(୧୬)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୬) ---- ମାନବୀୟ ସମ୍ବନ୍ଧର ବିକାଶ
🌹🌹🌹🌹🌹🌹🌹🌹🌹
*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୬)*
🌺🌺🌺🌺🌺🌺🌺🌺🌺
*ମାନବୀୟ ସମ୍ବନ୍ଧର ବିକାଶ*
🌸🌸🌸🌸🌸🌸🌸🌸🌸
*ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌹🌹🌹🌹🌹🌹🌹🌹🌹
*ବୈକୁଣ୍ଠ ସମାନ ଆହା ଅଟେ ସେହି ଘର*
*ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।*
ମାନବୀୟ ସମ୍ବନ୍ଧର ବିକାଶ ପରିପ୍ରେକ୍ଷୀରେ ଶଂସିତ ପଦ୍ୟାଂଶଟି ପ୍ରଣିଧାନଯୋଗ୍ୟ । ଆଜି ମାନବୀୟ ସମ୍ବନ୍ଧ ଦୁଷିତ କାଳ ପ୍ରବାହ ଦ୍ୱାରା ଆକ୍ରାନ୍ତ । ପରିବାରରେ ପାରସ୍ପରିକ ସ୍ନେହ, ସହଯୋଗ, ଆଦର, ସମ୍ମାନ ଓ ସମରସତା ଦେଖିବା ଦୁର୍ଲ୍ଲଭ ହୋଇଗଲାଣି । ମାନବ ସମାଜରେ ହିଂସା, ନିରାଶା, ମାନସିକ ଚାପ, ଅଶାନ୍ତି ସର୍ବତ୍ର ବ୍ୟାପ୍ତ । ପରିଣାମ ସ୍ବରୂପ କଳହ, ବିବାହ ବିଚ୍ଛେଦ, ଶତ୍ରୁତା, ମାଲିମକଦ୍ଦମା, ସନ୍ଦେହ, ଭ୍ରମ, ଆତଙ୍କବାଦ, ଗୃହଯୁଦ୍ଧ, ଗୋଷ୍ଠୀ ସଂଘର୍ଷ ଆଦିର ଭୟ ମାନବ ମନର ଭାବନାକୁ ନିଃଶେଷ କରି ଦେଇଛି । ଏଣୁ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ସ୍ନେହ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ବର୍ତ୍ତମାନର ଆବଶ୍ୟକତା । ଏଥିପାଇଁ ମାନବ-ମନର ଅନ୍ତର୍ନିହିତ ରହସ୍ୟକୁ ବୁଝି ମାନବୀୟ ସମ୍ବନ୍ଧଗୁଡ଼ିକର ସିଦ୍ଧାନ୍ତ ସମୂହକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ଅପରିହାର୍ଯ୍ୟ । ମଣିଷ ପରସ୍ପରର, ଗୁଣ, ସ୍ବଭାବ, ଲକ୍ଷ୍ୟ, ଆଶା- ଆକାଂକ୍ଷା, ମହତ୍ତ୍ବାକାଂକ୍ଷା, ଇଛା-ଅନିଚ୍ଛା ତଥା ଦୁର୍ବଳତାଗୁଡ଼ିକୁ ଜାଣିଲେ ସହଜରେ ପାରସ୍ପରିକ ସମ୍ବନ୍ଧର ସ୍ଥାପନା ଓ ବିକାଶ କରି ପାରିବ । ଜ୍ଞାନ ଓ ଯୋଗ୍ୟତା ନ ଥିଲେ କୌଣସି କ୍ଷେତ୍ରରେ ସଫଳତା ମିଳେ ନାହିଁ । ଆମକୁ ମନେ ରଖିବାକୁ ହେବ ଯେ ମନୁଷ୍ୟ କେବଳ ପଞ୍ଚଭୂତରେ ନିର୍ମିତ ଭୌତିକ ଶରୀର ନୁହେଁ । ମନ, ବୁଦ୍ଧି, ସଂସ୍କାର ଓ ଚେତନା ଯୁକ୍ତ ହୋଇଥିବାରୁ ସେ ମଣିଷ ପଦବାଚ୍ୟ । ତେଣୁ ତାର ବିଚାର, ଦୃଷ୍ଟିକୋଣ, ପ୍ରତିଷ୍ଠା ଆଦିକୁ ଦୃଷ୍ଟିରେ ରଖି ବ୍ୟବହାର କରିବା ଉଚିତ । ଏଥିପାଇଁ ନିମ୍ନରେ କେତେକ ବ୍ୟବହାରିକ ବିଷୟ ଉପରେ ଆଲୋଚନା କରାଯାଇଛି ଯାହା ମାନବୀୟ ସମ୍ବନ୍ଧରେ ବିକାଶର ସହାୟକ ହେବ ।
*(୧) ସ୍ବୟଂର ‘ଅହମ’ ପ୍ରତି ଜାଗ୍ରତ ରହିବା :-* ମାନବୀୟ ସମ୍ବନ୍ଧ ବିକାଶରେ ‘ଅହଂକାର’ ହେଉଛି ସବୁଠାରୁ ବଡ଼ ଅନ୍ତରାୟ । ଅହଂକାରୀ ବ୍ୟକ୍ତି ସର୍ବଦା ନିଜକୁ ଶ୍ରେଷ୍ଟ ଓ ଅନ୍ୟମାନଙ୍କୁ ନିକୃଷ୍ଟ ମନେ କରେ । ଅନେକ ସମୟରେ ଅଭୀଷ୍ଟ ସିଦ୍ଧି ବା କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି ପରେ ମନରେ ଅହଂକାର ଜାତ ହୁଏ । ଏହା କର୍ତ୍ତୃତ୍ବାଭିମାନ । ମଣିଷ ନିଜ ଯୋଗ୍ୟତା, ପ୍ରତିଭା, ସମାଜିକ ପ୍ରତିଷ୍ଠା,ପଦ ମର୍ଯ୍ୟାଦା, ଆଭିଜାତ୍ୟ, ସମୃଦ୍ଧି ଆଦି ପାଇଁ ଅଭିମାନ କରେ । ଏହି ବ୍ୟର୍ଥ ଓ ମିଥ୍ୟା ଅଭିମାନ ମଣିଷକୁ ପତ୍ତନ ଅଭିମୁଖୀ କରିଥାଏ । ବିଶୁଦ୍ଧ ମାନବୀୟ ସମ୍ବନ୍ଧ ପାଇଁ ଏହି ‘ଅହଂ’ ଭାବକୁ ତ୍ୟାଗ କରିବା ଅନିବାର୍ଯ୍ୟ । ଏଥିପାଇଁ ପ୍ରାମାଣିକତା ତଥା ଅନ୍ୟର ଦୃଷ୍ଟିକୋଣରେ କୌଣସି ବସ୍ତୁ ବା ପରିସ୍ଥିତିକୁ ଦେଖିବାର ଅଭ୍ୟାସ ବଢ଼ାଇବାକୁ ପଡ଼ିବ । ଏକଥା ମନେ ରଖିବାକୁ ହେବ ଯେ ପରିବାର ଓ ସମାଜର ସହଯୋଗ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ନିରହଂକାରୀ ବ୍ୟକ୍ତିର ବ୍ୟବହାର ଅନ୍ୟମାନଙ୍କ ଉପରେ ଚମତ୍କାରୀ ପ୍ରଭାବ ପକାଇଥାଏ । ଆମେ ଅନ୍ୟମାନଙ୍କଠାରୁ ଯେପରି ବ୍ୟବହାର ଆଶା କରୁ ସେପରି ବ୍ୟବହାର ଅନ୍ୟମାନଙ୍କୁ ଦେବାକୁ ପଡ଼ିବ । ‘ମୁଁ’ ଓ ‘ମୋର’ ଶବ୍ଦ ଅହଂ ଭାବ ପ୍ରଦର୍ଶନ କରେ । ଏହା ଆମକୁ ଅନ୍ୟମାନଙ୍କଠାରୁ ଦୂର କରି ଦିଏ । ତେଣୁ ‘ମୁଁ’ ପରିବର୍ତ୍ତେ ‘ଆମେ’ ଓ ‘ମୋର’ ପରିବର୍ତ୍ତେ ‘ଆମର’ ଶବ୍ଦ ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ପାରସ୍ପରିକ ସମ୍ବନ୍ଧରେ ମଧୁରତା ଆସିଥାଏ ।
*(୨) ଶିଷ୍ଟାଚାର ପୁର୍ଣ୍ଣ ବ୍ୟବହାର :-* କଥାରେ ଅଛି କହି ଜାଣିଲେ କଥା ସୁନ୍ଦର । କ’ଣ କୁହାଗଲା , ଏହା ମହତ୍ତ୍ବପୂର୍ଣ୍ଣ ନୁହେଁ, କିପରି କୁହାଗଲା, ତାହାହିଁ ମହତ୍ତ୍ବପୂର୍ଣ୍ଣ ।ଶିଷ୍ଟାଚାର ଓ ସୌଜନ୍ୟମୂଳକ ବ୍ୟବହାର ଅନ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ। ଏହାଦ୍ବାରା ଅନେକ ସମସ୍ୟାକୁ ପ୍ରତିହତ କରାଯାଇ ପାରେ । ଶିଷ୍ଟାଚାରୀ ବ୍ୟକ୍ତିର କେହି ବିରୋଧୀ ନ ଥାନ୍ତି ଓ ଅନାୟାସରେ ସେ ଅନ୍ୟମାନଙ୍କ ସହଯୋଗ ପ୍ରାପ୍ତ କରି ପାରନ୍ତି । ଅଶିଷ୍ଟ ବ୍ୟବହାର ହେତୁ ମିତ୍ର ମଧ୍ୟ ଶତ୍ରୁ ପାଲଟି ଯାଆନ୍ତି ଓ ଜୀବନରେ ଖୁସି ନଷ୍ଟ ହୋଇଯାଏ । ଶିଷ୍ଟାଚାର ମଧ୍ୟରେ ଉପକୃତ ହେବା ଭାବ, ଆଦର ସତ୍କାର ଭାବ, ନମ୍ରତା ତଥା ସ୍ବୀକାର ଭାବ ସନ୍ନିହିତ । ଉପକାରୀ ଓ ସହଯୋଗୀ ବ୍ୟକ୍ତିକୁ ଯଦି ଆନ୍ତରିକତା ସହ ଧନ୍ୟବାଦ ଜ୍ଞାପନ କରାଯାଏ ତେବେ ସେ ସର୍ବଦା ଆମ ଶୁଭଚିନ୍ତକ ହୋଇଯିବେ । ସେହିପରି ଆମ ବ୍ୟବହାର ଦ୍ୱାରା ଯଦି କାହାରି ମନରେ ଦୁଃଖ ଜାତ ହୁଏ ତେବେ କ୍ଷମା ଯାଚନା ଦ୍ୱାରା ସଂପୃକ୍ତ ବ୍ୟକ୍ତି ସହିତ ମଧୁର ସମ୍ପର୍କ ଅକ୍ଷୁର୍ଣ୍ଣ ରହେ ।
*(୩) ସହାସ୍ୟ ବଦନରେ କାର୍ଯ୍ୟ ସମ୍ପାଦନ :-* ହର୍ଷିତମୁଖତା ଏକ ଆକର୍ଷକ ଶୃଙ୍ଗାର ଯେଉଁଥିରେ ଆଦୌ ଖର୍ଚ୍ଚ କରିବାକୁ ପଡେ ନାହିଁ । ସହାସ୍ୟ ଓ ପ୍ରସନ୍ନ ବଦନ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଙ୍ଗ ଅଟେ । ଏହି ହାସ୍ୟ ନିଷ୍କପଟ ପ୍ରସନ୍ନତା ଓ ହୃଦୟାଭ୍ୟନ୍ତରୁ ଉତ୍ପନ୍ନ ହେଲେ ଆକର୍ଷକ ଓ ପ୍ରଭାବଶାଳୀ ହୁଏ । ସାମାଜିକ ଜୀବନ ଓ ସେବାରେ ସଫଳତା ପାଇଁ ଏହି ଗୁଣ ଅତ୍ୟାବଶ୍ୟକ ।
*(୪) ଅନ୍ୟମାନଙ୍କ ବିଚାର ଓ ବଚନକୁ ସମ୍ମାନ :* - ପ୍ରତ୍ୟେକଙ୍କ ବିଚାରର ବିଶେଷ ମହତ୍ତ୍ବ ରହିଛି । ଅନ୍ୟଠାରୁ ସହଯୋଗ ପ୍ରାପ୍ତ କରିବା ପାଇଁ ତାଙ୍କ ବିଚାର ଓ ବଚନକୁ ସମ୍ମାନ ଦେବା ଆବଶ୍ୟକ । ଆମେ ଆମ ବିଚାର ଅନୁରୂପ ଅନ୍ୟକୁ ନିର୍ଣ୍ଣୟ ନେବା ପାଇଁ ବାଧ୍ୟ କରି ପାରିବା ନାହିଁ । ଆମେ ଅନ୍ୟମାନଙ୍କ ବିଚାରକୁ ସମ୍ମାନ ନ ଦେଲେ ଅନ୍ୟ ମାନେ ଆମ ବିଚାରକୁ କାହିଁକି ସମ୍ମାନ ଦେବେ? ତେଣୁ ଆମେ କେବଳ ଆମ ବିଚାର ଉପସ୍ଥାପନ କରି ନିର୍ଣ୍ଣୟ ନେବା ଦାୟିତ୍ୱ ପ୍ରତିପକ୍ଷ ଉପରେ ନ୍ୟସ୍ତ କରି ନିଶ୍ଚିନ୍ତ ରହିବା ଉଚିତ । ପ୍ରତିପକ୍ଷ ଯେତେବେଳେ ଅନୁଭବ କରିବେ ଯେ ତାଙ୍କଠାରୁ ଆଶା କରାଯାଉଥିବା ସହଯୋଗ ତାଙ୍କ ବିଚାର ଓ ଯୋଜନା ବିରୁଦ୍ଧ ନୁହେଁ ତେବେ ସେ ସହର୍ଷ ଆମର ପ୍ରସ୍ତାବ ସ୍ବୀକାର କରିବେ । ସହଯୋଗକର୍ତ୍ତାଙ୍କୁ ଆଗରେ ରଖି କୌଣସି କାର୍ଯ୍ୟ ବା ଯୋଜନା କ୍ରିୟାନ୍ୱିତ କରିବା ହିଁ ସର୍ବୋତ୍ତମ ପନ୍ଥା ।
*(୫) ଅନ୍ୟ ମାନଙ୍କ ଋଚି ପ୍ରତି ସମ୍ମାନ :-* ପ୍ରତ୍ୟେକ ବ୍ୟକ୍ତିଙ୍କ ଋଚି ଭିନ୍ନ ଭିନ୍ନ ହୋଇଥାଏ । ଏହା ସ୍ବଭାବିକ ମଧ୍ୟ । ଆମ ପ୍ରତି ଅନ୍ୟମାନଙ୍କ ଋଚି ବଢୁ ବୋଲି ଯଦି ଆମେ ଚାହୁଁଥାଉ ତେବେ ପ୍ରଥମେ ସେମାନଙ୍କ ପ୍ରତି ଆମେ ଋଚି ନେବା ଆରମ୍ଭ କରିବାକୁ ହେବ । ଅନ୍ୟର ଋଚି, ଦୃଷ୍ଟିକୋଣ ଓ ଆବଶ୍ୟକତାକୁ ପ୍ରାଥମିକତା ଦେବା ଦ୍ୱାରା ତାଙ୍କ ସହିତ ଆମର ଆତ୍ମୀୟତାପୂର୍ଣ୍ଣ ସମ୍ବନ୍ଧ ସ୍ଥାପିତ ହୋଇଥାଏ । ସାମାଜିକ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ସେବା କରୁଥିବା ବ୍ୟକ୍ତି ପାଇଁ ଏହା ଅତ୍ୟାବଶ୍ୟକ ପନ୍ଥା । ଅନ୍ୟମାନଙ୍କ ଋଚି ଓ ପସନ୍ଦକୁ ପରଖିବାର କଳା ବିକାଶ କରିବାକୁ ହେବ । ଏହା ଦ୍ୱାରା ସଫଳତା ପ୍ରାପ୍ତି ସୁଗମ ହୋଇଥାଏ ।
*(୬) ପ୍ରଶଂସା, ସ୍ବୀକୃତି ଓ ମହତ୍ତ୍ବ ପ୍ରଦାନ:-* ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ପ୍ରଶଂସା, ସ୍ବୀକୃତି ଓ ମହତ୍ତ୍ବ ପ୍ରାପ୍ତ କରିବାର ଆନ୍ତରିକ ଅଭୀପ୍ସା ଥାଏ । ସେମାନଙ୍କ ମଧ୍ୟରେ ସମାହିତ ସକାରାତ୍ମକ ମୂଲ୍ୟାବଳୀର ଜାଗୃତି ପାଇଁ ସେମାନଙ୍କୁ ପ୍ରଶଂସା ଓ ଉତ୍ସାହିତ କରିବା ଆବଶ୍ୟକ । ପ୍ରଶଂସାର ଅର୍ଥ ତୋଷାମଦ ନୁହେଁ । ତୋଷାମଦରେ ସ୍ବାର୍ଥର ଗନ୍ଧ ଥାଏ । ତୋଷାମଦକାରୀ ଆମର ଶୁଭଚିନ୍ତକ ନୁହେଁ । ସେ ଆମର ପରମ ଶତ୍ରୁ । କୌଣସି ଶତ୍ରୁ ଅପେକ୍ଷା ତୋଷାମଦକାରୀ ମିତ୍ର ସର୍ବାଧିକ ଅହିତକାରୀ । ତା’ପ୍ରତି ସାବଧାନ ରହିବା ଉଚିତ ।
*(୭) ବାଣୀର ଶକ୍ତିକୁ ବୁଝିବା :* - ଶବ୍ଦ ହେଉଛି ମନୁଷ୍ୟର ଆନ୍ତରିକ ବିଚାରର ପ୍ରତିବିମ୍ବ । ଏହା ତୀର ଭଳି ଥରେ ନିର୍ଗତ ହେଲେ ଫେରିଯାଏ ନାହିଁ । ଏହି ଶବ୍ଦ ଦ୍ୱାରା ଅନେକ ବର୍ଷର ସମ୍ବନ୍ଧ ତୁଟି ପାରେ ଏବଂ ମିତ୍ରତା ଶତ୍ରୁତାରେ ପରିବର୍ତ୍ତିତ ହୋଇପାରେ । ପରିହାସ ଛଳରେ ବେଳେ ବେଳେ ଉଚ୍ଚାରିତ ଶବ୍ଦ ଭୟଙ୍କର ରୂପ ଧାରଣ କରିଥାଏ । ଜଣକ କଥା ଶୁଣିଥିବା କଥା ଅନ୍ୟ ଆଗରେ ବର୍ଣ୍ଣନା କରିବା ଅନୁଚିତ । ତେଣୁ କୁହାଯାଏ, “ମଧୁର ବିନୟ ବଚନ କହି ତୋଷିବ ଜନ ମନ ।”
*(୮) ନାମର ମହତ୍ତ୍ବ* :- ସମ୍ବନ୍ଧ ସମ୍ପର୍କରେ ଆସୁଥିବା ବ୍ୟକ୍ତିମାନଙ୍କ ନାମ ମନେ ରଖି ଆବଶ୍ୟକ ବେଳେ ସେମାନଙ୍କ ନାମ ଆଦର ସହିତ ସମ୍ବୋଧନ ପୂର୍ବକ କଥା ହେବା ଦ୍ୱାରା ସେମାନଙ୍କୁ ଖୁସି ଲାଗେ ।
ଏହାଦ୍ୱାରା ପରସ୍ପର ମଧ୍ୟରେ ଆତ୍ମୀୟତା ବଢ଼େ । କିନ୍ତୁ ଏଠାରେ ଗୋଟିଏ କଥାରେ ସାବଧନା ହେବା ଉଚିତ ଯାହା ନାମ ଧରି ଆମେ ଡାକିବା ବା କଥା ହେବା ସେ ବ୍ୟକ୍ତି ଆମର ସମସ୍କନ୍ଧ ବା ସମ ବୟସ ବା କମ ବୟସର ହୋଇଥିବା କଥା । ଅନ୍ୟଥା ଏହାର ବିପରୀତ ପ୍ରଭାବ ପଡ଼ିଥାଏ ।
*(୯) ନିଜ ଭୁଲ ସ୍ବୀକାର କରିବା :-* ଇଂରାଜୀରେ ଏକ ପ୍ରବାଦ ଅଛି, To err is human ଅର୍ଥାତ ମନୁଷ୍ୟ ମାତ୍ରକେ ଭୁଲ ହୁଏ । ଜାଣତ ବା ଅଜାଣତରେ ମଣିଷ ଭୁଲ କରିଥାଏ । ଭୁଲ୍ କଲାବେଳେ ଅନେକ ସମୟରେ ତାହା ଭୁଲ ବୋଲି ମନେ ହୋଇନଥାଏ; କିନ୍ତୁ ପରେ ତାହା ବୁଝି ହୁଏ । ଏପରି କ୍ଷେତ୍ରରେ ତୁରନ୍ତ ନିଜ ଭୁଲ ସ୍ବୀକାର କରିଦେବା ବୁଦ୍ଧିମାନୀ । ଅନ୍ୟମାନେ ଆମକୁ ଦୋଷ ଦେବା ପୂର୍ବରୁ ଆମେ ସ୍ବୟଂ ନିଜ ଭୁଲ ସ୍ବୀକାର କରି କ୍ଷମା ଯାଚନା କରିଦେବା ‘ସର୍ବୋତ୍ତମ । କ୍ଷମା ଯାଚନା ଦ୍ୱାରା ବ୍ୟକ୍ତି ଛୋଟ ହୋଇଯାଏ ନାହିଁ; ବରଂ ଏହାଦ୍ୱାରା ସେ ଅନ୍ୟମାନଙ୍କ ଦୃଷ୍ଟିରେ ଆହୁରି ମହାନ୍ ହୋଇଯାଏ । କ୍ଷମା ଯାଚନା ଦ୍ୱାରା ଚମତ୍କାରୀ ପରିଣାମ ମିଳି ଥାଏ । ଭୁଲ କରି ଲୁଚାଇବା ଓ ଏଥିପାଇଁ ରକ୍ଷାତ୍ମକ ପଦକ୍ଷେପ ନେବା ମୁର୍ଖତାର ପରିଚାୟକ । ମନେ ରଖିବାକୁ ହେବ ଯେ ସତ୍ୟତାର ନାବ ସାମୟିକ ହଲଚଲ ହୋଇପାରେ, କିନ୍ତୁ କେବେ ବୁଡ଼ିଯାଏ ନାହିଁ ।
*(୧୦) କାହା ପ୍ରତି ଟୀକା-ଟୀପ୍ପଣୀ କରିବା ଅନୁଚିତ :-* ଆମେ ଅନ୍ୟମାନଙ୍କଠାରୁ ଯେପରି ବ୍ୟବହାର ଆଶା କରୁ ପ୍ରଥମେ ସେମାନଙ୍କୁ ସେପରି ବ୍ୟବବହାର ଦେବାକୁ ହେବ । ନିଜ ବିଷୟରେ ଅନ୍ୟମାନଙ୍କଠାରୁ ଟୀକା-ଟୀପ୍ପଣୀ ଶୁଣିବା କାହାରିକୁ ଭଲ ଲାଗେ ନାହିଁ । ଏପରି ପରିସ୍ଥିତିରେ ସଂପୃକ୍ତ ବ୍ୟକ୍ତି ମନରେ କ୍ରୋଧ ଜାତ ହୁଏ ଓ ପ୍ରତିହିଂସା ପରାୟଣ ହୋଇପଡ଼େ । ଆଉ ମଧ୍ୟ ଟୀକା-ଟୀପ୍ପଣୀ ଦ୍ୱାରା କାହାରିକୁ ସୁଧୁରା ଯାଇ ପାରେ ନାହିଁ । କିନ୍ତୁ ବେଳେ ବେଳେ ଏମିତି ସମୟ ଆସେ ଯେତେବେଳେ କୌଣସି ବ୍ୟକ୍ତିର ଭୁଲ ବିଷୟରେ ଆଲୋଚନା କରିବା ଅତି ଆବଶ୍ୟକ ହୋଇପଡେ । ସେତେବେଳେ ନିମ୍ନ ବିଷୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ ।
କ) ସଂପୃକ୍ତ ବ୍ୟକ୍ତିର ଭୁଲ ଦର୍ଶାଇବା ପୂର୍ବରୁ ପ୍ରଥମେ ତାଙ୍କର କୌଣସି ଭଲ ଗୁଣର ପ୍ରଶଂସା କରନ୍ତୁ । ତା’ପରେ ନମ୍ରତା ଓ ସ୍ନେହ ଭାବ ସହିତ ତାଙ୍କ ଭୁଲ ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ । ଖ) ଏହି ଦୃଷ୍ଟି ଆକର୍ଷଣ ପ୍ରକ୍ରିୟା ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେଲେ ବେଶୀ ପ୍ରଭାବ ପଡ଼ିଥାଏ । ଗ) ଧ୍ୟାନ ଦେବାକୁ ହେବ ଯେ ସେହି ବ୍ୟକ୍ତିଙ୍କ ସହିତ ଆଲୋଚନା ବେଳେ ଅନ୍ୟ କେହି ତୃତୀୟ ପକ୍ଷ ଉପସ୍ଥିତ ରହିବା ଅନୁଚିତ ।
*(୧୧) ବାଦ ବିବାଦରୁ ଦୂର ରହିବା:* - ବୈଚାରିକ ମତ ଭିନ୍ନତା ବାଦ ବିବାଦର ରୂପ ନିଏ । ନିଜର ବାକ୍ ପଟୁତା ଓ ତଥ୍ୟାତ୍ମକ ପ୍ରମାଣ ଉପସ୍ଥାପନ କରି ଜଣେ ଅନ୍ୟକୁ ମିଥ୍ୟା ସାବ୍ୟସ୍ତ କରି ଦେଇ ପାରେ । ଏହାଦ୍ୱାରା ଉଭୟ ପକ୍ଷ ମଧ୍ୟରୁ କାହାରି ଲାଭ ହୋଇ ନ ଥାଏ । ଏହାଦ୍ୱାରା ପାରସ୍ପରିକ ସମ୍ବନ୍ଧ ତିକ୍ତ ହୁଏ । ମଣିଷ ଯେ ପର୍ଯ୍ୟନ୍ତ ନିଜ ଭୁଲ ନିଜେ ବୁଝି ନ ପାରିଛି ସେ ପର୍ଯ୍ୟନ୍ତ ସେଥିରେ ସେ ସୁଧାର ଆଣିବ ନାହିଁ । ତେଣୁ ବାଦ-ବିବାଦରୁ ଦୂର ରହିବା ଉଚିତ । ଅନ୍ୟକୁ ନିକୃଷ୍ଟ ପ୍ରତିପାଦନ କରି କେହି କେବେ ଶ୍ରେଷ୍ଠ ହୋଇ ପାରେ ନାହିଁ । ମାନବ ସମାଜରେ ବୈଚାରିକ ଭିନ୍ନତା ଏକ ସ୍ବଭାବିକ ବିଷୟ । ତେଣୁ ପ୍ରତ୍ୟେକଙ୍କ ବିଚାରକୁ ସମ୍ମାନ ଦେବାହିଁ ମାନବିକତାର ପରିଚାୟକ ।
*(୧୨) ଭାବାବେଗର ନିୟନ୍ତ୍ରଣ :-* ମତ ଭେଦ ହେଲେ କେହି କେହି କ୍ରୋଧ ବଶତଃ ଉତ୍ତେଜିତ ହୋଇ ପଡନ୍ତି । ମତଭେଦର ନିରାକରଣ କ୍ରୋଧ ଦ୍ୱାରା ନୁହେଁ, କେବଳ ଶାନ୍ତି ଦ୍ୱାରା ସମ୍ଭବ । କ୍ରୋଧଯୁକ୍ତ ବାଣୀର ପ୍ରଭାବ ସର୍ବଦା ନକାରାତ୍ମକ ହୋଇଥାଏ । ଏହା ଦ୍ୱାରା ବାତାବରଣ ଉପରେ ପ୍ରତିକୂଳ ପ୍ରଭାବ ପଡେ । କ୍ରୋଧ ଦ୍ୱାରା ଖୁସି ନଷ୍ଟ ହେବା ସେଙ୍ଗ ସେଙ୍ଗ ସ୍ବାସ୍ଥ୍ୟ ହାନି ମଧ୍ୟ ହୋଇଥାଏ । ତିରସ୍କାର, ଈର୍ଷା, ଘୃଣା ଅଦି କ୍ରୋଧର ସୂକ୍ଷ୍ମ ରୂପ । ଗୀତାରେ କ୍ରୋଧକୁ ଦୁର୍ଜୟ ଶତ୍ରୁ ବୋଲି କୁହାଯାଇଛି । ଏଣୁ ପାରସ୍ପରିକ ସମ୍ବନ୍ଧର ବିକାଶ ପାଇଁ ଏହି ମହା ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବା ଆବଶ୍ୟକ ।
🙏🙏🙏🙏🙏🙏🙏🙏🙏
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🙏🙏🙏🙏🙏🙏🙏🙏🙏
Comments
Post a Comment