(୧୨)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୨) ---- ମୂଲ୍ୟ ଶିକ୍ଷା: ପଦ୍ଧତି, କଳା ଓ କୌଶଳ

🌹🌹🌹🌹🌹🌹🌹🌹🌹

*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୨)* 

🌸🌸🌸🌸🌸🌸🌸🌸🌸

 *ମୂଲ୍ୟ ଶିକ୍ଷା: ପଦ୍ଧତି, କଳା ଓ କୌଶଳ* 

🌹🌹🌹🌹🌹🌹🌹🌹🌹

 *ଡା: ସୁଧାଂଶୁ ଶେଖର ମିଶ୍ର,ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

ସଂପ୍ରତି ଜୀବନ ସହିତ ଶିକ୍ଷାର କୌଣସି ସମ୍ବନ୍ଧ ଥିବା ଜଣାଯାଏ ନାହିଁ । ପରୀକ୍ଷା କରିବା ଓ ଉପାଧି ପ୍ରଦାନ କରିବା ମଧ୍ୟରେ ଶିକ୍ଷା କାର୍ଯ୍ୟ ସୀମିତ । ବିଦ୍ୟାର୍ଥୀଗଣ ପରୀକ୍ଷା ପରେ ପୁସ୍ତକଗୁଡ଼ିକର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । କାରଣ ପ୍ରତ୍ୟେକେ ଏହା ଜାଣନ୍ତି ଯେ ପଢ଼ିଥିବା ବିଷୟ ତାଙ୍କ ଜୀବନରେ କାମ ଦେବନାହିଁ । ଜୀବନର ସବୁଠାରୁ ସୁନ୍ଦର ସମୟ ହେଉଛି ବାଲ୍ୟାବସ୍ଥା ଓ ଉତ୍ସାହପ୍ରଦ ସମୟ ହେଉଛି ଯୌବନାବସ୍ଥା । କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ଆଧାରିତ ଆମ ଶିକ୍ଷାନୀତି ହେତୁ ବ୍ୟକ୍ତିର ଏହି ସମୟତକ ପରୀକ୍ଷା ଚିନ୍ତାରେ ହିଁ ବିତିଯାଏ । ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଶିକ୍ଷା ଆଜି ବୋଝ ପାଲଟି ଯାଇଛି । ଛୋଟ ଛୋଟ କୋମଳମତି ବାଳକ-ବାଳିକାମାନଙ୍କୁ ବହି-ବସ୍ତାନି ବୋଝରେ ନଇଁ ନଇଁ ବିଦ୍ୟାଳୟକୁ ଯାଉଥିବା ଦେଖିଲେ ମନ ହାହାକାର କରି ଉଠେ । ନିଜ ପିଲାଙ୍କ ଲାଗି ଭଲ ସ୍କୁଲ ବା କଲେଜର ନିର୍ବାଚନ, ସେଥିପାଇଁ ଆବଶ୍ୟକ ହେଉଥିବା ଡ଼ୋନେସନ ଓ ପିଲାଙ୍କ ଟ୍ୟୁସନ ଯୋଗାଡ଼ କରିବା ପ୍ରତ୍ୟେକ ମାଁ-ବାପାଙ୍କ ପାଇଁ ଏକ ଚିନ୍ତାର ବିଷୟ ହୋଇପଡ଼ିଛି ।


ବର୍ତ୍ତମାନର ଶିକ୍ଷା ଶିକ୍ଷକ, ବିଦ୍ୟାର୍ଥୀ ତଥା ମାଁ-ବାପା କାହାରିକୁ ମଧ୍ୟ ଆନନ୍ଦ ଓ ସନ୍ତୋଷ ଦେଇପାରୁନାହିଁ କାହିଁକି? ଏହାର କାରଣ ଜାଣି ନିରାକରଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା । ଆମକୁ ମନେ ରଖିବାକୁ ହେବ ଯେ ପ୍ରତ୍ୟେକ ବିଷୟରେ କେବଳ ସୂଚନା ପ୍ରଦାନ କରିବା ଶିକ୍ଷାର ଲକ୍ଷ୍ୟ ନୁହେଁ । ଜ୍ଞାନ (Knowledge) କୁ ପ୍ରକାଶ ଓ ଶକ୍ତି ସହିତ ତୁଳନା କରାଯାଏ । କିନ୍ତୁ ଆଜିର ସୂଚନା ପ୍ରଧାନ ଶିକ୍ଷା ଜୀବନର ପ୍ରକାଶ ଓ ଶକ୍ତିକୁ ଆହୁରି କ୍ଷୀଣ କରିଦେଉଛି । ବିଦ୍ୟାଳୟ ରୂପୀ ବଗିଚାରେ ଶିକ୍ଷକ ହେଉଛନ୍ତି ମାଳୀ ଯିଏକି ବିଦ୍ୟାର୍ଥୀମାନଙ୍କୁ ଫୁଲପରି ସୁନ୍ଦର ଓ ସୁଗନ୍ଧିତ କରିବାର ଦାୟିତ୍ୱ ବହନ କରିବା ଉଚିତ୍ । ଅନ୍ୟ ଅର୍ଥରେ ବିଦ୍ୟାର୍ଥୀର ବ୍ୟକ୍ତିତ୍ୱରେ ମଧୁରତା, ପ୍ରସନ୍ନତା, ସେବା, ସହାନୁଭୂତି ଆଦି ମୂଲ୍ୟଗୁଡ଼ିକ ସହିତ ଉଚ୍ଚ ଚରିତ୍ରର ଗୁଣ ପରିପୂର୍ଣ୍ଣ ହେବା ଶିକ୍ଷାର ଧ୍ୟେୟ ହେବା ଉଚିତ୍ । କିନ୍ତୁ ବିଡ଼ମ୍ବନା ଏହି ଯେ ସଂପ୍ରତି ଶିକ୍ଷାଦାନ ପାଇଁ ନିଯୁକ୍ତ ଶିକ୍ଷକ ସମାଜ ଶିକ୍ଷାର ଏହି ପବିତ୍ର ଧ୍ୟେୟକୁ ପୂର୍ଣ୍ଣ କରିବାରେ ସଫଳ ହୋଇପାରୁ ନାହାନ୍ତି ।


ବିଦ୍ୟାର୍ଥୀମାନଙ୍କ ସର୍ବାଙ୍ଗୀଣ ବିକାଶ ହେଉଛି ଭାରତର ଶିକ୍ଷାନୀତ । ସର୍ବାଙ୍ଗୀଣ ବିକାଶ ପାଇଁ ଶାରୀରିକ, ବୌଦ୍ଧିକ, ସାମାଜିକ ଓ ଆଧ୍ୟାତ୍ମିକ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏହା ସହିତ ଅନ୍ୟ ଧ୍ୟେୟ ମଧ୍ୟ ନିଶ୍ଚିତ କରାଯାଇଛି । ଶିକ୍ଷାର ଉଦ୍ଦେଶ୍ୟ ତା’ର  (Goals) ଉପରେ ଆଧାରିତ ଥାଏ । ଲକ୍ଷ୍ୟ ନିର୍ଦ୍ଧାରିତ ହେଲାପରେ ଅଭ୍ୟାସ କ୍ରମ ବା ପାଠ୍ୟକ୍ରମର (Curriculum) ରଚନା, ଶିକ୍ଷାପ୍ରଦ ଅନୁଭବ (Learningexperience) ସହଶୈକ୍ଷିକ କାର୍ଯ୍ୟାବଳୀ (Curricular Activities), ସାଧନ (Divices) ପଦ୍ଧତି (Methods) ଓ ପ୍ରବିଧି (Techniques) ନିଶ୍ଚିତ କରାଯାଇଥାଏ । ମୂଲ୍ୟାଙ୍କନ (Evaluation) ବା ପରୀକ୍ଷା (Examination) ହେଉଛି ଏହାର ଅନ୍ତିମ ପର୍ଯ୍ୟାୟ । ଶିକ୍ଷାଦାନରେ ଏହି ଚକ୍ରିୟ ପ୍ରକ୍ରିୟା (Cyclic Process) ଅନୁସରଣ କରାଯାଏ ।


ମନେକର, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସତ୍ୟ-ଅହିଂସା, ସେବା ଏବଂ ସଦାଚାର ମୂଲ୍ୟର ବିକାଶ କରିବା ଶିକ୍ଷାର ଲକ୍ଷ୍ୟ ନିର୍ଦ୍ଧାରିତ କରାଗଲା । ଏହି ଉଦ୍ଦେଶ୍ୟକୁ ଆଧାର କରି ପାଠ୍ୟ ପୁସ୍ତକ (Text Book) ରେ କାବ୍ୟ, ଗଳ୍ପ, ଜୀବନୀ ଆଦି ସମାବେଶ କରାଗଲା । ଏହାକୁ ଅନୁସରଣ କରି ଅଧ୍ୟାପକ କଥନ ପଦ୍ଧତି, ପ୍ରଦର୍ଶନ ପଦ୍ଧତି ବା ସାମୁହିକ ଚର୍ଚ୍ଚା (GroupDiscussionMethod) ଦ୍ୱାରା ପାଠ୍ୟ ଦାନ କରନ୍ତି । ସ୍ବାଧ୍ୟାୟ ପାଇଁ କିଛି ଅଭ୍ୟାସ କାର୍ଯ୍ୟ ମଧ୍ୟ କରାଇ ପାରନ୍ତି । ଏହିପରି ମହାନ ଉଦ୍ଦେଶ୍ୟ ସତ୍ତ୍ବେ ମଧ୍ୟ ପରୀକ୍ଷା ବା ମୂଲ୍ୟାଙ୍କନ ସମୟରେ ଅଧିକରୁ ଅଧିକ ଅଙ୍କ ପାଇବା ଆଶାରେ ବିଦ୍ୟାର୍ଥୀ ଟ୍ୟୂସନ କରିଥାଏ ଏବଂ ସତ୍ୟ, ଅହିଂସା, ସେବା, ସହନଶକ୍ତି ଆଦି ପ୍ରଶ୍ନଗୁଡ଼ିକର ଉତ୍ତର ନକଲ କରି ଲେଖେ । ଅନେକ କ୍ଷେତ୍ରରେ ଶିକ୍ଷକ ମଧ୍ୟ ବିଦ୍ୟାର୍ଥୀମାନଙ୍କୁ ନକଲ କରିବାରେ ସାହାଯ୍ୟ କରୁଥିବାର ଦେଖାଯାଏ । ଏହା ହେଉଛି ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ବାସ୍ତବିକ ଅବସ୍ଥା । ବର୍ତ୍ତମାନ ଏହା ବିଚାରଣୀୟ ଯେ ତ୍ରୁଟି ରହିଲା କେଉଁଠି? ଧ୍ୟେୟ ବା ଉଦ୍ଦେଶ୍ୟ ନିର୍ଦ୍ଧାରଣରେ? ପାଠ୍ୟକ୍ରମ ବା ପାଠ୍ୟପୁସ୍ତକରେ? ପରୀକ୍ଷା ପଦ୍ଧତିରେ? ଶିକ୍ଷକଙ୍କଠାରେ? କିମ୍ବା ପରୀକ୍ଷା ବା ମୂଲ୍ୟାଙ୍କନ ପଦ୍ଧତିରେ?


ଶିକ୍ଷା ପ୍ରଣାଳୀରେ ଅଧ୍ୟାପକ, ଅଭ୍ୟାସକ୍ରମ ଓ ମୂଲ୍ୟାଙ୍କନ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ରହିଛି । ଶିକ୍ଷାକାର୍ଯ୍ୟର ଆଧାର ସ୍ତମ୍ଭ ହେଉଛନ୍ତି ଅଧ୍ୟାପକ । ପ୍ରାଚୀନ ଗୁରୁକୁଳ ପ୍ରଣାଳୀରେ ଗୁରୁ ଶିକ୍ଷାର ମୂଳ ଉତ୍ସ ରହୁଥିଲ । ସେହି ସମୟରେ ‘ଶିକ୍ଷା’କୁ ବିଦ୍ୟା କୁହାଯାଉଥିଲା । ବିଦ୍ୟାଲାଭର ଉଦ୍ଦେଶ୍ୟ ଥିଲା ମୁକ୍ତି । ସା ବିଦ୍ୟା ଯା ବିମୁକ୍ତୟେ । ବିଦ୍ୟାର୍ଥୀମାନଙ୍କୁ କେଉଁ କେଉଁ ବିଷୟରୁ ମୁକ୍ତି ଆବଶ୍ୟକ? ସେଗୁଡ଼ିକ ହେଲା, ଆସକ୍ତି (attachments), ଇଚ୍ଛା (Desires), ପ୍ରତ୍ୟାଶା (Expectations), ମାନସିକ ଚାପ (Tension), ପାରସ୍ପରିକ ତୁଳନା (Comparison), ପ୍ରତିସ୍ପର୍ଦ୍ଧା (Competition), ନକାରାତ୍ମକ ବୃତ୍ତି (Negative attitude), କୁ-ଅଭ୍ୟାସ (Bad habits), କ୍ରୋଧ (Anger) ଅହଂକାର (Ego) ଇତ୍ୟାଦି । ଏଗୁଡ଼ିକରୁ ବିଦ୍ୟା ମୁକ୍ତି ପ୍ରଦାନ କରିଥାଏ । କିନ୍ତୁ ଆଜିର ତଥା କଥିତ ଶିକ୍ଷା ଏଥିପାଇଁ ସମର୍ଥ ହୋଇପାରୁନାହିଁ । ସେତେବେଳେ ଗୁରୁକୁଳରେ ଗୁରୁ ଯେଉଁ ବିଷୟଗୁଡ଼ିକ ମୂଲ୍ୟବୋଧ ଉପରେ ଶିକ୍ଷା ପ୍ରଦାନ କରୁଥିଲେ ସେଗୁଡ଼ିକ ସେ ସ୍ବୟଂ ନିଜ ଜୀବନରେ ଧାରଣ କରୁଥିଲେ । ସେ ଯେଉଁ ବିଦ୍ୟା ପ୍ରଦାନ କରୁଥିଲେ ତାହା ତାଙ୍କର ଅନୁଭବ ସିଦ୍ଧ ଥିଲା । କିନ୍ତୁ ଆଜିର ଶିକ୍ଷା ପ୍ରଣାଳୀରେ ଶିକ୍ଷକ, ଶିକ୍ଷା ସଂସ୍ଥାନ ଓ ଶିକ୍ଷାନୀତି ପ୍ରଣେତା ସରକାର କାହାରିଠାରେ ମଧ୍ୟ ଉପଯୁକ୍ତ ମୂଲ୍ୟଗୁଡ଼ିକର ଅଭିବ୍ୟକ୍ତି ଦେଖାଯାଏ ନାହିଁ । ଏପରି କ୍ଷେତ୍ରରେ ଶିକ୍ଷକମାନେ ନିଜ ଉତ୍ତର ଦାୟିତ୍ୱ ପ୍ରତି ସଚେତନ ହେଲେ ସମାଜରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରିବେ ।


ସମ୍ପୂର୍ଣ୍ଣ ଶିକ୍ଷାର ଚାରୋଟି ଦିଗ ରହିଛି । ତାହା ହେଲା ଗ୍ରହଣ କରିବା (Receiving), ପ୍ରତ୍ୟୁତ୍ତର (Responding), ଆତ୍ମୀକରଣ (Organising) ଓ ଚାରିତ୍ରୀକରଣ (Characterization) । ବର୍ତ୍ତମାନ ଶିକ୍ଷା ପ୍ରଣାଳୀରେ ଶେଷ ଦୁଇଟି ଦିଗ ଗୃହୀତ ହେଉନାହିଁ । ତେଣୁ ଶିକ୍ଷା ତା’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂର୍ତ୍ତି କରିପାରୁନାହିଁ । ଏହି ପରିପ୍ରେକ୍ଷୀରେ ଇଂରାଜୀରେ ପ୍ରଦତ୍ତ କେତୋଟି ପଂକ୍ତି ପ୍ରଣିଧାନଯୋଗ୍ୟ ।

 *Values are not taught, but they are caught. They are to be experienced and internalized A poor teacher tells ( gives only information) . An average teacher explains. A good teacher inspires.* 


ପ୍ରକୃତ ଶିକ୍ଷା ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ହୁଏନାହିଁ । ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ଶିକ୍ଷା ଆଜି ଝାଉଁଳି ପଡ଼ିଛି । ଏହାକୁ ସତେଜ କରିବା ପାଇଁ ଏହାକୁ ସଂକୀର୍ଣ୍ଣ ସରହଦରୁ ମୁକ୍ତ କରିବାକୁ ହେବ । ପ୍ରକୃତି ହେଉଛି ଶ୍ରେଷ୍ଠ ଶିକ୍ଷକ । ଏହା ମୌନ ରହି ମଧ୍ୟ ବିଭିନ୍ନ ମୂଲ୍ୟର ଶିକ୍ଷା ଦିଏ । ଏହାର ଫୁଲ, ଫଳ, ବୃକ୍ଷଲତା, ପାହାଡ଼-ପର୍ବତ, ନଦୀ-ସମୁଦ୍ର ପୁଷ୍କରିଣୀ, ପକ୍ଷୀ, ଆକାଶ, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର ଆଦି ମଧ୍ୟରେ ବିଭିନ୍ନ ମୂଲ୍ୟ ଆତ୍ମସାତ ହୋଇ ରହିଛି । ଆବହମାନ କାଳରୁ ମନୁଷ୍ୟ ସେମାନଙ୍କଠାରୁ ପ୍ରେରଣା ପାଇ ଆସୁଛି । ସେହିପରି ଯେଉଁ ଶିକ୍ଷକ ମୂଲ୍ୟଗୁଡ଼ିକୁ ନିଜ ଜୀବନରେ ଆପଣେଇଛନ୍ତି ସେ ହିଁ ବିଦ୍ୟାର୍ଥୀମାନଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହେବେ । ତାଙ୍କର ଭାଷାରେ ମାଧୁର୍ଯ୍ୟ, ହସରେ ସ୍ନେହ ଓ କ୍ଷମା ଏବଂ ଅଧ୍ୟାପନାରେ ଗଭୀରତା ପରିସ୍ଫୁଟ ହୁଏ । ତାଙ୍କ ଜୀବନରୁ ପ୍ରେରଣାର ପ୍ରବାହ ସତତ ନିସୃତ ହେଉଥାଏ । ତାଙ୍କର ଉପସ୍ଥାପନା ଶୈଳୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍ସାହପ୍ରଦ ହୋଇଥାଏ ।


 *ଆଦର୍ଶ ଶିକ୍ଷାଦାନ ବିଧି* 


ବିଦ୍ୟାଳୟର ପ୍ରାରମ୍ଭ ଏପରି ପ୍ରାର୍ଥନା ଦ୍ୱାରା ହେବା ଉଚିତ୍ ଯାହା ବିଦ୍ୟାର୍ଥୀମାନଙ୍କୁ ମୂଲ୍ୟନିଷ୍ଠ ଜୀବନ ପାଇଁ ପ୍ରେରିତ କରୁଥିବ । ପ୍ରାର୍ଥନା ଆରମ୍ଭ ପୂର୍ବରୁ ଓ ଶେଷ ପରେ ତିନି ମିନିଟ ମୌନ ଅଭ୍ୟାସ କରାଇବା ଉଚିତ୍ । ଗୋଟିଏ ଶ୍ରେଣୀର ସମାପ୍ତି ଘୋଷଣା ମୂଲ୍ୟବୋଧ ଭିତ୍ତିକ କୌଣସି ଗୀତ ବଜାଇ ସୂଚନା ଦେଲେ ବାତାବରଣ ସକାରାତ୍ମକ ହୋଇଥାଏ । ବିଦ୍ୟାଳୟର ପ୍ରାରମ୍ଭ ଓ ସମାପ୍ତି ସମୟରେ ପ୍ରେରଣାପ୍ରଦ ଗୀତ ବଜାଇବା ଉଚିତ୍ ।


ଶିକ୍ଷକମାନେ ବିଦ୍ୟାର୍ଥୀମାନଙ୍କ ପ୍ରତି ସମ୍ମାନ ଓ ସ୍ନେହଭାବ ରଖିବା ଉଚିତ୍ । କାରଣ ସ୍ନେହ, ସ୍ନେହକୁ ଓ ସମ୍ମାନ, ସମ୍ମାନକୁ ଜନ୍ମ ଦିଏ । ସୁଯୋଗ ଦେଖି ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା କରିବା ଉଚିତ୍ । ଏହା ହେଲେ ସେମାନଙ୍କ ଉତ୍ସାହ ବଢ଼ିବ । ପ୍ରତିଦିନ ଶିକ୍ଷକ ବା ବିଦ୍ୟାର୍ଥୀ ମୂଲ୍ୟ ଆଧାରିତ କ୍ଷୁଦ୍ର ଗଳ୍ପ, ପ୍ରସଙ୍ଗ ବା ଘଟଣାର ବର୍ଣ୍ଣନା କରିବା ଉଚିତ୍ । ପ୍ରତିଦିନ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଦ୍ୱାରା କରାଯାଇଥିବା ମୂଲ୍ୟ ପ୍ରେରକ କାର୍ଯ୍ୟର ବର୍ଣ୍ଣନା ପ୍ରାର୍ଥନା ସଭାରେ କରିବା ଉଚିତ୍ ।


ଜୀବନରେ ଶୃଙ୍ଖଳା ଆବଶ୍ୟକ; କିନ୍ତୁ ଏହା ବିଦ୍ୟାର୍ଥୀ ମନରେ ଭୟ ସୃଷ୍ଟି କରିବା ଅନୁଚିତ୍ । ଶିକ୍ଷକଙ୍କ ଭୂମିକା ପୁଲିସ ପରି ହେବା ଅନୁଚିତ୍ । ଜଣେ ଶିକ୍ଷକର ଭୂମିକା ବଗିଚାର ମାଳୀ ସଦୃଶ ହେବା ଉଚିତ୍ । ମୁକ୍ତାକାଶର ନିର୍ଭିକ ବିହଙ୍ଗମ ପରି ବିଦ୍ୟାର୍ଥୀ ବିଦ୍ୟାଳୟ ପରିସରରେ ଅନୁଭବ କରିବା ଉଚିତ୍ । ମୂଲ୍ୟଶିକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ ବା କୌଶଳ ନାହିଁ । ମୂଲ୍ୟ ଶିକ୍ଷାର ସ୍ବରୂପ ସ୍ବୟଂର ଗ୍ରହଣଶୀଳତା ଉପରେ ନିର୍ଭର କରେ ।


ମୂଲ୍ୟ ଶିକ୍ଷା ପାଇଁ ଶିବିରର ଆୟୋଜନ ହେବା ଉଚିତ । ଏଥିରେ ଅନୁଭବର ଆଦାନ ପ୍ରଦାନ ଓ ଚର୍ଚ୍ଚା ହେବା ଉଚିତ୍ । ଉତ୍ତମ ବିଚାର, ଉତ୍ତମ ବ୍ୟବହାର ଏବଂ ଉତ୍ତମ କାର୍ଯ୍ୟର ପ୍ରଶଂସା ହେବା ଉଚିତ୍ । ମୂଲ୍ୟବୋଧ ଭିତ୍ତିକ କାବ୍ୟ, ସାହିତ୍ୟ, ଗଳ୍ପ, ଏକାଙ୍କିକା, ନୃତ୍ୟନାଟିକାର ଆୟୋଜନ ହେବା ଉଚିତ୍ । ପ୍ରାକୃତିକ ସୌନ୍ଦର୍ଯ୍ୟ ଅବଲୋକନ, କଳା, ସାହିତ୍ୟ, ସଙ୍ଗୀତ ପ୍ରତି ରୁଚି ସୃଷ୍ଟି କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିବା ଉଚିତ୍ ।


ବିଦ୍ୟାଳୟଗୁଡ଼ିକରେ, ଏପରି ଖେଳର ପ୍ରଚଳନ କରାଯିବା ଉଚିତ୍ ଯେଉଁଗୁଡ଼ିକ ମୂଲ୍ୟ ଆଧାରିତ ହୋଇଥିବ । ଶେଷକଥା ହେଲା- 

 *Sow a thought, you reap an Act. Sow an act ,you reap a Habit. Sow a habit, you reap a character. Sow a character, you reap a Destiny.* 

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର