(୧--ଚିନ୍ତା ଓ ଚେତନା)ଧର୍ମ, ଧର୍ମ ନିରପେକ୍ଷତା ଏବଂ ଭାରତ

🌼 *ଚିନ୍ତା ଓ ଚେତନା*(୧) 🌼

🌸🌸🌸🌸🌸🌸🌸🌸🌸

*ଧର୍ମ, ଧର୍ମନିରପେକ୍ଷତା ଏବଂ* *ଭାରତ* 

🌷🌷🌷🌷🌷🌷🌷🌷🌷

 *ସ୍ବାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀ* 

🌹🌹🌹🌹🌹🌹🌹🌹🌹

(ପୂଜ୍ୟପାଦ ସ୍ବାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀଙ୍କ ଦ୍ୱାରା ତା: ୮.୩.୧୯୯୧ରେ ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ଓଡ଼ିଶାରେ ହିନ୍ଦିରେ ପ୍ରଦତ୍ତ ଭାଷଣର ଭାବାନୁବାଦ । ଉପସ୍ଥାପନା- ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ, ଚେତନା ପ୍ରବାହ, ପାଟଣାଗଡ, ବଲାଙ୍ଗୀର)

🌻🌻🌻🌻🌻🌻🌻🌻🌻

ମୋର ପ୍ରିୟ ଆତ୍ମନ୍!


ଆମେ ରହୁଥିବା ଦେଶର ନାମ ଭାରତ । ଭାରତର ଅର୍ଥ ହେଉଛି- “ଭାତି ସର୍ବେଷୁ ବେଦେଷୁ ରତିଃ ସର୍ବେଷୁ, ଜନ୍ତୁଷୁ । ତରଣଂ ସର୍ବ ତୀର୍ଥାନାଂ ତେନ ଭାରତମୁଚ୍ୟତେ ।” ଯେଉଁ ଦେଶର ଲୋକ ଜ୍ଞାନାଲୋକରେ ଆଲୋକିତ ଓ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ପରମାତ୍ମାଙ୍କୁ ଅବଲୋକନ ପୂର୍ବକ ପ୍ରେମ କରିପାରନ୍ତି ଏବଂ ଯେଉଁଠି ସଂସାରରୁ ପାରହେବା ପାଇଁ ସାଧନ ସ୍ବରୂପ ତୀର୍ଥରାଜି ବିଦ୍ୟମାନ- ସେହି ଦେଶ ହେଉଛି ଭାରତ । ଭାରତ ଶବ୍ଦ ଅତ୍ୟନ୍ତ ତାତ୍ତ୍ଵିକ ଏବଂ ଅର୍ଥପୂର୍ଣ୍ଣ । “ଭା” ଅର୍ଥାତ୍ ଜ୍ଞାନ ଏବଂ ‘ରତ’ ଅର୍ଥାତ୍ ସଂଲଗ୍ନ । ଯିଏ ଜ୍ଞାନନିଷ୍ଠ, ଜ୍ଞାନ ସାଧନାରେ ରତ, ଜ୍ଞାନ ହିଁ ଯାହାର ଲକ୍ଷ୍ୟ, ସେହି ଦେଶ ଭାରତ ଅଟେ । ଏଠାକାର ଜ୍ଞାନାଲୋକ ସର୍ବ ବିଦିତ । ଆମର ଯେଉଁ ପୂର୍ବଜଗଣ ଏହି ଦେଶର ନାମ ଭାରତ ରଖିଥିଲେ, ସେମାନେ ଏହା ଅନୁଭବ କରିଥିଲେ ଯେ ଏଠାକାର ଅଧିବାସୀମାନେ ପ୍ରାଣୀମାନଙ୍କ ମଧ୍ୟରେ ଈଶ୍ୱରଙ୍କୁ ସ୍ବୀକାର କରନ୍ତି । ‘ସକଳ ଘଟେ ନାରାୟଣ’ ‘ସୀୟ ରାମମୟ ସବ ଜଗଜାନୀ” । ‘ସର୍ବମ୍ ବ୍ରହ୍ମମୟଂ ଜଗତ’, ‘ସର୍ବଂ ଖଳୁ ଇଦଂ ବ୍ରହ୍ମ’ ‘ଇଶାବାସ୍ୟମିଦଂ ସର୍ବମ୍’ ଆଦି ବିଚାରଧାରା କେବଳ ଭାରତବର୍ଷରେ ହିଁ ପ୍ରଚଳିତ । ଏହା ଅଦ୍ୟାବଧି ପ୍ରଚଳିତ ହୋଇଆସୁଛି ଏବଂ ଆଗାମୀ ପିଢି ମଧ୍ୟ ଏହି ବିଚାରଧାରାକୁ ଅବ୍ୟାହତ ରଖିବେ । ଆମର ସର୍ବାଧିକ ପ୍ରିୟ ହେଉଛନ୍ତି ପରମାତ୍ମା । ସର୍ବାନ୍ତକରଣରେ ବିଦ୍ୟମାନ ପରମାତ୍ମାଙ୍କୁ ପ୍ରେମ କରିବା ଆମର ଧର୍ମ । ଭାରତ ଅର୍ଥାତ୍ ଆଲୋକ ସମ୍ପନ୍ନ । ସମସ୍ତ ପ୍ରାଣୀଙ୍କ ପ୍ରତି ଶ୍ରଦ୍ଧାଶୀଳ, ତୀର୍ଥରାଜିର ଦେଶ ।


ତୀର୍ଥ ଅର୍ଥାତ୍ ସିଦ୍ଧ ମହାପୁରୁଷମାନଙ୍କ ତପୋଭୂମି, ଦିବ୍ୟଶକ୍ତିଗୁଡିକର ଲୀଳାସ୍ଥଳୀ, ଯେଉଁଠିକୁ ଯିବାଦ୍ୱାରା ବ୍ୟକ୍ତି ମନରେ ପବିତ୍ର ବିଚାର ସୃଷ୍ଟି ହୋଇଥାଏ; ଯେଉଁଠିକୁ ଯିବାଦ୍ୱାରା ବ୍ୟକ୍ତିର ଶରୀର ଶୁଦ୍ଧ ହୋଇଥାଏ, ମନ ଶାନ୍ତ ହୋଇଥାଏ, ଜୀବନ ସନ୍ତୁଳିତ ହୋଇଥାଏ, ତାହା ତୀର୍ଥ ଅଟେ । ଏପରି ତୀର୍ଥ ସ୍ଥଳ ଭାରତରେ ପରିପୂର୍ଣ୍ଣ । ଏହା ତୀର୍ଥମାନଙ୍କର ଦେଶ । ଏଥିପାଇଁ ଦୁଷ୍ମନ୍ତଙ୍କ ପୁତ୍ର ଭରତଙ୍କ ନାମାନୁସାରେ ଏହି ଦେଶର ନାମ ଭାରତ ବୋଲି ସ୍ବୀକୃତି । ଏହାର ଏକ ପ୍ରାଚୀନ ନାମ ଆର୍ଯ୍ୟାବର୍ତ୍ତ ମଧ୍ୟ ଅଟେ ଏବଂ ସର୍ବ ପ୍ରାଚୀନ ନାମ ‘ଅଜନାଭ ଖଣ୍ଡ’ । ଅଜ ଅର୍ଥାତ୍ ‘ନ ଜାୟତେ ଇତି ଅଜ, ଯାହା ଜନ୍ମ ହୁଏ ନାହିଁ । ଏହିପରି ଭାରତକୁ ପରମାତ୍ମ ସତ୍ତାର କେନ୍ଦ୍ରସ୍ଥଳ ବୋଲି ସ୍ବୀକାର କରାଯାଇଛି ।


ଅତୀତରେ ଭାରତବର୍ଷ ବଡ଼ ଗୌରବଶାଳୀ ଥିଲା । କିନ୍ତୁ ଆଜି ଏହା ଏକ ବିଚିତ୍ର ସ୍ଥିତିରେ ଉପନୀତ । ସେତେବେଳେ ଏହା ବିକଶିତ ଅବସ୍ଥାରେ ଥିଲା ଏବଂ ଆଜି ବିକାଶଶୀଳ । ସେତେବେଳେ ଏହା ବିଶାଳ ଥିଲା ଏବଂ ଆଜି ଏହା ସୀମିତ । ଆଜି ଯଦିଓ ଆମେ ନିଜକୁ ଭାରତୀୟ ବୋଲି ପରିଚୟ ଦେଉଁ; କିନ୍ତୁ ମୋ ମତରେ ଆମେ ଭାରତୀୟ ଅପେକ୍ଷା ଅଙ୍ଗ୍ରେଜ ଅଧିକ ଦେଖାଯାଉଛୁ । ଯଦି ଆମେ ନିଜକୁ ଭାରତୀୟ ବୋଲି ମନେ କରୁ ତେବେ ଆମକୁ ପୁନଃ ଆତ୍ମ ସମୀକ୍ଷା କରିବାକୁ ହେବ । ଆମକୁ ଆମ ଦେଶ ଓ ଧର୍ମ ସମ୍ବନ୍ଧରେ ଚିନ୍ତା କରିବାକୁ ହେବ । ଆଜି ଆମେ ଏଥିପାଇଁ ବିଚାର କରିବା ପ୍ରାସଙ୍ଗିକ ମନେ ହୁଏ ଯେ ଭାରତୀୟ ଦୃଷ୍ଟିକୋଣରେ ଧର୍ମ କ’ଣ? ଧର୍ମ ନିରପେକ୍ଷତା କ’ଣ? ଏବଂ ଏହାର ସ୍ବରୂପ ଭାରତରେ କିପରି ହେବେ ଉଚିତ୍?


ଆଜି ଯଦି ସଂସ୍କୃତ ଅଭିଧାନରେ କୌଣସି ଶବ୍ଦର ସବୁଠାରୁ ବେଶୀ କଦର୍ଥ ହୋଇଥାଏ ତେବେ ସେହି ଶବ୍ଦ ହେଉଛି ଧର୍ମ । ଧର୍ମ ଶବ୍ଦର ଯେତିକି ଦୁରୁପଯୋଗ ହୋଇଛି ବୋଧହୁଏ ସେତିକି ଅନ୍ୟ କୌଣସି ଶବ୍ଦର ହୋଇନାହିଁ । ଆଜି ମଧ୍ୟ ଆମେ ଧର୍ମକୁ ନେଇ ବହୁତ ଅମୀମାଂସିତ ସ୍ଥାନରେ ଆସୀନ । ଆଜି ନିଜକୁ ଧାର୍ମିକ ବୋଲି କହିବା ଅପରାଧ ବୋଲି ମନେ ହେଉଛି । ଆଉ ଲୋକେ ମଧ୍ୟ ଆଜି କୌଣସି ଧାର୍ମିକ ବ୍ୟକ୍ତିକୁ ଏକ ଅଦ୍ଭୁତ ଓ ଅସ୍ପୃଶ୍ୟ ପ୍ରାଣୀ ସଦୃଶ ଦେଖନ୍ତି । ସତେ ଯେପରି ତାଙ୍କୁ କୌଣସି ବଡ଼ ରୋଗ ହୋଇଯାଇଛି । ଏହାର କାରଣ କ’ଣ? କ’ଣ ଆମେ ଧର୍ମକୁ ପ୍ରକୃତ ଅର୍ଥରେ ଜାଣୁ? କ’ଣ ଆମେ ଧର୍ମର ଯଥାର୍ଥ ପର୍ଯ୍ୟାଲୋଚନା କରିଛୁ? ଯଦି ତାହା ବାସ୍ତବିକ ଶିକ୍ଷା ହୋଇଥାନ୍ତା ତେବେ ଧର୍ମ ପ୍ରତି ଆମର ଏପରି ଧାରଣା ହୋଇନଥାନ୍ତା । ଏଣୁ ମୁଁ ଭାବେ ଯେ ଆମ ଶିକ୍ଷା ପରମ୍ପରାରେ କେଉଁଠି ତ୍ରୁଟି ରହିଛି । ଆମେ ଧର୍ମକୁ ଭୁଲ ଭାବରେ ପରିଭାଷିତ କରିଛୁ । ଆମର ଏହି ତଥାକଥିତ ଧର୍ମନେତାଗଣ ଏବଂ ରାଜନେତାଗଣ ହିଁ ଆମକୁ ଏହି ପରିଭାଷା ଦେଇଛନ୍ତି । ମୁଁ ଶିକ୍ଷକମାନଙ୍କୁ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ଦୋଷୀ ମନେକରୁନାହିଁ । କାରଣ ଉପରୁ ଯେପରି ଆଦେଶ ଆସିବ ସେମାନଙ୍କୁ ସେପରି ଶିକ୍ଷା ପ୍ରଦାନ କରିବାକୁ ହେବ । ଯଦି ସେମାନେ ସେପରି କରିବେ ନାହିଁ ତେବେ ସେମନେ ଚାକିରୀ କରିପାରିବେ ନାହିଁ ।


ଲୋକେ ଧର୍ମ ବୋଇଲେ ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିୟାନ, ଜୈନ କିମ୍ବା ବୌଦ୍ଧ ରୂପରେ ଜାଣନ୍ତି । ଏଗୁଡ଼ିକୁ ହିଁ ଆଜି ଧର୍ମ ବୋଲି ମନେ କରାଯାଉଛି । କିନ୍ତୁ ବସ୍ତୁତଃ ଏହା ଏକ ଏକ ସମ୍ପ୍ରଦାୟ ବିଶେଷ । ଧର୍ମର ଏକ ଏକ ଶାଖା । ଧର୍ମ ତ ସାର୍ବଜନୀନ, ଏକଦେଶୀୟ ନୁହେଁ । ତାକୁ ଏକ କ୍ଷୁଦ୍ର ପରିସର ମଧ୍ୟରେ ହୃଦୟଙ୍ଗମ କରିହେବନାହିଁ । ଆସନ୍ତୁ ପୁନଶ୍ଚ ଆମେ ବିଚାର କରିବା ଯେ ଧର୍ମ କ’ଣ? ମୁଁ ସର୍ବପ୍ରଥମ ଶ୍ରୁତିର ଭାଷାରେ ଧର୍ମର ବ୍ୟାଖ୍ୟା କରିବି ।


ଏହା ତୈତ୍ତିରୀୟ ଉପନିଷଦର ବିଷୟ । ଯେତେବେଳେ ବିଦ୍ୟାର୍ଥୀ ନିଜ ଶିକ୍ଷା ସମାପ୍ତ କରି ଗୁରୁ ଆଶ୍ରମରୁ ପ୍ରତ୍ୟାବର୍ତ୍ତନ କରୁଥିଲା ସେତେବେଳେ ଗୁରୁ ସ୍ବୀୟ ଦୀକ୍ଷାନ୍ତ ଭାଷଣରେ ତାକୁ କରୁଥିଲେ- “ସତ୍ୟଂ ବଦ ଧର୍ମଂଚର” ।- ସତ୍ୟ କହ ଏବଂ ଧର୍ମର ଆଚରଣ କର । “ଧର୍ମଂ ବଦ ସତ୍ୟଂ ଚର ।” ଏପରି କହୁନଥିଲେ । ଏହାର ଅର୍ଥ ହେଲା ଯେ ସେମାନେ ମଧ୍ୟ ଧର୍ମକୁ ଏକ ଉତ୍କୃଷ୍ଟ ଆଚରଣ ପଦ୍ଧତି ରୂପରେ ମାନୁଥିଲେ । ଧର୍ମ କୌଣସି ବସ୍ତୁ, ବ୍ୟକ୍ତି କିମ୍ବା ସମୁଦାୟ ନୁହେଁ । ଧର୍ମ ତ ଏକ ଉତ୍କୃଷ୍ଟ ଆଚରଣ ପଦ୍ଧତି । ଆଚରଣ ପଦ୍ଧତିରେ ସର୍ବଦା ଉତ୍କୃଷ୍ଟତା ଓ ନିକୃଷ୍ଟତା ରହିବ । ସୃଷ୍ଟିର ପ୍ରାରମ୍ଭ କାଳରୁ ରାତି ଦିନ ବିଦ୍ୟମାନ । ସୃଷ୍ଟି ଯେ ପର୍ଯ୍ୟନ୍ତ ରହିବ ସେ ପର୍ଯ୍ୟନ୍ତ ଦିନ ଓ ରାତି ମଧ୍ୟ ରହିବ । ଏହିପରି ଯେପର୍ଯ୍ୟନ୍ତ ମନୁଷ୍ୟ ଅଛି ସେ ପର୍ଯ୍ୟନ୍ତ ଧର୍ମ ଓ ଅଧର୍ମ ମଧ୍ୟ ଅଛି । ନିକୃଷ୍ଟ ଆଚରଣ ପଦ୍ଧତିକୁ ଅଧର୍ମ କୁହାଯାଏ । ଧର୍ମ ଆମକୁ ଦିବ୍ୟତା ପ୍ରଦାନ କରେ । ଏବଂ ଅଧର୍ମ ଆମ ଅନ୍ତଃକରଣରେ ଆସୁରୀ ପ୍ରବୃତ୍ତିଗୁଡ଼ିକ ବୃଦ୍ଧି କରେ । ଧର୍ମ ହେଉଛି ପୁଣ୍ୟ ଓ ଅଧର୍ମ ହେଉଛି ପାପ । ଅତଃ ନିକୃଷ୍ଟ ଆଚରଣ ପଦ୍ଧତିକୁ ତ୍ୟାଗ କରି ଆମେ ଉତ୍କୃଷ୍ଟ ଆଚରଣ ପଦ୍ଧତିକୁ ସ୍ବୀକାର କରିବା ବିଧେୟ । ଆମର ଋଷି ମହର୍ଷିଗଣ ଆମକୁ ଏହି ଶିକ୍ଷା ପ୍ରଦାନ କରିଛନ୍ତି ।


ଶିକ୍ଷାର ଉଦ୍ଦେଶ୍ୟ ହେଉଛ ଜୀବନକୁ ଉତ୍ତମ ରୂପରେ ସଜାଇବା ଓ ସୁବ୍ୟବସ୍ଥିତ କରିବା । ଶିକ୍ଷିତ ହେବାର ଅର୍ଥ ହେଉଛି ବସ୍ତୁସ୍ଥିତି, ଦେଶ-କାଳ-ପରିସ୍ଥିତି, ଜୀବନର ଲକ୍ଷ୍ୟ ଓ ଆଦର୍ଶକୁ ଯଥାର୍ଥ ରୂପରେ ଜାଣିବା ତଥା ତା’ର ମୂଲ୍ୟାଙ୍କନ କରିବା । କିନ୍ତୁ ଆଜି ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାରି ଅଙ୍ଗୁଳି ବିଶିଷ୍ଟ ପେଟ ପୋଷିବା ହୋଇଯାଇଛି । ସରକାର କହନ୍ତି ଶିକ୍ଷା ବ୍ୟବସାୟ ଭିତ୍ତିକ, ଓ କର୍ମ ଭିତ୍ତିକ ହେବା ଉଚିତ୍ । କିନ୍ତୁ ଆମ ଏଠାରେ (ଭାରତରେ) ପ୍ରାଚୀନକାଳରୁ ଏହା (ଶିକ୍ଷା) ଜ୍ଞାନ ଭିତ୍ତିକ ଥିଲା । ଆମ ଦେଶ ଜୀବନକୁ ସମର୍ଥ ବନାଇବା ଓ ମୁକ୍ତି ପ୍ରାପ୍ତ କରିବାର ସାଧନ ରୂପେ ବିଦ୍ୟାକୁ ଗ୍ରହଣ କରିଆସିଛି । “ବିଦ୍ୟାଧନଂ ସର୍ବଧନପ୍ରଧାନଂ”, “ବିଦ୍ୱାନ ସର୍ବତ୍ର ପୂଜ୍ୟତେ”- ଆଦି ବାକ୍ୟଗୁଡ଼ିକ ଦ୍ୱାରା ବିଦ୍ୟାର ଏହି ଲୌକିକ ଉପଯୋଗିତା ତଥା ‘ସା ବିଦ୍ୟା ଯା ବିମୁକ୍ତୟେ”, “ବିଦ୍ୟୟାଽମୃତମଶ୍ନୁତେ” ଆଦି ବାକ୍ୟଗୁଡ଼ିକ ଦ୍ୱାରା ବିଦ୍ୟାର ପାରଲୌକିକ ଉପଯୋଗିତା ପ୍ରମାଣିତ । ସେମାନେ ବିଦ୍ୟାକୁ, ଶିକ୍ଷାକୁ କେବଳ ପେଟପୋଷିବାର ସାଧନ ନୁହେଁ ବରଂ ଏହା ସହିତ ସତ୍ୟାନ୍ୱେଷଣ ପୂର୍ବକ ଈଶ୍ୱର ସାକ୍ଷାତକାରର ମାଧ୍ୟମ ମଧ୍ୟ ସ୍ବୀକାର କରିଛନ୍ତି ।


ଆଜି ଆମେ ଅସ୍ଥିର । ଶିକ୍ଷାଦାନ ପରମ୍ପରାରେ ଅସନ୍ତୁଳନ, ଉଚିତ୍ ନିର୍ଣ୍ଣୟର ଅଭାବ ଏବଂ ବ୍ୟକ୍ତିଗତ ମହତ୍ତ୍ବାକାଂକ୍ଷା ସଂଘର୍ଷ କାରଣରୁ ହୁଁ ଆଜି ଭାରତ ଅସ୍ଥିର । ଆମେ ସ୍ବାଧୀନ ହେବାର ଚଉରାଳିଶ ବର୍ଷ (୧୯୪୭-୧୯୯୧) ଅତିକ୍ରାନ୍ତ ହେଲାଣି, ପରନ୍ତୁ ଏଯାବତ୍ ସ୍ଥିରତା ଆସିନାହିଁ । ସ୍ଥିରତା ପାଇଁ ଚଉରାଳିଶ ଦିନ ଅଧିକ ହୋଇପାରେ, ଚଉରାଳିଶ ଘଣ୍ଟା ପର୍ଯ୍ୟାପ୍ତ ହୋଇପାରେ କିନ୍ତୁ ୮ଠକୋଟି (୧୯୯୧ ପର୍ଯ୍ୟନ୍ତ) ଜନତାଙ୍କ ଏହି ଭାରତ ଚଉରାଳିଶ ବର୍ଷ ପଶ୍ଚାତ ମଧ୍ୟ ଅସ୍ଥିର - ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ନେତାଗଣ କହନ୍ତି ଆମେ ସ୍ଥିର । ଆମ ସରକାର ସ୍ଥିର କିନ୍ତୁ ସ୍ଥିରତାର ନାଟକ ତ ଆପଣମାନେ ସମସ୍ତେ ଦେଖୁଛନ୍ତି । କାଲିକାର କଥା । ବେଶୀ ଦିନ ଅତିକ୍ରାନ୍ତ ହୋଇନାହିଁ । ଧର୍ମ ଏବଂ ନୀତିର ଯେଉଁ ଖେଳ ଖେଳାଯାଉଛି ଏହା କେତେ ନିମ୍ନ ସ୍ତରର । କାହିଁକି ଏସବୁ ହେଉଛି? କାହିଁକିନା ଆମେ ଧର୍ମ ଏବଂ ନୀତିକୁ ଭୁଲ ଭାବରେ ବୁଝିଛୁ ଏବଂ ଅନ୍ୟମାନଙ୍କୁ ସେପରି ବୁଝାଇଛୁ । ଏହା ହେଉଛି ତା’ର ଦୁଷ୍ପରିଣାମ । ଯେତେବେଳେ ଆମେ ବସ୍ତୁଖ ସ୍ଥିତିକୁ ଠିକ୍ ରୂପରେ ବୁଝିପାରୁନାହୁଁ ସେତେବେଳେ ଏହି ପ୍ରକାର ଚପଳତା ସ୍ବଭାବିକ ଏବଂ ଅସ୍ଥିରତା ଅବଶ୍ୟମ୍ଭାବୀ ।


ଧର୍ମ ସ୍ଥିରତା ଆଣିଥାଏ । ଏହି ମାର୍ଗରେ ସହାବସ୍ଥାନ, ସହାନୁଭୁତି ଏବଂ ସହଯୋଗର ପ୍ରାଧାନ୍ୟ ରହିଛି । ଗୋସ୍ବାମୀ ତୁଳସୀ ଦାସଜୀ କହନ୍ତି- “ପରହିତ ସରିସ ଧରମ ନହିଁ ଭାଇ । ପରପୀଡ଼ା ସମ ନହିଁ ଅଧମାଇ ।” ଅନ୍ୟମାନଙ୍କ ହିତ କରିବାଠାରୁ ଆଉ ବଡ଼ ଧର୍ମ ନାହିଁ । ପରୋପକାର ହିଁ ଧର୍ମ । ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ଓ କଷ୍ଟ ଦେବା ଅଧର୍ମ । ଏହି ଚୌପାଇରେ ସେ ପରହିତର ଚର୍ଚ୍ଚା କରିଛନ୍ତି, ‘ହିନ୍ଦୁ ହିତ ସରିସ’ କିମ୍ବା “ମୁସଲିମ ହିତ ସରିସ” କହି ନାହାନ୍ତି । ପରୋପକାର କରୁଥିବା ଧାର୍ମିକ ବ୍ୟକ୍ତି କେବେହେଲେ ହିନ୍ଦୁ ବା ମୁସଲମାନ ମଧ୍ୟରେ ଭେଦଭାବ ରଖେନାହିଁ । ଡାକ୍ତର ରୋଗୀର ରୋଗ ସମ୍ବନ୍ଧରେ ପଚରା ଉଚୁରା କରନ୍ତି । ଜାତି କିମ୍ବା ସମ୍ପ୍ରଦାୟ ସମ୍ବନ୍ଧରେ ନୁହେଁ । ଏହିପରି ପ୍ରକୃତ ଧାର୍ମିକ ସମସ୍ତଙ୍କ କଲ୍ୟାଣ କାମନା କରନ୍ତି; କୌଣସି ଗୋଷ୍ଠୀ କିମ୍ବା ସମାଜର ନୁହେଁ ।


