଦ୍ଧାନ୍ତ ଦ୍ୱାରା ନୈତିକତାକୁ ଠିକ ଭାବରେ ବୁଝି ହେବ । ଆଜି ମଧ୍ୟ ଆମ ସମାଜରେ ପ୍ରଚଳିତ କେତେକ ପ୍ରାଚୀନ ପ୍ରଥା ଓ ପରମ୍ପରା ଆଇନ ବିରୋଧୀ । କେବଳ ଆଇନ ପ୍ରଣୟନ ଦ୍ୱାରା ଏହାର ସମାଧାନ ସମ୍ଭବ ନୁହେଁ । ଏଥିପାଇଁ ମୂଲ୍ୟ ଶିକ୍ଷା ହିଁ ଏକମାତ୍ର ବିକଳ୍ପ 


ଆମେ ସାଧାରଣତଃ ଚାରି ପ୍ରକାର ନୈତିକ ଦ୍ୱିଧାର ସମ୍ମୁଖୀନ ହୋଇଥାଉ । ନିମ୍ନରେ ସେଗୁଡିକର ଆଲୋଚନା କରାଯାଇଛି । 


 *୧. ସତ୍ୟ ବନାମ ନିଷ୍ଠା:* 


ଅରଣ୍ୟ ମଧ୍ୟରେ ଯାତ୍ରା କରୁଥିବା ବେଳେ ଜଣେ ବ୍ୟବସାୟୀ ଡାକୁମାନଙ୍କୁ ଦୂରରୁ ଦେଖି ଆତ୍ମରକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗରେ ଦୌଡିବାକୁ ଲାଗିଲେ । ଡାକୁମାନେ ମଧ୍ୟ ତାଙ୍କୁ ଦେଖି ପଶ୍ଚାତ୍ତଧାବନ କଲେ । କିଛି ଦୂର ଗଲା ପରେ ବ୍ୟବସାୟୀ ଜଣକ ଏକ ଆଶ୍ରମ ଦେଖି ତା’  ମଧ୍ୟରେ ପ୍ରବେଶ କଲେ ଓ ସେଠାରେ ରହୁଥିବା ସନ୍ୟାସୀ ଜଣଙ୍କୁ ତାଙ୍କ ପ୍ରାଣ ରକ୍ଷା ପାଇଁ ନିବେଦନ କଲେ । ସନ୍ୟାସୀ ତାଙ୍କୁ ଏକ ଗୁପ୍ତ ସ୍ଥାନରେ ଲୁଚାଇ ଦେଲେ । କିଛି ସମୟ ପରେ ଡାକୁମାନେ ଆସି ସନ୍ୟାସୀଙ୍କୁ ବ୍ୟବସାୟୀ ବିଷୟରେ ପଚାରିଲେ । ସନ୍ୟାସୀଙ୍କ ମନରେ ବିଚାର ଆସିଲା । ସେ ଯଦି  ସତ୍ୟ କହୁଛନ୍ତି ବ୍ୟବସାୟୀର ମୃତ୍ୟୁ ସୁନିଶ୍ଚିତ । ଅପର ପକ୍ଷରେ ତାଙ୍କର ମିଥ୍ୟା କଥନ ସେହି ବ୍ୟକ୍ତିଟିର ଜୀବନ ରକ୍ଷା କରିବ ସିନା, କିନ୍ତୁ ସର୍ବଦା ସତ୍ୟ କହିବାକୁ ସେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ଖଣ୍ଡିତ ହେବ । ଏହା ତାଙ୍କ ପାଇଁ ନୈତିକ ଦ୍ୱିଧାର ସ୍ଥିତି  ଉତ୍ପନ୍ନ   କରିଥିଲା । କିନ୍ତୁ ତାଙ୍କର ଉଚ୍ଚ ମୂଲ୍ୟବୋଧ ତାଙ୍କୁ ସଠିକ ନିର୍ଣ୍ଣୟ ପାଇଁ ପ୍ରେରିତ କଲା ଓ ସେ ଜଣକ ଜୀବନ ରକ୍ଷା ପାଇଁ ପ୍ରତିଜ୍ଞା ଭଙ୍ଗକୁ ଦୋଷାବହ ମନେ କଲେ ନାହିଁ ।


 *୨. ନ୍ୟାୟ ବନାମ କରୁଣା:* 


ବିଚାରପତିଙ୍କ ସମ୍ମୁଖୀକୁ ବିଚାର ପାଇଁ ଏକ କଏଦିଙ୍କୁ ଅଣାଗଲା । କଏଦିଟି ତାଙ୍କ ଘନିଷ୍ଠ ମିତ୍ରଙ୍କ ପୁତ୍ର । ତା’ର ଅପରାଧ ଇଚ୍ଛାକୃତ ନ ଥିଲା । ପରିସ୍ଥିତି ଚାପରେ ପଡି ସେ ତାହା କରିଥିଲା । କଏଦି ପ୍ରତି ତାଙ୍କର କରୁଣା ଜାଗ୍ରତ ହେଲା । କିନ୍ତୁ ସେ ଯେଉଁ ଆସନରେ ବସିଛନ୍ତି ସେଠାରେ କରୁଣାର ସ୍ଥାନ ନାହିଁ । କିଛି କ୍ଷଣ ପାଇଁ ମନ  ଆନ୍ଦୋଳିତ ହୋଇଗଲା । ସେ ନିଜକୁ ନିଜେ ପଚାରିଲେ ଏପରି ପରିସ୍ଥିତିରେ ନ୍ୟାୟ ଓ କରୁଣା ମଧ୍ୟରୁ କେଉଁଟିକୁ ପ୍ରାଧାନ୍ୟ ଦେବା କଥା? ଶେଷରେ ସେ ନ୍ୟାୟକୁ ଚୟନ କଲେ ଓ କଏଦୀକୁ ଆଇନ ଅନୁଯାୟୀ ଦଣ୍ଡ ଦେଲେ । 


 *୩. ବ୍ୟକ୍ତି ବନାମ ସମାଜ:* 


ଜଣେ ବିବାହିତ ମହିଳା ବାରମ୍ବାର ପ୍ରତାଡିତ ହେଉଥିଲେ । ତାଙ୍କର ଦୁର୍ଦ୍ଧଶା ଦେଖି  ମିତ୍ର ସମ୍ବନ୍ଧୀଗଣ ତାଙ୍କୁ ଭିନେ ହେବାକୁ ପରାମର୍ଶ ଦେଉଥିଲେ । ଭିନେ ହେଲେ ତାଙ୍କର ପାରିବାରିକ ଆକାଂକ୍ଷା ପୂର୍ଣ୍ଣ ହେବ ଏହା ସେ ଜାଣି ଥିଲେ । ନୈତିକ ଦ୍ୱିଧା ହେତୁ ସେ  ନିର୍ଣ୍ଣୟ ନେଇ ପାରୁ ନ ଥିଲେ । ମହିଳା ଜଣକ ମୂଲ୍ୟନିଷ୍ଠ ଓ ନୈତିକ ଶକ୍ତି ସମ୍ପନ୍ନ ଥିଲେ । ତେଣୁ ଏହି ନୈତିକ ଦ୍ୱିଧା ତାଙ୍କର ବେଶୀ ସମୟ ରହିଲା ନାହିଁ । ସେ ପରିବାରରୁ ଭିନେ ହେବାର ସଂକଳ୍ପ ତ୍ୟାଗ କଲେ । ତାଙ୍କ ସହିଷ୍ଣୁତା ଦେଖି ପରିବାରର ଲୋକଙ୍କ ବ୍ୟବହାର ପରିବର୍ତ୍ତନ ହେଲା ।


 *୪. ଅଳ୍ପ ବନାମ ଦୀର୍ଘକାଳ:* 


ପୁଅ ଶିକ୍ଷା ସମାପ୍ତ କରି ସାରିଲା ପରେ ପିତା ଚାହାନ୍ତି ସେ ତାଙ୍କର ବ୍ୟବସାୟ ସମ୍ଭାଳୁ । ଯେତେବେଳେ ପୈତୃକ ବ୍ୟବସାୟ ଅପେକ୍ଷା କୌଣସି କମ୍ପାନୀରେ ଚାକିରୀ କଲେ ଅଧିକ ଅର୍ଥ ଉପାର୍ଜନ ସମ୍ଭାବନା ଥାଏ ସେତେବେଳେ ପୁଅ ମନରେ ନୈତିକ ଦ୍ୱିଧା ଉତ୍ପନ୍ନ ହୁଏ । ସେ କେଉଁଟିକୁ ଚୟନ କରିବ ନିର୍ଣ୍ଣୟ କରି ପାରେ ନାହିଁ । ଚାକିରୀରୁ ଲବ୍ଧ ଆୟ ଅଧିକ ହେଲେ ବି ତାହା ଅଳ୍ପକାଳିକ । କିନ୍ତୁ ପୁରୁଷାନୁକ୍ରମେ ଚାଲି ଆସୁଥିବା ବ୍ୟବସାୟ ପରବର୍ତ୍ତୀ ପିଢି ପାଇଁ ମଧ୍ୟ ଉପଯୋଗୀ ହୋଇ ପାରେ । ଏଠାରେ ବ୍ୟବସାୟର ଆକାର ପ୍ରକାର ତଥା ଭବିଷ୍ୟତ ସମ୍ଭାବନାକୁ ମଧ୍ୟ ବିଚାର କରିବାକୁ ହେବ ।


ସେ ଯାହା ହେଉ, ଯେତେବେଳେ କୌଣସି ନୈତିକ ଦ୍ୱିଧା ଆମ ସମ୍ମୁଖରେ ଉପସ୍ଥିତ ହୁଏ ସେତେବେଳେ ପ୍ରମୁଖ ମୂଲ୍ୟଗୁଡିକୁ ଆଧାର ମାନି ନର୍ଣ୍ଣୟ ନେଲେ ବା ଦେଲେ ତାହା ସହାୟକ ହୋଇଥାଏ ।

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର