(୭)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୭)--- ମୂଲ୍ୟ ଧାରଣରେ ସଂସ୍କାର, ସଂସ୍କୃତି ଓ ପରମ୍ପରାର ପ୍ରଭାବ
🌹🌹🌹🌹🌹🌹🌹🌹🌹
*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୭)*
🌸🌸🌸🌸🌸🌸🌸🌸🌸
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ*
🌻🌻🌻🌻🌻🌻🌻🌻🌻
*ମୂଲ୍ୟ ଧାରଣରେ ସଂସ୍କାର, ସଂସ୍କୃତି ଓ ପରମ୍ପରାର ପ୍ରଭାବ*
🌺🌺🌺🌺🌺🌺🌺🌺🌺
ମନୁଷ୍ୟର ବିଚାର ଆଚାର ଜନ୍ମ ଜନ୍ମାନ୍ତରର ସଂସ୍କାର ଦ୍ୱାରା ପ୍ରଭାବିତ ହୋଇଥାଏ । ପରିବାରର ଓ ସମାଜର ସଂସ୍କୃତି ଏବଂ ପରମ୍ପରା ଦ୍ୱାରା ମଧ୍ୟ ସେ ପ୍ରଭାବିତ ହୋଇଥାଏ । ମଣିଷର ପ୍ରତିଟି କର୍ମର ଅନୁଭବ ସଂସ୍କାର ରୂପେ ଆତ୍ମାରେ ମୁଦ୍ରିତ ହୋଇଥାଏ । ତାର ବିଚାର ପ୍ରକ୍ରିୟାରେ ସଂସ୍କାର ମୂଖ୍ୟ ଭୂମିକା ଗ୍ରହଣ କରିଥାଏ । ପୂର୍ବ ଧାରଣାର ବଶବର୍ତ୍ତୀ ହୋଇ ବ୍ୟକ୍ତି କୌଣସି ନିର୍ଣ୍ଣୟ ନେଲେ ତାକୁ ପୂର୍ବାଗ୍ରହ ଗ୍ରସ୍ତ ନିର୍ଣ୍ଣୟ କୁହାଯାଏ । ପୂର୍ବାଗ୍ରହଗ୍ରସ୍ତ ବ୍ୟକ୍ତି ନିଷ୍ପକ୍ଷ ବିଚାର କରିପାରେ ନାହିଁ । ସେ ସର୍ବଦା ବୈଶ୍ୱିକ ମୂଲ୍ୟ ଅପେକ୍ଷା ଅଳ୍ପକାଳିକ ମୂଲ୍ୟକୁ ପ୍ରାଥମିକତା ଦିଏ । ବୈଜ୍ଞାନିକ ଗବେଷଣା ଲବ୍ଧ ନାନାବିଧ ଆବିଷ୍କାର ଓ ଉଦ୍ଭାବନା ମନୁଷ୍ୟର ମୂଲ୍ୟକୁ ବହୁମାତ୍ରାରେ ପ୍ରଭାବିତ କରିଛି । ବୈଜ୍ଞାନିକ ଦୃଷ୍ଟିକୋଣକୁ ଅଳ୍ପକାଳିକ ମୂଲ୍ୟ କୁହାଯାଇପାରେ । କାରଣ ନିରନ୍ତର ଗବେଷଣା ଦ୍ୱାରା ଅନେକ ପ୍ରାଚୀନ ବୈଜ୍ଞାନିକ ସିଦ୍ଧାନ୍ତ ପରବର୍ତ୍ତୀ ସମୟରେ ସଂଶୋଧିତ ହୋଇ ଭୁଲ ପ୍ରମାଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ଡାରୱିନଙ୍କ ବିବର୍ତ୍ତନ ବାଦ ପ୍ରଣିଧାନ ଯୋଗ୍ୟ । ଏକଦା ବହୁ ଚର୍ଚ୍ଚିତ ଏହି ମତବାଦ ଆଜି ଅନେକ ବୈଜ୍ଞାନିକ ଦ୍ୱାରା ପ୍ରତ୍ୟାଖ୍ୟାତ । କ୍ଵାଣ୍ଟମ ସିଦ୍ଧାନ୍ତର ଆବିଷ୍କାର ଫଳରେ ବୈଜ୍ଞାନିକ ଦୃଷ୍ଟିକୋଣରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖାଯାଇଛି ।
ବିଜ୍ଞାନ ଦ୍ୱାରା ମଣିଷ କେବଳ ଭୌତିକ ଜ୍ଞାନ ବିଷୟରେ ଅଧିକ ତଥ୍ୟ ଆହରଣ କରିପାରେ । ଭୌତିକ ବସ୍ତୁ ଓ ପଦାର୍ଥ ନଶ୍ୱର ଏବଂ ପରିବର୍ତ୍ତନଶୀଳ ହୋଇଥିବାରୁ ଏତଦ୍ ସମ୍ବନ୍ଧିତ ଜ୍ଞାନ ମଧ୍ୟ ଅଶାଶ୍ୱତ । ଅନ୍ୟ ପକ୍ଷରେ ଆଧ୍ୟାତ୍ମିକ ଜ୍ଞାନ ଅବିନାଶୀ ଚେତନଶୀଳ ଆତ୍ମା ସହିତ ସମ୍ବନ୍ଧିତ ହୋଇଥିବାରୁ ଏହା ଶାଶ୍ୱତ ଅଟେ । ତେଣୁ ମୂଲ୍ୟ ବିଚାର ବେଳେ ଭୌତିକ ଦୃଷ୍ଟିକୋଣ ପରିହାର କଲେ ବ୍ୟକ୍ତି ନିଷ୍ପକ୍ଷ ଓ ଯଥାର୍ଥ ନିଷ୍ପତ୍ତି ଗ୍ରହଣ କରିପାରେ । ଏହା ଦ୍ୱାରା ତା’ର ସମର୍ଥିତ ମୂଲ୍ୟ ଓ ବ୍ୟବହୃତ ମୂଲ୍ୟ ମଧ୍ୟରେ ବିସଙ୍ଗତି ରହେ ନାହିଁ ।
ବିଜ୍ଞାନ ଓ ଅଧ୍ୟାତ୍ମ ପରସ୍ପର ବିରୋଧୀ ନୁହେଁ । ଅଧିକାଂଶ ବୈଜ୍ଞାନିକ ମନେ କରନ୍ତି ଯେ କେବଳ ବୈଜ୍ଞାନିକ ପଦ୍ଧତି ହିଁ ଗବେଷଣା ପାଇଁ ଏକମାତ୍ର ଉପାୟ । ସେମାନେ ବୈଜ୍ଞାନିକ ସିଦ୍ଧାନ୍ତ ବ୍ୟତୀତ ଅନ୍ୟ ବିଷୟକୁ ସତ୍ୟ ବୋଲି ସ୍ବୀକାର କରନ୍ତି ନାହିଁ । ସେମାନଙ୍କ ଦୃଷ୍ଟିରେ ଧର୍ମ ଓ ଅଧ୍ୟାତ୍ମ ହେଉଛି ଜଣେ ବ୍ୟକ୍ତିର ଆସ୍ଥା ଏବଂ ବିଶ୍ୱାସ । ଆତ୍ମା ଓ ପରମାତ୍ମାର ଅସ୍ତିତ୍ୱ ବୈଜ୍ଞାନିକ ଗବେଷଣା ଦ୍ୱାରା ପ୍ରତ୍ୟକ୍ଷ କରିବା ସଂଭବ ନୁହେଁ । କାରଣ ଏହି ଦୁଇ ଆଧ୍ୟାତ୍ମିକ ସତ୍ତା ହେଉଛି ଇନ୍ଦ୍ରିୟାତୀତ ଓ ଅଭୌତିକ । ତେଣୁ ବିଜ୍ଞାନ ଏହା ଗ୍ରହଣ କରେ ନାହିଁ । ଅନ୍ୟ ପକ୍ଷରେ ଆଧ୍ୟାତ୍ମିକ ସାଧକଗଣ ସେମାନଙ୍କ ନିରବଚ୍ଛିନ୍ନ ସାଧନା ଦ୍ୱାରା ନିଜକୁ ଶରୀରଠାରୁ ଏକ ପୃଥକ ସତ୍ତା ରୂପେ ଅନୁଭବ କରି ପାରନ୍ତି । ଏତଦ୍ ବ୍ୟତୀତ ସେମାନେ ମାନବୀୟ ଚେତନା (ଆତ୍ମା)ଠାରୁ ଉଚ୍ଚତର ଆଧ୍ୟାତ୍ମିକ ସତ୍ତା (ପରମାତ୍ମା)ର ମଧ୍ୟ ଅନ୍ୱେଷଣ ଓ ଅନୁଭବ କରି ପାରନ୍ତି । ପ୍ରତ୍ୟକ୍ଷତାକୁ ପ୍ରମାଣର ଆବଶ୍ୟକତା ନାହିଁ । ଜଣେ ଆଧ୍ୟାତ୍ମିକ ସାଧକଙ୍କ ଦୃଷ୍ଟିରେ ବିଜ୍ଞାନର ସୀମା କେବଳ ଦୃଶ୍ୟମାନ ଜଗତ ମଧ୍ୟରେ ସୀମିତ । ତେଣୁ ସେମାନଙ୍କ ମତରେ ବିଜ୍ଞାନ ଅପେକ୍ଷା ଆଧ୍ୟାତ୍ମିକ ଜ୍ଞାନ ବା ଅନ୍ତର୍ଜ୍ଞାନ ସର୍ବଶ୍ରେଷ୍ଠ । ଏହିପରି ବୈଜ୍ଞାନିକ ଓ ଆଧ୍ୟାତ୍ମବାଦୀ ସ୍ବ ସ୍ବ ମୂଲ୍ୟ ଆଧାରରେ ଜଣେ ଅନ୍ୟ ଜଣକଠାରୁ ନିଜକୁ ଶ୍ରେଷ୍ଠ ମନେ କରନ୍ତି ।
ମାନବ ସମାଜ ସାଂସ୍କୃତିକ ଓ ଧାର୍ମିକ ପରଂପରା ଆଧାରରେ ବହୁଧା ବିଭକ୍ତ । ଅଧିକାଂଶ ବ୍ୟକ୍ତି ପୁରୁଷାନୁକ୍ରମେ ପ୍ରଚଳିତ ପାରମ୍ପରିକ ପ୍ରଥା ଅନୁସାରେ ପରିଚାଳିତ ହୋଇଥାନ୍ତି । ଅନେକ କ୍ଷେତ୍ରରେ ଏହା ପ୍ରଚଳିତ ଆଇନ ବିରୋଧୀ ହୋଇଥାଏ । ଆଇନ ଅନୁସାରେ ମହିଳାମାନଙ୍କ ବିବାହ ବୟସ ୧୮ବର୍ଷ ବା ତଦୁର୍ଦ୍ଧ । କିନ୍ତୁ ଆଜି ମଧ୍ୟ ଦେଶର କେତେକ ଅଂଚରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ । ଆଇନ ଉଭୟ ମହିଳା ଓ ପୁରୁଷମାନଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଜ ଏହାକୁ ସଂପୂର୍ଣ୍ଣ ରୂପେ ଗ୍ରହଣ କରି ପାରି ନାହିଁ । ପୁରୁଷ ପ୍ରଧାନ ସମାଜ ବ୍ୟବସ୍ଥା ଏହାର ମୂଳ କାରଣ । ଶାରୀରିକ ସଂଚରନା ଦୃଷ୍ଟିରୁ ପୁରୁଷ ନାରୀଠାରୁ ବଳଶାଳୀ । ତେଣୁ ପ୍ରାଚୀନ ସମାଜ ବ୍ୟବସ୍ଥାରେ ପୁରୁଷ ଉପରେ ନାରୀର ସଂରକ୍ଷଣ ଦାୟିତ୍ୱ ନ୍ୟସ୍ତ ଥିଲା । କାଳକ୍ରମେ ଅହଂକାର ବଶବର୍ତ୍ତୀ ହୋଇ ପୁରୁଷ ଏହି ଅଧିକାରର ଦୁରୁପଯୋଗ କଲା ଓ ପୁରୁଷ ପ୍ରଧାନତା ଏକ ପରମ୍ପରାର ରୂପ ନେଲା । ନାରୀ ନିର୍ଯ୍ୟାତନା, ବଧୂ ହତ୍ୟା, କନ୍ୟା ଭୃଣ ହତ୍ୟା, ଯୌତୁକ ପ୍ରଥା ଆଦି ପୁରୁଷ ପ୍ରଧାନ ପରମ୍ପରାର କୁପରିମାଣ ।
କେତେକ ପୌରାଣିକ ସାହିତ୍ୟ ଅଧ୍ୟୟନ କଲେ ଜଣାଯାଏ ଯେ ପ୍ରାଚୀନ କାଳରେ ନାରୀ ପୁରୁଷ ସମକକ୍ଷ ଅଧିକାର ପ୍ରାପ୍ତ ହୋଇଥିଲା । ଯାଗ ଯଜ୍ଞ, ପୂଜା, ପର୍ବପର୍ବାଣୀ ତଥା ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ନାରୀର ଭୂମିକା ପୁରୁଷ ସହିତ ସମାନ ଥିଲା । ନାରୀକୁ ଯଥୋଚିତ ମର୍ଯ୍ୟାଦା ପ୍ରଦାନ ପାଇଁ ପତିର ନାମ ପୂର୍ବରୁ ପତ୍ନୀର ନାମ ବ୍ୟବହାର ହେଉଥିଲା । ଲକ୍ଷ୍ମୀନାରାୟଣ, ସୀତା ରାମ, ସାବିତ୍ରୀ ସତ୍ୟବାନ ଆଦି ଯୁଗଳ ନାମ ଦୃଷ୍ଟାନ୍ତ ସ୍ବରୂପ ନିଆଯାଇ ପାରେ । ପରିବାରରେ ନାରୀମାନେ ଦେବୀ ତୁଲ୍ୟ ଗଣ୍ୟ ହେଉଥିଲେ । “ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ,’’ “ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ ତତ୍ର ରମ୍ୟନ୍ତେ ଦେବତାଃ’’ ଆଦି ଶ୍ଳୋକରୁ ଏହା ସ୍ପଷ୍ଟ ଜଣା ପଡ଼େ । କିନ୍ତୁ କାଳକ୍ରମେ ସମାଜରେ ଆଧ୍ୟାତ୍ମିକ ମୂଲ୍ୟ ହ୍ରାସ ହେବାରୁ ପୁରୁଷ ନାରୀକୁ ଏକ ପଣ୍ୟ ଦ୍ରବ୍ୟ, ଭୋଗ ସାମଗ୍ରୀ, ପୁରୁଷର ଚରଣ ସେବିକା, ତାଡ଼ନ ଯୋଗ୍ୟା, ନରକର ଦ୍ୱାର ଆଦି ମନେ କଲା । କେତେକ ପୌରାଣିକ ଆଖ୍ୟାନରେ ମଧ୍ୟ ପୁରୁଷ ପ୍ରଧାନ ମାନସିକତାର ଦୃଷ୍ଟାନ୍ତ ମିଳେ । ଦକ୍ଷିଣା ପରିଶୋଧ ପାଇଁ ହରିଶ୍ଚନ୍ଦ୍ର ନିଜ ବିବାହିତ ପତ୍ନୀଙ୍କୁ ବିକ୍ରି କରିବାକୁ ପଶ୍ଚାଦ୍ପଦ ହୋଇ ନଥିଲେ । ଦଶରଥ ପୁତ୍ର ରାମ ପ୍ରଜାନୁରଂଜନ ପାଇଁ ଗର୍ଭବତୀ ପତ୍ନୀଙ୍କୁ ଅସହାୟ ଭାବରେ ଅରଣ୍ୟ ମଧ୍ୟରେ ଛାଡ଼ି ଆସିବାକୁ ନିଜ ଭ୍ରାତାଙ୍କୁ ଆଦେଶ ଦେଇଥିଲେ । ଗୋଟିଏ ଦିଗରେ ବିଚାର କଲେ ହରିଶ୍ଚନ୍ଦ୍ରଙ୍କ ଦାନଶୀଳତା ଓ ରାଜା ରାମଙ୍କର ପ୍ରଜା ବତ୍ସଳତା ଗୁଣ ପ୍ରକାଶିତ ହେଉଛି । ଅନ୍ୟ ପକ୍ଷରେ ଉଭୟଙ୍କଠାରେ ପୁରୁଷ ପ୍ରଧାନ ମାନସିକତାର ପରିଚୟ ମିଳେ ।
ଯେତେବେଳେ ବୈଶ୍ୱିକ ମୂଲ୍ୟକୁ ଉପେକ୍ଷା କରି ପରଂପରା ବା ଅଳ୍ପକାଳିକ ମୂଲ୍ୟକୁ ପ୍ରାଥମିକତା ଦିଆଯାଏ ସେତେବେଳେ ତାହା ପୂର୍ବାଗ୍ରହ ନିର୍ଣ୍ଣୟ ବୋଲି ବୁଝିବାକୁ ହେବ । ନିରପେକ୍ଷ, ନିଷ୍ପକ୍ଷ ଓ ବିବେକ ସମ୍ମତ ନିର୍ଣ୍ଣୟ ପାଇଁ ସର୍ବଦା ଅଳ୍ପକାଳିକ ମୂଲ୍ୟ ଅପେକ୍ଷା ବୈଶ୍ୱିକ ମୂଲ୍ୟକୁ ପ୍ରାଥମିକତା ଦେବା ଉଚିତ । ସାଂପ୍ରତିକ ସମାଜ ବ୍ୟବସ୍ଥାରେ ଏହା କଠିଣହେଲେ ମଧ୍ୟ ଅସଂଭବ ନୁହେଁ । ଏଥିପାଇଁ ଚାରିତ୍ରିକ ବଳ ଆବଶ୍ୟକ । ମୂଲ୍ୟ ଧାରଣ ବେଳେ ଜଣେ ଉଭୟ ବାହ୍ୟ ବିରୋଧ ଓ ଅନ୍ତର୍ବିରୋଧର ସମ୍ମୁଖୀନ ହୁଏ । ଚାରିତ୍ରିକ ଦୋଷ ମନରେ କାମ, କ୍ରୋଧ, ଲୋଭ, ମୋହ, ଇର୍ଷା, ଦ୍ୱେଷ, ଭୟ, ଅହଂକାର, ଆଳସ୍ୟ ଆଦି ନକରାତ୍ମକ ଭାବନା ସୃଷ୍ଟି କରେ । ଏହା ଫଳରେ ମୂଲ୍ୟଧାରଣ କଠିଣମନେ ହୁଏ । ଦୈନନ୍ଦିନ ଜୀବନରେ ଜଣେ ବିଭିନ୍ନ ପରିସ୍ଥିତିରେ ସମ୍ମୁଖୀନ ହୁଏ । ବର୍ତ୍ତମାନ ସମାଜ ବ୍ୟବସ୍ଥା ନାନା ପ୍ରକାର କୁରୀତି, ଅପସଂସ୍କୃତି, ଭ୍ରଷ୍ଟାଚାର ଆଦି ଦ୍ୱାରା କଳୁଷିତ । ଦିନକୁ ଦିନ ମଣିଷ ମଧ୍ୟରେ ଲୋଭ ବୃତ୍ତି ବୃଦ୍ଧି ପାଇ ଚାଲିଛି । ପରିଣାମ ସ୍ବରୂପ ଅର୍ଥ ଉପାର୍ଜନ ପାଇଁ ସେ ଯେ କୌଣସି ଅସାଧୁ ଉପାୟ ଅବଲମ୍ବନ କରିବାକୁ ମଧ୍ୟ ପଶ୍ଚାତ୍ତପଦ ହୁଏ ନାହିଁ । ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏପରି ଲୋଭୀ, ସ୍ବାର୍ଥୀ ଓ ନୀତିହୀନଙ୍କ ସୁଦୃଢ଼ ମେଣ୍ଟ ଦେଖିବାକୁ ମିଳେ । ସେହି ମେଣ୍ଟ ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ ଅନ୍ୟ ସାଧୁ ଓ ସଚ୍ଚୋଟ ବ୍ୟକ୍ତିଙ୍କୁ ତିରସ୍କାର, ଅପମାନ ବା ଭୟ ପ୍ରଦର୍ଶନ କରି ନିଜ ଗୋଷ୍ଠୀରେ ସାମିଲ କରିବାକୁ ଆପ୍ରାଣ ଚେଷ୍ଟା ଚଳାନ୍ତି । ଏହା ହେଉଛି ମୂଲ୍ୟ ଧାରଣ ବେଳେ ଜଣେ ବ୍ୟକ୍ତି ସମ୍ମୁଖୀନ ହେଉଥିବା ବାହ୍ୟ ବିରୋଧର ଉଦାହରଣ । ଏହାର ସଫଳ ମୁକାବିଲା ପାଇଁ ଆଧ୍ୟାତ୍ମିକ ଶକ୍ତିର ବିକାଶ ଏକାନ୍ତ ଅପରିହାର୍ଯ୍ୟ ।
🌷🌷🌷🌷🌷🌷🌷🌷🌷
ସଂପାଦକ- ଚେତନା ପ୍ରବାହ,
ଶିବଶକ୍ତି ହୋମିଓ ସେବା ସଦନ, କାଦୋପଡ଼ା ଗଳି, ବସ-ଷ୍ଟାଣ୍ଡ, ପାଟଣାଗଡ଼- ୭୬୭୦୨୫
ଜି: ବଲାଙ୍ଗିର,
ମୋବାଇଲ ନମ୍ବର-9437210296, 7609969796
🌹🌹🌹🌹🌹🌹🌹🌹🌹
Comments
Post a Comment