(୧୯)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୯) ----- ମୂଲ୍ୟବୋଧ ଭିିକ ଶିକ୍ଷା ଓ ଆଧ୍ୟାତ୍ମିକତା
🌷🌷🌷🌷🌷🌷🌷🌷🌷
*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୯)*
🌻🌻🌻🌻🌻🌻🌻🌻🌻
*ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ଆଧ୍ୟାତ୍ମିକତା*
🌺🌺🌺🌺🌺🌺🌺🌺🌺
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌹🌹🌹🌹🌹🌹🌹🌹🌹
ମୂଲ୍ୟ ଏବଂ ଆଧ୍ୟାତ୍ମିକତା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ବ । ଅନ୍ୟ ଅର୍ଥରେ ଉଭୟେ ଉଭୟଙ୍କ ପରି ପୂରକ । ଗୋଟିଏ ବିନା ଅନ୍ୟଟି ଅର୍ଥହୀନ । ଧାର୍ମିକ ଗ୍ରନ୍ଥମାନଙ୍କରେ ଏ ଉଭୟଙ୍କୁ ଧର୍ମର ଏକ ମହତ୍ତ୍ବପୂର୍ଣ୍ଣ ସଂଯୋଗ ବୋଲି ବିଚାର କରାଯାଇଛି । ମୂଲ୍ୟ ଏବଂ ଆଧ୍ୟାତ୍ମିକତା ମାନବ ସଭ୍ୟତାର କେନ୍ଦ୍ର ଅଟେ । ତେଣୁ ପାରିବାରିକ ଓ ସାମାଜିକ ଏକତା ଏକ ଅପରିହାର୍ଯ୍ୟ ଉପାଦାନ । ବିଭିନ୍ନ ବୈଧ ପ୍ରତିଷ୍ଠାନଗୁଡିକ ଯେଉଁ ନୈତିକ ଦର୍ଶନ ଆଧାରରେ ଗଠିତ ହୋଇଥାଏ ସେ ସବୁର କେନ୍ଦ୍ର ହେଉଛି ମୂଲ୍ୟ ଓ ଆଧ୍ୟାତ୍ମିକତା । କିନ୍ତୁ ବିଡମ୍ବନା ଏହି ଯେ ଭୌତିକବାଦୀ ମଣିଷ କ୍ଷଣିକ ସୁଖ ପାଇଁ ବ୍ୟବହାରିକ ଜୀବନରେ ଏହାର ଉପେକ୍ଷା କରି ଆସୁଛି । ପରିଣାମ ସ୍ବରୂପ ମାନବ ସମାଜ ଆଜି ମୂଲ୍ୟ ହ୍ରାସର ଶିକାର ହୋଇ ପଡିଛି । ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷାର ବ୍ୟାପକ ପ୍ରଚଳନ ଅତ୍ୟାବଶ୍ୟକ ମନେ ହୁଏ ।
ବର୍ତ୍ତମାନ ଶିକ୍ଷାର ଲକ୍ଷ୍ୟ ଜୀବିକା ନିର୍ବାହ ପାଇଁ ବିଦ୍ୟାର୍ଥୀମାନଙ୍କୁ ସମର୍ଥ କରାଇବା । ତେଣୁ ଏହା ପ୍ରତିଯୋଗିତା ମୂଳକ ହୋଇ ପଡିଛି । ପରୀକ୍ଷାରେ ଅଧିକରୁ ଅଧିକ ଅଙ୍କ ପ୍ରାପ୍ତ କରିବାର ପ୍ରତିଯୋଗିତା ହେତୁ ଛାତ୍ରମାନେ ଆପଣା ମୂଲ୍ୟ, ସଂସ୍କୃତି, ଏକତା, ସତ୍ୟନିଷ୍ଠା ଏବଂ ଅନ୍ୟ ମାନସିକ ଦକ୍ଷତାକୁ ଗୁରୁତ୍ୱ ପ୍ରଦାନ କରନ୍ତି ନାହିଁ, ଛାତ୍ରମାନେ ହେଉଛନ୍ତି ଭବିଷ୍ୟତ ସମାଜର ମୂଳ ଦୁଆ । ସେମାନେ ମୂଲ୍ୟନିଷ୍ଠ ଓ ଆଧ୍ୟାତ୍ମିକ ଜୀବନ ଯାପନ କଲେ ସେମାନଙ୍କ ମଧ୍ୟରେ ଦିବ୍ୟଗୁଣାବଳୀର ବିକାଶ ହେବ ଓ ଆଗାମୀ ସମୟରେ ଏକ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧ ସଭ୍ୟ ସମାଜର ନବ ସୃଜନ ପାଇଁ ପଥ ପ୍ରଶସ୍ତ ହେବ । ଆମେ ଏକଥା ସ୍ମରଣ ରଖିବା ଉଚିତ ଯେ ବ୍ୟବହାରିକ ଜୀବନରେ ମୂଲ୍ୟଗୁଡିକର ଅଭାବହିଁ ସମସ୍ତ ପ୍ରକାର ସାମାଜିକ ସମସ୍ୟାର ମୂଳ କାରଣ ।
ଆର୍ଥିକ ସ୍ବାବଲମ୍ବନ ପାଇଁ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ । କିନ୍ତୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ପାରିବାରିକ ଓ ସାମାଜିକ ଆହ୍ୱାନଗୁଡିକର ସମ୍ମୁଖୀନ ହେବା ପାଇଁ ଆବଶ୍ୟକ ବିଭିନ୍ନ ସଦ୍ଗୁଣର ବିକାଶ ହେତୁ ସକ୍ଷମ ନୁହେଁ ।ଚାରିତ୍ରିକ, ଆନ୍ତରିକ ଓ ନିର୍ଣ୍ଣୟ ଶକ୍ତିର ବିକାଶ ବିନା ସାମାଜିକ ଓ ବ୍ୟବସାୟିକ ସ୍ତରରେ ଅଗ୍ରସର ହେବା ସମ୍ଭବ ନୁହେଁ । ମାନବ ଜୀବନ ଗୋଲାପର ଶଯ୍ୟା ନୁହେଁ । ଧନୀ ହୁଅନ୍ତୁ କି ଦରିଦ୍ର ପ୍ରତ୍ୟେକଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟା ଓ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଥାଏ । ଏଗୁଡିକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ମୂଲ୍ୟଗୁଡିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ।
ବାସ୍ତବ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ହେଉଛି ପ୍ରକୃତି ଦ୍ୱାରା ନିର୍ମିତ ବିଶାଳ ସଂସାର ଅପେକ୍ଷା ମଣିଷ ମନର ଅନ୍ତର୍ମନକୁ ଆକର୍ଷଣ କରିବା । ତେଣୁ ବିବେକାନନ୍ଦ ଯଥାର୍ଥରେ କହିଛନ୍ତି, “ଅଧ୍ୟୟନ ହେଉଛି ମଣିଷ ଅନ୍ତରରେ ଥିବା ପୂର୍ଣ୍ଣତାର ପ୍ରଦାର୍ଶନ ମାତ୍ର” । କିନ୍ତୁ ଅଧ୍ୟୟନ ନିଷ୍ଠାପୂର୍ବକ ହେବା ଉଚିତ । ବିପରୀତ ପରିସ୍ଥିତିରେ ପଶ୍ଚାଦପଦ ନ ହୋଇ ଆଗକୁ ଅଗ୍ରସର ହେବା, ପରିଚିତ ସଂସାରକୁ ଆଡେଇ ଅପରିଚିତ ରାସ୍ତାରେ ଚାଲିବା, ଆଧ୍ୟାତ୍ମିକ ପ୍ରତି ଅଗ୍ରସର ହେବା ତଥା ଅନ୍ତର୍ମନ ଓ ବାହ୍ୟ ଦୁନିଆ ଦ୍ୱାରା ପ୍ରସ୍ତୁତ ବ୍ୟବଧାନ ସତ୍ତ୍ବେ ଦୃଢ ପଦକ୍ଷେପ ହେଉଛି ନିଷ୍ଠାର ଅର୍ଥ । ଆଧ୍ୟାତ୍ମିକ ଚେତନାର ବିକାଶ ଏବଂ ବ୍ୟକ୍ତିଗତ ଜୀବନରେ ମୂଲ୍ୟ ଧାରଣ ପାଇଁ ଉଦ୍ଦିଷ୍ଟ ନିଷ୍ଠା ସର୍ବୋତ୍ତମ ପଦବାଚ୍ୟ । ଏହିପରି ନିଷ୍ଠାବାନ ବ୍ୟକ୍ତିମାନଙ୍କ କ୍ଷୁଦ୍ର ସଂଖ୍ୟକ ସଂଗଠନ ମଧ୍ୟ ବିଶ୍ୱ ନବ ନିର୍ମାଣର ପଥ ପ୍ରଶସ୍ତ କରେ ।
ସଫଳତା ବହୁମୁଖୀ ହେଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ପାରମ୍ପାରିକ ଶିକ୍ଷା ଆମକୁ କେବଳ ଭୌତିକ ସଫଳତା ପ୍ରଦାନ କରିଥାଏ । କିନ୍ତୁ ଏଥିରେ ଯଦି ମୂଲ୍ୟ ଶିକ୍ଷାର ସମାବେଶ ହୁଏ ତେବେ ଏହା ପୂର୍ଣ୍ଣାଙ୍ଗ ହେବ ଓ ଏହାଦ୍ୱାରା ବ୍ୟକ୍ତିର ଭୌତିକ ସଫଳତା ସହିତ ଭାବନାତ୍ମକ, ସାମାଜିକ ଏବଂ ଆଧ୍ୟାତ୍ମିକ ସ୍ତରରେ ମଧ୍ୟ ସଫଳତା ପ୍ରାପ୍ତିର ସମ୍ଭାବନା ବୃଦ୍ଧି ପାଇଥାଏ । ବର୍ତ୍ତମାନ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା ହଂସା, ଦ୍ୱେଷ, କଳହ, କ୍ଲେଶ, ଭ୍ରଷ୍ଟାଚାର ଓ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ମୂଲ୍ୟ ଶିକ୍ଷା ହିଁ ଏକମାତ୍ର ବିକଳ୍ପ । କାରଣ ମୂଲ୍ୟ ଧାରଣ ଦ୍ୱାରା ବିବେକ ସ୍ବଚ୍ଛ ହୁଏ ଏବଂ ଆନ୍ତରିକ ଶକ୍ତି ଉଦୟ ହୋଇ ସମସ୍ତ ପ୍ରକାର ମାନବୀୟ ଦୁର୍ବଳତା ଦୂର ହୁଏ । ଭାବାତ୍ମକ ହୋଇଥିବା କାରଣରୁ ଧାରଣ କରିବା ସାଧନା ସାପେକ୍ଷ । କିନ୍ତୁ ଭୌତିକବାଦ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ ଏହା କଷ୍ଟକର ମନେ ହୁଏ । ସେମାନେ ଆଧ୍ୟାତ୍ମିକ ମୂଲ୍ୟର ତୁଳନା ଭୌତିକ ମୂଲ୍ୟ ସହିତ କରନ୍ତି । ତେଣୁ ଆଧ୍ୟାତ୍ମିକ ମୂଲ୍ୟବୋଧ ହ୍ରାସ ପାଇ କଳୁଷିତ ହୋଇଥାଏ ଓ ଭୌତିକ ମୂଲ୍ୟର ପ୍ରାଧାନ୍ୟ ବୃଦ୍ଧି ପାଇଥାଏ । ଆମକୁ ମନେରଖିବାକୁ ହେବ ଯେ ମୂଲ୍ୟ ମନ, ଭାବନା ଓ ଆଧ୍ୟାତ୍ମିକ ସ୍ବରୂପରେ ଅଛି, ବସ୍ତୁରେ ନୁହେଁ । ବିଡମ୍ବନା ଏହି ଯେ ଭୌତିକବାଦୀ ମନୁଷ୍ୟ ଇଚ୍ଛାକୁ ମୂଲ୍ୟ ମନେ କରେ ଓ ତା’ର ପୂର୍ତ୍ତି ପାଇଁ ଅନୈତିକ କାର୍ଯ୍ୟକୁ ମଧ୍ୟ ନୈତିକତାର ରୂପ ଦିଏ । ମନୁଷ୍ୟର ନୈତିକ ପତନର ଏହାହିଁ କାରଣ ।
