(୪)ଚିନ୍ତା ଓ ଚେତନା---*ସାମ୍ପ୍ରତିକ ବିଶ୍ୱ ପରିଦୃଶ୍ୟ*
🌹🌹🌹🌹🌹🌹🌹🌹🌹
*ଚିନ୍ତା ଓ ଚେତନା(୪)*
🌹🌹🌹🌹🌹🌹🌹🌹🌹
*ସାମ୍ପ୍ରତିକ ବିଶ୍ୱ ପରିଦୃଶ୍ୟ*
🌺🌺🌺🌺🌺🌺🌺🌺🌺
*ସ୍ବାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ*
🌻🌻🌻🌻🌻🌻🌻🌻🌻
(ଶଂସିତ ଶୀର୍ଷକର ବିଷୟବସ୍ତୁ ପୂଜ୍ୟପାଦ ସ୍ବାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀଜୀଙ୍କ ଦ୍ୱାରା ସମଲେଶ୍ୱରୀ ମନ୍ଦିର, ସମ୍ବଲପୁରରେ ତାରିଖ: ୧୧ ରୁ ୧୫ ମଇ ୨ଠଠ୫ ପର୍ଯ୍ୟନ୍ତ ପ୍ରଦତ୍ତ ଦିବ୍ୟ ପ୍ରବଚନର ସଂକଳନ “ *ଯୁଗଧର୍ମ ଔର ମାନବ”* ପୁସ୍ତକର
ପ୍ରଥମ ଅଧ୍ୟାୟ ଆଧାରରେ ସମ୍ପାଦିତ । *ସମ୍ପାଦନା ଓ ଉପସ୍ଥାପନା-* *ଡାକ୍ତରସୁଧାଂଶୁଶେଖରମିଶ୍ର,* *ପାଟଣାଗଡ* )
🌷🌷🌷🌷🌷🌷🌷🌷🌷
ଆଜିଠାରୁ ବହୁତ ବର୍ଷ ପୂର୍ବେ ଆମର ଭବିଷ୍ୟତ ଦ୍ରଷ୍ଟା ମୁନି ଋଷିଗଣ ଆଗାମୀ ମାନବ ସମାଜର ସ୍ଥିତି ଓ ଗତି ବିଷୟରେ ସଚେତନ କରାଇଥିଲେ । ନିମ୍ନଲିଖିତ ଶ୍ଲୋକରୁ ଏହି ବିଷୟରେ ସମ୍ୟକ ଜଣାଯାଏ ।
*ଧର୍ମଂ ସଙ୍କୁଚିତଂ ତପୋବିରହିତଂ*
*ସତ୍ୟଂ ଚ ଦୂରଂ ଗତଂ*
*ଲୋକାଃ ଧର୍ମହତା ଦ୍ୱିଜାଶ୍ଚ ଲୁଭିତା*
*ନାରୀବଶାଃ ମାନବାଃ ।*
*ନିର୍ବିର୍ଯ୍ୟା ପୃଥିବୀ* *ନିରୌଷଧିରସା*
*ନୀଚାଂମହତ୍ତ୍ବଂ ଗତାଃ ।*
*ଭୂପାଲାଃ ନିଜ ଧର୍ମକର୍ମ ରହିତାଃ*
*ବିପ୍ରାଃ କୁମାର୍ଗଂ ଗତାଃ ।।*
*ଧର୍ମ ସଂକୁଚିତଂ:*
ଆଜି ଧର୍ମ ସଂକୁଚିତ ଅର୍ଥାତ ଏହି ବିଶ୍ୱରେ ଥିବା କୋଟି କୋଟି ଲୋକଙ୍କ ମଧ୍ୟରୁ ଖୁବ୍ କମ ଲୋକ ଯଥାର୍ଥ ଧର୍ମର ପାଳନ କରନ୍ତି । ନିଜକୁ ଧାର୍ମିକ ବୋଲି ପ୍ରଦର୍ଶନ କରୁଥିବା ଲୋକେ ଧର୍ମର ତତ୍ତ୍ବ ଓ ରହସ୍ୟ ଜାଣନ୍ତି ନାହିଁ । ଏଥିପାଇଁ ଧର୍ମକୁ ଭିତ୍ତିକରି ସଂସାରରେ ସବୁଠାରୁ ବେଶୀ ଅରାଜକତା ଓ ଅଶାନ୍ତି ଦେଖାଯାଉଛି । ଗୋଟିଏ ଧର୍ମର ଲୋକ ଅନ୍ୟ ଧର୍ମକୁ ନିନ୍ଦା କରି ନିଜ ଧର୍ମକୁ ଶ୍ରେଷ୍ଠ ବୋଲି ପ୍ରଚାର କରୁଛି । ଏହା ସାମ୍ପ୍ରଦାୟିକ ସଂଘର୍ଷର ଏକମାତ୍ର କାରଣ । ବିଡ଼ମ୍ବନା ଏହି ଯେ ଏହି ସଂଘର୍ଷର ପୁରୋଧା ହେଉଛନ୍ତି ତଥାକଥିତ ଧର୍ମନେତା, ରାଜନେତା ଏବଂ ଶାସକ ବର୍ଗ ।
*ତପୋବିରହିତଂ* :
ବର୍ତ୍ତମାନର ଏହି କଳିଯୁଗରେ ବିନା ତ୍ୟାଗ ଓ ତପସ୍ୟାରେ ସିଦ୍ଧ ହେବା ପାଇଁ ଲୋକେ ପ୍ରୟାସ କରନ୍ତି । ଇଲେକ୍ଟ୍ରୋନିକ ଗଣ ମାଧ୍ୟମ ପ୍ରଚୁର ଅର୍ଥ ବିନିମୟରେ ଅନେକ ପାଖାଣ୍ଡି ବ୍ୟକ୍ତିକୁ ମଧ୍ୟ ରାଷ୍ଟ୍ରୀୟ ସନ୍ଥ ରୂପେ ପ୍ରଚାର କରିବାକୁ ପଶ୍ଚାତ୍ପଦ ହୁଅନ୍ତି ନାହିଁ । ଏହା ଆତ୍ମ ପ୍ରବଞ୍ଚନା ନୁହେଁ ତ ଆଉ କ’ଣ? ସଂପ୍ରତି ତଥାକଥିତ ସାଧୁ ମହାତ୍ମାମାନଙ୍କ ମଧ୍ୟରେ ମହତ୍ତ୍ବାକାଂକ୍ଷା ଓ ଆତ୍ମ ପ୍ରଶଂସାର ମହାମାରୀ ବ୍ୟାପକ ହେବାକୁ ଲାଗିଛି । ତ୍ୟାଗ ନାହିଁ, ତପସ୍ୟା ନାହିଁ, ବୈରାଗ୍ୟ ନାହିଁ, ଜୀବନ ପ୍ରତି ଯଥାର୍ଥ ଦୃଷ୍ଟିକୋଣ ନାହିଁ ଓ ଜଗତ ପ୍ରତି କୌଣସି ଅବଦାନ ନାହିଁ; ତଥାପି ଗଣମାଧ୍ୟମ ଗୁଡ଼ିକର କୃପା ପ୍ରାପ୍ତ ହେଲେ ଜଣେ ଅନାୟାସରେ ମହାନ ହୋଇପାରୁଛି ।
*ସତ୍ୟଂ ଚ ଦୂରଂ ଗତଂ:*
ସମ୍ପ୍ରତି ମଣିଷ ସତ୍ୟଠାରୁ ଖୁବ୍ ଦୂରକୁ ଚାଲି ଯାଇଛି । କାହାକୁ ଯଦି ସତ୍ୟ କହିବାକୁ କୁହାଯାଏ ତେବେ ପ୍ରତ୍ୟୁତ୍ତର ମିଳେ, “ଯଦି ଆମେ ସତ କହିବୁ ବ୍ୟବସାୟ ଚଳିବ ନାହିଁ । କେହି ଆମର ବନ୍ଧୁ ହେବାକୁ ଚାହିଁବେ ନାହିଁ ଓ ଆମେ ସମାଜରେ ଏକାକୀ ରହିଯିବୁ ।” ଏହା ହେଉଛି ଅଧିକାଂଶ ଲୋକଙ୍କ ମାନସିକତା । ଅଥଚ କାହାରିକୁ ମିଥ୍ୟାବାଦୀ କହିଲେ ସେ ରାଗିଯାଆନ୍ତି । ଏହି ଶବ୍ଦ ଗାଳିର ଦ୍ୟୋତକ । କିନ୍ତୁ ବିଡ଼ମ୍ବନା ଏହି ଯେ ସେହିମାନେ ହିଁ ଦିନଯାକ ଅନେକ ବାର ମିଛ କହିବାକୁ କୁଣ୍ଠିତ ହୁଅନ୍ତି ନାହିଁ ।
*ଲୋକାଃ ଧର୍ମହତାଃ:*
ଆଜି ବ୍ୟକ୍ତି ନିଜକୁ ଧାର୍ମିକ କହିବାକୁ ଲଜ୍ଜ୍ୟା ଅନୁଭବ କରେ । କାରଣ ଆମ ଦେଶରେ କେତେକ ଲୋକ ଧର୍ମକୁ ସମ୍ପ୍ରଦାୟ ବୋଲି ପ୍ରଚାର କରନ୍ତି । ଧାର୍ମିକ ଲୋକମାନଙ୍କୁ ସେମାନେ ସାମ୍ପ୍ରଦାୟିକ ବୋଲି କଟାକ୍ଷ କରନ୍ତି । ସେମାନେ ସମ୍ପ୍ରଦାୟର ବାସ୍ତବିକ ଅର୍ଥ ଜାଣନ୍ତି ନାହିଁ । ସମ୍ୟକ ଭାବରେ ଯେଉଁଠି କିଛି ପ୍ରଦାନ କରାଯାଏ ସେହି ସମୁଦାୟ, ଗୋଷ୍ଠୀ ଓ ପରମ୍ପରାକୁ ସମ୍ପ୍ରଦାୟ କୁହାଯାଏ । ଗୁରୁ ମାଧ୍ୟମରେ ଶିଷ୍ୟକୁ ପ୍ରାପ୍ତ ହେଉଥିବା ଜ୍ଞାନର ପରମ୍ପରାକୁ ମଧ୍ୟ ସମ୍ପ୍ରଦାୟ କୁହାଯାଏ । ଗୁରୁ ହେଉଛନ୍ତି ଦାତା ଓ ଶିଷ୍ୟ ହେଉଛି ଗ୍ରହୀତା । ଦୀକ୍ଷା ଏକ ପରମ୍ପରା, ଏକ ପ୍ରକ୍ରିୟା । ଏହି ମାଧ୍ୟମରେ ଗୁରୁ ଶିଷ୍ୟ ପ୍ରତି ଶକ୍ତିପାତ କରିଥାନ୍ତି । ଏହା ମନ୍ତ୍ର, ସ୍ପର୍ଶ ବା ଦୃଷ୍ଟିପାତ ମାଧ୍ୟମରେ ହୋଇଥାଏ । କେବଳ କାନରେ ମନ୍ତ୍ର ଉଚ୍ଚାରଣ କରିବାକୁ ଦୀକ୍ଷା କୁହାଯାଏ ନାହିଁ ।
ଆଜି ଧର୍ମକୁ ନେଇ ଲୋକେ ଦିଗଭ୍ରମିତ । ରାଜନେତାମାନଙ୍କ ଦ୍ୱାରା ଧର୍ମର ଭୁଲ ବ୍ୟାଖ୍ୟା କରାଯାଉଥିବାରୁ ଲୋକଙ୍କ ମଧ୍ୟରେ ଧର୍ମଭାବନା କ୍ଷୀଣ ହେବାକୁ ଲାଗିଛି । ଧର୍ମାଚାର୍ଯ୍ୟମାନଙ୍କ ଦ୍ୱାରା କରାଯାଇଥିବା ଧର୍ମର ବ୍ୟାଖ୍ୟାକୁ ସେମାନେ ବୁଝୁ ନାହାନ୍ତି । ଏଥିପାଇଁ ହିଁ ସଂଘର୍ଷ ହେଉଛି । ଯଦି ଧର୍ମର ଆଚରଣ ହେବ ନାହିଁ ତେବେ ଅଧର୍ମାଚରଣ ବୃଦ୍ଧି ପାଇବ । ପାଶ୍ଚାତ୍ୟ ଜଗତର ଭୋଗବାଦୀ ସଂସ୍କୃତିର ଅନ୍ଧାନୁସରଣ କରି ଆମେ ଦୁର୍ଦ୍ଦଶା ଭୋଗ କରୁଛୁ । ନିଜର ସୌନ୍ଦର୍ଯ୍ୟ ରକ୍ଷାଲାଗି ମାଁ ନିଜ ଶିଶୁକୁ ସ୍ତନ୍ୟପାନ କରାଇବାକୁ କୁଣ୍ଠିତ । ଏପରି ମାଁ’ର ପୁତ୍ରଠାରୁ ନାରୀ ଜାତି ପ୍ରତି କିପରି ସଦ୍ଭାବ ଓ ସମ୍ମାନର ଆଶା କରାଯିବ? ଅପରାଧ ବୃଦ୍ଧିର ଏହା ମଧ୍ୟ ଏକ କାରଣ ।
*ଦ୍ୱିଜାଶ୍ଚ ଲୁଭିତାଃ:*
ଯାହାର ଦୁଇଥର ଜନ୍ମ ହୁଏ ତାକୁ ଦ୍ୱିଜ କୁହାଯାଏ । ଏଠାରେ ଦ୍ୱିଜ ଶବ୍ଦ ବ୍ରାହ୍ମଣର ଦ୍ୟୋତକ । କାରଣ ଏହାର ଦୁଇଥର ସଂସ୍କାର ହୋଇଥାଏ । ଯେଉଁ ଜାତି ସଂସ୍କୃତ ଅଟନ୍ତି ସେମାନଙ୍କୁ ଦ୍ୱିଜ କୁହାଯାଏ । ପ୍ରାଚୀନ କାଳରେ ସେମାନେ କର୍ମକାଣ୍ଡ ମାଧ୍ୟମରେ, ଯଜ୍ଞ ମାଧ୍ୟମରେ ନିଜ ସଂସ୍କୃତି ଓ ପରମ୍ପରା ସହିତ ଇତିହାସ, ଭୂଗୋଳ, ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ-ସବୁକୁ ସୁରକ୍ଷିତ ରଖିଥିଲେ । ଯଜ୍ଞ କରିବା ଦ୍ୱାରା ବର୍ଷା କଥା ସମସ୍ତେ ଜାଣନ୍ତି । କିନ୍ତୁ ସେହି ଯଜ୍ଞ କ’ଣ ଓ କିପରି ହୋଇଥାଏ ତତ୍ ସମ୍ବନ୍ଧିତ ବୈଜ୍ଞାନିକ ସତ୍ୟ କେହି ଜାଣନ୍ତି ନାହିଁ । ଯଜ୍ଞ, ଯୋଗ, ପୂଜା-ପାଠ, ସାଧନା, ଉପାସନା, ଜପ ଆଦି ସବୁ ବିଜ୍ଞାନ । ଏହାର ବୈଜ୍ଞାନିକ ପ୍ରକ୍ରିୟା ଅଧିକାଂଶ ଜାଣନ୍ତି ନାହିଁ । ଏହିଗୁଡ଼ିକ କେବଳ ଏକ ଏକ କୌଳିକ ପ୍ରଥା ହୋଇ ରହିଯାଇଛି । ଏହାକୁ ବୁଝିବା ପାଇଁ ଏଠାରେ ଏକ ଉଦାହରଣ ଦିଆଯାଇପାରେ । କୌଣସି ଏକ ପରିବାରରେ ସତ୍ୟନାରାୟଣ କଥା ବେଳେ ଏକ ବିରାଡ଼ିକୁ ଟୋକେଇରେ ଢ଼ାଙ୍କି ରଖିବାର ପ୍ରଥା ଥିଲା । ପୂଜା ସହିତ ଏହାର ସମ୍ବନ୍ଧ କ’ଣ କାହାରିକୁ ଜ୍ଞାତ ନଥିଲା । ପୂର୍ବ ପୁରୁଷମାନଙ୍କ ଦ୍ୱାରା ଆଦୃତ ଏହି ପ୍ରଥା ବର୍ତ୍ତମାନର ପିଢ଼ି ଦ୍ୱାରା ଅନ୍ଧ ଭାବରେ ଆଚରିତ ହେଉଛି । ଟିକିଏ ସୂକ୍ଷ୍ମରେ ବିଚାର କଲେ ବୁଝିହେବ ଯେ ସେତେବେଳେ ପ୍ରତ୍ୟେକ ଘରେ ଗାଈ ପାଳିତ ହେଉଥିଲେ । ତେଣୁ ଘରମାନଙ୍କରେ ବିରାଡ଼ି ଆସୁଥିଲା । ବିରାଡ଼ି ଦ୍ୱାରା ପୂଜାରେ ବିଘ୍ନ ଉତ୍ପନ୍ନ ହେବାର ଆଶଂକା କରି କୌଣସି ପୁରୋହିତ ତାକୁ ଟୋକେଇରେ ଢ଼ାଙ୍କିବାର ପରାମର୍ଶ ଦେଇଥିବେ । କିନ୍ତୁ ଆଜି ମଧ୍ୟ ଉକ୍ତ ପରିବାରରେ ସତ୍ୟନାରାୟଣ କଥା ହେଲେ ଖୋଜି ଖୋଜି ଏକ ବିରାଡ଼ି ସଂଗ୍ରହ କରାଯାଏ ଓ ତାକୁ ପୂଜା ସରିବା ପର୍ଯ୍ୟନ୍ତ ଟୋକେଇରେ ଢ଼ାଙ୍କି ରଖାଯାଏ । ଆଜି କର୍ମକାଣ୍ଡରେ ମଧ୍ୟ ଏହି କଥା ହେଉଛି । ଏବେ ଲୋକଙ୍କ ମଧ୍ୟରେ ସଂଯମତା ନାହିଁ । ମଣିଷର ବିବେକ ଓ ବୈଜ୍ଞାନିକ ଦୃଷ୍ଟିକୋଣ ଲୋଭ ଦ୍ୱାରା ଆବୃତ୍ତ । ଦ୍ୱିଜ ବା ବ୍ରାହ୍ମଣମାନେ ମଧ୍ୟ ଏଥିରୁ ବାଦ୍ ଯାଇ ନାହାନ୍ତି । ଦକ୍ଷିଣାର ପରିଣାମ ଅନୁରୂପ ପୂଜାର ଅବଧି ଓ ବିଧି ଭିନ୍ନ ଭିନ୍ନ ହୋଇଥାଏ । ସେମାନଙ୍କ ପାଇଁ ପୂଜା ଅପେକ୍ଷା ଦକ୍ଷିଣାର ପ୍ରାଧାନ୍ୟ ବେଶୀ ।
*ନାରୀବଶାମାନବାଃ* :-
ଆଜି ପୁରୁଷ ନାରୀ ଦ୍ୱାରା ବଶୀଭୂତ । ନାରୀ ଯାହା ଚାହିଁବ ପୁରୁଷ ଦ୍ୱାରା କରାଇ ପାରିବ ।
*ନିର୍ବୀଯ୍ୟା ପୃଥିବୀ:-*
ବର୍ତ୍ତମାନ ପୃଥିବୀ ଧୀରେ ଧୀରେ ନିର୍ବୀଯ୍ୟ ହେବାରେ ଲାଗିଛି । ପନିପରିବା, ଫଳମୂଳ, ଖାଦ୍ୟଶସ୍ୟ ଆଦିର ପୂର୍ବଭଳି ପୁଷ୍ଟି ଓ ସ୍ବାଦ ନାହିଁ । ମଣିଷ ପ୍ରାକୃତିକ ଖତ ପରିବର୍ତ୍ତେ ରାସାୟନିକ ସାର ଜମିରେ ବ୍ୟବହାର କରୁଛି । ମାଟିର ସ୍ବାଭାବିକ ଉର୍ବରତା ନଷ୍ଟ ହୋଇସାରିଲାଣି । ବିନା ସାରରେ ଫସଲ ହେଉନାହିଁ । କାରଣ ପୃଥିବୀ ନିର୍ବୀଯ୍ୟା ହୋଇଯାଇଛି ।
*ନିରୌଷଧିରସାଃ* :-
ଜଳରୁ ଔଷଧୀୟ ତତ୍ତ୍ବ ସମାପ୍ତ ହେବାକୁ ଲାଗିଛି । ମହାନଦୀଠାରୁ ଆରମ୍ଭ କରି ଗଙ୍ଗାନଦୀ ପର୍ଯ୍ୟନ୍ତ ଦୂଷିତ । ଜଳର ଅର୍ଥ ଜୀବନ । ଜଳସ୍ରୋତ ଯଦି ଦୂଷିତ ହେବ ତେବେ ଜୀବନ ମଧ୍ୟ ତଦନୁରୂପ ହେବ । ଜଳ ଏକ ନୈସର୍ଗିକ ଔଷଧ । ତେଣୁ ଯୋଗ ଶାସ୍ତ୍ରରେ ଉଷାପାନକୁ ବିଶେଷ ମହତ୍ତ୍ବ ଦିଆଯାଇଛି । ଏହାଦ୍ୱାରା ପେଟ ଠିକ୍ ରହେ ଓ ଶରୀର ସୁସ୍ଥ ରହେ । କିନ୍ତୁ ଆଜି ମଣିଷ ତାକୁ ମଧ୍ୟ ପ୍ରଦୂଷିତ କରିଦେଇଛି ।
*ନୀଚାଂ ମହତ୍ତ୍ବଂଗତାଂ:-* ଭାରତରେ ଶ୍ରେଷ୍ଠ ବ୍ୟକ୍ତିର ଆଜି କୌଣସି ଆଦର ନାହିଁ । ଯାହା ପାଖରେ ଜ୍ଞାନ ଅଛି, ଯିଏ ସମାଜ ପାଇଁ କିଛି କରିପାରିବ, ସିଏ ଆଜି ଉପେକ୍ଷିତ । ଯେଉଁମାନଙ୍କ ଦ୍ୱାରା କିଛି ହେବନାହିଁ ସେମାନଙ୍କୁ ଉଚ୍ଚସ୍ଥାନ ପ୍ରଦାନ କରାଯାଉଛି । “ *ଅପୂଜ୍ୟାଃ ଯତ୍ର ପୂଜ୍ୟନ୍ତେ ପୂଜ୍ୟପୂଜା ବ୍ୟତିକ୍ରମଃ । ଚତ୍ୱାରି ତସ୍ୟ ନଶ୍ୟନ୍ତି ହ୍ୱାୟୁ ବିଦ୍ୟାଯଶୋ ବଲମ୍ାା”* ଅର୍ଥାତ୍ ଯେଉଁଠି ପୂଜ୍ୟ ଲୋକମାନଙ୍କର ପୂଜାରେ ବ୍ୟତିକ୍ରମ ହେବ ଓ ଅପୂଜ୍ୟ ଲୋକମାନଙ୍କ ପୂଜା ହେବ ସେଠାରେ ଆୟୁ, ବିଦ୍ୟା, ଯଶ ଓ ବଳ ଏ ଚାରି ଜିନିଷ ନଷ୍ଟ ହୋଇଯାଆନ୍ତି । ଆଜି ଗଣମାଧ୍ୟମଦ୍ୱାରା ଗୁଣ୍ଡା ଓ ବଦମାଶ୍ ଲୋକଙ୍କର ଯେପରି ପ୍ରଚାର ହେଉଛି ସେପରି ସାଧୁସନ୍ଥଙ୍କ ହେଉନାହିଁ । ସତ୍କର୍ମ ଓ ସଦବିଚାର ଅପେକ୍ଷା ଅସତ୍କର୍ମଗୁଡ଼ିକ ସେମାନଙ୍କ ମୁଖ୍ୟ ସମାଚାର ଭାବେ ସ୍ଥାନ ପାଇଛି । ଯେଉଁ ବିଷୟକୁ ମହତ୍ତ୍ବ ଦିଆଯାଏ ତାହାହିଁ ବୃଦ୍ଧି ପାଏ । ଆଜି ତାହାହିଁ ହେଉଛି । ବର୍ତ୍ତମାନ ହତ୍ୟା, ବ୍ୟଭିଚାର, ଡକାୟତି ଏବଂ ଧର୍ଷଣ ଭଳି ଘଟଣାଗୁଡ଼ିକୁ ବେଶୀ ମହତ୍ତ୍ବ ମିଳୁଛି । ତେଣୁ ସମାଜରେ ସେଗୁଡ଼ିକର ବିକାଶ ହେଉଛି । ଏହାର କାରଣ ହେଲା ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତି ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ନାହିଁ । ଯୋଗ୍ୟ ବ୍ୟକ୍ତି ହାତରେ ଶାସନ ନାହିଁ । ଏଥିପାଇଁ ଲୋକେ ଯୁଗକୁ ଦୋଷ ଦିଅନ୍ତି । ନିଜ ଦୋଷ ଦେଖନ୍ତି ନାହିଁ । ଗୋସ୍ବାମୀ ତୁଳସୀ ଦାସ କଳିଯୁଗର ମହିମା ଗାନ କରି କହନ୍ତି-
*କଲିଯୁଗ ସମଯୁଗ ଆନ ନହିଁ*
*ଜୋ ନର କର ବିଶ୍ୱାସ ।*
*ଗାଇ ରାମ ଗୁନଗନ ବିମଲ*
*ଭବତର ବିନହି ପ୍ରୟାସ ।।*
ଯଦି ମନୁଷ୍ୟ ମଧ୍ୟରେ ବିଶ୍ୱାସ ଅଛି ତେବେ କଳିଯୁଗ ସମ ଆଉ କୌଣସି ଯୁଗନାହିଁ । କାରଣ, “ *କଲିଯୁଗ କେବଳ ନାମ ଆଧାରା । ସୁମରି ସୁମରି ନର ଉତରହିଁ ପାରା* ।” କଳିଯୁଗରେ ଭଗବାନଙ୍କ ନାମ ସଂକୀର୍ତ୍ତନ ପ୍ରଭାବ ସର୍ବାଧିକ । କଳିଯୁଗରେ ଭଗବାନଙ୍କ ନାମ ସଂକୀର୍ତ୍ତନ କରି କରି ବିନା ପ୍ରୟାସରେ ମଣିଷ ଭବ ସାଗର ପାର କରିବାକୁ ସକ୍ଷମ ହୋଇପାରେ ।
🌸🌸🌸🌸🌸🌸🌸🌸🌸
ସୌଜନ୍ୟ: ଋତମ୍ଭରା ପ୍ରଜ୍ଞା ପ୍ରକାଶନ
ବିଶ୍ୱାତ୍ମା ଚେତନା ପରିଷଦ, ବଲାଙ୍ଗିର, ଓଡ଼ିଶା
🙏🙏🙏🙏🙏🙏🙏🙏🙏
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🙏🙏🙏🙏🙏🙏🙏🙏🙏
Comments
Post a Comment