(୧୩)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୩) ----ବହିର୍ମୁଖୀ ଓ ଅନ୍ତର୍ମୁଖୀ ଚେତନା
🌷🌷🌷🌷🌷🌷🌷🌷🌷
*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୩)*
🌻🌻🌻🌻🌻🌻🌻🌻🌻
*ବହିର୍ମୁଖୀ ଓ ଅନ୍ତର୍ମୁଖୀ ଚେତନା*
🌺🌺🌺🌺🌺🌺🌺🌺🌺
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌸🌸🌸🌸🌸🌸🌸🌸🌸
ପ୍ରାୟତଃ ବ୍ୟକ୍ତି ଚେତନାର ଦୁଇ ଭିନ୍ନ ଭିନ୍ନ ସ୍ଥିତିରେ ଜୀବନ ଯାପନ କରୁଥାଏ । ଗୋଟିଏ ହେଉଛି ଚେତନାର ବାହ୍ୟ ସ୍ଥିତି ବା ବହିର୍ମୁଖୀ ଚେତନା । ଅନ୍ୟଟି ହେଉଛି ଚେତନାର ଆନ୍ତରିକ ସ୍ଥିତି ବା ଅନ୍ତର୍ମୁଖୀ ଚେତନା । ଅନ୍ତର୍ମୁଖୀ ସ୍ଥିତି ହେଉଛି ଚେତନାର ଅବ୍ୟକ୍ତ ଓ ଅଗୋଚର ସ୍ବରୂପ । ବହିର୍ମୁଖୀ ସ୍ଥିତି ସଂପନ୍ନ ବ୍ୟକ୍ତି ଚେତନାର ଏହି ଅବ୍ୟକ୍ତ ସ୍ବରୂପ ବିଷୟରେ ଅନଭିଜ୍ଞ ଥାଆନ୍ତି । ଅନ୍ତର୍ମୁଖତାର ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ଜଣେ ବ୍ୟକ୍ତି ଆନ୍ତରିକ ଚେତନାରେ ପ୍ରବେଶ କରି ତା’ର ଯଥାର୍ଥ ସ୍ବରୂପ ଜାଣିପାରେ ଓ ତାକୁ କାର୍ଯ୍ୟାନ୍ୱିତ କରିପାରେ । ବିଧି ପୂର୍ବକ ସାଧନା କଲେ ଆନ୍ତରିକ ଚେତନାର ଅନୁଭବ କରିହୁଏ । ଅନ୍ତର୍ମୁଖୀ ଚେତନାରେ ସ୍ଥିତ ବ୍ୟକ୍ତିକୁ ବହିର୍ମୁଖୀ ଚେତନାର ବାହ୍ୟ ସ୍ବରୂପ ମହତ୍ତ୍ବହୀନ ମନେ ହୁଏ । ଅନ୍ତର୍ମୁଖୀ ସ୍ଥିତି ସାଧକ ପାଇଁ ଏକ ପର୍ବତୀୟ ଗୁମ୍ଫା ସଦୃଶ ସୁରକ୍ଷିତ ଓ ନିରାପଦ । ଥରେ ଏହି ଗୁମ୍ଫା ମଧ୍ୟରେ ପ୍ରବେଶ କରିଗଲେ ମନୋବିକାରରୂପୀ ହିଂସ୍ର ଓ କ୍ଷତିକାରକ ସତ୍ତାମାନେ ଆକ୍ରମଣ କରିପାରନ୍ତି ନାହିଁ । ଯେତେବେଳେ ଆନ୍ତରିକ ଚେତନାର ଗଭୀରତମ ପ୍ରଦେଶରେ ବ୍ୟକ୍ତି ଉପନୀତ ହୁଏ ସେତେବେଳେ ତା’ ମଧ୍ୟରେ ଈଶ୍ୱରୀୟ ଗୁଣ ଓ ଶକ୍ତିସମୂହ ସଂଚାର ହେବାକୁ ଲାଗେ । ବ୍ୟକ୍ତି ଆନ୍ତରିକ ଚେତନାର ଯେତିକି ଗଭୀରତାକୁ ପ୍ରବେଶ କରୁଥାଏ ସେତିକି ସେ ‘ସ୍ବ’ର ସତ୍ୟ ସ୍ବରୂପକୁ ଅନୁଭବ କରିବାକୁ ଲାଗେ । ସାଧନା ଅବ୍ୟାହତ ରହିଲେ ଅନ୍ତିମ ପରିଣାମ ସ୍ବରୂପ ଚେତନା ‘ସ୍ବ’ର ଉଚ୍ଚତମ ସତ୍ୟସ୍ବରୂପକୁ ଅନୁଭବ କରିବାରେ ସକ୍ଷମ ହୋଇଥାଏ । ଚେତନା ନିମ୍ନସ୍ତରରୁ ଉଚ୍ଚସ୍ତରକୁ ପହଂଚିବା ପାଇଁ ସାଧନାର ଦୀର୍ଘ ପଥ ଅତିକ୍ରମ କରିଥାଏ । ତେଣୁ ଏହାକୁ ଏକ ଆଧ୍ୟାତ୍ମିକ ଯାତ୍ରା ମଧ୍ୟ କୁହାଯାଇପାରେ । ଏହି ଯାତ୍ରାରେ ଆତ୍ମାନୁଭୂତି କେବଳ ଅଳ୍ପକାଳିକ ବିରାମ ମାତ୍ର । ଏହାକୁ ପୂର୍ଣ୍ଣ ବିରାମରେ ପରିଣତ କରିବା ପାଇଁ ନିରନ୍ତର ଓ ନିରବଚ୍ଛିନ୍ନ ପୁରୁଷାର୍ଥ, ଧୈର୍ଯ୍ୟ ଏବଂ ପ୍ରତୀକ୍ଷା ଆବଶ୍ୟକ ହୁଏ ।
ଈଶ୍ୱରୀୟ ଶକ୍ତି ଓ ଅନ୍ତର୍ମୁଖତାର ଅଭ୍ୟାସ ଦ୍ୱାରା ପ୍ରାପ୍ତ ଅନୁଭୂତି ଓ ଶକ୍ତି ଦ୍ୱାରା ଚେତନା ସ୍ବୀୟ ବାହ୍ୟ ସ୍ବରୂପକୁ ଈଶ୍ୱରୀୟ ଇଚ୍ଛା ଅନୁରୂପ ପରିଚାଳିତ ଏକ ଯନ୍ତ୍ର ରୂପରେ ପରିବର୍ତ୍ତନ କରିପାରେ । ଏହି ରୂପାନ୍ତରଣ ଓ ଶ୍ରେଷ୍ଠ ସତ୍ୟ-ଅନୁଭୂତିର ବିକାଶ କ୍ରମରେ ସାଧନା ପଥରେ ଅନେକ ବ୍ୟବଧାନ ଉପଗତ ହୁଏ, ଯେଉଁଗୁଡ଼ିକୁ ସହଜରେ ଅତିକ୍ରମ କରିଯିବାର ସାମର୍ଥ୍ୟ ପରମାତ୍ମାଙ୍କଠାରୁ ପ୍ରାପ୍ତ ହୋଇଥାଏ ।
ଆତ୍ମଜାଗୃତି ବିନା ଚେତନା ସଂପନ୍ନ ଓ ସଂପୂର୍ଣ୍ଣ ହୋଇପାରେ ନାହିଁ । ଏଥିପାଇଁ ଅନ୍ତର୍ମୁଖୀ ଚେତନାର ଅନୁଭୂତି ଆବଶ୍ୟକ । ଜାଗୃତିର ସ୍ତର ଯେତେ ଗଭୀର ହେବ ଆନ୍ତରିକ ସ୍ଥିତି ସେତିକି ଉଚ୍ଚ ହେବ । ଅନ୍ତର୍ମୁଖତା ଆନ୍ତରିକ ଚେତନାରେ ସ୍ଥିରତା ଆଣେ ଓ ଆନ୍ତରିକ ସ୍ଥିତିକୁ ଶକ୍ତିଶାଳୀ କରେ । ଫଳରେ ସେ ନିଜ ଚତୁର୍ଦ୍ଦିଗରେ ବିକିରିତ ସ୍ବୀୟ ଆଭା (ଜ୍ୟୋତି)କୁ (Aura) ଅନୁଭବ କରିପାରେ । ଚେତନାର ସ୍ଥିତି ଅନୁରୂପ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରୁ କ୍ଷୀଣ, ମଧ୍ୟମ ବା ତେଜୋମୟ ଆଭା ନିର୍ଗତ ହୋଇଥାଏ । ଏହି ଆଭାର ଦୂରତାକୁ ଏକ ନିର୍ଦ୍ଦିଷ୍ଟ ଉପକରଣ ଦ୍ୱାରା ମପା ଯାଇପାରୁଛି । ଏହି ଆଭା, ବଳୟ ବା ମଣ୍ଡଳକାରରେ ମାନବ ଶରୀରର ଚତୁର୍ଦ୍ଦିଗରେ ବିଦ୍ୟମାନ ଥାଏ । ଏହାକୁ ଆଭାମଣ୍ଡଳୀୟ ଚେତନା କୁହାଯାଏ । ଦେହାଭିମାନୀ ବ୍ୟକ୍ତି ଏହାକୁ ଅନୁଭବ କରିପାରେ ନାହିଁ । ବୈଶ୍ୱ ଚେତନାରେ ବ୍ରହ୍ମାଣ୍ଡୀୟ ଶକ୍ତି ତରଙ୍ଗ ସକ୍ରିୟ ଥାଏ । ବ୍ୟକ୍ତିର ଆଭାମଣ୍ଡଳୀୟ ଚେତନା ମାଧ୍ୟମରେ ଏହି ଶକ୍ତି ତରଂଗ ପ୍ରବେଶ କରିଥାଏ, ମାନବୀୟ ଚେତନା ଶରୀର, ଇନ୍ଦ୍ରିୟ ସମୂହ ଓ ମନ ଦ୍ୱାରା ଏହା ସହିତ ସମ୍ବନ୍ଧ ସ୍ଥାପିତ କରିପାରେ । ସମସ୍ତ ବ୍ରହ୍ମାଣ୍ଡୀୟ ସୂକ୍ଷ୍ମ ଶକ୍ତି ତରଂଗ (ମାନସିକ, ଭାବାତ୍ମକ ବା ବୌଦ୍ଧିକ) ମାନବୀୟ ଚେତନାରେ ସ୍ବୀୟ ବିଶେଷ ଆକାର ଗ୍ରହଣ କରି ଇନ୍ଦ୍ରିୟ, ବିଚାର ଏବଂ ଭାବର ବର୍ହିପୃଷ୍ଠ ଭୂମିରେ ପ୍ରକଟ ହୋଇଥାନ୍ତି । ଯଦି ମନୁଷ୍ୟ ସ୍ବୀୟ ଆନ୍ତରିକ ଚେତନା ସ୍ତରରେ ଜାଗ୍ରତ ଥାଏ ତେବେ ତା’ର ଆଭାମଣ୍ଡଳରେ ପ୍ରବେଶ କରୁଥିବା ବିଚାର, ଭାବ, ଚିହ୍ନୋଟ କରି ସେଗୁଡ଼ିକୁ ଅଟକାଇ ପାରିବ ଓ ଚେତନାର ଏହି ପୃଷ୍ଠଭୂମିରୁ ବାହାର କରିଦେଇ ପାରିବ ।
ଆଭାମଣ୍ଡଳୀୟ ଚେତନା ପ୍ରତ୍ୟେକ ମନୁଷ୍ୟର ବ୍ୟକ୍ତିଗତ ବିଷୟ ଅଟେ । ଏହା ଅବଚେତନ ସ୍ଥିତିରେ ଭିନ୍ନ ପ୍ରକାର ବିଷୟ ବା ବସ୍ତୁ ହୋଇଥାଏ । ଅବଚେତନାରେ ପୁରୁଣା ସଂସ୍କାର, ସ୍ମୃତି ଆଦି ସଂଗୃହିତ ହୁଏ ନାହିଁ । ତାହା ଶରୀରର ଚତୁର୍ଦ୍ଦିଗରେ ଆଭାମଣ୍ଡଳ ରୂପରେ ପ୍ରସାରିତ ହୁଏ । ବାହାରୁ ଆସୁଥିବା ସୂକ୍ଷ୍ମ ବିଚାର ଓ ଶବ୍ଦ ତରଂଗ ସମୂହର ପ୍ରଭାବ ଏହି ପୃଷ୍ଠଭୂମିରେ ପ୍ରସାରିତ ଆଭାମଣ୍ଡଳରେ ପ୍ରବେଶ ପାଇବା ପାଇଁ ବାରମ୍ବାର ପ୍ରଯତ୍ନ କରୁଥାଏ । ଏହା ଶକ୍ତି ତରଂଗର ଏକ ଚୈତନ୍ୟ ସ୍ଥାନ । ଯେତେବେଳେ ମନୁଷ୍ୟର ଗଭୀର ଶାନ୍ତି ଓ ନିଃସଂକଳ୍ପତା ଯୁକ୍ତ ଅଚଳ ଓ ସ୍ଥିରାବସ୍ଥା ସୃଷ୍ଟି ହୁଏ ସେତେବେଳେ ସେ ଏହି ଆଭାମଣ୍ଡଳୀୟ ଚେତନା ପ୍ରତି ଜାଗ୍ରତ ହୋଇପାରେ । ଏହି ଅବସ୍ଥାରେ ସେ ବାହାରୁ ଆସୁଥିବା ପ୍ରଭାବଗୁଡ଼ିକୁ ଗ୍ରହଣ ବା ନିଷ୍କାସନ କରିବା ପାଇଁ ସମର୍ଥ ହୋଇଥାଏ ।
ଯେତେବେଳେ ସାଧକ ସ୍ବୀୟ ଦେହ ସର୍ବସ୍ବ ଭୌତିକ ଚେତନାରୁ ଉଦ୍ଧ୍ୱର୍କୁ ଉଠି ଅଭୌତିକ ଆତ୍ମିକ ସ୍ଥିତିରେ ସ୍ଥିତ ହୁଏ ସେତେବେଳେ ସେ ବୈଶ୍ୱଚେତନା (Cosmic consciousness) ର ସୂକ୍ଷ୍ମ ଶକ୍ତି ତରଂଗ ସମୂହ ସହିତ ତାଦାତ୍ମ୍ୟ ସ୍ଥାପିତ କରି ତନ୍ମଧ୍ୟରେ ପ୍ରବେଶ କରିପାରେ ଓ ତା’ର ସୃଜନାତ୍ମକ ପ୍ରବାହକୁ ନିଜ ମନୋନୁକୂଳ ପ୍ରବାହିତ କରେ । ଏହା ବ୍ୟତୀତ ସେ ଅନ୍ୟ ବହୁତ କାର୍ଯ୍ୟ କରିବା ପାଇଁ ମଧ୍ୟ ସକ୍ଷମ ହୋଇଥାଏ । ବୈଶ୍ୱ ଚେତନାରେ ସମସ୍ତ ମନୁଷ୍ୟାତ୍ମା, ପ୍ରକୃତି ଓ ଅନ୍ୟ ସତ୍ତାମାନଙ୍କର ସଚେତନ ଶକ୍ତିସମୂହ କ୍ରିୟାଶୀଳ ଥାଏ । ଏହା ମନୁଷ୍ୟ ଚେତନା ସଦୃଶ ସଚେତନ ଅଟେ, କିନ୍ତୁ ଏହାର ଅଭିବ୍ୟକ୍ତିର ସ୍ତର ଭିନ୍ନ ଭିନ୍ନ ଅଟେ । ବ୍ୟକ୍ତିଗତ ଚେତନା ବିରାଟ ବିଶ୍ୱ ଚେତନାର ଏକ କ୍ଷୁଦ୍ର ଭାଗ ମାତ୍ର । ଆତ୍ମିକ ସ୍ଥିତିରେ ସ୍ଥିତ ବ୍ୟକ୍ତି ସେହି ସମସ୍ତ ଶକ୍ତି ସମୂହକୁ ପ୍ରତ୍ୟକ୍ଷ ଅନୁଭବ କରିପାରେ । ଚେତନାର ବହିର୍ମୁଖୀ ଓ ଅନ୍ତର୍ମୁଖୀ ସ୍ଥିତି ଆଧାରରେ ଏହାକୁ ତିନି ପ୍ରକାରରେ ବିଭକ୍ତ କରାଯାଇପାରେ । ଯଥା: ୧. ଆଧ୍ୟାତ୍ମିକ ଚେତନା, ୨. ସାମାନ୍ୟ ଚେତନା ଓ ୩. ବୈଶ୍ୱ ଚେତନା । ଆଧ୍ୟାତ୍ମିକ ଚେତନା ସଂପନ୍ନ ବ୍ୟକ୍ତି ଆତ୍ମା, ପରମାତ୍ମା ଓ ସମସ୍ତ ପରା-ଅପରା ପ୍ରକୃତିର ସମ୍ମିଳିତ କ୍ରିୟାଶୀଳ ଶକ୍ତିକୁ ଯଥାର୍ଥ ଭାବରେ ଜାଣି ପ୍ରତ୍ୟକ୍ଷ ଅନୁଭବ କରିପାରେ । ସାମାନ୍ୟ ଚେତନାରେ ବ୍ୟକ୍ତି ସ୍ବୀୟମନ, ବୁଦ୍ଧି ଓ ଇନ୍ଦ୍ରିୟ ସମୂହ ଦ୍ୱାରା ବାହ୍ୟ ଓ ଅନ୍ତରରୁ ଆସୁଥିବା ସମସ୍ତ ପ୍ରଭାବ ଓ ତାର କ୍ରିୟା ପ୍ରତିକ୍ରିୟାକୁ ଅନୁଭବ କରେ । ବେଳେବେଳେ ଅନୁମାନ, ଅନ୍ତଃପ୍ରେରଣା ଓ ଅଳ୍ପକାଳିକ ଅନ୍ତର୍ଦୃଷ୍ଟି ଦ୍ୱାରା ମଧ୍ୟ ସେ ଅନୁଭବ କରିଥାଏ । କିନ୍ତୁ ତାହା ପ୍ରାମାଣିକ ନୁହେଁ । ବୈଶ୍ୱଚେତନା ଗୁହ୍ୟ ଓ ଅଗୋଚର ଶକ୍ତି ସମୂହର ଦିବ୍ୟ କ୍ରୀଡ଼ା ଭୂମି । ଏହା ଆତ୍ମଚେତନାର ସର୍ବୋଚ୍ଚ ଓ ସଂପୂର୍ଣ୍ଣ ସ୍ଥିତି । ଏହି ସ୍ଥିତିରେ ବ୍ୟକ୍ତିର “ବସୁଧୈବ କୁଟୁମ୍ବକମ୍” ଭାବ ଜାଗ୍ରତ ହୁଏ । ଏହା ହେଉଛି ବିଶ୍ୱାତ୍ମା ଚେତନା ଭାବ । ଏହି ଅବସ୍ଥାରେ ବ୍ୟକ୍ତି ବିଶ୍ୱର ଅନ୍ତହୀନ ବିରାଟ ସ୍ବରୂପକୁ ଦେଖିପାରେ, ଜାଣିପାରେ ଓ ତହିଁରେ ନିଜ ମନୋନୁକୂଳ ପ୍ରତିକ୍ରିୟା କରି ତଦ୍ଜନିତ ପ୍ରତିଫଳ ପ୍ରାପ୍ତ କରିପାରେ । ଏହି ସ୍ଥିତିରେ ବ୍ୟକ୍ତିର (ସାଧକର) ଅନୁଭବ ସାମାନ୍ୟ ବ୍ୟକ୍ତିଠାରୁ ଅନନ୍ତଗୁଣ ଶକ୍ତିଶାଳୀ ହୋଇଥାଏ ।
🙏🙏🙏🙏🙏🙏🙏🙏🙏
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🌹🌹🌹🌹🌹🌹🌹🌹🌹
Comments
Post a Comment