ମୂଲ୍ୟଗୁଡିକର ସ୍ପଷ୍ଟ ପରିଭାଷା ନ ଜାଣିବା ହେତୁ ଅନ୍ତର୍ବିରୋଧ ଓ ସଂଶୟ ଉତ୍ପନ୍ନ ହୋଇଥାଏ । ଏପରି ବ୍ୟକ୍ତି ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇ ଅନୈତିକ ମୂଲ୍ୟକୁ ନୈତିକ ଓ ଅନୁଚିତ କାର୍ଯ୍ୟକୁ ଉଚିତ ମନେ କରେ । ଏପରି ସଂକଟରୁ ମୁକ୍ତ ହେବା ପାଇଁ ଅଳ୍ପକାଳିକ ମୂଲ୍ୟ ପରିହାର କରି ଜାଗତିକ ମୂଲ୍ୟ ଗ୍ରହଣ କରିବା ଉଚିତ । କାରଣ ସମସ୍ତ ଜାଗତିକ ବା ସାର୍ବ ଭୌମିକ (Universal) ମୂଲ୍ୟର ସ୍ରୋତ ହେଉଛନ୍ତି ପରମାତ୍ମା । ସେ ହେଉଛନ୍ତି ସର୍ବୋଚ୍ଚ ସତ୍ତା ଓ ତାଙ୍କୁ ସମସ୍ତ ଧର୍ମାବଲମ୍ବୀ ମାନନ୍ତି ।
ଆନ୍ତରିକ ଓ ବାହ୍ୟ ବାଧା ମୂଲ୍ୟଧାରଣାରେ ଅନ୍ତରାୟ ସ୍ପଷ୍ଟ କରିଥାନ୍ତି । ଚାରିତ୍ରିକ ଦୁର୍ବଳତା କାରଣରୁ ଆନ୍ତରିକ ବାଧା ସୃଷ୍ଟି ହୁଏ । ସ୍ବଜନ ମିତ୍ର ସମ୍ବନ୍ଧୀ ଓ ପରିସ୍ଥିତି ବାହ୍ୟ ବାଧାର କାରଣ ହୁଅନ୍ତି । ମୂଲ୍ୟନିଷ୍ଠ ଜୀବନ ଯାପନ ପାଇଁ ସଚ୍ଚରିତ୍ର ହେବା ଏକାନ୍ତ ଆବଶ୍ୟକ । ଅନ୍ୟଥା ବିରୋଧ ଓ ବିରୋଧୀର ସମ୍ମୁଖୀନ ହେବା ସମ୍ଭବ ନୁହେଁ । ମୂଲ୍ୟନିଷ୍ଠ ଜୀବନ ଯାପନ ବିନା ବ୍ୟକ୍ତିତ୍ୱର ସଂପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ । ବିବେକ ଅନୁସାରେ ପରିଚାଳିତ ହେଲେ ମୂଲ୍ୟଧାରଣ ସହଜ ହୋଇଥାଏ । ଅଧିକାଂଶ ବ୍ୟକ୍ତି ନିଜ ସିଦ୍ଧାନ୍ତ ଅନୁସାରେ ଜୀବନ ଯାପନ କରିବାକୁ ଚାହାନ୍ତି । ସେମାନଙ୍କ ପାଇଁ ମୂଲ୍ୟଧାରଣ ଏକ ବଡ ଆହ୍ୱାନ ହୋଇଥାଏ । ଏପରି କ୍ଷେତ୍ରରେ ବିବେକକୁ ପ୍ରାଧାନ୍ୟ ଦେଲେ ନିଜ ଦୁର୍ବଳତାକୁ ଚିହ୍ନା ହୁଏ । କାରଣ ମୂଲ୍ୟଗୁଡିକ ସିଧାସଳଖ ବିବେକ ସହିତ ସମ୍ବନ୍ଧିତ । ମଣିଷ ଏକ ସାମାଜିକ ପ୍ରାଣୀ । ସାମାଜିକ ଜୀବନରେ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ପଡିବ ଓ ଅନ୍ୟମାନଙ୍କ ସହିତ ମଧୁର ସମ୍ପର୍କ ସ୍ଥାପନ କରିବାକୁ ପଡିବ । ବ୍ୟବହାରରେ ନିଷ୍ଠାପରତା, ସ୍ବଚ୍ଛତା, ବିଶ୍ୱାସ ଓ ଉଦାରତା ହେଉଛି ବନ୍ଧୁତ୍ୱପୂର୍ଣ୍ଣ ମାନବୀୟ ସମ୍ବନ୍ଧର ଆଧାର । ତେଣୁ ମନ, ବଚନ ଓ କର୍ମରେ ଛଳନା ଓ କପଟତାକୁ ଆଦୌ ସ୍ଥାନ ଦେବା ଉଚିତ ନୁହେଁ । ଏହାଦ୍ୱାରା, ନିଜକୁ ତଥା ଅନ୍ୟମାନଙ୍କୁ ଠକିବାର ପ୍ରବୃତ୍ତି ଉତ୍ପନ୍ନ ହୋଇଥାଏ । ଏହା ଆଧ୍ୟାତ୍ମିକତାର ପରିପନ୍ଥୀ ।
🌸🌸🌸🌸🌸🌸🌸🌸🌸
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🌸🌸🌸🌸🌸🌸🌸🌸🌸
Comments
Post a Comment