ଚିନ୍ତା ଓ ଚେତନା(୩)--ଧର୍ମ, ଧର୍ମ ନିରପେକ୍ଷତା ଏବଂ ଭାରତ (ଭାଗ-୩)

 🌸🌷🌸🌷🌸🌷🌸🌷🌸
 *ଚିନ୍ତା ଓ ଚେତନା(୩)* 
🌸🌸🌸🌸🌸🌸🌸🌸🌸
 *ଧର୍ମ, ଧର୍ମ ନିରପେକ୍ଷତା ଏବଂ ଭାରତ* 
           ( *ଭାଗ-୩)* 
🌻🌻🌻🌻🌻🌻🌻🌻🌻
 *ସ୍ବାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀ* 
🌺🌺🌺🌺🌺🌺🌺🌺🌺
(ପୂଜ୍ୟପାଦ ସ୍ବାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀଙ୍କ ଦ୍ୱାରା ତା: ୮.୩.୧୯୯୧ରେ ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ଓଡ଼ିଶାରେ ହିନ୍ଦିରେ ପ୍ରଦତ୍ତ ଭାଷଣର ଭାବାନୁବାଦ । 
 *ଉପସ୍ଥାପନା- ଡାକ୍ତର ସୁଧାଂଶୁ ଶେଖର ମିଶ୍ର* , ସମ୍ପାଦକ, ଚେତନା ପ୍ରବାହ)
🌹🌹🌹🌹🌹🌹🌹🌹🌹
ଲୋକେ କହନ୍ତି ଧର୍ମ ଏକ ଖରାପ ଜିନିଷ । ତାକୁ ସ୍କୁଲ ଓ କଲେଜରେ ପଢ଼ାଇବା ବନ୍ଦକର । ମହାପୁରୁଷ ମାନଙ୍କ ବିଷୟରେ ପଢ଼ାଇବା ବନ୍ଦ କରିଦିଅ । ଆଜିକାଲି ଶଙ୍କରାଚାର୍ଯ୍ୟ, ବିବେକାନନ୍ଦଙ୍କ ଭଳି ମହାପୁରୁଷମାନଙ୍କ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଏନାହିଁ । କାରଣ ଏହା (ଭାରତ) ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ । ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଭଲା ରାମ, କୃଷ୍ଣ, ଶଙ୍କର, ରାମାନୁଜ, ମାଧ୍ୱ, ଚୈତନ୍ୟ, କବୀର, ତୁଳସୀ କିମ୍ବା ନାନକଙ୍କୁ ଜାଣିବା କି ଦରକାର? ଏହା ପରିବର୍ତ୍ତେ ଏହା ଜାଣ ଯେ କେଉଁ ଚଳଚ୍ଚିତ୍ରରେ କେଉଁ ଚିତ୍ରତାରକା ମୁଖ୍ୟ ଅଭିନୟରେ ଅଂଶଗ୍ରହଣ କରି କେତେ ସଫଳ ହୋଇଥିଲା । କ୍ରିକେଟ ଖେଳରେ କେଉଁ ଖେଳାଳି କେତେ ଚୌକା କିମ୍ବା ଛକ୍କା ମାରିଲା, କେତେ ଶତକ ବନାଇଲା କିମ୍ବା “ମେନ୍ ଅଫ୍ ଦି ମେଚ’ କିଏ ହେଲା । ମହାପୁରୁଷମାନଙ୍କ ବିଷୟରେ ଜାଣିବା ଅପେକ୍ଷା ଆଜି ଏହା ଜାଣିବା ବୋଧହୁଏ ଅଧିକ ଆବଶ୍ୟକ । ଏଥିପାଇଁ ସିଭିଲ୍ ସର୍ଭିସ ପରୀକ୍ଷାରେ ମଧ୍ୟ ଏପରି ପ୍ରଶ୍ନ ପଚରା ଯାଇପାରେ, କାହିଁକି ନା ଏହା ଧର୍ମ ନିରପେକ୍ଷ ରାଷ୍ଟ୍ର । କିପରି ମୁର୍ଖତାପୂର୍ଣ୍ଣ ବିଚାରଧାରା ଏହା? ବନ୍ଧୁଗଣ! ଧର୍ମକୁ ଭୁଲ ବୁଝନାହିଁ । ଏହାକୁ କୌଣସି ଗୋଷ୍ଠୀ ବା ସମ୍ପ୍ରଦାୟ ବିଶେଷର ବିଷୟମାନ ନାହିଁ । ଧର୍ମତ ଜୀବନର ଏକ ଉର୍ଦ୍ଧ୍ୱଗାମୀ ପ୍ରକ୍ରିୟା ଓ ବିଶୁଦ୍ଧ ଅଭିବ୍ୟକ୍ତି ଅଟେ । ଅସଂଖ୍ୟ ଅନୁଭୁତିର ସାର ସଂଗ୍ରହ ଅଟେ । ସତ୍ୟର ଆଧାର ଅଟେ ।

ଆପଣମାନେ ବୁଝିଛନ୍ତି ଯେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଓ ପାର୍ସୀ ଆଦି ଧର୍ମ ଅଟେ । କିନ୍ତୁ ମନୁ କହନ୍ତି- ଧୃତି, କ୍ଷମା, ଇନ୍ଦ୍ରିୟ ନିଗ୍ରହ, ଅଚୌର୍ଯ୍ୟ, ପବିତ୍ରତା ବୁଦ୍ଧିମାନ ହେବା, ବିଦ୍ୱାନ ହେବା, ସତ୍ୟ କହିବା, କ୍ରୋଧ ନ କରିବା ଏଗୁଡ଼ିକ ଧର୍ମ ଅଟେ । “ଅହିଂସା ପରମୋ ଧର୍ମଃ”- ଅହିଂସା ପରମ ଧର୍ମ ଅଟେ । ବର୍ତ୍ତମାନ କହନ୍ତୁ, ଧର୍ମ ସ୍ବୀକାର୍ଯ୍ୟ କି ନୁହେଁ? ଧର୍ମ ପାଳନୀୟ କି ନୁହେଁ? ଧର୍ମର ସୁରକ୍ଷା ହେବା ଉଚିତ ଅଥବା ଧର୍ମକୁ ବିଲୁପ୍ତ କରିଦେବା ବିଧେୟ?

ସଂପ୍ରତି ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଧର୍ମକୁ ସମସ୍ୟା ବୋଲି ବିଚାର କରାଯାଉଛି । ଏହି ମାନ୍ୟତା ଯଥାର୍ଥ ନୁହେଁ । ବସ୍ତୁତଃ ଧର୍ମକୁ ନେଇ ଆଜି ଯେଉଁ ସମସ୍ୟା ଦେଖାଯାଇଛି ତା’ର କାରଣ ହେଉଛି ରାଜନୈତିକ ମହତ୍ତ୍ବାକାଂକ୍ଷା ଏବଂ କୁଣ୍ଠିତ ମାନସିକତା । ନଭେମ୍ବର ୧୯୪୯ରେ ଭାରତରେ ସମ୍ବିଧାନ ପ୍ରସ୍ତୁତ ହୋଇ ଲୋକଲୋଚନକୁ ଆସିଲା । ତା’ର ପ୍ରଥମ ଆର୍ଟିକଲରେ ଲେଖାଯାଇଛି, “ଇଣ୍ଡିଆ ଦେଟ୍ ଇଜ ଭାରତ ।” ମୁଁ ଭାବେ ଯେ କେବଳ ହିନ୍ଦୁସ୍ଥାନ ଲେଖାଯାଇଥିଲେ କି ଅନ୍ତର ହୋଇଥାନ୍ତା? କେବଳ ଭାରତ ଲେଖାଯାଇଥିଲେ କି ଅନ୍ତର ପଡ଼ିଥାନ୍ତା? ଏହା ଏକ ଏପରି ଦେଶ ଯାହାର ତିନୋଟି ନାମ- ଭାରତ, ହିନ୍ଦୁସ୍ଥାନ ଏବଂ ଇଣ୍ଡିଆ । ଆମେ ଇଣ୍ଡିଆ ଦେଟ ଇଜ ଭାରତ କହୁଁ । କେବଳ ଭାରତ କହି ପାରିବା ନାହିଁ । ଧ୍ୟାନ ଯୋଗ୍ୟ ବିଷୟ ଯେ, ଯଦିଓ ମୁଁ ପଲିଟିକସକୁ ଭଲ ଭାବରେ ବୁଝିଛି, ତଥାପି ଏଠାରେ କୌଣସି ପଲିଟିକାଲ (ରାଜନୈତିକ) ଏନାଲିସିସ୍ (ବିଶ୍ଲେଷଣ) କରୁନାହିଁ । ମୁଁ ତ ଏକ ରାଜନୈତିକ ମାନସିକତା ପ୍ରତି ଇଙ୍ଗିତ କରୁଛି । ଆଜି ଭାରତର ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ଅସନ୍ତୁଳନର କାରଣ ହେଉଛି, ଏହି ତଥା କଥିତ ନିରପେକ୍ଷତାବାଦୀ ରାଜନେତା । ବସ୍ତୁତଃ ଧର୍ମ କିମ୍ବା ନିରପେକ୍ଷତା ପ୍ରତି ଏମାନଙ୍କ କୌଣସି ରୁଚି ନାହିଁ । ଏମାନଙ୍କୁ ତ କେବଳ ନିଜ ଭୋଟ ବ୍ୟାଙ୍କର ଚିନ୍ତା ଥାଏ । ଏହାକୁ ସମ୍ମୁଖରେ ରଖି ଏମାନେ ନିଜ ହରଣ ଗୁଣନ ଚଳାଇ ଥାନ୍ତି ।

ବନ୍ଧୁଗଣ! ଏହା ଭାରତ ଅଟେ ଏବଂ ଏହାକୁ ଭାରତହିଁ ରହିବାକୁ ଦେବା ଉଚିତ । ଭାରତ ତ ସର୍ବକାଳରେ ନିରପେକ୍ଷହିଁ ଅଟେ । ଏହା କେବେହେଲେ କାହାରିଠାରୁ ଅପେକ୍ଷା କରିନାହିଁ । କାହାରିକୁ ବିରୋଧ କରିନାହିଁ । ଏହି ନିରପେକ୍ଷ ଏବଂ ନିର୍ବିରୋଧ ସ୍ବଭାବ ଭାରତ ପାଇଁ କାଳାନ୍ତରରେ ସମସ୍ୟାର କାରଣ ବନିଛି । ଏହି ସ୍ବଭାବ କାରଣରୁ ହିଁ ଏଠାକୁ ବିଭିନ୍ନ ସମ୍ପ୍ରଦାୟର ଲୋକେ ଆସିଛନ୍ତି ଏବଂ ନିଜ ନିଜ ସମ୍ପ୍ରଦାୟକୁ ବିସ୍ତାର କରିଛନ୍ତି ।

ମୁଁ ବ୍ୟକ୍ତିଗତ ରୂପରେ କୌଣସି ସମ୍ପ୍ରଦାୟର ବିରୋଧୀ ନୁହେଁ ଏବଂ ବିରୋଧ କରିବା ମୋର ସ୍ବଭାବ ନୁହେଁ । ମୁଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ଅଧିକ ବିଶ୍ୱାସ କରେ । ଆଜି ଯଦି ଆପଣ ଚାହାଁନ୍ତି ମଧ୍ୟ ଭାରତରୁ ବିଶୁଦ୍ଧ ଭାରତୀୟମାନଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ତଡ଼ି ଦିଆଯାଉ, ତେବେ ଏହା ଅସମ୍ଭବ । ଏପରି କହିବା ଦ୍ୱାରା ଭାରତ ଖଣ୍ଡିତ ହୋଇଯିବ । ଆମକୁ ଏହା ବୁଝିବାକୁ ହେବ ଯେ ବର୍ତ୍ତମାନ ଭାରତରେ ସ୍ଥିତ ସମସ୍ତ ସମ୍ପ୍ରଦାୟର ଲୋକ ମୂଳତଃ ଭାରତୀୟ ଅଟନ୍ତି । କେହି ବାହାରୁ ଆସିନାହାନ୍ତି । ଯେଉଁ ଦୁଇ ଚାରିଜଣ ଆସିଥିଲେ ସେମାନେ କେବେଠୁଁ ଚାଲିଗଲେଣି । ସେମାନେ ହିଁ ସାମ୍ପ୍ରଦାୟିକ ମତଭେଦ ଗୁଡ଼ିକର ବୀଜାରୋପଣ କରିଥିଲେ ଏବଂ ଆମେ ଆଜି ମଧ୍ୟ ତାହାକୁ କେନ୍ଦ୍ର କରି ଝଗଡ଼ା କରୁଛୁ । ଏହା ଭୁଲ କଥା । ଧର୍ମ କାହାରିକୁ ଲଢ଼େଇ କରାଏ ନାହିଁ । ଏହାତ ପାରସ୍ପରିକ ପ୍ରେମର କଥା କହେ ।

ମୋର ବୁଦ୍ଧିରେ ଏକଥା ଆସୁନାହିଁ ଯେ ସମ୍ବିଧାନ ପ୍ରସ୍ତୁତ କରିବା ସମୟରେ ଆମର ସମ୍ବିଧାନ ନିର୍ମାତାଗଣ କ’ଣ ବିଚାର କରି ସେକୁଲାର (ଧର୍ମ ନିରପେକ୍ଷ) ଶବ୍ଦର ପ୍ରୟୋଗ କରିଥିବେ । ସେକୁଲାରକୁ ଆମେ ଧର୍ମ ନିରପେକ୍ଷ କାହିଁକି କହୁଁ? ଧର୍ମ ତ ସ୍ବୟଂ ନିରପେକ୍ଷ ଅଟେ । ଧର୍ମ ସର୍ବଦା ପ୍ରତ୍ୟକ୍ଷ ଅଟେ । ଧର୍ମ ହେଉଛି ଉତ୍କୃଷ୍ଟ ଆଚରଣ ପଦ୍ଧତି । ଏପରି ବାଣୀ, ଏପରି କର୍ମ, ଏପରି ଚିନ୍ତନ ଯାହା ଆମର ଅଭ୍ୟୁଦୟ ଏବଂ ନିଃଶ୍ରେୟସ ଉଭୟରେ ସହଯୋଗୀ ହୁଏ ତାହା ହେଉଛି ଧର୍ମ । ତଦ୍ ବିପରୀତ ସବୁ ଅଧର୍ମ । ତା’ହେଲେ ଆମେ ଧର୍ମକୁ ଏତେ ଘୃଣା କାହିଁକି କରିବା? କାହିଁକି ଆମେ ଧର୍ମର ବାସ୍ତବିକ ସ୍ବରୂପକୁ ଲୋକଙ୍କ ମଧ୍ୟରେ ପରିଚିତ ନ କରାଇବା? ଏହି ତଥା କଥିତ ଧର୍ମ ନିରପେକ୍ଷତାର ତୁଳନାରେ ଧାର୍ମିକ ହେବା ମୋତେ ଅଧିକ ବ୍ୟବହାରିକ ପ୍ରତୀତ ହୁଏ । ଅକ୍ଲଫୋର୍ଡ଼ ଡିକ୍ସନାରୀ, ଏନ୍ସାଇକ୍ଲୋପିଡ଼ିଆ ବ୍ରିଟାନିକା ଆଦିରେ ମୁଁ ଦେଖିଛି ଯେ ସେଗୁଡ଼ିକରେ ସେକୁଲାରର ଅର୍ଥ ନନ୍ ରିଲିଜିଅନ , ନନ୍ ସ୍ପିରିଚୁଆଲ ବୋଲି ଉଲ୍ଲେଖ କରାଯାଇଛି । ଗୋଟିଏ ପକ୍ଷରେ ଆପଣ ଭାରତକୁ ଧର୍ମ ରହିତ ଓ ଅନାଧ୍ୟାତ୍ମିକ ବନାଇବାକୁ ଚାହୁଁଛନ୍ତି ଏବଂ ଅନ୍ୟ ପକ୍ଷରେ ଏହାକୁ ଧାର୍ମିକ ଓ ଆଧ୍ୟାତ୍ମିକ ଆସ୍ଥା ଏବଂ ବିଶ୍ୱାସ ଓ ବ୍ୟବହାର ସ୍ବତନ୍ତ୍ରତା ପ୍ରଦାନ କରୁଛନ୍ତି- ଏକଥା ମୋର ବୋଧଗମ୍ୟ ହେଉନାହିଁ । କାରଣ ଏହି ସିଦ୍ଧାନ୍ତ ହିଁ ଭ୍ରମାତ୍ମକ । ଏହାଦ୍ୱାରା ବ୍ୟକ୍ତି ଏବଂ ସମାଜ, ରାଜ୍ୟ ଏବଂ ରାଷ୍ଟ୍ର, ଉଭୟଙ୍କ ସମ୍ମୁଖରେ ଧର୍ମ ସଂକଟ ଉତ୍ପନ୍ନ ହେବ ଏବଂ ଧର୍ମ ତଥା ଧର୍ମନିରପେକ୍ଷତା ନାମରେ ପାରସ୍ପରିକ ଶତ୍ରୁତା ବଢ଼ିବ, କାରଣ ଏହା ବ୍ୟବସାୟିକ ନୁହେଁ । କୌଣସି ବ୍ୟକ୍ତିକୁ ତା’ର ହିତ ପାଇଁ ଉପବାସ କରିବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ଭୋଜନ ଗ୍ରହଣର ସ୍ବତନ୍ତ୍ରତା ଦେବାଭଳି ଏହି କଥା ମନେ ହୁଏ । ଯଦି ଭାରତର ସମସ୍ତ ଜନତା ଧର୍ମ ନିରପେକ୍ଷ (ସେକୁଲାର) ହେବାର ଘୋଷଣା କରନ୍ତି ତେବେ ସରକାର ସମସ୍ତଙ୍କ ପାଇଁ ଏକ ପ୍ରକାର ନିୟମ କାହିଁକି ବିଧାନ କରୁନାହାନ୍ତି? ପୁଣି ହିନ୍ଦୁ, ମୁସଲମାନ, ଶିଖ୍ ଏବଂ ଖ୍ରୀଷ୍ଟିଆନମାନଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କାହିଁକି ରଖୁଛନ୍ତି? ସାମ୍ବିଧାନିକ ବ୍ୟବସ୍ଥା ଯଦି ସମସ୍ତଙ୍କ ପାଇଁ ଏକ ଅଟେ । ତେବେ ଗୋଟିଏ ପ୍ରକାର ଜୀବନ ଯାପନ କରିବା ଉଚିତ । ସମସ୍ତେ ଭାରତୀୟ ସମ୍ବିଧାନର ସମାନ ରୂପରେ ସମ୍ମାନ କରନ୍ତୁ । କିନ୍ତୁ ମୁଁ ଦେଖୁଛି ଯେ ଏପରି ହେଉନାହିଁ । ଆଶ୍ଚର୍ଯ୍ୟର କଥା ଏହି ଯେ ଯେଉଁମାନଙ୍କୁ ଏହି ନିୟମର ରକ୍ଷକ ବୋଲି ଲୋକେ ମାନନ୍ତି ସେମାନେହିଁ ଏହାର ଅଧିକ ଉଲ୍ଲଘଂନ କରନ୍ତି । ଧର୍ମ ନିରପେକ୍ଷତା ନାମରେ ଆମକୁ ଧୋକା ଦିଆଯାଉନି ତ?

ହିନ୍ଦୁ ଧର୍ମ ସନାତନ ଅଟେ । ସନାତନ ଅର୍ଥାତ ଚିରନ୍ତନ । ମୁଁ ଚିରନ୍ତନ ନୁହେଁ । ଆପଣ ଚିରନ୍ତନ ନୁହନ୍ତି । ଏହି ଦେହ ଚିରନ୍ତନ ନୁହେଁ । ଏହି ଜାତି ଗୁଡ଼ିକ ଚିରନ୍ତନ ନୁହନ୍ତି । ଏହି ଘର-ଦ୍ୱାର, ଚାଲି-ଚଳନ, ନିୟମ-କାନୁନ, ସାମାଜିକ ବ୍ୟବସ୍ଥା, କିଛି ମଧ୍ୟ ଚିରନ୍ତନ ନୁହେଁ । ପରନ୍ତୁ ସତ୍ୟ ଚିରନନ୍ତ, ଧର୍ମ ଚିରନ୍ତନ ଅଟେ । ଅହିଂସା ହେଉଛି ଧର୍ମର ଗୋଟିଏ ଲକ୍ଷଣ । ଅହିଂସାକୁ ବଞ୍ଚାଇ ରଖିବାଦ୍ୱାର ସୃଷ୍ଟି ଜୀବିତ ରହିବ । ହିଂସାର ପ୍ରୋତ୍ସାହନଦ୍ୱାରା ସୃଷ୍ଟି ବିନାଶ ହୋଇଯିବ । ଚାଳିଶ ଦିନରେ ଇରାକର ବିପର୍ଯ୍ୟୟ ତ ଆପଣ ଦେଖିଛନ୍ତି । ଏହା ହିଂସାକୁ ପ୍ରଶ୍ରୟ ଦେବାର ପରିଣାମ । ଅହିଂସାକୁ ପ୍ରଶ୍ରୟ ଦେଲେ ଜୀବନ ପଲ୍ଲବିତ, ପୁଷ୍ପିତ ଏବଂ ସଫଳ ହେବ । ଏଥିପାଇଁ ଧର୍ମକୁ ମୁଁ ଆବଶ୍ୟକ ମନେ କରେ । ନିରପେକ୍ଷତା ନାମରେ ସ୍ବାର୍ଥପରତା ଏବଂ ଧର୍ମ ନାମରେ ଧର୍ମାନ୍ଧତାକୁ ପ୍ରଶ୍ରୟ ଦେବା ଅତ୍ୟନ୍ତ ଗର୍ହିତ ଅଟେ । ଏହା ମୁଁ ଆଦୌ ପସନ୍ଦ କରେନାହିଁ ।

ମୁଁ ବିଶ୍ୱାସ କରେ ଯେ ଭାରତକୁ ଧାର୍ମିକ ଘୋଷଣା କରିବାରେ କୌଣସି ସମସ୍ୟା ନଥିଲା ଏବଂ ନାହିଁ ମଧ୍ୟ । ଯଦି ଭାରତ ନିଜକୁ ଧାର୍ମିକ ଘୋଷିତ କରିବାକୁ ଚାହେଁ ନାହିଁ ତେବେ ତାକୁ ସେକୁଲାର ଘୋଷଣା କରିବା ମଧ୍ୟ ଉଚିତ୍ ନୁହେଁ । କାହିଁକି ନା ଏଠାକାର ସମସ୍ତ ଲୋକେ କୌଣସି ନା କୌଣସି ଧର୍ମ ସହିତ ସମ୍ବନ୍ଧିତ । ଯଦି ଏଠାକାର ୮ଠ କୋଟି ଲୋକ କୌଣସି ନା କୌଣସି ଧର୍ମ, ସମ୍ପ୍ରଦାୟ କିମ୍ବା ମତବାଦ ସହିତ ସଂପୃକ୍ତ, ତେବେ ଏହି ଦେଶକୁ ସେକୁଲାର କିପରି କୁହାଯାଇ ପାରିବ? ପ୍ରତ୍ୟେକ ବ୍ୟକ୍ତି ନିଜ ପିତାମାତାଙ୍କୁ ପ୍ରେମ କରନ୍ତି । ନିଜ ଘର ଓ ଦେଶକୁ ପ୍ରେମ କରନ୍ତି । ନିଜ ସ୍ଥାନର ଅସ୍ଥାବର ସମ୍ପତ୍ତିକୁ ପ୍ରେମ କରନ୍ତି । ପ୍ରତ୍ୟେକେ ନିଜ ନିଜ ଧର୍ମକୁ ପ୍ରେମ କରନ୍ତି । ଏଣୁ ଧର୍ମକୁ ସାର୍ବଜନିକ ହିତ ଦୃଷ୍ଟିରୁ ବିଚାର କରନ୍ତୁ । ରାଜନୈତିକ ବିବାଦରେ ଧର୍ମକୁ ସଂପୃକ୍ତ କରାନଯାଉ । ସମ୍ପ୍ରଦାୟ ଏବଂ ଗୋଷ୍ଠୀ ଗୁଡ଼ିକୁ ନିଜ ଭୋଟ ବ୍ୟାଙ୍କ ବନା ନ ଯାଉ । ମୋତେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ କେହି ସରକାରରେ ଆସିଲେ ଅଧାର୍ମିକ ହୋଇଯାଏ ଏବଂ ସରକାରରୁ ବାହାର ହେବାପରେ ଧାର୍ମିକ । ଏହା ଏକ ଅଦଭୁତ ମନୋଦଶା । ଏପରି ଲୋକଙ୍କ ହେତୁ ଧର୍ମ ବିକୃତ ହେଉଛି । ଆପଣ ସମସ୍ତଙ୍କୁ ଏପରି ଲୋକଙ୍କ ପ୍ରତି ସାବଧାନ ରହିବା ଉଚିତ । କାରଣ ଏମାନେ ବହୁରୂପୀ ଅଟନ୍ତି । ଏମାନଙ୍କୁ ନା ତ ଧର୍ମରେ ମତଲବ ଥାଏ ନା ଅର୍ଧମରେ । ଏମାନେ କେବଳ ପଦ, ପ୍ରତିଷ୍ଠା ଏବଂ ଅର୍ଥକୁ ହିଁ ମାନନ୍ତି । ଏହା ବ୍ୟତୀତ ଆଉ କିଛି ନୁହେଁ ।

ମୋ ମତରେ ଧର୍ମ ଏବଂ ନିରପେକ୍ଷତାକୁ ନେଇ ଭାରତରେ କୌଣସି ସମସ୍ୟା ହେବା ଉଚିତ ନୁହେଁ, କାହିଁକିନା ନିରପେକ୍ଷତାହିଁ ଧର୍ମର ସ୍ବରୂପ ଅଟେ । ଭାରତକୁ ଧାର୍ମିକ ହେବା ଆବଶ୍ୟକ । ଆପଣମାନେ ଧର୍ମକୁ ଘୃଣା କରନ୍ତୁ ନାହିଁ । ନିଜ ଅସ୍ତିତ୍ୱଠାରୁ ପଳାୟନ କିମ୍ବା ତାକୁ ଅସ୍ବୀକାର କରିବାର ପ୍ରୟାସ କରନ୍ତୁ ନାହିଁ । ଧର୍ମ ହେଉଛି ଅସ୍ତିତ୍ୱ । ଧର୍ମ ହେଉଛି ଆଲୋକ । ଧର୍ମ ହେଉଛି ବ୍ୟବସ୍ଥା, ଧର୍ମ ହେଉଛି ଜୀବନ । ଧାର୍ମିକ ସମସ୍ତଙ୍କ କଲ୍ୟାଣ କାମନା କରେ । ସମସ୍ତଙ୍କ ପ୍ରତି ସମଭାବ ରଖେ । ସମସ୍ତଙ୍କୁ ପ୍ରେମକରେ । ସମସ୍ତ ଗୋଷ୍ଠୀ, ସମ୍ପ୍ରଦାୟ ଏବଂ ମତାବଲମ୍ବୀମାନଙ୍କୁ ମାନବୀୟ ଦୃଷ୍ଟିକୋଣରୁ ସମାନତା ପ୍ରାପ୍ତ ହେବା ବିଷୟରେ କେହି ଅସ୍ବୀକାର କରନ୍ତି ନାହିଁ । କିନ୍ତୁ ଅଳ୍ପ ସଂଖ୍ୟକ ଏବଂ ବହୁ ସଂଖ୍ୟକ ଆଧାରରେ ଅଧିକାରର ସଂରକ୍ଷଣ ହେଲେ ସଂଘର୍ଷ ହେବ । ଅଶାନ୍ତି ବଢ଼ିବ । ବିଦ୍ୱେଷ ବଢ଼ିବ ଏବଂ ଅରାଜକତା ଆସିବ ।

ମହାରାଜା ମନୁଙ୍କ ଅନୁସାରେ ରାଜା ସର୍ବଦା ତଟସ୍ଥ ହେବା ବିଧେୟ । ତାଙ୍କ ନିକଟରେ ଦଣ୍ଡାଧିକାର ଥାଏ । ଯଦି ସେ ସାପେକ୍ଷ ହେବେ ତେବେ ଉଚିତ ନ୍ୟାୟ ପ୍ରଦାନ କରିପାରିବେ ନାହିଁ । ନ୍ୟାୟ, ପ୍ରେମ, ସତ୍ୟ ଏବଂ ନିରପେକ୍ଷତା ହିଁ ଆମର ଧର୍ମ । ଏହି ଭାରତ ଅନେକ କାଳରୁ ଏହା ମାନି ଆସୁଛି । ଭାରତକୁ ପୃଥକ ଭାବରେ ନିରପେକ୍ଷ ଘୋଷିତ କରିବାର ଆବଶ୍ୟକତା ନାହିଁ । ମୋର ନିବେଦନ ଯେ ଆପଣ ସମସ୍ତେ ନିରପେକ୍ଷ ହୁଅନ୍ତୁ ଓ ଧର୍ମକୁ ସ୍ବୀକାର କରନ୍ତୁ । ଧର୍ମ ରହିଲେ ଆପଣ ମଧ୍ୟ ରହିବେ, ଆପଣଙ୍କ ପରିବାର ମଧ୍ୟ ରହିବ ଏବଂ ଆପଣଙ୍କ ଦେଶ ମଧ୍ୟ ରହିବ ।

ଧର୍ମ ଆଧାର ଅଟେ, ଧର୍ମ ଆଚାର ଅଟେ, ଧର୍ମ ଜୀବନର ଉତ୍କୃଷ୍ଟ ପ୍ରଣାଳୀ ଅଟେ, ବିଶୁଦ୍ଧ ଆଚାର ସଂହିତା ଅଟେ, ବିକାଶ ଓ ବିନୟର ଆଧାରସ୍ତମ୍ଭ ଅଟେ । ଏହାକୁ ସ୍ବୀକାର କରନ୍ତୁ । କାରଣ-

“ଯତୋଧର୍ମସ୍ତତୋ ଜୟଃ” “ହରି ଓଁ”
🌹🌹🌹🌹🌹🌹🌹🌹🌹
ସୌଜନ୍ୟ- ବିଶ୍ୱାତ୍ମ ଚେତନା ପରିଷଦ
ଆନନ୍ଦ ନିକେତନ, ଖୁଜେନପାଲି
ବଲାଙ୍ଗିର, (ଓଡ଼ିଶା) - ୭୬୭ଠଠ୨
🙏🙏🙏🙏🙏🙏🙏🙏🙏
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    
🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,