ଧର୍ମ ଓ ଅଧର୍ମ ଜୀବନ ତଟିନୀର ଦୁଇ କୂଳ । ଧର୍ମ ମାନବତାର ଦ୍ୟୋତକ, ଦୈବୀ ସମ୍ପଦ ଏବଂ ଦିବ୍ୟଭାବ ଅଟେ । ଅଧର୍ମ ପଶୁତାର ପ୍ରତୀକ, ମଳିନ ମାନସିକତା ଏବଂ ଆସୁରୀ ସମ୍ପଦ ଅଟେ । ଧର୍ମ ଦେବତାମାନଙ୍କର ଓ ଅଧର୍ମ ଅସୁରମାନଙ୍କର ପ୍ରିୟ । ଏହା ସର୍ବଦା ଏପରି ରହିଆସିଛି ଓ ଏପରି ରହିବ ମଧ୍ୟ । କେବଳ ବିଭିନ୍ନ ବ୍ୟକ୍ତିମାନଙ୍କ ବ୍ୟାଖ୍ୟାରେ ପରିବର୍ତ୍ତନ ହୋଇଆସିଛି । ବ୍ୟାଖ୍ୟା ଓ ପରିଭାଷା କରିବା ବିଦ୍ୱାନମାନଙ୍କ କାମ । ଏହା ସାଧାରଣ ବ୍ୟକ୍ତିର ସାମର୍ଥ୍ୟର ବାହାରେ । ଶବ୍ଦ ଚାତୁରୀରେ ନିପୁଣ ବ୍ୟକ୍ତି ନିଜ ଇଚ୍ଛାମୁତାବକ ଅର୍ଥ କରିବାରେ ସକ୍ଷମ । କିନ୍ତୁ ଆମକୁ ଏହା ମନେ ରଖିବାକୁ ହେବ ଯେ ଶବ୍ଦାବଳୀର ଅର୍ଥ ଅନର୍ଥ କରିବା ଦ୍ୱାରା ଜୀବନର ମୌଳିକ ଆବଶ୍ୟକତା ଗୁଡ଼ିକରେ କୌଣସି ପାର୍ଥକ୍ୟ ପଡ଼େନାହିଁ । ମିତ୍ରଗଣ! ଧର୍ମ ଯେତେବେଳେ ଆଚାର ସୀମିତ ରହିଗଲା ସେତେବେଳେ ତାର ବିଭିନ୍ନ ପରିଭାଷା ହେବାକୁ ଲାଗିଲା, ତାର ସ୍ବରୂପ ପରିବର୍ତ୍ତନ ହୋଇ ଚାଲିଲା ଏବଂ ଏହିପରି ଧୀରେ ଧୀରେ ମାନବତାର ଏହି ଆଧାର ସ୍ତମ୍ଭ ଖଣ୍ଡିତ ହୋଇ ହୋଇ ବିଭିନ୍ନ ଅଂଶରେ ବିଭାଜିତ । (କ୍ରମଶଃ)

🌺🌺🌺🌺🌺🌺🌺🌺🌺

ସୌଜନ୍ୟ - ବିଶ୍ୱାତ୍ମ ଚେତନା ପରିଷଦ

ଆନନ୍ଦ ନିକେତନ, ଖୁଜେନପାଲି

ବଲାଙ୍ଗିର- (ଓଡ଼ିଶା) - ୭୬୭ଠଠ୨

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର