(୬)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା( ୬)--- ସମର୍ଥିତ ଓ ବ୍ୟବହୃତ ମୂଲ୍ୟ

 🌹🌹🌹🌹🌹🌹🌹🌹🌹

 *ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା( ୬)* 

🌷🌷🌷🌷🌷🌷🌷🌷🌷

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ* 

🌺🌺🌺🌺🌺🌺🌺🌺🌺

 *ସମର୍ଥିତ ଓ ବ୍ୟବହୃତ ମୂଲ୍ୟ* 

🌻🌻🌻🌻🌻🌻🌻🌻🌻

ଜଣେ ବ୍ୟକ୍ତି କୌଣସି ମୂଲ୍ୟକୁ ଦୈନନ୍ଦିନ ଜୀବନରେ ଧାରଣ ଯୋଗ୍ୟ ମନେ କଲେ ତାହା ତା’ପାଇଁ ସମର୍ଥିତ ମୂଲ୍ୟ ( Espoused Value)ଅଟେ । କୌଣସି ମୂଲ୍ୟ ବିଷୟରେ କହିବା ଓ ତାକୁ ସମର୍ଥନ କରିବା ସହଜ କଥା କିନ୍ତୁ ତାହା ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା କଷ୍ଟକର ବ୍ୟାପାର । ସାଧାରଣତଃ ଦେଖାଯାଏ ଯେ ଅନେକ ନିଜ ସମର୍ଥିତ ମୂଲ୍ୟକୁ ବ୍ୟବହାରିକ ଜୀବନରେ ଧାରଣ ନ କରି ଓହରି ଯାଆନ୍ତି । ତେଣୁ ସମର୍ଥିତ ଓ ବ୍ୟବହୃତ ମୂଲ୍ୟ (ApplidValue) ମଧ୍ୟରେ ଅନ୍ତର ପରିଲକ୍ଷିତ ହୁଏ ।

ପୂର୍ବାଗ୍ରହ ବଶତଃ ବ୍ୟକ୍ତି ସମର୍ଥିତ ମୂଲ୍ୟ ଧାରଣ ପାଇଁ ସକ୍ଷମ  ହୁଏ ନାହିଁ । ବିନମ୍ରତା, ପ୍ରେମ, ଶାନ୍ତି, ଦୟା ଆଦି ମୂଲ୍ୟ ବିଷୟରେ ଅନ୍ୟକୁ ଉପଦେଶ ଦେଉଥିବା ବ୍ୟକ୍ତି ସ୍ବୟଂ ନିଜ ଜୀବନରେ ଧାରଣ କରନ୍ତି ନାହିଁ । ଅନେକେ ଏହି ମୂଲ୍ୟଗୁଡ଼ିକୁ ସମର୍ଥନ କରନ୍ତି କିନ୍ତୁ ପୂର୍ବାଗ୍ରହ ହେତୁ କାର୍ଯ୍ୟ  ବ୍ୟବହାରରେ ଏଗୁଡ଼ିକର ବିପରୀତ ଆଚରଣ କରନ୍ତି । ପୂର୍ବାଗ୍ରହ ଯୁକ୍ତ ବ୍ୟକ୍ତିର ଜ୍ଞାନ ନେତ୍ର ଖୋଲେ ନାହିଁ । ଏଭଳି ବ୍ୟକ୍ତି ସତ୍ୟ ଦର୍ଶନ କରିପାରନ୍ତି ନାହିଁ । ସେମାନେ ବାସ୍ତବିକତାକୁ ଉପେକ୍ଷା କରନ୍ତି । ପୂର୍ବାଗ୍ରହ ବଶତଃ କୌଣସି ସମର୍ଥିତ ମୂଲ୍ୟ ଯଦି ସେମାନେ ଧାରଣ କରନ୍ତି ନାହିଁ ତେବେ ତାର ସପକ୍ଷରେ ନାନା ପ୍ରକାର ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପନ କରନ୍ତି । ଏହି ବୌଦ୍ଧିକ ଚାତୁର୍ଯ୍ୟ ସେମାନଙ୍କ ବ୍ୟବହାରରେ ବିସଙ୍ଗତି ସୃଷ୍ଟି କରେ । ସେମାନେ ଯାହା କହନ୍ତି କାର୍ଯ୍ୟ ବେଳେ ଠିକ ଓଲଟା କରନ୍ତି । କେତେକ ବ୍ୟକ୍ତି ମୂଲ୍ୟ ବିଷୟରେ ଭ୍ରମ ଧାରଣା ପୋଷଣ କରନ୍ତି । ସେମାନଙ୍କ ଧାରଣା ଯେ ମୂଲ୍ୟ ଗୁଡ଼ିକୁ ଧାରଣା କରିବା ଆଜିର ଦୁନିଆରେ ସମ୍ଭବ ନୁହେଁ । କେହି କେହି ଏଗୁଡ଼ିକୁ ଧାରଣ କରିବା ଦୁର୍ବଳତାର ପରିଚାୟକ ମନେ କରନ୍ତି ।

ମୂଲ୍ୟଗୁଡ଼ିକୁ ଧାରଣ କରିବା ବେଳେ ସନ୍ତୁଳନ ଓ ସ୍ପଷ୍ଟତା ଆବଶ୍ୟକ । ଅନ୍ୟଥା ଜଣେ ଭୁଲ ନିର୍ଣ୍ଣୟ ନେଇ ପାରେ ଅଥବା ମୂର୍ଖତା ପୂର୍ଣ୍ଣ କର୍ମ କରିପାରେ । ଦଣ୍ଡିବା ଶକ୍ତି ଥିବା ବ୍ୟକ୍ତି ପାଖରେ କ୍ଷମା ଗୁଣ ରହିଲେ ସେ ଯଥାର୍ଥ ନ୍ୟାୟ ଦେବାରେ ସକ୍ଷମ ହୁଅନ୍ତି । ଏ ପ୍ରସଙ୍ଗରେ ଜଗନ୍ନାଥ ଦାସ କୃତ ଭାଗବତ ପଞ୍ଚମ ସ୍କନ୍ଧ ଏକାଦଶ ଅଧ୍ୟାୟର ଦ୍ୱିତୀୟ ଓ ତୃତୀୟ ପଦରେ ଥିବା ପଂକ୍ତି, “ଦଣ୍ଡିବା ଶକ୍ତି ଯା’ର ଥାଇ ସେ ଯେବେ କ୍ଷମା ଆଚରଇ, ସାଧୁଙ୍କ ଶ୍ରେଷ୍ଠ ସେହୁ ନର । ସୁଖ ଦୁଃଖରୁ ସେ ବାହାର,’’ ପ୍ରଣିଧାନ ଯୋଗ୍ୟ । ତେଣୁ ଯଥାର୍ଥ ନ୍ୟାୟ ପାଇଁ ନିୟମ ଓ କରୁଣାର ସନ୍ତୁଳନ ହେବା ଆବଶ୍ୟକ । କେତେବେଳେ ଦୃଢ଼ତା ଓ କେଉଁ ସମୟରେ ନରମ ପଣିଆ ଦେଖାଇବା କଥା ସେଥିପାଇଁ ପୂର୍ବାଗ୍ରହ ମୁକ୍ତ ବୁଦ୍ଧି ଦରକାର । ବୋଧ ଶକ୍ତିର ବିକାଶ ଓ ଅନୁଭବ ଦ୍ୱାରା ବ୍ୟକ୍ତି ଉଚିତ ନିର୍ଣ୍ଣୟ ନେବାରେ ସକ୍ଷମ ହୁଏ । ସ୍ବାଦ ବିଷୟରେ କୋମଳତା ଓ ସିଦ୍ଧାନ୍ତ ବିଷୟରେ ଦୃଢ଼ତା ପ୍ରଦର୍ଶନ ଏକ ଉତ୍ତମ ନିୟମ ବୋଲି ସ୍ବୀକାର କରାଯାଏ ।

କୌଣସି ଗୋଟିଏ ମୂଲ୍ୟକୁ ଯଦି ଜଣେ ସଚ୍ଚୋଟତା ପୂର୍ବକ ଧାରଣ କରନ୍ତି ତେବେ ଅନ୍ୟ ମୂଲ୍ୟ ଗୁଡ଼ିକ ମଧ୍ୟ ତାଙ୍କ ମଧ୍ୟରେ ସ୍ବତଃ ପରିସ୍ଫୁଟ ହୁଏ । କାରଣ ମୂଲ୍ୟ ଗୁଡ଼ିକ ପରସ୍ପର ନିର୍ଭରଶୀଳ । ଯଦି ଜଣେ କୌଣସି ମୂଲ୍ୟ ଧାରଣ କରି ମଧ୍ୟ ତାଙ୍କ ଜୀବନରେ ବିଭିନ୍ନ ସୁଗୁଣ ପରିସ୍ଫୁଟ ହେଉ ନାହିଁ ତେବେ ସଂପୃକ୍ତ ମୂଲ୍ୟ ପ୍ରତି ତାଙ୍କର ସ୍ପଷ୍ଟ ଧାରଣା ନାହିଁ ବୋଲି ବୁଝିବାକୁ ହେବ । ଏପରି କ୍ଷେତ୍ରରେ ସୂକ୍ଷ୍ମ ଆତ୍ମାନୁଶୀଳନ ଦରକାର । ବିଚାର ଅନୁରୂପ ଆଚାର ହୁଏ । ମନରେ ଉତ୍ପନ୍ନ ପ୍ରତ୍ୟେକ ବିଚାରର ସୂକ୍ଷ୍ମ ଅନୁଶୀଳନ ଦ୍ୱାରା ବିଭିନ୍ନ ମୂଲ୍ୟର ଯଥାର୍ଥ ମୂଲ୍ୟାଙ୍କନ କରାଯାଇପାରେ । ଜୀବନରେ ନୂଆ ନୂଆ ମୂଲ୍ୟର ଉତ୍ପତ୍ତି ହିଁ ମୂଲ୍ୟ ପ୍ରତି ଯଥାର୍ଥ ଦୃଷ୍ଟିକୋଣର ପରିଚାୟକ । ଏପରି ହେଲେ ବ୍ୟକ୍ତିର କଥା ଓ କର୍ମ ମଧ୍ୟରେ ଅନ୍ତର କ୍ରମଶଃ ହ୍ରାସ ପାଇବାକୁ ଲାଗେ । ନିରବଚ୍ଛିନ୍ନ ପ୍ରୟାସ ଦ୍ୱାରା ଅନ୍ତ ର୍ବିରୋଧ ଓ ବିସଙ୍ଗତି ସମାପ୍ତ କରିବାକୁ ହେବ । ଦୈହିକ ଦୃଷ୍ଟି ପରିହାର କରି ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖିଲେ ମୂଲ୍ୟ ଧାରଣ ସହଜ ହୋଇଥାଏ ।

🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର