(୧୭)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୭) ---- ମୂଲ୍ୟ ଶିକ୍ଷାରେ ଶିକ୍ଷକ, ଶିକ୍ଷା ଓ ସାହିତ୍ୟର ଭୂମିକା

 🌹🌹🌹🌹🌹🌹🌹🌹🌹

 *ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୭)* 

🌹🌹🌹🌹🌹🌹🌹🌹🌹

 *ମୂଲ୍ୟ ଶିକ୍ଷାରେ  ଶିକ୍ଷକ, ଶିକ୍ଷା ଓ ସାହିତ୍ୟର ଭୂମିକା* 

🌸🌸🌸🌸🌸🌸🌸🌸🌸

 *ଡା: ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌺🌺🌺🌺🌺🌺🌺🌺🌺

ସଂପ୍ରତି ମୂଲ୍ୟ ହ୍ରାସ ମାନବ ସମାଜ  ପାଇଁ ଚିନ୍ତାର କାରଣ ହୋଇଛି । ତଥାପି ମନୁଷ୍ୟ ସଚେତନ ହେବା ଲକ୍ଷ୍ୟ କରାଯାଉ ନାହିଁ । ଯେଉଁ କେତେଜଣ ସଚେତନ ବ୍ୟକ୍ତି ବା କେତେକ ଅନୁଷ୍ଠାନ ମୂଲ୍ୟ ସଂକଟ ବିଷୟରେ ଜନସାଧାରଣଙ୍କୁ ସତର୍କ କରାଇ ବ୍ୟବହାରିକ ଜୀବନରେ ମୂଲ୍ୟାବଳୀର ଧାରଣ ପାଇଁ କାର୍ଯ୍ୟ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ପାଣି ପରି । ଏଥି ପାଇଁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କ୍ରାନ୍ତିକାରୀ ପଦକ୍ଷେପ ନେବାକୁ ହେବ । ଧାର୍ମିକ ଅନୁଷ୍ଠାନଗୁଡିକ ସାମ୍ପ୍ରଦାୟିକତାର ଉଦ୍ଧ୍ୱର୍କୁ ଉଠି ମୂଲ୍ୟ ଶିକ୍ଷା ପ୍ରଦାନ କଲେ ସାମାଜିକ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ । ଏହି ପରିପ୍ରେକ୍ଷୀରେ ଶିକ୍ଷକ, ଶିକ୍ଷା ଓ ସାହିିତ୍ୟର ଭୂମିକା ବିଷୟରେ ଆଲୋଚନା କରିବା ପ୍ରାସଙ୍ଗିକ ମନେ ହୁଏ ।


ସାହିତ୍ୟ ଓ ଶିକ୍ଷା ଜୀବନ ମୂଲ୍ୟ ପ୍ରତିଷ୍ଠା ପାଇଁ ଏକ ସଶକ୍ତ ଆଧାର । ମୂଲ୍ୟଗୁଡ଼ିକୁ ବ୍ୟବହାରିକ ଜୀବନରେ ଧାରଣ କରିବା ଦ୍ୱାରା ବ୍ୟକ୍ତି ଯେଉଁ ସିଦ୍ଧି ପ୍ରାପ୍ତ ହୁଏ ତାହା ସାହିତ୍ୟରେ ପ୍ରତିବିମ୍ବିତ ହୋଇଥାଏ । ବିବେକ ଓ ମୂଲ୍ୟକୁ ନେଇ ମଣିଷ ମନରେ ଉତ୍ପନ୍ନ ହେଉଥିବା ଅଗଣିତ ପ୍ରଶ୍ନର ସମାଧାନ ଆଧୁନିକ ସାହିତ୍ୟ ଦେବାରେ ବିଫଳ ହୋଇଛି । ଏକଥା ମଧ୍ୟ ସତ୍ୟ ଯେ ଏକ ସୁଖମୟ ସଂସାର ପାଇଁ ମାନବୀୟ ମୂଲ୍ୟର ପ୍ରତିଷ୍ଠା ଅପରିହାର୍ଯ୍ୟ । ଏଥିପାଇଁ ମୂଲ୍ୟ ହ୍ରାସର କାରଣଗୁଡିକୁ ଚିହ୍ନଟ ପୂର୍ବକ ସେଗୁଡିକୁ ନିବାରଣ କରିବାକୁ ହେବ ।


ମନୁଷ୍ୟ ସ୍ବୀୟ ସାଧ୍ୟର ଚରମ କଳ୍ପନାକୁ ପରମାତ୍ମା ରୂପ ପ୍ରଦାନ କରିଛି । ପରମାତ୍ମା ହେଉଛନ୍ତି ମାନବୀୟ ମୂଲ୍ୟଗୁଡିକର ସାମଗ୍ରିକ ରୂପ । ତେଣୁ ମନୁଷ୍ୟ ତାଙ୍କୁ ପ୍ରେମର ସାଗର, ଆନନ୍ଦର ସାଗର, ଜ୍ଞାନର ସାଗର ଆଦି ରୂପରେ କଳ୍ପନା କରି ସତ୍ୟଂ-ଶିବଂ ଓ ସୁନ୍ଦରଂ ନାମରେ ନାମିତ କରିଛି । କିନ୍ତୁ ଧାର୍ମିକ କ୍ଷେତ୍ରରେ ଯେତେବେଳେ ଆଧ୍ୟାତ୍ମିକ ମୂଲ୍ୟଗୁଡିକର ହ୍ରାସ ହେଲା ସେତେବେଳେ କାମ କ୍ରୋଧାଦି ମନୋବିକାରଗୁଡିକର ପ୍ରାଦୁର୍ଭାବ ବୃଦ୍ଧି ପାଇବାକୁ ଲାଗିଲା । ପରିଣାମ ସ୍ବରୂପ ବ୍ୟକ୍ତି ଧର୍ମ ବିମୁଖ ହୋଇ ପଡିଛି । ଭାରତୀୟ ସଂସ୍କୃତିରେ ନୈତିକତା ଧର୍ମଠାରୁ ପୃଥକ ନୁହେଁ । ନୈତିକ ପବିତ୍ରତା ବିନା ସତ୍ୟ, ଜ୍ଞାନ ଓ ବିବେକ ସମ୍ଭବ ନୁହେଁ । ଧାରୟତିତି ଧର୍ମଃ । ଧାରଣ ଓ ଆଚରଣର ଶୁଦ୍ଧତା ହିଁ ଧର୍ମ ଏବଂ ନୈତିକତା ଅଟେ । କିନ୍ତୁ ଦିନକୁ ଦିନ ବୃଦ୍ଧି ପାଉଥିବା ନାସ୍ତିକତା ବାଦର ପ୍ରଭାବରେ ସମସ୍ତ ନୈତିକ ନିୟମ ପ୍ରଭାବହୀନ ହୋଇ ପଡିଛି । ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ସହିତ ନୈତିକ ମୂଲ୍ୟଗୁଡିକର ମହତ୍ତ୍ବପୂର୍ଣ୍ଣ ସମ୍ବନ୍ଧ ରହିଛି । ମାନବ ମାତ୍ରର କଲ୍ୟାଣ ଭାବନା, ପ୍ରତ୍ୟେକଙ୍କ ପ୍ରତି ପ୍ରେମ, ଦୟା ଓ କରୁଣା ଯୁକ୍ତ ବ୍ୟବହାର ସାର୍ବଭୌମିକ ନୈତିକତା ଅଟେ । ଏହା ହେଉଛି ମାନବତା ବା ମାନବ ବାଦ । ଏହା ଜାତି, ବର୍ଣ୍ଣ, ଧର୍ମ, ମତ, ପନ୍ଥ, ଲିଙ୍ଗ, ଦେଶ ଓ କାଳରୁ ଉର୍ଦ୍ଧରେ । ଏହି ସନାତନ ମୂଲ୍ୟଗୁଡିକଠାରୁ ମନୁଷ୍ୟ ନିରପେକ୍ଷ ରହି ପାରିବ ନାହିଁ ।


ଅପୂର୍ଣ୍ଣତାରେ ପୂର୍ଣ୍ଣତା ଆଣିବାର ଉତ୍କଣ୍ଠା ହିଁ ମୂଲ୍ୟ ନିର୍ମାଣର ଆଦି ସ୍ରୋତ । ପରମାତ୍ମା ପୂର୍ଣ୍ଣ ଅଟନ୍ତି । ଏହି ସୃଷ୍ଟି ଲୀଳାରେ ପରମପିତା ପରମାତ୍ମାହିଁ ସତ୍ୟ ସନାତନ ପରମ ଧର୍ମ ଅଟନ୍ତି । ତାଙ୍କୁ ଜାଣିବା ପାଇଁ ସ୍ବୟଂକୁ ଜାଣିବା ନିତାନ୍ତ   ଆବଶ୍ୟକ । ମୋର ଶରୀର କହୁଥିବା ‘ମୁଁ’ ଟି ଶରୀରଠାରୁ ଭିନ୍ନ ଏକ ଚୈତନ୍ୟ ସତ୍ତା । ଯୋଗ ଶାସ୍ତ୍ରରେ ଭୃକୁଟି ମଧ୍ୟରେ ଚେତନାର ଶାଶ୍ୱତ କେନ୍ଦ୍ର ବା ବିନ୍ଦୁର ଅବସ୍ଥିତି ସ୍ବୀକାର କରାଯାଇଛି । “ସହତ୍ସାରେ ତ୍ରିକୋଣ ମଧ୍ୟେ ବିନ୍ଦୁ ରୂପେଣ ସଂସ୍ଥିତା ।” ତେଣୁ ଏହି ଶାଶ୍ୱତ ଚୈତନ୍ୟ ବିନ୍ଦୁ ହେଉଛି ‘ମୁଁ’ ବା ଆତ୍ମା । ଏହି ଜ୍ୟୋତି ସ୍ବରୂପ ଚୈତନ୍ୟ ଆତ୍ମା ହେଉଛି ଶରୀର ରୂପୀ ରଥର ରଥୀ ।ଏହାକୁ ଗୀତାରେ ଅଜର, ଅମର, ଅବିନାଶୀ, ପୁରାତନ, ନିତ୍ୟ ଓ ଶାଶ୍ୱତ କୁହାଯାଇଛି । ନିରନ୍ତର ଅଭ୍ୟାସ ଦ୍ୱାରା ଭୌତିକ ଚେତନା ବା ଦେହାଭିମାନ ସମାପ୍ତ କରି ଆତ୍ମିକ ଚେତନାରେ ଅବସ୍ଥାନ କଲେ ପରମାତ୍ମାବୋଧ ହୋଇଥାଏ । କାରଣ ପ୍ରତ୍ୟେକ ଆତ୍ମାଠାରେ ପରମାତ୍ମାଙ୍କ ଗୁଣଗୁଡିକର ଅଂଶ ବିଦ୍ୟମାନ । ଏହି ଦୃଷ୍ଟିରୁ ସେ ଆତ୍ମାମାନଙ୍କର ପରମ ପିତା । ପରମାତ୍ମା ଭାବ ଜାଗ୍ରତ ହେଲେ ସର୍ବାତ୍ମାଙ୍କ ପ୍ରତି ସ୍ନେହ ଭାବ ଉଦ୍ରେକ ହେବ । “ବସୁଧୈବ କୁଟୁମ୍ବକମ୍” ଓ “ବିଶ୍ୱଭବତ୍ୟେକ ନୀଡମ୍” - ଭାରତୀୟମାନଙ୍କ ଏହି ନୈତିକତା ଆଧାରିତ ସ୍ବସ୍ଥ ଜୀବନ ଦର୍ଶନ ହେତୁ ଏକଦା ଭାରତ ବିଶ୍ୱଗୁରୁ ରୂପେ ଉଭା ହୋଇଥିଲା । ବର୍ତ୍ତମାନ ମୂଲ୍ୟନିଷ୍ଠ ସମାଜର ନବ ନିର୍ମାଣରେ ଶିକ୍ଷକ, ଶିକ୍ଷା ଓ ସାହିତ୍ୟ ମୂଳ ଆଧାରର ଭୂମିକା ନିର୍ବାହ କରି ପାରିବ ।


ବର୍ତ୍ତମାନ ସମୟ ଏପରି ସାରସ୍ବତ କୃତି ତଥା ଶ୍ରେଷ୍ଠ ଶିକ୍ଷା ଆବଶ୍ୟକ କରୁଛି ଯାହା ମନୁଷ୍ୟକୁ ପ୍ରକୃତି ଓ ପରମାତ୍ମାଙ୍କ ସମୀପବର୍ତ୍ତୀ କରିବ ଏବଂ ଏପରି ଶାଶ୍ୱତ ତଥା ମହାନ ଭାବ, ଚିତ୍ର ଓ କଥାର ନିରୂପଣ ହେଉ ଯଦ୍ୱାରା ମାନବ ମାତ୍ରକୁ ନିଜ ଜୀବନ ଉନ୍ନତ କରିବାର ପ୍ରେରଣା ମିଳୁ । ଭାରତକୁ ରାଜନୈତିକ ସ୍ବତନ୍ତ୍ରତା ପ୍ରଦାନ କରିବାରେ ସାହିତ୍ୟ ଓ ଶିକ୍ଷାର ଭୂମିକା ଉଲ୍ଲେଖନୀୟ । ଆଜି ମାନବ ମନୋବିକାର ରୂପୀ ରାବଣର ଶୃଙ୍ଖଳରେ ଶୃଙ୍ଖଳିତ । ସର୍ବତ୍ର ଅନୈତିକତାର ବାତାବରଣ । ଏଥିରୁ ମାନବକୁ ମୁକ୍ତି ଦେବା ପାଇଁ ମଧ୍ୟ ସାହିତ୍ୟ ଓ ଶିକ୍ଷା ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ସକ୍ଷମ । ଶ୍ରେଷ୍ଠ ସାହିତ୍ୟ ଓ ଶ୍ରେଷ୍ଠ ଶିକ୍ଷା ଦ୍ୱାରା ହିଁ ଶ୍ରେଷ୍ଠ ଦେବୋପମ ବ୍ୟକ୍ତିତ୍ୱ ନିର୍ମାଣ ସମ୍ଭବ । ଜଣେ ସତ୍ୟନିଷ୍ଠ ସାହିତ୍ୟିକ ଏବଂ ଶିକ୍ଷକ ଏକାଧାରରେ ଶିଳ୍ପୀ, ସ୍ରଷ୍ଟା ଓ କଳାକାର । ସୃଜନର ଦିବ୍ୟ କ୍ଷଣରେ ସେ ପରମ ସତ୍ୟ ସହିତ ସ୍ବୀୟ ମନକୁ ଯୋଡି ଏକାକାର କରି ଦିଏ । ଲୋକ କଲ୍ୟାଣ ଭାବନାରେ ପ୍ରେରିତ ହୋଇ ସାହିତ୍ୟ ସର୍ଜନ କୁରୁଥିବା ସାରସ୍ବତ ସ୍ରଷ୍ଟା ଜଣେ ସ୍ଥିତପ୍ରଜ୍ଞାଯୋଗୀ ଅଟନ୍ତି । ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବା ହେଉଛି ଯୋଗୀର ଲକ୍ଷ୍ୟ । ଏହି ଆଧ୍ୟାତ୍ମିକ ଚେତନା ହେଉଛି ଶାଶ୍ୱତ ଓ ଚିରନ୍ତନ । ଏହା ଶକ୍ତି ସ୍ବରୂପ । ଏହାର ଆଧ୍ୟାତ୍ମିକ ନାମ ହେଉଛି ଆତ୍ମା । ଆତ୍ମା ଯେତେବେଳେ ବିଶ୍ୱ ସତ୍ତା ବା ପରମ ସତ୍ତା ପରମାତ୍ମାଙ୍କ ସହିତ ସ୍ନେହାସିକ୍ତ ସ୍ମୃତି ଓ ପ୍ରେମାସିକ୍ତ ଭାବରେ ଲୀନ ହୋଇଯାଏ ସେତେବେଳେ ବ୍ୟକ୍ତିର (ଯୋଗୀର) କର୍ତ୍ତୃତ୍ବାଭିମାନ ସମାପ୍ତ ହୋଇଯାଏ । ତା’ର ମନ-ପାତ୍ର ଅହଂକାର ଶୂନ୍ୟ ହୋଇ ପ୍ରେମ ଓ  ଆନନ୍ଦରେ ପରିପୂର୍ଣ୍ଣ ହୁଏ । ସୃଷ୍ଟିର ପ୍ରତ୍ୟେକ ବସ୍ତୁରେ ସେ ସୌନ୍ଦର୍ଯ୍ୟ ଅବଲୋବନ କରି ଆନନ୍ଦିତ ହୁଏ । ଏହି ଆନନ୍ଦାନୁଭୂତି ହେତୁ ତା’ର ହୃଦୟ ଅଧିକ ସମ୍ବେଦନଶୀଳ, ସରଳ, ନିଷ୍କପଟ ଓ ମନ କୁଣ୍ଠାରହିତ, ଶାନ୍ତ, ସ୍ଥିର ତଥା ଏକାଗ୍ର ହେବାକୁ ଲାଗେ । ତେଣୁ ଜଣେ ପ୍ରକୃତ ସାହିତ୍ୟିକ ଓ ଶିକ୍ଷକ ହେବା ଏକ ସାଧନା ଅଟେ । ସେ ଏକାଧାରରେ ବିଦ୍ରୋହୀ, କ୍ରାନ୍ତିକାରୀ ଓ ଆତ୍ମା ସଚେତନ ହୋଇଥିବାରୁ କୌଣସି ଧର୍ମ, ନୀତି ବା ରାଜନୀତିର ଦଲାଲ ହୁଅନ୍ତି ନାହିଁ ।


ଜୀବନରେ ଯେଉଁ ବସ୍ତୁ ଉପଯୋଗୀ ଓ ସୁଖକାରୀ ତାହାହିଁ ଜଣକ ପାଇଁ ମୂଲ୍ୟବାନ । କୌଣସି ବସ୍ତୁର ମୂଲ୍ୟ ତା’ର ଉପଯୋଗିତା ଉପରେ ନିର୍ଣ୍ଣିତ ହୁଏ । ଆବଶ୍ୟକତା ପୂରଣ କରୁଥିବାରୁ ତାହା  ଉପଯୋଗୀ । ଆବଶ୍ୟକତା ତିନି ପ୍ରକାର; ଭୌତିକ, ମାନସିକ ଓ ଆଧ୍ୟାତ୍ମିକ । ମନୁଷ୍ୟର ବ୍ୟକ୍ତିତ୍ୱ ବିବିଧ ଭାଗରେ ବିଭକ୍ତ । ତା’ର ଆତ୍ମାହିଁ ବ୍ୟକ୍ତିତ୍ୱର ବିକାଶ କରି ସାମାଜିକ ପ୍ରତିଷ୍ଠା ପ୍ରଦାନ କରେ । ନିମ୍ନ ଚେତନାରୁ ଉର୍ଦ୍ଧ୍ବ ଚେତନାକୁ ଯିବାର ମାନବୀୟ ପ୍ରବୃତ୍ତି ଅନେକତା ମଧ୍ୟରେ ଏକତା ସ୍ଥାପିତ କରେ । ଭାରତୀୟ ଋଷିଗଣ ଏହି ଏକତାର ଆଧାର ଆଧ୍ୟାତ୍ମିକ ବୋଲି ସ୍ବୀକାର କରିଛନ୍ତି । ଧର୍ମ, ଅର୍ଥ, କାମ ଓ ମୋକ୍ଷ- ଏହି ମୂଲ୍ୟ ଚତୁଷ୍ଟୟ ପ୍ରତି ସାହିତ୍ୟ ସଂକେତ ପ୍ରଦାନ କରେ ।  ଜୀବନ ମୂଲ୍ୟ  ହେଉଛି ସାହିତ୍ୟର ମୂଲ୍ୟ । ଯେଉଁ ସାହିତ୍ୟ ଜୀବନକୁ ପୂର୍ଣ୍ଣତା ପ୍ରଦାନ କରେ ତାହା ହେଉଛି ସତ ସାହିତ୍ୟ । ଭୌତିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ମୂଲ୍ୟଗୁଡିକର ସମ୍ପନ୍ନତା ପୂର୍ଣ୍ଣ ସମନ୍ୱୟରେ ଜୀବନ ପରିପୂର୍ଣ୍ଣ ହୁଏ ।ବସ୍ତୁତଃ ମାନବୀୟ ଗାରିମା ଓ ଆତ୍ମବାଦର ପ୍ରତିଷ୍ଠା ହେଉଛି ଯଥାର୍ଥ ଜୀବନ ମୂଲ୍ୟ । ଆତ୍ମବାଦ ଦ୍ୱାରା ସତ୍ୟର ପ୍ରତିଷ୍ଠା ହୁଏ ଯାହା ଏକତା, ସମତା, ସଦାଚାର, ସଦ୍ ବ୍ୟବହାର ଆଦି ଉଚ୍ଚ ଜୀବନ ମୂଲ୍ୟ ଆଧାରିତ । ବର୍ତ୍ତମାନ ବ୍ୟାପକ ଜନ ସଚେତନ କାର୍ଯ୍ୟକ୍ରମ ଆବଶ୍ୟକ । ସାହିତ୍ୟ ଓ ଶିକ୍ଷା ଏହି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ସହଜ ଓ ସରଳ ଭାବରେ ସମ୍ପନ୍ନ କରିବାକୁ ସକ୍ଷମ । ଏଥି ପାଇଁ ସାହିତ୍ୟିକଗଣ ସୁସ୍ଥ ସାହିତ୍ୟ ସୃଜନ ପୂର୍ବକ ଜନଭାବନାକୁ ସୁସ୍ଥ ଓ ସୁନ୍ଦର କରି ପାରିବେ । ଦୁର୍ଭାଗ୍ୟ ବଶତଃ ଆଜି ସାହିତ୍ୟରେ ଅଶ୍ଳୀଳତା ଓ ମନୋରଞ୍ଜନର ନିକୃଷ୍ଟ ଉପାଦାନର ସମାବେଶ ହେତୁ ଏହା ସମାଜରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି ପାରୁ ନାହିଁ । ଏଥିପାଇଁ ସାହିତ୍ୟ ସାଧକ ଓ ଶିକ୍ଷକମାନଙ୍କୁ ସାବଧାନ ହେବାକୁ ପଡିବ । କାରଣ ଏକ ସୁଖମୟ ସମାଜ ଗଠନ ସେମାନଙ୍କ ରାଷ୍ଟ୍ରୀୟ ଦାୟିତ୍ୱ ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର