(୧୫)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୫) --- ସଂପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶ

🌸🌸🌸🌸🌸🌸🌸🌸🌸

*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୫)* 

🌹🌹🌹🌹🌹🌹🌹🌹🌹

 *ସଂପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶ* 

🌷🌷🌷🌷🌷🌷🌷🌷🌷

 *ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

ସଂପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶ କହିଲେ ଶାରୀରିକ, ମାନସିକ, ଭାବନାତ୍ମକ, ବୌଦ୍ଧିକ ତଥା ଆଧ୍ୟାତ୍ମିକ ସ୍ତରରେ ବ୍ୟକ୍ତିତ୍ୱର ବିକାଶକୁ ବୁଝାଏ ।


 *୧. ମାନସିକ ବ୍ୟକ୍ତିତ୍ୱର ବିକାଶ* 


ନକାରତ୍ମକ ସଂକଳ୍ପଗୁଡିକୁ ସକାରତ୍ମକ ସଂକଳ୍ପରେ, ବ୍ୟର୍ଥ ସଂକଳ୍ପଗୁଡିକୁ ସମର୍ଥ ସଂକଳ୍ପରେ ପରିବର୍ତ୍ତନ କରିବା ହେଉଛି ମାନସିକ ବ୍ୟକ୍ତିତ୍ୱ ବିକାଶ । କେତେକ ସ୍ମରଣ ଶକ୍ତି ବୃଦ୍ଧିକୁ ମାନସିକ ବ୍ୟକ୍ତିତ୍ୱ ବିକାଶ ବୋଲି ମନେ କରନ୍ତି । ମାନସିକ ବ୍ୟକ୍ତିତ୍ୱ ବିକାଶ ପାଇଁ ବାସ୍ତବରେ ଏକାଗ୍ରତା, ମୌନ, ଧ୍ୟାନ ଓ ଯୋଗର ଆବଶ୍ୟକତା ହୋଇଥାଏ । ମନକୁ ଶାନ୍ତ କରିବା ଅନିବାର୍ଯ୍ୟ । ମାନସିକ ବ୍ୟକ୍ତିତ୍ୱର ବିକାଶ ହେଲେ ବ୍ୟକ୍ତି ସନ୍ତୁଷ୍ଟ ରହିବ, ମେଳାପୀ ହେବ, ପ୍ରତିକୂଳ ପରିସ୍ଥିତି ତଥା ବିରୋଧୀମାନଙ୍କୁ ସମ୍ମୁଖୀନ ହେବା ପାଇଁ ସାମର୍ଥ୍ୟ ବଢ଼ିବ ତଥା ନବୀନତା ଆପଣେଇବ ।


 *୨. ଭାବନାତ୍ମକ ବ୍ୟକ୍ତିତ୍ୱ ବିକାଶ* 


ଇନ୍ଦ୍ରିୟ ସମୂହ ଦ୍ୱାରା ଯେଉଁ ବିଚାର ବ୍ୟକ୍ତ ହୁଏ ତାକୁ ଭାବନା କୁହାଯାଏ । ଖୁସି, ଶାନ୍ତ, ଆନନ୍ଦ, କ୍ରୋଧ, ଦ୍ୱେଷ ଆଦି ଭାବନାର ଉଦାହରଣ ।


ଭାବନାଗୁଡିକୁ ମପା ଯାଇ ପାରେ ନାହିଁ, କେବଳ ଅନୁଭବ କରାଯାଇପାରେ । ସଂପ୍ରତି ମାନବୀୟ ସମ୍ବନ୍ଧରେ ବିଶ୍ୱାସ, ସହଯୋଗ ସଦ୍ଭାବନା, ସ୍ନେହ ଆଦି ଦେଖାଯାଏ ନାହିଁ । କୌଣସି ହିଂସ୍ରକ ପଶୁ ସମଜାତୀୟ ପଶୁକୁ ଦେଖି ଭୟଭୀତ ହୁଏ ନାହିଁ । କିନ୍ତୁ ଆଜି ପରିସ୍ଥିତି ଏପରି ହେଲାଣି ଯେ ମଣିଷ , ମଣିଷକୁ ଦେଖି ଭୟ କରୁଛି । ବ୍ୟକ୍ତି ସ୍ବଉନ୍ନତିକୁ କ୍ରମଶଃ ଭୁଲିଯାଇଛି । ଦୋଷ ଦୁର୍ବଳତାଗୁଡ଼ିକୁ ସମାପ୍ତ କରିବାର କାରକ ହେଉଛି (୧) ନିଜ ଦୋଷ ଦୁର୍ବଳତା ସମ୍ପର୍କରେ ସଚେତନତା (୨) ପରିବର୍ତ୍ତନର ଇଛା (୩) ପରିବର୍ତ୍ତନର ବିଧି । ତା’ ହେଲେ ଆମର ଦୁର୍ବ୍ୟବହାର ଅନାୟାସରେ ବଦଳି ଯିବ ଏବଂ ବିଶ୍ୱରେ ଭ୍ରାତୃତ୍ୱ ଓ ଏକତାର ସ୍ଥାପନା ହେବ ।


 *୩. ବୌଦ୍ଧିକ ବ୍ୟକ୍ତିତ୍ୱ ବିକାଶ* 


ବର୍ତ୍ତମାନ ପ୍ରଚଳିତ ଶିକ୍ଷା ପଦ୍ଧତି ଦ୍ୱାରା ବ୍ୟକ୍ତି ମଧ୍ୟରେ ନକାରାତ୍ମକ ଓ ବିନାଶକାରୀ ଶକ୍ତି ଉଦ୍ରେକ ହେଉଛି । ମାନବ ସମୂହର ବିନାଶକାରୀ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରତିଯୋଗିତାରେ ବିଭିନ୍ନ ଦେଶ ବ୍ୟସ୍ତ । ମଣିଷ ଯେତେବେଳେ ଅସ୍ତ୍ର ଶସ୍ତ୍ରର ଆଶ୍ରୟ ନେଇଛି ସେତେବେଳେ ମାନବ ସମାଜରେ ରକ୍ତ ରଞ୍ଜିତ କ୍ରାନ୍ତି ଦେଖାଯାଇଛି । ଇତିହାସରେ ଏପରି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ଏ କଥା ବିଚାରଣୀୟ ଯେ ମନୁଷ୍ୟ ବିନାଶୀକାରୀ ଅଣୁ ଅସ୍ତ୍ରର ନିର୍ମାଣ କାହିଁକି କରୁଛି? ବ୍ୟକ୍ତି ବୁଦ୍ଧିମାନ ହୋଇ ମଧ୍ୟ ସ୍ବୟଂର ବିନାଶ ପାଇଁ ପ୍ରସ୍ତୁତି କରୁଛି । ପ୍ରକୃତରେ ବୁଦ୍ଧିର ବିକାଶ ସକାରାତ୍ମକ ଓ ସୃଜନାତ୍ମକ ହେବା ଉଚିତ୍ ଯଦ୍ୱାରା ଏକ ଶ୍ରେଷ୍ଠ ସମାଜର ନବ ନିର୍ମାଣ ହୋଇ ପାରିବ ।


 *୪. ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ବିକାଶ* 


ଅଧ୍ୟାତ୍ମର ଅର୍ଥ ଆତ୍ମାର ଅଧ୍ୟୟନ ଏବଂ ଆତ୍ମାନୁଭୂତି କରିବା ।ସ୍ବୟଂର ଆଧ୍ୟାତ୍ମିକ ଅସ୍ତିତ୍ୱର ପ୍ରତ୍ୟକ୍ଷତା ଆବଶ୍ୟକ । କାରଣ ଏହା ଦ୍ୱାରା ଆତ୍ମଶକ୍ତି,ଆତ୍ମ ସନ୍ତୁଳନ, ଆତ୍ମବଳ ପ୍ରାପ୍ତ ହୋଇଥାଏ । ମୂଲ୍ୟଗୁଡ଼ିକର ହ୍ରାସ ହେବା ଦ୍ୱାରା ମଣିଷ ଶାନ୍ତି, ଆନନ୍ଦ, ପ୍ରେମ ଆଦି ବାହାରେ ଖୋଜୁଛି । ଆଧ୍ୟାତ୍ମିକ ବ୍ୟକ୍ତିତ୍ୱର ବିକଶିତ ସ୍ବରୂପହିଁ ମୂଲ୍ୟନିଷ୍ଠ ଜୀବନ । ଏଥିପାଇଁ ମହାନ ଦାର୍ଶନିକ ସକ୍ରେଟିସ୍ କହିଥିଲେ, 


*To know thyself is education.* 


 *ଆତ୍ମା; ଏକ ଅଧ୍ୟୟନ* 


ସଂପ୍ରତି ଶିକ୍ଷାର ବ୍ୟାପକ ପ୍ରସାର ହେବା ସତ୍ତ୍ବେ ମଧ୍ୟ ବ୍ୟକ୍ତି ଉଦାସ, ଅଶାନ୍ତ, ଅସନ୍ତୁଷ୍ଟ ଏବଂ ଦୁଃଖୀ । ଏହା ସୂଚିତ କରେ ଯେ ଆମ ଶିକ୍ଷା ପଦ୍ଧତିରେ କୌଣସି ତ୍ରୁଟି ରହିଛି । ବିଜ୍ଞାନ ଦ୍ୱାରା ଅଧିକତମ ସୁବିଧା ପ୍ରାପ୍ତ ହେତୁ ମଣିଷର ଜୀବନ ପଦ୍ଧତିର ସ୍ତର ବୃଦ୍ଧି ପାଇଛି । କିନ୍ତୁ ଅନ୍ୟ ପକ୍ଷରେ ସେ ନିଜ ଆତ୍ମବିଶ୍ୱାସ, ଆତ୍ମ ସଂଯମ ଏବଂ ଆତ୍ମବଳ ତଥା ଆତ୍ମାନନ୍ଦ ହରାଇ ବସୁଛି । ସମାଜ ଉପରେ ଏହାର କୁ-ପ୍ରଭାବ ପଡୁଥିବା ଦେଖାଯାଏ । ଆତ୍ମହତ୍ୟା, ହତ୍ୟା, ଭ୍ରଷ୍ଟାଚାର ତଥା ଅନ୍ୟ ଅପରାଧ ଜନିତ ଘଟଣା ବୃଦ୍ଧି ପାଉଛି । ସମାଜରେ ପାରସ୍ପରିକ ପ୍ରେମ, ସ୍ନେହ, ସଦ୍ଭାବନା, ସେବାଭାବ ଏବଂ ନୈତିକ ମୂଲ୍ୟଗୁଡ଼ିକର ହ୍ରାସ ହେଉଛି । ସମାଜରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ କ’ଣ? ଅଧିକାଂଶ ସାକ୍ଷରତାକୁ ଶିକ୍ଷା ମନେ କରିଛନ୍ତି । ଏଥିପାଇଁ ସାକ୍ଷରତା ବୃଦ୍ଧି ହେତୁ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଲାଗୁ କରାଯାଉଛି । ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ଗୁଣାବଳୀ ଓ ନୈତିକତା ହ୍ରାସର ଏହା ହେଉଛି ମୁଖ୍ୟ କାରଣ । ବ୍ୟକ୍ତିର ସର୍ବାଙ୍ଗୀଣ ବ୍ୟକ୍ତିତ୍ୱର ବିକାଶ ପାଇଁ ଆଧ୍ୟାତ୍ମିକ ଶିକ୍ଷା ଆବଶ୍ୟକ । ବିବେକାନନ୍ଦ କହନ୍ତି, “ବିଦ୍ୟା ବ୍ୟକ୍ତିର ଆନ୍ତରିକ ପରିପୂର୍ଣ୍ଣତାକୁ ପ୍ରତ୍ୟକ୍ଷ କରାଇଥାଏ ।’’


ଦଣ୍ଡ ବିଧାନ ବା ଦମନ ଦ୍ୱାରା ବ୍ୟକ୍ତି ମଧ୍ୟରେ ଚାରିତ୍ରିକ ପରିବର୍ତ୍ତନ ସମ୍ଭବ ନୁହେଁ । ଆମକୁ ଏକଥା ବିଚାର କରିବାକୁ ହେବ ଯେ କର୍ମେନ୍ଦ୍ରିୟଗୁଡ଼ିକ ଦ୍ୱାରା ଆମେ ଯେଉଁ ଖରାପ କର୍ମ କରୁଛୁ ତା’ ପଛରେ କେଉଁ ଶକ୍ତି କାମ କରୁଛି? ପୁନଶ୍ଚ ପ୍ରଶ୍ନ ଉଠେ ଯେ ଆମେ ଶିକ୍ଷା କାହାକୁ ଦେବା? ଆମେ ଭାବୁ ଯେ ଇନ୍ଦ୍ରିୟଗୁଡ଼ିକ ଦ୍ୱାରା ଖରାପ କାମ ହେଉଥିବାରୁ ସେଗୁଡ଼ିକୁ ଦଣ୍ଡ ଦେଲେ ବ୍ୟକ୍ତିର ପରିବର୍ତ୍ତନ ହୋଇଯିବ? କିନ୍ତୁ କର୍ମେନ୍ଦ୍ରିୟଗୁଡ଼ିକ ପଛରେ ଯେଉଁ ଶକ୍ତି କାମ କରୁଥାଏ ତାକୁ ଆମେ ଭୁଲି ଯାଉ । ଆଧ୍ୟାତ୍ମିକ ଶିକ୍ଷାରେ ସେହି ଶକ୍ତିକୁ ହିଁ ଶିକ୍ଷା ଦିଆଯାଏ । କାରଣ ଶରୀର ବିନାଶୀ ଏବଂ କର୍ତ୍ତବ୍ଯ କରୁଥିବା ସେହି ଶକ୍ତି (ଆତ୍ମା) ଚୈତନ୍ୟ । ଶରୀର ଓ ଆତ୍ମାର ସମ୍ବନ୍ଧକୁ ପିଞ୍ଜରାରେ ଥିବା ପକ୍ଷୀ, ବିଶ୍ରାମ ଗୃହରେ ଥିବା ବ୍ୟକ୍ତି, ରଥାରୁଢ଼ ରଥୀ ଓ ଅଶ୍ୱ ଆରୋହଣ କରିଥିବା ଅଶ୍ୱାରୋହୀ ସହିତ ତୁଳନା କରାଯାଇପାରେ ।


ଏହି ବିଶ୍ୱ ସଜୀବ ଓ ନିର୍ଜୀବ ଏହି ଦୁଇ ଉପାଦାନରେ ନିର୍ମିତ ବୋଲି ଜନସାଧାରଣ ମନେ କରନ୍ତି । ଏହି ତୁଳନାତ୍ମକ ଅଧ୍ୟୟନରୁ ଏହା ଜଣାଯାଏ ଯେ ସଜୀବ ମଧ୍ୟରେ ଏକ ଚୈତନ୍ୟ ଶକ୍ତି ଅଛି ଯାହାକୁ ଆଧ୍ୟାତ୍ମିକ ଭାଷାରେ ଆତ୍ମା କୁହାଯାଏ । ମନୁଷ୍ୟାତ୍ମାମାନଙ୍କ ବ୍ୟବହାର ପରିବର୍ତ୍ତନ ପାଇଁ ଶିକ୍ଷା ଦିଆଯାଏ । ଜଣେ ବ୍ୟକ୍ତିର ବ୍ୟବହାର ଅନୁସାରେ ତାକୁ ଦୁରାତ୍ମା, ପାପାତ୍ମା, ମହାତ୍ମା, ଆଦି କୁହାଯାଏ । ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ଯେ ଭଲ ବା ଖରାପ ବିଶେଷଣ ଆତ୍ମା ସହିତ ଯୋଡ଼ା ଯାଇଛି, ଶରୀର ସହିତ ନୁହେଁ ।


ଆତ୍ମା ଚୈତନ୍ୟ ଶକ୍ତି ହୋଇଥିବାରୁ ଅଜର, ଅମର, ଅବିନାଶୀ, ଅବିଭାଜ୍ୟ, ଜ୍ୟୋତିର୍ବିନ୍ଦୁ, ସ୍ବପ୍ରକାଶିତ ଏବଂ ସ୍ବତନ୍ତ୍ର ଅଟେ । ଯେତେବେଳ ପର୍ଯ୍ୟନ୍ତ ଏହି ଶକ୍ତି ବିଦ୍ୟମାନ, ସେତେବେଳ ପର୍ଯ୍ୟନ୍ତ ଶରୀରର ଭିନ୍ନ ଭିନ୍ନ କ୍ରିୟା ସମ୍ପାଦିତ ହୁଏ । ଯେତେବେଳେ ଏହା ଶରୀର ତ୍ୟାଗ କରିଦିଏ, ସେତେବେଳେ ପଞ୍ଚତତ୍ତ୍ବରେ ନିର୍ମିତ ଶରୀର ପ୍ରକୃତିର ପଞ୍ଚତତ୍ତ୍ବରେ ଲୀନ ହୋଇଯାଏ । କିନ୍ତୁ ଅବିନାଶୀ ଆତ୍ମା ନିଜ ନିଜ କର୍ମଫଳ ଆଧାରରେ ପୁନର୍ଜନ୍ମ ପ୍ରାପ୍ତ ହୋଇଥାଏ । ମନ, ବୁଦ୍ଧି ଓ ସଂସ୍କାର ହେଉଛି ଆତ୍ମାର ସୂକ୍ଷ୍ମ ଶକ୍ତି । ଏଗୁଡ଼ିକଦ୍ୱାରା ବ୍ୟକ୍ତି କାର୍ଯ୍ୟ ବ୍ୟବହାର କରିଥାଏ । ଆତ୍ମା ମସ୍ତିଷ୍କରେ ଭୃକୁଟୀ  ମଧ୍ୟରେ ଅବସ୍ଥାନ କରେ । ଏଥିପାଇଁ ଏଠାରେ ସିନ୍ଦୁର ଟୋପା ଓ ଚନ୍ଦନ ଟୋପା ଲଗାଯାଏ । ବିଶ୍ୱ ପ୍ରସିଦ୍ଧ ଡା: ଷ୍ଟିହ୍ୱେନ୍ସନ, ଡା: ଏଲିଜାବେଥ କୁବଲର, ଡା: ଜମୁନା ପ୍ରସାଦ, ଡା: ସତବନ୍ତ ପସରି·, ଡା: ରେମଣ୍ଡ ମୁରୀ ଆଦି ବୈଜ୍ଞାନିକଗଣ ପୁନର୍ଜନ୍ମ ବିଷୟରେ ଅନ୍ୱେଷଣ କରି ଆତ୍ମା ବିଷୟକ ଅନେକ ତଥ୍ୟ ଆବିଷ୍କାର କରିଛନ୍ତି ।


ଆତ୍ମାର ମୁଖ୍ୟତଃ ସାତୋଟି ମୌଳିକ ଗୁଣ ଅଛି । ଏଗୁଡ଼ିକୁ ମୂଲ୍ୟ କୁହାଯାଏ । ଏଗୁଡ଼ିକ ହେଲା ଜ୍ଞାନ, ସୁଖ, ଆନନ୍ଦ, ପ୍ରେମ, ଶକ୍ତି, ଶାନ୍ତି ଓ ପବିତ୍ରତା । ପ୍ରତ୍ୟେକ ଗୁଣ କିମ୍ବା ମୂଲ୍ୟଗୁଡିକ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ରହିଛି । ଗୋଟିଏ ଗୁଣ ବା ମୂଲ୍ୟ ଥିଲେ ସ୍ବତଃ ଅନ୍ୟଗୁଡ଼ିକ ମଧ୍ୟ ଆବିର୍ଭାବ ହୁଅନ୍ତି । ଉଦାହରଣ ସ୍ବରୂପ ଆତ୍ମାକୁ ଜ୍ଞାନ ପ୍ରାପ୍ତ ହେଲେ ପବିତ୍ରତାର ଅନୁଭୂତି ହୁଏ । ପବିତ୍ରତାକୁ ସୁଖ ଓ ଶାନ୍ତିର ଜନନୀ କୁହାଯାଏ । ଶାନ୍ତିରୁ ପ୍ରେମ ଓ ସୁଖରୁ ଆନନ୍ଦ ଉତ୍ପନ୍ନ ହୋଇଥାଏ । ଏହିସବୁ ଗୁଣ ଦ୍ୱାରା ଆତ୍ମା ମଧ୍ୟରେ ଶକ୍ତି ସଞ୍ଚାର ହୋଇଥାଏ । ଏଗୁଡିକର ଅନୁଭୂତିକୁ ଆତ୍ମାନୁଭୂତି କୁହାଯାଏ ।


ଏ ସଂସାରକୁ ଯାତ୍ରୀ ନିବାସ ଓ ରଙ୍ଗମଞ୍ଚ ସହିତ ତୁଳନା କରାଯାଏ । ତେଣୁ ଏହି ସାଂସାରିକ ଯାତ୍ରୀ ନିବାସରେ ସାକାରୀ ଆତ୍ମା (ଜୀବାତ୍ମା) ଅତିଥି ସ୍ବରୂପ ଅଟେ । ସୃଷ୍ଟି ରଙ୍ଗମଞ୍ଚରେ ଆତ୍ମା ଶରୀର ରୂପୀ ବସ୍ତ୍ର ପରିଧାନ କରି ନିଜ ନିଜ ଭୂମିକା ନିର୍ବାହ କରିଥାଏ । ଏ ସଂସାର ଆତ୍ମାର ମୂଳ ଘର ନୁହେଁ । ଚନ୍ଦ୍ର, ସୂର୍ଯ୍ୟ ଓ ତାରାଗଣଠାରୁ ମଧ୍ୟ ବହୁ ଉର୍ଦ୍ଧ୍ବରେ ଥିବା ଷଷ୍ଠ ମହତତ୍ତ୍ବରେ ଆତ୍ମା ନିବାସ କରେ ବୋଲି କୁହାଯାଏ । ଏହା ପରମଧାମ, ମୁକ୍ତିଧାମ, ନିର୍ବାଣଧାମ, ଶାନ୍ତିଧାମ ଓ ବ୍ରହ୍ମଲୋକ ନାମରେ ନାମିତ । ଆତ୍ମା ଏଠାରୁ ଆସି ପଞ୍ଚତତ୍ତ୍ବରେ ନିର୍ମିତ ଶରୀର ଧାରଣ କରିଥାଏ । ଆତ୍ମା ବିଷୟକ ଏହି ଜ୍ଞାନ ବିନ୍ଦୁଗୁଡ଼ିକୁ ଚିନ୍ତନ କରିବାକୁ “ଆତ୍ମଯୋଗ’’ କୁହାଯାଏ । ଏହି ଯୋଗର ନିୟମିତ ଅଭ୍ୟାସ ଦ୍ୱାରା ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ ।

🌺🌺🌺🌺🌺🌺🌺🌺🌺

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796

 🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର