(୫)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୫) ମୂଲ୍ୟଗୁଡିକର ପ୍ରକାର ଭେଦ

 🌹🌹🌹🌹🌹🌹🌹🌹🌹

 *ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୫)* 

🌸🌸🌸🌸🌸🌸🌸🌸🌸

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

 *ମୂଲ୍ୟଗୁଡିକର ପ୍ରକାର ଭେଦ* 

🌹🌹🌹🌹🌹🌹🌹🌹🌹

ମନୁଷ୍ୟ ଜୀବନର ବିବିଧ ଦିଗ ରହିଛି । ମୂଲ୍ୟ ମାନବ ଜୀବନ ସହିତ ଓତଃପ୍ରୋତ ଭାବେ ଜଡିତ ହୋଇଥିବାରୁ ଏହା ମଧ୍ୟ ବିବିଧ ପ୍ରକାର ଅଟେ । ପ୍ରତ୍ୟେକ ମୂଲ୍ୟର ବିକାଶରେ ମାନବର ସର୍ବାଙ୍ଗୀନ ବିକାଶ ହୁଏ । ନିମ୍ନରେ କତିପୟ ମୂଲ୍ୟର ପରିଭାଷା ଓ ବର୍ଣ୍ଣନା ଉପସ୍ଥାପନା କରାଯାଇଛି । ବ୍ୟକ୍ତିର ବୌଦ୍ଧିକ ଓ ସାଂସ୍କୃତିକ ବୋଧଶକ୍ତି ଅନୁସାରେ ସେ ନିମ୍ନଲିଖିତ ମୂଲ୍ୟଗୁଡ଼ିକ ମଧ୍ୟରୁ ଏକ ବା ଏକାଧିକ ମୂଲ୍ୟକୁ ପ୍ରାଥମିକତା ପ୍ରଦାନ କରିଥାଏ ।


 *ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟ :* 


ସର୍ବୋଚ୍ଚ ସତ୍ତା ପରମାତ୍ମାଙ୍କୁ ଭକ୍ତି ଶାସ୍ତ୍ରରେ ସତ୍ୟଂ-ଶିବଂ-ସୁନ୍ଦରଂ ବୋଲି ପ୍ରାର୍ଥନା କରାଯାଇଛି । ଅର୍ଥାତ୍ ସତ୍ୟ ସ୍ବରୂପ ପରମାତ୍ମା କଲ୍ୟାଣକାରୀ (ଶିବଂ) ଏବଂ ସୁନ୍ଦର ଅଟନ୍ତି । ପରମାତ୍ମାଙ୍କ ଏହି ସୌନ୍ଦର୍ଯ୍ୟ କାୟିକ ନୁହେଁ ଆତ୍ମିକ ଓ ନୈସର୍ଗିକ । ଏହାର ଅନ୍ତ ନାହିଁ । ପ୍ରତ୍ୟେକ ଆଧ୍ୟାତ୍ମିକ ବ୍ୟକ୍ତି ସୌନ୍ଦର୍ଯ୍ୟ ମଧ୍ୟରେ ପରମାତ୍ମାଙ୍କ ଦର୍ଶନ କରନ୍ତି । ସୌନ୍ଦର୍ଯ୍ୟ ପିପାସୁ କବି ଗାଏ; “ଯିସକି ରଚନା ଇତନି ସୁନ୍ଦର ୱହ କିତନା ସୁନ୍ଦର ହୋଗା ।” ପ୍ରକୃତିର ନୈସର୍ଗିକ ସୁନ୍ଦରତା ମଧ୍ୟରେ କବି ପରମାତ୍ମାଙ୍କ ଅସୀମ ସୌନ୍ଦର୍ଯ୍ୟର ପରିକଳ୍ପନା କରେ । ଚିତ୍ରକାର ତାଙ୍କର ସୁନ୍ଦରତାର ଅଭିବ୍ୟକ୍ତି କରେ ତୂଳୀ ମାଧ୍ୟମରେ । କଳା ମାଧ୍ୟମରେ ସର୍ବୋଚ୍ଚ ସତ୍ତା ପରମାତ୍ମାଙ୍କ ସୁନ୍ଦରତାର ଅଭିବ୍ୟକ୍ତି କରିବା ହେଉଛି ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟ ।


 *କଳାତ୍ମକ ମୂଲ୍ୟ :* 


ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟଠାରୁ କଳାତ୍ମକ ମୂଲ୍ୟର ଉତ୍ପତ୍ତି । ଏହା ବୌଦ୍ଧିକତା ଓ କଳାତ୍ମକତା ପ୍ରତି ସୂଚିତ କରେ । ସମୟାନୁକ୍ରମେ ଏହା ପରିବର୍ତ୍ତନ ହୁଏ । ଏହା ଯେତେ ଅଧିକ ଶାସ୍ତ୍ରୀୟ ହୁଏ ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟର ସେତେ ଅଧିକ ନିକଟତର ହୁଏ ।


 *ନିଗମିତ ମୂଲ୍ୟ :* 


ଏହା କୌଣସି ନିଗମ ବିଶେଷର ଲକ୍ଷ୍ୟ ସ୍ପଷ୍ଟ କରେ । ନିଗମମାନଙ୍କର ବ୍ୟାପାରିକ ସ୍ବାର୍ଥକୁ ପ୍ରାଥମିକତା ଦେଇ  ଏହା ପ୍ରଚଳନ କରାଯାଇଥାଏ । ଏଥିରେ କର୍ମଚାରୀମାନଙ୍କର ଶିଷ୍ଟାଚାର ଓ କାର୍ଯ୍ୟ ପ୍ରଣାଳୀ ସଂଯୋଜିତ ଥାଏ । ବ୍ୟବସାୟିକ ଲାଭକୁ ପ୍ରାଧାନ୍ୟ ଦିଆଯାଉଥିବାରୁ କର୍ମଚାରୀଗଣ ଖାଉଟି ମାନଙ୍କ ସହିତ କିପରି ପ୍ରଭାବଶାଳୀ କଥାବାର୍ତ୍ତା କରିବେ ତାହା ଏହି ମୂଲ୍ୟର ଅନ୍ତର୍ଭୁକ୍ତ ଅଟେ । ଏତଦ୍ବ୍ୟତୀତ କର୍ମଚାରୀମାନଙ୍କ କାର୍ଯ୍ୟକୁଶଳତା, ଉତ୍ପାଦକତା, ଯୋଗ୍ୟତା, ଉପଭୋକ୍ତାମାନଙ୍କ ଜୀବନ ସ୍ତର ବୃଦ୍ଧି ପାଇଁ ଉଚ୍ଚକୋଟିର ଉତ୍ପାଦ ଗୁଡିକର  ବିକାଶ, ଉତ୍ପାଦନ ଏବଂ ବିତରଣ ପ୍ରକ୍ରିୟା ଆଦି ନିଗମିତ ମୂଲ୍ୟ ଅନ୍ତର୍ଗତ ।


 *ସାଂସ୍କୃତିକ ମୂଲ୍ୟ :* 


କୌଣସି ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ମାନବ ସମାଜର ଜୀବନ ଧାରଣର ପ୍ରଣାଳୀ ଓ ସାମାଜିକ ଦୃଷ୍ଟିକୋଣକୁ ସଂସ୍କୃତି କୁହାଯାଏ । ସଂପ୍ରତି ବିଜ୍ଞାନର ନିତ୍ୟ ନୂତନ ଆବିଷ୍କାର ଫଳରେ ସମଗ୍ର ବିଶ୍ୱର ଜନ ସମୁଦାୟ ନିଜ ନିଜ ସଂସ୍କୃତି ପରାଙ୍ମୁଖ ହୋଇ ଭୌତିକ ସଂସ୍କୃତି ପ୍ରତି ଆକର୍ଷିତ ହେଉଛନ୍ତି । ଏପରି କ୍ଷେତ୍ରରେ ସାଂସ୍କୃତିକ ମୂଲ୍ୟ ପାରମ୍ପାରିକ ପର୍ବପର୍ବାଣୀ, ବିଭିନ୍ନ ସାମାଜିକ ରୀତି ନୀତି ପାଳନ, ଜୀବନ ଶୈଳୀ ଆଦି ସଂରକ୍ଷଣ ପାଇଁ ପ୍ରାଧାନ୍ୟ ଦିଏ । ଏହି ମୂଲ୍ୟ ପାଳନ ଦ୍ୱାରା ବ୍ୟକ୍ତି ମାତୃଭାଷା, ବ୍ୟବହାର, ବିବାହ ପ୍ରଥା, ମୃତକର ସଂସ୍କାର ବିଧି ଆଦି ପାରମ୍ପାରିକ ରୀତିନୀତିର ମୌଳିକତା ବଜାୟ ରଖେ । କଳା, ସାହିତ୍ୟ, ଶିଳ୍ପକଳା ଏବଂ ସଂଗୀତ ଏହି ମୂଲ୍ୟର ଅନ୍ତର୍ଗତ । ଏତଦବ୍ୟତୀତ ଲୋକତ୍ସବ, ପର୍ବପର୍ବାଣୀ ସମୟରେ ଭୋଜନ ବ୍ୟବସ୍ଥା, ପୋଷାକ ପରିଚ୍ଛଦ, ଅତିଥି ସକ୍ରାର, ପାରିବାରିକ ଓ ସାମାଜିକ ଆଚାର ସଂହିତା ଆଦି ବିଷୟ ସାଂସ୍କୃତିକ ମୂଲ୍ୟ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।


 *ଆର୍ଥିକ ମୂଲ୍ୟ :* 


ଅର୍ଥୋପାର୍ଜନର କାର୍ଯ୍ୟ କ୍ଷମତା ତଥା ଉତ୍ପାଦକତାର ଆଧାରରେ ମନୁଷ୍ୟର ଆର୍ଥିକ ମୂଲ୍ୟ ନିରୂପିତ ହୁଏ । ସାଧାରଣତଃ ଦେଖାଯାଏ ଯେ ଧନୀ ବ୍ୟକ୍ତିର ମାନ ଗରିବଠାରୁ ବହୁତ ଉଚ୍ଚରେ । ଧନ ମନୁଷ୍ୟର ସମସ୍ତ ଭୌତିକ ଅଭିଳାଷ ପୂର୍ଣ୍ଣ କରିଥାଏ । ଅର୍ଥ ଉପାର୍ଜନ ଦ୍ୱାରା ଉଚ୍ଚକୋଟୀର ବାସଗୃହ ନିର୍ମାଣ, ମୂଲ୍ୟବାନ ପୋଷାକ ପରିଚ୍ଛଦ, ଅଳଙ୍କାର, ମୋଟର ଗାଡି, ତଥା ବିଭିନ୍ନ ବିଳାସ ବ୍ୟସନ ସାମଗ୍ରୀଗୁଡିକର କ୍ରୟ ଆଦି ମନୁଷ୍ୟର ଆର୍ଥିକ ମୂଲ୍ୟର ନିଦର୍ଶନ ।


 *ପର୍ଯ୍ୟାବରଣୀୟ ମୂଲ୍ୟ :* 


ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା ପ୍ରତ୍ୟେକ ମନୁଷ୍ୟ ପାଇଁ ଅନିବାର୍ଯ୍ୟ କର୍ତ୍ତବ୍ଯ। ସଂପ୍ରତି ଅଧିକାଂଶ ମନୁଷ୍ୟ ଏହି କର୍ତ୍ତବ୍ଯ ପ୍ରତି ସଚେତନ ନୁହନ୍ତି । ସେମାନେ ବହୁ ମୂଲ୍ୟ କାଷ୍ଠ ନିର୍ମିତ ଉପକରଣ ଦ୍ୱାରା ବୈଠକ ଓ ଶୟନ କକ୍ଷର ଶୋଭା ବର୍ଦ୍ଧନ ପୂର୍ବକ ନିଜ ଆଭିଜାତ୍ୟ ପ୍ରଦର୍ଶନ କରନ୍ତି । ଏଥିପାଇଁ ଜଙ୍ଗଲରୁ ମୂଲ୍ୟବାନ ବୃକ୍ଷସବୁ କଟା ହେଉଛି । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆପୂର୍ତ୍ତି ପୂରଣ କରିବା ପାଇଁ ଅଧିକରୁ ଅଧିକ କଳକାରଖାନା ସ୍ଥାପନ ଫଳରେ ଜଙ୍ଗଲ ଉଚ୍ଛେଦ ହେଉଛି । ଏହା ଫଳରେ ପ୍ରାକୃତିକ ପରିବେଶର ସନ୍ତୁଳନ କ୍ରମଶଃ ନଷ୍ଟ ହେବାରେ ଲାଗିଛି । ଏହିପରି ଏକ ଘଡି ସନ୍ଧି ମୁହୂର୍ତ୍ତରେ ପର୍ଯ୍ୟାବରଣୀୟ ମୂଲ୍ୟର ଧାରଣ ଅପରିହାର୍ଯ୍ୟ ମନେହୁଏ । ଏହି ମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା, ବିଭିନ୍ନ ପ୍ରକାର ପଶୁପକ୍ଷୀ, କୀଟ ଆଦି ଲୁପ୍ତ ପ୍ରାୟ ପ୍ରଜାତିଗୁଡିକର ସଂରକ୍ଷଣ ତଥା ପର୍ଯ୍ୟାବରଣ ପ୍ରଦୁଷଣ ରୋକିବା ପାଇଁ ଯଥା ସାଧ୍ୟ ଉଦ୍ୟମ ତଥା ବିଭିନ୍ନ ଖଣିଜ ଦ୍ରବ୍ୟର ଉତ୍ତୋଳନ ପରେ ପରିତ୍ୟକ୍ତ ହୋଇ ପଡିଥିବା ଭୂମିର ପୂର୍ବସ୍ଥିତି ଫେରାଇ ଆଣିବାର ପ୍ରଯତ୍ନକୁ ପର୍ଯ୍ୟାବରଣୀୟ ମୂଲ୍ୟ କହନ୍ତି ।


 *ନୀତି ଶାସ୍ତ୍ରୀୟ ମୂଲ୍ୟ :* 


ଆଧ୍ୟାତ୍ମିକ ମନୁଷ୍ୟ ଅନୁଭବର କଷଟିରେ ମାନବ ଜୀବନର ବିଭିନ୍ନ ଆୟାମ ପରଖି ବ୍ୟବହାର ଉପଯୋଗୀ କୌଣସି ଏକ ସିଦ୍ଧାନ୍ତରେ ଉପନୀତ ହୁଏ । ଏହାକୁ ନୀତି କହନ୍ତି । ଏହିପରି ଅନେକ ନିୀତି ସଂକଳିତ ହୋଇ ପୁସ୍ତକ ବା ଗ୍ରନ୍ଥ ରୂପ ନେଲେ ତାହା ନୀତି ଶାସ୍ତ୍ର ନାମରେ ନାମିତ ହୁଏ । ନୈତିକ ସିଦ୍ଧାନ୍ତଗୁଡିକ କୌଣସି ବ୍ୟକ୍ତି ବିଶେଷର କାର୍ଯ୍ୟ ବ୍ୟବହାରରେ ବ୍ୟକ୍ତ ହେଲେ ସେଗୁଡିକୁ ନୀତି ଶାସ୍ତ୍ରୀୟ ମୂଲ୍ୟ କହନ୍ତି । ଏହା ଅନୁସାରେ ଶରୀର କେବଳ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ପରିପ୍ରକାଶ ପାଇଁ ଏକ ମାଧ୍ୟମ ମାତ୍ର । ଏଥିରେ ଆତ୍ମା ନାମକ ଏକ ଆଧ୍ୟାତ୍ମିକ ସତ୍ତାର ସଂଯୋଗ ହେଲେ ଏହା କାର୍ଯ୍ୟକ୍ଷମ ହୁଏ; ଅନ୍ୟଥା ପଞ୍ଚ ଭୂତରେ ନିର୍ମିତ ଏହି ଜଡ ଶରୀର ପୁନଶ୍ଚ ମୌଳିକ ତତ୍ତ୍ବରେ ବିଲୀନ ହୋଇଯାଏ । ତେଣୁ ଏହି ଚୈତନ୍ୟ ସତ୍ତା ଆତ୍ମା ଶରୀରଠାରୁ ମୂଲ୍ୟବାନ ଅଟେ । ସଂଯମ, ଅହିଂସା, ସାଧୁତା, ନ୍ୟାୟପରାୟଣତା, ସଚ୍ଚୋଟତା, ବିଶ୍ୱାସନୀୟତା ଆଦି ନୀତି ଶାସ୍ତ୍ରୀୟ ମୂଲ୍ୟ ଅନ୍ତର୍ଗତ । ତେଣୁ ମୂଲ୍ୟ ସୂଚୀରେ ଏହାର ସ୍ଥାନ ସର୍ବୋପରି । ନୀତି ଶାସ୍ତ୍ରୀୟ ମୁଲ୍ୟ ସଂପନ୍ନ ବ୍ୟକ୍ତି ସମାଜରେ ଦେବତା ତୁଲ୍ୟ ସମ୍ମାନନୀୟ ଓ ପୂଜନୀୟ ହୁଅନ୍ତି । ନୈତିକ ସାହସ ଦ୍ୱାରା ଏହି ମୂଲ୍ୟଗୁଡିକୁ ଅନାୟାସରେ ଧାରଣ କରିହୁଏ । ନୈତିକତା ସମ୍ପନ୍ନ ବ୍ୟକ୍ତି ଯେତେବଡ ବାଧା ବିଘ୍ନ ଆସୁ ନା କାହିଁକି ନିଜର ନୈତିକତା ପରିହାର କରନ୍ତି ନାହିଁ । ନୈତିକତାର ରକ୍ଷା ପାଇଁ ସେ ନିଜ ପ୍ରାଣ ବଳି ଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ ।


 *ପାରିବାରିକ ମୂଲ୍ୟ :* 


ପରିବାରରେ ପରସ୍ପର ପ୍ରତି ସ୍ନେହ ଭାବ ରଖିବା, ପ୍ରତ୍ୟେକେ ନିଜ ନିଜ କର୍ତ୍ତବ୍ଯ ନିଷ୍ଠା ପୂର୍ବକ ପାଳନ କରିବା, ଅନ୍ୟମାନଙ୍କ ଭଲ ମନ୍ଦର ଧ୍ୟାନ ରଖିବା, ମିଷ୍ଟଭାଷୀ ହେବା, ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା, ସେମାନଙ୍କୁ ବିପଦରୁ ରକ୍ଷା କରିବା, ରୋଗ, ଶୋକ, ଦୁର୍ଘଟଣା ଆଦି ସମୟରେ ଉପସ୍ଥିତ ରହିବା ଆଦି ପାରିବାରିକ ମୂଲ୍ୟର ଅନ୍ତର୍ଭୁକ୍ତ । ଏହିସବୁ ପାରିବାରିକ ମୂଲ୍ୟ ଦ୍ୱାରା ପାରିବାରିକ ଜୀବନ ସ୍ତର ଉନ୍ନତ ହୁଏ । ପରିବାର ହିଁ ସମାଜର ଏକକ । ପ୍ରତ୍ୟେକ ପରିବାର ସୁଖୀ ହେଲେ ସମାଜ ମଧ୍ୟ ସୁଖୀ ହେବ ଓ ଏ ବିଶ୍ୱ ସ୍ବର୍ଗ ଭଳି ପ୍ରତୀୟମାନ ହେବ ।


 *ଦ୍ରବ୍ୟାତ୍ମକ ମୂଲ୍ୟ :* 


ଯେଉଁ ବସ୍ତୁ ଯେତେ ଉପଯୋଗୀ, ଦୁଷ୍ପ୍ରାପ୍ୟ, ଶକ୍ତ, ଆକର୍ଷକ- ତାହାର ମୂଲ୍ୟ ସେତିକି ଅଧିକ । ଏହି ଦୃଷ୍ଟିରୁ ହୀରା, ନୀଳା, ମୋତି, ମାଣିକ୍ୟ, ସୁବର୍ଣ୍ଣ, ରୋପ୍ୟ ଆଦି ଧାତୁଗୁଡିକୁ ମୂଲ୍ୟବାନ ମନେ କରାଯାଏ । ଆବହମାନ କାଳରୁ ମଣିଷ ଏଗୁଡିକୁ ଚାହିଦା ଅନୁସାରେ ମୂଲ୍ୟବାନ ବସ୍ତୁ ରୂପେ ସ୍ବୀକାର କରି ଆସୁଛି । ଆଧ୍ୟାତ୍ମିକ ଓ ବୈଶ୍ୱିକ ମୂଲ୍ୟର ତୁଳନା ବିଶେଷକରି ହୀରା ଓ ସୁନା ସହିତ କରାଯାଏ । ଉଦାହରଣ ସ୍ବରୂପ ଯିଏ ପବିତ୍ର ଓ ଆଧ୍ୟାତ୍ମିକ ଜୀବନ ଯାପନ କରନ୍ତି ତାଙ୍କ ପାଇଁ କୁହାଯାଏ ଯେ ତାଙ୍କ ଜୀବନ ହୀରା ତୁଲ୍ୟ । ବାପା ମା’ ଆଜ୍ଞାକାରୀ ଗୁଣବାନ ପିଲାକୁ “ସୁନା ପିଲା” ବୋଲି କହନ୍ତି । ବିଭିନ୍ନ ବ୍ୟକ୍ତି ପାଇଁ ବିଭିନ୍ନ ପରିସ୍ଥିତିରେ ବସ୍ତୁ ବା ଦ୍ରବ୍ୟଗୁଡିକର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉଦାହରଣ ସ୍ବରୂପ ଗୋଟିଏ ଢ଼ାଳ ପାଣିର କୌଣସି ମୂଲ୍ୟ ନାହିଁ । ଯାହାକୁ ମାଗିଲେ ମଧ୍ୟ ମାଗଣାରେ ଏହା ମିଳିଯାଏ । ଜଳହୀନ ସ୍ଥାନରେ ଜଣେ ତୃଷାତୁର ବ୍ୟକ୍ତି ପାଇଁ ହୀରା ବା ସୁନା ଅପେକ୍ଷା ପାଣି ଢ଼ାଳେ ଖୁବ୍ ମୂଲ୍ୟବାନ୍ । ଜଳ ବିନିମୟରେ ଜଣେ ତୃଷାର୍ତ୍ତ ବ୍ୟକ୍ତି କୋଟି କୋଟି ଟଙ୍କାର ହୀରା ଓ ସୁନାକୁ ଅକୁଣ୍ଠିତ ଭାବରେ ପ୍ରତ୍ୟାଖ୍ୟାନ କରିବାକୁ ପଶ୍ଚାତ୍ପଦ ହେବ ନାହିଁ ।


 *ଗାଣିତିକ ମୂଲ୍ୟ :* 


ଅଭୌତିକ ବସ୍ତୁଗୁଡିକର ମୂଲ୍ୟ ବର୍ଣ୍ଣନା କରିବା ପାଇଁ ଗାଣିତିକ ମୂଲ୍ୟର ଆବଶ୍ୟକତା ପଡେ । କୌଣସି ବ୍ୟକ୍ତିର ମାନବୀୟ ମୂଲ୍ୟର ମୂଲ୍ୟାଙ୍କନ କରିବା ପାଇଁ ଏହି ମୂଲ୍ୟର ସାହାଯ୍ୟ ନିଆଯାଏ । କୌଣସି ବ୍ୟକ୍ତି ବା ବସ୍ତୁର କାର୍ଯ୍ୟକ୍ଷମତା ଆକଳନ କରିବା ପାଇଁ ସାଧାରଣତଃ ଗାଣିତିକ ମୂଲ୍ୟ ଶତକଡା ବ୍ୟବହାର କରାଯାଏ । ଏହି ପ୍ରଣାଳୀ ଅନୁସାରେ ବିଭିନ୍ନ ବସ୍ତୁର ଶତକଡା ହାରରେ ଗୁଣବତ୍ତା ଓ କାର୍ଯ୍ୟ କ୍ଷମତାର ସାରଣୀ ପ୍ରସ୍ତୁତ କରି ସଂପୃକ୍ତ ବସ୍ତୁଗୁଡିକ କିଏ କାହାଠାରୁ ଅଧିକ ମୂଲ୍ୟବାନ ଜାଣିହୁଏ । ନୈତିକ ମୂଲ୍ୟ ଓ ନୀତି ଶାସ୍ତ୍ରୀୟ ମୂଲ୍ୟ ମଧ୍ୟରେ କୌଣସି ବିବାଦ ସୃଷ୍ଟି ହେଲେ, ଗାଣିତିକ ମୂଲ୍ୟ ଦ୍ୱାରା ତାର ସମାଧାନ କରାଯାଇଥାଏ ।


 *ନୈତିକ ମୂଲ୍ୟ :* 


ମନୁଷ୍ୟର ଉଚିତ୍ ଅଥବା ଅନୁଚିତ ବ୍ୟବହାର ତଥା ତା’ର ଚରିତ୍ରର ଭଳ କିମ୍ବା ମନ୍ଦ ପକ୍ଷ ନୈତିକ ମୂଲ୍ୟଦ୍ୱାରା ନିର୍ଣ୍ଣିତ ହୁଏ । କୌଣସି ସମାଜରେ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ସର୍ବ ସମ୍ମତ ଭାବରେ ଯେଉଁ ନିୟମ ଗୁଡିକ ପ୍ରଣୀତ ହୋଇଥାଏ ତାହାକୁ ନୈତିକ ମୂଲ୍ୟ କୁହାଯାଏ । ବିଶ୍ୱାସ, ପବିତ୍ରତା, ଅହିଂସା, ବିନମ୍ରତା, ସମ୍ମାନ, ସଚ୍ଚୋଟତା ଆଦି ନୈତିକ ମୂଲ୍ୟର ଦୃଷ୍ଟାନ୍ତ ।


 *ରାଜନୈତିକ ମୂଲ୍ୟ :* 


ପୌରାଣିକ କାଳରେ ରାଜା ଈଶ୍ୱରଙ୍କ ପ୍ରତିନିଧି ରୂପେ ସମ୍ମାନିତ ହେଉଥିଲେ । ପ୍ରଜାମାନଙ୍କର ସର୍ବ ବିଧ ହିତ ରକ୍ଷା କରିବା ତାଙ୍କର ପରମ ଧର୍ମ ରୂପେ ବିବେଚିତ ହେଉଥିଲା । ପ୍ରଜାମାନେ କୌଣସି ଅତ୍ୟାଚାରର ଶିକାର ହେଲେ ସିଧାସଳଖ ରାଜାଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଦାବୀ କରୁଥିଲେ । ରାଜା ନିଜ ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ । କାଳକ୍ରମେ ଜନସଂଖ୍ୟ ବୃଦ୍ଧି ହେବାରୁ ରାଜତନ୍ତ୍ରରେ ପରିବର୍ତ୍ତନ ହୋଇଗଲା । ପ୍ରଜାମାନେ ନିଜ ରାଜନୈତିକ ମୂଲ୍ୟ ପ୍ରତି ଅଧିକ ସଚେତନ ହେଲେ । ବାକ୍ ସ୍ବାଧିନତା, ଧାର୍ମିକ ସ୍ବତନ୍ତ୍ରତା, ମତାଧିକାର, ନ୍ୟାୟାଳୟରେ ନିଜ ରକ୍ଷାର ଅଧିକାର, କଠୋର ବା ନୃଶଂସ ଦଣ୍ଡରୁ ରକ୍ଷା ପାଇବାର ଅଧିକାର, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ଦରମା ପ୍ରାପ୍ତ ହେବାର ଅଧିକାର ଆଦି ରାଜନୈତିକ ମୂଲ୍ୟର ଉଦାହରଣ । ସ୍ଥାନ ଭେଦରେ ଏହାର କିୟତ୍ ପରିବର୍ତ୍ତନ ହେଉଥିବା ଦେଖାଯାଏ ।


 *ବ୍ୟବସାୟିକ ମୂଲ୍ୟ :* 


ସମୟାନୁବର୍ତ୍ତିତା, କାର୍ଯ୍ୟକୁଶଳତା, ସ୍ପଷ୍ଟ କଥାବାର୍ତ୍ତା, ଉତ୍ତମ ଗୁଣଯୁକ୍ତ ଉତ୍ପାଦ, ଭଦ୍ରୋଚିତ ବ୍ୟବହାର, ଉପରିସ୍ଥ, ସମସ୍କନ୍ଧ ଓ ଅଧସ୍ତନ କର୍ମଚାରୀମାନଙ୍କ ପ୍ରତି ଉତ୍ତମ ବ୍ୟବହାର, ମହିଳାମାନଙ୍କ ପ୍ରତି ସମ୍ମାନ, ଯୌନ ଶୋଷଣର ନିଷେଧ, ବୌଦ୍ଧିକ ସମ୍ପଦର ରକ୍ଷା, ନିଜ ଉପରେ ନ୍ୟସ୍ତ ଦାୟିତ୍ୱର ସୁଚାରୁ ନିର୍ବାହ, ସମାନୁପାତିକ ବେତନ ପ୍ରାପ୍ତ କରିବାର ଅଧିକାର, ସ୍ବାସ୍ଥ୍ୟ ସୁରକ୍ଷା ଏବଂ ସେବା ନିବୃତ୍ତି ଲାଭ ପ୍ରଦାନ ଆଦି ବ୍ୟବସାୟିକ ମୂଲ୍ୟ ଅଟେ ।


 *ଧାର୍ମିକ ମୂଲ୍ୟ :* 


ପ୍ରତ୍ୟେକ ଧର୍ମ ସଂପ୍ରଦାୟର ଭିନ୍ନ ଭିନ୍ନ ଉପାସନା ପ୍ରଣାଳୀ ରହିଛି । ଏହି ଉପାସନା ପ୍ରଣାଳୀକୁ ଆଦର ଓ ବିଶ୍ୱାସ ସହିତ ଅନୁସରଣ କରିବା ହେଉଛି ଧାର୍ମିକ ମୂଲ୍ୟ । ନୈତିକ ମୂଲ୍ୟ, ନୀତି ଶାସ୍ତ୍ରୀୟ ମୂଲ୍ୟ ଏବଂ ବୈଶ୍ୱିକ ମୂଲ୍ୟ ଧାର୍ମିକ ମୂଲ୍ୟର ଅଙ୍ଗ ଅଟେ । କାରଣ ଏହି ତିନି ପ୍ରକାର ମୂଲ୍ୟର ଆଧାରରେ ଧାର୍ମିକ ନିୟମ କାନୁନର ସୃଷ୍ଟି ହୋଇଛି ।


 *ସାମାଜିକ ମୂଲ୍ୟ :* 


ସାମାଜିକ ମୂଲ୍ୟ ମାନବ ସମାଜର ସୁରକ୍ଷା ସମ୍ବନ୍ଧୀୟ ବିଷୟ ଉପରେ ଗୁରୁତ୍ୱ ପ୍ରଦାନ କରେ । ସାମାଜିକ ମୂଲ୍ୟ ନ ଥିଲେ ଜଣେ ଅସାମାଜିକ ବ୍ୟକ୍ତି ରୂପେ ପରିଗଣିତ ହୁଏ । ପ୍ରାକୃତିକ ପରିବେଶର ସୁରକ୍ଷା ଓ ସନ୍ତୁଳନ, ସମାଜରେ ସଂହତି ଏବଂ ଏକତା ରକ୍ଷା କରିବା, ନାଗରିକର କର୍ତ୍ତବ୍ଯ ସୁଚାରୁ ରୂପେ ସମ୍ପାଦନ କରିବା ଆଦି ସାମାଜିକ ମୂଲ୍ୟ । ଶିକ୍ଷା, ସୁରକ୍ଷା ଓ ସମ୍ବାଦ ସରବରାହ ସଂସ୍ଥା ଗୁଡିକର ନିୟମିତତା ଓ ସଂଗତି ବଜାୟ ରଖିବା ମଧ୍ୟ ସାମାଜିକ ମୂଲ୍ୟ ଅନ୍ତର୍ଗତ ।

🌺🌺🌺🌺🌺🌺🌺🌺🌺

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌺🌺🌺🌺🌺🌺🌺🌺🌺

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର