(୨---ଚିନ୍ତା ଓ ଚେତନା)ଧର୍ମ, ଧର୍ମ ନିରପେକ୍ଷତା ଏବଂ ଭାରତ (ଭାଗ-୨)

🌹🌹🌹🌹🌹🌹🌹🌹🌹

 *ଚିନ୍ତା ଓ ଚେତନା(୨)* 

🌺🌺🌺🌺🌺🌺🌺🌺🌺

 *ଧର୍ମ, ଧର୍ମ ନିରପେକ୍ଷତା ଏବଂ ଭାରତ* 

(ଭାଗ-୨)

(ପୂର୍ବ ପ୍ରକାଶିତ ଉତ୍ତାରୁ)

🌻🌻🌻🌻🌻🌻🌻🌻🌻

 *ସ୍ବାମୀ ଶ୍ରୀସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀଜୀ* 

🌹🌹🌹🌹🌹🌹🌹🌹🌹

(ପୂଜ୍ୟପାଦ ସ୍ବାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀଙ୍କ ଦ୍ୱାରା ତା: ୮.୩.୧୯୯୧ରେ ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ଓଡ଼ିଶାରେ ହିନ୍ଦିରେ ପ୍ରଦତ୍ତ ଭାଷଣର ଭାବାନୁବାଦ । ଉପସ୍ଥାପନା- ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ, ଚେତନା ପ୍ରବାହ)

🌷🌷🌷🌷🌷🌷🌷🌷🌷

ଧର୍ମ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚର୍ଚ୍ଚା ହୋଇସାରିଲାଣି । ଆସନ୍ତୁ, ଏବେ ଆମେ ମହାରାଜ ମନୁଙ୍କ ଆଧାରରେ ଧର୍ମକୁ ବୁଝିବା । ମନୁ କହନ୍ତି-


 *ଧୃତିକ୍ଷମାଦମୋଽସ୍ତେୟ ଶୌଚମିନ୍ଦ୍ରିୟ ନିଗ୍ରହଃ ।*  *ଧୀର୍ବିଦ୍ୟାସତ୍ୟମକ୍ରୋଧୋ ଦଶକଂ ଧର୍ମ ଲକ୍ଷଣଂ ।ା* 


ଧୃତି, କ୍ଷମା, ଦମ, ଚୋରି ନକରିବା, ଶୌଚ, ଇନ୍ଦ୍ରିୟ ନିଗ୍ରହ, ବୁଦ୍ଧି, ବିଦ୍ୟା, ସତ୍ୟ, ଅକ୍ରୋଧ-ଧର୍ମର ଏହା ଦଶ ଲକ୍ଷଣ । ଏଗୁଡ଼ିକ ଯେଉଁଠାରେ ଥାଆନ୍ତି ସେଠାରେ ଧର୍ମ ଥାଏ । ଯିଏ ମଧ୍ୟ ଏଗୁଡ଼ିକୁ ସ୍ବୀକାର କରନ୍ତି, ସେ ଧାର୍ମିକ ଅଟନ୍ତି ।


ମନୁ ଆମ ଏଠାକାର (ଭାରତ ବର୍ଷର) ସର୍ବ ପ୍ରଥମ ସମ୍ବିଧାନ ନିର୍ମାତା । କୌଣସି ଦେଶର ଗୋଟିଏ ମାତ୍ର ସମ୍ବିଧାନ ଥାଏ, ନୁହେଁ କି? ସମ୍ବିଧାନ ବିନା କାମ ଚଳେନାହିଁ । ସମ୍ବିଧାନ ଅର୍ଥାତ୍ ଏକ ନିୟମ, ବ୍ୟବସ୍ଥା କିମ୍ବା ନୀତିଶାସ୍ତ୍ର । ଆପଣମାନଙ୍କ ଶ୍ରେଣୀରେ ଆସିବା ଯିବାର ମଧ୍ୟ ଏକ ନିୟମ ଅଛି । ନିୟମ ହିଁ ତ ସମ୍ବିଧାନ । ବୁଝି ବିଚାରି, ସମ୍ୟକ (ସଂପୂର୍ଣ୍ଣ) ରୂପରେ ଯେଉଁ ବିଧାନ କରାଯାଏ ତାହା ସମ୍ବିଧାନ ଅଟେ । ସର୍ବପ୍ରଥମ ସମ୍ବିଧାନ ନିର୍ମାତା ହେଉଛନ୍ତି ମହାରାଜ ମନୁ ଏବଂ ସର୍ବ ପ୍ରାଚୀନ ଜ୍ଞାନର ଭଣ୍ଡାର ହେଉଛି ବେଦ । ବେଦ ଗୁଡ଼ିକରେ ମଧ୍ୟ ଧର୍ମର ପର୍ଯ୍ୟାପ୍ତ ଚର୍ଚ୍ଚା ରହିଛି । କିନ୍ତୁ ଆମେ ସେଥିରେ ପରିଚିତ ନୋହୁଁ । ଏଥିପାଇଁ ଆଜି ଆମ ସମ୍ମୁଖରେ ଧର୍ମ ଏକ ପ୍ରହେଳିକା ବନିଯାଇଛି । ଯେଉଁ ଦିନଠୁଁ ଆମକୁ ସ୍ବତନ୍ତ୍ରତା ମିଳିଛି ସେବେଠୁଁ ଆଜି ଯର୍ପ୍ୟନ୍ତ ଧର୍ମ ଓ ଧର୍ମ ନିରପେକ୍ଷତାକୁ ନେଇ କେଜାଣି କେତେ ବାଦ ବିସମ୍ବାଦ ହୋଇସାରିଲାଣି । କିନ୍ତୁ ଯଥାର୍ଥ ପରିଣାମ ପ୍ରାପ୍ତ ହୋଇନାହିଁ । ଆମେ କହୁ, ଆମର ସମ୍ବିଧାନ ନିର୍ମାତା କହନ୍ତି ଯେ ଭାରତ ଏକ ଧର୍ମ ନିରପେକ୍ଷ ଦେଶ ଅଟେ । କିନ୍ତୁ ମୁଁ କହୁଛି, ଭାରତ ସର୍ବଦା ନିରପେକ୍ଷ । କାରଣ ଭାରତ ଧାର୍ମିକ ଦେଶ । ଯିଏ ଧାର୍ମିକ ନୁହେଁ ସେ ନିରପେକ୍ଷ ମଧ୍ୟ ହୋଇପାରେ ନାହିଁ । ଧାର୍ମିକ ହେବାର ଅର୍ଥ ହିଁ ନିରପେକ୍ଷ ହେବା । ଏହି ୪୪ବର୍ଷରେ ଭାରତ ନିରପେକ୍ଷ ହୋଇନାହିଁ, ବରଂ ବହୁତ ପ୍ରାଚୀନକାଳରୁ ନିରପେକ୍ଷତା ହିଁ ଏହାର ନୀତି ରହିଆସିଛି ।


ନିରପେକ୍ଷ ହେବାର ଅର୍ଥ ହେଉଛି ଅପେକ୍ଷା ରହିତ ହେବ, ଆକାଂକ୍ଷା ରହିତ ହେବା ଓ ପକ୍ଷପାତ ରହିତ ହେବା । ଯେଉଁଠି ବିନିମୟରେ କିଛି ପାଇବାର ଇଚ୍ଛାଥାଏ ସେଇଠି ଧର୍ମ କମ, ସ୍ବାର୍ଥ ଅଧିକ ହୁଏ । ସ୍ବାର୍ଥ ଧର୍ମ ନୁହେଁ । କାରଣ ସ୍ବାର୍ଥ ସଂଘର୍ଷ ସୃଷ୍ଟି କରେ । ଆମ ଆଶ୍ରମରେ ଜଣେ ବୁଢ଼ୀମା କାମ କରନ୍ତି । ସେହି ବିଚାରୀ ବଡ଼ କଷ୍ଟରେ ମାସକୁ ଷାଠିଏ-ସତୁରୀ ଟଙ୍କା ରୋଜଗାର କରୁଥାଇ ପାରେ । ସେ ମୋତେ ଦିନେ କହିଲେ-  “ସ୍ବାମୀଜୀ! ମୋତେ କୋଡ଼ିଏ-ପଚିଶ ଟଙ୍କା ଦିଅନ୍ତୁ ।” ମୁଁ ପଚାରିଲି, କ’ଣ କରିବୁ? ସେ କହିଲେ- “ସ୍ବାମୀଜୀ! ଚାରି ପାଞ୍ଚ ଘରୁ ବିବାହ ପାଇଁ ନିମନ୍ତ୍ରଣ ପତ୍ର ଆସିଛି । ଅତି କମରେ ପାଞ୍ଚ-ପାଞ୍ଚ ଟଙ୍କା ତ ଦେବାକୁ ହେବ ।” ମୁଁ କହିଲି, ନିମନ୍ତ୍ରଣ ପତ୍ର ଆସିଛି, କୌଣସି ଭିକ୍ଷାପତ୍ର ନୁହେଁ । ସେହି ଲୋକମାନେ ଡାକିଛନ୍ତି ତ ଯାଅ ଓ ଆରାମରେ ଖାଇପିଇ ଆସ । ସେ କହିଲା- “ନାଇଁ ବାବା, ଏହି ପତ୍ର ଆସିବାର ଅର୍ଥ ହେଉଛି ଯେ କିଛି ନେଇଯିବାକୁ ହେବ ।” ପ୍ରଥମେ ତ ଗୋଟିଏ ଘରେ କେବଳ ମୁଖିଆଙ୍କୁ (ଘର ମୁରବୀ) ହିଁ ନିମନ୍ତ୍ରଣ ପତ୍ର ଦେଇଦେଲେ କାମ ଚଳୁଥିଲା, ଆଜିକାଲି କିନ୍ତୁ ମୁଖିଆଙ୍କୁ ଅଲଗା ଓ ତାଙ୍କ ପୁଅମାନଙ୍କୁ ଅଲଗା, ଝିଅ-ବୋହୂମାନଙ୍କୁ ମଧ୍ୟ ଅଲଗା ଅଲଗା ପତ୍ର ଦିଆଯାଉଛି । ଆଜିକାଲି ସବୁକିଛି ବଦଳି ଯାଇଛି ନା । ବର୍ତ୍ତମାନ ବିଚାର କରନ୍ତୁ, କ’ଣ ଏହି ନିମନ୍ତ୍ରଣ ସାପେକ୍ଷ ନୁହେଁ? ସାପେକ୍ଷ ସମ୍ବନ୍ଧ, ସାପେକ୍ଷ ନିୟମ, ସାପେକ୍ଷ ଧର୍ମ, ସ୍ବାର୍ଥର ହିଁ ଭିନ୍ନ ଭିନ୍ନ ସ୍ବରୂପ ଅଟେ । ଧାର୍ମିକ କାହାରିଠାରୁ ଅପେକ୍ଷା କିମ୍ବା କାହାରିକୁ ଉପେକ୍ଷା କରେନାହିଁ ।


ଆମର ପୂର୍ବଜଗଣ ଆମକୁ ଶିକ୍ଷା ଦେଇଛନ୍ତି ଯେ ଆମେ ସମସ୍ତଙ୍କ ହିତ କାମନା କରିବା । ସେମାନେ କହୁଥିଲେ-

 *ସର୍ବେ ଭବନ୍ତୁ ସୁଖିନଃ* 

 *ସର୍ବେସନ୍ତୁ ନିରାମୟାଃ ।* 

 *ସର୍ବେ ଭଦ୍ରାଣି ପଶ୍ୟନ୍ତୁ* 

 *ମାକଶ୍ଚିତ ଦୁଃଖଭାଗ* *ଭବେତ୍।ା* 


ସେମାନେ ସମସ୍ତଙ୍କ ଶୁଭ କାମନା କରୁଥିଲେ । ଏହା ବିନିମୟରେ ସେମାନେ କେବେହେଲେ କାହାରିଠାରୁ କିଛି ଚାହିଁ ନାହାନ୍ତି । ଶୁଦ୍ଧ ଭାବନା ଓ ଶୁଭକାମନାର କୌଣସି ବିନିମୟ ମୂଲ୍ୟ ହୁଏ ନାହିଁ । ଧର୍ମ କୌଣସି ବ୍ୟବସାୟ ନୁହେଁ । ଧର୍ମ କୌଣସି ବିନିମୟ ଯୋଗ୍ୟ ପଦାର୍ଥ ନୁହେଁ । ତାହା ତ ନିରପେକ୍ଷ ସିଦ୍ଧାନ୍ତ, ବିଶୁଦ୍ଧ ଭାବନା ଏବଂ ଆଦର୍ଶ ଆଚରଣ ପଦ୍ଧତିର ଏକ ସମାହାର ଅଟେ । ଧର୍ମର ଯଥାର୍ଥ ସ୍ବରୂପକୁ ଜାଣିବା ବ୍ୟକ୍ତି ନିଜକୁ ଧାର୍ମିକ କହିବା ପାଇଁ ସଂକୋଚ କରିବ ନାହିଁ । ଆଜି ଧର୍ମକୁ ନେଇ ଯେଉଁ ସଂକୋଚ ସୃଷ୍ଟି ହେଉଛି ତାହା ବାଲ୍ୟ ଚପଳତା କିମ୍ବା ଦୁରାଗ୍ରହର ପରିଣାମ ମାତ୍ର ।


ଧର୍ମ ଶବ୍ଦ କେଉଁଠି ଗୁଣବାଚକ ତ କେଉଁଠି କର୍ତ୍ତବ୍ଯ ବାଚକ । ଫୁଲର ଧର୍ମ ହେଉଛି ସୁଗନ୍ଧ ସଂଚାର କରିବା, ଭ୍ରମରର ଧର୍ମ ହେଉଛି ଗୁଣୁଗୁଣୁ ଧ୍ୱନି କରିବା, ଜଳର ଧର୍ମ ହେଉଛି ସିକ୍ତ କରିବା ଏବଂ ଅଗ୍ନିର ଧର୍ମ ହେଉଛି ଦାହ କରିବା । ଏଠାରେ ଧର୍ମ ଗୁଣବାଚକ । କିନ୍ତୁ ଘରେ ପିତା-ମାତାଙ୍କ ଧର୍ମ ଭିନ୍ନଭିନ୍ନ । ପିତୃଧର୍ମ, ମାତୃଧର୍ମ, ଭ୍ରାତୃଧର୍ମ, ପୁତ୍ରଧର୍ମ ଆଦି ଶବ୍ଦ କର୍ତ୍ତବ୍ଯବୋଧକ । ଏଠାରେ ଧର୍ମ କର୍ତ୍ତବ୍ଯବାଚକ ଓ ନିର୍ଦ୍ଦିଷ୍ଟ ଉତ୍ତରଦାୟିତ୍ୱ ସୂଚକ । ଏହି ଉତ୍ତର ଦାୟିତ୍ୱ ସମସ୍ତ ସମ୍ପ୍ରଦାୟରେ ସମାନ । ଏଣୁ ପିତୃ ଧର୍ମକୁ ଆମେ ହିନ୍ଦୁ, ମୁସଲମାନ କିମ୍ବା ଖ୍ରୀଷ୍ଟିୟାନ ରୂପରେ ବିଭାଜିତ କରିପାରିବା ନାହିଁ । ଏହିପରି ବୈଷ୍ଣବ ଧର୍ମ, ସନ୍ୟାସ ଧର୍ମ ଆଦି ଅଭିବ୍ୟକ୍ତି ନିର୍ଦ୍ଦିଷ୍ଟ ଉପାସନା ପରମ୍ପରା ଓ ମାନ୍ୟତାର ପ୍ରତୀକ ଅଟେ ।


ଧର୍ମର ଦୁଇଟି ସ୍ବରୂପ-ଲୌକିକ ଓ ଆଧ୍ୟାତ୍ମିକ । ଲୌକିକ, ଅର୍ଥାତ ଧର୍ମର ବ୍ୟବହାରିକ ପକ୍ଷ ଯାହା ଆର୍ଥିକ, ସାମାଜିକ, ରାଜନୈତିକ ଆଦି ବ୍ୟବସ୍ଥା ଉପରେ ପର୍ଯ୍ୟବସିତ । ଆଧ୍ୟାତ୍ମିକ, ଅର୍ଥାତ ଅନ୍ତର୍ବ୍ୟବସ୍ଥା, ଯାହାର ସମ୍ବନ୍ଧ ଆତ୍ମିକ ସାଧନା, ଆତ୍ମାନୁଶାସନ, ଆତ୍ମାନୁସନ୍ଧାନ, ଆତ୍ମସାକ୍ଷାତକାର କିମ୍ବା ଈଶ୍ୱର ସାକ୍ଷାତକାର ସହିତ ସମ୍ବନ୍ଧିତ । ଆମର ସାଧୁ-ସନ୍ଥଗଣ ଧର୍ମର ଏହି ଆଧ୍ୟାତ୍ମିକ ପକ୍ଷର ପକ୍ଷଧର । ଆମର ସାଧୁସନ୍ଥଗଣ ଯାହାଙ୍କୁ ଆମେ ଧର୍ମାଚାରୀ କହୁ, ସେମାନେ ଆମର ଏଠାକାର (ଭାରତର) ଆଶ୍ରମ ବ୍ୟବସ୍ଥାର ଚତୁର୍ଥାଶ୍ରମୀ ଅଟନ୍ତି ।


ଆପଣଙ୍କୁ ଏହା ବିଦିତ ଯେ ଏକ ନିର୍ଦ୍ଦିଷ୍ଟ ଅବଧି ପଶ୍ଚାତ୍ ସରକାର ମଧ୍ୟ ଆପଣଙ୍କୁ ସେବା ନିବୃତ୍ତ କରନ୍ତି । ଚତୁର୍ଥ ଆଶ୍ରମ ଯୋଗ୍ୟ ହୋଇଯିବାପରେ ସରକାର ମଧ୍ୟ ସ୍ବୀକାର କରନ୍ତି ନାହିଁ । କାରଣ ସରକାରୀ କାର୍ଯ୍ୟ ପାଇଁ ଆପଣ ଉପଯୁକ୍ତ ହୋଇପାରନ୍ତି ନାହିଁ । ଆମର ପୂର୍ବଜଗଣ ମଧ୍ୟ ଆମକୁ ଏହା କହିଛନ୍ତି “ଏକ ନିର୍ଦ୍ଦିଷ୍ଟ ବୟସ ପଶ୍ଚାତ୍ ଆପଣ ସମାଜରୁ ଅବସର ଗ୍ରହଣ କରନ୍ତୁ । ଘର ପରିବାର ପାଇଁ ଦିନ ରାତ୍ରି ଚିନ୍ତା କରିବାରୁ ମୁକ୍ତ ହୋଇଯାଆନ୍ତୁ ଏବଂ କିଛି ସମୟ ପାଇଁ ନିଜ ବିଷୟରେ ଚିନ୍ତା କରନ୍ତୁ; କିଛି ନିଜ ପାଇଁ କରନ୍ତୁ । ନିଜ ସାଂସାରିକ ଜୀବନର ଉପଲବ୍ଧି ଓ ଅନୁଭୂତି ଗୁଡ଼ିକୁ ଲୋକଙ୍କ ମଧ୍ୟରେ ବିତରଣ କରନ୍ତୁ ଏବଂ ଅନ୍ତିମ ସତ୍ୟର ଅନୁସନ୍ଧାନ କରନ୍ତୁ ।” ଏଥିପାଇଁ ସନ୍ୟାସ ଆଶ୍ରମର ବ୍ୟବସ୍ଥା କରାଯାଇଛି ।


ମୁଁ ଆଜିର ପରିପ୍ରେକ୍ଷୀରେ ସନ୍ନ୍ୟାସ ଆଶ୍ରମର ଚର୍ଚ୍ଚା କରୁନାହିଁ । ଭାରତରେ ଅନେକ ପ୍ରକାରର ବିଚାର ସମ୍ପନ୍ନ ଲୋକ ଅଛନ୍ତି । ଲକ୍ଷାଧିକ ସଂଖ୍ୟାରେ ସାଧୁ-ସନ୍ଥ ଏବଂ ସନ୍ନ୍ୟାସୀ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ଭାବନାର ଯଥାର୍ଥ ଆଦାନ-ପ୍ରଦାନ ହୋଇପାରୁନାହିଁ । ସମସ୍ତେ ସୈଦ୍ଧାନ୍ତିକ ରୂପରେ ଭିନ୍ନ ଭିନ୍ନ ଚିନ୍ତା ଓ ବିଚାର କରନ୍ତି । ସତ୍ୟ ଏବଂ ଧର୍ମର ଭିନ୍ନ ଭିନ୍ନ ବ୍ୟାଖ୍ୟା କରନ୍ତି । ଏଥିପାଇଁ ଧର୍ମ ମଧ୍ୟ ବିଭାଜିତ ହୋଇ ଚାଲିଛି । ଏହା ଅନୁଚିତ । ମୁଁ ଏ ପ୍ରକାର ମାନ୍ୟତାଗୁଡ଼ିକୁ ଧର୍ମ ବୋଲି ସ୍ବୀକାର କରେନାହିଁ । ମୁଁ ଏହାକୁ ତଥା କଥିତ ଧାର୍ମିକମାନଙ୍କ ବ୍ୟବସାୟିକ ପକ୍ଷ ବୋଲି ମନେକରେ ।


ଆଧ୍ୟାତ୍ମିକ ପକ୍ଷରେ ଧର୍ମ ଆମକୁ ତତ୍ତ୍ବ ଦର୍ଶନ ଓ ଭୌତିକ ପକ୍ଷରେ ଉପଯୁକ୍ତ ବ୍ୟବସ୍ଥାର ଶିକ୍ଷା ପ୍ରଦାନ କରେ । ଉଦାହରଣ ସ୍ବରୂପ କୁହାଯାଇପାରେ ଯେ ତତ୍ତ୍ଵତଃ ସମସ୍ତ ନାରୀ ସମାନ । କିନ୍ତୁ ବ୍ୟବହାରିକ ପକ୍ଷରେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରାଯାଇନପାରେ । ବ୍ୟବହାରିକ ଦୃଷ୍ଟିରେ ପ୍ରତ୍ୟେକ ନାରୀ ସମାନ ନୁହନ୍ତି । ନାରୀ ଭଗିନୀ, ମା, ପତ୍ନୀ, ପ୍ରେମିକା, ସ୍ବାମିନୀ ଏବଂ ସେବିକା ମଧ୍ୟ ହୋଇପାରେ । ଏଥିପାଇଁ ବ୍ୟବହାରିକ ରୂପରେ ଆମର ସମସ୍ତଙ୍କ ସହିତ ସମ୍ବନ୍ଧ ଅନୁରୂପ ଭିନ୍ନ ଭିନ୍ନ ବ୍ୟବହାର ହୋଇଥାଏ । ଏହିପରି ବ୍ୟବହାର ପକ୍ଷରେ ଧର୍ମ ମଧ୍ୟ ଆମକୁ ଯଥାଯୋଗ୍ୟ ବ୍ୟବହାରର ଶିକ୍ଷା ଦେଇଥାଏ ।


ଧର୍ମର ବ୍ୟାଖ୍ୟା କରିବାକୁ ଯାଇ ଆମର ପୂର୍ବଜଗଣ କହିଛନ୍ତି- “ଯତଃ ଅଭ୍ୟୁଦୟ ନିଃଶ୍ରେୟ ସସିଦ୍ଧିଃ ସଧର୍ମଃ ।” ଅର୍ଥାତ ଯଦ୍ଦ୍ବାରା ଆମକୁ ଅଭ୍ୟୁଦୟ ଏବଂ ନିଃଶ୍ରେୟୀ, ମୁକ୍ତି, ମଙ୍ଗଳ, ଜ୍ଞାନ ପ୍ରାପ୍ତିହୁଏ ତାହା ଧର୍ମ ଅଟେ । ଲୋକମାନଙ୍କ ମଧ୍ୟରେ ଅଭ୍ୟୁଦୟ ଏକ ପ୍ରଧାନ ଆଧାର ହେଉଛି ଅର୍ଥ । ଆମକୁ ଆର୍ଥିକ ରୂପରେ ସଶକ୍ତ ହେବାକୁ ହେବ । ଅର୍ଥକୁ ତ୍ୟାଗ କରିବାର ନାମ ଧର୍ମ ନୁହେଁ । ବରଂ  ଉଚିତ ଉପାୟରେ ଅର୍ଥୋପାର୍ଜନ କରିବା ପୂର୍ବକ ଉଚିତ କାର୍ଯ୍ୟରେ ତା’ର ବିନିଯୋଗ କରିବା ଧର୍ମ ଅଟେ । ଏଥିପାଇଁ ସମସ୍ତେ ଅର୍ଥୋପାର୍ଜନ କରିପାରନ୍ତି । ତ୍ୟାଗ ତ ଏକ ଭାବନା ଅଟେ । ଅର୍ଥ ପ୍ରତି ଅନାସକ୍ତ ରହି ଏହାର ପାରମାର୍ଥିକ ଉପଯୋଗ କରିବା ହିଁ ତ୍ୟାଗର ତତ୍ପର୍ଯ୍ୟ । ବେଳେବେଳେ ଲୋକେ ମୋତେ ପଚାରନ୍ତି ଯେ ସ୍ବାମୀଜୀ, ଆପଣତ ତ୍ୟାଗୀ ଅଟନ୍ତି । ଆପଣଙ୍କୁ ଅର୍ଥର ଆବଶ୍ୟକତା ତ ହେଉନଥିବ? ରେଳଗାଡ଼ିର ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମଧ୍ୟ ବେଳେବେଳେ ମୋତେ ପଚାରନ୍ତି ଯେ ଆପଣତ ସନ୍ନ୍ୟାସୀ ଅଟନ୍ତି । ଆପଣଙ୍କୁ ତ ଟିକଟ ନେବାକୁ ପଡ଼ୁନଥିବ? ଆଜିର ଏହି ତଥାକଥିତ ଶିକ୍ଷିତ ମାନଙ୍କର କଥା ଶୁଣି ମୋତେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ଆରେ ଭାଇ! ତ୍ୟାଗର ଏହି ଅର୍ଥ ହୁଏନାହିଁ । ଆମ୍ଭମାନଙ୍କୁ ମଧ୍ୟ ଅର୍ଥର ଆବଶ୍ୟକତା ହୁଏ । ଯଦି ଆମେ ନିଜକୁ ତ୍ୟାଗୀ କହି ରେଳଗାଡ଼ିରେ ବିନା ଟିକଟରେ ଯାତ୍ରା କରିବା ତାହା ଉଚିତ୍ ହେବନାହିଁ । ଏହା ନିଜ ପ୍ରତି ଧୋଖା ଓ ଦେଶ ପ୍ରତି ମଧ୍ୟ । ଏଥିପାଇଁ ସମ୍ମାନ ପୂର୍ବକ ଯିବା ଆସିବା ତଥା ରହିବା ପାଇଁ ଅର୍ଥ ସମସ୍ତଙ୍କୁ ଦରକାର । ଅର୍ଥର ଉପଲବ୍ଧି ଅନର୍ଥର କାରଣ ନୁହେଁ । ଅର୍ଥର ଦୁରୁପଯୋଗ କରିବା ଦ୍ୱାରାହିଁ ଅନର୍ଥ ହୁଏ । ଆମେ ଅର୍ଥନୈତିକ, ରାଜନୈତିକ, ସାମାଜିକ ଏବଂ ଚାରିତ୍ରିକ ଦୃଷ୍ଟିରେ ସଶକ୍ତ ହେବା ପାଇଁ ଧର୍ମ ଆମକୁ ଶିକ୍ଷା ଦିଏ ।


ଆମେ ସମସ୍ତେ ସୁଖୀ ହେବାକୁ ଚାହୁଁ । ଜୀବନରେ ନିଶ୍ଚିତ ବ୍ୟବସ୍ଥା ଏବଂ ସଂଯମ ଆଚରଣ ଦ୍ୱାରାହିଁ ସୁଖ ମିଳେ । ସଂଯମ ହେଉଛି ଧର୍ମର ଏକ ଶାଖା । ସଂଯମର ତାତ୍ପର୍ଯ୍ୟ କେବଳ ଇନ୍ଦ୍ରିୟଗୁଡ଼ିକର ସଂଯମ ନୁହେଁ । ଇନ୍ଦ୍ରିରୟ ଗୁଡ଼ିକର ସଂଯମ ହେବା ବିଧେୟ । ଏହା ଆବଶ୍ୟକ । କିନ୍ତୁ ବୃକ୍ଷଛେଦନକୁ ନିରସ୍ତ୍ର କରିବା ମଧ୍ୟ ସଂଯମ । ପ୍ରଦୂଷଣ କରୁଥିବା ପଦାର୍ଥଗୁଡ଼ିକୁ ରୋକିବା ମଧ୍ୟ ସଂଯମ । ସଂଯମ ବ୍ୟକ୍ତି ସ୍ତରରେ ମଧ୍ୟ ଆବଶ୍ୟକ, ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଆବଶ୍ୟକ ଏବଂ ସାମାଜିକ ସ୍ତରରେ ମଧ୍ୟ । ସଂଯମର ଶିକ୍ଷା ମଧ୍ୟ ଧର୍ମର ଶିକ୍ଷା । କିନ୍ତୁ ଆମେ ଏହି କଥାକୁ ଏହି ଭାବରେ ବୁଝୁନାହୁଁ । କାରଣ ଏହି ରୂପରେ ଆମକୁ କେହି ବୁଝାଇ ନାହାନ୍ତି ।                                      (କ୍ରମଶଃ...)

🙏🙏🙏🙏🙏🙏🙏🙏🙏

ସୌଜନ୍ୟ - ବିଶ୍ୱାତ୍ମ ଚେତନା ପରିଷଦ

ଆନନ୍ଦ ନିକେତନ, ଖୁଜେନପାଲି

ବଲାଙ୍ଗିର- (ଓଡ଼ିଶା) - ୭୬୭ଠଠ୨

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🌸🌸🌸🌸🌸🌸🌸🌸🌸

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,