(୧୨)ଯୋଗ ସନ୍ଦେଶ --ଯୋଗାଭ୍ୟାସର ସରଳ ବିଧି
🌹🌹🌹🌹🌹🌹🌹🌹🌹
*ଯୋଗ ସନ୍ଦେଶ(୧୨)*
🌻🌻🌻🌻🌻🌻🌻🌻🌻
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌷🌷🌷🌷🌷🌷🌷🌷🌷
*ଯୋଗାଭ୍ୟାସର ସରଳ ବିଧି*
🌸🌸🌸🌸🌸🌸🌸🌸🌸
ଯୋଗର ଏକମାତ୍ର ଧ୍ୟେୟ ପରମାତ୍ମା ସହିତ ଆତ୍ମାର ମିଳନ । ଆତ୍ମା ଓ ପରମାତ୍ମା ଉଭୟେ ଅଭୌତିକ ଓ ଆଧ୍ୟାତ୍ମିକ ସତ୍ତା । ତେଣୁ ତାଙ୍କୁ ସୂକ୍ଷ୍ମାତିସୂକ୍ଷ୍ମ ଦିବ୍ୟ ଜ୍ୟୋତିର୍ବିନ୍ଦୁ ରୂପେ କଳ୍ପନା କରାଯାଇଛି । ଏହି ବିନ୍ଦୁ ରୂପ ଜ୍ୟାମିତିକ ନୁହେଁ, ଏହା ଜ୍ଞାନ, ପ୍ରେମ, ଶାନ୍ତି ଓ ଶକ୍ତିର ଅଦୃଶ୍ୟ ଦିବ୍ୟ ଉତ୍ସ । ଏହି ସୂକ୍ଷ୍ମ ରୂପର ଅନ୍ତ ହୁଏ ନାହିଁ । ତେଣୁ ତାଙ୍କୁ ଅନନ୍ତ କୁହାଯାଏ । ପରମାତ୍ମା କାଳାତୀତ । କାଳ ଦୃଷ୍ଟିରୁ ମଧ୍ୟ ସେ ଅନନ୍ତ । ସେହି ଜ୍ୟୋତି ବିନ୍ଦୁ ସ୍ବରୂପ ପରମାତ୍ମାଙ୍କ ପ୍ରତି ଅନନ୍ୟ ଭାବରେ ମନକୁ ଏକାଗ୍ର କରିବାର ନାମ ଯୋଗ । ସାଧାରଣତଃ କୌଣସି ଏକ ବିନ୍ଦୁ ପ୍ରତି ମନକୁ କେନ୍ଦ୍ରୀଭୂତ କରିବାର ପ୍ରକ୍ରିୟାକୁ ଏକାଗ୍ରତା କୁହାଯାଏ । ପରମାତ୍ମା କୌଣସି କାଳ୍ପନିକ ସତ୍ତା ନୁହଁନ୍ତି । ସେ ହେଉଛନ୍ତି ସୂକ୍ଷ୍ମାତିସୂକ୍ଷ୍ମ ଅଭୌତିକ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଚୈତନ୍ୟ ସତ୍ତା; ଅଥଚ ଜ୍ଞାନ, ଗୁଣ, ଓ ଶକ୍ତିର ମହାସାଗର । ସେହି ଜ୍ୟୋତିର୍ବିନ୍ଦୁ ସତ୍-ଚିତ୍-ଆନନ୍ଦ ସ୍ବରୂପ ପରମାତ୍ମାଙ୍କୁ ଅନନ୍ୟ ଭାବରେ ପ୍ରେମ ପୂର୍ବକ ସ୍ମରଣ କରିବା ବା ତାଙ୍କଠାରେ ଚିତ୍ତ ନିବେଶ କରିବା ହେଉଛି ଯୋଗ ।
ଯୋଗାଭ୍ୟାସରେ ବୁଦ୍ଧିର ସ୍ଥିରତା, ମନର ଏକାଗ୍ରତା ଓ ତଲ୍ଲୀନତା ଏକାନ୍ତ ଆବଶ୍ୟକ । ମନ ଓ ବୁଦ୍ଧି ମଧ୍ୟରେ ଏକତାର ଅଭାବ ତଥା ବ୍ୟକ୍ତି ଦ୍ୱାରା ସ୍ବୀକୃତ ସିଦ୍ଧାନ୍ତ ବା ବିଶ୍ୱାସ ପ୍ରତି ଆନ୍ତରିକ ସମର୍ଥନର ଅଭାବ ହେତୁ ବୁଦ୍ଧି ଅସ୍ଥିର ହୋଇଥାଏ । ସେଥିପାଇଁ ଗୀତାରେ କୁହାଯାଇଛି ଦୃଢ଼ ନିଶ୍ଚୟ ଯୋଗୀ ହିଁ ଯୋଗମାର୍ଗରେ ସଫଳ ହୋଇଥାଏ । ସନ୍ଦେହ ହିଁ ନିଶ୍ଚୟ ବୁଦ୍ଧି ପାଇଁ ବାଧକ । ଜ୍ଞାନର ମନନ ଓ ଚିନ୍ତନ ତଥା ଯୋଗ ମାର୍ଗରେ ସଫଳତା ପ୍ରାପ୍ତ ହୋଇଥିବା ଅନୁଭବୀ ଯୋଗୀଙ୍କ ମାର୍ଗ ଦର୍ଶନ ଦ୍ୱାରା ସନ୍ଦେହ ଦୂର ହୋଇଥାଏ । ଯଦି ବୁଦ୍ଧିର ବିଶ୍ୱାସ ବିରୁଦ୍ଧରେ ମନ କାମ କରେ ତେବେ ମନ ଅସ୍ଥିର ହୋଇଥାଏ । ଅପର ପକ୍ଷରେ ବୁଦ୍ଧିରେ ଯଦି ଯୋଗ ବିଷୟକ ଯଥାର୍ଥ ଜ୍ଞାନ ନ ଥାଏ ତେବେ ମନକୁ ଯୋଗାଭ୍ୟାସ ବେଳେ ବୁଦ୍ଧିର ସହଯୋଗ ମିଳେ ନାହିଁ । ଏପରି ସ୍ଥଳେ ବୁଦ୍ଧିକୁ ଉପେକ୍ଷା କରି ମନ ନିଜ କାର୍ଯ୍ୟ କରିବ । ତେଣୁ ମନକୁ ନାଶବାନ ପ୍ରକୃତି ଓ ସଂସାରଠାରୁ ପ୍ରତ୍ୟାହାର କରି ଅବିନାଶୀ ପରମାତ୍ମାଙ୍କ ସହିତ ଯୁକ୍ତ କଲେ ମନ ଓ ବୁଦ୍ଧିରେ ଏକତା ବଜାୟ ରହେ ଓ ଯୋଗରେ ଆନନ୍ଦ ମିଳିଥାଏ ।
ପ୍ରକୃତି ନିର୍ମିତ ସମସ୍ତ ପଦାର୍ଥ ଅସଂଖ୍ୟ ପରମାଣୁର ସମାହାର ମାତ୍ର । ପାରମାଣୁ ଗତିଶୀଳ । ତେଣୁ ଅସ୍ଥିର ମାନବ ଶରୀର ପ୍ରକୃତିର ପଞ୍ଚଭୂତରୁ ନିର୍ମିତ ହୋଇଥିବାରୁ ଏହା ପରମାଣୁ ସମୂହର ସଂଘାତ ଅଟେ । ମହାତ୍ମା ହୁଅନ୍ତୁ ବା ଦେବାତ୍ମା କେହି ଏହି ନିୟମର ଅପବାଦ ନୁହନ୍ତି । ତେଣୁ ଭାଗବତକାର କହନ୍ତି, “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେହେଁ ମରଇ ।” ପ୍ରକୃତିଜନ୍ୟ ପ୍ରତ୍ୟେକ ପଦାର୍ଥ ବା ବସ୍ତୁ ବିନାଶଶୀଳ ଓ ପରିବର୍ତ୍ତନଶୀଳ । ଏଣୁ ଦେବତା ହୁଅନ୍ତୁ ବା ମହାତ୍ମା, କୌଣସି ଦୈହିକ ଆକୃତି ଉପରେ ମନ ଏକାଗ୍ର ନିରର୍ଥକ । କାରଣ ତାଙ୍କ ଶରୀର ଏକ ନୁହେଁ, ଅଧିକାଂଶ ପରମାଣୁ ଦ୍ୱାରା ଗଠିତ । ଶରୀର ଶୈଶବରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥା ଦେଇ ଗତି କରେ । ଯାହା ପରିବର୍ତ୍ତନଶୀଳ ଓ ନଶ୍ୱର ତାକୁ ଆଧାର କରି ଯୋଗ ସାଧନ କରିବା ନିରର୍ଥକ । ମନର ସ୍ଥୈର୍ଯ୍ୟ ଓ ଲକ୍ଷ୍ୟ ପ୍ରତି ବୁଦ୍ଧିର ସ୍ଥିରତା ହେଉଛି ଯୋଗ । ତେଣୁ ସ୍ଥିର ଚେତନ, ଅପରିବର୍ତ୍ତନୀୟ ଅପରିଣାମୀ ଓ ଅବିନଶ୍ୱର ସତ୍ତା ସହିତ ମନକୁ ଯୁକ୍ତ କଲେ ତାହା ସହଜରେ ଏକାଗ୍ର ହୋଇପାରେ । ଅନ୍ୟଥା ଏହା ବିପରୀତ କାର୍ଯ୍ୟ କରିଥାଏ ।
ଉପରୋକ୍ତ ଦୃଷ୍ଟିକୋଣ ଅନୁସାରେ ବିଚାର କଲେ ମନେ ହୁଏ ଯେ ଯୋଗ ପାଇଁ ଏକମାତ୍ର ଆଧାର ହେଉଛନ୍ତି ଅଜର, ଅମର, ଅବିନାଶୀ, ସତ୍-ଚିତ୍-ଆନନ୍ଦ ଓ ଜ୍ୟୋତିର୍ବିନ୍ଦୁ ସ୍ବରୂପ ପରଂବ୍ରହ୍ମ ପରମାତ୍ମା । ମନରୁ ଏହି ଭ୍ରାନ୍ତି ଦୂର କରିବାକୁ ହେବ । ପ୍ରକୃତି ହେଉଛି ପରମାତ୍ମାଙ୍କ ପରିବର୍ତ୍ତିତ ରୂପ । ପ୍ରକୃତି ଓ ପରମାତ୍ମା ଗୁଣାତ୍ମକ ଦୃଷ୍ଟିରୁ ଭିନ୍ନ ଭିନ୍ନ । ପ୍ରକୃତି ଜଡ, ବିନାଶୀ ଓ ପରିବର୍ତ୍ତନଶୀଳ । ପରମାତ୍ମା ଚେତନ ଏବଂ ପବିତ୍ରତା, ଜ୍ଞାନ, ଶାନ୍ତି, ଆନନ୍ଦ, ପ୍ରେମ ଓ ଶକ୍ତିର ମହାସାଗର । ପ୍ରକୃତି ହେଉଛି ପରମାତ୍ମାଙ୍କ ଅଧୀନସ୍ଥ ଦାସୀ ଓ ସମସ୍ତ ଈଶ୍ୱରୀୟ ଗୁଣ ରହିତ । ତେଣୁ ଯୋଗାଭ୍ୟାସ ସମୟରେ ପ୍ରକୃତିର ପାଞ୍ଚ ତତ୍ତ୍ବରୁ ନିର୍ମିତ ଏହି ପରମାଣୁମୟ ଜଗତକୁ ଭୁଲି ଚେତନ ପରମାତ୍ମାଙ୍କ ମଧୁର ସ୍ମୃତିରେ ମନକୁ ସମାହିତ କରିବା ହିଁ ଯୋଗର ସର୍ବ ଶ୍ରେଷ୍ଠ ସରଳ ବିଧି । ଏହାଦ୍ୱାରା ଆତ୍ମାରେ ଶକ୍ତି, ଆନନ୍ଦ, ଶାନ୍ତି ଆଦି ଦିବ୍ୟଗୁଣଗୁଡ଼ିକର ସଞ୍ଚାର ହୋଇଥାଏ । ଏହା ହେଉଛି ଯୋଗର ଶ୍ରେଷ୍ଠ ପ୍ରାପ୍ତି ।
ଏଠାରେ ଅନ୍ୟ ଏକ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ବ୍ୟକ୍ତିର ସ୍ମୃତି ଅନୁସାରେ ଦୃଷ୍ଟି ହୋଇଥାଏ । ମଣିଷ ଯେତେବେଳେ ସ୍ଥୂଳ ପଦାର୍ଥ ଓ ଦେହଧାରୀମାନଙ୍କ ସହିତ ସମ୍ପର୍କ ଯୋଡେ ସେତେବେଳେ ତାର ମନୋସ୍ଥିତି ମଧ୍ୟ ସ୍ଥୂଳ ହୋଇଯାଏ । ଏହା ହେଉଛି ଦେହାଭିମାନୀ ସ୍ଥିତି । ଏଥିରେ ବ୍ୟକ୍ତି ଭୋଗୀ ହୋଇଯାଏ ଓ ନିନ୍ଦା-ସ୍ମୃତି, ମାନ-ଅପମାନ ଆଦି ସାଂସରିକ ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଥାଏ । ତା’ର ମନ ଅନେକ ପ୍ରକାର ସଂକଳ୍ପ ଦ୍ୱାରା ଅସ୍ଥିର ହୁଏ । ତେଣୁ କୌଣସି ସ୍ଥୂଳ ବା ସୂକ୍ଷ୍ମ ଶରୀରର ସ୍ମୃତି ତଥା ସ୍ବ ଶରୀରର ଅଭିମାନରୁ ମୁକ୍ତ ହୋଇ ପରମପିତା ପରମାତ୍ମାଙ୍କ ଅପୂର୍ବ ଆନନ୍ଦରେ ବିଭୋର ହୋଇଯିବା ସ୍ଥିତି ହେଉଛି ଯୋଗର ସର୍ବୋଚ୍ଚ ସମାଧି । ଏହି ସ୍ଥିତିରେ ମନ ନିର୍ମଳ ଆତ୍ମା ପ୍ରକାଶମାନ ଓ ବୁଦ୍ଧି ଆଲୋକିତ ହୋଇ ଉଠେ ।
🌺🌺🌺🌺🌺🌺🌺🌺🌺
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🌹🌹🌹🌹🌹🌹🌹🌹🌹
Comments
Post a Comment