(୧୦)ଯୋଗ ସନ୍ଦେଶ-- ଯୋଗ ଓ ଆସନ

 🌻🌻🌻🌻🌻🌻🌻🌻🌻

 *ଯୋଗ ସନ୍ଦେଶ(୧୦)* 

🌷🌷🌷🌷🌷🌷🌷🌷🌷

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌸🌸🌸🌸🌸🌸🌸🌸🌸

 *ଯୋଗ ଓ ଆସନ*  

🌺🌺🌺🌺🌺🌺🌺🌺🌺


    ଯୋଗର  ଏକ ସ୍ବତନ୍ତ୍ର  ପ୍ରଭାବ ଅଛି; କିନ୍ତୁ ଏହା ଆଜିକାଲି କେବଳ ଭାରତୀୟ ହୋଇ ନାହିଁ । ଯୋଗ ସମ୍ବନ୍ଧରେ କେତେକ ବିବଦମାନ ମତ ଶୁଣିବାକୁ ମିଳେ । ଯୋଗର ପ୍ରକୃତ  ଅର୍ଥ ସଂଯୋଗ ବା ମିଶ୍ରଣ । ଆମେରିକା  ଓ ରୁଷରେ ଯୋଗ ପ୍ରତି ଆଗ୍ରହ ବଢିବାର ଦେଖାଯାଉଛି । 


ଆମେରିକା ବୈଜ୍ଞାନିକ ଡକ୍ଟର ଜୋନାସ ସାଲକ ପୋଲିଓ ଟୀକା ଆବିଷ୍କାର କରିଥିଲେ । ତାଙ୍କ ମତରେ ରୋଗ ନିରାମୟ ନିମନ୍ତେ ନୁହେଁ, ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଯୋଗ ଅଭ୍ୟାସ କରିବା ଉଚିତ । ଯୋଗ ମଣିଷକୁ ଚେତନା ରାଜ୍ୟରେ ବିଚରଣ କରିବାର କ୍ଷମତା ଦିଏ ।


ରୁଷର ମହାକାଶ ବିଜ୍ଞାନୀ ମି. ସାଭୋୟାଟୋଭ ପ୍ରକାଶ କରିଛନ୍ତି -ଗୋଟିଏ ବର୍ଷ ଯୋଗ ଅଭ୍ୟାସ କଲା ପରେ ସେ ବହୁଦିନ ଧରି ଭୋଗୁଥିବା କଣ୍ଠ ରୋଗରୁ ମୁକ୍ତି ଲାଭ କରିଛନ୍ତି । ନଅ  ବର୍ଷ ଧରି ଯୋଗ ଅଭ୍ୟାସ କରୁଥିଲେ ମଧ୍ୟ ସେ ଯୋଗର ଆଧ୍ୟାତ୍ମିକ ଦିଗଟିକୁ  ବିଶ୍ୱାସ କରନ୍ତି ନାହିଁ । 


ଦୁଇ ଜଣ ବିଦେଶୀ ବୈଜ୍ଞାନିକ ପ୍ରକୃତରେ ଯୋଗର ପୂର୍ଣ୍ଣ ରୂପ ଦର୍ଶନ କରି ନାହାନ୍ତି ।  ଏମାନେ ଯୋଗର ଏକ ଅଷ୍ଟମାଂଶ ମାତ୍ର  ଉପଭୋଗ କରିଛନ୍ତି । ପାତଞ୍ଜଳୀ ତାଙ୍କର ଗ୍ରନ୍ଥରେ ଯୋଗ ସମ୍ବନ୍ଧରେ ବର୍ଣ୍ଣନା କରି କହିଛନ୍ତି, ଯୋଗର ପୂର୍ଣ୍ଣ ନାମ  ଅଷ୍ଟାଙ୍ଗ ଯୋଗ, ଯଥା-  ଯମ (ଅହିଂସା, ସତ୍ୟ,ଚୋରୀ ନିଷେଧ ଓ ସ୍ବାର୍ଥହୀନତା); ନିୟମ   (ପରିଛନ୍ନତା, ପ୍ରଫୁଲ୍ଲତା, ପବିତ୍ରତା, ଅଧ୍ୟୟନ ଓ ଭଗବାନଙ୍କ  ନିକଟରେ ଆତ୍ମ ସମର୍ପଣ ) ଆସନ  (ବିଭିନ୍ନ ପ୍ରକାର ଭଙ୍ଗୀଦ୍ୱାରା ଶରୀର ଚର୍ଚ୍ଚା) ପ୍ରାଣାୟାମ (ଶ୍ୱାସ ପ୍ରଶ୍ୱାସ ଦ୍ୱାରା ଶକ୍ତି ନିୟନ୍ତ୍ରଣ ) ପ୍ରତ୍ୟାହାର (ଚେତନାକୁ  ତାର କ୍ରୀଡାଙ୍ଗନରୁ  ଆକୃଷ୍ଟ କରିବା ) ଧାରଣା (ଗଭୀର ଏକାଗ୍ରତା ) ଧ୍ୟାନ (ନିଷ୍କାମ ତପସ୍ୟା); ସମାଧି (ଅତି ଚେତନା ଲାଭ) 


ଅନେକ ସମୟରେ ରୋଗ ନାଶକ ଓ ନିବାରକ କ୍ଷମତା ହେତୁ ଆସନକୁ ମଧ୍ୟ ଯୋଗ କୁହାଯାଏ । ରୋଗ ଓ ଆରୋଗ୍ୟ ନିମନ୍ତେ ମୃଦୁ ପ୍ରଣାୟାମ ଉପଯୁକ୍ତ । ଉଚ୍ଚାଙ୍ଗ ପ୍ରାଣାୟାମ ନିମନ୍ତେ ଗୁରୁଙ୍କର ପ୍ରତ୍ୟକ୍ଷ ଉପଦେଶ ଓ ସାନ୍ନିଧ୍ୟ ଆବଶ୍ୟକ; କିନ୍ତୁ ଏ ପ୍ରକାର ଗୁରୁ  ଖୁବ୍ କମ ଦେଖା ଯାଆନ୍ତି । ରୋଗ ନିବାରଣ ଓ ଆରୋଗ୍ୟ ନିମନ୍ତେ ଯୋଗ ଉପଯୁକ୍ତ କି ନୁହେଁ ଏ ସମ୍ବନ୍ଧରେ ବହୁଦିନ ଧରି ପରୀକ୍ଷା ନିରୀକ୍ଷା ଚାଲିଛି । 


ଯୋଗ ଓ ଆସନ ଆଂଶିକ ରୂପେ ଅଭ୍ୟାସ କରି ଅନେକ ଚମତ୍କାର ଫଳ ଲାଭ କରିବାର  ଦେଖାଯାଇଛି । ସ୍ବାମୀ ବିବେକାନନ୍ଦ ଯୋଗ ଓ ଆସନକୁ ପୃଥିବୀର ବିଭିନ୍ନ ଦେଶରେ ଲୋକପ୍ରିୟ କରି ପାରିଥିଲେ । ପ୍ରାଣାୟାମର ଉପକାରିତା ସମ୍ବନ୍ଧରେ ସେ କହିଛନ୍ତି ଶରୀରର ପ୍ରତ୍ୟେକ ଅଂଶକୁ ମହାନ ଶକ୍ତି  ପ୍ରାଣଦ୍ୱାରା ପୂର୍ଣ୍ଣ କରାଯାଇ  ପାରେ । ଯେତେବେଳେ ତୁମେ  ସେତିକି କରିବା  ନିମନ୍ତେ  ସମର୍ଥ ହେବ ତୁମେ ସମସ୍ତ ଶରୀରକୁ ନିୟନ୍ତ୍ରଣ କରି ପାରିବ । ଦେହରେ ଥିବା ରୋଗ ଓ ଯାତନାକୁ ତୁମେ ଇଚ୍ଛାନୁଯାୟୀ ନିୟନ୍ତ୍ରଣ କରି ପାରିବ । କେବଳ ସେତିକି ନୁହେଁ , ତୁମେ ଅନ୍ୟର ଶରୀରକୁ ମଧ୍ୟ ନିୟନ୍ତ୍ରଣ କରି ପାରିବ । 


ବିବେକାନନ୍ଦ ଲେଖିଛନ୍ତି, “ ଅନେକ ସମୟରେ ପ୍ରାଣ ଯୋଗାଣ ଶରୀରର କେତେକ  ଅଂଶ ଭିତରେ ସୀମିତ ରହିଯାଏ । ଏଣୁ ଶରୀରର ଭାରସାମ୍ୟ ରକ୍ଷା ସମ୍ଭବ ହୁଏ ନାହିଁ । ଯେତେବେଳେ ପ୍ରାଣର ଭାରସାମ୍ୟ ରକ୍ଷାରେ ଗୋଳମାଳ ହୋଇଯାଏ ।, ସେତେବେଳେ ରୋଗ ଉତ୍ପନ୍ନ ହୁଏ । ଶରୀରର ସମସ୍ତ ଅଂଶକୁ ପ୍ରାଣ ଯୋଗାଣ ଦ୍ୱାରା ସବୁ ପ୍ରକାର ରୋଗ ଭଲ ହୋଇଯାଏ ।  କିନ୍ତୁ ଚିକିତ୍ସା ବିଜ୍ଞାନ ଏ ଯୁକ୍ତିକୁ ଗ୍ରହଣ କରି ନାହିଁ । 


ସ୍ବାମୀ ଶିବାନନ୍ଦ ପ୍ରଥମେ ଜଣେ ଡାକ୍ତର ଥିଲେ । ସେ ପ୍ରାଣାୟାମର ଉପକାରିତାକୁ ସ୍ବୀକାର କରି ଲେଖିଛନ୍ତି- “ପ୍ରାଣାୟାମ ଦ୍ୱାରା ଶରୀର ସୁସ୍ଥ ଓ ଶକ୍ତିଶାଳୀ ହୁଏ । ଚର୍ବି ବହୁଳ ଶରୀରରୁ ଚର୍ବି କମିଯାଏ । ମୁଖର ଶକ୍ତି ବୃଦ୍ଧି ହୁଏ । ହୀରା ଭଳି ଆଖିରେ ଜ୍ୟୋତି ଝଲସି ଉଠେ । ପ୍ରାଣାୟାମ ଅଭ୍ୟାସ କରୁଥିବା ବ୍ୟକ୍ତିଙ୍କର ଦେହ ସୌନ୍ଦର୍ଯ୍ୟ ବଢିଯାଏ । କଣ୍ଠ ମଧୁର ହୁଏ । ମଣିଷ ସବୁ ପ୍ରକାର ରୋଗରୁ ମୁକ୍ତ ହୁଏ । ନିୟମିତ ଭାବରେ କ୍ଷୁଧା ହୁଏ । ସେ କହିଛନ୍ତି, କେହି ଯେବେ ବହୁଦିନ  ଧରି କୌଣସି ରୋଗ ଭୋଗ କରୁଥାଆନ୍ତି ତା ହେଲେ ଏକ ସାଙ୍ଗରେ ଆସନ, ମୁଦ୍ରା, ବନ୍ଧ, ପ୍ରାଣାୟାମ ଓ ଜପ କଲେ ରୋଗମୁକ୍ତ ହେବେ ।   


ସ୍ବାମୀ ବିବେକାନନ୍ଦ ବିଭିନ୍ନ ରୋଗ ନିମନ୍ତେ ବିଭିନ୍ନ ଆସନର ଉଲ୍ଲେଖ କରିଛନ୍ତି । ସେ ଶ୍ୱାସ, କାନ, ଆଖି, ନାକରୋଗ, ବହୁ ମୁତ୍ର, ବାତ, ଗନେରିୟା ଓ ସିଫିଲିସ ନିମନ୍ତେ ଶୀର୍ଷାସନ, ସର୍ବାଙ୍ଗାସନ, ମଳୟାସନ, କିମ୍ବା ଅର୍ଦ୍ଧ ମଳୟାସନ କରିବା ନିମନ୍ତେ ଉପଦେଶ  ଦେଇଛନ୍ତି । କୁଷ୍ଠ ରୋଗର ଆରୋଗ୍ୟ ନିମନ୍ତେ ସେ ଶୀର୍ଷସନ ଓ ମହାମୁଦ୍ରା କରିବା ନିମନ୍ତେ ଉପଦେଶ ଦେଇଛନ୍ତି । ସେ କହିଛନ୍ତି ମୁଦ୍ରା ଓ ବନ୍ଧ ଦ୍ୱାରା ସମସ୍ତ ପ୍ରକାର ଦୁରାରୋଗ୍ୟ ରୋଗ ଆରୋଗ୍ୟ ହୋଇଯାଏ । 


ସଂପ୍ରତି ବାବା ରାମ ଦେବ  ଯୋଗ ଓ ଆସନକୁ ଆନ୍ତର୍ଜାତିକ ସ୍ତରରେ ପ୍ରଚାର ପ୍ରସାର କରିବାରେ ସକ୍ଷମ ହୋଇଛନ୍ତି । ସେ ଯୋଗର ଆରୋଗ୍ୟ ବିଜ୍ଞାନୀୟ ମୁଲ୍ୟ ପ୍ରମାଣ କରି  ଦେଖାଇଛନ୍ତି । ଯେଉଁ ରୋଗ ପାରମ୍ପରିକ ଚିକିତ୍ସା ପଦ୍ଧତି  ଦ୍ୱାରା ଭଲ ନ ହେଉଛି ଯୋଗ ଓ ଆସନ ଦ୍ୱାରା ତାହା ଭଲ ହେଉଥିବାର ହଜାର ହଜାର  ପ୍ରମାଣ ରହିଛି । ଯୋଗ ଆତ୍ମ ବିବର୍ତ୍ତନର  ଏକ ମୌଳିକ ପଦ୍ଧତି ।

🌹🌹🌹🌹🌹🌹🌹🌹🌹

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

👏👏👏👏👏👏👏👏👏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,