(୨)ଯୋଗ ସନ୍ଦେଶ-ଯୋଗର ଅର୍ଥ ଓ ସ୍ବରୂପ

 🌹🌹🌹🌹🌹🌹🌹🌹🌹

 *ଯୋଗ ସନ୍ଦେଶ(୨)* 

🌺🌺🌺🌺🌺🌺🌺🌺🌺

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

 *ଯୋଗର ଅର୍ଥ ଓସ୍ବରୂପ* 

🌷🌷🌷🌷🌷🌷🌷🌷🌷

ସମ୍ବନ୍ଧ ଓ ସମ୍ପର୍କ ସ୍ଥାପନ କରିବାର ନାମ ଯୋଗ । ଦୁଇଟି ପୃଥକ ବସ୍ତୁକୁ ଯୋଡ଼ିବା, ଦୁଇଟି ଅଙ୍କର ମିଶାଣ ଓ ଦୁଇଟି ବ୍ୟକ୍ତିର ମିଳନକୁ ମଧ୍ୟ ଯୋଗ କୁହାଯାଇଥାଏ । ଯୋଗର ଆଧ୍ୟାତ୍ମିକ ଅର୍ଥ ହେଲା ପରମାତ୍ମା ସହିତ ଆତ୍ମାର ମିଳନ । ଯୋଗର ଫଳ ସକାରାତ୍ମକ ବା ନକାରାତ୍ମକ ହୋଇପାରେ । ଏହା ନିର୍ଭର କରିଥାଏ ଉଭୟ ବସ୍ତୁର ସ୍ବରୂପ ଉପରେ । ସତ୍ୟ ସହିତ ସମ୍ବନ୍ଧ ସ୍ଥାପନର ଫଳ ସୁଖ କାରକ ଓ ଅସତ୍ୟ ସହିତ ସମ୍ବନ୍ଧ ସ୍ଥାପନ କଲେ ପରିଣାମ ଦୁଃଖକାରକ ହୋଇଥାଏ । ଯାହା ନିତ୍ୟ ତାହା ଅନିତ୍ୟ । ଅନିତ୍ୟ ମାତ୍ରକେ ଅସତ୍ୟ । ଶରୀର ଅନିତ୍ୟ, କିନ୍ତୁ  ଶରୀରସ୍ଥ ଆତ୍ମା ନିତ୍ୟ । ଆତ୍ମା ଶରୀର ସହିତ ସମ୍ବନ୍ଧ ସ୍ଥାପନ କଲେ ଅର୍ଥାତ ନିଜ ସ୍ବରୂପକୁ ବିସ୍ମୃତ ହୋଇଗଲେ ଦୁଃଖ ପାଏ । ଅପର ପକ୍ଷରେ ନିଜ ସ୍ବରୂପ ସ୍ମୃତି ସହିତ ନିତ୍ୟ, ସତ୍ୟ ଓ ଚିରନ୍ତନ ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କଲେ ପରମାନନ୍ଦ ପ୍ରାପ୍ତ ହୋଇଥାଏ । ଘରେ ଲାଗିଥିବା ବିଜୁଳି ତାରର ସଂଯୋଗ ଯେତେବେଳେ ବିଜୁଳି ଉତ୍ପାଦନ କେନ୍ଦ୍ରରୁ ଆସିବାର ତା’ର ସହିତ ହୁଏ ସେତେବେଳେ ଆମଘରେ ଆଲୋକ ଓ ଶକ୍ତି ପ୍ରୟ ହୁଏ । ସେହିପରି ଆତ୍ମା ମନ ରୂପକ ତା’ରକୁ ପରମାତ୍ମାଙ୍କ ସହିତ ଯୋଡିଲେ ତାକୁ ଶାନ୍ତି, ଆନନ୍ଦ ଓ ଶକ୍ତି ପ୍ରାପ୍ତ ହୋଇଥାଏ ।


ପରମାତ୍ମାଙ୍କ ସହିତ ଶାରିରୀକ ମିଳନ ସମ୍ଭବ ନୁହେଁ । ତାଙ୍କ ସହିତ କେବଳ ମନୋମିଳନ ହୋଇଥାଏ । ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଆମେ ଦୂରସ୍ଥ ବସ୍ତୁକୁ ନିକଟରେ ଥିବାପରି ସ୍ପଷ୍ଟ ଦେଖିପାରୁଁ । ସ୍ଥୂଳଚକ୍ଷୂ ଦ୍ୱାରା ପରମାତ୍ମାଙ୍କୁ ଦେଖି ହୁଏ ନାହିଁ । ମନ ହେଉଛି ଆତ୍ମାର ଚକ୍ଷୁ ସ୍ବରୂପ । ମନ ଯେତିକି ଦିବ୍ୟ ହେବ ଦୂରବୀକ୍ଷଣ ଯନ୍ତ୍ର ଭଳି ସେ ସେତିକି ଦୂରକୁ  ଦେଖିପାରିବ । ପରମାତ୍ମା ଦର୍ଶନ ପାଇଁ ମନ-ଚକ୍ଷୁ ଦିବ୍ୟ ହେବା ଅବଶ୍ୟକ । ଦିବ୍ୟ ଚକ୍ଷୁ ହିଁ ତୃତୀୟ ନୟନ । ଯୋଗୀ ଏହି ସଂସାରରେ ଥାଇ ଦିବ୍ୟଚକ୍ଷୁ ଦ୍ୱାରା ଆକାଶ ତତ୍ତ୍ବଠାରୁ ବହୁ ଦୂରରେ ଥିବା ପରମଧାମ ନିବାସୀ ଚୈତନ୍ୟ ସ୍ବରୂପ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରେ । ସେତେବେଳେ ସେ ତାଙ୍କୁ ହିଁ ମନନ-ଚିନ୍ତନ କରୁଥାଏ । ତା’ର ବୁଦ୍ଧିରେ କୌଣସି ପାର୍ଥିବ ବ୍ୟକ୍ତିବା ବସ୍ତୁ ନଥାଏ । ଏହି ପରମାତ୍ମା ପ୍ରତ୍ୟକ୍ଷତାର ଆଧ୍ୟାତ୍ମିକ ନାମ ଯୋଗ ।


ଯୋଗାଭ୍ୟାସ ବେଳେ ବୁଦ୍ଧି ଏକ ଦୁରଦର୍ଶନ ଯନ୍ତ୍ର ଭଳି କାମକରେ । ଦୁରଦର୍ଶନ ଯନ୍ତ୍ରର ପରଦାରେ ଦୂରସ୍ଥ ଦୃଶ୍ୟ ମଧ୍ୟ ସମ୍ମୁଖରେ ଦେଖିଲା ଭଳି ପ୍ରତୀତ ହୁଏ । ବୁଦ୍ଧି ମାଧ୍ୟମରେ ପରମଧାମ ନିବାସୀ ପରମାତ୍ମାଙ୍କ ସୂକ୍ଷ୍ମାତିସୂକ୍ଷ୍ମ ଜ୍ୟୋତି-ଚିତ୍ର ଯୋଗୀ ସମ୍ମୁଖରେ ଉପସ୍ଥିତ ହୁଏ ଓ ସେତେବେଳେ ସେ ମନ ଦ୍ୱାରା ତାହା ଦେଖି ମଗ୍ନ ହୋଇଯାଏ । ମନର ଏହି ମଗ୍ନତାର ଅନ୍ୟନାମ ଯୋଗ । 


ଯୋଗୀ ପରମାତ୍ମାଙ୍କୁ ମାତା, ପିତା, ସଖା, ଆଦି ସମ୍ପର୍କରେ ସ୍ମରଣ କରିଥାଏ । ତାଙ୍କ ସହିତ ବାର୍ତ୍ତାଳାପ କରେ । ତାଙ୍କଠାରୁ ସମସ୍ତ ପ୍ରଶ୍ନର ଉତ୍ତର ଲାଭ କରିପାରେ । ତାଙ୍କ ଇଛା, ଆଦେଶ ଓ ନିର୍ଦ୍ଦେଶ ଅନୁସାରେ ନିଜକୁ ପରିଚାଳିତ କରେ । ଏଥିପାଇଁ ମନ ଏକ ୱେରଲେସ ଯନ୍ତ୍ର ଭଳି କାମ କରେ । ଏହିପରି ଈଶ୍ୱରୀୟ ମାର୍ଗରେ ଚାଲିବାର ନାମ ଯୋଗ ।


 *ପରମାତ୍ମାଙ୍କ ଦିବ୍ୟ ରୂପ* 


ପରମାତ୍ମା ଅର୍ଥ ସର୍ବଶ୍ରେଷ୍ଠ ଆତ୍ମା । ଆତ୍ମା ଏକ ସୂକ୍ଷ୍ମାତିସୂକ୍ଷ୍ମ ଚୈତନ୍ୟ ଜ୍ୟୋତି ବିନ୍ଦୁ ସ୍ବରୂପ । ପରମାତ୍ମା ମଧ୍ୟ ଏକ ଆତ୍ମା ହୋଇଥିବାରୁ ତାଙ୍କର ରୂପ ମଧ୍ୟ ଏହିପରି ହେବା ଯୁକ୍ତି ସଙ୍ଗତ ମନେ ହୁଏ । ପ୍ରାୟ ପ୍ରତ୍ୟେକ ଧର୍ମରେ ପରମାତ୍ମାଙ୍କୁ ଜ୍ୟୋତିସ୍ବରୂପ ବା ବିନ୍ଦୁ ରୂପରେ ସ୍ବୀକାର କରାଯାଇଛି । କିନ୍ତୁ କାଳାନ୍ତରେ ଲୋକେ ପରମାତ୍ମାଙ୍କ ଏହି ଦିବ୍ୟ (ସୂକ୍ଷ୍ମ) ରୂପକୁ ଭୁଲିଗଲେ । ଭାରତରେ ଶିବଲିଙ୍ଗର ବ୍ୟାପକ ପୂଜା ଦେଖିବାକୁ ମିଳେ । ଏଥିପାଇଁ ଅନ୍ୟାନ୍ୟ ଦେବା-ଦେବୀ ମନ୍ଦିର ଅପେକ୍ଷା ଶିବମନ୍ଦିରର ସଂଖ୍ୟା ଅଧିକ । ପରମାତ୍ମା କଲ୍ୟାଣକାରୀ ଓ ମଙ୍ଗଳକାରୀ ହୋଇଥିବାରୁ ତାଙ୍କୁ ଶିବ କୁହାଯାଏ । ଏହା ତାଙ୍କର କର୍ତ୍ତବ୍ଯବାଚକ ନାମ । ଲିଙ୍ଗ ଶବ୍ଦର ଅର୍ଥ ଚିହ୍ନ ବା ପ୍ରତୀକ । ତେଣୁ ଶିବଲିଙ୍ଗର ଅର୍ଥ ପରମାତ୍ମାଙ୍କ ପ୍ରତୀକ । ଏକଥା ଅନେକ ଜାଣନ୍ତି ନାହିଁ । ଶିବ-ଲିଙ୍ଗ ହେଉଛି ଏକ ଅଶରୀରୀ ଜ୍ୟୋତିବିନ୍ଦୁପରମାତ୍ମାଙ୍କ ସ୍ମରଣ ଚିହ୍ନ ବା ପାଷାଣ ପ୍ରତିମା । ଶିବ-ଲିଙ୍ଗ ସାଧାରଣତଃ ଆଣ୍ଡାକୃତି ବା ଦୀପଶିଖାକୃତି ଥାଏ । ଏହା ତାଙ୍କ ଜ୍ୟୋତି ରୂପର ନିଦର୍ଶନ ।


କେବଳ ହିନ୍ଦୁଧର୍ମରେ ନୁହେଁ ଅନ୍ୟାନ୍ୟ ଧର୍ମାବଲମ୍ବୀଗଣ ମଧ୍ୟ ପରମାତ୍ମାଙ୍କୁ ଜ୍ୟୋତିବିନ୍ଦୁ ରୂପରେ ସ୍ମରଣ କରନ୍ତି । ଇସଲାମ ଧର୍ମର ପ୍ରତିଷ୍ଠାତା ଇବ୍ରାହିମ ମକ୍କା ସ୍ଥିତ କାବାରେ “ସଙ୍ଗେ ଅସବଦ୍” ର ସ୍ଥାପନ କରିଥିଲେ । ଏହା ଏକ କୃଷ୍ଣ ବର୍ଣ୍ଣର ଗୋଲାକାର ପ୍ରସ୍ତର । ସମଗ୍ର ପୃଥିବୀର ମୁସଲମାନଧର୍ମାବଲମ୍ବୀଗଣ  ହଜ ପାଇଁ ସେଠାକୁ ଯାଆନ୍ତି ଓ ଧାର୍ମକ ପରମ୍ପରା କ୍ରମେ ସେହି ପ୍ରସ୍ତର ଖଣ୍ଡକୁ ଅତ୍ୟନ୍ତ ଭକ୍ତିରେ ଚୁମ୍ବନ କରନ୍ତି । କିନ୍ତୁ ତାହା ମଧ୍ୟ ଶିବ-ଲିଙ୍ଗ ସଦୃଶ ପରମାତ୍ମାଙ୍କ ସ୍ମରଣ ଚିହ୍ନ ବୋଲି ଜାଣନ୍ତି ନାହିଁ ।


ଶିଖ୍ ଧର୍ମର ସଂସ୍ଥାପକ ଗୁରୁ ନାନକଦେବ ମଧ୍ୟ ପରମାତ୍ମାଙ୍କୁ ଜ୍ୟୋତି ସ୍ବରୂପ, ଅଯୋନି ଓ ଅକାଳ ମୂର୍ତ୍ତ ବୋଲି ମାନିଥିଲେ । ସେ ପରମାତ୍ମାଙ୍କୁ ‘ଓମକାର’ ନାମରେ ସ୍ମରଣ କରୁଥିଲେ । ଶିବଙ୍କୁ ମଧ୍ୟ ‘ଓମକାରେଶ୍ୱର’ କୁହାଯାଏ ଓ ଏହି ନାମରେ ଶିବ ମନ୍ଦିର ରହିଛି । ଖ୍ରୀଷ୍ଟଧର୍ମରେ ପରମାତ୍ମାଙ୍କୁ ଜ୍ୟୋତି ସ୍ବରୂପ ବୋଲି ସ୍ବୀକାର କରାଯାଏ । ହଜରତ ମୁସା ପର୍ବତ ଉପରେ ପରମାତ୍ମାଙ୍କ ଜ୍ୟୋର୍ତିମୟ ରୂପ ଦର୍ଶନ କରି ତାଙ୍କୁ ‘ଜେହୋବା’ ନାମକରଣ କରିଥିଲେ । ଏହି ନାମ ‘ଶିବ’ ଶବ୍ଦ ସହିତ ସାମଞ୍ଜସ୍ୟ ରହିଛି । ଜାପାନରେ କେତେକ ବୌଦ୍ଧ ସମ୍ପ୍ରଦାୟର ଲୋକେ ‘ଚିଂକ୍ନ୍ସେକି’ ନାମକ ଶିବଲିଙ୍ଗ ଆକୃତିର ଏକ ପ୍ରସ୍ତର ଖଣ୍ଡକୁ ସମ୍ମୁଖରେ ରଖି ମନକୁ ଏକାଗ୍ର କରିବାର ଅଭ୍ୟାସ କରନ୍ତି । ତାଙ୍କ ଭାଷାରେ ଏହି ନାମର ଅର୍ଥ ହେଉଛି ‘ଶାନ୍ତିଦାତା’ ଅର୍ଥାତ ଶାନ୍ତିଦାତା ପରମାତ୍ମାଙ୍କ ଦିବ୍ୟ ରୂପକୁ ମଧ୍ୟ ସେମାନେ ଜ୍ୟୋତିର ପ୍ରତୀକ ଶିବଲିଙ୍ଗ ସ୍ବରୂପ ବୋଲି ସ୍ବୀକାର କରିଛନ୍ତି । ବିଶ୍ୱ ଇତିହାସ ଜ୍ଞାତାମାନଙ୍କ ମତରେ ପ୍ରଚୀନ କାଳରେ ପ୍ରାୟ ପ୍ରତ୍ୟେକ ଦେଶରେ ବିଭିନ୍ନ ନାମରେ ଶିବଙ୍କୁ ଉପାସନା କରାଯାଉଥିଲା ।ଐତିହାସିକ କର୍ଣ୍ଣଲ ଡାଟଙ୍କ ଅନୁସାରେ ୟୁନାନରେ ଶିବଲିଙ୍ଗ ସଦୃଶ ଏକ ପ୍ରତିମାକୁ ୟୁନାନୀ ଲୋକେ ପୂଜା କରୁଥିଲେ । ଏହି ପ୍ରତିମାକୁ ସେମାନେ ‘ଫଲ୍ଲୁସ’ ବୋଲି ନାମିତ କରିଥିଲେ । କର୍ଣ୍ଣଲ ଡାଟଙ୍କ ମତରେ ‘ଫଲ୍ଲୁସ’ ଶବ୍ଦ ସଂସ୍କୃତର ‘ଫଲେଶ’ ଶବ୍ଦର ଅପଭ୍ରଂଶ ଯାହାର ଅର୍ଥ ହେଉଛି “ଫଳ ପ୍ରଦାନକାରୀ ଈଶ୍ୱର” । ୟୁହୁଦୀ ଲୋକେ ଶିବଙ୍କୁ ‘ବେଲଠେଗୋ’ ନାମରେ ସ୍ମରଣ କରୁଥିଲେ । ଶିବଲିଙ୍ଗକୁ ‘ବାଲ୍’ କୁହାଯାଏ । ତେଣୁ ତାଙ୍କୁ ‘ବାଲେଶ୍ୱର’ କୁହାଯାଏ ଓ ଭାରତରେ ଏହି ନାମରେ ଅନେକ ଶିବ ମନ୍ଦିର ଦେଖିବାକୁ ମିଳେ । ମିଶର ଦେଶରେ ‘ଓସିରିସି’ନାମରେ ପରମାତ୍ମାଙ୍କୁ ଉପାସନା କରାଯାଏ । ଏହି ଶବ୍ଦ ସଂସ୍କୃତର ‘ଈଶ’ ଶବ୍ଦରୁ ଆସିଛି । ରୋମରେ ଶିବଲିଙ୍ଗକୁ ‘ପ୍ରିୟପସ୍’ କୁହାଯାଏ । ଆରବ ଦେଶରେ ଏହାକୁ ‘ଲାଢ଼’ କୁହାଯାଉଥିଲା । ’ଲାଢ’ ଶବ୍ଦ ଲିଙ୍ଗର ଦ୍ୟୋତକ । ଏଥିରୁ ସ୍ପଷ୍ଟ ହୁଏ ଯେ ପରମାତ୍ମାଙ୍କ ଜ୍ୟୋତି ରୂପକୁ ସମଗ୍ର ବିଶ୍ୱରେ ସ୍ବୀକାର କରାଯାଇ ବିଭିନ୍ନ ନାମରେ ତାଙ୍କ ପ୍ରତୀକ ସ୍ବରୂପ ପାଷାଣ ପ୍ରତିମା ନିର୍ମାଣ କରାଯାଇ ପୂଜା କରାଯାଉଥିଲା ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,